Gargi Mishra

Abstract Drama Romance

4  

Gargi Mishra

Abstract Drama Romance

ନୈସର୍ଗିକ ଦାମ୍ପତ୍ୟ

ନୈସର୍ଗିକ ଦାମ୍ପତ୍ୟ

5 mins
14



ବାପା ମୋ ହାତ ତାଙ୍କ ହାତରେ ଛନ୍ଦିଦେଇ ଚାଲିଗଲେ l ମୁଁ କଣ କରିବି କିଛି ଜାଣିପାରିଲିନି l ବୁଢ଼ା ବରଗଛ ନିଜ ଅସ୍ତିତ୍ୱ ହରାଇବା ପୂର୍ବରୁ ତା' ଉପରେ ବସା ବାନ୍ଧିଥିବା ବିହଙ୍ଗମାନଙ୍କୁ ଅନ୍ୟ ସତେଜଗଛ ଦେଖି ଆଶ୍ରୟ ଖୋଜିନେବାକୁ ଛାଡିଦେଇଯାଏ l ଆଶ୍ରିତ ମାନଙ୍କ ଉପରେ ଆସୁଥିବା ଆସନ୍ନ ବିପଦକୁ ଅନୁମାନ କରି ସେମାନଙ୍କ ସୁରକ୍ଷା ବାବଦରେ ନିର୍ଣ୍ଣୟ ନେବାକୁ ହୁଏ, ପ୍ରକୃତ ସମ୍ପର୍କ ସବୁ ଏହିପରି ଅବୋଧ୍ୟ l ନିଜ ଅପେକ୍ଷା ନିଜଲୋକର ସୁରକ୍ଷାକୁ ପ୍ରାଥମିକତା ଦେବା ହୁଏତ ଏକ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା l 


ବାପା ଟ୍ୟୁସନ କରୁଥିଲେ l ତାଙ୍କ ସବୁଠୁ ପ୍ରୀୟ ଶିଷ୍ୟ ସମ୍ବିତ ଏକ ବଡ଼ ହସ୍ପିଟାଲରେ ପ୍ରତିଷ୍ଠିତ ଡାକ୍ତର l ବାପାଙ୍କ ଦିନୁ ଦିନ ବିଗିଡି ଯାଉଥିବା ସ୍ୱାସ୍ଥ୍ୟ ଅବସ୍ଥାକଥା ଜାଣିପାରି ତାଙ୍କ ସବୁକାମ ଛାଡି ଛୁଡ଼ି ଧାଇଁ ଆସିଥିଲେ ତାଙ୍କୁ ଦେଖାକରିବାକୁ l ରାତି ପ୍ରାୟ ଦୁଇଟା, ଭୀଷଣ ଘଡ଼ଘଡ଼ି ଚଡ଼ଚଡି ସହ ଭୟଙ୍କର ବାତ୍ୟା l ଦୁର୍ଭାଗ୍ୟବଶତଃ ସେହି କାଳରାତ୍ରିରେ ତାଙ୍କୁ ମୋ ଦାୟିତ୍ୱ ଅକସ୍ମାତ ଏମିତି ଭାବେ ତାଙ୍କୁ ଦେଇ ଦୁନିଆରୁ ଚାଲିଯିବା ଆମକୁ ତଟସ୍ଥ କରିଦେଲା...... ଆମେ ଦୁହେଁ ହସ୍ପିଟାଲର ସେ କକ୍ଷରେ ବାପାଙ୍କୁ ବୋକାଙ୍କ ପରି ଚାହିଁ ରହିଥିଲୁ ଅପ୍ରସ୍ତୁତ, ମର୍ମାହତ, ଭୟଭୀତ l ବାପା ଚାଲିଯିବା ପରେ ସମ୍ବିତଙ୍କ କାନ୍ଧରେ ମୁଣ୍ଡରଖି ମୁଁ ଘଡିଏ ଦି ଘଡି ହେବ କଇଁ କଇଁ ହୋଇ କାନ୍ଦୁଥାଏ l ପ୍ରଳୟଙ୍କାରୀ ଝଡ଼ତୋଫାନ ଆସିଲେବି ପ୍ରବଳ ବିଶ୍ୱାସର ଅସ୍ଥାୟୀ ଛାଉଣୀ ଭିତରେ କେଜାଣି କାହିଁକି ଖୁବ ନିରାପଦ ମନେହୁଏ.....


 ସେ ରାତିରେ ତୋଫାନଟିଏ ସବୁକିଛି ମୋ ଆଖି ଆଗରେ ଉଜାଡି ଦେଇ ଚାଲିଗଲା l ମୁଁ କାଠ ପାଲଟି ଝର୍କା ଗ୍ରିଲ ଦେଇ ବାହାରକୁ ଚାହିଁରହିଥିଲି ଖାଲି l ପିଲାଦିନୁ ମା' ନଥିଲେ l ବାପା ଅନାଥ କରି ଚାଲିଯିବା ମୋର ଦୁର୍ଭାଗ୍ୟସହ ସ୍ଥାୟୀରୂପେ ଚୁକ୍ତିସ୍ଵାକ୍ଷର କରିବାର ଅୟମାରମ୍ଭ l ହେଲେ ବାପାଙ୍କ ସିଦ୍ଧାନ୍ତ ମୋତେ ବାକି ଜୀବନ ବଞ୍ଚିଯିବାପାଇଁ ଶକ୍ତି ଯୋଗାଇଲା l

ମାନସିକ ସ୍ଥିରତା ଥିଲେ କୌଣସି ପରିସ୍ଥିତି ଦୋହଲାଇ ପାରେନା ମଣିଷକୁ l ମୋର ବୟସ ସେତେବେଳେ ପଚିଶ l ଆଗରେ ଖୁବବଡ଼ ରାସ୍ତା l  ହାତ ପା'ନ୍ତା ଆକାଶ ଏବଂ ପାଦ ତଳର ଭୂପୃଷ୍ଠ ବି ଠିକ ବାପା ମା' ଙ୍କ ପରି ...ଉଭୟଙ୍କ ବିଶାଳତା ଆଗରେ ମଣିଷ କେଡ଼େ କ୍ଷୁଦ୍ର ଏବଂ ସଂକୁଚିତ ଅଥଚ ଉଭୟଙ୍କ ଉଦାରତା ଓ ନିରାପତ୍ତାର ବଳୟ ଭିତରେ ସ୍ୱାଧୀନ ଭାବେ ବଞ୍ଚିଯାଆନ୍ତି ଆମେ l

ସମ୍ବିତ ବିବାହିତ l ତାଙ୍କର ଏକ ଅଲଗା ଦୁନିଆ l ସେ ବାପାଙ୍କ ଶେଷ ଦର୍ଶନ କରିବାକୁ ଆସି ଏମିତି ଏକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି କେବେ ଭାବିନଥିବେ l ତାଙ୍କ ହାଥରେ ହାତ ଧରାଇଦେବା ପଛର ରହସ୍ୟକୁ ଶବ୍ଦ ଦେଇ ପାରିଲେନି ବାପା l ସମ୍ବିତ କିନ୍ତୁ ଏ ଝଡ଼ ସମୟରେ ବଳିଷ୍ଠ ପ୍ରାଚୀର ପରି ଛିଡାହୋଇ ରହିଲେ l ମୋଟେ ବିଚଳିତ ନ ହୋଇ ସବୁକିଛି ଗ୍ରହଣ କରି ଆଗକୁ ଭାବିବାକୁ ପ୍ରୋତ୍ସାହନ ଦେଲେ l ହସ୍ପିଟାଲ ତରଫରୁ ଚାକିରୀଟିଏ ଅଫର କରି ମାନବିକତା ଓ ଅନୁକମ୍ପାର ନିଦର୍ଶନ ଦେଲେ l ତା'ସହିତ କେଜାଣି କେତେ ରାଶିର ଚେକ ଲେଖି ମୋତେ ଆର୍ଥିକ ସାହାଯ୍ୟବି କରିବାକୁ ଚାହିଁଲେ l 


ତାଙ୍କ ଚେକ ତାଙ୍କୁ ଫେରାଇ ମୁଁ ତାଙ୍କ ପାଦତଳେ ଲୋଟିଗଲି l

କହିଲି,

"ଶୁଣ ସମ୍ବିତ, ତୁମେ ବିବାହିତ ଏବଂ ତୁମ ବିବାହରେ ବାପା ମଧ୍ୟ ଯୋଗଦାନ ଦେଇଥିଲେ l ସବୁକିଛି ଜାଣି ମଧ୍ୟ କେମିତି କେଜାଣି ମୋ ପାଇଁ ଏପରି ଏକ ନିର୍ଣ୍ଣୟ ନେଇ ଚାଲିଗଲେ କିଛି ବୁଝାପଡ଼ିଲାନି l ହୁଏତ ପ୍ରତିକୂଳ ପରିସ୍ଥିତି ସହିତ ଝିଅପାଇଁ ଅତ୍ୟଧିକ ଚିନ୍ତାରେ ବୁଦ୍ଧି ଉପରେ ନିୟନ୍ତ୍ରଣ ରହିଲାନି l ମୁଁ ଏ ସାହାଯ୍ୟ ଗ୍ରହଣ କରିପାରିବି କେମିତି?" ସେଦିନ ମୁଁ ଭୂଲ ମାଗିନେଇ ମୋ ଦୁଃଖରେ ମୋତେ ଛାଡି ଦେବାକୁ କହି ନିଶବ୍ଦତା ଭିତରକୁ ଚାଲିଯାଉଥିଲି l ଯିବା ପୂର୍ଵରୁ ତାଙ୍କ ରାସ୍ତା ମୁଁ ଉନ୍ମୁକ୍ତ କରିଦେଲି l ପୁଣି କହିଲି,

" ଯିଏ ଯିବାକଥା ସେ ତ ଚାଲିଗଲେ l ତାଙ୍କ କଥା ରଖିବାକୁ ଯାଇ ଆମେ ଭୂଲ କରି ବସିବା ଆଦୌ ଗ୍ରହଣୀୟ ନୁହେଁ l ନା ସମାଜ ପାଇଁ ନା ଭବିଷ୍ୟତ ପାଇଁ l ଆମେ ଅତୀତକୁ ଭୁଲି ନିଜ ନିଜ ରାସ୍ତାରେ ଚାଲିଯିବାହିଁ ଠିକ l ଯାଅ, ତୁମେ ସ୍ୱାଧୀନ l ହଁ ନିଶ୍ଚିନ୍ତ ହୋଇଯାଅ, ତୁମ ଦାମ୍ପତ୍ୟ ଜୀବନରେ କେବେ ପ୍ରତିବନ୍ଧକ ସାଜିବା ଆଗରୁ ମୁଁ ମରିଯିବାକୁ ପସନ୍ଦ କରିବି l ମୋ ଜୀବନର ସବୁଠୁ ବଡ଼ ଭୂସ୍ଖଳନ ସମୟରେ ତୁମେ ସାହାରା ହୋଇଛ, ମୋତେ ଚାକିରୀ ଦେଇ ସ୍ୱାବଲମ୍ବୀ କରିଛ ... ଏତକ ଋଣ ମୋତେ ପ୍ରଥମେ ସୁଝିବାର ଅଛି l ମୋତେ ଆଶା ଆଉ ନିରାଶା ଭିତରେ ବାରମ୍ବାର ଭାଙ୍ଗିଗଢି ହେବା ଅପେକ୍ଷା ଉନ୍ମୁକ୍ତ ବିହଙ୍ଗ ପରି ନିଜ ଦମରେ ଉଡିବାକୁ ଦିଅ l"


ଅଧିକ କିଛି ନା କଥା ବଢିଲା ନା ଆମ ଦୁହିଁଙ୍କ ଛଡା କେହି ବି କିଛି ଏ ବିଷୟରେ ଜାଣିବାକୁ ପାଇଲେ l ଅତୀତ ଏକ ଗୁଢ ରହସ୍ୟ ହୋଇ ସମ୍ବିତଙ୍କ ଓ ମୋ ଭିତରେ ରହିଗଲା l ହେଲେ ମୋ ବାପାଙ୍କ ପ୍ରତି ମୋ ହୃଦୟରେ ଥିବା ସମ୍ମାନ ଓ ଶିଷ୍ୟ ହିସାବରେ ସମ୍ବିତଙ୍କ ଗୁରୁଙ୍କ ପ୍ରତି ଅନୁରକ୍ତି ଉଭୟ ଏକ ସାମନ୍ତରାଳ ରେଖାରେ ଆମକୁ ଯୋଡିରଖିଲା l ସେ ପରୋକ୍ଷ ଭାବେ ମୋର ଖୁବ ଯତ୍ନର ସହିତ ତତ୍ତ୍ଵlବଧାନ ନେଇ ଆସୁଥିଲେ ଆଉ ମୁଁ ନିଜକୁ ଏକ ସୁରକ୍ଷାର ପରିଧି ଭିତରେ ଖୁବ ଚିନ୍ତାମୁକ୍ତ ମନେ କରୁଥିଲି l ପରସ୍ପର ଦେଖାଚାହାଁ ନ ହୋଇ ମଧ୍ୟ ଆମେ ଆନ୍ତରିକତାର ଏକ ସୁନ୍ଦର ରଜ୍ଜୁରେ ବାନ୍ଧିହୋଇଗଲୁ l କଷ୍ଟ ସମୟ ଏମିତି ପାର ହୋଇଗଲା l

ସେ ତାଙ୍କ ସ୍ତ୍ରୀ ଜୟାଙ୍କ ସହ ନିଜ ସଂସାରରେ ବ୍ୟସ୍ତ ରହିଲେ ଆଉ ମୁଁ ଡାକ୍ତରଖାନାରେ ନର୍ସ ରୂପେ ରହି ନିଜକୁ ରୋଗୀ ସେବାରେ ହଜାଇଦେଲି l ଏପରି ବର୍ଷ ପରେ ବର୍ଷ ବିତିଯାଏ l କେତେଥର ସାଗର ସମଗ୍ର ବେଳାଭୂମିକୁ କୋଳାଗ୍ରତ କରିବାକୁ ଆସି ପ୍ରକୃତିର ନିଷ୍ଠୁର ନିୟମ ମାନି ଅପସରିବାକୁ ବାଧ୍ୟ ହୁଏ l ତାଙ୍କ ପାଦଧୂଳିକୁ ସିନ୍ଦୁର କରି ମଥାରେ ମାଖିଲି ଆଉ ତାଙ୍କ ଛଡା ଆଉ କାହାରିକୁ ହୃଦୟରେ ସ୍ଥାନ ଦେବାକୁ ପାପ ବୋଲି ଭାବିସାରିଥିଲି l ଆମେ ଦୁହେଁ ନିଜ ନିଜ ପରିସୀମା ଜାଣିଥିଲୁ ଆଉ ଏହାର ସୀମା ନ ଲଙ୍ଘିବାକୁ ମଧ୍ୟ ମନେ ମନେ ପଣ କରିନେଇଥିଲୁ l


ହିମାଳୟ ପରି ଆତ୍ମବିଶ୍ୱାସ ଆଉ ଭଲ ପାଇବାର ଅଦମ୍ୟ ଶକ୍ତିକୁ ପୁଞ୍ଜି କରି ମୁଁ ବଞ୍ଚିଚାଲିଲି l ବୟସ ଆଗେଇଗଲା l ପଛକୁ ଚାହିଁ ଦେଖିଲି ଅତୀତ ସୁପ୍ତ ଆଗ୍ନେୟଗିରି ପରି ନିଷ୍କ୍ରିୟ ରୂପେ ପଡିରହିଥିଲା l ସେଥିରୁ କେବଳ ଉଷ୍ମପ୍ରଶ୍ରବଣଟିଏ ଝରି ଆସୁଥିଲା ଯାହା l ବିସ୍ଫୋରଣ କି ଉଦ୍ଗିରଣର ସମ୍ଭାବନା ଆଦୌ ନଥିଲେ ଶିଥିଳ ଆଗ୍ନେୟଗିରିବି ଜୀବନର ସବୁଜ ସମ୍ଭାବନାରେ ସତେଜ ହୋଇଉଠେ l


କେତେଥର ବିରହର ଜ୍ୟୋତ୍ସ୍ନାରାତି ଶେଫାଳିକୁ ପ୍ରସ୍ଫୁଟିତ କରି କାହା ପ୍ରସାଧନ ସାମଗ୍ରୀ ହେବା ଆଗରୁ ସକାଳକୁ ଧରାବକ୍ଷରେ ବିଞ୍ଚିଯିବାକୁ ଶ୍ରେୟସ୍କର ମଣେ , କେତେଥର ଅନ୍ତରର ଉଦାସପଣ ବଖାଣି ନପାରି ଆକାଶ ଛାତିରେ ପୁଞ୍ଜିଭୂତ ବାଦଲ ଦୁଃଖରେ ଅସରେ ବର୍ଷିଯାଏ, ହେଲେ ସତକଥା ହେଲା, ଯେଉଁ ଖୁସିରେ ଆତ୍ମତୃପ୍ତି ନଥାଏ ଖୁସି ଖୁସିରେ ଗଣାନୁହେଁ ଆଉ ସେପରି ମଧ୍ୟ ଯେଉଁ ଦୁଃଖ ଭିତରେ ସ୍ନେହର ସୁକ୍ଷ୍ମ ପରିଭାଷା ନିହିତ ସେ ଦୁଃଖରେବି ଆନନ୍ଦ ଥାଏ l

 କଏଦୀଟିଏ ମାତୃଭୂମିର ସୁରକ୍ଷା ପାଇଁ କୋରଡ଼ା ପାହାର ହସିସହିବା ନିଜ ଧର୍ମବୋଲି ମାନିନିଏ l ସେଥିରେହିଁ ତାର ଗର୍ବ ସେଥିରେହିଁ ତାର ବିଜୟ, ସେଇଥିରେ ତାର ଶହୀଦ ହେବାର ଅଭିମାନ l ସ୍ୱାମୀବୋଲି ମାନି ନେଇଛି ଯେତେବେଳେ ମନର ମଣିଷଟିର ଆନ୍ତରିକତା ଓ ଆବେଗର ଯଥାର୍ଥ ସମ୍ମାନ ରକ୍ଷାବି ମୋର କର୍ତ୍ତବ୍ୟ ଭାବି ନିରବିଗଲି l


ଏମିତି ବର୍ଷ ପରେ ବର୍ଷ ଚାଲିଗଲା l ଦିନେ ସମ୍ବିତଙ୍କ ଅସୁସ୍ଥତା ବିଷୟରେ ଜାଣିବାକୁ ପାଇଲି ହସ୍ପିଟାଲର ସହକର୍ମୀ ମାନଙ୍କ ଠାରୁ l ତାଙ୍କର ଉଭୟ କିଡ଼ନୀ ଖରାପ l ଅନେକ କିଡ଼ନୀ ଡୋନର ମାନଙ୍କଠାରୁ ଟେଷ୍ଟ କରାହୋଇ ସରିଲାଣି l ତାଙ୍କୁ ମ୍ୟାଚ କଲାପରି କିଡ଼ନୀ ଏତେ କମ ସମୟରେ ମିଳିବାର ସମ୍ଭାବନା ଖୁବ କମ ବୋଲି ଡାକ୍ତର କହିଲେ l ମୁଁ ଦେଖୁଥିଲି ରିପୋର୍ଟରେ ତାଙ୍କର ବ୍ଲଡ଼ଗ୍ରୁପ ଆଉ ମୋ ବ୍ଲଡ଼ଗ୍ରୁପ ସମାନ l ସଙ୍ଗେ ସଙ୍ଗେ ଟେଷ୍ଟକରାଇ ଜାଣିଲି ମୋର କିଡ଼ନୀ ଡୋନେସନର ଉପଯୁକ୍ତ l ଆଉ କଣ ଅଧିକ ମାଗିଥାନ୍ତି ପ୍ରଭୁଙ୍କୁ l ମାଗିବା ଆଗରୁ ଅନ୍ତର୍ଯ୍ୟାମୀ ସାଜି ଜାଣି ପାରିଥିଲେ ସେ l ହସ୍ପିଟାଲ ଏଣ୍ଟ୍ରାନ୍ସ ପାଖରେ ଏକ କୋଣକୁ ବିଘ୍ନହର୍ତ୍ତାଙ୍କ ଏକ ବଡ଼ ବିଗ୍ରହ l ସେଠି ନିଜ ଚୁଡ଼ି ସିନ୍ଦୁର ପାଇଁ ଗୁହାରି କରୁଥିବା ଜୟାଙ୍କୁ ମୁଁ ଦେଖୁ ଦେଖୁ ଚିହ୍ନିଦେଲି l ତାଙ୍କ ସୁନାଗୋରା ଦୁଇବାହୁ ଆଉ ଉଜ୍ଜଳ ମଥାରେ ମୋ ଭାଗର ସବୁତକ ସୁଖ l ତାଙ୍କ ପଣତକାନି ସବୁବେଳେ ସୌଭାଗ୍ୟରେ ଭରିରହିବା ମୋ ଦାୟିତ୍ୱ କହି ପ୍ରଭୁଙ୍କୁ ଦୂରରେ ଥାଇ ପ୍ରଣିପାତ କଲି l ଶେଷରେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ସଫଳହେଲା l କିନ୍ତୁ ମୋ କହିବା ଅନୁଯାଇ ସମ୍ବିତଙ୍କ ଦେହରେ ଥିବା କିଡ଼ନୀଟି ମୋର ବୋଲି ଗୁପ୍ତ ରହିଲା l ସମ୍ବିତ ବର୍ତମାନ ସମ୍ପୂର୍ଣ ସୁସ୍ଥ ଏବଂ ତାଙ୍କ ଦାମ୍ପତ୍ୟ ପୁଣି ସୁଖମୟ l 


ବାପାଙ୍କ ପ୍ରତିଛବିକୁ ଚାହିଁ ମୁଁ ପ୍ରାର୍ଥନାମୁଦ୍ରାରେ ଛିଡା ହେଲି l ଏକ ପରମ ତୃପ୍ତି ମୋ ଅନ୍ତର ଛୁଇଁ ଛୁଇଁ ଗଲା l ମୋତେ ଲାଗୁଥିଲା, ବାପା ଆମ ଦୁହିଁଙ୍କୁ ହୁଏତ ପରସ୍ପର ପାଇଁ ବାଛିନେବା ଏକ ଅଲୌକିକ ସିଦ୍ଧାନ୍ତ ଥିଲା l କହନ୍ତି କାଳେ ଯାହା ପାଇଁ ଯିଏ - ଏସବୁ ସବୁବେଳେ ପୂର୍ଵରୁ ନିର୍ଦ୍ଧାରିତ l ମୋତେ ବାପା ନିଶ୍ଚିତ ଆଜି ଆଶୀର୍ବାଦ କରୁଥିବେ ଭାବି ଆଖିରୁ ଦୁଇ ବୁନ୍ଦା ଅଶ୍ରୁ ଶ୍ରଦ୍ଧାଞ୍ଜଳି ରୂପେ ଅର୍ପଣ କଲି l 


Rate this content
Log in

Similar oriya story from Abstract