ଜୀବନର ଚଲାପଥ ଅଙ୍କା ବଙ୍କା
ଜୀବନର ଚଲାପଥ ଅଙ୍କା ବଙ୍କା
ମୋ ବିଶ୍ୱାସ, ଭାବନା ଓ ଅନୁଭବ ରେ ଯେତିକି ଅନୁଭବିଛି , ତାହାକୁ ପାଥେୟ କରି କହି ପାରେ ଯେ ଜୀବନର ଚଲାପଥ ସତରେ ବଡ ଅଙ୍କାବଙ୍କା। ପ୍ରଦିଦିନ ପ୍ରାତଃ ମୁହୂର୍ତ୍ତ ରୁ ଦିନଚର୍ଯ୍ୟା ଆରମ୍ଭ ହୁଏ ଏବଂ ରାତ୍ରର ଶେଯକୁ ଯିବା ପରେ ଗୋଟିଏ ଦିନର କାର୍ଯ୍ୟ ସମାପ୍ତି ଘଟେ। ସମସ୍ତେ ନିଶ୍ଚିତ ଭାବରେ କିଛି ନା ଭଲ ଓ ମନ୍ଦ ସାଉଁଟି ଥିବେ, ଥକ୍କା ମାରି ବସି ପଡ଼ିଥିବେ, ପୁଣି ଆଗକୁ ଯାଇ ଥିବେ, କାମରେ ବେଳେ ବେଳେ କୃତକାର୍ଯ୍ୟ ହୋଇଥିବେ ଅବା ବିଫଳ ହୋଇଥିବେ। ମନ ଭାଙ୍ଗି ପଡ଼ି ଥିବ, ବିଚାର ବିଭ୍ରାଟ ହୋଇଥିବ, ନିଜ ଲୋକେ ଶତ୍ରୁତା ଆଚରଣ କରୁଥିବେ, ଏମିତି ଅନେକ କଥା ଦିନସାରା ଘଟେ। କିନ୍ତୁ କର୍ମର ବିରାମ ନ ଥାଏ, ଶରୀର ସେଥିରେ ପେଶି ହୋଇ ସାରିଥାଏ। ମୃତ୍ୟୁ ପର୍ଯ୍ୟନ୍ତ ଆମକୁ କର୍ମ କରିବାକୁ ହେବ। ଏହା ଯଦି ସତ୍ୟ ତେବେ ଭଲ କର୍ମ କାହିଁକି ନ କରିବା? ଭଲ କାମଟି କରିବା ବାଟରେ ବିପଦ ତ ଆସିବ, ସାମନା କରିବାକୁ ପଡ଼ିବ, ଏକା ଲୟରେ ମାଡ଼ି ଚାଲିବାକୁ ହେବ, କିନ୍ତୁ ଫଳରେ ନଜର ନ ରଖି ସେହି ଅଦୃଶ୍ୟ ଶକ୍ତିଙ୍କୁ ସମର୍ପଣ କରି ଦେବାକୁ ପଡ଼ିବ। ତା ନହେଲେ ଜୀବନ ସୁଗମ ଓ ପୂର୍ଣ୍ଣାଙ୍ଗ ହେବ ନାହିଁ।
ପ୍ରତ୍ୟେକ ମନୁଷ୍ୟ ବାଲ୍ୟ କାଳରେ କଣ ସବୁ କାର୍ଯ୍ୟ କରିଛନ୍ତି, ତାହା ବୋଧହୁଏ କାହାରି ମନେ ନ ଥିବ। କିଶୋର ସମୟ ଓ ଯୌବନ ର ଉଦ୍ଧାମତା ମଧ୍ୟରେ ଅନେକ ଉତେଜନା, ଆଶଙ୍କା, ମୂଳକ ପଦକ୍ଷେପ ନେବା ଯୋଗୁଁ ବହୁ ଧୋକା ଆସି ଥାଇ ପାରେ, ତାହାକୁ ସୁଧାରିବାକୁ ଯାଇ ଆହୁରି ବିଫଳ ହୋଇ ଥାଇ ପାରନ୍ତି। କିନ୍ତୁ ଏହା ସତ୍ୟ ଯେ ଯୌବନ ସମୟ ଏକ ସୁନ୍ଦର ସମ୍ଭାବନା ର ସମୟ। ସାମାନ୍ୟ ଜଗାରଖା ଓ ଅଭିଭାକଙ୍କଠାରୁ ପରାମର୍ଶ ଅନୁସାରେ ଚଳ ପ୍ରଚଳ ହୋଇ ପାରିଲେ ମନୁଷ୍ୟ ବହୁ ଦୁର୍ବାର ଓ ଦୁଃସାହସିକ କାର୍ଯ୍ୟ କରି ସଭିଙ୍କ ପ୍ରିୟପାତ୍ର ହୋଇ ପାରନ୍ତି। ବହୁ ମନିସ୍ଵି ଓ ମହାପୁରୁଷ ମାନେ ଏହି ସମୟରେ ଜଗତକୁ ଦେଖାଇଦେବା ଭଳି କାର୍ଯ୍ୟ କରିଥିବାର ନଜିର ରହିଛି। ଯୌବନ ସମୟ ମଧ୍ୟରେ କୁଆଡେ ଯାଇ କୁଆଡେ ପହଂଚି ପାରିବ। ଅସମ୍ଭବ କୁ ସମ୍ଭବ କରି ହେବ। ଆମ ଦେଶ ମାତୃକାର ସ୍ଵାଧୀନତା ପାଇଁ ଯେଉଁ ମାନେ ବଳିଦାନ ଦେଇଛନ୍ତି ସେମାନେ ସମସ୍ତେ ଏହି ସମୟର ଅର୍ଥାତ୍ ଯୁବକ ବୟସର। ଆଗରେ ବାଟ ବଙ୍କା ଥିଲେ ମଧ୍ୟ ଜଣେ ଯୁବକ ତାହା ନ ମାନି ଆଗକୁ ମାଡି ଚାଲେ, କେତେ ସାହସ ଆପେ ଆପେ ଆସିଯାଏ ପରିସ୍ଥିତି କୁ ସାମନା କରିବା ପାଇଁ। କିନ୍ତୁ ଯୁବା ବୟସରେ ଆରମ୍ଭ ଯଦି ଠିକ୍ ଥାଏ ଓ ଲକ୍ଷ୍ୟ ଯଦି ଅତି ସୁନ୍ଦର ହୋଇଥାଏ ତେବେ ତାହାକୁ ଅତି ସହଜରେ ହାସଲ କରାଯାଇ ପାରେ। କିନ୍ତୁ ଅସ୍ତବ୍ୟସ୍ତ ର ଜୀବନ ବହୁ ଧୋକା ଦିଏ। ପ୍ରଶ୍ନ ଟିଏ ଆସେ, କେଉଁଟି ବାଛିବେ ଲକ୍ଷ୍ୟ ପୂର୍ଣ୍ଣ ଜୀବନ ନା ଅୟସ ବିଳାସ ବ୍ୟସନରେ କାଳାତିପାତ ଜୀବନ ନା ସମାଜ ପାଇଁ ଏକ ସମର୍ପିତ ଜୀବନ। ନିଷ୍ପତ୍ତି ସଂପୃକ୍ତ ବ୍ୟକ୍ତି ଙ୍କର। ଠିକ୍ ପଥେ ଯାଇ ପାରିଲେ ମଣିଷ ଜୀବନ ଯୌବାବସ୍ଥାରେ ଚନ୍ଦନ ଭଳି ମହକି ଉଠେ।
ବର୍ତ୍ତମାନ ସମୟରେ ଆମେ ଓ ଆମ ସମାଜ କେତେ ଜ୍ଞାନ, ବୈଷୟିକ ଜ୍ଞାନ, କଳା କୁଶଳତା ଡିଜିଟାଲ ରେ ଶିଖର ସ୍ପର୍ଶ କରିଛି। ସେ ସବୁକୁ ବିନିଯୋଗ କରି ଆଜିର ମଣିଷ ଧନ ଦୌଲତ କୋଠା ବାଡ଼ି ପ୍ରଚୁର ବ୍ୟାଙ୍କ ବାଲାନ୍ସ ପଛରେ ଗୋଡାଣିଆ ସାଜିଛି। ମାନବିକତା କୁ ହରାଇ ବସିଛି, ନିଜର ବୃଦ୍ଧ ବାପା ମାଆ ଙ୍କୁ ଅଣାଦର କରି ନିଜେ ଏକାକୀ ସୁଖରେ ରହିବାକୁ ଚେଷ୍ଟା କରୁଛି, ହେଲେ ସେ କଣ ପ୍ରକୃତ ସୁଖରେ ରହି ନ ଥାଏ। ସମସ୍ତଙ୍କୁ ନେଇ ସମାଜ ଗଢ଼ା ଯାଏ, ପରିବାର ଠାରୁ ଦେଶ ପର୍ଯ୍ୟନ୍ତ। ସମସ୍ତେ ଧରାଧରି ହୋଇ ବଞ୍ଚନ୍ତି। ଟଙ୍କା ପଇସାରେ ସୁଖ ନ ଥାଏ। ସୁଖ ନିହିତ ଥାଏ ଅନ୍ୟକୁ ସାହାଯ୍ୟ କରିବା ରେ, ପର ସେବା କରିବାରେ ଓ ସମାଜ କୁ ଗଢି ତୋଳିବା ରେ ପରର ହିତ ପାଇଁ ଆମକୁ ଏହି ଜୀବନ ପ୍ରାପ୍ତ ହୋଇଛି। ପୁଣ୍ୟାତ୍ମା ଗୋପବନ୍ଧୁ ଦାସ ଙ୍କ ଏକ କବିତା ପଙ୍କ୍ତି ଟି ମନେ ପଡେ,
ନିଜ ହିତ ପାଇଁ ଜାତ ନୁହେଁ ହିନ୍ଦୁ
ବିଶ୍ଵ ହିତେ ତାର ପ୍ରତି ରକ୍ତ ବିନ୍ଦୁ।
ଆମେ ଜୀବନରେ ଯେତେ ତ୍ୟାଗ କରି ପାରିବା ସେତେ ଆଗକୁ ବଢ଼ିବାର ରାସ୍ତା ଖୋଲି ଯିବ। ଟଙ୍କା ପଇସାରେ ଲୋଭ ମଣିଷ କୁ ବଙ୍କା କରି ଦିଏ। ଏହା ଜୀବନ କୁ ଗଡବଡ କରିଦିଏ। କିନ୍ତୁ ସଂଜତ ଚଳଣି ଓ ନିୟମିତ ରୋଜଗାର ଓ ନିୟନ୍ତ୍ରିତ ଖର୍ଚ୍ଚ ବଞ୍ଚିବାର ପ୍ରେରଣା ଦିଏ। ମଧୁର ବଚନ, ଭଲ କର୍ମ, ଉତ୍ତମ ପରାମର୍ଶ, ପିତା ମାତା ଙ୍କ ଆଶୀର୍ବାଦ, ନିଜ ପ୍ରତି ବିଶ୍ଵାସ ଓ ସର୍ବୋପରି ଦୈବ ଶକ୍ତି ଉପରେ ଅଖଣ୍ଡ ବିଶ୍ୱାସ ସ୍ଥାପନ କରି ରହିଲେ ପ୍ରତି ମନୁଷ୍ୟଙ୍କ ଜୀବନ ସାର୍ଥକ ହୋଇବ ଏବଂ ଅଙ୍କା ବଙ୍କା ପଥ ସୁଗମ ହେବ।
ଶରୀର ସୁସ୍ଥ ରହିବା ପାଇଁ ଯେମିତି ସୁଷମ ଖାଦ୍ୟ ଓ ବ୍ୟାୟାମ ର ଆବଶ୍ୟକତା ଅଛି, ସେମିତି ଭଲ ଓ ଉତ୍ତମ ଚିନ୍ତନ ପାଇଁ ସଦସଂଗ ର ଆବଶ୍ୟକତା ମଧ୍ୟ ରହିଛି। ସମସ୍ତଙ୍କୁ ସଦଗୁରୁ ମିଳି ନ ପାରନ୍ତି, କିନ୍ତୁ ଭଲ ଭଲ ପୁସ୍ତକ ତ ମିଳିବ। ତାହାକୁ ପାଠ କଲେ ଭାବନା ଜାଗ୍ରତ ହୁଏ ଏବଂ ଜୀବନ ଯାତ୍ରାରେ ଏହା ବିଶେଷ ସହାୟକ ହୋଇ ପାରିବ। ମୋ ଜାଣିବାରେ ଏକ ସାଧାରଣ ଧାରଣା କିମ୍ବା ଏକ ସୁଚିନ୍ତିତ ମତ ଜୀବନର ମୋଡ ବଦଳାଇ ଦେଇ ପାରେ। ଗୋଟିଏ ଭଲ ପୁସ୍ତକ ଅନେକ ଭଗ୍ନ ହୃଦୟକୁ ଯୋଡ଼ି ଦେଇ ପାରେ। ମନ ରେ ସର୍ବଦା ସକାରାତ୍ମକ ଚିନ୍ତା ରହିଲେ ଜଣେ ବ୍ୟକ୍ତି ପ୍ରତିଷ୍ଠା ଲାଭ କରି ପାରିବ । ଜୀବନ ହେଉଛି ଭାବିବାର ଏକ ଭଣ୍ଡାର। ଏହି ଭଣ୍ଡାରକୁ ସବୁବେଳେ ଭଲ ଅର୍ଥରେ ପୂରଣ କରିବାକୁ, ତେବେ ଆମେ କହି ପାରିବା ଯେ ଏଣିକି ଜୀବନର ଚଲାପଥ ଆଉ କଣ୍ଟକିତ ନୁହେଁ, ବରଂ ମଧୁମୟ।