Debajyoti Abinash

Tragedy Romance

4.9  

Debajyoti Abinash

Tragedy Romance

ନିଃଶବ୍ଦ ପ୍ରେମିକା

ନିଃଶବ୍ଦ ପ୍ରେମିକା

5 mins
751


ଶେଯ ଉପରେ ଶୋଇ ରହି କେବଳ କଡ଼ ଲେଉଟାଇ ଚାଲିଛି ଅନିରୁଦ୍ଧ। ରାତି ୨ ଟା ବାଜିଲାଣି। ଆଜିକୁ ଠିକ୍ ୬ ବର୍ଷ ତଳେ, ଠିକ୍ ଆଜିର ଦିନରେ, ନିଜ ଅଜାଣତରେ ସେଇ ଭୁଲଟି କରି ବସିଥିଲା ସେ, ଯାହା ପାଇଁ ଆଜି ବି ସେ ଅନୁତାପ କରୁଛି, ହୁଏତ ନିଜ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ କରୁଥିବ। ଆଖି କୁ ତାର ନିଦ ଆସୁନି, ଯେତେ ଚେଷ୍ଟା କଲେ ମଧ୍ୟ। ଅତୀତର ବେରଂଗ ଫର୍ଦ୍ଦ ଗୁଡ଼ାକ ଫଡ଼ ଫଡ଼ ଶବ୍ଦ କରି ଉଡି ବୁଲୁଛନ୍ତି ତା ଆଖି ର ଝରକା ଆଗରେ।

×××××××××××××


ଆଜିକୁ ୯ ବର୍ଷ ତଳେ ସେ ଭୁବନେଶ୍ୱରରେ ରହି ଏମ୍.ଏ ପଢୁଥାଏ, ଏ କଥା ସେତେବେଳର। ଛୋଟ ବେଳୁ କେବେ ବି ଘର ଛାଡ଼ି ବାହାରେ ରହି ନଥିବା ଅନିରୁଦ୍ଧକୁ ସବୁ କିଛି ନୂଆ ନୂଆ ଲାଗୁଥାଏ। ରାଜଧାନୀର ପରିବେଶରେ ନିଜକୁ ଖାପ ଖୁଆଇ ଚଳିବା ପାଇଁ ବେଶ୍ କିଛି ଦିନ ଲାଗିଯାଇଥିଲା ତାକୁ। ସେ ଆରମ୍ଭରୁ ହିଁ ମେଧାବୀ ଥିଲା। ଯୁକ୍ତ ୩ ପର୍ଯ୍ୟନ୍ତ ନିଜ ସହରରେ ରହି ପାଟ ପଢ଼ିବା ପରେ ବାପା ଚାହିଁଥିଲେ ଯେ ସେ ବଡ଼ ସହରରେ ରହି ପଢୁ, ଉନ୍ନତ ମାନର ଶିକ୍ଷା ପାଉ, ତା ବ୍ୟକ୍ତିତ୍ବର ବିକାଶ ଘଟୁ। ସେଥିପାଇଁ ସେ ଚାଲି ଆସିଥିଲା ଭୁବନେଶ୍ୱର। ତାର ସୁନ୍ଦର,ମାର୍ଜିତ ବ୍ୟବହାର ତଥା ଶିକ୍ଷାଗତ ଦକ୍ଷତା ପାଇଁ ସେ ଅତି କମ୍ ସମୟରେ କଲେଜରେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲା। ସେଇ କଲେଜରେ ଅନିରୁଦ୍ଧର ସହପାଠିନୀ ଥିଲା ସ୍ନିଗ୍ଧା। ଦେଖିବାକୁ ଭାରି ସୁନ୍ଦର, ଗୋରା ରଂଗ, ପୋଟଳଚିରା ଆଖି,କଳା ଓ ଲମ୍ବା ଚୁଟି,ଆଉ ଛୋଟିଆ ଗୋଟେ ନାକ। ବ୍ୟବହାର ଅତ୍ୟନ୍ତ ମାର୍ଜିତ। ସେ ମଧ୍ୟ ଭଲ ପାଠ ପଢେ। ଭଲ ଗୀତ ଗାଏ। ସ୍ନିଗ୍ଧା ସେଇ ଭୁବନେଶ୍ଵରର ଝିଅ, ମାତ୍ର ଭାରି ଲାଜକୁଳୀ।


ସେଇ ପ୍ରଥମ ଦେଢ଼ ବର୍ଷ ଭିତରେ ଅନେକ ଥର ଲକ୍ଷ୍ଯ କରିଛି ଅନିରୁଦ୍ଧ, ସ୍ନିଗ୍ଧା ସମୟ ଅସମୟରେ ତା ଆଡକୁ ଚାହିଁ ରହିଥିବାର। କେବଳ ଏଇ ଭାବନା ହିଁ ଅନିରୁଦ୍ଧର ମନକୁ ଆନ୍ଦୋଳିତ କରିଦିଏ। ଏକ ନୂତନ ଅନୁଭବ,ଏକ ଅଦ୍ଭୁତ ଶିହରଣରେ ଶିହରି ଉଠେ ତାର ଦେହ ମନ। ମଝିରେ ମଝିରେ ସେ ମଧ୍ୟ ଚାହିଁଦିଏ ସ୍ନିଗ୍ଧା ଆଡକୁ। କେବେ କେବେ ଯଦି ଆଖି ମିଶିଯାଏ,ତେବେ ସତେଜ ହସଟିଏ ଖେଳିଯାଏ ସ୍ନିଗ୍ଧାର ଗୋଲାପୀ ଓଠ ଉପରେ,ତାର ଦୁଇ ଗାଲରେ ଭଉଁରୀ ଖେଳାଇ ଆଉ ଦୁହେଁ ଲାଜରେ ମୁହଁ ତଳକୁ ପୋତି ଦିଅନ୍ତି।


ଅନିରୁଦ୍ଧ ଭଲ ଭାବରେ ଅବଗତ ଥିଲା ସ୍ନିଗ୍ଧା ମନରେ ତା ପ୍ରତି ଥିବା ଆବେଗ ଏବଂ ଭାବନାମାନଂକ ସମ୍ବନ୍ଧରେ। ଜାଣିଥିଲା ମଧ୍ୟ ସ୍ନିଗ୍ଧା ପାଇଁ ତା ମନର କୋଠରୀରେ ଅମାନିଆ ହେଉଥିବା ଆକର୍ଷଣ ବାବଦରେ। ଅନୁଭବ କରିଥିଲା ଏଇ ହିଁ ହେଉଛି ସେହି ସୁନ୍ଦର ଆଉ ସୁଖଦ ଅନୁଭବ, ଯାହାର ନାଁ ଏ ସମାଜ ରଖିଛି "ପ୍ରେମ"। ମାତ୍ର ନିଜ ସ୍ୱଭାବର ବଶବର୍ତ୍ତୀ ହୋଇ କେବେ ବି ବାଢ଼ି ପାରିନଥିଲା ନିଜ ପ୍ରେମର ସ୍ୱୀକାରୋକ୍ତି। ଏପରିକି ଦୀର୍ଘ ୨ ବର୍ଷ ଭିତରେ ସେମିତି କିଛି ବିଶେଷ କଥାବାର୍ତ୍ତା ବି ହୋଇନଥିଲା ଦୁହିଁଙ୍କ ଭିତରେ। ନା ଅନିରୁଦ୍ଧ ନିଜ ମନର ଭାବନାକୁ ଶବ୍ଦର ରୂପ ଦେଇପାରିଲା ଆଉ ନା ହିଁ ସ୍ନିଗ୍ଧା।


ପଢା ଶେଷ ହେବା ପରଠାରୁ ସ୍ନିଗ୍ଧା ସହିତ ଆଉ କିଛି ବି ପ୍ରକାରର ଯୋଗାଯୋଗ ନଥିଲା ଅନିରୁଦ୍ଧର। ତାର କିଛି ବି ଖବର ନଥିଲା ତା ପାଖରେ। ସେତେବେଳେ ତ ଆଉ ଏମିତି ମୋବାଇଲ ଫୋନ ର ଜମାନା ନ ଥିଲା। ଆଉ ତା ପାଖରେ ନା ଥିଲା ସ୍ନିଗ୍ଧା ଘରର ଲ୍ଯାଣ୍ଡଲାଇନ୍ ନମ୍ବର ଆଉ ନା ହିଁ ଘର ଠିକଣା। ଯଦି ଥାନ୍ତା ବି ତ କଣ ଫାଇଦା ? ଯୋଉ ମଣିଷ ଦୁଇଟା ଦୀର୍ଘ ୨ ବର୍ଷ ଏକାଠି ପଢ଼ି ବି ନିଜ ମନ କଥା ପରସ୍ପରକୁ ଜଣେଇ ପାରିଲେନି, ଏଇ ବିଚରା ଟେଲିଫୋନ ବା ତାଙ୍କର କୋଉ କାମକୁ ?


ଦିନେ ଅଫିସରୁ ଫେରି କ୍ଳାନ୍ତ ହୋଇ ଶୋଇ ପଡିଥାଏ ଅନିରୁଦ୍ଧ। ହଠାତ୍ କଲିଂବେଲ୍ ବାଜିବାରୁ ଉଠି ଯାଇ କବାଟ ଖୋଲି ଦେଖେ ତ ସାମନାରେ ଛିଡ଼ା ହୋଇଥିଲେ ତାରି ସମବୟସ୍କ ଜଣେ ଭଦ୍ରବ୍ୟକ୍ତି। ନମସ୍କାର ଆଦାନପ୍ରଦାନ ପରେ ସେ ଜାଣିବାକୁ ପାଇଲା ଯେ ଭଦ୍ରବ୍ୟକ୍ତି ଜଣକ ହେଲେ ସ୍ନିଗ୍ଧାର ବଡ଼ ଭାଇ। ତାଙ୍କୁ ହଠାତ୍ ଏମିତି ଦେଖି ତାର କାରଣ ମନେ ମନେ ଅନୁମାନ କରିବା ଆଗରୁ ହିଁ ସେ ଅନିରୁଦ୍ଧ ହାତକୁ ବଢାଇଦେଲେ ନିମନ୍ତ୍ରଣ ପତ୍ର। ଏକା ସମୟରେ ବିସ୍ମିତ ତଥା ଆଶଂକିତ ହୋଇଉଠିଲା ଅନିରୁଦ୍ଧ। ନିମନ୍ତ୍ରଣ ପତ୍ରକୁ ନ ଖୋଲି ଉପରୁ ଉପରୁ ଥରଟେ ଆଖି ବୁଲେଇ ଆଣିଲା ସେ। "ସ୍ନିଗ୍ଧା ସହ ବସନ୍ତ" ମାତ୍ର ଏତିକି ପଢିବା କ୍ଷଣି ହିଁ ବ୍ୟାକୁଳିତ ହୋଇ ଉଠିଲା ତାର ମନ। ଏକ ଅସହାୟତା ସଂଚରିଗଲା ତା ମନରେ। କଣ୍ଠ ବାଷ୍ପାରୁଦ୍ଧ ହୋଇଗଲା। ଛାତିରେ ଭରିଗଲା ଅସୁମାରୀ କୋହ। ସେ ଶୂନ୍ୟ ଚକ୍ଷୁରେ ଅନେଇ ରହିଲା ସ୍ନିଗ୍ଧାର ବଡ଼ ଭାଇଙ୍କୁ। ବାହାଘରକୁ ଯେମିତି ହେଲେ ଯିବା ପାଇଁ ଅନୁରୋଧ କରି ଚାଲିଯାଇଥିଲେ ସେ। ନିମନ୍ତ୍ରଣ ପତ୍ର ଉପରେ ଆଉ ଥରେ ଆଖି ପଡିବା ମାତ୍ରେ ଦୁଇ ଟୋପା ଲୁହ ଅସହାୟ ଭାବେ ଖସି ପଡିଥିଲେ ଅନିରୁଦ୍ଧର ଆଖିରୁ। କାର୍ଡଟିକୁ ନିଜର ଏକ ପୁରୁଣା ଡାଏରୀ ଭିତରେ ରଖିଦେଇ ବେଡ୍ ଉପରେ ପଡି ରହି ପୁଣି ଥରେ ଶୋଇବାର ବ୍ୟର୍ଥ ଚେ଼ଷ୍ଟା କଲା ସେ। ସ୍ନିଗ୍ଧାକୁ ବାହା ବେଦୀରେ କନ୍ଯା ବେଶ ହୋଇ ଅନ୍ୟ କାହାର ହାତ ଧରି ବସିଥିବା ଦେଖିବାର ସାହସ ନଥିଲା ତାର। ବରଂ ଅଫିସରୁ ୨ ଦିନ ଛୁଟି ଆଣି ଏକା ଏକା ରୁମ୍ ରେ ନିଜକୁ ବନ୍ଦ କରି ରଖିଥିଲା ଆଉ ବୁହାଇ ଦେଇଥିଲା ନିଜ ଛାତିର ସବୁ କୋହକୁ ଲୁହ କରି।


ସ୍ନିଗ୍ଧାର ବାହାଘରକୁ ୬ ମାସ ବିତି ସାରିଥାଏ। ହଠାତ୍ ଦିନେ କାହିଁକି କେଜାଣି ସ୍ନିଗ୍ଧା କଥା ଭାରି ମନେ ପଡିଲା ତାର। ସ୍ନିଗ୍ଧାର ସନ୍ତକ ହିସାବରେ କେବଳ ସେଇ ଗୋଟେ ନିମନ୍ତ୍ରଣ ପତ୍ର ହିଁ ଥିଲା ତା ପାଖରେ। ଡାଏରୀ ଭିତରେ ଥିବା କାର୍ଡଟିକୁ ହାତରେ ଧରି ଥରଟେ ଭଲ ଭାବରେ ଆଖି ପହଁରାଇ ଆଣିଲା ତା ଉପରେ। ଅତି ସନ୍ତର୍ପଣରେ ଖାମ୍ ଭିତରୁ କାର୍ଡଟି କାଢି ଆଣୁ ଆଣୁ ହଠାତ୍ ତା ଭିତରୁ ଖସିପଡିଲା ହଳଦିଆ ରଂଗର କାଗଜ ଖଂଡେ। କିଛି ଲେଖାଥିଲା ସେଥିରେ। ଆଶ୍ଚର୍ଯ୍ୟ ହୋଇ କାଗଜ ଖଂଡିକୁ ଚଟାଣ ଉପରୁ ଉଠାଇ ଆଣି ପଢିବା ଆରମ୍ଭ କଲା ଅନିରୁଦ୍ଧ।


"ଅନିରୁଦ୍ଧ,

ମୁଁ ଜାଣେ ତମେ ଏ ଚିଠି ପାଇ ଆଶ୍ଚର୍ଯ୍ୟ ହେଉଥିବ ନିଶ୍ଚିତ। ମୋର ଏ ଚିଠିର କାରଣ ଖୋଜୁଥିବ। ମୁଁ ତୁମକୁ ବହୁତ ଭଲ ପାଏ, ଅନିରୁଦ୍ଧ, ଯେବେଠାରୁ ଦେଖିଛି ସେବେଠାରୁ। ଦୀର୍ଘ ୨ ବର୍ଷ ଅପେକ୍ଷା କଲି କାଳେ ତମେ କିଛି କହିବ ବୋଲି। ହେଲେ ତମେ କିଛି ବି କହିଲନି। ମୋର ଏତିକି ସାହସ ନଥିଲା ଯେ ନିଜ ଆଡୁ ଯାଇ ତମ ଆଗରେ ନିଜ ପ୍ରେମର ପ୍ରସ୍ତାବ ରଖିବି। ବେଳେବେଳେ ଭାବିଛି ମଧ୍ୟ କହିଦେବା ପାଇଁ, ହେଲେ ପାରିନି। ଯେତେବେଳେ ଘରଲୋକେ ମୋର ବାହାଘର ଠିକ୍ କଲେ, ମୁଁ ସେଇୟା ହିଁ ମୋର ଭାଗ୍ୟ ବୋଲି ଭାବି ନିଜକୁ ପ୍ରସ୍ତୁତ କଲି। ହେଲେ ଯେତେ ଚେଷ୍ଟା କଲେ ବି ମୋ ମନର ଯୋଉ ଯାଗାରେ ତମକୁ ଥରେ ବସେଇ ସାରିଛି, ସେଠାରେ ଆଉ କାହାରିକୁ ଜାଗା ଦେବା କଥା ଚିନ୍ତା ବି କରି ପାରୁନି। ଶେଷରେ ଆଜି ତମ ପାଖକୁ ଏପରି ଭାବରେ ନିଜର ସ୍ୱୀକାରୋକ୍ତି ପଠାଇବା ପାଇଁ ବାଧ୍ୟ ହେଉଛି। ତମ ମନରେ ଏବେ କଣ ଅଛି ଜାଣିନି, ହେଲେ ତମ ଆଖିରେ ସେତେବେଳେ ମୁଁ ଯାହା ବି,ଯେତିକି ବି ଦେଖିଛି ତାକୁ ମୁଁ ପ୍ରେମ ବୋଲି ଭାବିଛି ଆଉ ସେଇ ପ୍ରେମ ଟିକକ ଭରସାରେ ଏଇ ଚିଠି ଲେଖିଛି। ମୋ ବାହାଘର ପୂର୍ବ ରାତି ୧୦ ଟା ବେଳେ ଆମ ଘର ପାଖ ତାରିଣୀ ମନ୍ଦିରରେ ମୁଁ ଶଂଖା,ସିନ୍ଦୂର ଆଉ ଫୁଲମାଳ ଧରି ଅପେକ୍ଷା କରିଥିବି। ଯଦି ତମେ ମୋତେ କେବେ ବି ଭଲ ପାଇଥିବ ତାହେଲେ ଠିକ୍ ୧୦ ଟା ବେଳେ ସେଇଠି ପହଞ୍ଚିବ ଆଉ ମୋତେ ସବୁଦିନ ପାଇଁ ନିଜର କରି ନେଇଯିବ ନିଜ ଦୁନିଆକୁ।

ତୁମ ଅପେକ୍ଷାରେ ରହିଲି।

ସ୍ନିଗ୍ଧା "


ଅନିରୁଦ୍ଧକୁ ଲାଗିଲା ଯେମିତି ତା ପାଦ ତଳୁ ମାଟି ଖସି ଯାଉଛି।ସେ ଯେ ନିଜର ଛୋଟ ଏକ ଅବହେଳା ପାଇଁ ସ୍ନିଗ୍ଧାକୁ ସବୁଦିନ ପାଇଁ ହରେଇଦେଇଛି ଏ କଥାକୁ ସେ ବିଶ୍ବାସ କରିପାରୁନଥିଲା। ଲଥ୍ କରି ତଳେ କଚାଡି ହୋଇ ବସିପଡିଲା ସେ। ଆଖିରୁ ଝରିଗଲା ଲୁହର ବନ୍ୟା । ସେଇ ଓଦା ଆଖିର ଲୁହରେ ସେ ଆଂକିବାକୁ ଚେଷ୍ଟା କରୁଥଲା ଗୋଟିଏ ଛବି, ସେ ଛବି ସ୍ନିଗ୍ଧାର,ଯିଏ ଆଖିରେ ଆଖିଏ ସ୍ୱପ୍ନ ନେଇ ରାତି ଅଧରେ ଛିଡାହୋଇ ରହିଥିବ ନିଜ ମନର ପ୍ରିୟତମ ପୁରୁଷର ଅପେକ୍ଷାରେ ଆଉ କେଇ ଘଣ୍ଟାର ଅପେକ୍ଷା ପରେ ନିରାଶ ହୋଇ ନିଃଶବ୍ଦରେ ଫେରିଯାଇଥିବ ଏକା ଏକା। ସିନ୍ଦୂର ଫରୁଆରେ ସାଇତି ରଖିଥିବା ନିଜ ସବୁ ସ୍ୱପକୁ ବିଂଚିଦେଇ ଯାଇଥିବ ଚଟାଣ ଉପରେ। ଶଂଖାଗୁଡିକ ସହିତ ନିଜ ସୁନେଲୀ ଭବିଷ୍ୟତର ଆଶାକୁ ମଧ୍ୟ ନିଜ ହାତରେ ଚୁରମାର୍ କରିଦେଇ ଯାଇଥିବ। ଫୁଲମାଳରେ ଗୁନ୍ଥା ନିଜ ମନର ଅଭିଳାଷକୁ ଦଳି ଦେଇଥିବ ପାଦରେ। ଛାତି ତଳେ ସାଇତି ରଖିଥିବା ପ୍ରେମକୁ ଲୁହ କରି ଢ଼ାଳି ଦେଇଥିବ ସାରା ରାତି ତକିଆ ଉପରେ ଏବଂ ନିଜକୁ ପ୍ରସ୍ତୁତ କରୁଥିବ ଏକ ଅନିଶ୍ଚିତ ଭବିଷ୍ୟତ ପାଇଁ। ଆଉ ସେଇ ରାତିର ନୀରବତା ଭିତରେ ହଜିଯାଇଥିବ ନିଃଶବ୍ଦ ପ୍ରେମିକାଟି।



Rate this content
Log in

Similar oriya story from Tragedy