ମୋ ପସନ୍ଦର ଗ୍ରନ୍ଥ ଓଡ଼ିଆ ଭାଗବତ
ମୋ ପସନ୍ଦର ଗ୍ରନ୍ଥ ଓଡ଼ିଆ ଭାଗବତ
ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପାଠ ପଢିବା ଆରମ୍ଭ କଲି, ନୁଆରେ ନୂଆରେ ସନ୍ଧ୍ୟା ବେଳେ ଆମ ଠାକୁର ଘର ପାଖରେ ଭାଗବତ ପୁରାଣ ପାଠ କରେ। ପାଖରେ ମୋ ବାପା ଓ ବୋଉ ଉଭୟେ ବସି ଏହାକୁ ଶୁଣନ୍ତି। ମୋ ବୟସ ରେ ଯାହା ବୋଲୁଥିଲି ତାହା ମୁଁ ନିଜେ ବୁଝେନି। କିନ୍ତୁ ଏତିକି ଭଲ ଲାଗେ ଯେ ମୋ ସ୍ଵର ଥିଲା ଓ ପ୍ରତି ପଦ ଗାଇବାର ଲାଲିତ୍ୟ ବି ଥିଲା। ଏବେ ବି ମୋର ସେ ଦିନର ଭାଗବତ ପୁରାଣ ପାଠ କଥା ମନେ ପଡୁଛି। ପାଠକ ମାନଙ୍କ ଜାଣିବା ସକାଶେ ମୋ ମନରେ ବସାବାନ୍ଧି ରହିଥିବା ଗୋଟିଏ ଦୁଇଟି ପଦ କହୁଛି।
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ।
ଏହି ପଦ ପାଠ ପରେ ମୁଁ ମୋ ବାପା ଓ ବୋଉକୁ ଅନାଏ। ବଡ ଆଶ୍ଚର୍ଯ୍ୟ ଲାଗେ। ସେମାନେ ମନ ଧ୍ୟାନ ଦେଇ ଶୁଣୁଛନ୍ତି। ବାପା ବଡ ଗମ୍ଭୀର ହୋଇ ଯାଆନ୍ତି। ମୁଁ କିନ୍ତୁ ଏହାର ଅର୍ଥ ବୁଝେନୀ। ଏବେ ଆଉ ଗୋଟିଏ ପଦଟିକୁ ଯିବା।
ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ନାରାୟଣ।
ଏହି ପଦର ଅର୍ଥ ମୋ ବୋଉ କଣ ବୁଝିଲା କେଜାଣି, ହଠାତ୍ ଉଠି ଆସି ମୋ ମୁଣ୍ଡରେ ତା ହାତ ଛୁଆଇଁ ପୁଣି ବସି ମୋ ଗାୟନ ରେ ହଜିଗଲା। ଏ ଥିଲା ମୋ ପିଲାଦିନ ଭାଗବତ ପୁରାଣ ପାଠ, ଏବଂ ବୁଝିବାର ବୟସ ଓ ଜ୍ଞାନ ସୀମିତ ଥିଲା।
ପୁରୀ ନିକଟସ୍ଥ କପିଳେଶ୍ୱର ପୁର ଶାସନ। ଜଗନ୍ନାଥ ଦାସ ଙ୍କ ଜନ୍ମ ମାଟି। ତାଙ୍କ ମାଆ ପଦ୍ମାବତୀ ଦେବୀ କାର୍ତ୍ତିକ ମାସ ରେ ନିୟମିତ ଭାବେ ଶ୍ରୀମନ୍ଦିର ପରିସରରେ ଭାଗବତ ପୁରାଣ ଶ୍ରବଣ ନିମନ୍ତେ ଯାଉଥିଲେ। ପୁରାଣ ପଣ୍ଡା ସଂସ୍କୃତ ଭାଷାରେ ଲିଖିତ ଭାଗବତ ପାଠ କରୁଥିଲେ। ପଦ୍ମାବତୀ ଦେବୀ ଅନେକ ପ୍ରସଙ୍ଗ ବୁଝି ପାରୁ ନଥିଲେ । ପୁରାଣ ପଣ୍ଡା ଙ୍କୁ ପଚାରିଲେ ସେ ମହାଶୟ ବଡ ବିରକ୍ତ ଓ ଚିଡି ଚିଡି ହୁଅନ୍ତି। ସୁତରାଂ ପଦ୍ମାବତୀ ଦେବୀ ଘରକୁ ଫେରି ପୁଅ ଜଗନ୍ନାଥଙ୍କୁ ନିଜର ମନର କଥା କହନ୍ତି। ବାବୁରେ, ତୁମ ର ସଂସ୍କୃତରେ ତ ଅଗାଧ ପାଣ୍ଡିତ୍ୟ ଅଛି। ତୁମେ ଚାହିଁଲେ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରିଦିଅନିନ୍ତି
ମୋ ଭଳି ବହୁ ମୂର୍ଖ ଓ ଅଶିକ୍ଷିତ ମହିଳା ଏହାକୁ ଅତି ସହଜରେ ବୁଝି ପାରିବେ। ମାଆ ପଦ୍ମାବତୀ ଦେବୀ ଙ୍କ ଅନୁରୋଧ ରଖି ଜଗନ୍ନାଥ ଓଡ଼ିଆ ଭାଗବତ ପୁରାଣ ଲେଖି ଯସ୍ଵଶୀ ହୋଇଗଲେ। ସତରେ କେତେ ମାତ୍ରୁଭକ୍ତ ଥିଲେ ଜଗନ୍ନାଥ ଦାସ। ଏହା ଥିଲା ଚତୁର୍ଦ୍ଦଶ ପଞ୍ଚଦଶ ଶତାବ୍ଦୀର କଥା। ଯାଇଛି ସେ କଥା ରହିଅଛି ଚିହ୍ନ
ଯାହାର କ୍ଷୟ ନାହିଁ।
ଧିରେ ଧିରେ ସମୟ ଅବିରତ ଓ ନିରବଚ୍ଛିନ୍ନ ଭାବେ ବହି ଯାଏ। ମୋ ବାଳୁତ ଯାଇ କେଦେବେଗି କୈଶୋର, ଯୌବନ ଯାଇ ଏବେ ବରିଷ୍ଠ ନାଗରିକ ରେ ରୂପାନ୍ତରିତ ହୋଇ ସାରିଛି, ସେହି ସମୟ ବଳରେ। ମୋ ବୋଉ ଓ ବାପା ଯେଉଁ ଜୀବନ ଅତିବାହିତ କରିଥିଲେ ଆମେ ସ୍ଵାମୀ ସ୍ତ୍ରୀ ଉଭୟେ ମଧ୍ୟ ତାହାକୁ ଅବିକଳ ଭାବେ ଆବୋରି ନେଇଛୁ ଏବଂ ମାନସିକ ଶାନ୍ତି ପାଉଛୁ। ଧନ ରେ ଲୋଭ ନାହିଁ କୁ ପାର୍ଥିବ ପଦାର୍ଥରେ ଆସକ୍ତ ନାହିଁ। ମନ ରହିଛି ଭାଗବତ ପାଠ ଓ ଯୋଗେଶ୍ୱର କୃଷ୍ଣ ଙ୍କ ପାଖେ। ଜନ୍ମାଷ୍ଟମୀ ଅଥବା କୃଷ୍ଣ ଜନ୍ମ ତିଥି ଅବସରରେ ଘରେ ଆମ ଗୋସାଇଁ ଭାଇନା ଭାଗବତ ର ଦ୍ୱାରିକାଳିଲା ର କୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରନ୍ତି ଏବଂ ବଡ ତନ୍ମୟରେ ସେ ଏଇ ପଦ ଟିକୁ ତିନି ଥର ପାଠ କରି ଆମକୁ ଶୁଣାନ୍ତି ।
ତୋତେ ହିଁ ତୁହି ରକ୍ଷା କର
ମୁଁ ଛାର ମନୁଷ୍ୟ ମାତର।
ଅର୍ଥାତ୍ ବସୁଦେବ ଦୁଇ ହାତ ଟେକି ନିଜକୁ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପାଖରେ ଆତ୍ମ ସମର୍ପଣ କରିଦେଲେ ସେତେବେଳେ ପ୍ରଭୁ ନିଜ ଲୀଳା ଖେଳା କରି ସମସ୍ତ କଷ୍ଟ ଅତି ସହଜରେ ଲାଘବ କରିଦେଲେ। ବର୍ଣ୍ଣନା ଚାତୁରି ରେ କବି ଅନନ୍ୟ। ଶ୍ରୀକୃଷ୍ଣ ଯିଏ ଶ୍ରୀ ଜଗନ୍ନାଥ ମଧ୍ୟ ସିଏ। କେଡେ ପବିତ୍ର ଗ୍ରନ୍ଥ ଆମ ଓଡ଼ିଆ ଭାଗବତ।ପ୍ରତି ଅଧ୍ୟାୟ ଶେଷରେ ପୁରାଣ ପଣ୍ଡା ନିଶ୍ଚୟ ପାଠ କରନ୍ତି, ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ଯ। ତର୍କ ପାସାଣ୍ଡ ଶାସ୍ତ ଯେତେ। ଅଭ୍ୟାସ ନ କରିବ ନିତ୍ୟେ। ଜୀବନ ର ପ୍ରତିଟି କ୍ଷେତ୍ରରେ ମାର୍ଗଦର୍ଶନ ଦିଅନ୍ତି ଶ୍ରୀ ଭାଗବତ ମହାପୁରାଣ। ଏହାକୁ ନିତ୍ଯ ପାଠ କରି ତଦନୁଯାୟୀ ଚଳିଲେ ପ୍ରତ୍ୟେକ ମନୁଷ୍ୟ ଶାନ୍ତିର ଜୀବନ ଅତିବାହିତ କରି ପାରିବେ। ଏହା ଆମର ଶ୍ରେଷ୍ଠ ଧର୍ମ ଗ୍ରନ୍ଥ ଓ ସାହିତ୍ୟ ବୋଲି ବିବେଚନା କରନ୍ତୁ।ଆସନ୍ତୁ ଆମେ ଭାଗବତ ମୟ ହୋଇଯିବା।