ନାରୀ:ଆତ୍ମନିର୍ଭରଶୀଳତା
ନାରୀ:ଆତ୍ମନିର୍ଭରଶୀଳତା


"ଯୁଗ ବଦଳୁଛି, ସମୟ ବଦଳୁଛି ହେଲେ ସମୟ ସହ ତାଳ ଦେଇ ବଦଳି ପାରୁନି ସମାଜର ଦୃଷ୍ଟିଭଙ୍ଗୀ । ଏଠି ଆଜି ବି ନାରୀ କେବଳ ଅପବାଦ, ନିର୍ଯାତନା ଓ ପ୍ରଚଳିତ ପ୍ରଥା ପରମ୍ପରା ର ନଗ୍ନ ପ୍ରତିମୂର୍ତ୍ତି ପରି ଦଣ୍ଡାୟମାନ ହୋଇଛି । କେତେଦିନ ନାରୀ ପ୍ରତି ଏ ଅବିଚାର ଚାଲିବ!କଣ ସମାଜରେ କେହି ଜଣେ ବୋଲି ମଣିଷପଣିଆଧାରୀ ମଣିଷ ନାହାନ୍ତି!" । ।
ଏମିତି ଅନେକ କୋହ, କ୍ରୋଧ ତଥା ପ୍ରଶ୍ନ ନେଇ ଆଗେଇ ଯାଉଛି ମିତା ।
ମନେ ପଡୁଛି ଦୁଇ ବର୍ଷ ତଳ ର ସେଇ ତରୁଣୀ ମନର ଆକୁଳତା ଓ ଆବିଳତା ସବୁ, ସାଙ୍ଗସାଥିଙ୍କ ସଙ୍ଗେ ବୋହୂଚୋରି, ଖୁଦୁରୁକୁଣୀ ବେଳର ଖୁସି ସବୁ । ଆଜାନୁଲମ୍ବିତ କେଶପାଶ ଯେମିତି ତାର ଶୁଭ୍ର ତନୁକୁ କରିଦେଉଥିଲା ଦ୍ବିଗୁଣ ସୌନ୍ଦର୍ଯ୍ୟମୟୀ । ହିରଣ୍ମୟୀ ଆଖି, ରକ୍ତିମ ଅଧର,ଉତ୍ତାଳ ତରଙ୍ଗ ପରି ଭ୍ରୂଲତାରେ ଯେପରି ତା ମୁଖମଣ୍ଡଳ ଦିବ୍ୟକାନ୍ତମୟୀ ଲକ୍ଷ୍ମୀଙ୍କ ପରି ପ୍ରତୀତ ହେଉଥିଲା । ଯିଏ ଦେଖୁଥିଲା ସଙ୍ଗେ ସଙ୍ଗେ ମୁଖରୁ ନିସୃତ ହେଉଥିଲା,"ଆହା!, ଗୋଟିଏ ଚାଉଳରେ ଗଢ଼ା" ।
ସେ ବି ଅନ୍ୟମାନଙ୍କ ଦିବାନିଶି ସପନର ରାଜକୁମାରକୁ ଭାଳି ହେଉଥିଲା । ଧଳା ଘୋଡାର ରାଜକୁମାର ଜହ୍ନରାତିର ଜ୍ୟୋତ୍ସ୍ନାପ୍ଲୁତ ଆଭାରେ ତାକୁ ନେଇ ନୂଆରାଇଜର ରାଜଉଆସରେ ରାଣୀ କରି ରଖିବ ।
ଯଥାରୀତି ତାର ପାଣିଗ୍ରହଣ ସମାପନ ହେଲା । କିନ୍ତୁ ଏ କଣ? ଚଉଠିର ବାସର ଦୀପ ନଲିଭୁଣୁ କୁଆଡୁ ଘୋଟି ଆସିଲା ଯୌତୁକର କଳା ବଉଦ । ଘର କଥା ପଦାରେ ପଡ଼ିବନି ବୋଲି ଆଖିଲୁହକୁ ଓଠ ଦେଇ ପିଇଗଲା । ଗରିବ ମା ବି ବରଷ ଭିତରେ ଆଖି ବୁଜିଦେଲା । କିନ୍ତୁ ନିର୍ଯାତନା, ଅପମାନ ଓ ଅପବାଦ ତାକୁ ଛାଡିଲା ନାହିଁ । ନୂଆ ରାଇଜ ର ରାଜଉଆସ ତା ପାଇଁ ସାଜିଗଲା ବଦ୍ଧ କାରାଗାର, କଥାରେ କଥାରେ ମାଡ ଗାଳି ଓ କଟାକ୍ଷ । ସାମାନ୍ୟ ରୁ ସାମାନ୍ୟତମ ଭୁଲରେ ବି ତା ପାଇଁ ହୁଏ ଦଣ୍ଡବିଧାନ ।
ସବୁକିଛିକୁ ସେ ଭାଗ୍ୟର ବିଡମ୍ବନା ଭାବି ସହିଚାଲିଥିଲା, କିନ୍ତୁ ଗତ ରାତିର ସେ ଲୋମହର୍ଷଣକାରୀ ଲଜ୍ଜାଜନକ ଘଟଣା ତା ଅନ୍ତରକୁ ଝୁଣିଝୁଣି ବିଦୀର୍ଣ୍ଣ କରିଦେଲା ।
ଶାଶୁ, ସ୍ୱାମୀ ସମେତ ତାକୁ ମାଡମାରି ନିର୍ବସ୍ତ୍ର କରି ତା ମୁକୁଳାକେଶକୁ ଭିଡ଼ିଭିଡି ଦେହ ରେ କିରୋସିନ ଢାଳି ଜାଳିବାର ପ୍ରୟାସ କଲେ, ସେ ଅନନ୍ୟୋପାୟ ହେଇ କିଟିକିଟି ଅନ୍ଧାରରେ କେମିତି ଯେ ସେ ଖସିଆସିଛି ନିଜେ ବି ଜାଣେନି ।ଚାଲିଚାଲି ରେଳଧାରଣା କଡେ଼କଡେ ପଳେଇଆସିଛି ବହୁ ଦୂରକୁ ।
ଆଉ ତାପରେ ସକାଳର ସୂର୍ଯ୍ୟ କିରଣରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧିରେଧିରେ ଅସ୍ପଷ୍ଟ ହୋଇଆସୁଥିଲା । ସେ ଚାଲିଥିଲା ଏକମୁଁହା ହୋଇ ସେଇ ରାସ୍ତାରେ ଯେଉଁ ରାସ୍ତା ଆଉ ତା ଘରଦେଇ ଫେରିବନି । ଛାଡ଼ ହୋ । । ସେ ସଂସ୍କୃତି ଓ ପରମ୍ପରାର କଥା, ଯାହା ନିଜ ଘରର ଝିଅ ବୋହୂଙ୍କ ଦେହକୁ ସୁରକ୍ଷା ଦେଇପାରେନି । ସେ ଭୁଲିସାରିଥିଲା ସିନ୍ଦୁରର ମାହାତ୍ମ୍ୟ, ଲକ୍ଷ୍ମୀ ପୁରାଣର ଗାଥା, ଆଈମାର ରାଜରାଣୀ କଥା, ତା ପାଖରେ ଦୁଇଟି କାମ ବାକିଥିଲା, ପ୍ରଥମଟି ଲଣ୍ଡା ହେବ ଦ୍ଵିତୀୟଟି କ୍ୟାରଟେ ଶିଖିଵ ।
ଆଗେଇ ଯାଉଯାଉ ତାକୁ ଏକ ଫଳକ ଦେଖିବାକୁ ମିଳିଲା, ଲେଖାଯାଇଥିଲା ସାବରମତୀ କନ୍ୟାଶ୍ରମ । ତାକୁ ଏପରି ଲାଗୁଥିଲା ଯେପରି ବଞ୍ଚିବାର ଏକ ରାହା ମିଳିଯାଇଛି । କିଛି ନହେଲେ ବି ଅନ୍ତତଃ ଆତ୍ମନିର୍ଭରଶୀଳ ହେଇ ଯେତେଦିନ ପର୍ଯ୍ୟନ୍ତ ଜୀବ ଥିବ ସେତେଦିନ ଯାଏ ଦ୍ଵିମୁଠା ଖାଇ ଚଳିପାରିବ, ତା ନିଜ ସୁରକ୍ଷା ନିଜେ କରି ପାରିବ ।
ସେ ଯେତେଯେତେ ଫାଟକ ଆଡେ ଯାଉଥିଲା ଅଶାର ସୁନେଲି କିରଣ ସେତେ ପ୍ଲାବିତ କରିନେଉଥିଲା, ସେ ମର୍ମେମର୍ମେ ବୁଝୁଥିଲା ନାରୀ କେବଳ ପୁରୁଷ ଉପରେ ନିର୍ଭରଶୀଳ ହେବା ଅପେକ୍ଷା ଆତ୍ମନିର୍ଭର ରହିବା ଟା ନିହାତି ଜରୁରୀ ।
**********
ଚିନ୍ମୟୀ ବାରିକଙ୍କ ଗଳ୍ପ ଅଂଶ, ଗାଳ୍ପିକାଙ୍କୁ ଅଶେଷ ଅଭିନନ୍ଦନ, ଏହିପରି ତାଙ୍କ କଲମ ମୁନରୁ ଗଳ୍ପ ଝରୁଥାଉ ମହାପ୍ରଭୁଙ୍କ ପାଖେ ପ୍ରାର୍ଥନା ।