Trupti Paikaray

Inspirational

3  

Trupti Paikaray

Inspirational

ମୋ ବାପାଙ୍କ ମ୍ୟାଜିକ୍ ମୁଦି

ମୋ ବାପାଙ୍କ ମ୍ୟାଜିକ୍ ମୁଦି

5 mins
7.2K


ମୋ ବାପାଙ୍କ ମ୍ୟାଜିକ୍ ମୁଦି

ତୃପ୍ତି ପାଇକରାୟ

     ଆଜିକୁ ଠିକ୍ ପାଞ୍ଚବର୍ଷ ତଳର କଥା । ସେଦିନ କଥା ମନେପଡ଼ିଲେ ମୋ ଲୁହଗୁଡ଼ା ବି ମୋ ବୋଲ ମାନନ୍ତିନି । ଭୁବନେଶ୍ୱରର ଏକ ହସ୍ପିଟାଲ, ସେଠି ଗୋଟେ ବେଡରେ ମୋ ବାପା ପଡ଼ିରହିଥାନ୍ତି । ଏମିତି ଦୀର୍ଘ ପାଞ୍ଚବର୍ଷ ହେଲା ସେ ହସ୍ପିଟାଲ ଆସନ୍ତି, ପୁଣି ଭଲ ହେଇ ଘରକୁ ଚାଲିଯା'ନ୍ତି । ଏଥର ବି ମୋ ବାପାଙ୍କ ଉପରେ ମୋର ପୂରା ଭରସା ଥିଲା ସେ ପୁଣି ଭଲ ହେଇଯିବେ, ଖାଲି ଟିକେ ଜର ହେଇଛି ମୋ ବାପାଙ୍କୁ । ଗୋଟେ ଛୋଟପିଲା ଯେମିତି ଆଖିବୁଜି ତା ବାପାଙ୍କୁ ବିଶ୍ୱାସ କରେ, ମୁଁ ବି ଠିକ୍ ସେଦିନ ତାଙ୍କୁ ସେମିତି ବିଶ୍ୱାସ କରିଥିଲି । ଯେମିତି ଡାକ୍ତରଖାନା ସହିତ ତାଙ୍କର ଗୋଟେ ଖାସ୍ ଦୋସ୍ତି ଵନିଯାଇଥିଲା । କିଛିବର୍ଷ ପୂର୍ବେ ବାପା ମୋର ପଡ଼ିଗଲେ ଥରେ ତଳେ, ଆଉ କିଛି ବି ସିମ୍ପ୍ଟମ୍ସ ନଥିଲା ସେମିତି, ତଥାପି ଆଣି ଡାକ୍ତର ଦେଖେଇଲୁ । ସବୁ ଟେଷ୍ଟ ଆଉ ରିପୋର୍ଟରୁ ଜଣାପଡ଼ିଲା, ମୋ ବାପାଙ୍କ ଡାଇବେଟିସ୍ ବଢ଼ିଯାଇଛି ଆଉ ଗୋଟେ ବ୍ରେନଷ୍ଟ୍ରୋକ ବି ହେଇଯାଇଛି । ବାପା ମୋର ଏହିକଥା ଡାକ୍ତର କହିଲାବେଳେ ଶୁଣିଦେଲେ, ଆଉ ତା'ପରଠାରୁ ସେ ଯେମିତି ପୂରା ଚୁପ୍ ହେଇଗଲେ ଡରରେ । ଧୀରେ ଧୀରେ କଥାବାର୍ତ୍ତା କରିବା ବି ବନ୍ଦ କରିଦେଲେ । ଖାଲି ଚୁପ୍ ହେ।ଇ କ'ଣ ଗୁଡ଼େ ଭାବନ୍ତି । କାଳେ ମୁଁ ଭଲ ହେବି କି ନାହିଁ, ଏହି ଚିନ୍ତାରେ ଆଗପରି ଆଉ ତାଙ୍କର ଖାଇବାପିଇବା ବି  ନଥାଏ । ଯେତେ ସାଙ୍ଗସାଥୀ ତାଙ୍କର ଆସିଲେ ବି ଆଉ ସେ ପୁରୁଣା ଭାବ ନଥିଲା, ଖାଲି ଗୋଟେ ପାଷାଣ ପରି ବସିରହୁଥିଲେ ।

     ଏମିତି ତାଙ୍କ ଦେହ ମଝିରେ ମଝିରେ ଖରାପ ହେଇଯାଏ । ଏଥର ବି ସେମିତି ଟିକେ ଜର ହେଇଥିଲା, ହେଲେ ସେ ଜର ଜମାରୁ କମିଲାଣି । ଡାକ୍ତର ତା'ପରେ ତା'ପରେ ମେଡିସିନ୍ ଦେଇଚାଲିଲେ, କହିଲେ କଣ୍ଡିସନ ଠିକ ଅଛି, ଟିକେ ଟାଇମ୍ ଲାଗିବ । ଏମିତି ପଡୁ଼ପଡୁ ସେତେବେଳେ ପନ୍ଦର ଦିନ ହେଇଗଲାଣି, ହେଲେ ଜର କମୁ ନଥାଏ । ଡାକ୍ତର ଆସି ଦେଖନ୍ତି, ଇଂଜେକସନ, ମେଡିସିନ୍, ସାଲାଇନ୍ ବି ଚାଲେ । ଦିନସାରା ମୋ ମାଆ ଜଗିବସେ ମୋ ବାପାଙ୍କୁ । ଭାଇ, ଭଉଣୀ, ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗେ ସେଠି । ହେଲେ ଦିନସାରା ପ୍ରାୟ ମୁଁ ରୁହେନି, ସକାଳ ୮ଟା ବାଜିଲାମାନେ ମୁଁ ପଳେଇଆସେ ଘରକୁ । କାରଣ ମତେ ଅଫିସ୍ ଯିବାକୁ ହୁଏ ଆଉ ସାରାରାତି ଅନିଦ୍ରା ହେଇ ଜଗିବାକୁ ପଡ଼େ ବାପାଙ୍କୁ । ତେଣୁ ଦିନସାରା ମୁଁ ଅଫିସ୍ କାମ କରି, ତା'ପରେ ଟିକେ ରେଷ୍ଟ ନେଇ ପୁଣି ରାତି ୮ଟା ଭିତରେ ପହଞ୍ଚିଯାଏ ହସ୍ପିଟାଲରେ ।

     ବାପା ମଝିରେ ମଝିରେ ଆଖି ଖୋଲି ଚାହାନ୍ତି, ମୋ ହାତକୁ ଜାବୁଡ଼ି ଧରନ୍ତି, ସତେ ଯେମିତି ତାଙ୍କ ଅମୂଲ୍ୟ ରତ୍ନ କିଏ ନେଇଯିବ ତାଙ୍କ ପାଖରୁ ! ମାଆ ଆସି ପାଖରେ ବସେ, ଇଆଡୁସିଆଡ଼ୁ ବାପାଙ୍କୁ ପଚାରେ, ମୁଁ ବି ଠିକ୍ ମାଆ ପରି ବାପାଙ୍କ ସହ ଗପିଚାଲେ । ଆମେ ମାଆଝିଅ ଦୁଇଜଣଯାକ ଏମିତି ଗପୁ ବାପାଙ୍କ ସହ । ଖାଲି ହୁଁ, ହୁଁ ଶବ୍ଦ କରନ୍ତି ବାପା । ଖନେଇ ଖନେଇ କ'ଣ କହିଦିଅନ୍ତି ମଝିରେ ମଝିରେ । ସତେ ଯେମିତି ବହୁତ କିଛି କାମ ତାଙ୍କର ଅଛି ସାରିବାକୁ !

     ମୁଁ ଅଫିସ୍ ଯିବା ପୂର୍ବରୁ ବାପାଙ୍କୁ କହିଦେଇ ଆସେ, "ବାପା ମୁଁ ଅଫିସ୍ ଯାଉଛି, ସନ୍ଧ୍ୟାରେ ପୁଣି ଆସିବି, ଏତେଦିନ ସେମାନେ ଛୁଟି ଦେଉନାହାନ୍ତି ।" ତମକୁ ଛାଡ଼ି ଟିକେ ବି ଯିବାକୁ ଇଚ୍ଛା ହେଉନି ମୋର । ତଥାପି ଯିବାକୁ ତ ପଡ଼ିବ । ଭାବିଲି ଚାକିରି ଛାଡ଼ିଦେବି । ଯାହା ପାଇଁ ଆଜି ମୁଁ ଏ ଦୁନିୟା ଦେଖୁଛି, ସେ ହସ୍ପିଟାଲରେ ପଡ଼ିଛି, ଅଥଚ ମୁଁ ତା ପାଖରେ ସାରା ଦିନ ରହିପାରୁନି । ହେଲେ ମାଆ ପୁଣି କାନ୍ଦିବ । ଯେତେବେଳେ ବାପାଙ୍କୁ ଅଫିସ୍ ଆସିବା କଥା କହେ, ସେ ଟିକେ ମୁଣ୍ଡ ହଲେଇଦିଅନ୍ତି, ହେଲେ ମୋ ହାତକୁ ସେମିତି ଜାବୁଡ଼ି ଧରନ୍ତି ୫ ମିନିଟ । ଆଖିରୁ ମୋର ଦୁଇଧାର ଲୁହ ବୋହିଯାଏ, ହେଲେ ସେ ଦେଖିବା ପୂର୍ବରୁ ପୋଛିପକାଏ । ଏମିତି ସମୟ ଗଡ଼ିଚାଲିଥାଏ, ବାପାଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନାହିଁ । ଡାକ୍ତର କହିଥିଲେ, ''ଆପଣ ତାଙ୍କୁ ଖାଇବାକୁ ଦେଇପାରିବେ, ନାଜାଲ ଫିଡିଙ୍ଗର କିଛି ଦରକାର ନାହିଁ ।'' ମା' ତାଙ୍କୁ ଖୁଆଇଦିଏ, କେବେକେବେ ମୁଁ । ଏତିକି ଦିନ ଭତରେ ମୋ ବାପା କେତେ ଝଡ଼ିଗଲେଣି, ମୁହଁ ଶୁଖିଲା ଦେଖାଯାଉଛି । ତାଙ୍କ ମୁହଁକୁ ଚାହିଁଦେଲେ ମତେ ଭାରି କାନ୍ଦ ଲାଗେ । ହେଲେ ମୁଁ କାନ୍ଦିଲେ ମୋ ମାଆ ବି କାନ୍ଦିବ, ତେଣୁ ନିଜକୁ କଂଟ୍ରୋଲ କରିନିଏ । ସାରାରାତି ଲାପଟପରେ ମୋ ଅଫିସ୍ କାମ କରେ ଆଉ ବାପାଙ୍କୁ ଜଗିବସେ, ମାଆକୁ ଶୁଆଇଦିଏ ଜିଦି କରି ।

     ଏମିତି ମୋ ବାପା ବାଇଶି ଦିନ ହସ୍ପିଟାଲରେ ପଡ଼ିରହିଲେ । ଡାକ୍ତର ବି କହିଲେ, ''ସବୁ ରିପୋର୍ଟ ଠିକ୍ ଅଛି ।'' ଶୁଣିକି ଟିକେ ଭଲ ଲାଗେ । ହେଲେ ସେଦିନ ରାତି ୮ଟା ହେବ, ବାପା ଆଖି ଖୋଲି ପୂରା ଅନେଇଛନ୍ତି, ମୋ ମୁହଁକୁ ଚାହୁଁଥାନ୍ତି । ମୁଁ ମୋ ଚେୟାରରୁ ଉଠିଯାଇ ବାପାଙ୍କ ପାଖରେ ଠିଆହେଲି । ମତେ ଦେଖି ସାଙ୍ଗେସାଙ୍ଗେ ହାତ ଟେକିଲେ ମୋ ହାତ ଜାବୁଡ଼ି ଧରିବାକୁ । ହେଲେ ଏସବୁ ଭିତରେ ତାଙ୍କ ଆଙ୍ଗୁଠିରେ ଚକଚକ କରୁଥିବା ସୁନାମୁଦିଟି ଟପକିନା ତଳେ ଗଳିପଡ଼ିଲା । ଏହି ନୀଳ ରଙ୍ଗର ପଥର ଲାଗିଥିବା ମୁଦି ମୋ ବାପାଙ୍କର ଭାରି ପ୍ରିୟ । କ୍ଷଣିକ ପାଇଁ ସେ ନିଜଠାରୁ ସେହି ମୁଦିକୁ ଅଲଗା କରନ୍ତିନି । ସବୁବେଳେ ସେ ମୁଦିକୁ ମାଜିକି ଚିକଚିକ କରି ରଖିଥାନ୍ତି । ନୂଆ ମୁଦିରେ ବି ତାଙ୍କର ଆଗ୍ରହ ନଥିଲା । ଖାଲି ସେଇ ମୁଦିହିଁ ତାଙ୍କର ପ୍ରିୟ । ପୂର୍ବରୁ ଯେତେଥର ହସ୍ପିଟାଲରେ ଆଡମିଟ ହୁଅନ୍ତି, ଆମେ ତାଙ୍କ ଅଜାଣତରେ ସେ ମୁଦି କାଢ଼ିକି ରଖିଦେଉ । କାରଣ ଡାକ୍ତର କୁହନ୍ତି ସବୁ ଜିନିଷ ଦେହରୁ ବାହାର କରିଦେବାକୁ । ଟିକେ ସେନ୍ସ ଆସିଲେ ବାପା ସାଙ୍ଗେସାଙ୍ଗେ ନିଜ ହାତ ଟେକି ଆଙ୍ଗୁଠିକୁ ଚାହାନ୍ତି ଆଉ ମୁଦିକଥା ଇଙ୍ଗିତରେ ପଚାରନ୍ତି । ଆମେ କହିଦେଉ, “ବାପା, ମାଆ ପାଖରେ ତମ ମୁଦି ଅଛି ।” ବିଶ୍ୱାସ କରିବେନି କାଳେ ତାଙ୍କୁ ମୁଁ ଦେଖେଇଦିଏ, "ବାପା, ହେଇ ଦେଖ ।" ମୋ ବାପା ଲୋଭୀ ନୁହନ୍ତି କି ତାଙ୍କର ସୁନା ପ୍ରତି ସେମିତି ମୋହ ନଥିଲା । ସେଟା ମାଆ କୁହେ ତାଙ୍କ ବାହାଘର ମୁଦି, ସେଥିପାଇଁ ସେ ତାକୁ ଏତେ ଖୁସିରେ ପିନ୍ଧିଥାନ୍ତି । ମୁଁ ଜନ୍ମ ହେବା ଦିନଠାରୁ ସବୁବେଳେ ସେଟା ବାପାଙ୍କ ହାତରେ ଦେଖିଛି, କେବେ ବି ସେ ବାହାର କରନ୍ତିନି ନିଜ ଆଙ୍ଗୁଠିରୁ । କେବଳ ସଫା କଲାବେଳେ ଟିକେ କାଢ଼ନ୍ତି । ହେଲେ ସେଦିନ ତାଙ୍କ ପ୍ରିୟ ମୁଦି ତାଙ୍କ ହାତରୁ ଖସିପଡ଼ିଲା ଦେଖି ମୋ ମନରେ ଇଆଡୁସିଆଡ଼ୁ ଭାବନା ଆସିଲା । ମନଟା ଟିକେ ପାପ ଛୁଇଁଲା । ମୋ ଜୀବନ ଭିତରେ ଯେଉଁ ମୁଦି କେବେ ତାଙ୍କ ହାତରୁ ଖସି ନଥିଲା, ଆଜି ହଠାତ୍ ଏମିତି କେମିତି ପଡ଼ିଗଲା ? ବାପା ବଲବଲ କରି ମତେ ଅନେଇଥା'ନ୍ତି । ମାଆ ମନ ବି ଦୁଃଖ ହେଇଗଲା । ସେ ବାଥରୁମ ଯିବା ବାହାନାରେ ଟିକେ କାନ୍ଦିଦେଲା ଯାଇ । ମତେ ଯେମିତି ଖରାପ ଲାଗୁଥିଲା, ମାଆକୁ ବୋଧେ ସେମିତି କିଛି ଭାବନା ମନକୁ ଆସିଗଲା । ମୁଁ ସାଙ୍ଗେସାଙ୍ଗେ ମୁଦିଟି ଉଠେଇପକେଇ ବୁଝେଇଦେଲି ମୋ ମନକୁ, ଆଉ ମୋ ମାଆକୁ । ଗୋଟେ ଅବୁଝା କୁନିପିଲାକୁ ବୁଝେଇଲା ପରି ବାପାଙ୍କୁ ବୁଝେଇ କହିଲି, "ବାପା, ତମେ ଏଇ ହସ୍ପିଟାଲରେ ଭଲରେ ନଖାଇ ଝଡ଼ିଗଲଣି, ସେଥିପାଇଁ ମୁଦି ତୁମ ହାତରୁ ଢିଲା ହେଇ ଖସିପଡ଼ିଲା । ମୁଦି ମୋ ବ୍ୟାଗରେ ରଖିଦେଉଛି, ତମେ ଏଠାରୁ ଗଲେ ବାହାର କରିଦେବି ଲଗେଇବ l” ବାପାଙ୍କୁ ବୁଝେଇଦେଲି, ହେଲେ ମୋ ମନ କିନ୍ତୁ ବୁଝୁ ନଥିଲା । ମାଆ ବି କହି କାନ୍ଦିପକାଉଥିଲା ଯେ, “ଏ ମୁଦି ତୋ ବାପାଙ୍କ ହାତରୁ କେବେ ବି ଖସିନି, ହେଲେ ଆଜି ଏମିତି କାହିଁକି ହେଲା ?” ସେଦିନ ସମୟ ବୋଧେ ସୂଚନା ଦେଇଦେଲା, ଭଗବାନ ତାଙ୍କ ଭାଷାରେ କିଛି ଇଙ୍ଗିତ ଦେଇଦେଲେ ଯେମିତି ! ଆଉ ବାପାଙ୍କ ହାତରୁ ମୁଦି ପଡ଼ିଗଲା ସତ, ଇଏ ବି ବାପାଙ୍କ ଇଙ୍ଗିତ ଥିଲା ଯେ, "ଦେଖେ, ଆଜିଠାରୁ ସବୁ ମୋହ ମାୟାରୁ ମୁକ୍ତ ହେଇଗଲି, ଏବେ ମତେ ଭଗବାନଙ୍କ ପାଖକୁ ଯିବାକୁ ହେବ । ଖାଲିହାତରେ ଆସିଥିଲି, ଖାଲିହାତରେ ପୁଣି ଫେରିବାକୁ ହେବ ।" ମନ ଭିତରେ ମୁଁ ପୂରା ଭାଙ୍ଗିପଡୁଥିଲି, ହେଲେ ଉପରେ ସେମିତି ଚାଲିଥିଲି । ହସ୍ପିଟାଲରେ ପଡ଼ିପଡ଼ି ସେ ମୁଦି ଭିତରେ ମଇଳାର ଗୋଟେ ପତଳା ଆବରଣ ହେଇଯାଇଥିଲା, ସେଇ ମଇଳା ମୋ ବାପାଙ୍କ ଦେହର ମଇଳା, ଲୁଚିଲୁଚି ତାକୁ ଦେଖୁଥିଲି ଆଉ କାନ୍ଦୁଥିଲି । ଆଉ ତା'ର ମାତ୍ର ଦୁଇଦିନ ପରେ ମୋ ବାପା ଚାଲିଯାଇଥିଲେ ଆରପାରିକୁ ।

     ହେଲେ ବାପା ତ ଆଉ ଫେରିଲେନି, କାହାକୁ ବା ସେ ମୁଦି ଦେଇଥା'ନ୍ତି ! ସେ ମୁଦିକୁ ନିଜ ପାଖରେ ସାଇତିକି ରଖିଦେଇଛି । ସେଥିରେ ସେମିତି ବାପାଙ୍କ ଦେହର ସେ ମଇଳା ଟିକକ ବି ଲାଗିକି ରହିଛି । ତାକୁ ମତେ ସଫା କରିବାକୁ ଟିକେ ବି ମନ ହୁଏନି । ଆଜି ବି ଯେବେ କିଛି ଦୁଃଖ ଆସେ, ମନକଷ୍ଟ ହୁଏ ବା କିଛି ପ୍ରଶ୍ନର ଉତ୍ତର ଖୋଜେ, ସେ ମୁଦି ବାହାର କରି ତାକୁ ଅନେଇରହେ, ଆଉ ମୋ ମନକଥାସବୁ ମନେମନେ ତାକୁ କୁହେ । ତା'ପରେ ସତେ ଯେମିତି ମତେ କିଛିନା କିଛି ରାସ୍ତା ମିଳିଯାଏ, କିଛି ସଲ୍ୟୁସନ ମିଳିଯାଏ, ଯେମିତି ସେଟା 'ମୋ ବାପାଙ୍କ ମ୍ୟାଜିକ୍ ମୁଦି', ଖାସ୍ ମୋ ପାଇଁ ଆଉ ମୋତେ ଜୀବନର ରାସ୍ତା ଦେଖେଇଦେବା ପାଇଁ !!

*****


Rate this content
Log in

Similar oriya story from Inspirational