Debajyoti Abinash

Drama Tragedy Inspirational

4.4  

Debajyoti Abinash

Drama Tragedy Inspirational

ଦେବୀ

ଦେବୀ

13 mins
402


ମୋର ଭଲ ଭାବରେ ମନେ ଅଛି ଗଲା ଡିସେମ୍ବରରେ ଯେବେ ମୁଁ ପଥରଗଡ ଯାଇଥିଲି, ନିଜ ସ୍ତ୍ରୀ ସାରିକା ଆଉ ୧୨ ବର୍ଷ ର ଝିଅ ସ୍ଵଧା କୁ ନେଇ, ସେଠି ଥିବା ଦେବୀ ଭଗବତୀ ମହାତାରାଙ୍କ ଆଶ୍ରମକୁ। ବାକି ଲୋକଙ୍କ ପାଇଁ ସେ ଥିଲେ ବହୁତ୍ ବଡ଼ ଦେବୀ ଉପାସିକା, ମା କାଳୀଙ୍କ ଭକ୍ତ, ଯାହାଙ୍କୁ ଶ୍ରଦ୍ଧାରେ ଲୋକେ ଗୁରୁମା ବୋଲି ଡାକୁଥିଲେ। ହେଲେ ମୋ ପାଇଁ, ସେ ଥିଲେ ମୋ ଚିନୁ ଅପା। ସେ ଚିନ୍ମୟୀ ଦାସ ବା ଚିନୁର ବ୍ୟକ୍ତିତ୍ଵ ତ୍ୟାଗ କରି ଗୁରୁମା ହେବା ପର ଠାରୁ ମୁଁ ତାଙ୍କ ସହ ଆଉ କେବେ ଦେଖା କରି ନଥିଲି। ହେଲେ ଅଚାନକ ଦିନେ ଗାଆଁ ରୁ ମା ଖବର ପଠେଇଲା ଯେ ଅପା ଙ୍କ ଦେହ ଭୀଷଣ ଖରାପ ଆଉ ଦିନକୁ ଦିନ ବିଗିଡି ଚାଲିଛି। ଏବେ ଆଉ ଚଲା ବୁଲା ବି କରି ପାରୁ ନାହାଁନ୍ତି। କେତେବେଳେ ଯେ କଣ ହେବ କିଛି ଠିକ୍ ନାହିଁ। ଏ ଖବର ଶୁଣି ମୋତେ ବହୁତ ଦୁଃଖ ଲାଗିଥିଲା, କାହିଁକି କେଜାଣି ନ ଚାହୁଁ ଥିଲେ ବି ଆଖିରୁ ଲୁହ କେଇ ବୁନ୍ଦା ବାହାରି ଆସିଲା, ଯେବେ କି ଏତେ ବର୍ଷ ହେଲା ତାଙ୍କ ସହ ମୋର ଦେଖା ତ ଛାଡ଼, କଥାବାର୍ତ୍ତା ବି ହେଇନି। ବୋଧେ ପିଲାଦିନ କଥା ମନେ ପଡ଼ି ଯାଇଥିଲା। ଏମିତି ବି ନୁହେଁ ଯେ ତାଙ୍କ ସହ ଦେଖା କରିବାର ସୁଯୋଗ କେବେ ମିଳିନି। ମିଳିଛି, ଅନେକ ଥର ମିଳିଛି। ସେ ସବୁ ବର୍ଷ ଥରେ ଯେମିତି ହେଲେ ଗାଆଁକୁ ଆସୁଥିଲେ ଦର୍ଶନ ଦେବା ପାଇଁ ଆଉ ଧର୍ମ ଚର୍ଚ୍ଚା କରିବା ପାଇଁ। ଏମିତି ବି ବହୁତ୍ ଥର ହେଇଛି ଯେ ମୁଁ ସେ ସମୟରେ ଗାଆଁ ରେ ହିଁ ଥାଏ। ହେଲେ ମୁଁ ହେଲି ନାସ୍ତିକ, ଏ ସବୁ ଧର୍ମ କର୍ମ କୁ ମୋର ପ୍ରବଳ ନାପସନ୍ଦ। ସେଥି ପାଇଁ କେବେ ବି ତାଙ୍କୁ ଦେଖା କରିବାକୁ ଯାଏନି। 


ଚିନୁ ଅପା ମୋ ନିଜ ପିଉସୀ ନୁହେଁ। ସେ ଆମ ପଡିଶା ଘରେ ରହୁଥିଲେ। ମୋ ବାପାଙ୍କର କେହି ନିଜର ଭଉଣୀ ନଥିଲେ। ସେଥି ପାଇଁ ଚିନୁ ଅପା ତାଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧୁଥିଲେ। ସେଥି ଲାଗି ତାଙ୍କର ଆଉ ଆମ ପରିବାର ଭିତରେ ସମ୍ପର୍କ ବହୁତ ନିବିଡ଼ ଥିଲା। ଆମେ ୪ ଭାଇ ଭଉଣୀ ଥିଲୁ। ମୁଁ ତିନି ନମ୍ବର। ହେଲେ ଚିନୁ ଅପା ସବୁଠୁ ଅଧିକା ମୋତେ ଗେହ୍ଲା କରୁଥିଲେ। ଦିନ ଯାକ ମୋ ପାଖରେ ରହୁଥିଲେ, ମୋର ସବୁ କାମ କରୁଥିଲେ, ଛୁଆ ଦିନେ ଗାଧୋଇ ଦଉଥିଲେ, ଖୁଆଇ ଦଉଥିଲେ, ଆଉ ପଢେଇ ବି ଦେଉଥିଲେ। ସାହି ଯାକ ଲୋକ ଚିଡ଼େଇବା ପାଇଁ କୁହନ୍ତି ବିଟୁଟା ପରଶୁ ବୋହୁ ର ନୁହେଁ, ଚିନୁ ର ପୁଅ। ମୋ ସାନ ଭାଇ ଆଉ ମୁଁ ପାଖା ପାଖି ଏକା ବୟସର। ତ, ଚିନୁ ଅପା ଯୋଗୁଁ ମୋ ମା ର କାମ ବି ହାଲକା ହେଇ ଯାଉଥିଲା। ମା ବି ଖୁସି। ୨-୨ ଟା ଛୁଆଙ୍କଠୁ ତ ଗୋଟେ ଛୁଆ ପଛରେ ଦୌଡ଼ିବା ଭଲ। ମୁଁ ବି ଚିନୁ ଅପାକୁ ବହୁତ୍ ଭଲ ପାଉଥିଲି, ସତ କହିବାକୁ ଗଲେ ବୋଧହୁଏ ମୋ ମା ଠୁ ବି ଅଧିକା। ହେଲେ, ସେ କଣ ଆଉ ସବୁଦିନେ ମୋ ସହ ରହିଥା ନ୍ତେ? ତାଙ୍କ ବାହା ବୟସ ହେଇ ସାରିଥିଲା। ପ୍ରସ୍ତାବ ବି ଆସୁଥିଲା। ମୁଁ ତ ଚାହୁଁ ନଥିଲି ଚିନୁ ଅପା ବାହା ହେଇକି ମୋତେ ଛାଡ଼ି ଯାଆନ୍ତୁ ବୋଲି। ହେଲେ, ଆମେ ଯାହା ଚାହୁଁ ସେଇୟା କଣ ସବୁବେଳେ ହୁଏ! ସେମିତି ରେ ବି ଚିନୁ ଅପା ଙ୍କ ବାପା, ମାନେ ମୋ ସାନ ଜେଜେବାପା ଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥିଲା। ସେଥି ଲାଗି ସେ ବି ଚାହୁଥିଲେ କେମିତି ଜଲଦି ବାହାଘର ଟା ସରି ଗଲେ ତାଙ୍କ ମୁଣ୍ଡରୁ ବୋଝ ହାଲକା ହେବ। 


ମୋର ମନେ ଅଛି ମୁଁ ସେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ଯେବେ ଚିନୁ ଅପାଙ୍କ ବାହାଘର ହେଇଥିଲା। ସେ ଶାଶୁଘରକୁ ଗଲା ବେଳେ ମୁଁ ତାଙ୍କୁ ଜୋର ରେ ଭିଡ଼ିକି ପ୍ରବଳ କାନ୍ଦିଥିଲି। ମୁଁ ଜିଦ୍ଦି ଧରିଥିଲି ଯେ ଅପାଙ୍କୁ ଯିବାକୁ ଦେବିନି। ସେ ବି ବହୁତ କାନ୍ଦିଥିଲେ। ସବୁ ଲୋକ ମୋତେ ପରେ ବହୁତ ଚିଡେଇ ବି ଥିଲେ ଏଇଥି ଲାଗି। ବାହାଘର ପରେ ବୋଧ ହୁଏ ଅପା ଜମା ଦୁଇ ତିନି ଥର ହିଁ ଗାଆଁ କୁ ଆସିଥିଲେ। ମୋର ମନେ ଅଛି ସେ ଶେଷ ଥର ଯେବେ ଆସିଥିଲେ ମୋତେ ଧରି ପ୍ରବଳ କାନ୍ଦିଥିଲେ। ମୋ କଥା ତାଙ୍କର ବହୁତ ମନେ ପଡୁଥିଲା ବୋଧେ। ତା ପରେ ଦଶହରା ଛୁଟି ସମୟରେ ଅପାଙ୍କ ଶାଶୁଘରୁ ଖବର ଆସିଲା ଯେ ଅଷ୍ଟମୀ ରାତି ରେ କୁଆଡେ ଆପାଙ୍କ ଦେହରେ ଦେବୀ ଲାଗିଥିଲେ ଆଉ ସେ ଅପାଙ୍କୁ ସବୁ କିଛି ତ୍ୟାଗ କରି ଆଜୀବନ ତାଙ୍କ ପୂଜା ଆଉ ସେବା କରିବାକୁ ଆଦେଶ ଦେଇଛନ୍ତି। ଆଉ କୁଆଡେ ଗାଆଁ ଲୋକଙ୍କୁ କହିଛନ୍ତି ଯେ ଆର ମାସ ପୂର୍ଣ୍ଣିମା ପୂର୍ବରୁ ଗାଆଁ ମୁଣ୍ଡରେ ଗୋଟେ ମନ୍ଦିର ଆଉ ଆଶ୍ରମ ବନେଇବା ପାଇଁ ଯୋଉଠି ରହି ଅପା ତାଙ୍କ ସେବା କରିବେ। ଦେବୀ କୁଆଡେ ଚେତାବନୀ ଦେଇଛନ୍ତି ଯେ ପୂର୍ଣ୍ଣିମା ପୂର୍ବରୁ ଯଦି ମନ୍ଦିର ଆଉ ଆଶ୍ରମ ନିର୍ମାଣ ନ ହୁଏ ତାହେଲେ ଗାଁକୁ ବହୁତ୍ ବଡ଼ ବିପଦ ଆସିବ। ତା ପରେ ଆଉ କଣ! ପୂର୍ଣ୍ଣିମା ଦିନ ମନ୍ଦିର ର ଉଦ୍ଘାଟନ ହେଲା, ଆଶ୍ରମ ପ୍ରତିଷ୍ଠା ହେଲା। ବହୁତ ବଡ଼ ଯଜ୍ଞ ହେଇଥିଲା ଆଉ ବହୁତ ବଡ଼ ମେଳା ବି ଲାଗିଥିଲା। ଆମ ଗାଁ ଲୋକେ, ଅପାଙ୍କ ଘର ଲୋକ, ଆମ ଘର ଲୋକ, ସମସ୍ତେ ଯାଇଥିଲେ। ମୋର ମନେ ଅଛି ମା ଆସିକି କହିଥିଲା ସବୁ କଥା। କେମିତି ଅପା ଚିନ୍ମୟୀ ବା ଚିନୁ ନାଁ କୁ ଛାଡ଼ି ନୂଆ ନାଁ ରଖିଛନ୍ତି, ଦେବୀ ଭଗବତୀ ମହାତାରା। ଆଉ ନିଜକୁ ସମ୍ପୂର୍ଣ୍ଣ ରୂପେ ଦେବୀ ଙ୍କ ସେବା ରେ ସମର୍ପିତ କରି ଦେଇଛନ୍ତି। 


ଧୀରେ ଧୀରେ ଏ କଥା ଆଖପାଖ ଗାଁରେ ଜଙ୍ଗଲର ନିଆଁ ଭଳି ବ୍ୟାପିଗଲା। ଦୂର ଦୁରାନ୍ତରୁ ଲୋକେ ଦେବୀ ଆଉ ଅପାଙ୍କ ଦର୍ଶନ ପାଇଁ ଆଶ୍ରମ ଆସିବା ଆରମ୍ଭ କରିଦେଲେ। ଅପା ଲୋକଙ୍କ ଦୁଃଖ ଦୁବିଧା ଶୁଣି ଦେବୀଙ୍କ ପାଖରେ ସେମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଲୋକ କହୁଥିଲେ କୁଆଡେ ଦେବୀ ମାଆ ଅପାଙ୍କ ସବୁ ଗୁହାରି ଶୁଣୁଥିଲେ ଆଉ ଲୋକଙ୍କ ଦୁଃଖ ଦୂର କରୁଥିଲେ। ଧୀରେ ଧୀରେ ଅପାଙ୍କ ଭକ୍ତ ମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। କାହିଁ କେତେ ଦୂରରୁ କେତେ କେତେ ଲୋକ, ଏମିତି କି ନେତା ମନ୍ତ୍ରୀ, ବ୍ୟବସାୟୀ, ଅଧିକାରୀ ମାନେ ବି ଅପାଙ୍କ ଦର୍ଶନ ପାଇଁ ଆଶ୍ରମ ଦୌଡ଼ିଲେ। ଅପା ଲୋକଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଜାଗାକୁ ଯାଇ ସଭା ବି କରୁଥିଲେ, ଦେବୀଙ୍କ ଗୁଣ ଗାନ କରୁଥିଲେ, ଲୋକଙ୍କୁ ଆଶୀର୍ବାଦ ଦେଉଥିଲେ। ଲୋକେ ତାଙ୍କୁ ଶ୍ରଦ୍ଧା ରେ ଗୁରୁମା ବୋଲି ଡାକୁଥିଲେ। ସେ ସବୁ ବର୍ଷ ଆମ ଗାଁକୁ ବି ଥରେ ନିଶ୍ଚୟ ଆସୁଥିଲେ। ହେଲେ କେବେ କାହା ଘରକୁ ଯାଉ ନଥିଲେ। ତାଙ୍କ ରହିବା ଖାଈବା ପାଇଁ ମନ୍ଦିର ରେ ଅଲଗା ବ୍ୟବସ୍ଥା ହେଉଥିଲା। ଗାଆଁର ସବୁ ଲୋକ ତାଙ୍କ ସଭାକୁ ଯାଉଥିଲେ, ଏମିତି କି ଅପାଙ୍କ ଘର ଲୋକ, ମୋ ଜେଜେ ମାଆ, ମାଆ ଆଉ ବାପା ବି। ମୋତେ ତ ଅଧିକା ଆଶ୍ଚର୍ଯ୍ୟ ଏଇୟା ଦେଖି ଲାଗୁଥିଲା ଯେ ଏମାନେ ସମସ୍ତେ ବି ଅପା ଙ୍କୁ ଗୁରୁମା ବୋଲି ଡାକୁଥିଲେ ଆଉ ମୁଁ ଅପା ଡାକିଲେ ମୋତେ ତାଗିଦ୍ କରୁଥିଲେ। ହେଲେ, ଯେମିତି କି ମୁଁ ଆଗରୁ ବି କହିଛି, ମୁଁ ଜଣେ ନାସ୍ତିକ। ମୁଁ ଏ ସବୁ ଦେବୀ ଦେବତା, ଧର୍ମ ଫର୍ମ ରେ ବିଶ୍ୱାସ କରେନା। ମୋତେ ଏ ସବୁ ପ୍ରବଞ୍ଚନା ଲାଗେ। ଏଥି ପାଇଁ ଅପାଙ୍କୁ ଦେଖିବାକୁ ପ୍ରବଳ ଇଛା ଥିଲେ ବି କେବେ ତାଙ୍କ ସଭାକୁ ଯାଏନା। 


ତା ପରେ ଗାଆଁରେ ମୋର ରହଣି ଆଉ ୩-୪ ବର୍ଷର ହିଁ ଥିଲା। ଦଶମ ପରେ ପଢ଼ିବା ପାଇଁ ସହରକୁ ଚାଲି ଆସିଥିଲି। ଗାଆଁକୁ କେବଳ ଛୁଟିରେ ହିଁ ଯାଉଥିଲି। ତା ପରେ ପଢା ଶେଷ ହେଲା, ତା ପରେ ଚାକିରୀ, କିଛି ବର୍ଷ ପରେ ସାରିକା ସହ ବାହାଘର ଆଉ ତା ପରେ ସ୍ୱଧାର ଜନ୍ମ। ଏ ସବୁ ଭିତରେ ପ୍ରଥମେ ଜେଜେ ମାଆ, ତା ପରେ ଏବେ କିଛି ବର୍ଷ ତଳେ ବାପା ବି ଆମକୁ ଛାଡ଼ି ଆର ପାରିକୁ ଚାଲି ଗଲେଣି। ସେବେଠୁ କେବେ ବି ଆଉ ଅପା ଙ୍କ ସହ ଦେଖା ହେଇ ନଥିଲା। ହେଲେ ଗଲା ଡିସେମ୍ବର ଯେତେେଳେ ଅପାଙ୍କ ଦେହ ଖରାପ ବିଷୟରେ ଶୁଣିଥିଲି, ଆଉ ନିଜକୁ ସମ୍ଭାଳି ପାରି ନଥିଲି। ମୋ ବାହାଘର ଆଉ ସ୍ଵଧାର ଜନ୍ମ ସମୟରେ ମା ବହୁତ କହିଥିଲା ଅପାଙ୍କ ପାଖକୁ ଯାଇ ତାଙ୍କଠୁ ଆଶୀର୍ବାଦ ନେବା ପାଇଁ। ହେଲେ ସବୁଥର ମୁଁ ଜିଦ୍ଦି ରେ ତାଙ୍କ କଥା ଟାଳି ଦେଇଥିଲି। ମାତ୍ର କାହିଁକି କେଜାଣି ସେତେବେଳେ ମୋତେ ଲାଗିଥିଲା ଯେ ସାରିକା ଆଉ ସ୍ୱଧାକୁ ବି ସାଙ୍ଗରେ ନେଇ ଯିବା ଠିକ୍ ହେବ ବୋଲି। ତ ଆମେ ୩ ଜଣ ଯାକ ସକାଳୁ ସକାଳୁ ବାହାରି ପଡ଼ିଲୁ ପଥରଗଡ ଯିବା ପାଇଁ। ଆମେ ସେଠି ପହଞ୍ଚିଲା ବେଳକୁ ସକାଳ ୯.୩୦ ବାଜିଥିଲା। ସେଠି ଦେବୀ ଙ୍କର ଗୋଟେ ଭବ୍ୟ ମନ୍ଦିର ଥିଲା ଆଉ ଆଶ୍ରମ ତ ବହୁତ ହିଁ ବଡ଼ ଆଉ ସୁନ୍ଦର । ମୋ ସ୍ତ୍ରୀ ମନ୍ଦିର ଯାଇ ଦେବୀଙ୍କୁ ଦର୍ଶନ କରି ଆସିଲା। ତା ପରେ ନିଜ ପରିଚୟ ଦେଇ ଅପାଙ୍କ ବିଷୟରେ ପଚାରିବାରୁ ୧୭-୧୮ ବର୍ଷର ନାରଙ୍ଗୀ ଶାଢ଼ୀ ପିନ୍ଧିଥିବା ଝିଅଟିଏ ଆମକୁ ନେଇ ଅପାଙ୍କ ରୁମ୍ ପାଖରେ ଛାଡ଼ି ଦେଇ ଆସିଲା। ମୋ ନଜର ଯେତେବେଳେ ବିଛଣାରେ ପଡ଼ିଥିବା ସେ ରୋଗିଣା, ଦୁର୍ବଳ ବୁଢ଼ୀ ଲୋକଟି ଉପରେ ପଡ଼ିଲା, ମୋ ଆଖିରେ ଲୁହ ଜକେଇ ଆସିଲା। ହେଲେ ପାଖରେ ସାରିକା ଆଉ ସ୍ୱଧା ଥିବାରୁ ନିଜ ମନକୁ କାବୁରେ ରଖିବାକୁ ପଡ଼ିଲା। 


ମୁଁ ଅପାଙ୍କ ପାଦ ଛୁଇଁ ପ୍ରଣାମ କଲି ଆଉ ଗଳା ସଫା କରି ଧୀରେ କହିଲି, "ଅପା, ମୁଁ ବିଟୁ। ତମକୁ ଦେଖିବାକୁ ଆସିଛି। ଇଏ ମୋ ସ୍ତ୍ରୀ ସାରିକା ଆଉ ଇଏ ମୋ ଝିଅ ସ୍ୱଧା। ଜଣ ଜଣ କରି ସାରିକା ଆଉ ସ୍ୱଧା ଅପାଙ୍କୁ ପ୍ରଣାମ କରି ସାରିଲା ପରେ ଅପା ଆମ ଆଡ଼କୁ ଚାହିଁ ଦେଖିଲେ। ଆଖି ବି ଠିକସେ ଖୋଲି ପାରୁ ନଥାନ୍ତି ସେ। ମୁଁ ସେତେବେଳୁ ଧୈର୍ଯ୍ୟ ଧରି ଠିଆ ହେଇ ରହିଥିଲି, ମାତ୍ର ଯେତେବେଳେ ମୋ ନଜର ଅପା ଙ୍କ ଆଖିରୁ ବହୁଥିବା ଲୁହ ଉପରେ ପଡ଼ିଲା, ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ଆଉ ଅପାଙ୍କ ପାଦକୁ ଜୋରରେ ଭିଡ଼ି ଛୋଟ ଛୁଆଙ୍କ ପରି କାନ୍ଦିବାକୁ ଲାଗିଲି ଆଉ କ୍ଷମା ବି ମାଗିଲି ଯେ ଏତେ ବର୍ଷ ହେଲା ଥରଟେ ବି ତାଙ୍କୁ ଦେଖା କରିବାକୁ ଆସିନଥିଲି ବୋଲି। ମୋ ଉପରେ ଆଉ କିଛି ଫରକ ପଡୁ ନଥାଏ ଯେ ମୋ ସ୍ତ୍ରୀ ଓ ଝିଅ ମୋ ପାଖରେ ଛିଡ଼ା ହୋଇଥାନ୍ତି ବୋଲି। କିଛି ସମୟ ପରେ ଅପାଙ୍କର ଥରଥର ଥରୁଥିବା ହାତ ମୋ ମୁଣ୍ଡ ଆଉଁସୁ ଥିବାର ଅନୁଭବ କଲି। ପିଲା ଦିନ କଥା ସବୁ ମୋ ଆଖି ଆଗରେ ନାଚି ଉଠିଲା ଯେବେ ଅପା ଏମିତି ମୋ ମୁଣ୍ଡ ଆଉଁସି ମୋତେ ସବୁ ଦିନ ଶୁଏଇ ଦେଉଥିଲେ ଆଉ ସବୁଦିନ ସକାଳେ ସ୍କୁଲ ଯିବା ପୁର୍ବରୁ ମୁଁ ହଜାର ମନା କଲା ପରେ ବି ଜବରଦସ୍ତି ମୋ ମୁଣ୍ଡରେ ନଡିଆ ତେଲ ଲଗେଇ ଦଉଥିଲେ। ମୁଁ ଆହୁରି ଜୋରରେ କାନ୍ଦିବାକୁ ଲାଗିଲି। ଏତେ ସମୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଅପା ମୋତେ ଚୁପ୍ ହେବା ପାଇଁ କହିଲେ। କିଛି ସମୟ ପରେ ନିଜକୁ ସମ୍ଭାଳି ମୁଁ ଅପାଙ୍କ ମୁଣ୍ଡ ପାଖରେ ଗୋଟେ ଚଉକି ପକେଇ ବସିଗଲି। ଅପା ହାତ ଠାରି ସାରିକା ଆଉ ସ୍ୱଧାକୁ ନିଜ ପାଖକୁ ଡାକିଲେ ଆଉ ପ୍ରଥମେ ସାରିକାର ମୁଣ୍ଡ ଉପରେ ହାତ ରଖି ତାକୁ ଆଶୀର୍ବାଦ ଦେଲେ। ତା ପରେ ସ୍ୱଧା କୁ ମୁଣ୍ଡ ନୁଏଇଁବାକୁ ଇଶାରା କରି ତା ମଥାରେ ଆଙ୍କି ଦେଲେ ସ୍ନେହଭରା ଚୁମ୍ବନଟିଏ। ମୁଁ ମୁଣ୍ଡ ଉଠେଇ ସାରିକାକୁ ଦେଖେ ତ ତା ଆଖିରେ ବି ଲୁହ। 


ଅପା ମୋତେ ମୋ ବିଷୟରେ, ମୋ ଦେହ ପା' କଥା, ଚାକିରୀ କଥା, ମାଆ ଆଉ ଗାଆଁ ବିଷୟରେ ବହୁତ କିଛି ପଚାରି ବୁଝିଲେ। ଏମିତି ଲାଗୁଥିଲା ଯେମିତି ଏ ସବୁ ପ୍ରଶ୍ନ ଗୁଡ଼ା ଏତେ ବର୍ଷ ଧରି ନିଜ ଛାତିତଳେ ଚାପି ରଖିଥିଲେ। ମୁଁ ଏତେ ବର୍ଷ ହେଲା ଦେଖା କରିବାକୁ ଆସି ନଥିଲି ବୋଲି ଅଭିମାନ ବି କଲେ, ଗାଳି ବି ଦେଲେ, ହେଲେ ମୁଁ ଭୁଲ ମାଗିଲା ପରେ କହିଲେ ଯେ ମୁଁ ତ ତାଙ୍କ ପୁଅ ଆଉ ପୁଅ ଉପରେ ମାଆ କଣ ରାଗ ଅଭିମାନ ରଖେ? ସେ ସାରିକାକୁ ବି ଘର ବିଷୟରେ, ତା ପରିବାର ବିଷୟରେ, ତା ଚାକିରୀ ବିଷୟରେ ଏମିତି କେତେ କଥା ପଚାରିଲେ। ଆଉ ସ୍ୱଧାକୁ ବି ତା ପାଠ ପଢା ଆଉ ସ୍କୁଲ ବିଷୟରେ ପଚାରି ବୁଝିଲେ ଆଉ ଏଇୟା ବି ଯେ ମୁଁ ତାକୁ କେବେ ମାରପିଟ କରୁନି ତ? କିଛି ସମୟ ପରେ ଯୋଉ ଝିଅଟି ଆମକୁ ଅପାଙ୍କ ପାଖରେ ଛାଡ଼ି ଯାଇଥିଲା ସେ ଆସି ଆମକୁ ଖାଇବାକୁ ଡାକି ଦେଇଗଲା। ଅପା ବି ଆମକୁ ଏତେ ଦୂରରୁ ଆସିଛୁ ଆଉ ସେତେବେଳଠାରୁ ତାଙ୍କ ପାଖରେ ବସିଛୁ ବୋଲି ଆଗ ଯାଇ ଖାଇଦେଇ ଆସିବାକୁ କହିଲେ। ମୁଁ ଠିକ ଉଠିକି ଯିବାକୁ ବାହାରିଲା ବେଳେ ଅପା ମୋ ହାତକୁ ଚାପି ଧରି ଖାଇସାରି ତାଙ୍କ ପାଖକୁ ଆସିବାକୁ କହିଲେ। 


ଖାଇସାରି ମୁଁ ସାରିକାକୁ କହିଲି ସ୍ୱଧାକୁ ଆଶ୍ରମର ବଗିଚାରେ ଟିକେ ବୁଲେଇ ଆଣିବା ପାଇଁ ଆଉ ନିଜେ ଅପାଙ୍କ ପାଖକୁ ଚାଲି ଗଲି। ଅପା ମୋତେ ତାଙ୍କ ପାଖରେ ବସିବାକୁ କହି, ମୋ ହାତକୁ ନିଜ ଥରଥର ହାତ ରେ ଜାବୁଡ଼ି ଧରି କହିଲେ, "ବିଟୁ, ବିଶ୍ୱାସ କର, ମୁଁ ତୋ ଉପରେ ଜମା ବି ରାଗିନି। ମୁଁ ଜାଣିଛି ତୁ କଣ ପାଇଁ ମୋତେ ଦେଖା କରିବାକୁ ଆସୁ ନଥିଲୁ। ତୁ ଛୁଆରୁ ହିଁ ତ ଏମିତି। ଧର୍ମ କର୍ମ, ଦେବୀ ଦେବତାରେ ବିଶ୍ୱାସ କରୁନା। ବୋଧ ହୁଏ ତୁ କେବେ ଏ ବିଷୟରେ ଭାବି ନଥିବୁ, ହେଲେ ତୁ ନାସ୍ତିକ ହେବା ପଛର କାରଣ ବି ବୋଧେ ମୁଁ ହିଁ। ମୁଁ ବି ଏସବୁରେ ବିଶ୍ୱାସ କରୁ ନଥିଲି। ଆଉ ଭାଉଜ ତ ତୋତେ ପୁରା ମୋ ପାଖରେ ହିଁ ଛାଡ଼ି ଦେଇଥିଲେ। ଦିନ ରାତି ତୁ ମୋ ପାଖରେ ହିଁ ଥିଲୁ। ଆଉ ଛୋଟ ଛୁଆ ଯେମିତି ସଂଗତି ରେ ରହିବେ, ସେମିତି ହିଁ ତ ଗଢ଼ି ହେବେ। ଯାହା ଦେଖିବେ, ଶୁଣିବେ, ସେଇୟା ହିଁ ତ ଶିଖିବେ, ମସ୍ତିଷ୍କ ଉପରେ ସେମିତି ପ୍ରଭାବ ପଡ଼ିବ। ମୁଁ ତୋତେ କେବେ ଦେବୀ ଦେବତାଙ୍କ କଥା କହିନି। କେବେ ଦେବତା ରାକ୍ଷସ ଙ୍କ କାହାଣୀ କହି ତୋତେ ଶୁଏଇ ଦେଇନି। ନା ତୋତେ କେବେ ମନ୍ଦିର ନେଇ ଯାଇଛି, ଆଉ ନା ପୂଜା ପାଠ କରିବା ଶିଖେଇଛି ଆଉ ନା ହିଁ କେବେ ପରୀକ୍ଷା ପୂର୍ବରୁ ଠାକୁର ଘରେ ମୁଣ୍ଡିଆ ମାରି ଯିବାକୁ କହିଛି।" ଅପାଙ୍କ କଥା ଶୁଣି ମୁଁ ବି ଅନୁଭବ କଲି ଯେ ଅପା ଯାହା କହୁଛନ୍ତି ସେଇ କଥା ଗୁଡ଼ା ତ ସତ। ମୁଁ ଛୁଆ ଦିନେ ସବୁବେଳେ ଅପା ଙ୍କ ସାଙ୍ଗରେ ରହୁଥିଲି। ହେଲେ କାଇଁ କେବେ ତାଙ୍କୁ ମନ୍ଦିର ଯିବାର, ପୂଜା କରୁଥିବାର କି ବ୍ରତ ଉପବାସ ରଖୁଥିବାର ଦେଖିଥିବା ତ ମୋର ମନେ ପଡୁନି। ମୋତେ ସେ ଦେବତା ରାକ୍ଷସ ଙ୍କ କାହାଣୀ ନୁହେଁ, ବରଂ ବାହାର ଦେଶ ସବୁର ଲୋକ ଙ୍କ କଥା କହୁଥିଲେ, ସେମାନଙ୍କ ଗପ ଶୁଣଉଥିଲେ। ବୋଧ ହୁଏ ଏଇ ସବୁର ପ୍ରଭାବ ହିଁ ପଡ଼ିଥିବ ମୋ ଉପରେ। 


କିଛି ସମୟର ଅନ୍ତରାଳ ପରେ ଅପା ପୁଣି କହିବା ଆରମ୍ଭ କଲେ, "ତୁ ତାହେଲେ ଭାବୁଥିବୁ ଯେ ମୁଁ ତେବେ ଏଇୟା କେମିତି ହେଇଗଲି ଯାହା ଏବେ ମୁଁ ଅଟେ, ଯାହା ଏବେ ମୋର ପରିଚୟ। ଆଉ କଣ ପାଇଁ? ୟା ପଛରେ ବି କାରଣ ରହିଛି। ତୋର ତ ମନେ ହିଁ ଥିବ ଯେ ଆମ ଘରର ଆର୍ଥିକ ସ୍ଥିତି କେମିତି ଥିଲା? ଏତେ ପଇସା ପତ୍ର କୋଉଠି ଥିଲା ଆମର? ସେଥି ପାଇଁ ତ ବାପାଙ୍କୁ ମୋ ବାହାଘରର ଏତେ ଜଲଦି ଥିଲା। ଆଉ ଭଲ ଘର ଆଉ ବିନା ଯୌତୁକରେ ବାହାଘର କଥା ଶୁଣି ସାଙ୍ଗେ ସାଙ୍ଗେ ରାଜି ହେଇ ଯାଇଥିଲେ ସେ। ତୋ ଠୁ ଆଉ କଣ ଲୁଚେଇବି? ସତ କହିବାକୁ ଗଲେ, ମୁଁ ବାହାଘର ବେଳେ ଯୌତୁକ ରେ ବେଶୀ କିଛି ନେଇକି ଯାଇ ନଥିଲି। ହେଲେ ସେମାନେ ହିଁ ତ କହିଥିଲେ ଯେ ଖାଲି ୨ ଖଣ୍ଡ ସୂତାଲୁଗା ସହ ବି ଝିଅ କୁ ପଠେଇ ଦେଲେ, ସେତିକି ସେମାନଙ୍କ ପାଇଁ ଯଥେଷ୍ଟ। ଆଉ କିଛି ଦରକାର୍ ନାହିଁ ବୋଲି। କେବଳ ଏଇ କାରଣ ପାଇଁ ହିଁ ତ ବାପା ଏ ପ୍ରସ୍ତାବରେ ରାଜି ହେଇଥିଲେ। ହେଲେ, ବାହାଘର ପରେ ସେମାନେ ଧିରେ ଧିରେ ନାନା ରକମର ଜିନିଷ, ଆସବାବପତ୍ର, କେବେ କେବେ ଟଙ୍କା, ସବୁ ବାପାଙ୍କଠୁ ମାଗି ଆଣିବା ପାଇଁ ମୋତେ ବାଧ୍ୟ କରିବା ଆରମ୍ଭ କଲେ। 


ମୁଁ ସବୁବେଳେ ସବୁକିଛି ଚୁପଚାପ ଶୁଣୁଥିଲି। ନା କେବେ କିଛି କହୁଥିଲି ନା ହିଁ ବାପାଙ୍କୁ କେବେ ବି କିଛି ଜଣାଉଥିଲି। ହେଲେ ଦିନେ ଯେତେବେଳେ ମୋ ଶାଶୁ ମୋତେ ମୋ ସ୍ବାମୀଙ୍କ ପାଇଁ ସ୍କୁଟର କିଣିବା ପାଇଁ ବାପାଙ୍କଠୁ ଟଙ୍କା ମାଗିବା ପାଇଁ କହିଲା, ମୁଁ ସଫାସଫା ମନା କରିଦେଲି ଯେ ମୁଁ ବାପାଙ୍କୁ ଏତେ ଟଙ୍କା ମାଗିବିନି ବୋଲି। ସେଦିନ ସନ୍ଧ୍ୟାରେ ଅଫିସରୁ ଘରେ ପହଞ୍ଚୁ ପହଞ୍ଚୁ ମୋ ସ୍ବାମୀ ମୋତେ ଅଭଦ୍ର ଭାଷାରେ ଗାଳି ଦେଇ ବେଲ୍ଟ ଖୋଲି ପିଟିବା ଆରମ୍ଭ କରିଦେଲା। ମୁଁ ନିଜକୁ ବଞ୍ଚେଇବା ପାଇଁ ଆଉ ସାହାଯ୍ୟ ମାଗିବା ପାଇଁ ଘରୁ ବାହାରକୁ ଦଉଡ଼ି ପଳେଇ ଆସିଲାରୁ ସେ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ମୋତେ ପିଟିଲା। ସାହି ଲୋକ ସମସ୍ତେ ଦେଖୁଥିଲେ, ହେଲେ କେହି କିଛି ବି କହିଲେନି କି କେହି ବି ମୋତେ ସାହାଯ୍ୟ କଲେନି। ତା ପରଠୁ ସେ ସବୁଦିନ ମୋତେ ବାପାଙ୍କୁ ଟଙ୍କା ମାଗିବାକୁ କୁହେ। ମୁଁ ସବୁଦିନ ମନା କରେ ଆଉ ସବୁଦିନ ମାଡ଼ ଖାଏ, କେବେ ହାତରେ, କେବେ ଗୋଇଠା, କେବେ ଵେଲ୍ଟରେ, କେବେ ଝାଡୁରେ, ନହେଲେ ସେତେବେଳେ ତା ହାତରେ ଯାହା ବି ପଡ଼ିଲା, ସେଇଥିରେ। ହେଲେ, ମୁଁ ତ ଆମ ଘର କଥା ଜାଣିଥିଲି। ସେଥି ପାଇଁ ବାପାଙ୍କୁ କେବେ ବି କିଛି ଜଣଉନଥିଲି।


ସେମାନଙ୍କୁ ବି ଜଣା ପଡି ସାରିଥିଲା ବୋଧେ ଯେ ସେମାନେ ଯେତେ ଯାହା କଲେ ବି କି ଯେତେ ବାଡେଇଲେ ବି, ମୁଁ ଟଙ୍କା ମଗିବିନି। ସେଥି ପାଇଁ ଦିନେ ମୋ ଶାଶୁ ଆଉ ସ୍ବାମୀ ମୋତେ ବାନ୍ଧିଦେଇ ମୋ ଉପରେ କିରୋସିନ ଢ଼ାଳି ଦେଲେ ଆଉ ଧମକ ଦେଲେ ଯେ ଜଲଦି ଯଦି ମୋ ବାପାଙ୍କ ପାଖରୁ ସ୍କୁଟର ପାଇଁ ଟଙ୍କା ନ ମିଳେ ତାହେଲେ ଆର ଥରକୁ ନିଆଁ ବି ଲଗେଇ ଦେବେ। ମୁଁ ସେଇଠି ସେମିତି ପଡି ରହି ନିଜ କପାଳକୁ ନିନ୍ଦି ଅନେକ ସମୟ ଯାଏଁ କାନ୍ଦିଲି। ତା ପର ଦିନ ମୋ ସ୍ବାମୀ ମୋତେ ନେଇ ଆମ ଘରେ ଛାଡ଼ି ଦେଇ ଆସିଲା ଯେମିତି ମୁଁ ଟଙ୍କା ମାଗି ଆଣିବି। ତୋର ମନେ ଅଛି ତୁ ମୋତେ ଦେଖା କରିବାକୁ ଆସିଥିଲୁ ଆଉ ମୁଁ ତୋତେ ଜାବୁଡ଼ି ଧରି ବହୁତ ସମୟ ଯାଏଁ କାନ୍ଦିଥିଲି? ମୁଁ ବାପାଙ୍କୁ ସବୁ କିଛି କହିଲି ଆଉ କାକୁତି ମିନତି କଲି ମୋତେ ସେଠିକି ଆଉ ନ ପଠେଇବା ପାଇଁ। ମୁଁ ଆଉ ସେଠିକି ଯିବାକୁ ଚାହୁଁନଥିଲି। ବହୁତ ନେହୁରା ହେଲି ମୋତେ ଘରେ ରହିବାକୁ ଦେବାକୁ। ହେଲେ ବାପାଙ୍କ ଅବସ୍ଥା ଏମିତି ଥିଲା ଯେ ନା ସେ ସ୍କୁଟର ପାଇଁ ମୋ ଶାଶୁଘର ଲୋକଙ୍କୁ ଟଙ୍କା ଦେଇ ପାରିଥାନ୍ତେ ଆଉ ନା ହିଁ ତାଙ୍କ ପାଖରେ ଏତିକି ସାହସ ଆଉ ସାଧନ ଥିଲା ଯେ ଜୀବନ ଯାକ ଝିଅକୁ ଘରେ ପକେଇ ରଖି ପୋଷି ପାରିଥାନ୍ତେ। ସେ ମୋ ଗୋଡ଼ ଧରି କାନ୍ଦିକାନ୍ଦି କ୍ଷମା ମାଗିବାକୁ ଲାଗିଲେ। ମୁଁ ତାଙ୍କୁ ଏତେ ଅସହାୟ କେବେ ଦେଖି ନଥିଲି। ମୁଁ ବି ତାଙ୍କୁ ଭିଡିଧରି ପ୍ରବଳ କାନ୍ଦିଲି। 


ମୁଁ ରାତି ଯାକ ବସି ଭାବିଲି କଣ କରିବି ବୋଲି। ଯେ ମୋର କେଉଁ ଭୁଲ ପାଇଁ ମୋତେ ଏମିତି ଦଣ୍ଡ ମିଳୁଛି? ଏ ସବୁ ସହିବାକୁ ପଡୁଛି? ଭାବିଲି ଆତ୍ମହତ୍ୟା କରିଦେବି ବୋଲି। ସେମିତିରେ ବି ତ ବିନା ଟଙ୍କା ନେଇ ସେଠିକି ଗଲେ ସେ ଲୋକ ଗୁଡ଼ା ମୋତେ ମାରି ହିଁ ଦେବେ। ହେଲେ କେଜାଣି କାହିଁକି ମୋତେ ଏମିତି ଲାଗିଲା ଯେମିତି ମୋ ଭିତରୁ କିଏ ଜଣେ ମୋତେ ମନା କରୁଛି। ମୁଁ ଆତ୍ମହତ୍ୟା କଥା ମନରୁ କାଢି ବାହାର କରିଦେଲି ଆଉ ନିଜ ମନକୁ ଦମ୍ଭ କଲି । ମୁଁ ଭାବି ସାରିଥିଲି ଯେ ମୋତେ କଣ କରିବାର ଅଛି। ୨ ଦିନ ପରେ ମୁଁ ମୋ ଶାଶୁଘରକୁ ଚାଲି ଗଲି। ଘରେ ପାଦ ନ ଦଉଣୁ ସେମାନେ ମୋ ପଛରେ ପଡ଼ିଗଲେ। ମୁଁ ସେମାନଙ୍କୁ କହିଲି ଯେ ବାପା ୧୫ ଦିନ ସମୟ ମାଗିଛନ୍ତି। ସେ ଭିତରେ ଟଙ୍କା ଯୋଗାଡ଼ କରି ଆଣି ଦେଇ ଯିବେ। ସେମାନେ ମୋତେ ଆଉ ବାପାଙ୍କୁ ଅଳ୍ପ ବହୁତ ଗାଳି ତ ଦେଲେ, ହେଲେ ବେଶୀ କିଛି କହିଲେନି। ମୁଁ ୨ ଦିନ ଯାଏଁ ଅପେକ୍ଷା କଲି। ସେ ଦିନ ଦୁର୍ଗାଷ୍ଟମୀ ଥିଲା। ମୁଁ ପୁରା ପ୍ରସ୍ତୁତ ଥିଲି। ରାତିରେ ଯେତେବେଳେ ଦେବୀ ମଣ୍ଡପରେ ସନ୍ଧି ପୂଜା ସମୟରେ ଢୋଲ, ଶଙ୍ଖ ଆଉ ଘଣ୍ଟ ଘଣ୍ଟା ବାଜିବା ଆରମ୍ଭ ହେଲା, ମୁଁ ମୋ ଚୁଟିକୁ ଖୋଲି, ମଥାରେ ସିନ୍ଦୂର ବୋଳି ମଣ୍ଡପ ଆଡ଼କୁ ଜୋରରେ ଦୌଡ଼ିଲି। ମୋ ଶାଶୁ ଯେତେେବେଳେ ମୋତେ ଦେଖିଲା, ସେ ବି ମୋ ପଛରେ ଦୌଡ଼ିବା ଆରମ୍ଭ କଲା, ଆଉ ତା ପଛେ ପଛେ ମୋ ସ୍ବାମୀ ଆଉ ଶ୍ଵଶୁର ଆଉ ସେମାନଙ୍କ ପଛରେ ସାହି ଯାକ ଲୋକ।


ମୁଁ ସିଧା ଯାଇ ମାଙ୍କ ମୂର୍ତ୍ତି ଆଗରେ ଆଣ୍ଠୁ ମାଡ଼ି ବସିଗଲି ଆଉ ଢୋଲ ଶବ୍ଦ ସହ ତାଳ ଦେଇ ଧିରେ ଧିରେ ଝୁମିବାକୁ ଲାଗିଲି। ମୋର ହାବଭାବ, ନାଲି ଶାଢ଼ୀ, ଖୋଲା ଚୁଟି ଆଉ ମଥା ରେ ବୋଳା ହେଇଥିବା ସିନ୍ଦୂର ଦେଖି କଣ ହେଇଛି ବୁଝିବା ପାଇଁ ପୂଜାରୀ ନନାଙ୍କୁ ଅଧିକ ସମୟ ଲାଗିଲାନି। ଆଉ କିଛି ସମୟ ଭିତରେ ପୁରା ଗାଆଁରେ ହାଲ୍ଲା ହେଇଗଲା ଯେ ମୋ ଦେହରେ ଦେବୀ ଆସିଛନ୍ତି ବୋଲି। ପୂଜାରୀ ନନା ମାଆଙ୍କ ବେକରୁ ମନ୍ଦାର ମାଳ ଗୋଟେ କାଢି ଆଣି ମୋ ବେକରେ ପିନ୍ଧେଇ ଦେଲେ। ଘଣ୍ଟ ଘଣ୍ଟା, ଢୋଲ, ଶଙ୍ଖ ଆହୁରି ଜୋରରେ ବଜା ଗଲା। ହରିବୋଲ ହୁଳହୁଳିରେ ପୁରା ମଣ୍ଡପ କମ୍ପିଲା। କିଛି ସମୟ ଦୋହଲି ଦୋହଲି ନାଚିବା ପରେ ଠିକ୍ ସମୟ ଦେଖି ମୁଁ ବଡ଼ ପାଟି କରି ସବୁ ଲୋକଙ୍କ ଆଡ଼କୁ ଦେଖି କହିଲି, "ମୁଁ ଦେବୀ ଆଉ ମୋତେ ଏ ଝିଅ ପସନ୍ଦ ଆସିଥିବାରୁ ମୁଁ ତା ଦେହରେ ଆବିର୍ଭୂତା ହୋଇଛି। ଆଜି ଠାରୁ ସେ ମୋର ସେବିକା ଏବଂ ଆଜୀବନ ମୋର ଭକ୍ତି ଏବଂ ଆରାଧନା କରିବା ନିମନ୍ତେ ମୁଁ ତାକୁ ଚୟନ କରିଛି। ଆଜି ପରଠାରୁ ତାର ଏ ସଂସାର କିମ୍ବା କୌଣସି ବି ବ୍ୟକ୍ତି ବା ସାଂସାରିକ ବସ୍ତୁ ସହ କୌଣସି ପ୍ରକାରର ସମ୍ବନ୍ଧ ନାହିଁ। ସେ କେବଳ ଆଉ କେବଳ ମୋର ଦାସୀ।"


ତା ପରେ ମୁଁ ପୂଜାରୀଙ୍କ ଆଡ଼କୁ ଚାହିଁ କହିଲି, "ଗାଆଁ ବାହାରେ ଯେଉଁ ନିମ୍ବ ଗଛ ଅଛି, ସେଇଠି ରହିବାକୁ ମୋର ଇଚ୍ଛା। ସମସ୍ତ ଗ୍ରାମବାସୀ ମିଶି ସେଇଠି ମୋ ପାଇଁ ଏକ ଭବ୍ୟ ମନ୍ଦିର ତଥା ମୋ ସେଵିକା ନିମନ୍ତେ ଏକ ଆଶ୍ରମର ନିର୍ମାଣ କର। ମୁଁ ସେଇଠି ରହି ସଭିଙ୍କ ଅଳୀ ଅର୍ଦ୍ଦଳି ଶୁଣିବି ଏବଂ ସଭିଙ୍କ ଦୁଃଖ ଦୂର କରିବି। କିନ୍ତୁ ଯଦି ଆଗାମୀ ମାସ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରର ନିର୍ମାଣ ନ ହୁଏ ତେବେ ସମସ୍ତଙ୍କୁ ମୋ କ୍ରୋଧର ପାତ୍ର ହେବାକୁ ପଡ଼ିବ ଏବଂ ଗ୍ରାମକୁ ବହୁତ ବଡ଼ ବିପଦ ଆସିବ।" ଆଉ ତା ପରେ ଯାହା ସବୁ ହେଲା, ତା ତ ତୁ ଜାଣିଛୁ। ନିଜକୁ ରକ୍ଷା କରିବାକୁ ମୋତେ ଏ ସବୁ କରିବାକୁ ପଡ଼ିଲା। କାରଣ ଏଠି ଲୋକେ ଦେବୀଙ୍କୁ ପୂଜା ତ କରନ୍ତି, ହେଲେ ନାରୀ ପ୍ରତି ମୁହୂର୍ତ୍ତ ରେ ଅବହେଳିତା ହୁଏ। ତା କଥା କେହି ଶୁଣନ୍ତିନି। ତ ମୁଁ ଭାବିଲି ବୋଧେ ଦେବୀଙ୍କ କଥା ହିଁ ଶୁଣିବେ। ମାନିବେ। ଏ ସବୁ ମୁଁ ଆଜି ଯାଏଁ କାହାକୁ ବି କହିନି। ନିଜ ଘର ଲୋକଙ୍କୁ ବି ନୁହେଁ। ଆଜି ପ୍ରଥମ ଥର ପାଇଁ ତୋତେ କହୁଛି।"


ଏତିକି କହି ଅପା ଚୁପ ହୋଇଗଲେ। ଏ ସବୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ କେତେ ସମୟ ନିର୍ବିକାର ଭାବରେ ଅପାଙ୍କ ମୁହଁକୁ ଚାହିଁ ରହିଲି। ମୁଁ ବୁଝି ପାରୁନଥିଲି ଯେ କଣ କହିବି। ଅପାଙ୍କ ଚେହେରାକୁ ଆଉ ଥରେ ଭଲ କରି ଦେଖିଲି। ସେ ହସୁଥିଲେ। ତାଙ୍କ ଆଖି ରେ ମୋତେ ଗୋଟେ ଅଲଗା ରକମ ର ଚମକ ଦେଖାଗଲା। ଚେହେରାରେ ଗୋଟେ ଦିବ୍ୟ ପ୍ରକାଶ ଥିଲା। ମୋ ଆଖିରେ ଲୁହ ଥିଲା, ହେଲେ ମୋ ଓଠରେ ହସ ଖେଳିଗଲା। ଅପାଙ୍କୁ ଦେଖି ମୋତେ ମୋ ନିଜ ଭିତରେ ବି ଗୋଟେ ଶକ୍ତି ର ଉପସ୍ଥିତି ଅନୁଭୂତ ହେଉଥିଲା। ମୁଁ ଆଗରୁ କେବେ ଏମିତି କିଛି ଅନୁଭବ କରି ନଥିଲି। ମୁଁ ଚଉକି ରୁ ଉଠି ପଡ଼ିଲି ଆଉ ଅପା ଙ୍କ ପାଦ ଦୁଇଟିକୁ ଦୁଇ ହାତ ରେ ଧରି ନିଜ ମଥା ରେ ଲଗେଇଦେଲି। 



Rate this content
Log in

Similar oriya story from Drama