Padmalaya Padhy

Inspirational

4.1  

Padmalaya Padhy

Inspirational

ନିନା ଓ ନାନୀ

ନିନା ଓ ନାନୀ

8 mins
414



ଏତେ ବର୍ଷ ପରେ ସେଇ ଘଣ୍ଟଶିଳା ପାହାଡ଼ ଏବଂ ତାର ପାଦ ଦେଶରେ ବାହୁଦା ନଦୀ ଠିକ ସେମିତି ରହିଛି ଟିକିଏ ବି ବଦଳିନାହିଁ l ଘଟଣା ଗୁଡିକ ଦୃଶ୍ୟପଟରେ ବଦଳି ଯାଇଛି ସତ ହେଲେ ପ୍ରଚ୍ଛଦପଟ ଠିକ ସେମିତି ଅଛି ଯେମିତି ଥିଲା ଦୁଇ ଦଶନ୍ଧି ତଳେ ଯେତେବେଳେ ନିନାକୁ ନେଇ ମୁଁ ଆସିଥିଲି ଘଣ୍ଟଶିଳାର ପାଦ ଦେଶ ରେ କିଛି ସମୟ କଟାଇବା ନିମନ୍ତେ l ସମୟ କଟାଇବା ତ ଏକ ବାହାନା ଥିଲା ମୂଳ ଉଦ୍ଦେଶ୍ୟ ଥିଲା ଦୂର ସମ୍ପର୍କୀୟା ଭଉଣୀ ନିନା କୁ କେତେ ସମୟ ପାଇଁ ସେଇ ପରିବେଶରୁ ବାହାରକୁ ନେଇ ଆସିବା l

ନିନା ଘରେ ନିନାକୁ ନେଇ ପ୍ରବଳ ତୁମ୍ବି ତୋଫାନ ଚାଲିଥିଲା l ତେଣୁ ତା ମା ତାକୁ ଆଣି ଆମ ଘରେ ଛାଡି ଚାଲି ଯାଇଥିଲେ କାଳେ ମୋ ପରି ଝିଅ ପାଖେ ରହିଲେ ତାର ମନ ବଦଳି ଯାଇପାରେ l ମୁଁ ଗୋଟିଏ ପୁସ୍ତକକୀଟ ପୁଣି ଘର ଲୋକଙ୍କ ବାରମ୍ବାର ତାଗିଦ ଓ ବାରଣ ସତ୍ତ୍ୱେ ଅବିବାହିତା ଏବଂ ବିବାହ ପ୍ରତି ବୀତସ୍ପୃହ ତେଣୁ ମୁଁ ହିଁ ତାକୁ ତା ବୟ ଫ୍ରେଣ୍ଡ ଠାରୁ ଛଡାଇ ଆଣି ପାରିବି ବୋଲି ସେମାନଙ୍କର ଅଗାଧ ବିଶ୍ୱାସ ଥିଲା ! ସୁତରାଂ ତା ମନ ବଦଳାଇବା ପାଇଁ ତାକୁ ନେଇ ଯାଇଥିଲି ସେଇ ଘଣ୍ଟଶିଳାର ପାଦ ଦେଶକୁ ଯୋଉଠି ବେଶୀ ଲୋକଙ୍କ ର ଆତଯାତ ନାହିଁ ଏବଂ ପାର୍ଟି ପିକନିକର ଛାଇ ବି ପଡ଼ିନାହିଁ  l ତେଣୁ ସେଠିକାର ଅସରନ୍ତି ପ୍ରକୃତି ସେମିତି ଅକ୍ଷୁର୍ଣ୍ଣ ରହିଛି l ସେଇଠି ହିଁ ନିନାର କଲେଜ ଲଭ ଷ୍ଟୋରି ଜାଣିବାକୁ ପାଇଥିଲି l ନିଳେଶ ବୋଲି ପିଲାଟିଏ ତା ବ୍ୟାଚର ଭଲ ପାଏ ତାକୁ ଏବଂ ସେ ବି ନିଳେଶକୁ l ମୋବାଇଲରୁ ଗୋଟେ ଦିଟା ମେସେଜ ଦେଖି ମାତ୍ର ସତର ବର୍ଷ ପୁଣି ପ୍ଲସ ଟୁ ରୁ ଝିଅର ଏଇ ସବୁ କାଣ୍ଡ କାରଖାନାକୁ ନେଇ ନିନାର ବାପା ମା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ l ବାଡିଆ ପିଟା କରିବା ପର୍ଯ୍ୟନ୍ତ ବି କଥା ଯାଇଥିଲା l କିନ୍ତୁ ସେ କହୁଛି ନିଳେଶ ବିନା ତା ଜୀବନ ଅନ୍ଧକାରମୟ l

-- ନାନୀ ତା ବିନା ମୁଁ ବଞ୍ଚି ପାରିବିନି l ସେ ବି କହୁଛି ମୋତେ ନପାଇଲେ ଜୀବନ ହାରିଦେବ l

--କିନ୍ତୁ ଏତେ କମ ବୟସରେ ପାଠ ପଢା ସମୟରେ ଏଇ ସବୁ କଥା ମୁଣ୍ଡରେ ଢୁକିବା ତ ଠିକ ନୁହେଁ ? ସେ ବି ତ ନିଜେ ଥଇଥାନ ହୋଇନାହିଁ l ଠିକ ଅଛି ପଢ଼ା ପଢ଼ି ସରୁ ତୁମେ ଦୁହେଁ ନିଜକୁ ନିଜେ ସମ୍ଭାଳିବାର ବୟସ ଆସିଯାଉ l ତା ପରେ ଯାହା କିଛି l

--କିନ୍ତୁ ସେତେବେଳେ ସେ ଯଦି ମୋତେ ଛାଡି ଆଉ କାହାକୁ ତେବେ ? ମୁଁ ତ ସାରା ଜୀବନ ଏକୁଟିଆ କାଟିବାକୁ ପଡିବ ନା  l ଆଉ କାହାର ତ ହୋଇ ପାରିବି ନାହିଁ l ଟିକିଏ ଚୁପ ରହି କହିଲା l

--ଦେଖୁଛ ନାନୀ ? ଏଇ ପଥର ଗୁଡିକୁ ଦେଖୁଛ ? କେତେ ନା କେତେ ପ୍ରେମିକ ପ୍ରେମିକା ସେମାନଙ୍କର ନାମ ପରସ୍ପର ସହିତ ଯୋଡି ପଥର ଉପରେ ଲେଖି ନିଜ ନିଜର ପ୍ରେମକୁ ଅମର କରି ଦେଇଛନ୍ତି l ଏକୁଟିଆ କିଏ ନିଜ ନାଁ ନିଜେ ଲେଖିଥାଏ କି ? କେତେ ପ୍ରେମିକ ପ୍ରେମିକାଙ୍କର ନାମ ସବୁ ଯୁକ୍ତ ଚି଼ହ୍ନରେ ଯୋଡ଼ା ହୋଇ ଲେଖା ହୋଇଛି ଦେଖୁଥିଲି ମୁଁ l

--ଏମିତି ଲେଖିଦେଲେ ପ୍ରେମ ପୁଣି ଅମର ହୋଇଯାଏ କାଇଁ ମୁଁ ତ ଜାଣିନାହିଁ l ବେଦି ଉପରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ମଧ୍ୟ ଛାଡବାଡ଼ କୋର୍ଟ କଚେରୀ ଯାଏଁ କଥା ଯାଉଛି l ଆଉ ଏ ପଥର ଉପରେ ନାଁ ଲେଖିଦେଲେ ପୁଣି ପ୍ରେମ କାହାଣୀ ଅମର ହୋଇ ଯାଉଛି l କିନ୍ତୁ ଗୋଟିଏ କଥା ସତ ଯେ କେବଳ ନିଜ ନାଁ କେହି ଲେଖନ୍ତି ନାହିଁ l ନିଜ ସାଙ୍ଗେ ବୟ ଫ୍ରେଣ୍ଡ କି ଗାର୍ଲ ଫ୍ରେଣ୍ଡର ନାଁ ଯୋଡ଼ା ହୋଇ ହିଁ ଲେଖା ଯାଇଥାଏ l ତେଣୁ ନିନାର କଥା କେତେକାଂଶରେ ଯୁକ୍ତିଯୁକ୍ତ ମନେ ହେଲା l

--ମାଇଁ ଡ଼ିଅର ନିନା! ତୋତେ ଯଦି ଏକୁଟିଆ ନାଁ ଲେଖିବାକୁ ଭଲ ଲାଗୁନି ମୋ ନାଁ ସହିତ ମିଶାଇ ଲେଖ l ନିନା ଯୁକ୍ତ ନାନୀ, ହେବନି କି ? ହସିଥିଲା ସେ ମୋ କଥା ଶୁଣି ପୁଣି କଣ ଭାବି ଗୋଟିଏ ଧାରୁଆ ଗୋଡି ସାହାଯ୍ୟରେ ପଥର ଉପରେ ମୁଁ ଯାହା କହିଥିଲି ବସି ବସି ଲେଖିଥିଲା  l

--ଦେଖ ଏବେ ଆମ ପ୍ରେମ ଅମର ହୋଇଗଲା ନା ? ମୋ କଥା ତା ଉପରେ ପ୍ରଭାବ ପକାଉଥିଲା କି ନାହିଁ ଜାଣିନି କିନ୍ତୁ ଅମର ହେବାର ନଥିଲା ବରଂ ଅପ୍ରାପ୍ତ ବୟସରେ ସେ ଆତ୍ମହତ୍ୟା କରିବାକୁ ବାଛି ନେଇଥିଲା l ସେଦିନ ଆମେ ଫେରି ଆସିଥିଲୁ l ୟାର ଠିକ ଦୁଇ ମାସ ପରେ ଗୋଟିଏ ଦୁଃଖଦ ଖବର ମିଳିଲା ଯେ ନିନା ଆଉ ଏ ଦୁନିଆରେ ନାହିଁ l ଥରି ଉଠିଥିଲା ମୋର ସମଗ୍ର ଅବୟବ l 

ପ୍ରେମ ମଣିଷକୁ ଜିଇଁବାକୁ ପ୍ରେରଣା ଯୋଗାଏ ପୁଣି ମଣିଷକୁ ଦୁନିଆ ଛାଡିବାକୁ ବି ସେଇ ପ୍ରେମ ହିଁ ବାଧ୍ୟ କରିଥାଏ କଣ କରାଯିବ ଆଉ l ଯେ ଯେଉଁ ରୂପରେ ଗ୍ରହଣ କଲା ନା l ମୁଠାଏ ଚାଉଳରେ କିଏ ଭାତ ରାନ୍ଧି ସମସ୍ତଙ୍କୁ ପରଷି ପାରେ ତ ପୁଣି କେହି ସେଇ ମୁଠାକ ଚାଉଳରୁ ପିଠଉ ବାଟି ଝୋଟି ପକାଏ l ଅଥବା କେହି କେହି ସେଇ ଚାଉଳ କୁ ନେଇ ପାରା ମାନଙ୍କୁ ଦାନା ଖୁଆଇଲା ବେଳେ କେହି କେହି ସେଥିରେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ବାହାବା ନିଅନ୍ତି l ଜୀବନ କୁ ଯିଏ ଯେମିତି ବୁଝିଲା ସେମିତି ଚଳାଇଲା l

ନିନା ଚାଲି ଯିବାର ଅନେକ ବର୍ଷ ପରେ ନିନାର ନାନୀ ଅର୍ଥାତ ମୁଁ ଆଜି ନିୟୁଜ ଚାନେଲ ରେ ମୁଖ୍ୟ ଖବର ବିଶିଷ୍ଟ ଶିଳ୍ପପତି ସ୍ୱସ୍ତିକଙ୍କର ବିବାହ ବାର୍ଷିକୀ l ସ୍ୱସ୍ତିକ ଆଃ l ଏକ ମିଠା ବିଷ ଯାହା ଧୀରେ ଧୀରେ ରକ୍ତ କଣିକା ଗୁଡିକ ରେ ଖେଳିଯାଇ ହୃଦୟ ର କୋଣ ଅନୁକୋଣ ରେ ଭେଦି ମରିବା ପାଇଁ ଉପାଦନ ଯୋଗାଉ ଥିଲା ମୋତେ l ଅନେକ ବର୍ଷ ତଳେ ଠିକ ଦିନେ ଏମିତି ଏକ ପରିଷ୍କାର ମେଘ ମୁକ୍ତ ନୀଳ ଆକାଶ ତଳେ ସ୍ବପ୍ନର ବୀଜ ବୁଣିଥିଲା ସ୍ୱସ୍ତିକ ମୋ ଜୀବନରେ l ମୁଁ କିଛି ବି ମାଗି ନଥିଲି ତାକୁ ନା ସ୍ବପ୍ନ ନା ବାସ୍ତବତା l ନିମ୍ନ ମଧ୍ୟବିତ୍ତ ପରିବାରର ଦୁଇ ଝିଅଙ୍କ ଭିତରେ ସବା ସାନ ଝିଅ ଥିଲି ମୁଁ l ବଡ଼ ଭଉଣୀ ମୋର ବିବାହିତା ଏବଂ ଦୁଃଖିନୀଟିଏ ମଧ୍ୟ l ଦୁଇଟି ପୁଅର ମା ହୋଇ ଆଜି ବି ତା ସ୍ୱାମୀ ଶାଶୁଙ୍କର ହତାଦରର ଶିକାର l

ଆଉ ରହିଲି ମୁଁ l ମୁଁ ଗୋଟେ କିଏ କି l ମୁଁ ତ ମୁଁ ଯାହାର ଭବିଷ୍ୟତ ଅନିଶ୍ଚିତ l ନା ଚାକିରୀ କରିଛି ନା ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସିବାର ଅଛି l ତେଣୁ ସ୍ବପ୍ନ ଦେଖିବାର ପରିସୀମା ମୋ ପାଇଁ ମୂଳରୁ ନଥିଲା l ଏଇ ସ୍ୱସ୍ତିକ ହିଁ ନିରବରେ ସ୍ବପ୍ନ ଗୁଡିକ ବୁଣି ଦେଇ ଚାଲିଗଲା ଯେ ଆଉ କେହି ଜାଣି ପାରିଲେନାହିଁ l ନିରବ ରେ ଆସିଥିଲା ଓ ନିରବରେ ଚାଲିଗଲା l ଆଖିର ଲୁହ ଆଖିରେ ଶୁଖି ଗଲା l ହୁଏତ ମୋର ବି ଭୁଲ ଥିଲା l ସ୍ୱସ୍ତିକ ତାର କଳ୍ପିତ ଜୀବନ ସାଥିର ସ୍ୱରୂପ ମୋ ଆଗରେ ବର୍ଣ୍ଣନା କଲା ବେଳେ ଯେତେବେଳେ ସ୍ବପ୍ନମଗ୍ନ ହୋଇ ଯାଉଥିଲା ସେତେବେଳେ ହିଁ ମୁଁ ତାଠାରୁ ଦୁରେଇ ଯିବା ଦରକାର ଥିଲା l ହେଲେ ସ୍ୱସ୍ତିକକୁ ମୁଁ ଛାଡି ପାରୁ ନଥିଲି l ଯେତେ ପର୍ଯ୍ୟନ୍ତ ସେ ମୋତେ ଛାଡି ନଥିଲା ସେତେ ପର୍ଯ୍ୟନ୍ତ ତା ଠାରୁ ମୁଁ ଦୁରେଇ ଯାଇ ପାରି ନଥିଲି l

ବେଳେ ବେଳେ ଭାବୁଥିଲି ଯେ ମୋତେ ସର୍ବ ଗୁଣ ସମ୍ପର୍ଣ୍ଣ ବୋଲି କହିଲା ପରେ ବି ସ୍ୱସ୍ତିକର କଳ୍ପନାରେ ପୁଣି ଆଉ କିଏ କେମିତି ଆସିଲା ? ସେଠାରେ ବି ମୁଁ ହିଁ ରହିବା କଥା l ହେଲେ ସତ୍ୟକୁ ସାମ୍ନା କରିବାର ସାହାସ ନଥିଲା ମୋର l କରିଥିଲେ ସ୍ୱସ୍ତିକକୁ କେତେବର୍ଷ ପୂର୍ବରୁ ହରାଇବାକୁ ପଡିଥାଆନ୍ତା l ସେଇ ଭୟରେ ମୁଁ ଆଖି ଥାଇ ବି ଅନ୍ଧ ଥିଲି l

ସ୍ୱସ୍ତିକର କଳ୍ପିତ ସହଧର୍ମିଣୀଟି ଏକାଧାରରେ ସୁନ୍ଦର ସୁଶୀଳ ଧନୀ ପିତାମାତାଙ୍କ ଏକମାତ୍ର ସନ୍ତାନ ସାଙ୍ଗକୁ ପ୍ରବଳ ଭାବରେ ସ୍ୱସ୍ତିକକୁ ଭଲ ମଧ୍ୟ ପାଉଥିବ l ଏସବୁ ଭିତରୁ ଭଲ ପାଇବାକୁ ଛାଡିଦେଲେ ସ୍ୱସ୍ତିକର ପତ୍ନୀ ହେବାପାଇଁ ମୋ ପାଖରେ ଆଉ କୌଣସି ଯୋଗ୍ୟତା ନଥିଲା l ଆଉ ସେ ଭଲ ପାଇବାକୁ ମୁଁ କେମିତି ଜଣାଇଥାନ୍ତି ଜାଣି ପାରୁ ନଥିଲି l

ଯେଉଁଦିନ ସ୍ୱସ୍ତିକ ତାର ଭାବି ପତ୍ନୀ ସମ୍ପର୍କରେ ମୋ ସାମ୍ନାରେ ସଗର୍ବେ ଘୋଷଣା କଲା ସେଦିନ କେମିତି ଗୋଟେ ନିଜ ଭିତରେ ନିଜେ ମୁଁ ସଂକୁଚିତ ହୋଇ ଯାଇଥିଲି l ବୋଧେ ମୁଁ ନିଜକୁ ସ୍ୱସ୍ତିକ ର ସମକକ୍ଷ ଭାବୁ ନଥିଲି l ସ୍ୱସ୍ତିକର ବିବାହ ଖବର ଶୁଣି ପ୍ରଥମେ ତ ଆଗ୍ନେୟଗିରିର ସୁପ୍ତ ଅଗ୍ନି ସ୍ଫୁଲିଙ୍ଗ ଗୁଡିକ ଜୀବନ୍ତ ହୋଇ ପରେ ପରେ ଅଶ୍ରୁ କଣିକା ରେ ରୂପାନ୍ତରିତ ହୋଇ ଅବିଶ୍ରାନ୍ତ ବୋହି ଚାଲିଥିଲେ ଅବଶ୍ୟ ସ୍ୱସ୍ତିକର ଅଗୋଚରରେ l ସ୍ୱସ୍ତିକ ମୋତେ ଛାଡି ଚାଲିଗଲା l ହୁଏତ ଆଉ କେବେ ବି ମନେ ପଡିବି ନାହିଁ ତାକୁ l ସ୍ୱସ୍ତିକ ତୁମେ ମୋର ଜୀବନଠୁ ବଳି, ଭଲ ପାଉଛି ତୁମକୁ ବୋଲି ତ ଅନେକ ଥର କହିଥିବି ହେଲେ ଶେଷ ଦିନ ସ୍ୱସ୍ତିକ ତୁମକୁ କେମିତି ଛାଡି ରହିବି ତୁମ ବିନା ବଞ୍ଚି ପାରିବି ନାହିଁ ମରିଯିବି ବୋଲି କହି ପାରି ନଥିଲି l ଲାଗିଲା ଯେମିତି ସେ ଅଧିକାର ମୋର ନାହିଁ କିମ୍ବା କହି ଦେଇଥିଲେ କୋଉ ଲାଭ ହୋଇଥାନ୍ତା ନା ସ୍ୱସ୍ତିକ ବିବାହ ନକରି ମୋ ଲାଗି ଅଟକି ଯାଇଥାନ୍ତା ?

ତା ପରେ ନିଜକୁ ସମସ୍ତଙ୍କ ଠାରୁ ଦୁରେଇ ନେଇ ଭବିଷ୍ୟତ ଚିନ୍ତା ରେ କେତେଦିନ ଘାରି ହେଲି l ଅକ୍ଲାନ୍ତ ଉଦ୍ୟମ କରି ଚାକିରୀ ଖଣ୍ଡିଏ ପାଇସାରିବା ପରେ କ୍ରମଶଃ ଦୁରେଇ ଯାଇଥିଲି ସେଇ ପରିଚିତ ସହର ଓ ପରିଚିତ ବ୍ୟକ୍ତି ମାନଙ୍କ ଠାରୁ l କିଏ ଥିଲା ଏବେ ଆଉ l ଅବିବାହିତା ରହିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ଏକଜିଦିଆ ଝିଅକୁ ସାଂସାରିକ ମୋହ ମାୟାରେ ବାନ୍ଧିବା ପାଇଁ ବ୍ୟର୍ଥ ଉଦ୍ୟମ କରି ଅସଫଳ ହେବା ପରେ ଝିଅଟି ତାଙ୍କର ଅବଶିଷ୍ଟ ଜୀବନ ସୁଖରେ ରହୁ ବୋଲି ଈଶ୍ୱରଙ୍କ ନିକଟରେ ଖାଲି ମୋର ମଙ୍ଗଳ କାମନା କରିବା ଛଡା ମା ବାପାଙ୍କ ହାତରେ ଆଉ ଅଧିକା କିଛି ନଥିଲା l ପରେ ପରେ ସେମାନେ ଡକାଡକି ହୋଇ ଜଣକ ପରେ ଜଣେ ଆରପାରିକୁ ଚାଲି ଯାଇଥିଲେ l 

ଶେଷରେ ଭାଗଶେଷ ରହିଲି ମୁଁ ଯାହାକୁ ଧୀରେ ଧୀରେ ଗୁଡ଼ାଏ ଉପାଧିରେ ଭୂଷିତ କରା ଯାଇଥିଲା l କଣ ନା ଝିଅଟି ଅସମ୍ଭବ ଭାବେ ଗର୍ବୀ ଗମ୍ଭୀର ଓ ଭାବ ବିହୀନ ପଥର ହୃଦୟ ସମ୍ପର୍ଣ୍ଣ ଇତ୍ୟାଦି ଇତ୍ୟାଦି ବିଶେଷଣ ଦ୍ୱାରା l ସେଇ ପୂଜା ନାମ୍ନୀ ଗମ୍ଭୀର ଝିଅଟି ଆଜି ସ୍ୱସ୍ତିକର ବିବାହ ବାର୍ଷିକୀ ଖବର ଶୁଣି କାହିଁକି ଘଣ୍ଟଶିଳାର ପାଦ ଦେଶକୁ ଦୌଡ଼ି ଆସିଥିଲା ? ଖୋଜି ବସିଥିଲା ସେଇ ସ୍ମାରକୀ ପଥରଟିଏ ଯୋଉଠି କିଛି ବର୍ଷ ତଳେ ଆସି ନିଜ ନାମ ସହ ନିନା ର ନାମକୁ ଯୋଡି ଅମର କରିଥିଲା ମୁହୂର୍ତ୍ତକ ପାଇଁ ଲାଗିଲା ହୁଏତ ନିନା ଚାଲିଯାଇ ଠିକ କରିଛି  ବୋଝ ବୋହି ସବୁଦିନ ମରିବା  ଅପେକ୍ଷା ଜୀବନକୁ  ଛାଡି ଚାଲିଯିବାଟା ହିଁ ବିଜ୍ଞତାର ପରିଚୟ l

ଚାଲିଯିବା ପୂର୍ବରୁ ଗୋଟିଏ ଛୋଟିଆ ଅଭିଳାଷ ତଥା ମନର ନିଭୃତ କୋଣରେ ଥିବା ଗୋଟେ ଆଶାକୁ ଚରିତାର୍ଥ କରିବାକୁ ହେବ l ଘଣ୍ଟଶିଳା ଆଜି ଅସମ୍ଭବ ଭାବେ ଗମ୍ଭୀର ଥିଲା ଠିକ ମୋ ଭଳି l ଯୁଗ ଯୁଗର କୋହ ନିଜ ମନ ଭିତରେ ଲୁଚାଇ ରଖିଥିବା ବାହୁଦା ମଧ୍ୟ ଆଜି ନିଜକୁ ଉନ୍ମୁକ୍ତ କରି ଦେଇଥିଲା l ଆଜି ଗହଳି ଚହଳି ନଥିଲା ମୋଟେ l ହାତରେ ଖଣ୍ଡେ ଚକ ଖଡ଼ି ଧରି ଧୀରେ ଧୀରେ ଗୋଟିଏ ପଥର ଆଡକୁ ଅଗ୍ରସର ହେଉଥିଲି l ମରିବା ପୂର୍ବରୁ ମୋର ଅସଫଳ ପ୍ରେମକୁ ଅମର କରି ଲେଖିଯିବି - ସ୍ୱସ୍ତିକ ଯୁକ୍ତ ପୂଜା l

ଛାତି ତଳେ କିଏ ଯେମିତି ଗୋଟେ ହାତୁଡି ପିଟୁଛି l ମନକୁ ମନ କାନ୍ଦୁଛି ମୁଁ ? ଗୋଟିଏ ପଥର ପାଖେ ପହଞ୍ଚିଲି l ବିଶାଳ ଆକାର ହେତୁ କୁଣ୍ଢେଇ ଧରି ପାରୁ ନାହିଁ ମାତ୍ର ତା ଉପରେ ଅଜାଡି ହୋଇ କେତେ ସମୟ ନା କାନ୍ଦିଥିଲି ଜାଣେନି l ପ୍ରକୃତିସ୍ଥ ହେବା ପରେ ଦେଖିଲି କାହା ପାଇଁ ମୋର ଏ ହୃଦୟଫଟା କ୍ରନ୍ଦନ ? ସ୍ୱସ୍ତିକ ପାଇଁ  ନା ମୋ ନିଜ ଉପରେ ଦୟା ଆସୁଛି ବୋଲି ? ଏ ଦୁଇଟି ମଧ୍ୟରୁ କୌଣସିଟି ବି ନୁହେଁ l ତେବେ କାହା ପାଇଁ କାନ୍ଦୁଛି ଆଜି ? ଏତେ ଦିନ ପରେ ଏତେ ଲୁହ ଝରି ଆସିବାର କାରଣ କଣ ? ମୋ ମା ବାପାଙ୍କର ନିଷ୍କପଟ ଭଲ ପାଇବାକୁ ମୋ ଭିତରେ ବୋଧେ ଖୋଜୁଛି ମୁଁ ଆଜି l

--ମାମା ବାବା ! ମୋ ପାଇଁ କେତେ ଶୁଭ ମନାସୁ ଥିଲ ନା ତୁମେ ଦୁହେଁ ? ଅଥଚ ଆଜି ଦେଖ ମୁଁ କେମିତି ପରିଣତ ବୟସରେ ଜୀବନ ହାରିବାକୁ ଆସିଛି l ତୁମର ଏଇ ଅବିବାହିତା ଝିଅଟିର ଲମ୍ବା ଆୟୁଷ ସର୍ବାଙ୍ଗୀନ ସୁଖ ଶାନ୍ତି ପାଇଁ କେତେ ନା ଉପାସ ବ୍ରତ ରଖିଥିବ ତୁମେ ମାନେ l ଅଥଚ ମୁଁ ସେସବୁର ଏପରି ମୂଲ୍ୟ ସୁଝାଇବାକୁ ଯାଉଛି  l ମୁଁ ଏଥିପାଇଁ ଅଯୋଗ୍ୟ ଅଟେ l ମୋର ପ୍ରତ୍ୟେକ ନିଶ୍ୱାସ ତୁମରି ଦାନ ଅଥଚ ଏଇ ମୂଲ୍ୟବାନ ଜୀବନଟିକୁ ଆଉ କାହାପାଇଁ ନଷ୍ଟ କରିବାକୁ ଆସିଛି ଦେଖ l ଲୁହରେ ଭିଜାଇ ଦେଇଥିବା ସେଇ ପଥର ର ଛାତିରେ ବାହାର କଲି ଚକ ଖଣ୍ଡେ ଏବଂ ଅତି ଯତ୍ନ ରେ ଲେଖି  ଚାଲିଲି  -  ମାମା ଯୁକ୍ତ ବାବା ଯୁକ୍ତ ପୂଜା  !

ଏଥର ଆଉ ମୋ ଆଖିରୁ ଲୁହ ଝରୁ ନଥିଲା ଓ ପୁଣି ଫେରି ଆସିଥିଲି ମୁଁ ମୋର ସେଇ କର୍ମ ବହୁଳ ଜୀବନ ଭିତରକୁ l ବାହୁଦା ନଦୀ ଛଳ ଛଳ ହୋଇ ହସି ଚାଲିଥିଲା ଏବଂ ଘଣ୍ଟଶିଳା ତାର ସୁଉଚ୍ଚ ମସ୍ତକକୁ ଗର୍ବର ସହ ଉତ୍ତୋଳନ କରି ଏବେ ବି ଠିଆ ହୋଇ ମୁଁ ଦୃଷ୍ଟି ପଥରୁ ଅପସରି ଯିବା ପର୍ଯ୍ୟନ୍ତ ଦେଖୁଥିଲା ମୋତେ l ଆସିଲା ପରେ ଜୀବନର ଏତିକି ସାର ମର୍ମ ଉପଲବ୍ଧ ହେଲା ଯେ ମାତା ପିତାଙ୍କ ପରଲୋକ ଗମନ ପରେ ଗୁଡ଼ାଏ କଣ୍ଟକିତ ପଥ ଅତିକ୍ରମ କରି ଆସିଥିବା ପୂଜା ନାମ୍ନୀ ଝିଅଟିଏ ଗୋଟିଏ ସାମାନ୍ୟ ଘଟଣାକୁ ସହି ପାରିବ ନାହିଁ ? ଅଛି ତାର ସେଇ ଶକ୍ତି ଆହୁରି ଆଗେଇ ଚାଲିବ ସେ l ଜନ୍ମ ମୃତ୍ୟୁ ସିନା ହାତରେ ନାହିଁ ହେଲେ ଜୀବନ ନାମକ ରାସ୍ତାଟିକୁ କିଭଳି ଅତିକ୍ରମ କରିବ ସେଇଟା ତା ନିଜ ହାତରେ l ଆଉ ସେ ଦୃଢ଼ ନିଶ୍ଚିତ ଯେ ଯାତ୍ରାଟି ନିଶ୍ଚୟ ସୁଖମୟ ହେବ l


Rate this content
Log in

Similar oriya story from Inspirational