STORYMIRROR

Hitendra Mohanta

Inspirational

3  

Hitendra Mohanta

Inspirational

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ବ୍ରହ୍ମା ବିଷ୍ଣୁ ମହେଶ୍ୱର

2 mins
28.7K


ହିତେନ୍ଦ୍ର ନାଥ ମହାନ୍ତ

ଦଶହରା ଛୁଟି ବେଳ । ଛୁଟି କାଟିବା ପାଇଁ ବାନି ଯାଇଛି ତା ଅଜା ଘରକୁ।ଗେହ୍ଲୀ ନାତୁଣୀ ଘରକୁ ଆସିଥିବାରୁ ଆଈର ମନ କୁଣ୍ଢେମୋଟ।ପିଠା ପଣା ଖିରୀ ପୁରିରେ ନାତୁଣୀକୁ ଖୁଏଇବାରେ ଦିନସାରା ବ୍ୟସ୍ତ। ସଂଧ୍ୟାରେ ପାର୍କକୁ ନେଇ ଯାଇ ଦୋଳି ଝୁଲାରେ ଖେଳାଇ ଗେଲ କରୁଛି। ଦିନତମାମ ଆଈ ନାତୁଣୀ ହସଖୁସିରେ ବହୁତ ମଜା କରିଛନ୍ତି।

ପାର୍କରୁ ଫେରି ଗୋଡ ହାତ ଧୋଇ ଟିଭି ଦେଖୁଛି ବାନି। ଏତିକିବେଳେ ଅଫିସରୁ ଘରକୁ ଫେରିଛନ୍ତି ଅଜା। ଥଟ୍ଟା ମଜା ଆରମ୍ଭ ହୋଇଛି ଅଜା ନାତୁଣୀ ଭିତରେ। ବାନି ତା ଇଂଲିଶ ମିଡିୟମ ସ୍କୁଲର ପାଠ କଥା କହୁଛି ଅଜାଙ୍କୁ। ଏ ବି ସି ଡି ଇତ୍ୟାଦି ଇତ୍ୟାଦି । ଏଥିରେ ଅଜାଙ୍କ ମନ ନ ମାନିବାରୁ ନାତୁଣୀକୁ ଅ ଆ ଶିଖେଇବାକୁ ଖାତା କଲମ ଧରେଇଲେ।

ସଂଜ ଦୀପ ଜାଳିବାର ସମୟ ହେବାରୁ ଆଈର ସଂଧ୍ୟା ପ୍ରାର୍ଥନା ଶୁଣାଗଲା। ଏତିକିବେଳେ ହାତ ତାଳି ମାରି ଖିଁ ଖିଁ ହେଇ ହସି ଉଠିଲା ବାନି। ଅଜାଙ୍କୁ କହିଲା, ତା ମାମା ବି ସଂଧ୍ୟାରେ ଦୀପ ଜାଳି ଏମିତି ପ୍ରାର୍ଥନା ଗାଏ। ହେଲେ ଠାକୁର କେଉଁଠି ପଚାରିଲେ ଦେଖାଏ ଜହ୍ନ ଆଉ ତାରା ଆଡକୁ। ଘର କେଉଁଠି ପଚାରିଲେ ଦେଖାଏ ଆକାଶକୁ। ହି ହି ହୋଇ ହସିକି ବାନି ପଚାରିଲା ଅଜାଙ୍କୁ, ମାମା ମୋତେ ବୋକା ବନାଏ ନା ଅଜା।

ନାତୁଣୀର କଥା ଶୁଣି ଅଜା ମଜାରେ ତାର କାନକୁ ମୋଡି କୁହେ, ଏଇ ଚଣ୍ଡୀ ! ଏମିତି କହନା। ଠାକୁର ରାଗିବେ। ସେ ଅଛନ୍ତି, ଆମ ମାନଙ୍କ ସହିତ ହିଁ ଅଛନ୍ତି। ଆଗ୍ରହ ସହ ପଚାରିଲା ବାନି,କେଉଁଠି ଅଛନ୍ତି ଠାକୁର ଅଜା? ମୁଁ ଦେଖି ପାରିବି !

ଏଥରକ ଅଜା ଅ ଆ ଛାଡି ଖାତାରେ ଲେଖିଲେ ତିନୋଟି ଶୂନ। କହିଲେ ଏମାନେ ତିନି ଠାକୁର ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର । ତିନିହେଁ ଆମର ଠାକୁର।ଅଜା କଥା ଶୁଣି ବାନି କହିଲା,ତମେ ବି ମୋତେ ଠକୁଛ ଅଜା ।ଶୂନ ତିନୋଟି ତ ଏକାପରି । ଅଲଗା ଅଲଗା ଠାକୁର ହେଲେ କେମିତି ?

ଶୁଣ୍ ଏଥର କହିଲେ ଅଜା । ବ୍ରହ୍ମା ଅର୍ଥ ସୃଷ୍ଟି କର୍ତ୍ତା । ଯିଏ ଜନ୍ମ ଦେଇଥାଏ ସିଏ ହିଁ ବ୍ରହ୍ମା । ଏଥର କହ କିଏ ତୋତେ ଜନ୍ମ ଦେଇଛି ? ଚଟାପଟ ବାନି ଉତ୍ତର ଦେଲା ମାମା ।

ବିଷ୍ଣୁ ଅର୍ଥ ପାଳନ କର୍ତ୍ତା, ଯିଏ ନିଜର ସୃଷ୍ଟିକୁ ଲାଳନ ପାଳନ କରି ବଢାଏ । ଏଥର କହ ତୋତେ ଖୁଏଇ ପିଏଇ ଗାଧେଇ ପିନ୍ଧେଇ କିଏ ବଡ କରୁଛି ? ବାନି ସଙ୍ଗେ ସଙ୍ଗେ କହିଲା ମାମା ।

ମହେଶ୍ୱର ଅର୍ଥ ସଂହାର କର୍ତ୍ତା । ଯିଏ ଶତ୍ରୁକୁ ସଂହାର କରେ,ପାପକୁ ବିନାଶ କରେ । ଏଥର କହ ତୋତେ କିଏ ମାରିଲେ, ଡରେଇଲେ, କିଏ ଉଦ୍ଧାର କରିଥାଏ, କିଏ ସାହସ ଦେଇଥାଏ ? ବାନି ଦୁଇ ହାତ ତେକି କହିଲା ମାମା।

ତା କଥା ଶୁଣି ଅଜା କହିଲେ , ପାଇଲୁ ଏଥର ଉତ୍ତର । ମାମା ହିଁ ତୋର ବ୍ରହ୍ମା ବିଷ୍ଣୁ ମହେଶ୍ୱର ।

ଅଜାର କଥା ନ ସରୁଣୁ ସବୁ ବୁଝିଲା ପରି ବାନି ସିଧା ଦୌଡିଲା ରୋଷେଇ ଘରକୁ ଏବଂ ମାମାର ପାଦ ଛୁଇଁ ଆଶିର୍ବାଦ ନେଲା । କହିଲା - ମାମା, ଠାକୁରଙ୍କୁ ମୁଁ ପାଇଗଲି, ଆଖିରେ ଦେଖୁଛି ବି । ତୁମେ ପରା ମୋର ବ୍ରହ୍ମା ବିଷ୍ଣୁ ମହେଶ୍ୱର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational