ମୋ ଜୀବନର କାହାଣୀ
ମୋ ଜୀବନର କାହାଣୀ
ପ୍ରତେକ ମଣିଷ ଜୀବନରେ କିଛି ନା କିଛି ଆଶା, ପ୍ରତିଭା,ପିଲାଦିନର ଘଟଣା ସ୍ମୃତି ସାଜି ଲୁକାୟିତ ଭାବେ ରହିଥାଏ ।ଯିଏ ପ୍ରକୃତ ରେ ଭାଗ୍ୟଶାଳୀ ତାକୁ ହିଁ ଭଗବାନ ସୁଯୋଗ ଦିଅନ୍ତି ପ୍ରତିଭାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ। ଷ୍ଟୋରୀମୀରର ଯୋଗୁଁ ମୋ ଭଳି ବହୁତ ଭାଗ୍ୟଶାଳୀ ପ୍ରତିଭା ମାନେ ନିଜନିଜ ଜୀବନର ସତ ଘଟଣାକୁ ଲେଖା ମାଧ୍ୟମରେ ହେଉ କିମ୍ବା ଅଡିଓ ମାଧ୍ୟମରେ ଆଜି ସମସ୍ତଙ୍କ ପାଖରେ ବ୍ୟକ୍ତ କରୁଛନ୍ତି ।
ମୋ ଜୀବନରେ ସ୍ମୃତି ହୋଇ ରହିଥିବା ବହୁତ ଘଟଣା ମଧ୍ୟରୁ ଗୋଟିଏ ସ୍ମୃତିକୁ ଆଜି ସମସ୍ତଙ୍କ ପାଖରେ ବର୍ଣ୍ଣନା କରୁଛି.......
ଦିନେ ମୋ ପ୍ରାଣ ଠୁଁ ଭି ପ୍ରିୟ ମୋ ସାନଭଉଣୀ ଫୋନ କଲା କହିଲା ତୁ ପଲ୍ଲବିନି ଷ୍ଟୋରିମିରରରେ କାହିଁକି ମେମ୍ବର ହେଉନୁ?
ମୁଁ ପଚାରିଲି ପଲ୍ଲବିନି ଷ୍ଟୋରିମିରର କଣ?
ଭଉଣୀ କହିଲା ଏଥିରେ ସମସ୍ତେ ନିଜନିଜ ଗଳ୍ପ, କବିତା ଦେଉଛନ୍ତି । ନନା ଲେଖୁଥିଲେ ତୋ ପାଖରେ ପ୍ରତିଭା ଅଛି ତୁ ଲେଖା ପଠା। ତାର ଏହି ପଦଟିଏ କଥା ମୋତେ ଲେଖିବାକୁ ବହୁତ ପ୍ରେରଣା ଦେଲା କାରଣ ନନାଙ୍କର ପ୍ରତିଭାରୁ କିଛିକିଛି ଆମ ଭାଇଭଉଣୀ ମାନଙ୍କ ପାଖରେ ଅଛି ।
ମୋ ନନା ସ୍ବର୍ଗତ ବାଞ୍ଛାନିଧି ଶତପଥି ବହୁତ ସୁନ୍ଦର ଭଜନ ଲେଖୁଥିଲେ ମୁଁ ଲେଖାର ମହତ୍ୱ କଣ ସେତେବେଳେ ଜାଣିନଥିଲି ।ମୋ ନନା ଯେତେବେଳେ ମନ କରୁଥିଲେ କାଗଜ ଖଣ୍ଡିଏ ଧରି ଭଜନ ଜଣାଣ ଲେଖୁଥିଲେ ।ସତରେ କେତେ ମନମୁଗ୍ଧକର ଥିଲା ପଢିଦେଲେ ଆଖିରୁ ଅଶ୍ରୁ ଆସିଯାଉଛି, ଲୋମ ଟାଙ୍କୁରି ଯାଉଛି । ଭଜନରେ ଥିଲା ସ୍ନେହ, ପ୍ରେମ, ରାଗ ଆଉ ଅଭିମାନ.....
ମୁଁ ଯେବେ ଶତପଥିରୁ ହୋତା ହୋଇଗଲି ସେତେବେଳେ ଅନୁଭବ କଲି ମୋ ନନାଙ୍କ ପାଖରେ ଥିବା ପ୍ରତିଭା.... କାରଣ...! ଶାଶୁଘରେ ହିଁ ଅଧିକ ମନେପଡେ ବାପଘରର ସ୍ନେହ ଶ୍ରଦ୍ଧା ଆଉ ପିଲାଦିନର ଘଟଣା ।
ନନାଙ୍କ ପରି ମୋ ପାଖରେ ପ୍ରଗାଢ ଜ୍ଞାନ ନାହିଁ କିନ୍ତୁ ନନାଙ୍କ ରକ୍ତ ମୋ ଦେହରେ ପ୍ରବାହିତ ହେଉଥିବାଯୋଗୁ ମୁଁ ଲେଖିବା ଆରମ୍ଭ କଲି ମୋର ଲେଖା ଧୋକା ପଲ୍ଲବିନି ଷ୍ଟୋରିମିରରର ସାପ୍ତାହିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।ତାପରଠୁ ମୁଁ ଲେଖିଚାଲିଲି ।
ମୁଁ ନନାଙ୍କୁ ମନେ ପକାଇବା ପାଇଁ ହିଁ ଲେଖୁଛି କାରଣ ନନାଙ୍କ ଅଧିକାଂଶ ଲେଖା ହଜିଯାଇଛି ଯାହା ଅଛି ତାକୁ ନେଇ ଆମ ଭାଇ ଭଉଣୀଙ୍କ ମନରେ ବହୁତ ଆଶା ଅଛି ସବୁ ଭଗବାନଙ୍କର ଇଚ୍ଛା କେବେ ପୂରଣ କରିବେ କେଜାଣି ।
ନନାଙ୍କ ସମୟରେ ଯଦି ଷ୍ଟୋରିମିରର ଥାନ୍ତା ନନାଙ୍କ ଲେଖା ସବୁ ସୁରକ୍ଷିତ ହୋଇ ରହିଥାନ୍ତା। ମୁଁ ଲେଖିବା ପରେ ବୁଝିଲି ଲେଖିବା ଏତେ ସହଜ ନୁହେଁ ଲେଖିବାର, ଉପସ୍ଥାପନା କରିବାର ଶୈଳୀ ଦରକାର ଆଉ ପାଠକଙ୍କର ମନମୁଗ୍ଧ ହେବା ଦରକାର ।
ନନା ଯଦି ବଞ୍ଚିଥାନ୍ତେ ମୁଁ ନନାଙ୍କ ପାଦ ଛୁଇଁ ନନାଙ୍କ ଠୁଁ ବହୁତ କିଛି ଶିଖିଥାନ୍ତି ।ନନା ତମେ ସ୍ୱର୍ଗରେ ଥାଇ ମୋତେ ଆଶ୍ରିବାଦ ଦିଅ ମୁଁ ଟିକେ ଉଚ୍ଚକୋଟିର ଲେଖିପାରିବି, ମୋ ଲେଖାପଢି କାହା ମନରେ କଷ୍ଟ ହେବନି ମୋର ପ୍ରତିଟି ଲେଖା ପଢି ସମସ୍ତେ ଆନନ୍ଦିତ ହେବେ ଏବଂ ସମାଜର ମଙ୍ଗଳ ହେବ ।
ଆଜି ଲେଖା ଶେଷ କରିବା ପୂର୍ବରୁ ପଲ୍ଲବିନି ଷ୍ଟୋରିମିରର କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି କାରଣ ଷ୍ଟୋରିମିରର ସାପ୍ତାହିକ, ବାବନ ସପ୍ତାହ, ଅଡିଓ, ମ୍ୟାଗାଜିନ ଏବଂ ବିଭିନ୍ନ ପ୍ରତିଯୋଗିତା ଯୋଗୁଁ କେବଳ ମୁଁ ନୁହେଁ ମୋ ପରି ଅନେକ ଲୁକାୟିତ ପ୍ରତିଭା ("ଲେଖିକା କବି'' )ଭାବରେ ପରିଚୟ ପାଇଲେ ।
ଭଗବାନ ଆଶୀର୍ବାଦ ଦିଅନ୍ତୁ 'ପଲ୍ଲବିନି ଷ୍ଟୋରିମିରର 'ଆମ ଦେଶରେ ଏବଂ ଦେଶ ବାହାରେ ନୂଆ ନୂଆ ପ୍ରତିଭାକୁ ସୃଷ୍ଟି କରୁଥାଉ ଏବଂ ବିଶ୍ୱ ଦରବାରରେ ଉଚ୍ଚ ସନମାନ ଲାଭକରୁ ।
ସୁକାନ୍ତି ହୋତା
ତାଳଚେର