STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନାଗ ପଞ୍ଚମୀ କଥା

ନାଗ ପଞ୍ଚମୀ କଥା

6 mins
11

           ନାଗ ପଞ୍ଚମୀ କଥା
          ============
ମହାରାଜ ପରୀକ୍ଷିତଙ୍କ ପରେ ହସ୍ତୀନା ରାଜ ସିଂହାସନରେ ଅଭିଷିକ୍ତ ହେଲେ ତାଙ୍କ ପୁତ୍ର ଜନ୍ମେଜୟ l ସେ ପ୍ରଜା ମାନଙ୍କୁ ପୁତ୍ରବତ୍ ପାଳୁ ଥିଲେ l ତାଙ୍କ ରାଜତ୍ୱରେ ହସ୍ତୀନା ସମସ୍ତ ସୁଖ ସମ୍ପଦରେ ପୂର୍ଣ୍ଣ ହୋଇଯାଇ ଥିଲା, ବୋଧ ହେଉଥିଲା ଯେପରି ଧର୍ମରାଜ ଯୁଧିଷ୍ଠିରଙ୍କ ରାଜତ୍ୱ ପୁନଃ ହସ୍ତୀନାକୁ ଫେରି ଆସିଛି l ସେ ସମୟରେ ହସ୍ତୀନାର ପଶ୍ଚିମ ମରୁ ପ୍ରଦେଶରେ ଉତ୍ତଙ୍କ ବୋଲି ଜଣେ ସିଦ୍ଧ ଋଷି ବାସ କରୁଥିଲେ l ଉତ୍ତଙ୍କ ଗୁରୁ ବେଦଙ୍କ ନିକଟରେ ବିଦ୍ୟା ଅଧ୍ୟୟନ କରୁଥିଲେ l ବିଦ୍ୟା ସମାପ୍ତି ପରେ ସେ ଗୁରୁ ଦକ୍ଷିଣା ଦେବାକୁ ଚାହିଁବାରୁ ଗୁରୁ କହିଲେ, ଗୁରୁ ମାଆଙ୍କୁ ପଚାରି ତୁମର ଦକ୍ଷିଣା ଦାନକର l ଗୁରୁ ମାଆଙ୍କୁ ପଚାରିବାରୁ ସେ କହିଲେ ତୁମେ ଦକ୍ଷିଣା ସ୍ୱରୂପେ ମୋତେ ରାଜା ପୌଷ୍ୟଙ୍କ ରାଣୀଙ୍କ କୁଣ୍ଡଳ ଆଣି ଦିଅ l ଉତ୍ତଙ୍କ କୌଣସି ମତେ ରାଣୀଙ୍କ ଠୁଁ ଭିକ୍ଷା କରି ତାହା ଘେନି ଆସିଲେ l ବାଟରେ ଆସିଲା ବେଳେ ଭୋକ ଲାଗିବାରୁ କୁଣ୍ଡଳ ହଳକ ଥୋଇଦେଇ, ସେ ଖାଇବାପାଇଁ କିଛି ଫଳ ତୋଳୁଛନ୍ତି ଏହି ସମୟରେ ତକ୍ଷକ ନାଗ କୁଣ୍ଡଳ ହଳକୁ ଧରି ପାତାଳ ପୁରୀକୁ ଚାଲିଗଲା l ଦେବରାଜ ଇନ୍ଦ୍ରଙ୍କ ସାହାଯ୍ୟ ନେଇ ଉତ୍ତଙ୍କ ପୁଣି ତାହା ଫେରିପାଇ ଥିଲେ l ସେହି ଦିନରୁ ସେ ତକ୍ଷକକୁ ଉଚିତ ଶିକ୍ଷା ଦେବାପାଇଁ ସୁଯୋଗ ଖୋଜୁ ଥିଲେ l
ମହର୍ଷି ଉତ୍ତଙ୍କ ଦିନେ ହସ୍ତୀନା ଯାଇ ଜନ୍ମେଜୟଙ୍କ ଦରବାରରେ ପହଞ୍ଚିଲେ l ଜନ୍ମେଜୟ ଋଷିଙ୍କ ପଦ ପୂଜାକରି ସ୍ୱାଗତ କଲେ ଏବଂ ତାଙ୍କର ଯଥୋଚିତ ସତ୍କାର କଲେ l ଋଷି ଆସନରେ ବସିବାରୁ ରାଜା ଜନ୍ମେଜୟ ଯୋଡ଼ହସ୍ତ ହୋଇ କହିଲେ, ମହାତ୍ମନ୍, ମୋତେ ଆଜ୍ଞାଦିଅନ୍ତୁ, ମୁଁ ଆପଣଙ୍କ କେଉଁ ସେବା କରିପାରେ l ଉତ୍ତଙ୍କ କହିଲେ, ହେ ରାଜା ! ଏହା ନିଃସନ୍ଦେହ ତୁମେ ଉତ୍ତମ ଭାବେ ରାଜ୍ୟ ଶାସନ କରୁଛ l ପ୍ରଜାଗଣ ମଧ୍ୟ ସୁଖରେ ଅଛନ୍ତି l ମାତ୍ର ତୁମେ ଭୁଲି ଯାଇଛ କଅଣ କରିବା ଉଚିତ l ଶଙ୍କିତ ଚିତ୍ତରେ ଜନ୍ମେଜୟ ଋଷିଙ୍କୁ ଚାହିଁ କହିଲେ, ହେ ମହାତ୍ମା ! ମୋତେ ତା' ହେଲେ ଆପଣ ଖୋଲି କରି କୁହନ୍ତୁ, ଯଦ୍ୱାରା ମୁଁ ନିଜକୁ ସଂଶୋଧନ କରି ନେବି l ମୁନି ଉତ୍ତଙ୍କ କହିଲେ,ତୁମେ ଭୁଲିଯାଇଛ ତୁମ ପିତାଙ୍କ ମୃତ୍ୟୁ କିପରି ହେଲା ? ତକ୍ଷକ ନାଗର ଦଂଶନରେ ତୁମ ପିତାଙ୍କ ମୃତ୍ୟୁ ହେଲା, ଅଥଚ ତୁମେ ସେହି ନାଗ ଉପରେ, କୌଣସି ପ୍ରତିଶୋଧ ନେବାଚିନ୍ତା ଏପର୍ଯ୍ୟନ୍ତ କରିନାହଁ l ମହର୍ଷି ଉତ୍ତଙ୍କଙ୍କଠାରୁ ଏହା ଶୁଣି ଜନ୍ମେଜୟ ନିଜ ପାରିଷଦ ମାନଙ୍କୁ ଡାକି ପଚାରିଲେ ଆପଣମାନେ କୁହନ୍ତୁ ମୋ ପିତାଙ୍କ ମୃତ୍ୟୁ କେଉଁଥି ପାଇଁ ହେଲା l ପାରିଷଦ ମାନେ କହିଲେ, ବ୍ରହ୍ମଶାପ ଫଳସ୍ୱରୂପ ଆପଣଙ୍କ ପିତା ପରୀକ୍ଷିତ, ତକ୍ଷକ ଦଂଶନରେ ପ୍ରାଣ ହରାଇଛନ୍ତି l ଜନ୍ମେଜୟ ମହର୍ଷିଙ୍କୁ କହିଲେ ଏଥିରେ ତେବେ ତକ୍ଷକର କଅଣ ଦୋଷ, ପିତାଙ୍କ ମୃତ୍ୟର କାରଣ ତ ବ୍ରହ୍ମଶାପ l ତକ୍ଷକ ସହିତ ମୁଁ ବୃଥା ବୈରତା କରିବି କାହିଁକି?? ଉତ୍ତଙ୍କ ପୁଣି କହିଲେ, ମୁଁ ଜାଣିଛି, ତକ୍ଷକ ଦଂଶନ କରିବାକୁ ଆସୁ ଥାଏ l ସେହି ସମୟରେ କଶ୍ୟପ ବୋଲି ଜଣେ ବିଷହାରୀ ବ୍ରାହ୍ମଣ ମଧ୍ୟ ଆସୁଥିଲେ ଯିଏକି ବିଷ ହରଣ କରି, ମହାରାଜ ପରୀକ୍ଷିତଙ୍କୁ ବଞ୍ଚାଇ ପାରି ଥାନ୍ତେ l ତାଙ୍କସହ ତକ୍ଷକର ସାକ୍ଷାତ ହେଲା l ସେ ବିଷହାରୀ ବୋଲି ଜାଣିପାରି ତକ୍ଷକ ତାଙ୍କୁ ବହୁ ଧନରତ୍ନାଦି ଉତ୍କୋଚ ଦେଇ ବାହୁଡ଼ାଇ ଦେଇଛି l ହେ ରାଜା ! ଏବେ ବିଚାରକର ତକ୍ଷକ ଦୋଷୀ କି ନୁହଁ ! ଆଉଗୋଟିଏ ପୁରୁଣା କାହାଣୀ କହୁଛି ଶୁଣ l ପୁରା କାଳରେ ଜଣେ ମହାନ ଋଷି ଥିଲେ ରୁରୁମୁନି l ତାଙ୍କ ପତ୍ନୀ ସର୍ପାଘାତରେ ପ୍ରାଣ ହରାଇଲା,ମୁନି ତାଙ୍କ ଅର୍ଦ୍ଧେକ ଆୟୁଷ ଦାନ କରି ପୁଣି ତାଙ୍କୁ ପୁନର୍ଜୀବିତ କରାଇଲେ l ସେହି ଦିନ ମୁନି ପଣକଲେ ମୁଁ ସର୍ପଙ୍କ ବଂଶ ନିପାତ କରିବି l ସେବେଠାରୁ ସେ କୌଣସି ସାପ ଦେଖିଲେ ତାକୁ ସଙ୍ଗେସଙ୍ଗେ ପିଟି ମାରିଦିଅନ୍ତି l ରୁରୁମୁନିଙ୍କ ଭଳି ଜଣେ ଋଷି ଯେତେବେଳେ ସର୍ପମାନଙ୍କ ଉପରେ ତାଙ୍କର ରୋଷକୁ ଭୁଲିପାରି ନଥିଲେ, ତୁମେ ପୁଣି କେମିତି ଭୁଲିଯାଉଛ l ତୁମ ପିତାଙ୍କ ଅତୃପ୍ତ ଆତ୍ମା ମୋକ୍ଷ ନପାଇ ଘୁରିବୁଲୁଛି, ତୁମେ ତକ୍ଷକ ଉପରେ ପ୍ରତିଶୋଧ ନେଇ ତାଙ୍କୁ ମୋକ୍ଷ ପ୍ରଦାନକର l ଏଥି ପାଇଁ, ତୁମେ ଏକ ସର୍ପ ଯଜ୍ଞର ଆୟୋଜନ କର l ସେହି ଯଜ୍ଞାହୂତିରେ ତକ୍ଷକ ସମେତ ସମସ୍ତ ସର୍ପ କୁଳ ଧ୍ବଂସ ହେବେ l ଏତେକ କହି ମୁନୀ ଉତ୍ତଙ୍କ ପ୍ରସ୍ଥାନ କଲେ l ମହର୍ଷି ଉତ୍ତଙ୍କଙ୍କ କଥା ଶୁଣି, ରାଜା ଜନ୍ମେଜୟଙ୍କ ଚକ୍ଷୁ ଲୋତକାପ୍ଳୁତ ହୋଇପଡ଼ିଲା l ସେ କହିଲେ ବାସ୍ତବିକ ମୁଁ ମହାପାପୀ l ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ଅତୃପ୍ତ ଆତ୍ମାକୁ ତୃପ୍ତକରି ପାରିନାହିଁ ! ଜନ୍ମେଜୟ ଏପରି ଭାବାବିଷ୍ଟ ହୋଇ ନିଜର ପାରିଷଦ ଗଣଙ୍କୁ ଆଦେଶ ଦେଲେ,"ଯାଅ ଗଙ୍ଗା ତଟରେ ସର୍ପଯଜ୍ଞ ପାଇଁ ସମସ୍ତ ଆୟୋଜନ କର,ସୁନ୍ଦର ଯଜ୍ଞବେଦୀ ପ୍ରସ୍ତୁତ କର l ବିଦ୍ୱାନ ବ୍ରାହ୍ମଣମାନଙ୍କୁ ବରଣ କରି ଆଣ, ମହାମୁନୀ ଉତ୍ତଙ୍କଙ୍କ ଅଧ୍ୟକ୍ଷତାରେ ଆମେ ଏହି ଯଜ୍ଞ କରି ସର୍ପକୂଳକୁ ବିନାଶ କରିବା"l ରାଜା ଜନ୍ମେଜୟଙ୍କ ଆଦେଶରେ ଶାସ୍ତ୍ରମତେ ଯଜ୍ଞ ଶାଳା ପ୍ରସ୍ତୁତ ହୋଇ, ସର୍ପ ଯଜ୍ଞ ଆରମ୍ଭ ହେଲା l ଯଜ୍ଞର ହୋତା ଥିଲେ ଚ୍ୟବନ ବଂଶୀ ମୁନୀ ଚଣ୍ଡ ଭାର୍ଗବ l ଏଥିରେ ଭାରତବର୍ଷର ସମସ୍ତ ବଡ଼ବଡ଼ ଶାସ୍ତ୍ରବେତ୍ତା, ବେଦଜ୍ଞ ଋଷି ମାନେ ମନ୍ତ୍ରୋଚ୍ଚାରଣ ପୂର୍ବକ ଆହୁତି ଦେବାକୁ ଲାଗିଲେ l ମନ୍ତ୍ରଧ୍ୱନୀରେ ସମସ୍ତ ନାଗ ଲୋକରେ ଆତଙ୍କଖେଳିଗଲା l ଶତ ସହସ୍ର ସଂଖ୍ୟାରେ ନାଗ ମାନେ ଯଜ୍ଞକୁଣ୍ଡରେ ପଡ଼ି ଭଷ୍ମ ହେବାରେ ଲାଗିଲେ l ଜନ୍ମେଜୟ ମହାରାଜ ସନ୍ତୋଷ ବ୍ୟକ୍ତକରି କହିଲେ ଏଥର ନାଗକୂଳ ଓ ତକ୍ଷକର ଆଉ ନିସ୍ତାରନାହିଁ l ଏତିକିବେଳେ ଏକ ବିଚିତ୍ର ଘଟଣା ଘଟିଲା l ସୂତମୁନି କହିଲେ ନାଆଁ ସେପରି ହେବ ନାହିଁ l ଯେଉଁ ଭୂମି ଉପରେ ଯଜ୍ଞ ହେଉଛି,ବସେଥିରୁ ମୁଁ ଜାଣି ପାରୁଛି, ଜଣେ ମହାନ ବ୍ୟକ୍ତି ଆସି ସର୍ପ ମାନଙ୍କ ବିନାଶ ବଞ୍ଚାଇ ଦେବେ l ଏହା ଶୁଣି ଜନ୍ମେଜୟ ଦ୍ୱାରପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ତୁମେମାନେ କଡ଼ା ପ୍ରହରା ଦିଅ ଯେପରି କୌଣସି ବାହ୍ୟ ବ୍ୟକ୍ତି ଯଜ୍ଞଶାଳାକୁ ପ୍ରବେଶ କରି ପାରିବେ ନାହିଁ l ଏ ପଟେ ନାଗ ଲୋକ ନାଗ ଶୂନ୍ୟ ହୋଇ ଚାଲି ଥାଏ l ତକ୍ଷକ ଭୟଭୀତ ହୋଇ ଇନ୍ଦ୍ରଙ୍କ ଶରଣ ପଶିଲା l ଏତେ ସଂଖ୍ୟକ ନାଗ ଧ୍ବଂସ ହେଲେଣି, ଅଥଚ ତକ୍ଷକ ଆସୁନାହିଁ l ମହାରାଜ ଜନ୍ମେଜୟ ଚିନ୍ତିତ ହୋଇପଡ଼ିଲେ l ବ୍ରାହ୍ମଣମାନଙ୍କ ନିକଟରୁ ଜାଣିବାକୁ ପାଇଲେ ତକ୍ଷକ ଏବେ ଇନ୍ଦ୍ରଙ୍କ ଶରଣ ପଶିଛି l ତେଣୁ ସେ ବ୍ରାହ୍ମଣ ମାନଙ୍କୁ କହିଲେ ତା' ହେଲେ, ଏବେ ଉଭୟଙ୍କ ନାମରେ ଆହୁତି ଦିଆଯାଉ l ତାହା ହିଁ ହେଲା ଏବଂ ସ୍ୱର୍ଗରୁ ତକ୍ଷକ ଓ ଇନ୍ଦ୍ର ଯଜ୍ଞାନଳରେ ପଡ଼ିବା ପାଇଁ ଖସିଲେ l ନାଗ ଲୋକରେ ଆଉ ଅଳ୍ପମାତ୍ର ସର୍ପ ରହିଥାନ୍ତି l ସର୍ପ କୁଳର ଏଭଳି ସର୍ବନାଶ ଦେଖି ବାସୁକୀଙ୍କୁ ବହୁ କଷ୍ଟହେଲା l ଭଉଣୀ ଜରତ୍କାରୁକୁ ଯାଇ ସେ କହିଲେ, ମୁଁ ତୋ ବିବାହ ସମୟରେ ବ୍ରହ୍ମାଙ୍କଠାରୁ ଶୁଣିଥିଲି ତୋ ଗର୍ଭରୁ ଗୋଟିଏ ପୁତ୍ର ଜନ୍ମ ହେବ ଯିଏ ନାଗ କୂଳକୁ ରକ୍ଷା କରିବ l ଆସ୍ତିକ ତୋ'ର ସେହି ପୁତ୍ର l ଆସ୍ତିକକୁ ବର୍ତ୍ତମାନ କୁହାଯାଉ ସେ ଆମକୁ ରକ୍ଷା କରିବାର ଉପାୟ କରିବ l ଆସ୍ତିକ ଖବର ପାଇ ଆସି କହିଲେ ଆପଣ ଦୁହେଁ ନିଶ୍ଚିନ୍ତ ରୁହନ୍ତୁ ମୁଁ ମୋର ବାକ ଚାତୁରୀ ଦ୍ୱାରା ଜନ୍ମେଜୟଙ୍କୁ ପ୍ରଭାବିତ କରି ଏ ଯଜ୍ଞକୁ ବନ୍ଦ କରିଦେବି l ଏପରି କହି ଆସ୍ତିକ ଯାଇ ଯଜ୍ଞ ଶାଳା ନିକଟରେ ପହଞ୍ଚିଗଲେ l ଦ୍ୱାରପାଳ ମାନେ ଭିତରକୁ ଯିବାକୁ ତାଙ୍କୁ ବାଧା ଦେବାରୁ, ସେହି ଠାରେ ଛିଡ଼ା ହୋଇ ସେ ଯଜ୍ଞ ଓ ସମସ୍ତ ଋଷିମାନଙ୍କ ସ୍ତୁତି କରିବାରେ ଲାଗିଲେ l ଆସ୍ତିକଙ୍କ ଶୁଦ୍ଧ ଓ ପ୍ରଭାବଶାଳୀ ମନ୍ତ୍ର ଉଚ୍ଚାରଣ ଶୁଣି ରାଜା ଜନ୍ମେଜୟ ପ୍ରଭାବିତହୋଇ କହିଲେ, "ମହାତ୍ମନ ! ମୁଁ ଆପଣଙ୍କୁ ବର ଦେବାକୁ ଚାହେଁ, ଆପଣ କି ବର ଚାହାଁନ୍ତି କୁହନ୍ତୁ"l ରାଜାଙ୍କ କଥା ଶୁଣି ଆସ୍ତିକ କହିଲେ, ମୋତେ ବର ଦିଅନ୍ତୁ ଏହି ଯଜ୍ଞ ବନ୍ଦ ହୋଇଯାଉ ଓ ସର୍ପକୁଳ ଏ ମହା ବିନାଶରୁ ରକ୍ଷା ପାଇ ଯାଆନ୍ତୁ l ରାଜା ଜନ୍ମେଜୟ ମହା ସଙ୍କଟରେ ପଡ଼ିଲେ l ସେ ଆସ୍ତିକଙ୍କୁ ଚାହିଁ କହିଲେ, ଆପଣ ଏ ବର ବଦଳରେ ଯାହା ଇଚ୍ଛା ଧନ ରତ୍ନ ମାଗି ନିଅନ୍ତୁ l ମୋତେ ଏ ଯଜ୍ଞ ସମ୍ପୂର୍ଣ୍ଣ କରିବାକୁ ଦିଅନ୍ତୁ l ଆସ୍ତିକ କହିଲେ ମୋର ସେହି ବରକୁ ଛାଡ଼ି,ଅନ୍ୟ କୌଣସି ବସ୍ତୁରେ ପ୍ରୟୋଜନ ନାହିଁ,ତୁମେ ବଚନବଦ୍ଧ l ଏହି ସମୟରେ ସମସ୍ତ ଉପସ୍ଥିତ ମୁନି ଋଷିମାନେ ଗୋଟିଏ ସ୍ୱରରେ କହି ଉଠିଲେ, ଏହି ବ୍ରାହ୍ମଣ ଯାହା ମାଗିଛନ୍ତି ତାହା ହିଁ ତାଙ୍କର ପ୍ରାପ୍ୟ ଓ ରାଜା ଏହାକୁ ସ୍ୱୀକାରକରନ୍ତୁ l ରାଜାଙ୍କର ଆଉ ଉପାୟ ନଥିଲା l ଏହି ସମୟରେ ଦେଖାଗଲା ଆକାଶରେ ତକ୍ଷକ ସହିତ ଇନ୍ଦ୍ର ତୀବ୍ର ବେଗରେ ଯଜ୍ଞାଗ୍ନି ଆଡ଼କୁ ଖସି ଆସୁଛନ୍ତି l ଇନ୍ଦ୍ର ସେ ପ୍ରବଳ ଅଗ୍ନିର ତେଜ ଦେଖି ତକ୍ଷକକୁ ଛାଡ଼ି ପଳାୟନ କଲେ l ଏକାକୀ ତକ୍ଷକ ନାଗ ଏବେ ଯଜ୍ଞ କୁଣ୍ଡର ନିକଟତର ହେବାକୁ ଲାଗିଲା l ଜନ୍ମେଜୟ ବଚନ ବଦ୍ଧ ହୋଇ ଯଜ୍ଞ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଦେଲେ l ଆକାଶ ମାର୍ଗରେ ଆସ୍ତିକ ତକ୍ଷକକୁ ନିର୍ଦ୍ଦେଶ କରି ତିନିବାର କହିଲେ,"ରହି ଯାଅ, ରହି ଯାଅ, ରହି ଯାଅ "l ତକ୍ଷକ ସେଇଠି ଅଟକି ରହିଲେ l ଜନ୍ମେଜୟ କହିଲେ, "ଆସ୍ତିକଙ୍କ ଇଚ୍ଛା ପୂର୍ଣ୍ଣ ହେଉ l ଯଜ୍ଞାରମ୍ଭରେ ସୁତମୁନି ଯାହା ଭବିଷ୍ୟ ବାଣୀ କରିଥିଲେ, ତାହା ସତ୍ୟ ସାବ୍ୟସ୍ତ ହୋଇଛି"l ରାଜା ଜନ୍ମେଜୟ ଆସ୍ତିକଙ୍କୁ ସତ୍କାର କରି ବିଦାୟ ଦେଇ କହିଲେ,"ମୋର ଅଶ୍ୱମେଧ ଯଜ୍ଞକୁ ଆପଣ ନିଶ୍ଚୟ ଆସିବେ"l ଏହାପରେ ଆସ୍ତିକ ଯାଇ ବାସୁକୀ, ନିଜର ମାତା ଜରତ୍କାରୁ ( ମନସା ଦେଵୀ ) ଓ ଅନ୍ୟାନ୍ୟ ନାଗ ମାନଙ୍କୁ ତାଙ୍କ ସଫଳତା ବିଷୟ କହିବାରୁ ନାଗ ଲୋକରେ ଆନନ୍ଦ ଖେଳି ଗଲା l ଅତୀବ ପ୍ରସନ୍ନ ହୋଇ ସମସ୍ତ ନାଗ ଗଣ ମିଶି ଆସ୍ତିକଙ୍କୁ କହିଲେ, ପୁତ୍ର ତୁମ ଯୋଗୁଁ ଆମ ନାଗ କୁଳ ମହାବିନାଶରୁ ରକ୍ଷା ପାଇ ଗଲେ,କୁହ ତୁମକୁ ଆମେ କେଉଁ ବର ଦେବୁ l ଆସ୍ତିକ କହିଲେ ମୁଁ ଆପଣଙ୍କ ଠାରୁ ଏହି ବର ମାଗୁଛି,"ଯିଏ ସାୟଂ ଏବଂ ପ୍ରାତଃ କାଳରେ ଏ ଅପୂର୍ବ ସର୍ପଯଜ୍ଞ ଆଖ୍ୟାନ ପାଠ କରିବ ତାହାର ସର୍ପ ଭୟ ରହିବ ନାହିଁ l ସମସ୍ତ ନାଗମାନେ ଏକ ସ୍ୱରରେ କହିଲେ ତାହାହିଁ ହେବ l ଯେଉଁ ଲୋକ ଅସିତ, ଆର୍ତ୍ତିମାନ ଓ ସୁନିଥ ତିନି ଗୋଟି ମନ୍ତ୍ରରୁ କୌଣସି ଗୋଟିଏକୁ ଦିନରେ ଥରେ ପାଠ କରିବ ତାହାର ସର୍ପ ଭୟ ରହିବ ନାହିଁ l ଆସ୍ତିକ ଋଷି ଏହି ଭଳି ଜନ୍ମେଜୟଙ୍କ ସର୍ପ ଯଜ୍ଞ ବନ୍ଦ କରି, ସର୍ପ କୂଳକୁ ରକ୍ଷା କଲେ l ବହୁ କାଳ ସେ ପୁତ୍ର ପୌତ୍ରାଦିଙ୍କ ସହ ନାଗ ଲୋକରେ ବାସ କରି କାଳାନ୍ତେ ସ୍ୱର୍ଗ ଗମନ କଲେ l ବିଶ୍ୱାସ ଅଛି ଆସ୍ତିକଙ୍କ ନାମ ତ୍ରିବାର ଉଚ୍ଚାରଣରେ ମନୁଷ୍ୟର ସର୍ପଭୟ ଦୂର ହୋଇ ଥାଏ l ନାଗ କୁଳର ବିନାଶକାରୀ ଜନ୍ମେଜୟଙ୍କ ସେହି ମହାଯଜ୍ଞ ଯେଉଁ ଦିନ ବନ୍ଦ ହୋଇଥିଲା ସେଦିନ ଥିଲା ଶ୍ରାବଣ ଶୁକ୍ଳ ପଞ୍ଚମୀ l ସର୍ପ ଓ ମନୁଷ୍ୟଙ୍କ କଲ୍ୟାଣକାରୀ ଏହି ଦିନକୁ, ନାଗପୂଜନ ଦିବସ ବା ନାଗ ପଞ୍ଚମୀ ଭାବେ ପାଳନ କରାଯାଏ l
              🙏🙏🙏
                 ଅର୍ଜୁନୀ
                -----------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya story from Inspirational