The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ABhimanyu Panda

Tragedy Drama

3  

ABhimanyu Panda

Tragedy Drama

ମୁଁ(ଅବନ୍ତୀ) ଜଣେ ନାରୀ(୨)

ମୁଁ(ଅବନ୍ତୀ) ଜଣେ ନାରୀ(୨)

5 mins
558



ହୃଦୟରେ ଉଠିଥିବା ମମତାର ଉତାଳ ଜୁଆରକୁ ହୃଦୟରେ ଚାପିରଖି ନିଜକୁ ନିଃଶ୍ୱ ମନେକରି ,ମୁଁ (ଅବନ୍ତୀ) ମାନସିକ ବିକ୍ଷିପ୍ତ ପ୍ରାୟ ହେଇଯାଇଥିଲି । ଯେଉଁ ସମୟରେ ମୁଁ ମୋ ନିଜ ଲୋକମାନଙ୍କ ପାଖରୁ ଶୀତଳ ସୁମଧୁର ବ୍ୟବହାର ଆଶା କରୁଥିଲି ସେ ସମୟରେ ସେମାନଙ୍କର ବ୍ୟବହାରରେ କୌଣସି ପରିବର୍ତ୍ତନ ହେଇନଥିଲା ମୋ ବିକ୍ଷିପ୍ତତା ପ୍ରତି ବରଂ ସେମାନଙ୍କ ବ୍ୟବହାରରେ ମୁଁ ପୂର୍ବାପେକ୍ଷା ମୋ ପ୍ରତି ଅଧିକ ରୁକ୍ଷତା ଆଉ କଠୋରତା ଅନୁଭବ କରୁଥିଲି । ଏ ସବୁ ଭିତରେ ମୁଁ ନିଜକୁ ନିଜେ ସାଉଁଟିବା ଛଡ଼ା ଅନ୍ୟ କିଛିବି ଉପାୟ ନଥିଲା । ନିଜକୁ ଭୁଲି ମୁଁ ମୋର ପରିବାର ଅର୍ଥାତ ମୋର ଶାଶୁମା'ଆଉ ମୋର ସ୍ୱାମୀଙ୍କ ବିଷୟରେ ଜାଣିବା ଚେଷ୍ଟାରେ ଲାଗିପଡ଼ିଲି ।

        ମୋ ସ୍ୱାମୀଙ୍କୁ ଯେତେବେଳେ ମାତ୍ର ଦେଢ଼ ବର୍ଷ ସେତେବେଳେ ସେ ବାପା ଛେଉଣ୍ଡ ହେଇଯାଇଥିଲେ । କୌଣସି ଏକ କାରଣରେ ତାଙ୍କ ବାପାଙ୍କର ଅକାଳ ବିୟୋଗ ହେଇଥିଲା । ଗୋଟେ ନାରୀ ପାଇଁ ଦୁଇ ଦୁଇଟି ପିଲାଙ୍କୁ ମଣିଷ କରିବା ଆଦୌ ସହଜ କାମ ନଥିଲା । ମୋ ନଣନ୍ଦଙ୍କୁ ଯେତେବେଳେ ପାଞ୍ଚବର୍ଷ ସେ ବାପା ଓ ବାପା ଶବ୍ଦର ଅର୍ଥକୁ ବୁଝିବା ପୂର୍ବରୁ ହରେଇଦେଇଥିଲେ ସେଇ ମଣିଷକୁ ଯିଏ ତାଙ୍କୁ ଦୁନିଆରେ ବେଶି ଭଲ ପାଉଥିଲେ । ସେ ଦୁଇ ଭାଇ ଭଉଣୀଙ୍କୁ ଦେଖି ମୁଁ ନିଜେ ମୋର ଜୀବନକୁ ବାପାଙ୍କ ବିନା କଳ୍ପନା କରିଛି । ସେ କଳ୍ପନା ମାତ୍ରେ ।ଭୂକମ୍ପ ସୃଷ୍ଟି ହେଇଛି ମୋ ମନଭିତରେ କେବେ ଆଖିରୁ ଲୁହର ଧାରା ଛୁଟିଯାଏ ଅଜଣାତରେ । ପ୍ରତ୍ୟେକ ମଣିଷ ଖାସ କରି ପ୍ରତ୍ୟେକଟି ଝିଅ ଜାଣନ୍ତି ତାଙ୍କୁ ଏ ଦୁନିଆରେ କିଏ ବେଶି ଭଲ ପାଏ ଆଉ ତାଙ୍କ ଜୀବନରେ କାହାର ବେଶି ଗୁରୁତ୍ୱ ଥାଏ । ସେଥିପାଇଁ ବୋଧେ ପ୍ରତ୍ୟେକଟି ଝିଅ ନିଜର ସ୍ୱାମୀଙ୍କ ପାଖରେ ନିଜ ବାପାଙ୍କର ସ୍ନେହର ଶୀତଳତାକୁ ପାଇବାକୁ ଇଛିତ ଥାନ୍ତି । ଗୋଟେ ଝିଅ ନିଜ ବାପାଙ୍କର ତାଙ୍କ ପ୍ରତି ଥିବା ସମର୍ପଣକୁ ଅନୁରୂପ ଭାବେ ସେ ନିଜର ଜୀବନ ସାଥି ପାଖରୁ ଆଶା ରଖେ । କଥାରେ ଅଛି ବାପାଥିଲା ପୁଅ ସଭାରେ ହାରେନି , ହେଲେ ଏ ପୁଅ ମୋ ସ୍ୱାମୀତ ନିଜ ପାଟିରେ ବାପା ଡାକିବା ପୂର୍ବରୁ ପ୍ରତ୍ୟେକଟି ପୁଅଙ୍କର ସୁରକ୍ଷା କବଚ କୁହାଯାଉଥିବା ବାପାଙ୍କୁ ହରେଇ ସାରିଥିଲେ । ବାପାଙ୍କ ବିୟୋଗରେ ଭାଇ ଭଉଣୀ ଦିଜଣ ନିଜ ବାଲ୍ୟ ସମୟର ଚପଳତାକୁ ସମ୍ପୂର୍ଣ୍ଣ ଭାବେ ହରେଇଛନ୍ତି । ଦୋଷ ନିୟତିର । ମା' ତ ମା' ପିଲାମାନଙ୍କ ମନରେ ବାପାଙ୍କ ଅଭାବ ନ କରେଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ । ଅନେକାଂଶରେ ସଫଳ ବି ହେଇଛନ୍ତି ।

        ଏତେବଡ଼ କ୍ଷତି ସହିବା ପରେ ପରିବାରର ସମସ୍ତ ସଦସ୍ୟ ଭାବନାତ୍ମକ ରୂପେ ବହୁତ ମଜଭୁତ ଏବଂ ସ୍ଥିର ଥିଲେ ଯାହା ମୋ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ଓଲଟା । ପ୍ରକୃତ ପକ୍ଷେ ମୋ ପ୍ରତି ସେମାନଙ୍କର ବ୍ୟବହାର ରୁକ୍ଷ ନଥିଲା ସେମାନେ ନିଜର ମରିଯାଇଥିବା ଭାବନାକୁ ଆବଶ୍ୟକ ସ୍ଥଳେ ଚେଷ୍ଟା କରିବି ଜୀବୀତ କରିପାରୁନଥିଲେ । ସେମାନେ ମୁଣ୍ଡେଇଥିବା ଦୁଃଖର ଅଦୃଶ୍ୟ ପାହାଡ଼ଟା ମୋ ହୃଦୟରେ ବିସ୍ତାରିତ ମମତାର ସମୁଦ୍ର ଅପେକ୍ଷା ବେଶି ଓଜନିଆ ଥିଲା । ସବୁଠୁଁ ବଡ଼ କଥା ହେଲା ମୋ ସ୍ୱାମୀ ଭାରତୀୟ ନୌସେନାରେ କାର୍ଯ୍ୟରତ । ସୈନିକ ମାନଙ୍କ କାର୍ଯ୍ୟ ଶୈଳୀ ନୀତିନିୟମ ତାଙ୍କର ଭାବମୂର୍ତ୍ତିକୁ ବେଶୀ କଠୋର କରି ପରିପ୍ରକାଶ କରେ । ମୋର ହୋଇଥିବା କ୍ଷତି ଓ ମନରେ ବ୍ୟାପ୍ତ ନିରାଶାର ଭରଣା ଲାଗି ଶାଶୁମା' ମତେ ସ୍ୱାମୀଙ୍କ ସାଙ୍ଗରେ ପଠେଇଦେଲେ । ଏଠି ପହଁଚିଲା ପରେ ମୁଁ ବେଶି ଏକୁଟିଆ ଅନୁଭବ କଲି । ଦିନସାରା ଏକୁଟିଆ ନା କେହି ଅଛନ୍ତି ମତେ କିଛି ଶୁଣେଇବା ପାଇଁ ନା କେହି ଅଛନ୍ତି ମୋର ମନ କଥା ଶୁଣିବା ପାଇଁ । ଘରେ ଥିଲା ବେଳେ ଜାଣିଶୁଣି ନିଜ ତରଫରୁ ଶାଶୁମାଙ୍କ ସହିତ ଝଗଡ଼ା କରୁଥିଲି ମନର ବୋଝ ହାଲକା କରିବା ପାଇଁ କିନ୍ତୁ ଏଠି !! ଘରର ଚାରିକାନ୍ଥରେ କେବଳ ମୋ ନିଜ ପ୍ରତିଛବି କେବଳ ମୁଁ ହିଁ ମୁଁ ବ୍ୟାପ୍ତ । ନିଜର ପ୍ରତିଛବିକୁ ମୋର ପରିଚୟ ପଚାରେ ଝଗଡ଼ା କରିବାର ଅଭିନୟ କରେ । ହସେ କାନ୍ଦେ ଆଉ ସେ ହସ କାନ୍ଦର ପ୍ରତିଟି ଶବ୍ଦ ମିଳେଇଯାଏ ସେ ଚାରି କାନ୍ଥରେ । 

      ପୁଣି ମନକୁ ବୁଝାଏ । ସ୍ୱାମୀଙ୍କର ଡ୍ୟୁଟି ଯିବାର ସମୟ ମନରେ ପ୍ରବେଶ କଲେ ଶାନ୍ତ ହେଇଯାଏ ମୋର ତନୁ ମନ । ୟୁନିଫର୍ମ ପିନ୍ଧି ସେ ଯେତେବେଳେ ମୋ ଠାରୁ ବିଦାୟ ନେଇ କର୍ମକ୍ଷେତ୍ରକୁ ଯାଆନ୍ତି । ସେ ସମୟରେ ମୋ ହୃଦୟର ଭାବକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବିନି । ଚାରିଆଡ଼ ଅନ୍ଧାର ଦିଶେ ହାତ ପାଦ ଶୀତଳ ହେଇଯାଏ । ତଥାପି ମୁହଁରେ କୃତ୍ରିମ ହସ ରଖି ତାଙ୍କୁ ବିଦାୟ ଦେବାକୁ ପଡେ । ସୈନିକ ମାନଙ୍କ ଲାଗି ମା' ଓ ମାଟି ଠାରୁ ଆଉ କିଛିବି ବଡ଼ ନଥାଏ । ଏ ଦୁଇଟିକୁ ବାଦ ଦେଲେ ସେମାନେ ତାଙ୍କ ଚାରିପାଖରେ ଆଉ କୌଣସି ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଅନ୍ତିନି । କେବେକେବେ ଦେଶର ଜଳସୀମାର ସୁରକ୍ଷା କରିବାକୁ ଏକ କାଳୀନ ପାଞ୍ଚ/ଛଅ ମାସ ଡ୍ୟୁଟି ପଡ଼େ । ସେ ସମୟରେ ଏମିତି ଅନୁଭବ ଆସେ ଯେମିତି ସମୟ ନିଜର ଗତିପଥରେ ଅଟକି ଯାଇଛି ଆଉ ଉପହାସରେ ମୋ ଆଡ଼େ ଚାହିଁ ରହି ପ୍ରତିଟି ତାରିଖକୁ ଲମ୍ବେଇ ଚାଲିଛି । ମୁଁ ଅନ୍ତର୍ମନରେ ସ୍ୱାମୀଙ୍କ ପ୍ରତିଛବିକୁ ସଜେଇ କାନେଇ ଥାଏ,ଘରକୁ ଫେରିବା ବେଳର ତାଙ୍କ ଜୋତାର ସେ ଟପ ଟପ ଶବ୍ଦକୁ । କଳ୍ପନାରେ ଜୋତାର ସେ ଶବ୍ଦ ଶୁଣି ଦୌଡ଼ି ଯାଇ ତାଙ୍କ ଛାତିରେ ଅଜାଡ଼ି ହେଇ ପଡ଼େ ,ଲୋକ ଲାଜକୁ ଉପେକ୍ଷା ନ ରଖି ଚୁମି ଯାଏ ତାଙ୍କୁ ଲୋଟିଯାଏ ତାଙ୍କ ପାଦତଳେ । ଅଭିମାନ ଭରା ଚାହାଣୀରେ ଚାହିଁରହେ ତାଙ୍କ ମୁହଁକୁ । ଏମିତି ଲାଗେ ମୋ ଅଭିମାନର ପ୍ରଶ୍ନ ବାଣରେ ସେ କ୍ଷତ ବିକ୍ଷତ ହେଇ ଆତ୍ମ ସମର୍ପଣ କରୁଛନ୍ତି ମୋ ପାଖରେ କର୍ମ ଓ ମନରେ କେବଳ ବିଜୟ ଚିନ୍ତା କରୁଥିବା ମଣିଷ ସ୍ୱଇଛାରେ ନିଜର ପରାଜୟ ସ୍ୱୀକାର କରୁଛନ୍ତି ମୋ ଅନାବିଳ ପ୍ରେମ ଆଗରେ । ନିଜ ବାହୁ ବନ୍ଧନରେ ରଖି ମୋ ଆଖିରେ ଆଖି ମିଶାଇ...ନିଜ ଆଖିର ଭାଷାରେ କହୁଛନ୍ତି ଆରେ ଚିନ୍ତା କାହିଁକି କରୁଛ ? ଦେଖ ମୁଁ ସକୁଶଳ ଫେରି ଆସିଛି ତମ ପାଖକୁ ଯେମିତି ପ୍ରତିଥର ଫେରିଲାବେଳେ ତାଙ୍କ ଆଖିରେ ସେହି ସାନ୍ତ୍ୱନା ମୁଁ ଅନୁଭବ କରିଛି । ସେ ସମୟରେ ପ୍ରତିଟି ମୁହୂର୍ତ୍ତ ଗୋଟିଏ ଗୋଟିଏ ଯୁଗ ପରି ମନେ ହୁଏ । ସେ ସମୟରେ ନିଜେହିଁ ନିଜର ସାଥୀ ନିଜେ ହିଁ ନିଜକୁ ଧୈର୍ଯ୍ୟ ଧରାଇବାକୁ ପଡ଼େ । ଏକ ଅଜଣା ଭୟ ସବୁବେଳେ ମନ ଭିତରେ ନିଜର କାୟା ବିସ୍ତାରି ଥାଏ । କେବେକେବେ ସ୍ୱାମୀଙ୍କ ପାଖରୁ ତାଙ୍କ କାମର ବିବରଣୀ ଶୁଣି ରୋମାଂଚିତ ହେଇଛି ସେଇ ରୋମାଂଚିତ ମୁହୂର୍ତ୍ତ ତାଙ୍କୁ ବିଦାୟ ଦେଲାବେଳେ ହଜାର ଗୁଣ ଭୟରେ ପରିଣତ ହେଇଯାଏ । ଜଣେ ସୈନିକର ସ୍ତ୍ରୀ ହିସାବରେ ବାହାରକୁ ଦୃଢ଼ତା ଦେଖାଇ ହେଉଥିଲେ ବି ଅନ୍ତର ବେଦନା ସମାଜ ଆଗରେ ସବୁବେଳେ ଅପ୍ରକାଶ୍ୟ ହେଇ ରହେ ।

     ସ୍ୱାମୀ ମୋର ଘରେ ଥିଲାବେଳେ ଗୋଟେ ରାତିରେ , କାହାର କଇଁ କଇଁ କାନ୍ଦିବାର ଶବ୍ଦଶୁଣି ଅର୍ଧ ନିଦ୍ରାରୁ ଉଠି ମୋ ସ୍ୱାମୀଙ୍କୁ କାନ୍ଦିବାର ଦେଖିଲି । ଆଶ୍ଚର୍ଯ୍ୟ ଚକିତ ହେଇ ତାଙ୍କୁ ଡାକି କାରଣ ପଚାରିଲି ,

     ମୋ ଡାକିବା ମାତ୍ରେ ମୋ କୋଳରେ ମୁଣ୍ଡ ରଖି ସେ ଆହୁରି ଜୋରରେ , କାନ୍ଦିବାକୁ ଲାଗିଲେ । ଆରେ ହେଇଛି କଣ କାନ୍ଦୁଛ କାହିଁକି ? ଦେଖ ମୁଁ ଜାଣିଛି ମୁଁ ତମକୁ ସମୟ ଦେଇପାରୁନି ,ଆମ ଘରର ପରିବେଶରେ ତମେ ଅନାନିଶ୍ୱାସୀ ହେଇଯାଉଛ । ତମ ମାତୃତ୍ବରେ ମୁଁ ଆଉ ମୋର ନିଶା ବାଧକ ସାଜିଲୁ ସେଥିପାଇଁ ତମେ ମତେ କ୍ଷମା କରିଦିଅ । ମୁଁ ତୁମ ପାଖରେ ଦୋଷୀ । ମୋ ମା'ଙ୍କର ପୁରୁଣା ଅନ୍ଧବିଶ୍ୱାସ ବିଷୟରେ ସବୁ ଜାଣି ବି ମୁଁ ପ୍ରତିବାଦ କରିପାରୁନି । କାରଣ ଆମ ଲାଳନପାଳନରେ ମୋ ମା'ଙ୍କ ତ୍ୟାଗ ଆଉ ବଳିଦାନର ଋଣ ମୁଁ ହଜାରେ ଜନ୍ମ ନେଲେବି ସୁଝି ପାରିବିନି । ମୁଁ ଛୋଟ ଶିଶୁଟିଏ ଥିଲାବେଳରୁ ବୋଧହୁଏ ଭାବନା ଶୁନ୍ୟ ହେଇଯାଇଛି । ମୁଁ କେବେବି ମୋ ମା'ଙ୍କୁ କୌଣସି କଥାରେ ପ୍ରତିବାଦ କରିପାରିବିନି । ମୋ ମା' ତମ ପ୍ରତି କରୁଥିବା ବ୍ୟବହାର ବିଷୟରେ ଜାଣି ମଧ୍ୟ ଚୁପ ରହିବାକୁ ବାଧ୍ୟ ହେଇଛି । ମୋ ମନରେ ତମ ପ୍ରତି ଭାବନାକୁ ମୁଁ ଠିକରେ ବି ପ୍ରକାଶ କରି ଜାଣିନି । କିନ୍ତୁ ରାତି ରାତି ତମକୁ ଲୁଚି ଲୁଚି କାନ୍ଦିବାର ଦେଖି ମୁଁ ଆଉ ସହିପାରୁନି । ମୁଁ ନିଜକୁ ବଦଳେଇବାକୁ ଯଥା ସମ୍ଭବ ଚେଷ୍ଟା କରୁଛି । ତମେ ତ ନାରୀ...ମମତାର ମୁରତୀ ତମ ମମତାର ଶକ୍ତି ବଳରେ ମୋ ମନର ଭାବନାକୁ ବୁଝିବାକୁ ଟିକେ ଚେଷ୍ଟା କରନ୍ତନି ? ତମେ ମୋର ଶକ୍ତି ତମର ହସ ହସ ମୁହଁ ମୋ ମନର ସାହସ । ତମ କାନ୍ଦ କାନ୍ଦ ଚେହେରା ଭାବିଲେ ମୋର ଜୀବନର ସମ୍ପୂର୍ଣ୍ଣ ନିଷ୍ଠା ଅଧ୍ୟବସ୍ୟାୟ ମୋ ଲାଗି ଅର୍ଥହୀନ ଲାଗୁଛି । ଦୟାକରି ମତେ କ୍ଷମା କରିଦିଅ । ଆହୁରି ଅନେକ କିଛି କହିବାକୁ ଚାହୁଁଥିଲେବି ତାଙ୍କ କଣ୍ଠ ରୁଦ୍ଧ ହେଇଯାଇଥିଲା । 

        ତାଙ୍କ ମୁଣ୍ଡକୁ ମୋ କୋଳରେ ଧରି ଧୀରେ ଧୀରେ ଆଉଁସି ଦେଉଥିଲି । ତାଙ୍କ ମନର ବ୍ୟାକୁଳତା ମୋ ଆଖିରେ ଖୁସିର ବନ୍ୟାରେ ରୂପାନ୍ତରିତ ହେଇଯାଇଥିଲା । କାନ୍ଦ କାନ୍ଦ ହେଇ ସେ ପୁଣି ପଚାରିଲେ । ତମେ କିଛି କହୁନ ଯେ ...... ଚୁପ କର ପାଗଳ.. ଚୁପଚାପ ଶୋଇପଡ଼ କାଲି ସକାଳ ଆଠଟାରେ ତମର ଡ୍ୟୁଟି ଅଛି ଯେ । ତାଙ୍କର ସେ ଶବ୍ଦକୁ ମୁଁ ମୋର ଶୁନ୍ୟ ହୃଦୟରେ ସାଇତି ରଖୁଥିଲି , ମୁଁ ମୋ ଭିତରେ ସାଇତି ରଖିଥିବା ମମତାର ଅସରନ୍ତି ଧନକୁ ଖର୍ଚ୍ଚ କରିବାର ମାଧ୍ୟମ ବୋଧହୁଏ ପାଇଯାଇଥିଲି ।

        ହେଲେ ମୋ ମନରେ ଏବେବି ମୋ ନିଜ ପରିଚୟକୁ ନେଇ ଦ୍ୱନ୍ଦ । ମୁଁ କିଏ ? କଣ ମୋର ଅସ୍ତିତ୍ୱ ? ଯାହା ମୁଁ ଏବେବି ଖୋଜୁଛି ...........।

             


Rate this content
Log in