ମାଛ ମଣିଷ
ମାଛ ମଣିଷ


ଜୀବନର ଅପରାହ୍ନରେ ପହଂଚିବା ପୂର୍ବରୁ ଖୁବ ବୟସ୍କ ଲାଗୁଥିଲା ଜୀବନ ଦାସ । ଅନେକ ଅଭାବ ,ଅନାଟନ କୁ ସାମ୍ନା କରି ପରିବାରରେ ପାରିବାପଣ ଦେଖେଇବାକୁ ହୁଏ, ବାପା,ପୁଅ,ଭାଇ କି ସ୍ୱାମୀ ଭାବରେ । କଲିକତାରେ ଫୁଟପାଥିଆ ଜୀବନର ଅନେକ କଷ୍ଟ କଲିଜାରେ କଟାଦାଗହୋଇ ଛାତି ତଳେ ଅଛି । କେହିବି ବୁଝିନି ତାକୁ ଆଜିଯାଏ ।
କରୋନାଠୁ କହି ହେଇନପାରିଲା ଭଳି କଷ୍ଟ ହେଉଛି ଅଭାବ । ସେଥିପାଇଁ ଏତେଲୋକ ମରିଯାଉଥିବାର ଦେଖି ବି ସେ ଘରକୁ ଫେରିବାକୁ ନାରାଜ ଥିଲା । ତଥାପି ସେ ମରିଗଲେ ତା ପରିବାରର ଅବସ୍ଥା କଥା ଭାବି ତାକୁ ଗୋଟେ ମାଛ ଗାଡ଼ିରେ ଘରକୁ ଫେରିବାକୁ ହେଲା । ଗୋଟେ ଡଲା ଵାଲା ଗାଡ଼ିରେ ସେମିତି ଠିଆ ହୋଇ ବଡ଼ ବଡ଼ ପାଣି ହାଣ୍ଡି ଭିତରେ ହାତ ଚବର ଚବର କରି ତାକୁ ମାଛ ପହଣା ମାନଙ୍କୁ ବଞ୍ଚେଇ ରଖିବାର ଦାୟିତ୍ୱ ସହ କିଛି ପାରିଶ୍ରମିକ ମିଳିବାର ଥିଲା ।
ଅବଶ ହୋଇଯାଉଥିବା ହାତକୁ ଛୁଇଁଯାଉଥିବା କୁନି ମାଛମାନେ ସଜାଗ କରିବାକୁ ଯାଇ ଜୀବନ ଦାସକୁ ତା ହାତର ତାଳରେ ଯେମିତି ମଣିଷର ଅନେକ କଥା କହିଯାଉଥିଲେ ଏମିତି:-
"ଲୁହ ବା ଦେଖିଛି କିଏ
ଜଳରେ ତ ମେଣ୍ଟିଯାଏ
ଶୋଷ ଠୁ ପ୍ରଶ୍ୱାସ
ବୟସ ବୁଝନା
ବରଂ ବନ୍ଧୁ ବାନ୍ଧ
ତେଲରେ ଭାଜିଦେବାକୁ
ମୋ ଅବଶିଷ୍ଟ ସ୍ୱାଦିଷ୍ଟ
ଶେଷ ଆୟୁଷ
ତୁମର ପ୍ରତିଟି ପ୍ରତାରଣାରେ ତ
ମୋ ପାଇଁ ପ୍ରେମ
ଅଥଚ
ଜାଳ ,ତେଲ,ଜିଭ ପାଇଁ ଧାଉଁ ଥାଅ
ଜୀବନ ତମାମ
ତୁମ ଦୁଃଖ ମୋ ଦୁଃଖଠୁ ବଳି
ତେଲରେ ଜଳେ ସିନା ମୁଁ
ତୁମକୁ ଲୁହ ଦିଏ ଜାଳି
ଓଜନ ମୋ ଜୀବନ
ଅଭାବ ତୁମ ମରଣ
ପୋଖରୀ ହେଉ କି ଆକ୍ବାରୀୟମରେ
କରିପାର ମୋ ଆୟୁଷ ର ଚାଷ
ଲୁହ ଟୋପେର କିନ୍ତୁ ସୁରାକ ପାଇବନି ମୋର
ତୁମ ପ୍ରାଚୁର୍ଯ୍ୟର ପାଣି କାଚରେ ବି ପହଁରୁଥିବି ମୁଁ
ମାସ୍କ ଲୁଚେଇ ପାରୁ ନଥିବ ତୁମ ଯନ୍ତ୍ରଣାର ହସ"
"""""""""
ଜୀବନ ଦାସ ମାସ୍କଟାକୁ ଠିକ କରି ବାନ୍ଧିନେଲା । ଗାମୁଛାରେ ଲୁହ ମୁହଁ ପୋଛିଲା । ମାଛ ଠିକ କହୁଥିଲା । ଜୀବନରେ ଲ
ୁହର ସବୁ ନଈକୁ ତାକୁ ପହଁରି ପାରେଇବାକୁ ହେବ । ସେମିତି ବି ସେ ଅନେକ ବାର କରିଛି । ନିଜ ହାତ ଟଣା ରିକ୍ସାରେ ଲୋକ ବସେଇ କଷ୍ଟରେ ଟାଣି ଟାଣି ନେଉଥିବା ବେଳେ କପାଳର ଝାଳ ସବୁ ଆଖି ଲୁହ ସହ ମିଶିଯାଏ ଯାହାକୁ ସେ ଗାମୁଛା ରେ ପୋଛି ନେଲାବେଳେ କେହି ବି ତା ଲୁହ ଦେଖି ପାରେନି,ଦୁଃଖ ଜାଣି ପାରେନି । ମାଛ ପରି ପହଁରୁଥାଏ କେବଳ ଜୀବନଯାକ ।
ଦୂର କ୍ବାରେଣ୍ଟାଇନରେ ଦି ଦିନ ବିତେଇ ଜୀବନ ଦାସ ନିଜ ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରେ ପହଁଚିଲା । ଯାହା କିଛି ଆଣିଥିଲା ନେବାକୁ ବୁଢ଼ା ବାପଟା ହାତରେ ଲଣ୍ଠନ, ବାଡ଼ି ଧରି ପହଞ୍ଚିଲା ତ କେୟାରଟେକର ହାତରେ କୋଡ଼ିଏ ଟଙ୍କିଆଟେ ଗୁଂଜିଦେଇ ଜୀବନ ବାପାକୁ ତରତରରେ ସବୁ ଜିନିଷ ଗୁଞ୍ଜିଦେଲା ।
ପରଦିନ ହଇହାଲ୍ଲା । ସରପଞ୍ଚଙ୍କ ନିର୍ଦ୍ଦେଶରେ ଜୀବନର ସବୁ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ଅଣାଗଲା । ଆମ୍ବୁଲାନ୍ସ ଲାଗିଲା । ଜୀବନ ଦାସ ଲୁହ ଭର୍ତ୍ତି ଆଖିରେ ଗାଡ଼ିରେ ବସିଲା । କୋଭିଡ ମେଡିକାଲ ଯିବ ତାର କରୋନା ପଜିଟିଭ ବାହାରିଲା । ବୁଝିବାରୁ ଜଣା ପଡ଼ିଲା ଗଲାଦିନ ରାତିରେ ଜୀବନ ତା ବାପା ହାତରେ, ତାକୁ ଖାଇବାକୁ ମିଳିଥିବା ମାଛ ତରକାରୀକୁ ନିଜେ ନ ଖାଇ ଘରକୁ ପଠେଇଦେଇଥିଲା । ତା ଅଭାବୀ ପରିବାର ପାଇଁ ସରକାର ଦେଇଥିବା ପାଞ୍ଚ କିଲ ଚାଉଳ ପରେ ସତରେ ତାକୁ ଏମିତି କିଛି କରିବାର ଥିଲା । ଯିଏ ଯାହା କହୁ ଏମିତି କଲା ବୋଲି ତ ସେମାନେ ଏଇ କିଛିଦିନ ଏଠି ଖାଇବାକୁ ମୁଠେ ପାଇଯିବେ ।
ଏବେ ଜୀବନ ଦାସ ନୁହେଁ ମେଡିଆରେ ଅଭାବ ଦାସ ର ବେଶ ଚର୍ଚ୍ଚା । ଅଲଗା ଘର ଖଣ୍ଡେ ନାଇଁ ବୋଲି ସେ ଭଲ ହୋଇ ଫେରିଲେ ସ୍କୁଲ ଘରେ ଏକେଲା ରହିବ । ତା ବାପାଠୁ ପରିବାର ପର୍ଯ୍ୟନ୍ତ ଏଥର ସଭିଙ୍କ ଉପରେ ରହିବ କଡ଼ା ନଜର ।
""""
ରାତିରେ ରାଜରାସ୍ତା ଉପରେ ଠିଆ ହୋଇ ଜୀବନ ଦାସ ମାଛ ଗାଡ଼ିଟେର ଅପେକ୍ଷାରେ ଥିଲା । ପୁଣି ଥରେ ମାଛ ସହ କଥା ହେଉ ହେଉ ଯେମିତି କଲିକତାରେ ପହଞ୍ଚିଯିବ ।
ବାସ । ମାଛଠୁ ସେ ଆଉ କୋଉ ଅଧିକା କି ???