ନୀରବତାର ରୁଣୁଝୁଣୁ ଶବ୍ଦ
ନୀରବତାର ରୁଣୁଝୁଣୁ ଶବ୍ଦ
କଲିଂ ବେଲର ଶବ୍ଦରେ କବାଟ ଖୋଲିଲା ସେ l ହେଲେ ଆଖିରେ ନ ଥିଲା ସ୍ୱାଗତର ଉଚ୍ଚ୍ଵାସ କି ଓଠରେ ନ ଥିଲା ଅଭିନନ୍ଦନର ଆଭାସ l ଝଡ଼ ପୂର୍ବର ନୀରବତା ବୋଧେ ରାଜୁତି କରୁଥିଲା ଘର ଭିତରେ ସେଦିନ l ଏ ଭିନ୍ନତାର କାରଣ ଖୋଜିବା ଆଗରୁ ଅନାଇଲି ତା ମୁହଁକୁ l କେଉଁ ଅସୁରିଣୀର ନଜର ଲାଗିଥିଲା କେଜାଣି, ମଲ୍ଲୀଫୁଲିଆ ହସକୁରୀ ମୁହଁକୁ ଘେରି ରହିଥିଲା ଗମ୍ଭୀରତାର ବୁଢ଼ୀଆଣୀ ଜାଲ l ଚୁଲବୁଲି ଓଠକୁ ବାନ୍ଧି ପକେଇଥିଲା ନିସ୍ତେଜତାର ଚକାଭଉଁରୀ l ପ୍ରଗଳଭା ଆଖିକୁ ବନ୍ଦୀ କରି ନେଇଥିଲା ନିର୍ଜନତାର ଘନ କୁହୁଡି l
ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଥିଲା ଆବଶ୍ୟମ୍ଭାଵୀ l
ପ୍ରଚ୍ଛଦପଟ୍ଟ କାହାଣୀର ଅନୁସନ୍ଧାନ ଅଥବା ଯବନିକା ପୂର୍ବ ରହସ୍ୟର ଉନ୍ମୋଚନ, ଏତେଟା ସହଜ ନ ଥିଲା ସେଇ ମୁହୂର୍ତ୍ତରେ l ତଥାପି ଉପାୟ ତ କାଢ଼ିବାକୁ ହେବ l ଝଡକୁ ଅଟକାଇବାକୁ ହେବ, ନହେଲେ ବାତ୍ୟାକୁ ସାମ୍ନା କରିବାକୁ ପଡିବ l
ଅନନ୍ୟୋପାୟ ମୁଁ l କିଂ କର୍ତ୍ତବ୍ୟବିମୁଢ ମୋ ମନ l ଦୋଦୁଲ୍ୟମାନ ମୋ ହୃଦୟ l ସଲାସୁତୁରା କରି କୌଣସି ମତେ ଏକଜୁଟ କଲି ଶରୀରର ଶକ୍ତି, ମନର ସାହସ ଆଉ ହୃଦୟର ଦୃଢତାକୁ l ମୌନତାର ପାଦରେ ପାଦଯୁଗଳକୁ ଛନ୍ଦି ଏ ରୁମ ସେ ରୁମ ହେଉଥିଲା ସେ ନିଜ ଧରାବନ୍ଧା କାମକୁ ନେଇ l ମୁଁ ବସିଥିଲି ଡ୍ରଇଂ ରୁମରେ, ନୀରବତାର ବାଦଲକୁ ଘଉଡ଼େଇବା ପ୍ରୟାସରେ l
ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାର ଚେଷ୍ଟା ମାତ୍ର l ଅତି ସନ୍ତର୍ପଣରେ ଉପରେ ପଡି କଅଁଳେଇ ପଚାରିଲି - ରୋଷେଇ ସରିଲାଣି ! କଣ ହେଇଛି ଆଜି ? ପ୍ରତ୍ୟୁତ୍ତର କିଛି ମିଳିଲାନି l ପୁନର୍ବାର ଦୋହରାଇଲି ପ୍ରଶ୍ନଟିକୁ l ନା, ଏଥର ବି ସମଦଶା l ଶୁଭିଲାନି ପ୍ରତ୍ୟୁତ୍ତର l କିଛି କ୍ଷଣ ଅଟକିଯାଇ ସେଠାରୁ ଉଠି ଗଲି ତା ପାଖକୁ l ସେ ଥିଲା ରୋଷେଇ ଘରେ l ପୁଣି ଉପରେ ପଡି ପଚାରିଲି - ରୋଷେଇ ସରିଲାଣି ! କେତେବେଳେ ଖାଇବାକୁ ମିଳିବ ? କିଛି ଲାଭ ନାହିଁ l ଏଥର ବି ସେ ଥିଲା ନୀରବ, ନିରୁତ୍ତର ଆଗଥର ଭଳି l
ମନେ ହେଉଥିଲା ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟାଟି l
ବଡ ମୁସ୍କିଲ ଅବସ୍ଥା l କଣ କରାଯିବ l ଟିକେ ବିବ୍ରତ ହୋଇଉଠିଲି l ଏ ନୀରବତାର ପାଚେରୀକୁ ଭାଙ୍ଗିବାରେ ଅନ୍ୟ କିଛି ରାସ୍ତା ଖୋଜିବାରେ ଲାଗିପଡିଲି l କିନ୍ତୁ କିଛି ବୁଦ୍ଧି ବାଟ ଦିଶୁ ନ ଥାଏ l ଏକ ଅସମାହିତ ଜଟିଳ ସମସ୍ୟାର ସରଳ ସମାଧାନ ଖୋଜୁ ଖୋଜୁ ମନ କେତେବେଳେ ଯେ କବିତା ମନସ୍କ ହୋଇପଡ଼ିଥିଲା ତାହା ଜଣା ନ ଥିଲା l
ଏ କବିତା ମନସ୍କ ମନର ଧ୍ୟାନ ଭଗ୍ନ ହେଲା କେଉଁ ଏକ ଅପରିଚିତାର କଣ୍ଠ ସ୍ୱରରେ l ନା, ନା, ଭୁଲ କହିଲି l ପରିଚିତାର ଅପରିଚିତା ସ୍ୱରଧ୍ୱନିରେ l ଅପରିଚିତା ଏଇଥିପାଇଁ ଯେ ଏ ସ୍ୱରରେ ନ ଥିଲା ପୂର୍ବ ଭଳି ଆବେଗତା କି ମଧୁରତା l ନ ଥିଲା ବି ନିଷ୍ଠୁରତା କି କଠୋରତା l ଏ ଥିଲା ରାଗିଣୀର ସପ୍ତରାଗ ତୋଳା ଆଉ ଅଭିମାନିନୀର ସପ୍ତରଙ୍ଗ ବୋଳା ଏକ ସ୍ୱୟଂ ସମ୍ପୂର୍ଣ୍ଣା ନିଆରା ସ୍ୱର l ସଂଗୀତ ସାଧକ ହୋଇଥିଲେ ହୁଏତ ଏ ସ୍ବରଟିକୁ ନେଇ ସଂଗୀତ ଦୁନିଆଁରେ ଅଷ୍ଟରାଗର ପରିକଳ୍ପନା କରିଥାନ୍ତି ! ଶବ୍ଦର ଉଚ୍ଚାରଣ ଥିଲା ବେଶ ସାଦାସିଧା - "ଖାଇନିଅ" କିନ୍ତୁ ଆଚରଣ ଥିଲା ଖୁବ ବଙ୍କାତେଢା l ମନକୁ ସ୍ୱାଭାବିକ ଅବସ୍ଥାକୁ ଆଣି ଖାଇବା ଜାଗାକୁ ଗଲି l ଖାଇବା ପରଷା ହୋଇଥିଲା ହେଲେ ସେ ନ ଥିଲା ଖାଇବା ସ୍ଥାନରେ l ଚାଲି ଯାଇଥିଲା ଘରର ଭିନ୍ନ କେଉଁ କୋଣକୁ l
ଭରପୁର ଅସାମଞ୍ଜ୍ୟସତା ପରିଲକ୍ଷିତ ହେଉଥିଲେ ବି ସେ ଆଡକୁ ଆଉ ଅଧିକା ଧ୍ୟାନ ନ ଦେଇ ଖାଇବା ଦିଗରେ ମନୋନିବେଶ କଲି l ଖାଇବା ଭିତରେ ପାଣିର ଆବଶ୍ୟକତା ହେବାରୁ ପାଣି ଗ୍ଲାସ ଅଣ୍ଡାଳିଲି ଚାରିଆଡକୁ l ନ ପାଇବାରୁ ପାଣି ଗ୍ଲାସେ ଦେବାକୁ ଡାକ ପକାଇଲି l ଏ ଡ଼ାକର ଉତ୍ତର ମିଳିଥିଲା ଅବଶ୍ୟ କିନ୍ତୁ ବିପରୀତ l ଅତି ବେପରୁଆ ଢଙ୍ଗରେ ଉତ୍ତର ଆସିଥିଲା - "ନିଜେ ନେଇ ପିଇ ନିଅ" l ପୁନର୍ବାର ନିବେଦନ କଲାରୁ ଉତ୍ତର ଆଉ ଆସି ନ ଥିଲା, ସେ ନିଜେ ଆସି ଯାଇଥିଲା ଏକ ଅସ୍ୱାଭାବିକ ଠାଣିରେ l ମୁହଁ ବଙ୍କା କରି ପାଣି ଗ୍ଲାସଟେ ହାତକୁ ବଢ଼ାଇ ଦେଉ ଦେଉ ମହୁ ଝରା ଓଠରେ ରାଗ ଋଷାର ଝରଣା ବୁହାଇ କଥା ଫୋପାଡ଼ିଲା- "ପାଣି ଗ୍ଲାସଟେ ବି ନିଜେ ନେଇକି ପିଇ ପାରୁନ"l
ଦାନା ବାନ୍ଧୁଥିବା ବାତ୍ୟାଟି ଏବେ ଅବପାତର ରୂପ ନେଇ ସାରିଥିଲା ବୋଧେ l ପବନର ତୀବ୍ରତା ଆଉ ବର୍ଷାର ପ୍ରକୋପକୁ ଅପେକ୍ଷା ଥିଲା କେବଳ l
ପାଖରେ ପଡ଼ିଥିବା ଚେୟାରଟିକୁ ମୋ ପାଖକୁ ଟାଣି ଆଣି ଦୁମ କରି ବସି ପଡିଲା ତା ଉପରେ l
ପବନର ବେଗ ବଢୁଥିଲା ବେଶୀରୁ ବେଶୀକୁ l ସୁଁ ସୁଁ ଶବ୍ଦ ଛାଡି ଘୋ ଘା ଗର୍ଜନ ଆଡକୁ ମୁହାଁଇଥିଲା ତୀବ୍ରତା l
ରାଗରେ ତମ ତମ ହୋଇ ପୁଞ୍ଜିଭୂତ ଆସନ୍ତୋଷର ବିଷକୁ ଏକା ନିଶ୍ଵାସରେ ଓଗାଳିଲା ପାଟିରୁ - " କେତେ ଜଣ ଝିଅ ନାଁରେ କବିତା ଲେଖ ତମେ ? ଯାଉନ, ମାଗିବ ସେମାନଙ୍କୁ ପାଣି ଯେଉଁ ମାନଙ୍କ ନାଁରେ କବିତା ଲେଖୁଛ !!! ମୋତେ କାହିଁକି ମାଗୁଛ "??? ଏତକ କହି ଦେଇ ସେ ପୁଣି ଝାଡ଼ିଝୁଡି ହୋଇ ଚାଲିଗଲା ସେ ଜାଗା ଛାଡି l ଯାଉ ଯାଉ ପୁଣି ଚେତାବନୀ ଦେଉଥିଲା - "ମୋ ନାଁରେ ଆଉ କେବେ କବିତା ଲେଖିବ ନାହିଁ "l
ବାତ୍ୟା ଛାଡିବାର ପ୍ରାକ ସୂଚନା ଥିଲା ଏ l ପବନର ବେଗ କମୁଥିଲା, ବର୍ଷାର ତେଜ ବଢୁଥିଲା l ବାତ୍ୟାର ଭୟ କମୁଥିଲା କ୍ରମଶଃ, ବନ୍ୟାର ଆଶଙ୍କା ତଥାପି ଥିଲା ଅବଶ୍ୟ l
କିଛିଟା ଉଦବେଗ କିଛିଟା ଆବେଗ, କିଛିଟା ଆଶଙ୍କା କିଛିଟା ଆକାଂକ୍ଷା, କିଛିଟା ବାସ୍ତବତା ଆଉ କିଛିଟା କୃତ୍ରିମତାର ଅଭେଦ୍ୟ ଚକ୍ରବ୍ୟୁହରେ ଘାଣ୍ଟି ଚକଟି ହେଉଥିଲା ଅବୋଧ ମନଟି l ଅଧାରୁ ଅଟକିଥିବା କବିତା ମନସ୍କ ମନଟି ପୁଣି ଥରେ ଚେଇଁ ଉଠୁଥିଲା l
ସୃଜନର ଧାରା ଯଦି ଇଛାକୃତ ହେଉଥାନ୍ତା ତାହେଲେ ଉପରୋକ୍ତ ପ୍ରଶ୍ନର ଜବାବ ଦେବାକୁ ଏତେ ଅସହଜ ହୋଇ ନ ଥାନ୍ତା ମୋ ପକ୍ଷରେ l ସୃଜନରେ ତ ନ ଥାଏ ସ୍ଥାନ କାଳ ପାତ୍ରର ବାଛବିଚାର l ଚିହ୍ନା ଅଚିହ୍ନା, ଜଣା ଅଜଣାର ଭେଦଭାବ l ଏ ତ ପ୍ରକୃତି ଦତ୍ତ, ଗୋଟାପଣ ନୈସର୍ଗିକ l ଏସବୁ ବୁଝିବ କିଏ ନା ବୁଝାଇବ କିଏ ? ସେଇଥିପାଇଁ ତ ସୃଜନ ଡ଼ଙ୍ଗାର ନାଉରି ସାଜି ଭାବନାର ଆହୁଲାରେ ପ୍ରକୃତିର ମନୋରମ ମାଧୁର୍ଯ୍ୟକୁ ଚୁମିବାର ଠିକା ନେଇଥିବା କବି, ଚିତ୍ରକର, ଶିଳ୍ପୀ..... ସମାଜ ଆଖିରେ ଜଣେ ଜଣେ ବଦନାମ ଗଳିର ନାୟକ l ସନ୍ଦେହର ପରିଧିରେ ଭାବପ୍ରବଣତାର ଅଲିଅଳି ରୂପସୀଟି ମୃଣ୍ମୟ ଶୃଙ୍ଗାରର ପ୍ରତିଧ୍ୱନି ଆଙ୍କୁଥିଲା l
ଉତ୍ତର ଥାଇ ବି ପରିପ୍ରକାଶ ନ କରି ସାଇତି ଧରିଲି ସ୍ମୃତିର ଫରୁଆରେ, ପ୍ରଶ୍ନକୁ ପ୍ରଶ୍ନରେ ଛାଡ଼ିଦେଇ l
ଖାଇସାରି ହାତ ଧୋଉ ଧୋଉ ସାମ୍ନା ଦର୍ପଣରେ ନିଜ ମୁହଁକୁ ଦେଖୁଥିଲି l ମୋ ଆଡକୁ ନିକ୍ଷେପ କରିଥିବା ସନ୍ଦେହର ଢେଉସବୁ ମୋ ମୁହଁରେ ଲହଡି ଭାଙ୍ଗୁଥିଲା l ହାତ ଧୋଇସାରି ଡ୍ରଇଂରୁମରେ ଥିବା କମ୍ପୁଟର ପାଖରେ ସିଧା ଆସି ବସିପଡ଼ିଲି l ଦୋଷର କାରଣ ଓ ତତଜନିତ ଦଣ୍ଡର ଉତ୍ତାଳ ତରଙ୍ଗରେ ମନଟି ଉଦବେଳିତ ହୋଇ କବିତା ସାଗରରେ ଉବୁଟୁବୁ ହେଉଥିଲା l ଆଉ ମୁଁ ସେ ସାଗରରେ ଲୁଚି ରହିଥିବା ଶାମୁକାରୁ କୋମଳ ମୋତି ସମୂହକୁ ସାଉଁଟିବାରେ ବ୍ୟସ୍ତ ଥିଲି l ମୋତି ସାଉଁଟୁ ସାଉଁଟୁ ନିଜ ଅଜାଣତରେ ଏକ ପରିତୃପ୍ତିର ଉନ୍ମାଦନା ଖେଳିଗଲା ହୃଦୟ ଭିତରେ l ଗଡ଼ ଜିତି ଫେରୁଥିବା ସମ୍ରାଟର ଅନୁଭବ ଛୁଉଁ ଥିଲା ମନକୁ l ଦୀର୍ଘଶ୍ୱାସଟିଏ ନେଇ ନିଜକୁ ଆହୁରି ସହଜ କରିନେଉଥିଲି l ଏତିକି ବେଳକୁ ସେ ଡ୍ରଇଂରୁମକୁ ପଦାର୍ପଣ କରିଥିଲା କୌଣସି କାରଣ ବଶତଃ l
ବର୍ଷା କ୍ରମଶଃ ଦୁର୍ବଳରୁ ଦୁର୍ବଳତର ହେଉଥିଲା l ଅର୍ଥାତ ବନ୍ୟାର ସମ୍ଭାବନା ଥିଲା ଅତ୍ୟନ୍ତ କ୍ଷୀଣ l
ଡାକରା ଦେଲି ତାକୁ କମ୍ପୁଟର ପାଖକୁ ଆସିବାକୁ l ଇଛା ସପକ୍ଷରେ ହେଉ ଅଥବା ବିପକ୍ଷରେ, ସେ ଆସିଥିଲା କମ୍ପୁଟର ପାଖକୁ ଏଥର l ବଖାଣିବାର କିଛି ପ୍ରୟୋଜନ ନ ଥିଲା l କମ୍ପୁଟର ପରଦାରେ ଝଲସୁଥିଲା ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବାର କିଛି ଗୁଢ ବୀଜ ମନ୍ତ୍ର l ନିର୍ବିକାର ଭାବେ ପଢିଚାଲିଲା ସେ ଆମୂଳଚୁଳ, ଏକାଗ୍ରତାର ଓଢଣୀ ଟାଣି l ପଢ଼ିସାରି ଚାଲିଗଲା ସେଠୁ, ସାମାନ୍ୟତମ ପ୍ରତିକ୍ରିୟାଟେ ନ ଦେଇ l ମନରେ ପୁଣି ଅଜଣା ସଂଶୟ, ଅନାବନା ଉଦ୍ଦୀପନା l ଧୌର୍ଯ୍ୟ ସବୁ ଝୁଣ୍ଟି ପଡୁଥିଲା, ଦମ୍ଭ ସବୁ ଅନ୍ଧାରି କୋଣରେ ଲୁଚୁଥିଲା, ବାହାସ୍ଫୋଟ ମାରୁଥିବା ପରାକ୍ରମ ବି ସନ୍ଦିହାନ ହୋଇ ଉଠୁଥିଲା l ଏବେ କଣ ହେବ ?
ବର୍ଷା ତାର ଶେଷ ଛିଟାରେ ଉପନୀତ, ଟୋପା ବି ଶିଶିର ବିନ୍ଦୁରେ ପରିଣତ l ତଥାପି ବୁଦ୍ଧିର କରାମତି ଆଉ ବିବେକର ଉପସ୍ଥିତି ଭାଙ୍ଗିପଡୁଥିଲା କାହିଁକି କେଜାଣି l ଏତେସବୁ ଅସଜଡ଼ା ପ୍ରଶ୍ନର ଉଇହୁଙ୍କାରେ ମନ ଏକରକମ ବିବଶ, ଭାରାକ୍ରାନ୍ତ ହୋଇଉଠୁଥିଲା l
ବର୍ଷା ଛାଡିଗଲା ପରେ ବି କଳାହାଣ୍ଡିଆ ମେଘରୁ ସୁନେଲି ବର୍ଣ୍ଣାଳି ଝଲସି ଉଠେ, ସପ୍ତରଙ୍ଗୀ ଇନ୍ଦ୍ରଧନୁ ରୂପରେ l ଯାହାରି କ୍ଷଣିକ ଲାବଣ୍ୟର ବିମୁଗ୍ଧତାରେ ପ୍ରପୀଡ଼ିତ ବି ହୁଅନ୍ତି ପ୍ରୀତିସ୍ନାତ l ତାହେଲେ ଏଠି ଏତେ ବ୍ୟତିକ୍ରମ କାହିଁକି ??? ଅକାରଣ ସନ୍ଦେହର ଅଝଟ ଗୁଂଜରଣ ???
ଠିକ ଏତିକି ବେଳକୁ ଡ୍ରଇଂରୁମରେ ଶୁଭିଥିଲା କାହାର ସୁରଛନ୍ଦା ପଦଧ୍ୱନି l ସା ରେ ଗା ମା ର ସୁଲଳିତ ସ୍ୱରକୁ ଆଙ୍କି ଦେଉଥିଲା ରୁମର ଚଟାଣରେ l ପଛକୁ ବୁଲି ଦେଖିଲି l ଏ କଣ ? ବିନା ପୁନେଇଁରେ ସ୍ୱର୍ଣ୍ଣିମା ଜ୍ୟୋତ୍ସ୍ନାର ମଧୁରିମା ପ୍ରତିବିମ୍ବ ! କକ୍ଷଚ୍ୟୁତ ହୋଇ ସରଗରୁ ଖସି ପଡିଲା କି ? ଆଖିରେ ନୀଳ ସାଗରର ନଭଶ୍ଚମ୍ଭୀ ତରଙ୍ଗ l ଓଠରେ ଅସ୍ତରାଗର ରକ୍ତିମ ଲିଳିମା l ଲାଜେଇ ହସରେ ଫୁଟି ଉଠୁଥିଲା ଇନ୍ଦ୍ରଧନୁର ଉଜ୍ୱଳ ଚମକ l ଦୁର୍ଗା ଦେବୀଙ୍କର ଶକ୍ତି ସ୍ୱରୂପାକୁ ପରିତ୍ୟାଗ କରି ଶ୍ରୀରାଧାଙ୍କ ପ୍ରୀତି ସ୍ୱରୂପାକୁ ଆପଣେଇଥିଲା l ହାତରେ ଖଡ୍ଗ ନ ଥିଲା ଶତ୍ରୁ ସଂହାର ଲାଗି, ଥିଲା ଗୋଟେ ଡାଏରୀ ସ୍ମୃତିର ଓଁକାର ପାଇଁ l
ବର୍ଷା ତ ଆଉ ବିଲକୁଲ ନ ଥିଲା l ଆବେଗର ମେଘରେ ଅନୁରାଗର ମହ୍ଲାର ସବୁ ଗୁନ୍ଥି ହେଉଥିଲେ ପୁଲକର ଦିଗବଳୟକୁ ଅନାଇ l
ମୁଁ କିଛି ବୁଝିବା ଆଗରୁ ମୋ ହାତକୁ ବଢ଼ାଇ ଦେଇଥିଲା, କମ୍ପୁଟର ପରଦାରେ ଧାଁ ଦଉଡ କରୁଥିବା ପ୍ରୀତିର ପଂକ୍ତି ସବୁକୁ ସ୍ମୃତିର ମୁକୁଟ ପିନ୍ଧାଇ ଡାଏରୀ ପୃଷ୍ଠାରେ ସଜେଇଦେବାକୁ l
ରାଜରାସ୍ତାରେ ବୋହିବାକୁ ଥିବା ବର୍ଷା ପାଣି ଅଟକି ଥିଲା ଅଭିମାନର କାଗଜ ଡ଼ଙ୍ଗାକୁ ଭସେଇନେବାକୁ !!!
###########################

