ମୁଁ ତୋ ପାଇଁ
ମୁଁ ତୋ ପାଇଁ


ସମାପିକା ଯେତେବେଳେ ସମସ୍ତଙ୍କୁ ପଛକରି ନିଜର ନୂଆ ଦୁନିଆ ଗଢ଼ିବ ବୋଲି ଦୃଢ ସଂକଳ୍ପବଦ୍ଧ ହୋଇ ଆଗକୁ ପାଦ ବଢାଇଲା ସେତେବେଳେ ଲାଗିଲା ତାକୁ ଯେମିତି କେହି ପଛରୁ ଡାକି କହୁଛି ଏ ଦୁନିଆରେ ତୁ ଏକା ଚାଲି ପାରିବୁ ତ ? ବିନା ସହାରା ବିନା ସହଯୋଗରେ ? ଏଠି ଆପଣାର ତ ତୋତେ ପର କରିଦେଲେ ଆଉ ଅଜଣା ଲୋକଙ୍କ ଠୁ ଏଠି ତୁ କ'ଣ ଆଶା କରିଛୁ ?
ଚୌଧୁରୀ ଘରର ବୋହୂ ହେଲା ପରେ ଗର୍ବରେ ଛାତି କୁଣ୍ଢେ ମୋଟ ହୋଇ ଯାଇଥିଲା ସମାପିକାର । ଶ୍ବଶୁର ଶ୍ରୀଚନ୍ଦନ ଚୌଧୁରୀ ଚାରିଥର ସରପଞ୍ଚ ପ୍ରାର୍ଥୀ ହୋଇ ସାରିଲେଣି । ପାଖ ଆଖ ଦଶ ଖଣ୍ଡି ମଉଜରେ ଚୌଧୁରୀ ଘରର ନାଁ ଡାକେ । ନ୍ୟାୟ ନିଶାପରେ ଶ୍ରୀଚନ୍ଦନ ବାବୁଙ୍କୁ ଆଗ ଖୋଜା । ଖାଲି ସରପଞ୍ଚ ନୁହନ୍ତି ତ ଯେମିତି ନ୍ୟାୟର ଜିବନ୍ତ ପ୍ରତିକଟିଏ । ଯଦି କିଛି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ଉପରେ ସଭା ଚାଲିଥାଏ ତେବେ ସବୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଶ୍ରୀଚନ୍ଦନ ବାବୁଙ୍କ ପାଖରେ ହିଁ କଥା ଅଟକୁ ଥାଏ ଆଉ ତାଙ୍କ ନିଷ୍ପତ୍ତିରେ ଉଭୟ ପକ୍ଷର ସହମତି । ତାଙ୍କ ଜୀବନ୍ତ ଅବସ୍ଥାରେ କୌଣସି କେସ୍ ଥାନା କଚେରୀର ମୁହଁ ଦେଖିନଥିଲା । କଚେରୀ ନ୍ୟାୟ ପାଳ ପୋଲିସ ଏସବୁ ଉର୍ଦ୍ଧ୍ବରେ ଲୋକମାନେ ଭରଷୁଥିଲେ ଶ୍ରୀଚନ୍ଦନ ବାବୁଙ୍କୁ । ଆଖି ବୁଜି ମାନି ଦେଉଥିଲେ ତାଙ୍କ ନିଷ୍ପତିକୁ । ସେ ଯାହା ଦଣ୍ଡ ଦେଉଥିଲେ ତାହା ଶିରୋଧାର୍ଯ୍ୟ । ନା କରିବାରକୁ କାହା ପାଖରେ ଜୁ ନଥିଲା । ସମସ୍ତେ ଜାଣନ୍ତି ତାଙ୍କ ନ୍ୟାୟ ନିଶାପରେ କେବେବି ଭୁଲ୍ ହେବନି କି ହୋଇନି ।
କିନ୍ତୁ ସମାପିକା ବୁଝି ପାରିଲିନି ଏତେ ଘରକୁ ନ୍ୟାୟ ନିଷାପରେ ସଜାଡି ଦେଇଥିବା ମଣିଷ ତାଙ୍କ ପୁଅ ବେଳକୁ କାହିଁକି ଏତେ ସ୍ବାର୍ଥୀ ହୋଇଗଲେ । କାହିଁକି ନିଜ ସମ୍ମାନ ଆଗରେ ନ୍ୟାୟ କୁ ବଳି ପକାଇ ଦେଲେ ?
ମଣିଷ ହିସାବରେ ନିମିକେଶ କିଛି ଖରାପ ନଥିଲେ । ଖୁବ୍ ଯତ୍ନ ନେଉଥିଲେ ଢେର୍ ପ୍ରେମ କରୁଥିଲେ । ସମାପିକାକୁ ହେଲେ କୋଉ ଏକ ଦୂର୍ବଳ ମୁହୂର୍ତ୍ତରେ ସାନ ଭଉଣୀ ମରିଚିକା ପ୍ରତି ଆକର୍ଷିତ ହୋଇ ସେଇ ପ୍ରେମରୁ କିଛି ଚୋରେଇ ନେଇ ତାକୁ ଦେଇ ଦେଇଥିଲେ ସେ ଜାଣି ପାରିନଥିଲା । ଶାଳୀ ଭିଣୋଇର ସମ୍ପର୍କ ସେ କେବଳ ଏତିକି ବୁଝିଥିଲା । ଗୋଟେ ମିଠା ସମ୍ପର୍କ କିଛି ଥଟ୍ଟା ମଜା ଢେର୍ ସ୍ବାଧୀନତା ଆଉ ଭାଇ ଭଉଣୀ ଠାରୁ ଟିକେ ଉର୍ଦ୍ଧ୍ବରେ ଅଲଗା ସମ୍ପର୍କ ଟିଏ । କିନ୍ତୁ ଏଇ ମିଠା ସମ୍ପର୍କର ଏକ ଦୁହେଁ ଏମିତି ଫାଇଦା ଉଠେଇବେ ତାହା ସମସ୍ତଙ୍କ ଭାବନା ବାହାରେ ଥିଲା ।
ନିମିକେଶ ମରିଚିକା ଯେତେବେଳେ ଥଟ୍ଟା ମଜା ହୁଅନ୍ତି ଖୁବ୍ ଉପଭୋଗ କରେ ସମାପିକା । ଆଉ ଯେତେବେଳେ ନିମିକେଶ କୁହନ୍ତି ଆରେ ତୋ ଦିଦିଙ୍କୁ ନ ହୋଇ ମୁଁ ତୋତେ ବାହା ହୋଇଥାଆନ୍ତି କି ସତରେ ମୋ ଜୀବନଟା ପୁରା ରଙ୍ଗୀନ ହୋଇ ଯାଇଥାନ୍ତା । ସମାପିକା ହସି ହସି କହେ ଏବେ ହୋଇ ଯାଉନୋ କ'ଣ ଅସୁବିଧା ଅଛିକି ?
କିନ୍ତୁ ସେଇ ପରିହାସ ଦିନେ ସତରେ ହୋଇ ତାକୁ ପରିହାସ କରିବ ବୋଲି ସେ ଜାଣି ନଥିଲା । ଫିଲ୍ମୀ ସପିଂ ଚାଟ୍ , ଗୁପଚୁପ୍ , ଚାଉମିନ , ଗହଣା ଶାଢ଼ୀ ଚୁଡ଼ି ସବୁଥିରେ ଭାଗ ବସେଇ ଆସୁଥିବା ସାନ ଭଉଣୀ ମରିଚିକା କେତେବେଳେ ସୁଯୋଗ ଖୋଜି ତା ସିନ୍ଦୂରରେ ବି ଭାଗ ବସେଇ ଦେଲା ସେ ଜାଣି ପାରିଲାନି । ତା ମଙ୍ଗଳସୂତ୍ରକୁ ଇର୍ଷା କରି ସ୍ଵାମୀ ନାଁ ରେ ଆଉ ଗୋଟେ ମଙ୍ଗଳସୂତ୍ର ତା ଗଳାରେ କେତେବେଳେ ଝୁଲେଇ ଦେଲା ସେ ବୁଝିପାରିଲାନି ।
ଖାଲି ଯାହା ହତଚକିତ ହୋଇ ରହିଗଲା । ତା ସାନ ଭଉଣୀ ତାକୁ କେମିତି ସହି ପାରିଲାନି ତାକୁ ସେଇଟା ବଡ ଆଶ୍ଚର୍ଯ୍ୟ ଲାଗୁଥିଲା ।
କେମିତି ସେ ବଡ ଭଉଣୀର ସ୍ନେହ ଶ୍ରଦ୍ଧା ଭଲପାଇବାକୁ ବେଖାତିର କରି ଭିଣୋଇ ପ୍ରେମରେ ଉବୁଟୁବୁ ହୋଇ ବିବାହ ପ୍ରସ୍ତାବକୁ ସହଜରେ ଗ୍ରହଣ କରିଦେଲା !
ସେତେବେଳେ ଦିଦି ମଥାରେ ସିନ୍ଥିରେ ଦାଉ ଦାଉ ହୋଇ ଜଳୁଥିବା ସିନ୍ଦୂର କ'ଣ ତା ଆଖିକୁ ଦେଖା ଗଲାନି ? କେମିତି ଏଡେ ସାହସରେ ଏତେ ବଡ ପଦକ୍ଷେପଟେ ନେଇ ତା ଦିଦି ସାମ୍ନାରେ ଆଖି ସହ ଆଖି ମିଶାଇ ଛିଡା ହୋଇ ପାରିବ ବୋଲି ସେ ଭାବି ପାରିଲା ? ତାରି ଆଖି ଆଗରେ ବଢ଼ି ତାରି ହାତରୁ ହର୍ଲିକ୍ସ ସେରିଲାକ ପରିବା ସିଝା ଖାଇ ତାରି ଆଙ୍ଗୁଠି ଧରି ବୁଲି । ତାରି ପାଖରେ ଜହ୍ନ ମାମୁଁ ବିକ୍ରମ ବେତାଳ କାହାଣୀ ସୁଣି ଶୋଉଥିବା । ତା ସହ ଛୋଟ ଛୋଟ କଥାରେ କରି ଝଗଡ଼ା କରି ରୁଷି କଟି କଟି ପୁଣି ମିଟି କରି ଦେଉଥିବା । ଛୋଟବେଳୁ ସବୁ ଆଗ ମୋର ମୋର ବୋଲି କହି ଆସୁଥିବା ମରିଚିକା ଏବେ ଦିଦିର ବରକୁ ବି ତାର କରିଦେଲା ଖେଳଣା ଖାଇବା ଆଉ ସଜପଟା ସାମଗ୍ରୀ ପରି ।
ଛାତିରେ ବହୁତ ଯନ୍ତ୍ରଣା ହେଉଥିଲା ସମାପିକାକୁ , ମରିଚିକାକୁ ସଉତୁଣୀ ରୂପେ ଦେଖି କେବେବି ସେ ସହି ପାରିବନି । ଅଭିଯୋଗ ବାଢିଲା ଶ୍ବଶୁରଙ୍କ ନିକଟରେ - " ୟାର କିଛି ଗୋଟେ ପ୍ରତିକାର କରି ମୋତେ ନ୍ୟାୟ ଦିଅନ୍ତୁ । ମୁଁ ଏ ବାହାଘର କୁ ସ୍ବୀକୃତି ଦେଇ ପାରିବିନି ମୁଁ କେବେ ଚାହେଁନା ମୋର କେହି ସଉତୁଣୀ ରୁହନ୍ତୁ "
ଶ୍ବଶୁର ଶ୍ରୀଚନ୍ଦନ ବାବୁ ବୁଝାଇଲେ - " ଦେଖ ମା' ଏ ଆମ ସମ୍ମାନର କଥା ତୁ ଦୟାକରି ପାଟି ନ ଖୋଲି ଚୁପ୍ ରୁହ । ମୁଁ କଥା ଦେଉଛି ତୋର କିଛି ଅସୁବିଧା ହେବନି କୌଣସି ଟିରେ ତୋର ଅବହେଳା ହେଲେ ତମେ ମୋତେ କହିବ । ହେଲେ ନିମିକେଶ ଯେତେବେଳେ ମରିଚିକାକୁ ବାହା ହୋଇ ସାରିଲାଣି ମୁଁ ଆଉ କ'ଣ କରିପାରିବି ତୁମେ କୁହ ? ଦୁଇ ଦୁଇଟା ଜୀବନକୁ ତମେ କଣ ତମ ସୁଖ ପାଇଁ ବର୍ବାଦ କରିଦେବ ? ଯେତେ ଯାହା ହେଲେ ବି ସେ ତୁମ ସାନ ଭଉଣୀ ତା କଥା ଟିକେ ଭାବ ମୁଁ ଯଦି ଏବେ କହେ ସେ ଏକାଠି ରହିବନି ଆମ ସହ ତେବେ ଯଦି ସେ କିଛି ଭୁଲ ନିଷ୍ପତ୍ତି ନେଇଯାଏ ତେବେ ?
ସମାପିକା - କହିଥିଲା - " ଆପଣଙ୍କୁ ଖାଲି ସାନର ନିରିହ ମୁହଁ ଆଉ ଆପଣଙ୍କ ପୁଅର ଖୁସି ଦେଖା ଯାଉଛି ? ମୋ ସପକ୍ଷରେ କିଛି କଥା ନାହିଁ ବରଂ ଆପଣଙ୍କ ପୁଅର ଭୁଲ୍ କୁ ଆପଣ ଘୋଡେଇ ବାରେ ବ୍ୟସ୍ତ । କୋଉ ସାହସରେ ଏମିତି ପଦକ୍ଷେପ ସେ ନେଲେ କାହିଁକି ମୋ ସୁଖ ସଂସାରରେ ଅଶାନ୍ତି ଅସନ୍ତୋଷ ଭରି ଦେଲେ । ଛୋଟ ବେଳୁ ଶାସନ ଠିକ୍ ସେ କରିଥିଲେ ଆଜି ଆପଣଙ୍କୁ ଏମିତି ଅବସ୍ଥାର ସମ୍ମୁଖୀନ ହେବାକୁ ପଡି ନଥାନ୍ତା । ପ୍ରତ୍ୟେକ ଭୁଲ୍ ରେ ଯଦି ଗୋଟେ ଗୋଟେ ଥାପଡ ମାରି ଥାଆନ୍ତ ତେବେ ଆଜି ଏ ଭୁଲ୍ କରିବା ପୂର୍ବରୁ ବି ଶହେ ଥର ସେ ଭାବିଥାନ୍ତେ ଗାଲକୁ ଆଉଁଶି ଥାନ୍ତେ । ଭୁଲ୍ ଖାଲି ତାଙ୍କର ନୁହେଁ ଅଧିକ ସ୍ବାଧୀନତା ଗେହ୍ଲା କରି ଆପଣ ମୁହଁ ବଢେଇ ଛନ୍ତି ତାଙ୍କର । ମୋର ଶେଷ କଥା ଶୁଣି ରଖନ୍ତୁ ଯଦି ମରିଚିକା ଏଠି ରହିବ ତେବେ ମୋର ଗୋଟେ ସର୍ତ୍ତ ଅଛି ।
- " କ'ଣ ? ( ଶ୍ବଶୁର ପଚାରିଲେ )
ସମାପିକା କିଛି ସମୟ ଚୁପ୍ ରହି ଅତି ଗମ୍ଭୀର ସ୍ୱରରେ କହିଲା - " ଆପଣଙ୍କ ପୁଅ ସହ ସେ ଶାରିରୀକ ସମ୍ପର୍କ ରଖି ପାରିବନି "
ଏତିକି ଶୁଣିକି ନିମିକେଶ ଘର କମ୍ପେଇ ଦେଲେ
-" କିଛି ସର୍ତ୍ତ ରହିବନି । ଯଦି ତୋର ଏଠି ରହିବା କଥା ରହ ନହେଲେ ମୋତେ ଛାଡ଼ପତ୍ର ଦେଇଦେ ମୋର କିଛି ଆପତ୍ତି ନାହିଁ ।
ସମାପିକା ଆଖି ଲୁହ ଛଳ ଛଳ ହେବା ସହିତ ମୁହଁ ରାଗରେ ଲାଲ୍ ପଡ଼ିଗଲା । ସେ ଏତେ ରାଗି ଯାଇଥିଲା ଯେ କଥା କହିବା ବେଳେ ଓଠ ଥରି ଉଠିଲା ।
-" କ'ଣ ଭାବିଛ ମୋତେ କାଠ କଣ୍ଢେଇ ? ନା ନାଚ ବାଲି ? ନା ହୁଣ୍ଡି ଭାବିଛକି ? ଆଇନ କାନୁନ ବିଷୟରେ କିଛି ଜାଣିନି ବୋଲି ? ଏଠି ଆଇନ ଅଛି ଆଉ ଭୁଲ୍ ପାଇଁ ଶାସ୍ତି ବି ଅଛି ଏଇଟା ମନେ ରହେ ଯେମିତି । "
ଶ୍ରୀ ଚନ୍ଦନ ବାବୁ ବୋହୂ ସମାପିକାର ହାତକୁ ଦୁଇ ହାତରେ ଜାବୁଡ଼ି ଧରି କହିଲେ -" ମା ରେ ଆମ ସମ୍ମାନକୁ ଦାଣ୍ଡରେ ନିଲାମ କରନି । ତୁମେ ଯାହା କହିବ ସବୁ ହେବ ତୁମ ସର୍ତ୍ତ ମୁତାବକ କିନ୍ତୁ ତୁମେ ଦୟାକରି ଆମ ସମ୍ମାନକୁ ମାଟିରେ ମିଶାଅନା । ଆଜି ପର୍ଯ୍ୟନ୍ତ ମୁଣ୍ଡ ତଳକୁ କରି ଚାଲି ନଥିବା ଏ ଚୌଧୁରୀ ବଂଶର ମୁଣ୍ଡ ତଳକୁ କରନା । "
ସେଦିନ ପ୍ରଥମ ଥର ପାଇଁ ଗୋଟେ ଭଦ୍ର ମୁଖା ତଳେ ଗୋଟେ ସମ୍ମାନ କାଙ୍ଗାଳ ମଣିଷକୁ ସେ ଦେଖିଥିଲା । ଯିଏ ନିଜ ସମ୍ମାନକୁ ବଞ୍ଚେଇ ବାକୁ ଅନ୍ୟର ଭଲପାଇବା ଆଶା ବିଶ୍ବାସ ଭରସାର ଶ୍ବାସ ରୁଦ୍ଧ କରିପାରନ୍ତି ।
ସମାପିକା ଟିକେ ଶାନ୍ତ ପଡିଥିଲା । ନିମିକେଶ କି ମରିଚିକା ତାସହ ବିଶେଷ କଥା ହେଉ ନଥିଲେ କେବଳ ଜରୁରୀ କଥା ବ୍ୟତୀତ । ଯେମିତି ଚୋର ପୋଲିସର ଖେଳ ଖେଳୁଥିଲେ ସମାପିକା ସହ ସେ ଦୁହେଁ । ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପାଇଁ ତା'ର ଅନୁପସ୍ଥିତିର ସୁଯୋଗ ଟିଏ ଖୋଜୁଥିଲେ ଯାହା ।
ନିଜକୁ ବହୁତ ଶାନ୍ତ୍ବନା ଦେଇ ଅତି କଷ୍ଟରେ ସମୟ ଗୁଡାକୁ ଅତିବାହିତ କରୁଥିଲା ସେ । ଦିନେ ଆଖି ଆଗରେ ଧରା ପଡିଗଲେ ଦୁହେଁ ଅସଂଯତ ଅବସ୍ଥାରେ ଗୋଟେ ଖଟରେ ଶୋଇଥିବା ବେଳେ। ସମାପିକା ଦେଖିଲା ପରେ ବି ସେମାନଙ୍କର କିଛି ପ୍ରତିକ୍ରିୟା ନାହିଁ ଯେମିତି କୋଉ କୁକୁର କି ବିଲେଇ ଛୁଆ ଦେଖିଦେଲେ ସେଭଳି ହାବ ଭାବ । ଶ୍ବଶୁରଙ୍କ ପାଖରେ ଯାଇ ଅଭିଯୋଗ କଲା । ତା ସର୍ତ୍ତ ମୂତାବକ କଥା ରହିନି ବୋଲି ସେ ସୂଚେଇ ଦେଲା ।
ଏହା ସୁଣି ଶ୍ରୀଚନ୍ଦନ ବାବୁ ଧିର ସ୍ବରରେ କହିଲେ - " କାଇଁ ଏତେ ଯୋର୍ ରେ ପାଟି କରୁଛ କହିଲ ? କ'ଣ ଟିକେ ଭଲ ମନ୍ଦ ହେଉଛନ୍ତି ତମେ ଟିକେ ଚୁପ୍ ରହିପାରୁନ । କାଇଁ ଏମିତି ଛୋଟ ପିଲାଙ୍କ ପରି ହେଉଛ କହିଲ ମା ?
ପ୍ରଥମ ଥର ପାଇଁ ଶ୍ବଶୁର ତା ଆଖିକୁ ଅମଣିଷ ପରି ଲାଗିଲେ । ଅନ୍ୟକୁ ନ୍ୟାୟ ଦେଉଥିବା ମହାଶୟ ଆଜି ନିଜ ପୁଅ ବେଳକୁ ସ୍ବାର୍ଥୀ ସାଜିଥିଲେ ।
ସମାପିକାର ଇଛା ହେଉଥିଲା ଶ୍ବଶୁରଙ୍କୁ ଭଲକି ପଦେ ଛାଡି ଦିଅନ୍ତା ତା ସଂସ୍କାରକୁ ପଛ କରି ନିଜକୁ ଉଦଣ୍ଡି ଟେ ସଜେଇ । ହେଲେ ସେ ପାରିଲାନି ଆଉ କିଛି ବି ପଦେ କହିଲାନି । ଯନ୍ତ୍ରଣା ଜର୍ଜରିତ ମନ ଲୁହ ଭିଜା ଆଖି ଅପମାନରେ ବତୁରା ମୁହଁକୁ ବୁଲେଇ ଦେଇ ସେ ନିଜ ଲୁଗାପଟା ଗୋଟେ ସୁଟକେସରେ ଭର୍ତ୍ତି କରି ସିଧା ଚାଲି ଆସିଥିଲା ସେଠୁ । ସବୁ ସ୍ବାର୍ଥପରଙ୍କୁ ପଛ କରି ଏକେଲା ଜୀବନଟେ ବଞ୍ଚିବାକୁ ।
ନିଜ ବାପା ବୋଉକୁ ବି ଏ କଥା ଜଣାଇ ନଥିଲା ସତ କଥା ହେଉଛି ଜଣାଇବାକୁ ଚାହିଁ ନଥିଲା କାରଣ ସେମାନେ ବି ଏ ବାହାଘରକୁ ବିରୋଧ କରିନଥିଲେ କି ମରିଚିକାକୁ ବୁଝେଇ ଏ ବିବାହ ରୋକି ବାକୁ ଚେଷ୍ଟା କରିନଥିଲେ ।
ସେ ଚାହିଁଥିଲେ ମହିଳା କମିଶନର ଆଶ୍ରୟ ନେଇ ପାରିଥାନ୍ତା । ହେଲେ ପରେ ଭାବିଲା ଫାଇଦା କ'ଣ ?
କ'ଣ ଟା ବା ସେ ପାଇବ ? ଯୋଉ ନିମିକେଶକୁ ସେ ପ୍ରଥମରୁ ପାଇ ଥିଲା ତାଙ୍କୁ ତ ଆଉ ପାରିବନି ନା ।
ଯିଏ ତାକୁ ଢେର୍ ପ୍ରେମ କରି ତାଙ୍କ ଆଖି ପଲକରେ ରଖୁଥିଲେ । ନିଜ ମୂଲ୍ୟବାନ ସମୟ ସାଇତି ରଖି ତାକୁ ଯଥା ସମ୍ଭବ ଖୁସି କରିବାକୁ ଚେଷ୍ଟା କରୁଥିଲେ । ତା ପ୍ରେମରେ ନିଜକୁ ଭୁଲି ଯାଉଥିଲେ ।
ସେ ମଣିଷକୁ ବି ତ ସେ ଆଉ ସମ୍ମାନ କରି ପାରିବନି ଯାହାକୁ ସେ ବାପା ଠାରୁ ଅଧିକ ଭାବୁଥିଲା । ଜଣେ ମହତ ମଣିଷ ବୋଲି ନିଜ ହୃଦୟରେ ଭକ୍ତି କରୁଥିଲା ସମ୍ମାନ ଦେଉଥିଲା ।
ଆଉ ସାନ ଭଉଣୀକୁ ବି ସେ ହରେଇ ସାରିଛି କେବେଠୁ ।
ଯେବେଠୁ ସେ ତା ବଡ ଦିଦିକୁ ପର ଭାବି ସାରିଛି ନିଜକୁ ସଜାଡି ତା ଦିଦିକୁ ଭାଙ୍ଗି ଦେଇଛି ।
ଏବେ ଯାହା ଅଛି ଥାନା କଚେରୀ କରି ମଧ୍ୟ ସେୟା ହିଁ ରହିବ ସେମାନଙ୍କ ଘୃଣାର ପାତ୍ର ଏବେବି ଅଛି ସେବେବି ରହିବ କିଛି ଫରକ ପଡିବନି । ବରଂ ବଞ୍ଚନ୍ତୁ ସେମାନେ ନିଜ ହିସାବରେ ଜୀବନ ନିର୍ଭୟରେ ନିର୍ଦୋନ୍ଦରେ ।
ଆଖି ଆଗରେ ଅସହ୍ୟ ପ୍ରତାରଣାକୁ ଦେଖି ସେଠି ଅଶାନ୍ତିରେ ରହିବା ଅପେକ୍ଷା ତାଙ୍କ ଠୁ ଦୂରେଇ ଯାଇ ସାମାନ୍ୟ ଶାନ୍ତିରେ ରହିବା ଢେର୍ ଭଲ ।
ଆଗକୁ ବଢ଼ିଥିବା ପାଦ ଆଉ କେବେ ପଛକୁ ଫେରିବନି ସମାପିକାର । ବରଂ ସବୁ ପରିସ୍ଥିତି ସବୁ ପରିବେଶକୁ ସାମ୍ନା କରି ତାକୁ ବଞ୍ଚିବାକୁ ହେବ ଆଗକୁ ବଢ଼ିବାକୁ ହେବ ଦୁଇ ପ୍ରାଣୀ ପାଇଁ । ଜଣେ ସେ ଆଉ ଜଣେ ତା ପେଟରେ ବଢ଼ୁଥିବା ତା ଛୁଆ । ସମାପିକା ଜାଣିଛି ଏ ସ୍ୱାର୍ଥପର ଦୁନିଆଁରେ ଏକା ଚାଲିବା କେତେ କଷ୍ଟ କିନ୍ତୁ ତଥାପି ସେ ଚାଲିବ ତା ପାଦ ନଥକିବା ପର୍ଯ୍ୟନ୍ତ । ଜଣେ ସ୍ତ୍ରୀ ହୁଏତ ହାରି ଯାଇପାରେ ହେଲେ ଗୋଟେ ମା କେବେବି ହାରିବନି ।
କୁଆଡେ ଯିବ କୁଆଡେ ନଯିବ ଯେତେବେଳେ ସ୍ଥିର କରି ପାରୁନଥିଲା । ସେତେବେଳେ ସମାପିକା ଆଖି ଆଗରେ କେବଳ ଗୋଟିଏ ମୁହଁ ହିଁ ଦେଖାଗଲା । ରୁବିନା । ତା ପ୍ରିୟ ବାନ୍ଧବୀ ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ତା ମା ବ୍ୟତୀତ ତା ଠୁଁ ଅଧିକ ତାକୁ ଆଉ କେହି ବୁଝି ନାହାନ୍ତି । ତା ପ୍ରିୟ ମଣିଷଙ୍କ ଭିତରେ ଏ ଜଣେ ଥିଲା । ଯଦି ଆଖି ବୁଜି କାହାକୁ ସବୁଠୁ ଅଧିକ ବିଶ୍ବାସ କରୁଥିଲା ସେ ଥିଲା ରୁବିନା । ଖାଲି ସେ ନୁହେଁ ରୁବିନା ବି ତାକୁ ବହୁତ ଭଲ ପାଉଥିଲା ସେ ଦୁହେଁ ଏମିତି ବାନ୍ଧବୀ ଥିଲେ ସଭିଏଁ ତାଙ୍କ ବନ୍ଧୁତାକୁ ଇର୍ଷା କରୁଥିଲେ ।
ବାହା ହୋଇଛି ଜଣେ ବଡ଼ କଣ୍ଟାକରକୁ । ବିରାଟ ବଡ ବଙ୍ଗଳା ଘରେ ଗୋଟିଏ କାମବାଲି ବି ଅଛି ଝାଡୁପୋଛା କରିବାକୁ । ଦୁଇ ଚାରିଟା ବଖରା ଭଡ଼ା ଲାଗିଛି ପରିବାର ନେଇ ରହୁଛନ୍ତି ଭଡାଟିଆ । ତଥାପି ଚାରିଟା ଘର ଫାଙ୍କା ପଡିଛି । ଯେପର୍ଯ୍ୟନ୍ତ କିଛି ଗୋଟେ ସ୍ଥାୟିତ୍ବ ନ ହୋଇଛି ସେ ପର୍ଯ୍ୟନ୍ତ ରୁବିନା ଘରେ ରହିଗଲେ କିଛି ଅସୁବିଧା ନାହିଁ । ବିବାହ ପରେ ଥରେ ଯାଇଥିଲା ନିମିକେଶଙ୍କ ସହ ତା ବିବାହ ବାର୍ଷିକୀରେ ଆଉ ଯାଇନି କି ବ୍ୟସ୍ତ ଭିତରେ ଯୋଗାଯୋଗ ରଖି ପାରିନି ।
ଖାଉଥିଲା ସେତେବେଳେ ରୁବିନା , କଲିଂ ବେଲ୍ ବଜାଇଲା ସମାପିକା ।
କାମବାଲି ଲୁନି ଆସି କବାଟ ଖୋଲିଲା ପରିଚୟ ପଚାରିଲା । ଲୁନି ରୁବିନାକୁ କିଛି କହିବା ଆଗରୁ ସମାପିକା କଣ୍ଠ ସ୍ବର ସୁଣି ଅଧା ଖିଆ ରୁ ଦୌଡ଼ି ଆସିଲା ରୁବିନା ଗୋଟାପଣେ କୁଣ୍ଢେଇ ପକାଇଲା ତାକୁ ।
-" ସମି ତୁ ଏତେବେଳେ ? ଆ ଆ ଭିତରକୁ ଆ "
ସାଙ୍ଗରେ ବସେଇ ଖୁଆଇଲା ଖାଇ ସାରିଲା ପରେ ମନ ଭରି ଦୁହେଁ ଢେର୍ ଗପିଲେ । ତାପରେ ସମାପିକା ସବୁ କଥା ଖୋଲିକି କହିଲା ରୁବିନାକୁ ।
- " ତେବେ କ'ଣ ଭାବୁଛୁ ? " ( ରୁବିନା ପଚାରିଲା )
-" ଭାବୁଥିଲି କିଛି ଦିନ ତୋ ଘରେ ରହିଥାନ୍ତି । ଯଦି କିଛି ଅସୁବିଧା ନ ହୁଏ ତେବେ ....
ତା କଥା ଅଧାରୁ କାଟି ଦେଇ ରୁବିନା କହିଲା - " ଏଇ ତୁ ସମି ଟି ନା ଆଉ କିଏ ? ମୋତେ ଏମିତି କଥା ଟେ ପଚାରିବୁ ବୋଲି ମୁଁ କେବେ ଭାବିନଥିଲି । ଆରେ ଏ ଘର ତୋ ନିଜ ଘର ଭାବି ରହ ଯେତେଦିନ ପାରୁଛୁ । ତୁ ଏଠି ରହିଲେ ମୋତେ ଅଧିକ ଖୁସି ଲାଗିବ । ଏ ଅଫିସ ଗଲାପରେ ଏ ରୋଷେଇ ପରେ ଘରେ ଖାଲି ଟିଭି ଦେଖି ଦେଖି ବୋରିଂ ଲାଗିବନି ଆଉ । ହେଲେ ସାବଧାନ ଧନ ତୁ ମୋ ଠୁ ଅଧିକ ସୁନ୍ଦରୀ ମୋ ସ୍ଵାମୀକୁ ଯେମିତି ଫସେଇ ନ ଦେଉ । "
ଦୁହେଁ ହସିଥିଲେ ।
ପ୍ରାୟ ମାସେ ରହିବା ଭିତରେ ସେ ଜାଣି ପାରିଲା ସେ ରହିବା ନେଇ ସ୍ଵାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଉଛି । ଥରେ ଦୁଇଥର ବି ତା କାନରେ କଥାଟା ପଡ଼ିଲା ରୁବିନାକୁ ତା ସ୍ଵାମୀ କହୁଥିବାର । ଏଡେ ବଡ଼ ଘରଟାରେ ତାକୁ କୋଉ ଖୁସିରେ ରଖେଇଛ ଶୁଣେ ? ନିଜକୁ ନିଜେ ମୁରବି ଭାବୁଛ ବୋଧେ । ଗୋଟେ ଫ୍ୟାମିଲି ରହିଲେ ମାସକୁ ଅତି କମ୍ ରେ ଟଙ୍କା ତିନି ହଜାର ମିଳିବ ବୁଝୁଛ ନା ନାଇଁ । ଶୁଣ ତାକୁ ସେ ଗେଷ୍ଟହାଉସ ପାଖରେ ଥିବା ଆଜବେଷ୍ଟସ ଘରଟା ଦେଇ ଦିଅ ଯେତେ ଦିନ ପାରୁଛି ସେ ରହୁ ସେଠି ।
କିଛି ଦିନ ପରେ ସମାପିକା ନିଜେ ହିଁ ତା ତରଫରୁ କହିଥିଲା ରୁବିନାକୁ...
- " ଏଇ ମୋତେ ଏତେବଡ଼ ଘରଟା ଜମା ଆରଉନିରେ । ସେ ଆଜବେଷ୍ଟସ ଘରଟା ମୋ ପାଇଁ ଭଲ ହେବ । ଲୁନି କି କହି ସେ ଘରଟା ସଫା କରିଦେ ସେଇଟି ରହିବି ମୁଁ ।"
ରୁବିନା ଯାହା ଅନ୍ତରରେ ଚାହୁଥିଲା ହେଲେ କହି ପାରୁନଥିଲା । ତାହା ସମାପିକା ମୁହଁରୁ ଶୁଣି ଆଶ୍ବସ୍ତ ହେଲା । ପରେ ସେ ନଯିବା ପାଇଁ କିଛି ମିଛ ଅଭିନୟ କଲା କିନ୍ତୁ ସମାପିକା ତାକୁ ବୁଝେଇକି ଶେଷରେ ଗଲା ସେ ଆଜବେଷ୍ଟସ ଘରକୁ ।
ମନେ ମନେ ଭାବିଲା କିଛି ଭୁଲ କହୁ ନାହାନ୍ତି ରୁବିନା ସ୍ଵାମୀ । ଆଜି କାଲି ଯାହା ବଜାର ଭାଉ ହେଲାଣି ଆଉ ଲୋକ ହାଉ ହାଉ ଘର ଅଭାବ ସେ ପୁଣି ଏଡେ ବଡ ଘରଟା ଆବୋରିକି କାଇଁ ବସିଛି ତିନି /ଚାରି ହଜାର ତାଙ୍କର କ୍ଷତି କରି ।
ସେମିତି ଖାଲିଟାରେ ବସିଲାନି ତାକୁ ଭାରି ଭାରି ଲାଗିଲା । ରୁବିନାକୁ କହି ୪/୬ ଟା ପିଲା ଯୋଗାଡ କଲି ନିତି । ପଢାଇବାକୁ ଗଲା ତାଙ୍କ ଘରକୁ । ସମୟାନୁସାରେ । ଯାଇ ମାସକୁ ଦଶ ବାର ହଜାର ହୋଇଗଲା ତାକୁ ଟିକେ ମନ ସନ୍ତୋଷ ଲାଗିଲା ।
କିନ୍ତୁ ଟିୟୁସନ ଭିତରେ ବହୁତ ଭଦ୍ର ଲୋକଙ୍କ ଅଭଦ୍ରାମି ତା ଆଖି ସାମ୍ନାକୁ ଆସିଲା । ପିଲାଙ୍କ ବାପା ଭାଇ ଦାଦା ମାନଙ୍କ ଆଚରଣ ଏତେ ଖରାପ ଥିଲା ଯେ ତାକୁ ଭାରି ଖରାପ ଲାଗୁଥିଲା ସେ ସବୁ । ପିଲାଙ୍କୁ ପଢଉଥିବା ବେଳେ ବିନା କାରଣରେ ତା ସାମ୍ନାରେ ବସି ତାକୁ ଗୋଟା ପଣେ ଗିଳିଦେଲା ପରି ଚାହିଁ ରହିବା । ଯିବା ଆସିବା ବସିବା ଉଠିବା ସମୟରେ ଜାଣି ଜାଣି ଅଜଣାର ଅଭିନୟ କରି ତାକୁ ଛୁଇଁବା । ସେମାନଙ୍କ ନଜର ଏତେ କୁତ୍ସିତ ଥିଲା ଯେ ତାକୁ ଶାଢୀ ବଦଳରେ ଚୁଡିଦାର ପିନ୍ଧିବାକୁ ପଡ଼ିଲା । ତଥାପି ସେମାନଙ୍କ ନଜରରେ କିଛି ବି ପରିବର୍ତ୍ତନ ହେବା ସେ ଜାଣି ପାରିଲାନି ।
ସେଦିନର ଘଟଣା ତ ସବୁ ଦିନଠୁ ବଳି ପଡିଲା ସେଦିନ ମିସେସ୍ ମହାନ୍ତି ମାର୍କେଟ ଯାଇଥିଲେ ତାଙ୍କ ପୁଅ ଲିପୁନକୁ ପଢ଼ାଇ ସାରିବା ପରେ ମହାନ୍ତି ବାବୁ ଚା କରି ଆଣି ପିଇବାକୁ ଦେଲେ ସେ ମନା କରୁଥିଲା ପରେ ବାଧ୍ୟ କଲାରୁ ସେ ନେଲା ଓ ନିଜେ ପିଇଲେ । ତର ତର ହୋଇ ଯିବାକୁ ବାହାରିଲା ସମୟରେ ହିଁ ସମାପିକାକୁ ସେ ଆଜି ପଇସା ଦେବେ କହି ଅଯଥା ଅପ୍ରସଙ୍ଗ କଥା ସବୁ ଗପି ଚାଲିଲେ । ଶେଷକୁ ତାକୁ ତା ଟିୟୁସନ ପଇସା ସହ ଟଙ୍କା ପାଞ୍ଚ ହଜାର ଅଧିକ ଦେଇଥିଲେ , ସମାପିକା ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁ ବାରୁ ମହାନ୍ତି ବାବୁ ତା ହାତକୁ ଧରି ପକାଇ କହିଲେ - ତୁମ ପଇସା ମୁଁ ଅଧିକ ଦୁଇ ହଜାର ବଢେଇ ଦେଉଛି ମୋ ତରଫରୁ , ଲିନାକୁ କିଛି କହିବନି , ହେଲେ ତମେ ମୋତେ ବହୁତ ଭଲ ଲାଗୁଛ । ତାଙ୍କ ହାତ ସମାପିକାର ଗାଲ ଛୁଇଁବା ପୂର୍ବରୁ ସେ ଗୋଟେ ଶକ୍ତ ଚାପୁଡ଼ା ବସେଇ ସାରିଥିଲା ମହାନ୍ତି ବାବୁଙ୍କ ଗାଲରେ ।
ତା ଟିୟୁସନ ପଇସା ତକ ନେଇ ଅବଶିଷ୍ଟ ଟଙ୍କା ଟେବୁଲ୍ ଉପରେ ରଖିଦେଇ ଆଖି ବଡ ବଡ କରି କହିଥିଲା—
- " ମୁଁ ଚାହିଁଲେ ଆପଣଙ୍କୁ ମାଡାମ୍ ଙ୍କ ସାମ୍ନାରେ ସବୁଦିନ ପାଇଁ ଛୋଟ କରିଦେଇ ପାରେ କିନ୍ତୁ ମୁଁ ସେମିତି କରୁନି । ଗୋଟେ ସୁଯୋଗ ଦେଉଛି ବଦଳି ଯାଆନ୍ତୁ । ମୋର ଟଙ୍କା ଆବଶ୍ୟକ , କିନ୍ତୁ ମୁଁ ବେଶ୍ୟା ନୁହେଁ । ନିଜ ବେଳକୁ ଯେମିତି ଅନ୍ୟ ଝିଅ ବୋହୂ ମାନଙ୍କୁ ବି ସେମିତି ସମ୍ମାନ ଦିଅନ୍ତୁ , ସମ୍ମାନ ଦେଲେ ସମ୍ମାନ ପାଇବେ "
ଏତିକି କହି ଚାଲି ଆସିଥିଲା ସେଠୁ ।
ଆଉ ଜଣେ ତିରିଶ ବର୍ଷର ଅବିବାହିତ ପିଲାଟି ତା ପଛରେ ହିଁ ପଡ଼ି ରୋମିଓ ହୋଇ ଯାଇଥିଲା , ସେ ବିବାହିତା ଜାଣି ମଧ୍ୟ ତାକୁ ମନେ ମନେ ପ୍ରେମ କରି ବସିଥିଲା , ଆବଶ୍ୟକ ତା ଠାରୁ ଯଥେଷ୍ଟ ଅଧିକ ସାହାଯ୍ୟ ସହଯୋଗର ହାତ ବଢାଇବା , ପରିବା ମାର୍କେଟ ରାସନ ଦୋକାନ ଏଟିଏମ୍ ର ଲମ୍ବା ଲାଇନ ଏସବୁ ଠାରେ ଅଚାନକ ପହଞ୍ଚି ଯାଇ ତାଙ୍କ କାମ ଶିଘ୍ର ଶିଘ୍ର ସାରି ଦେଇ ତାଙ୍କୁ ପ୍ରଥମେ ବିଦା କରିବା । ବାଇକ ପଛରେ ବସେଇ ନେଇ ଘର ପାଖରେ ଛାଡ଼ିଦେବା , ଏକା ଥିଲାବେଳେ ଯିଏ ସତୁରୀ ଅଶିରେ ବାଇକ ଚଳାଏ , ସମାପିକା ସାଥିରେ ଥିଲେ ସେ ବାଇକ ତିରିଶରେ ଚଳେଇ ଭଲ ମନ୍ଦ ଗପ ସପ କରିବା । ତାଙ୍କର କିଛି ପାରିବାରିକ ଉତ୍ସବ ହେଲେ ସମାପିକାକୁ ଅନ୍ୟ ମାନଙ୍କ ସାମ୍ନାରେ ଢେର୍ ପ୍ରଶଂସା କରିବା ..... ..... ଏସବୁ ସମାପିକାକୁ ବିଲକୁଲ ପସନ୍ଦ ନଥିଲେ ବି ସେ ମୁହଁ ଖୋଲି କିଛି ବି କହିପାରୁ ନଥିଲା ।
କିନ୍ତୁ ଦିନେ ଚିଡି ଯାଇ ତାକୁ କହିଥିଲା - " ମୋ ପିଛା କରିବା ଛାଡି ଦିଅ , ମୋତେ ଛୋଟ ପିଲା ଭାବନି , ଭାବନି ଯେ ତୁମ ମତଲବଟା ମୁଁ କିଛି ବୁଝି ପାରୁନି । ମୋ ପଛରେ ଅଯଥା ସମୟ ନଷ୍ଟ ନକରି ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅ ତୁମ ପାଇଁ ଭଲ । "
ଏତିକି କଥାରେ଼ ହିଁ ସେ ପିଲାଟି ସୁଧୁରି ଯାଇଥିଲା ।
ଏମିତି ବହୁତ ପରିସ୍ଥିତିକୁ ସମାପିକା ସାମ୍ନା କରେ , ଦୁଇ ହାତେ ମାପି ଦୁଇ ଚାଖଣ୍ଡେରେ ଚାଲେ କୋଉ ଘଟଣା ଅତି ବିରକ୍ତି କର ହେଲେ ସେ ମୁହଁ ଖୋଲେ ବୁଝାଏ ଯଦି କେହି ସତର୍କ କରିବା ପରେ ବି ତା ପିଛା ଛାଡନ୍ତିନି ସେ ତାଙ୍କ ପିଲାଙ୍କୁ ପଢେଇବା ଛାଡିଦିଏ ଆଉ ଯେତେ ଅନୁରୋଧ କଲେ ବି ଯାଏନି ।
ଏଥିପାଇଁ ଚାରି ଟି ଘର ସେ ଛାଡି ସାରିଲାଣି ।
ଏମିତି ରସିକତା କରିବାରେ ରୁବିନାର ସ୍ବାମୀ ବି ମାହିର୍ , କେତେ ଥର ତା ରୁମ କୁ ଆସି ତା ସହ ଥଟ୍ଟା ମଜା ଗପ ସପ କରିବା , କେତେବେଳେ ହାତ ଧରିବା କେତେବେଳେ କାନ୍ଧରେ ହାତ ପକାଇବା । ଖାସ୍ କରି କେବଳ ରୁବିନା ନଥିଲା ବେଳେ ହିଁ ସେ ଆସନ୍ତି । ସେ କାମର ବାହାନା କରି ତାଙ୍କୁ ଶିଘ୍ର ଶିଘ୍ର ବିଦା କରିଦିଏ ଆଉ ଅଧିକାଂଶ ବାହାରେ ହିଁ ବସେଇ ଗପ ସପ ହୁଏ । କାହାର ଅଯଥା ସନ୍ଦେହରେ ସେ ରହିବାକୁ ତାକୁ ଭଲ ଲାଗେନି ସେଥିପାଇଁ । ତାଛଡା ରୁବିନା ଆଖିରେ ସେ ଜମା ଛୋଟ ହେବାକୁ ଚାହୁଁ ନଥିଲା ସେଥିପାଇଁ ଦିନେ ତା ସ୍ବାମୀକୁ ପଦଟିଏ କହିଦେଲା ଯେ ସେ ଆଉ ତା ଘର ଦ୍ବାର ମୁହଁ ମାଡୁ ନାହାନ୍ତି
- " ଆଛା ତମେ ସବୁବେଳେ ରୁବିନା ନଥିଲା ବେଳେ ମୋ ପାଖକୁ କ'ଣ ପାଇଁ ଆସୁଛ ? କାଇଁ ରୁବିନା ଥିଲା ବେଳେ ତ ଦିନେ ଏଠି ମୁଁ ତମକୁ ଦେଖୁନି ? "
ଏବେ ରୁବିନାକୁ ତା ଘର ଭଡ଼ା ବାବଦ ସେ ଟଙ୍କା ଦୁଇ ହଜାର ଲେଖା ଦେଉଛି । ରୁବିନା ପ୍ରଥମେ ପ୍ରଥମେ ମନା କରୁଥିଲା ନେଲାନି କିନ୍ତୁ ସମାପିକା ସଫା ସଫା କହିଥିଲା
- " ଯଦି ସେ ପଇସା ନ ନବୁ ତେବେ ମୁଁ ଏଠି ଆଉ ରହିବିନି ।"
ରୁବିନା ବାଧ୍ୟ ହୋଇ ନେଲା , ବାଧ୍ୟ ହୋଇ ନେଲା କହିଲେ ଠିକ୍ ହେବନି ମୁହଁରେ ନାହିଁ ର ଭାବ କିନ୍ତୁ ଭିତରେ ଭିତରେ ବହୁତ ଖୁସି ହେଲା । ସମାପିକା ବି ଚାହେଁ ସ୍ବାଭିମାନ ଜୀବନ ବଞ୍ଚିବାକୁ । ପରେ ତାକୁ ନେଇ କେହି ଆକ୍ଷେପ କରୁ କିମ୍ବା ଦୋଷ ଦେଉ ସେ କେବେ ବି ଚାହୁଁ ନଥିଲା ।
ଚାରି ମାସ ପରେ ଝିଅ ଶ୍ରଦ୍ଧାର ଜନ୍ମ । ବହୁତ କଷ୍ଟ ସହିଥିଲା ସେ ଏଇ ଶ୍ରଦ୍ଧାଟି ଦୁନିଆଁକୁ ଆସିବାକୁ । ଗର୍ଭାବସ୍ଥାରେ ଶେଷ ସମୟ ଆଉ ଝିଅ ଘୁସୁରି ଆଣ୍ଠେଇଲା ଭିତରେ ହିଁ ସେ ରୁବିନାକୁ ଆପାଦ ମସ୍ତକ ଚିହ୍ନି ସାରିଥିଲା । ଦୁଃଖ ଯନ୍ତ୍ରଣା ବେଳେ ଯିଏ ସହାୟ ହୁଏ ସିଏ ହିଁ ଅସଲି ବନ୍ଧୁ । ଖାଲି ସ୍କୁଲ କଲେଜରେ ଛୋଟ ବେଳୁ ଏକାଠି ପଢି ଉତ୍ତମ ସମ୍ପର୍କ ରଖିଲେ କେହି କେବେ ଭଲ ବନ୍ଧୁ ହୋଇ ଯାଏନି । ସେଇଟା ଜଣା ପଡ଼େ ନିଜର ଖରାପ ସମୟରେ ତାଙ୍କର ଉପସ୍ଥିତି ଆଉ ସହଯୋଗରେ ।
ସେ ରୁବିନା ଘରକୁ ଆସିବାର କିଛି ମାସ ପରେ ହିଁ ସେଇଭଳି ବନ୍ଧୁଟିଏ ପାଇଥିଲା । ଗୋଟେ ମା ପରି ସେବା ଯତ୍ନ କରିଥିଲା । ସେ ଥିଲା ଲୁନି । ସେ କେବଳ ଲୁନିକୁ ଏତିକି ହିଁ ଜାଣିଥିଲା ଟଙ୍କା ବଦଳରେ ନିଜକୁ ମାଲିକ କହିବା ମୂତାବକ ଖର୍ଚ୍ଚ କରୁଥିବା ସ୍ତ୍ରୀ ଲୋକଟିଏ । ହେଲେ ଲୁନି କୁ ପରଖିଲା ତା ଦୁଃଖ କଷ୍ଟ ଅସୁବିଧା ବେଳେ । ତାକୁ ଲାଗିଲା ଏତେବଡ଼ ଦୁନିଆଁ ଭିତରେ ସେ ଏକା ହିଁ ଆତ୍ମୀୟ ଲୋକଟିଏ ତାର ।
ରୁବିନା ଖାଲିଟାରେ ଫାଙ୍କା ସମୟରେ ବସି ଟିଭି ଦେଖୁଥିଲେ କି ସାଙ୍ଗ ସାଥି ସହ ଗପୁଥିଲେ ମଧ୍ୟ କେତେବେଳେ ଆସି ଭଲରେ ମନ୍ଦରେ ସମାପିକାକୁ ମୁହଁ ମାରେନି ଖାଲି ଲୋକ ଦେଖାଣିଆ ହାବ ଭାବ ଓ ଭଲପାଇବା । ଯେମିତି ସେ ବି ବାକି ଭଡାଟିଆଙ୍କ ପରି ।
ଏଇଟା ତାକୁ ଭାରି କଷ୍ଟ ଦିଏ । ରୁବିନା ଦେଇଥିଲା ହର୍ଲିକ୍ସ ଫଳ ମୂଳ ଆଉ କିଛି ମିଠା ବାର୍ତ୍ତାଳାପ ଆଉ ଲୁନି ଦେଇଥିଲା ତା ମୂଲ୍ୟବାନ ଶ୍ରମ , ଆଶ୍ଵାସନା , ସାନ୍ତ୍ଵନା , ଧୈର୍ଯ୍ୟ , ଭଲପାଇବା , ସହଯୋଗ ଆଉ ସାହସ ।
ମଣିଷକୁ ଭିତରୁ ବାହାରୁ ତନ୍ନ ତନ୍ନ କରି ବୁଝି ପାରୁଥିବା ଦରଦୀ ମଣିଷଟି ହେଉଛି ଲୁନି । ମୁହଁ ଖୋଲିବା ପୂର୍ବରୁ ହିଁ ଆବଶ୍ୟକ କାମ କରି ଦେଉଥିବା ଚଞ୍ଚଳାଟେ ହେଉଛି ଲୁନି । ସତରେ ଲୁନି ନଥିଲେ ତା ଝିଅ ଆଉ ସେ ବହୁତ ଅବହେଳିତ ହୋଇ ଯାଇଥାନ୍ତେ । ସତରେ ଝିଅ ଜନ୍ମ ହେବା ଆଉ ଟିକିରୁ ଏଡୁଟେ ହେବା ପର୍ଯ୍ୟନ୍ତ ତା'ର ଯେତିକି ଅବଦାନ ରହିଛି ଲୁନିର ତାଠୁ ଅଧିକ ଅବଦାନ ଅଛି କହିଲେ କିଛି ଭୁଲ୍ ହେବନି ।
***************************
ଏବେ ବୟସର ମଧ୍ୟାହ୍ନ ଛୁଇଁବା ଛୁଇଁବା ହେଲାଣି ସମାପିକାକୁ ଏବେ ତାର ଖାଲି ଗୋଟିଏ ଚିନ୍ତା ଝିଅ ଶ୍ରଦ୍ଧା କୋଉଠି ଗୋଟେ ଚାକିରିଟେ କରୁ । ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ସବୁଥିରେ ଭଲ ହିଁ କରି ଆସିଥିବା ତା ମା । ଯଦି ଝିଅ ସର୍ବୋତ୍ତମ ନମ୍ବର ରଖି ଉଚ୍ଚ ଶିକ୍ଷିତା ହୋଇ ଚାକିରି ଟେ ନକଲା ମାର ମନ କଷ୍ଟ ହେବନି ?
ଭଲ ଖେଳଣା , ଭଲ ଡ୍ରେସ୍ , ଭଲ କସମେଟିକ୍ସ , ଭଲ ଶିକ୍ଷୟିତ୍ରୀ ଙ୍କ ପାଖେ ଟିୟୁସନ , ଦେହ ମୁଣ୍ଡ କ'ଣ ଟିକେ ହେଲେ ଭଲ ଡାକ୍ତର ଙ୍କ ସହ ପରାମର୍ଶ , ଭଲ ଖାଇବା ଭଲ ଗହଣା ପିନ୍ଧିବା ...ସବୁ ଖାଲି ଭଲ ଭଲ ଭଲ ... ଝିଅ ପାଇଁ ସବୁ ଭଲ ସାଉଁଟୁ ସାଉଁଟୁ ନିଜକୁ କୋଉଠି ହଜେଇ ଦେଇଛନ୍ତି ସମାପିକା ମା ଟିଏ ହେବା ପରେ ।
ଆଉ ସ୍ଵାମୀ ଶ୍ବଶୁର କି ମରିଚିକା ବାପା ବୋଉ ତା'ର ଅଧିକ ମନେ ପଡୁ ନାହାନ୍ତି କି ତାଙ୍କ ଭାବନା ରେ ଆଖିରୁ ଆଉ ଲୁହ ଗଡାଏନି କି ଅସନ୍ତୋଷ ମନ କରି ତାଙ୍କ ଉପରେ ରାଗେନି ବରଂ ଝିଅର ନିରିମାଖି ଫୁଲ ପରି କୋମଳ ମୁହଁ , ଅଝଟ , ଦୁଷ୍ଟାମୀ , ଉନ୍ନତି ଏ ସବୁ ଦେଖି ଆସୁ ଆସୁ ଦୁଃଖଦ ଅତିତକୁ ଭୁଲିବାକୁ ଚେଷ୍ଟା କରିଛି ସେ ।
ଏବେ ସମାପିକା ଆଉ ରୁବିନା ଘରେ ରହୁନି ଅଲଗା ରହୁଛି ଭଡ଼ାରେ ତାଙ୍କ ଠୁ ଟିକେ ଦୂରରେ । ଏବେ ଲୁନି ବି ଆଉ ରୁବିନା ଘରକୁ ଯାଉନି କାମକୁ ତା ଦରମାକୁ ନେଇ ଝଗଡ଼ା ହେବା ଦିନଠୁ । ଲୁନି ଏବେ ଆସେ ଅଧିକାଂଶ ସମାପିକା ପାଖକୁ ଢେର୍ ଗପସପ କରେ କିଛି ପିଠା ଭଲ ଖାଇବା ବନେଇ ଥିଲେ ଶ୍ରଦ୍ଧା ପାଇଁ ଧରିକି ଆସେ ତାକୁ ଖୁବ୍ ଗେହ୍ଲା କରେ ତାପରେ ଯାଏ । ସମାପିକା ବି ବହୁତ ଥର ଲୁନି ଘରକୁ ଗଲାଣି ସେ ପହଞ୍ଚି ଗଲେ ତାଙ୍କ ଘରେ ସମାପିକାକୁ କୋଟି ଆଦର କରନ୍ତି ସମସ୍ତେ । ଲୁନିର ଦୁଇଟି ଝିଅ ଗୋଟେ ପୁଅ ତା ସ୍ଵାମୀ ଦିନ ମଜୁରିଆ ଆଉ ଘରେ ବୁଢି ମା । ଲୁନି ପୁଅ ଝିଅକୁ ଏବେ ସମାପିକା ପଢଉଛି । ଭଲ ନମ୍ବର ବି ଆଣୁଛନ୍ତି କ୍ଲାସରେ ଲୁନି ସମାପିକା ହାତରେ ପୁଅ ଝିଅଙ୍କ ଟିୟୁସନ ଦରମା ଟଙ୍କା ଦେବାକଥା କହିଲେ ସମା କହେ - " ମୋତେ ପର ଭାବୁଛୁ ଯଦି ଟଙ୍କା ଦେ । "
ସମାପିକା ଏବେ ଆଉ କାହା ଘରକୁ ଯାଏନି ପଢେଇବାକୁ ପିଲାମାନେ ଆସନ୍ତି ତାଙ୍କ ଘରକୁ ପଢିବାକୁ । ସେ ଶ୍ରଦ୍ଧା ନାଁ ରେ ଗୋଟେ କୋଚିଙ୍ଗ ସେଣ୍ଟର ଖୋଲିଛି । ଶ୍ରଦ୍ଧା ତା ମାମା ସହ ମିଶି ପିଲାଙ୍କୁ ପଢାଏ ।
ଶ୍ରଦ୍ଧା ପାଇଁ ବିବାହ ପ୍ରସ୍ତାବ ଆସିଲାଣି କେତେ ଗୁଡେ ହେଲେ ସମାପିକା ର ଏବେ ଝିଅକୁ ପାଖରୁ ଦୂରେଇବାର ଇଛା ନାହିଁ ଶ୍ରଦ୍ଧା ପଢିବାକୁ ଚାହେଁ । ସମାପିକା ପଢେଇବେ ଝିଅକୁ ଯେପର୍ଯ୍ୟନ୍ତ ସେ ମୁହଁ ଖୋଲି ବାହାଘର ବିଷୟରେ ନ କହିଛି ସେ ପର୍ଯ୍ୟନ୍ତ ସମାପିକା ବାହାଘରକୁ ନେଇ କିଛି ବି ଫଇସଲା କରିବେନି । ସେ ଶ୍ରଦ୍ଧା ର ମାମା କମ୍ ସାଙ୍ଗ ଅଧିକ କିଛି ବି ଲୁଚାଏନି ତା ମାମା ପାଖରେ ସେ ।
ଦିନେ ଶ୍ରଦ୍ଧାକୁ ତା ପାପାଙ୍କ ବିଷୟରେ ସବୁ କଥା ଖୋଲିକି କହିଲା ସମାପିକା , ଶ୍ରଦ୍ଧା ସବୁ ଶୁଣି ସାରି କେବଳ ଏତିକି କହିଥିଲା - ମାମା , ପାପା କେବେ ଆସିଛନ୍ତି ତମକୁ ଦେଖା କରିବାକୁ ତମେ ଘର ଛାଡ଼ି ଆସିବା ପରେ ?
- " ନାଇଁ , ମା ସେ ଆସି ନାହାନ୍ତି କେବେ ।"
ଶ୍ରଦ୍ଧା ତା ମାମାକୁ ଲୁହ ଛଳ ଛଳ ଆଖିରେ ଥରେ ଚାହିଁଲା ଆଉ କୁଣ୍ଢେଇ ଧରି କହିଲା
- " ମାମା ତମେ ମୋ ପାଇଁ କ'ଣ ନ ସହିଛ କ'ଣ ନ କରିଛ ? ମୋର ଆଉ କେହି ନାହାନ୍ତି ମାମା ତମେ ହିଁ ମୋର ସବୁ କିଛି "
-------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ-- ୬୩୫୫୧୩୩୩୦୧