Upendra Mahala

Inspirational Others

3  

Upendra Mahala

Inspirational Others

ନୂଆ ସକାଳରେ ପଞ୍ଚସଖା

ନୂଆ ସକାଳରେ ପଞ୍ଚସଖା

5 mins
219



ଥରେ କଥା ପ୍ରସଂଗରେ ଜଣେ ସହକର୍ମୀ ଝିଅକୁ ପଚାରିଲି, ତୁମକୁ କେହି ସଖୀ ଡାକିଲେ କେମିତି ଲାଗିବ ?

ଝିଅଟି ହସିଦେଲା। ଉତ୍ତର ଦେଲା ସେତେ ଭଲ ଲାଗିବନି। ସାଂଗସାଥୀ ହୋଇଥିଲେ ବନ୍ଧୁ କି ଫ୍ରେଣ୍ଡ ଡାକିପାରନ୍ତି। 

ସେମିତି ଜଣେ ଅନ୍ତରଂଗ ବନ୍ଧୁଙ୍କୁ ପଚାରିଥିଲି, ତୁମକୁ ସଖା ଡାକିଲେ କେମିତି ଲାଗିବ ? କହିଲେ, ଶବ୍ଦଟି ପୁରଣା କାଳିଆ। ହ୍ୟାଲୋ, ହାଏ ଯୁଗରେ ଏ ସମ୍ବୋଧନ ଚଳିବନି। ପାଲଟା ପ୍ରଶ୍ନ କଲେ "ଏଭଳି ଉଦ୍ଭଟ ଚିନ୍ତା କାହିଁକି?"  

ଏତିକିରେ ଆଧୁନିକ ଦର୍ଶନବାଦୀ ବନ୍ଧୁଙ୍କ ମନକୁ ପଢିନେଲି । ସଖୀ ଓ ସଖା ସମ୍ବୋଧନ ଭିତରେ ଯେଉଁ ମହକ ଅଛି ତାହା ଅନେକଙ୍କୁ ଅଜଣା। ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ ସଖୀ ସମ୍ବୋଧନ କରୁଥିଲେ। ଅର୍ଜୁନଙ୍କୁ ସଖା, ଦ୍ରୌପଦୀଙ୍କୁ ସଖୀ। ସୁଦାମ ଥିଲେ ପ୍ରିୟ ସଖା। ସଖା କି ସଖୀ ଶବ୍ଦର ପରିଭାଷା ଖୋଜିବା ନିରର୍ଥକ ! ଏହାକୁ ପୁରୂଣାକାଳିଆ ଶବ୍ଦ କହି ଅବମୂଲ୍ୟାୟନ ( ଡିଗ୍ରେଡେସନ) କରିବା ଓଡ଼ିଆ ଭାଷା ପ୍ରତି ବିଡମ୍ବନା ନୁହେଁ ତ ଅ।ଉ କ'ଣ ??

ଆମ କଥିତ ଭାଷାରେ ଅନେକ ଭାବମଧୁର ଶବ୍ଦ ସହ ଖାଣ୍ଟି ଓଡ଼ିଆ ଶବ୍ଦ ଦିନକୁଦିନ ଏମିତି ହଜିଯିବାରେ ଲାଗିଛି । 

ପୁରାଣ ସାହିତ୍ୟରୁ ଉତ୍ତର ଆଧୁନିକ ଯୁଗ ଯାଏ ଓଡ଼ିଆ ଭାଷାବଳୀର ସମୃଦ୍ଧ ପରମ୍ପରା ରହିଛି। ସତ୍ୟ, ତ୍ରେତୟା ଓ ଦ୍ବାପର ଯୁଗର କଥାକାହାଣୀକୁ ନେଇ ପ୍ରାଚୀନ ପୁରାଣ ସାହିତ୍ୟ ସୃଷ୍ଟି। ଆଦିକବି ଶାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ସଂସ୍କୃତ ପରିବର୍ତ୍ତେ କଥିତ ଲୋକଭାଷାରେ ସାହିତ୍ୟ ରଚନା କରି ନୂଅ।ଯୁଗର ସୂତ୍ରପାତ କରିଥିଲେ। ମଧ୍ୟଯୁଗର ସାହିତ୍ୟ-ବିନ୍ଧାଣିମାନେ ଥିଲେ ଶବ୍ଦର ଯାଦୁଗର। ଆଧୁନିକ ଯୁଗ ପରସି ଦେଲା ଗଦ୍ୟ ସାହିତ୍ୟର ସମ୍ଭାର। ଭାଷାସାହିତ୍ୟକୁ ସୁଦୃଢ କରିବା ଲାଗି ଆଗକାଳରେ ବି ସାହିତ୍ୟିକଙ୍କ ମଧ୍ୟରେ ଭାବ ବିନିମୟ ଘଟୁଥିଲା। ଏହି କ୍ରମରେ ମଧ୍ୟଯୁଗରେ ଆରମ୍ଭ ହୋଇଥିଲା "ପଞ୍ଚସଖା" ପରମ୍ପରା। ଅତିବଡି ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁ ଅନନ୍ତଙ୍କ ଭଳି ସଖା ଅ।ଗକୁ ଆସିଥିଲେ। ଏହାପରେ ସାହିତ୍ୟ ଆଧୁନିକ ରୂପ ନେଲା। ସତ୍ୟବାଦୀ ସାହିତ୍ୟଯୁଗରେ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର ପ୍ରମୁଖ ଥିଲେ ପଞ୍ଚସଖା। ପରେ ରୋମାଣ୍ଟିକ ଓ ମାର୍କ୍ସଜିମ ଚେତନା ସମୃଦ୍ଧ ସାହିତ୍ୟ ଲେଖାଯିବା ବେଳେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ ବୈକୁଣ୍ଠନାଥ ପଟ୍ଟନାୟକ, ହରିହର ମହାପାତ୍ର ଓ ଶରତ ଚନ୍ଦ୍ର ମୁଖାର୍ଜୀ ପ୍ରମୁଖ ପାଞ୍ଚ କଲେଜ ଛାତ୍ର ଏକାଠି ହୋଇ ପଞ୍ଚସଖା ଭାବେ ପରିଚିତ ହୋଇଥିଲେ। ସମାନେ ମିଶି ଲେଖିଥିଲେ "ବାସନ୍ତୀ" ଉପନ୍ୟାସ। ଏଥିରେ ସାମିଲ ହୋଇଥିଲେ ସମସାମୟିକ ବାନ୍ଧବୀ ସରଳା ଦେବୀ। ଆଧୁନିକ ଗଦ୍ୟ ସାହିତ୍ୟର ପୁରୋଧା ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ବଭାବ କବି ଗଙ୍ଗାଧର ମେହର ପ୍ରମୁଖ ସମସାମୟିକ କବି, ଲେଖକ ପରସ୍ପର ମଧ୍ୟରେ ପତ୍ର ବିନିମୟ କରି ଭାବର ଅ।ଦାନପ୍ରଦାନ କରୁଥିଲେ। ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଅ।ନ୍ଦୋଳନ ବେଳେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଭଳି ଅନେକ ବରପୁତ୍ର ସଂଗଠିତ ହୋଇ ଜନ ଜାଗରଣ ଲାଗି ଭାଷାସାହିତ୍ୟ ଆନ୍ଦୋଳନକୁ ତେଜିଥିଲେ।

ସ୍ବାଧୀନତା ପରବର୍ତ୍ତୀ ସମୟରେ ପ୍ରିଣ୍ଟ ମିଡିଆ ଓ ପତ୍ରପତ୍ରିକା ଭାଷା ସାହିତ୍ୟର ବିକାଶରେ ଆଧାର ସାଜିଥିଲେ। ଏବେ ସୋସିଅ।ଲ ମିଡିଆ ନୂଆ ଭୂମିକା ନେଇଛି। ଅନେକ "ସାହିତ୍ୟିକ ଗ୍ରୁପ" ମୁଣ୍ଡ ଟେକି ଭାଷାସାହିତ୍ୟର ସୃଜନାତ୍ମକ ବିକାଶ ଲାଗି କାମ କରୁଛନ୍ତି। ଫେସବୁକ୍, ବ୍ଲଗ, ମେସେଞ୍ଜର, ଟୁଇଟର ଆଦି ଯୋଗାଯୋଗର ମାଧ୍ୟମ ପାଲଟିଛି। ପୂର୍ବରୁ ବିଭିନ୍ନ ପତ୍ରପତ୍ରିକା ଓ ପ୍ରିଣ୍ଟ ମିଡିଆ ସାରସ୍ବତ ଦୁନିଆକୁ ଦୃଢ ମୂଳଦୁଆ ଦେଇଥିବା ବେଳେ ଏବେ ଭୁଶୁଡିବା ଆରମ୍ଭ କରିଛି। ପାଠକୀୟ ଆଦୃତିର ଅଭାବ ଚିନ୍ତା ବଢାଇଛି। ପ୍ରୋତ୍ସାହନ, ପୃଷ୍ଠପୋଷକତା ନ ମିଳିବାରୁ ପତ୍ରପତ୍ରିକା ଉଧେଇ ପାରୁନାହିଁ। କରୋନା ମାଡରେ ପ୍ରିଣ୍ଟ ମିଡିଆ ଧିମେଇ ଯାଇଛି। ଏଭଳି ସମୟରେ ସୋସିଅ।ଲ ମିଡିଆ ଅ।ଗକୁ ଆସି ଭାଷାସାହିତ୍ୟକୁ "ବଳିଷ୍ଠ ମଞ୍ଚ" ଯୋଗାଉଛି। ଏସବୁ ସତ୍ତ୍ବେ ସୀମାହୀନ ଦରିଅ।ରେ ଲକ୍ଷ୍ୟହୀନ ନାଆ ଓ ନାଉରୀ ଭଳି ସୋସିଅ।ଲ ମିଡିଆରେ ଭାସୁଛି ସାହିତ୍ୟ ସମ୍ଭାର। ଲେଖାରେ ବିବିଧତା ଥିଲେ ବି ଏହାର ଧାରା (ଟ୍ରେଣ୍ଡ) କଳନା କରିବା ସମ୍ଭବ ହେଉନାହିଁ। ଅନେକ ଉଚ୍ଚାଂଗ ମାନର କ୍ଲାସିକ ଓ ଗଣଚେତନା ଧର୍ମୀ ଲେଖା ପ୍ରକାଶିତ ହେଉଥିଲେ ବି ପ୍ରତୀତ ହୁଏ ଯେ, ଏଥିରେ ଅଛି ନା ସାମୂହିକ ନିର୍ଦ୍ଧିଷ୍ଟ ଆଦର୍ଶ, ନା ଲକ୍ଷ୍ୟ ନା ଆଭିମୁଖ୍ୟ !! 

ପ୍ରକୃତ ଅର୍ଥରେ ବର୍ତ୍ତମାନ ଅଧିକାଂଶ ସାହିତ୍ୟିକ ନୀରବ ସାଧକ। ସେମାନେ ଅସଂଗଠିତ। ସାଂପ୍ରତିକ ସାହିତ୍ୟରେ ଜନତାର ସ୍ବର ଓ ଆଶ ଆକାଙକ୍ଷାର ପ୍ରତିଫଳନ ଆଶାନୁରୂପ ହେଉ ନ ଥିବା ସମାଲୋଚକ ମତ ଦିଅନ୍ତି। ଦେଖିବାକୁ ଗଲେ ଅଧିକାଂଶ ଲେଖା ବ୍ୟକ୍ତିକୈନ୍ଦ୍ରିକ, ବୌଦ୍ଧିକ ଓ ମନନଶୀଳ। ଏକଦା ଉଦ୍ଭଟ ସାହିତ୍ୟ ରଚନା ପରେ ଆଧୁନିକ ସାହିତ୍ୟ ଦିଗହରା ହୋଇପଡିଥିଲା। ପରେ ସାହିତ୍ୟକୁ ଲୋକାଭିମୁଖୀ କରିବାକୁ ଅଶୀ, ନବେ ଦଶକ ବେଳକୁ ଯୁବପିଢିର କେତେକ କବି, ଗାଳ୍ପିକ, ଲେଖାରେ ବିବିଧତା ଆଣୁଥିବା ସାହିତ୍ୟିକ ଓ ଫିଚର ଲେଖକ ଉଦ୍ୟମ ଆରମ୍ଭ କରିଥିଲେ। ଫଳ ସ୍ବରୂପ ଉତ୍ତର ଆଧୁନିକ ସାହିତ୍ୟ ବିକଶିତ ହୋଇଥିଲା। ସାହିତ୍ୟର ଧାରା ଦିଗ ବଦଳାଇଥିଲେ ବି ଯୁବପିଢି ସମେତ ଉଚ୍ଚଶିକ୍ଷିତ ପାଠିକାପାଠକ ସାହିତ୍ୟଠାରୁ ଦୂରେଇ ରହିବା ବାରି ହେଇପଡୁଛି। ପୁସ୍ତକ ପ୍ରକାଶନ ବ୍ୟୟବହୁଳ ହେବା ଯୋଗୁ ଆଗଭଳି ଓଡ଼ିଅ। ବହି ଛପାଯାଉନି। ଶିକ୍ଷା ବ୍ୟବସ୍ଥାର ବ୍ୟାବସାୟୀକରଣ ପରେ ଯୁବପିଢିଙ୍କ ହାତରେ ଓଡ଼ିଅ। ବହି କିମ୍ବା ପତ୍ରପତ୍ରିକା ଦେଖିବାକୁ ମିଳୁନି। 

ଏହା ସତ୍ୟ ଯେ, ଯୁଗେଯୂଗେ ସମାଜ ଜୀବନକୁ ସାହିତ୍ୟ ଦିଗଦର୍ଶନ ଦେଇଆସିଛି। ଅନ୍ଧାର ଭିତରେ ଜାଳିଛି ଦୀପଶିଖା। ପରିବର୍ତ୍ତିତ ପୃଷ୍ଠଭୂମିରେ ଆଗକୁ କିଭଳି ଦିନ ଆସିବ ଓ ସୃଜନଶୀଳ ଭାଷାସାହିତ୍ୟ କି ରୂପ ନେବ କିଏ ଜାଣେ !! ପୁରୁଣା ଓଡ଼ିଅ। ଶବ୍ଦକୁ ଅଣ୍ଡାଳିବା ଦୂରେ ଥାଉ ଏହା ଆମ ତୁଣ୍ଡକୁ ନ ଆସିବା ବର୍ତ୍ତମାନର ଚିନ୍ତାଜନକ ବିଷୟ। ତାଛଡା ସମାଜ ଜୀବନ ଓ ବ୍ୟବସ୍ଥାର ଗତି କୁଆଡେ ବୁଝା ପଡୁ ନାହିଁ। ଏଭଳି ସ୍ଥିତିରେ ସମାଜ ହିତରେ ସାହିତ୍ୟର ଭୂମିକା ଗୌଣ ମନେ ହେଉଛି। ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଅଭାବରୁ ସାହିତ୍ୟ ସଂଗଠନଗୁଡିକର ସ୍ବର କ୍ଷୀଣ ହୋଇ ପଡିଛି। ଲକ୍ଷ୍ୟହୀନ ଯାତ୍ରା ସତ୍ତ୍ବେ ସୋସିଅ।ଲ ମିଡିଆର ସାହିତ୍ୟ ଧାରା ଶେଷ ଆଶା ହୋଇ ଉଭା ହୋଇଛି। 

ଏହି ପ୍ରସଙ୍ଗରେ କଥାଟିଏ ମନକୁ ଆସେ। ବାଣୀବିହାରରେ ପାଠ ପଢୁଥିବା ବେଳେ ଆମେ ପାଞ୍ଚ ବନ୍ଧୁ ଏକାଠି ହୋଇ ପଞ୍ଚସଖା ପରମ୍ପରା ଆଗକୁ ନେବା ସକାଶେ ମନ ମିଶାଇ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲୁ। ସଖା ଶବ୍ଦର ମହକରେ ଥିଲୁ ବିଭୋର। କିନ୍ତୁ କେଉଁଠି ନିଜକୁ ପଞ୍ଚସଖା ବୋଲି ଛାପ ମାରି ନ ଥିଲୁ। ସାହିତ୍ୟରେ ନୂଆ କିଛି କରିବା ଆଶାରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲୁ। ମିଳିତ ଉଦ୍ୟମର ପ୍ରଥମ ଅର୍ଘ୍ୟ ସ୍ବରୂପ ସୁକଳେବର ସମ୍ପନ୍ନ ଏକ ସ୍ବକବିତା ସଙ୍କଳନ " ଅନ୍ୟ ସକାଳ" ପ୍ରକାଶ କରିଥିଲୁ। ଆମ ପାଞ୍ଚ ବନ୍ଧୁଙ୍କ ମଧ୍ୟରେ ଥିଲେ ଜଣେ ସହପାଠିନୀ। ସର୍ବଶ୍ରୀ ବିଜୟ ନାୟକ, ପବିତ୍ର ପାଣିଗ୍ରାହୀ, ଭୀମ ପୃଷ୍ଟି , ଉତ୍ତମା ଜେନା ଓ ମୁଁ ପାଠିକାପାଠକଙ୍କୁ " ଅନ୍ୟ ସକାଳ" ଭେଟି ଦେଇଥିଲୁ।

ସେତେବେଳେ ବାଣୀବିହାର ପରିସର ଥିଲା ସାରସ୍ବତମୟ। ଆମ ଭିତରେ ଥିଲା ଯୁବସୁଲଭ ଉଦ୍ଦୀପନା। ନୂଆ ସକାଳର ଚେତନାରେ ଆମ ସାରସ୍ବତ ସର୍ଜନା ଥିଲା ଅଭିମନ୍ତ୍ରିତ। କେବଳ କବିତା ନୁହେଁ ଗଦ୍ୟ ରଚନାରେ ନୂତନତ୍ବ ଖୋଜିବା ଓ ସାହିତ୍ୟକୁ ଜୀବନଧର୍ମୀ, ଲୋକାଭିମୁଖୀ କରିବା ଥିଲା ଆମ ଅ।ଭିମୁଖ୍ୟ।

ବାଣୀବିହାର ପାସ ଅ।ଉଟ ପରେ ଆମେ ପାଞ୍ଚ ବନ୍ଧୁ ସମୟ ଓ କର୍ମଜୀବନ ତାଡନାରେ ପରସ୍ପର ଠାରୁ ଦୂରେଇ ଗଲୁ। ଯୋଗାଯୋଗ ଅଭାବ ଯୋଗୁ କେତେକାଂଶରେ ଲକ୍ଷ୍ୟହରା ହୋଇଗଲୁ। ପାଠପଢା ବେଳର ବନ୍ଧୁତା ଅତୁଟ ଥିଲେ ବି ଅନ୍ୟମାନଙ୍କ ଭଳି ଆମେ ନୀରବ ସାଧକ ପାଲଟିଗଲୁ। ବନ୍ଧୁ ବିଜୟ ନାୟକ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରି ସାରସ୍ବତ ସାଧନା ଜାରି ରଖି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କବି, ଗାଳ୍ପିକ ଡ଼ଃ.ପବିତ୍ର ପାଣିଗ୍ରାହୀ ୨୦୨୦ରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ଆମ ଗୌରବ ବଢାଇଛନ୍ତି। ସେ ଜଣେ ଦୃଢ ସଂଗଠକ । କବି, ଗାଳ୍ପିକ ଡଃ. ଭୀମ ପୃଷ୍ଟି ସାମ୍ବାଦିକତା ପରେ ଅଧ୍ୟାପନା କାର୍ଯ୍ୟ କରି ଲେଖନୀର ଚମକ ଜାରି ରଖିଛନ୍ତି। ସେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଉତ୍ତମା ଜେନା  ଖଲିକୋଟ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇବା ସାଂଗକୁ ସାରସ୍ବତ ଦୁନିଆ ସହ ଜଡି ରହିଛନ୍ତି। ଅତି ନିକଟରେ ସେ ଅବସର ଗ୍କରହଣ କରିଛନ୍ତି। କବିତା ସମେତ ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କ ଲେଖନୀ ସମୃଦ୍ଧ। ଶେଷକୁ ମୋ କଥା। ସାମ୍ବାଦିକତା ବୃତ୍ତି ମଧ୍ୟରେ ନିଜକୁ ହଜାଇ ଦେଇଥିଲେ ବି ଫିଚର ସାହିତ୍ୟ ଓ ଅନ୍ୟ ରଚନାରେ ଯଥା ସମ୍ଭବ ବ୍ରତୀ ରହିଛି। 

ସମସାମୟିକ ଅ।ମେ ପାଞ୍ଚ ବନ୍ଧୁ ପରସ୍ପରଠାରୁ ଘଟଣାକ୍ରମେ ଭାବଗତ ଓ ବ୍ୟକ୍ତିଗତ ସମ୍ପର୍କରୁ ବିଚ୍ଛିନ୍ନ ହେବା ବର୍ତ୍ତମାନ ସମୟର ତାଡନା ଓ ସାରସ୍ବତ ସ୍ଥିତିର ପ୍ରକୃତ ଚେହେରାକୁ ସୂଚାଉଛି। ଅନ୍ୟ ବହୁ ସାରସ୍ବତ ସାଧକଙ୍କ ଅବସ୍ଥା ପ୍ରାୟ ଏକାଭଳି। 

କିଛିବର୍ଷ ତଳେ ରାଉରକେଲାରୁ ପ୍ରକାଶ ପାଉଥିବା ଏକ ପତ୍ରିକାରେ ଅ।ମ ପଞ୍ଚସଖାଙ୍କ ସ୍ବର କୁଅ।ଡେ ହଜିଗଲା ( ?) ବୋଲି ଉଲ୍ଲେଖ କରି ଏକ ସମାଲେଚନା ଧର୍ମୀ ଲେଖା ପ୍ରକାଶ ପାଇଥିଲା। ଖଣ୍ଡେ ପତ୍ର ଲେଖି ଏହାର ସମ୍ପାଦକଙ୍କୁ ଏଭଳି ସାରସ୍ବତ ଅନ୍ବେଷା ଲାଗି ବଧେଇ ଜଣାଇଥିଲି, ଅବଶ୍ୟ ପାଞ୍ଚ ବନ୍ଧୁଙ୍କ ସାରସ୍ବତ ସାଧନା ବିଷୟରେ କିଛିଟା ସ୍ପଷ୍ଟୀକରଣ ଦେଇଥିଲି । 

ମୋର ମତ ବର୍ତ୍ତମାନର ସ୍ଥିତି ଯାହା ସାହିତ୍ୟିକମାନେ ସଂଗଠିତ ହୋଇ କାର୍ଯ୍ୟ କରିବାର ବେଳ ଆସିଛି। ସମସ୍ତେ ବଡସାନ ଭେଦ ଭୁଲି ସାରସ୍ବତ ଭାବ ବିନିମୟ ଲାଗି ସଂଗଠିତ ନ ହେଲେ ଭାଷାସାହିତ୍ୟର ଦିଗନ୍ତ ଅସ୍ତସୂର୍ଯ୍ୟର ଆଭାରେ ମଉଳି ଯିବା ବିଚିତ୍ର ନୁହେଁ !! ମନେହୁଏ, ପୁଣି ହୁଏତ ଦିନେ ସାହିତ୍ୟକୁ ଫେରିବ ନୂଆ ଯୁଗର ପଞ୍ଚସଖା ପରମ୍ପରା ଭିନ୍ନ ରୂପରେ। ବୁଣିଦେବ ଜୀବନ ଓ ଆଶାର ବାର୍ତ୍ତା। ଫିଟିଯିବ ନୂଆ ବାଟ। ସାହିତ୍ୟିକ ମାନେ ସମୟର ନାଡି ଚିପି ସଂଗଠିତ ହୋଇ କାର୍ଯ୍ୟ କଲେ ଯାଇ ସାହିତ୍ୟ ପୂର୍ବଭଳି ସମାଜ ଜୀବନକୁ ବାଟ ଦେଖାଇ ପାରିବ।

*******


Rate this content
Log in

Similar oriya story from Inspirational