ନିମପାଲି ବାବା
ନିମପାଲି ବାବା
ଆଜକୁ ପଚାଶ ବର୍ଷ ତଳର କଥା ,ହେଲେ ଭାବିଲେ ଏହିପରି ଅବିକଳ ଘଟଣାସବୁ ସଦ୍ୟ ଘଟୁଥିବା ପରି ଲାଗେ , ଲୋମମୂଳ ଟାଙ୍କୁରି ଉଠେ । ଉପକୂଳ ଅଞ୍ଚଳରେ ନିଜ ଘର ହୋଇଥିଲେ ବି ନୂଆ ନୂଆ ଚାକିରୀରେ ଯୋଗଦେଇ ସମ୍ବଲପୁର ଜିଲ୍ଲା ହୀରାକୁଦଠାରେ ଅବସ୍ଥାପିତ ହୋଇଥାଏ । ମୋର ଦୁଇଜଣ ସମ୍ପର୍କୀୟ ମାମୁଁ ସେଠାରେ ବନ୍ଧ ନିର୍ମାଣ ବେଳରୁ ରହି ପରେ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ । ତାଙ୍କ ପରିବାର ସହିତ ଦୁଇଟି କ୍ୱାଟର ପାଇ ରହୁଥିବାରୁ ମୁଁ ପ୍ରଥମେ ଯାଇ ତାଙ୍କ ପାଖରେ କିଛିଦିନ ରହିଥିଲି । ଆମ ମାଇଁ ଓ ତାଙ୍କ ପାଖ ପଡୋଶୀ ସେଠାରୁ କିଛି ଦୂରରୁ ମହାନଦୀ କୂଳରେ ଆଶ୍ରମ କରି ରହୁଥିବା ନିମପାଲି ବାବାଙ୍କର ବଡ଼ ଭକ୍ତ ଥିଲେ । ମାଇଁ ପ୍ରତିଦିନ ସକାଳୁ ଆଶ୍ରମରୁ ବାବାଙ୍କ ଦର୍ଶନ ସାରି ଆସିଲେ ଯାଇ ଜଳ ଚାହାପାଣି ଗ୍ରହଣ କରୁଥିଲେ । ଆଗ୍ରହରେ ମୋତେ ମଧ୍ୟ ଥରେ ରବିବାର ସନ୍ଧ୍ୟା ଆଶ୍ରମରେ ହେଉଥିବା ବିଶେଷ ଭଜନ ଆଳତୀ ଦର୍ଶନ ପାଇଁ ସଙ୍ଗରେ ନେଇଥିଲେ ।
ମାଇଁଙ୍କ ମୁହଁରୁ ବାବାଙ୍କ ଚମତ୍କାର ସବୁ ପ୍ରାୟତଃ ଶୁଣିବାକୁ ମିଳେ । ପ୍ରବଳ ଶୀତ ସମୟରେ ବି ବାବା ମହାନଦୀର ଅକାତ ଗଣ୍ଡରେ ଭାସି ଯୋଗ କରନ୍ତି,ଶୂନ୍ୟରେ ମହାପ୍ରସାଦ ଅଣାଇ ଭକ୍ତଙ୍କୁ ଖାଇବାକୁ ଦିଅନ୍ତି,କେହି ଭକ୍ତ ଦୁଃଖ ଜଣାଇବାକୁ ଗଲେ ସେ କହିବା ଆଗରୁ ତା ମନକଥା ସେ ଜାଣି ପାରନ୍ତି ।ବାବାଙ୍କ ଆଶିର୍ବାଦରୁ ଭକ୍ତଙ୍କର ରୋଗଶୋକ ଦୂର ହୋଇଯାଏ,ମାଲି ମକଦ୍ଦମାରେ ଜୟ ହୁଏ,ପିଲାମାନେ ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି ଏବଂ ସବୁ ମନକାମନା ସିଦ୍ଧ ହୁଏ ବୋଲି ସେ ଜୋର ଦେଇ କହନ୍ତି ।
ଥରେ ବାବା ସ୍ୱୟଂ ମୋ ମାମୁଁଙ୍କ ରହୁଥିବା ଘରେ ସନ୍ଧ୍ୟା ସମୟରେ ଆୟୋଜନ କରାଯାଇଥିବା ସମାରୋହରେ ଉପସ୍ଥିତ ହୋଇଥିଲେ । ହରିବୋଲ ହୁଳହୁଳି ଓ ଶଙ୍ଖ ଘଣ୍ଟା ଶବ୍ଦରେ ସ୍ଥାନ ପ୍ରକମ୍ପିତ ହୋଇ ଉଠିଲା ।ବିଳମ୍ବିତ ରାତି ଯାଏ ଭଜନ ସଙ୍କୀର୍ତ୍ତନ ଚାଲୁଥାଏ । ମାଇଁଙ୍କ ସହିତ କେତେ ଆଉ ଭକ୍ତ ମହିଳା ଗୋଟିଏ ବଡ଼ ପିତ୍ତଳ ପରାତରେ ବାବାଙ୍କ ପାଦ ପ୍ରଖାଳନ କରି ବାବାଙ୍କୁ ଅଗରୁ ଚନ୍ଦନ ଲଗାଇ ଦେଇ ପାଦରେ ତୁଳସୀ ଚଢାଇ , ବେକରେ ସୁନ୍ଦର ଗଜରା ଫୁଲର ମାଳ ପିନ୍ଧାଇ ଏକ ସୁଶୋଭିତ ଚଉକି ଉପରେ ନେଇ ଉପବେଶନ କରାଇଲେ । ଅତ୍ୟନ୍ତ ଭାବ ବିହ୍ୱଳ ସ୍ୱରରେ ହାତଯୋଡି ବାବାଙ୍କ ଆଗରେ ଜଣାଣ ଗାଇଲେ, ବାବାଙ୍କ ବରଦ ମୁଦ୍ରା, ତ୍ରିଭଙ୍ଗି ଠାଣିରେ ଦିବ୍ୟ ଦର୍ଶନ ଉପସ୍ଥିତ ଭକ୍ତମାନଙ୍କ ମନକୁ ଖୁବ୍ ଆକର୍ଷଣ କରୁଥିବା ପରି ଲାଗୁଥିଲା । ପ୍ରସାଦ ସେବନ ପରେ ସେଦିନର ସମାରୋହ ସମାପ୍ତ ହେଲା ।
ଥରେ ମାଇଁ କହୁଥିଲେ- ବାବାଙ୍କ ମହିମା କଥା ଯେତେ କହିଲେ ବି ସରିବନି । ସେ କାଳେ ଭଗବାନଙ୍କ ଲୀଳା ଅବତାର । ଥରେ ସେ ଏକୂଳ ସେକୂଳ ଖାଉଥିବା ମହାନଦୀକୁ ବିନା ଡଙ୍ଗାରେ କେବଳ ପଦ୍ମାସନ ପକାଇ ପାର ହୋଇ ଯାଇଥିଲେ । ଏକାଞ୍ଚନ ଜାଗାରେ ଥିବା ଆଶ୍ରମ ପାଖକୁ ରାତିରେ ବାଘ, ଭାଲୁ, ହାତୀ ,ବିଷଧର ସର୍ପ ,ଭୂତପ୍ରେତ ଯିଏ ବି ଆସନ୍ତୁ ତାଙ୍କର କାହାରିକୁ ଭୟ ନାହିଁ । ସେ ଜଣେ ସିଦ୍ଧପୁରୁଷ ।
ଟିକିଏ ମାଇଁଙ୍କୁ ଅଧିକ ଭାବପ୍ରବଣ କରିବାକୁ ମୁଁ ପଚାରିଲି -ବାବା ତାଙ୍କ ସାଧନା ଓ ଯୋଗ ବଳରେ ବହୁ ଅସାଧ୍ୟ କାମ ତ କରି ପାରୁଛନ୍ତି, ହେଲେ ତାଙ୍କ ସହିତ କେହି ଜଣେ ବଡ଼ ଭକ୍ତଙ୍କୁ ନେଇ ମହାନଦୀକୁ ପାର କରିଦେଇ ପାରିବେକି ?
ମୋର ଏହି ପଦଟି କଥା ଶୁଣି ମାଇଁ ଗୁମସୁମ ହୋଇଗଲେ । ମୋ ସହିତ ଢେରଦିନ ଭଲକି କଥାବାର୍ତ୍ତା ହେଲେନି ।
କିଛିଦିନ ପରେ ଜଣାଗଲା - ଆଶ୍ରମରୁ କିଛି ଦାଗୀ ଡକାୟତ ପୋଲିସ ହାତରେ ଧରା ପଡିଛନ୍ତି, ସେଠାରେ ମଦ,ଗଞ୍ଜେଇ ଓ ଚୋରା ଦ୍ରବ୍ୟର କାରବାର ଚାଲୁଥିଲା,ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବାର ସୁରାକ ପାଇ ପୋଲିସ ଚଢାଉ କରିଥିଲା ।ନିଜେ ବାବାଙ୍କର ମଧ୍ୟ ଏ ସବୁ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତି ରହିଥିଲା ।
ତାପରେ ମାଇଁ ଦେଖାହେଲେ ମୋ ମୁହଁକୁ ଆଉ ସିଧା ଅନାନ୍ତି ନାହିଁ । ଏବେ ବି ଏମିତି ବହୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକ ତଳିତଳାନ୍ତ ହେଉଛନ୍ତି । ଆମ ଗାଁରେ କିଛି ଲୋକ ମାଳିକାରେ ଅଛି,ସତୁରୀରେ ସତ୍ତା ରହିବ ନାହିଁ, ପ୍ରଳୟ ମାଡି ଆସିବ,ପାହାଡ଼ ଉପରେ କଇଁ ଫୁଟିବ ଏମିତି କଥାରେ ଭଳି ନିଜ ଜମିବାଡିକୁ ବିକି ଭାଙ୍ଗି ବସି ଖାଇଲେ,ଚନ୍ଦନ ତିଳକ ମାରି ମାଳି ଗଡାଇ ସର୍ବସ୍ୱ।ନ୍ତ ହୋଇ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ କାଳ କଟାଉଛନ୍ତି । କେଉଁଠି ବାବା ଆବିର୍ଭାବ ହୋଇ ପାଦରୁ ମହୁ ଝରାଇ, ସିମେଣ୍ଟ ଗାଈରୁ ଖିର ଦୋହନ କରୁଛନ୍ତି ତ ଶୂନ୍ୟରୁ ବିଭୂତି ଖସାଉଛନ୍ତି ବିଭିନ୍ନ ଚମତ୍କାର ଓ ଭେଳିକି ଦେଖାଇ ନିରୀହ ଲୋକଙ୍କୁ ଭଣ୍ଡି ଚାଲୁଥିବା ଶୁଣିବାକୁ ମିଳୁଛି ।
କୌଣସି ଭେଳିକି ଦେଖାଉଥିବା ବାବା ଆଦୌ ଭଗବାନ ନୁହନ୍ତି । ସେମାନଙ୍କ ଭେଳିକି ଯୋଗୁ କେବଳ ତଥାକଥିତ ବାବାଙ୍କ ଖ୍ୟାତି ପ୍ରତିପତ୍ତି କିଛିଦିନ ବଢି ବଢି ଚାଲେ , କିଛି କଳା ଉପାର୍ଜନ କରି ବଡିମା ଦେଖାଇ ହୁଅନ୍ତି । ସାଧାରଣ ଲୋକଙ୍କ କୈ।ଣସି ଉପକାରକୁ ଚମତ୍କାର ଆସେ ନାହିଁ । କେବଳ ସତ୍ୟ ଦ୍ୱାରା ଏବଂ ଉପଯୁକ୍ତ କର୍ମ କଲେ ହିଁ ଜନମଙ୍ଗଳ ସାଧନ ହୋଇପାରେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ।