Parameswar Ojha

Crime

2  

Parameswar Ojha

Crime

ମୁକ୍ତି

ମୁକ୍ତି

2 mins
153


ସାହି ପଡିଶା ସମସ୍ତେ ଆଖି ବୁଜି ଦେଇଥିଲେ , ଏବେ କ'ଣ ହେବ ? ନୂଆ ବୋହୂ ଟି ବାହାହୋଇ ଆସିବାର ଦିନ ପନ୍ଦର ଟା ବି ପୁରିନି । ପ୍ରଥମ ସ୍ତ୍ରୀ ଟାକୁ ଏମିତି ମଦ ନିଶାରେ ମାରି ମାରି ସବୁବେଳେ ଦରମରା କରୁଥିଲା ସନିଆ । ବିଚାରୀ ଶେଷରେ ହନ୍ତସନ୍ତ ହୋଇ ହୋଇ ଆଖି ବୁଜିଲା ।

ହେଲେ ସେ ବଡ ଝିଅ ଟେ ଥିଲା , କିନ୍ତୁ ଏ ଝିଅ ଟା ତ ଛୁଆ ଟେ । ଗରିବ ପରିବାର ବୋଲି ବାହାଘର କରିଦେଲେ ଏ ମଣିଷ ଟା ସହିତ ।

ହେଲେ ଏଡେ ସୁନ୍ଦରିଆ ସ୍ତ୍ରୀ ଟା ଉପରେ ବି ଦୟା ଆସୁନି ତାର । ପୁଣି ମଦ ପିଇ ଆସିଛି ପିଟି ଚାଲିଛି । କବାଟ ଭିତର ପଟୁ ଦେଇକି । କାହା କଥା ବି ଶୁଣୁନି ବୁଢ଼ୀ ମାଆ ଟା ବା କ'ଣ କରିବ ସେ ପଡ଼ି ରହିଛି ଘର କୋଣରେ ପୁଅ ଭୟରେ ।

ବେଳ କୁ ବେଳ ଏମିତି ଅଭ୍ୟାସ ଜାରି ରହିଲା । ନୂଆ ବୋହୂ ଟି ଗାଳି ମନ୍ଦ ଖାଉଥିଲା ଆଖି ଲୁହ ଓଠରେ ପିଉଥିଲା ସ୍ବାମୀ ସେବା ଶାଶୁ ସେବା ଯଥାସମ୍ଭବ କରୁଥିଲା , ସ୍ବାମୀ କୁ ମଦ ଛାଡି ଦେଇ ଭଲ ବାଟ କୁ ଫେରି ଆସିବାକୁ ସବୁବେଳେ ବୁଝାଇ ବୁଝାଇ ଥକୁଥିଲା , ଦୁଃଖ ସଂସାର ରେ ଖୁସି ଫେରି ଆସୁ ବୋଲି ଈଶ୍ୱର ଙ୍କୁ ପ୍ରାର୍ଥନା କରୁଥିଲା ।

ହେଲେ ଅଚାନକ ଦିନେ ସକାଳୁ ଖବର ଗାଁ ଠୁ ରାଷ୍ଟ୍ର ହୋଇଗଲା ସନିଆ ମରି ଯାଇଛି । ସମସ୍ତେ ନୂଆ ବୋହୂ ଟି ପ୍ରତି ଆହା ଚୁଚୁ କଲେ କ'ଣ ହେବ ଏବେ ବିଚାରୀ ର । ହେଉ ପଛେ ମଦୁଆ ଅମଣିଷ ନିଜ ମାଆ ସ୍ତ୍ରୀ କୁ ଗଣ୍ଡେ ଖାଇବାକୁ ଦେଇ ପୋଷୁଥିଲା ତ ।

ୟା ଭିତରେ କିଏ ପୋଲିସ କୁ ଖବର ଦେଇ ସାରିଥିଲା , ପୋଲିସ ଘଟଣା ସ୍ଥଳରେ ପହଞ୍ଚି କିଛି ଅନୁସନ୍ଧାନ ପରେ ସନିଆ ର ଶବ କୁ ବ୍ୟବଛେଦ ପାଇଁ ପଠାଇଦେଲା ।

ସନ୍ଦେହ ଘେରରେ ବୁଢ଼ୀ ମା ଆଉ ନୂଆ ବୋହୂ ଟିକୁ ପଚରା ଉଚୁରା ପାଇଁ ଅଟକ ରଖିଲେ ।ପୋଲିସ କୁ ଅଧିକ ପରିଶ୍ରମ କରିବାକୁ ପଡିଲାନି ।

ଶେଷରେ ନୂଆ ବୋହୂ ଟି ନିଜ ଭୁଲ୍ ସ୍ବୀକାର କଲା ।

ପୋଲିସ ପଚାରିଲେ -" ତମେ ଏମିତି କାହିଁକି କଲ ?"

ନୂଆ ବୋହୂ ଟି କହିଲା -" ସବୁଦିନ ମାର ଧର କରୁଥିଲା ମଦ ନିଶାରେ । ସେଦିନ ରାତିରେ ବି ଆସିଥିଲା । ପଇସା ମାଗିଲା ମୋତେ । ମୁଁ ବା କୋଉଠୁ ଆଣିବି ? ବାହାଘର ପରେ ପରେ ମୋ ଗହଣା ସବୁ ବିକି ସେ ଟଙ୍କା ସବୁ ମଦ ରେ ଉଡେଇ ଦେଲା । ଘରେ କଳାକନା ବୁଲେଇ ସାରିଥିଲା ସେ । ମୋତେ ବିଧା ଗୋଇଠା ମାରି ମାରି ତା ମନ ଶାନ୍ତି ହେଲାନି ଯେ ଚୁଲି ରେ ପଡ଼ିଥିବା ଗରମ ଗୋଜିଣା କୁ ଆଣି ପିଟି ଦେଇ ଗଲା ଆଠ ଦଶ ପାହାର । ସମ୍ଭାଳି ପାରିଲିନି ବାବୁ , ବାପା ଲୋ ବୋଉ ଲୋ ହୋଇ ଛାଟି ପିଟି ହେଉଥାଏ ହେଲେ ସେ ପୁଣି ଗୋଜିଣା ଉଠେଇ କହିଲା, ଜଳଦି ଖାଇବାକୁ ଦେ ରୋଲ୍ ନକରି ନହେଲେ ପୁଣି ମୋର ଅସଲ ରୂପ ଦେଖିବୁ ।

ଖାଇବାକୁ ଦେବାକୁ ଯାଉ ଯାଉ ପୁଣି ଦିଇ ପାହାର ଚଢ଼େଇ ଦେଲା ମୋ ଗୋଡ଼ରେ । ସେଇକ୍ଷଣି ହିଁ ସେ ଲୋକ ଟାକୁ ମୁଁ ଛି କରିଦେଲି । ୟାର ସ୍ତ୍ରୀ ହୋଇ ବଞ୍ଚିବା ଅପେକ୍ଷା ବିଧବା ହୋଇ ବଞ୍ଚିବା ଢେର୍ ଗୁଣ ଭଲ । .."

ପୋଲିସ୍ ପଚାରିଲା- " ତାପରେ ?"

ନୁଆ ବୋହୂ ଟି କହିଲା - " ଖାଇବା ରେ ମୁଷା ଔଷଧ ମିଶେଇ ଦେଇଥିଲି ।"


Rate this content
Log in

Similar oriya story from Crime