Sucharita Sena

Tragedy Classics Inspirational

4.0  

Sucharita Sena

Tragedy Classics Inspirational

ମନତଳର ଅକୁହା କଥା |

ମନତଳର ଅକୁହା କଥା |

18 mins
293


ସୂର୍ଯ୍ୟ ଲୋହିତ ବର୍ଣ୍ଣ ହୋଇ ବୁଡ଼ିଗଲେ ପଶ୍ଚିମ ଆକାଶେ ,ଝିଙ୍ଗାରୀ ମାନଙ୍କ ଝୀଂ ଝୀଂ ଶବ୍ଦ ଭାସି ଆସୁଥାଏ ଚତୃଦିଗରୁ | ଅନ୍ଧାର ମାଡି ଆସିଲା |କିଛି ମୁହୂର୍ତ୍ତ ପୂର୍ବରୁ ଘୋରଗର୍ଜନରେ ପ୍ରକମ୍ପିତ ରଣଭୂମୀ ଏବେ ଶୂନଶାନ | ଅନେକ ଦିନରୁ ଛାଡି ଚାଲିଯାଇଥିବା ଜନ୍ମଦାତ୍ରୀ ମା' ତାଙ୍କ ପାଖରେ ଆସି ଠିଆ ହେଲେ,କୋମଳ ହାତରେ ଆଉଁଷି ଦେଲେ ମୁଣ୍ଡକୁ | ସେ ଆଉ କେହି ନଥିଲେ ଦେବୀଗଙ୍ଗା ଥିଲେ | ଆଖିରୁ ଝରିପଡ଼ୁଥିଲା ଲୋତକ | କେଉଁ ମା ସହି ପାରିବ ନିଜ ସନ୍ତାନକୁ ଏପରି ଅବସ୍ଥାରେ ଦେଖି | ହୃଦୟ ତାଙ୍କର ବିଦାରିତ ହୋଇଗଲା |

ଦେବୀଗଙ୍ଗା : ........ "ଦେବବ୍ରତ, କହିକି ଏତେ କଷ୍ଟ ପାଉଛୁ | ତୁ ବରଦାନ ସୁରୂପ ଇଚ୍ଛାମୃତୁ ପାଇଛୁ | ତୁ ନଚାହିଁବା ଯାଏ କେହିବି ତତେ ମୁକ୍ତ କରିପାରିବେ ନାହିଁ ପୁଅ | କାହାକୁ ଅପେକ୍ଷା ? , କଣ ଚାହୁଁଛୁ ତୁ ?? | ନିଜ ଶରୀର ତ୍ୟାଗ କରି ମୋ ସାଥିରେ ଚାଲିଆ ପୁଅ |

ଦେବବ୍ରତ : ........ ମା', ମୁଁ ନିରୁପାୟ | ମୁଁ ସତ୍ୟ ଓ ନ୍ୟାୟ ର ଜୟକୁ ଦେଖିବାକୁ ଚାହେଁ | ଓ ସେ ପରଂବ୍ରହ୍ମ ସ୍ୱୟଂ ନାରାୟଣ ଙ୍କୁ ଅପେକ୍ଷା | ସେହିଁ ମୋ ଅଶାନ୍ତ ମନକୁ ଶାନ୍ତ କରିପାରିବେ | ସେହିଁ ମତେ ପରମାତ୍ମାଙ୍କ  ସହ ଦର୍ଶନ କରାଇବେ | ମୋର ଯଦି ଏହା ଭୋଗିବା ଲେଖା ଅଛି ତାହେଲେ ଦୁଃଖ କହିକି ମା ', ଆପଣ ଏଠାରୁ ଚାଲିଯାନ୍ତୁ | ମୁଁ ବୁଝିପାରୁଛି ମା ର ମନକୁ | କିନ୍ତୁ ମୁଁ ନିରୁପାୟ | ଏହା ଯଦି ସେ ଲୀଲାମାୟ ଙ୍କ ଇଛା ତାହେଲେ ଆମେ ତାହା ମାନିବା ଉଚିତ ମା ' |

            ମୋ କଥାରେ ମା, ଚାଲିଗଲେ......... |

                       ମୁଁ ଦେବବ୍ରତ | ମୋ ଶରୀର ଆଜି ସରଶଯ୍ୟାରେ, ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ କ୍ଷେତ ନାହିଁ | ସମଗ୍ର ଶରୀର ସରରେ ଆଚ୍ଛାଦିତ | ଅନେକ କଷ୍ଟ ହେଉଛି | କିନ୍ତୁ ମୁକ୍ତି ନାହିଁ | ମୋ ଆଖି ସାମ୍ନାରେ ସବୁକିଛି ଧ୍ୱଂସ ହେବାରେ ଲାଗିଛି | ମୋର ଏ ଅବସ୍ଥା ପାଇଁ କଣ ମୁଁ ନିଜେ ଦାୟୀ ? | ପ୍ରତେକ ସମୟରେ ମୁଁ ମୋ ଦେଶକୁ ଚାହିଁଛି | ଗୋଟେ ଭଲ ପୁଅ, ଭଲ ଭାଇ, ହେବାକୁ ଚେଷ୍ଟା କରିଛି | ନିସ୍ଵ।ର୍ଥପର ଭାବରେ ମୁଁ ସବୁବେଳେ ବଂଚିଛି | ନା ମତେ ରାଜଗାଦି ର ଲୋଭ ଥିଲା, ନା ଲୋଭ ଥିଲା ସାଂସାରିକ ଜୀବନ ପ୍ରତି | ମୋ ଆଗରେ ମୋ କର୍ତ୍ତବ୍ୟ ସବୁଠାରୁ ବଡ ଥିଲା | ତାହେଲେ ଏହା କଣ ମୋ ପୂର୍ଵଜନ୍ମ ର ଫଳ...... ଆଖି ବନ୍ଦ କରି ଦେବବ୍ରତ ଦେଖି ପାରୁଥିଲେ ପୂର୍ବଜନ୍ମର ଘଟଣା କ୍ରମକୁ.......|

                 ମେରୁ ପର୍ବତ, ଅତ୍ୟନ୍ତ ମନୋରମ ଓ ସୁନ୍ଦର ଲାଗୁଥାଏ | ନିଜ ସହଧର୍ମିଣୀ ଙ୍କ ସହ ଆଠ 'ବସୁ' ଭାଇମାନେ ଭ୍ରମଣ କରୁଥାନ୍ତି ଏ ମେରୁ ପର୍ବତ ଉପରେ | ଅନେକ ବୁଲାବୁଲି କରିବା ସମୟରେ ପାଖରେ ଥିବ ଆଶ୍ରମ ଉପରେ ନଜର ପଡିଲା | ଉକ୍ତ ଆଶ୍ରମ ବଶିଷ୍ଟଋଷି ଙ୍କର ଥିଲା | ଜଣେ ବସୁ ପତ୍ନୀଙ୍କଦୃଷ୍ଟି ବଶିଷ୍ଠ ଋଷିଙ୍କ ଆଶ୍ରମରେ ବନ୍ଧା ହୋଇଥିବା ନନ୍ଦିନୀ ନାମକ ଏକ ଗାଈ ଉପରେ ପଡିଲା। ସେ ତତ୍କ୍ଷଣାତ ନିଜ ସ୍ୱାମୀ ଙ୍କୁ ସେ ଗାଈ କୁ ଦେଖାଇ କହିଲେ ମୋତେ ସେ ସୁନ୍ଦରୀ ଗାଈ କୁ ଦେଇ ପାରିଲେ ମୁଁ ଖୁସି ହେବି ସ୍ୱାମୀ | ସ୍ତ୍ରୀ ଙ୍କୁ ଖୁସି କରିବାକୁ ଯାଇ " ଧ୍ୱ " ନାମକ ବସୁ ନିଜ ଭାଇମାନଙ୍କ ସହ ମିଶି ନନ୍ଦିନୀ ଗାଈ କୁ ଚୋରାଇ ନେଇଗଲେ |  ଯେତବେଳେ ମହର୍ଷି ବଶିଷ୍ଠ ଆଶ୍ରମ ରେ ପହଁଚିଲେ ସେ ଦିବ୍ୟଦୃଷ୍ଟି ବଳରେ ସବୁକିଛି ଜାଣିପାରିଲେ | ସେ ବସୁ ମାନଙ୍କ ଏପରି କାର୍ଯ୍ୟ ଦେଖି ଅତ୍ୟନ୍ତ କ୍ରୋଧିତ ହୋଇଗଲେ | ବସୁ ମାନେ ମାନବଙ୍କ ଭଳି ଆଚରଣ କରିଥିବାରୁ ଋଷି ଅଭିଶାପ ଦେଇଦେଲେ, " ତୁମେ ଆଠ ବସୁ ମାନବ ହୋଇ ଜନ୍ମ ନିଅ "| ସମସ୍ତ ବସୁ ଋଷି ଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ |ମହର୍ଷି ବଶିଷ୍ଠ କହିଲେ " ତୁମେ ସବୁ ମାନବ ଜନ୍ମ ନେବ କିନ୍ତୁ ତୁମେମାନେ ଶୀଘ୍ର ମନୁଷ୍ୟ ଜନ୍ମରୁ ମୁକ୍ତି ପାଇଯିବ | କିନ୍ତୁ ଏ "ଧୋ" ନାମକ ବସୁ ନିଜର କର୍ମ ପାଇଁ ଅନେକ ଦିନ ପୃଥିବୀରେ ରହିବାକୁ ପଡିବ " | ......ଦେବବ୍ରତ ଙ୍କ ଆଖି ଖୋଲିଗଲା ତାହେଲେ ମୁଁ ସେଇ "ଧୋ " ବସୁ | ମୋର ପୂର୍ଵ ଜନ୍ମର ଫଳ ଏ ଜନ୍ମରେ ମିଳୁଛି |  ଆଖିରୁ ବୋହି ପଡିଲା ଦୁଈ ଧାର ଲୁହ |

                  ନିଜକୁ ବାରମ୍ବାର ବିଗତ ଦିନ ମାନଙ୍କରେ ଦେଖି ଚାଲିଥିଲେ ଦେବବ୍ରତ | ନିଜର ଜନ୍ମବୃତାନ୍ତ ଆଖି ସାମ୍ନାରେ ଭାସି ବୁଲୁଥିଲା...... |

      

ଦେବବ୍ରତ ଦେଖିପାରୁଥିଲେ ନିଜ ପିତା ରାଜା ଶାନ୍ତନୁ ଙ୍କୁ । ଶାନ୍ତନୁ ଶିକାର କରିବା ସମୟରେ ଗଙ୍ଗା ତଟରେ ପହଞ୍ଚିଗଲେ | ସେ ସେଠାରେ ଜଣେ ଅତି ସୁନ୍ଦରୀ ମହିଳାଙ୍କୁ ଦେଖିଲେ | ଶାନ୍ତନୁ ତାଙ୍କ ଚେହେରା ଦ୍ୱାରା ଆକର୍ଷିତ ହୋଇ ତାଙ୍କୁ ପତ୍ନୀ ରୂପରେ ପାଇବାକୁ ଚାହିଁଲେ , ତାଙ୍କ ପରିଚୟ ପଚାରିଲେ | ମହିଳା ଅନ୍ୟ କେହି ନଥିଲେ ସେ ମୋ ମା ' ଦେବୀଗଙ୍ଗା ଥିଲେ | ପିତା ଶାନ୍ତନୁ ଙ୍କ କଥାରେ ସହମତି ପ୍ରକାଶ କଲେ ମା ଗଙ୍ଗା , କିନ୍ତୁ ଏକ ସର୍ତ୍ତ ରଖିଲେ ଯେ ତୁମେ ମୋତେ କୌଣସି କାମ ପାଇଁ କେବେ ବି ଅଟକାଇବ ନାହିଁ, ନଚେତ୍ ମୁଁ ତୁମକୁ ସେହିଁ ମୁହୂର୍ତ୍ତରେ ଛାଡିଦେଇ ଚାଲିଯିବି | ପିତା ଶାନ୍ତନୁ କିଛି ନବୁଝି ଏହି ସର୍ତ୍ତ ଗ୍ରହଣ କରିନେଲେ, ଓ ମା ' ଦେବୀଗଙ୍ଗାଙ୍କୁ ବିବାହ କଲେ | ଏହିପରି ସେମାନଙ୍କର ଜୀବନ ଖୁସିରେ ଚାଲିବାକୁ ଲାଗିଲା | ସମୟ ଗଡିବା ସହିତ ପିତା ଶାନ୍ତନୁଙ୍କର ପ୍ରଥମ ପୁଅ ଜନ୍ମ ହେଲା, କିନ୍ତୁ ମା ଗଙ୍ଗା ସେ ପୁଅକୁ ନେଇ ଗଙ୍ଗା ନଦୀରେ ଭସାଇ ଦେଲେ , | ଏପରି ଭାବରେ ପିତା ଦେଖିଲେ ସାତ ପୁଅ ଜନ୍ମ ହେଲେ ଓ ସମସ୍ତ ପୁଅଙ୍କୁ ମା ନଦୀରେ ପକାଇ ଦେଉଥିଲେ | ପିତା ସବୁ ଦେଖି ଚୁପ ରହିଥିଲେ, କିଛି କରିପାରିଲେ ନାହିଁ | କାରଣ ସେ ଭୟ କରୁଥିଲେ ଯେ ମୁଁ ଯଦି ଏହାର କାରଣ ପଚାରିଲି, ତାହେଲେ ଗଙ୍ଗା ମୋତେ ଛାଡ଼ିଦେଇ ଚାଲିଯିବେ | ଅଷ୍ଟମ ପୁଅ ଥିଲି ମୁଁ, ଜନ୍ମ ହେବାପରେ ଯେତେବେଳେ ମା ମତେ ପାଣିରେ ଫୋପାଡ଼ିବାକୁ ନେଉଥିଲେ l ପିତା ନିଜକୁ ସମ୍ଭାଳିପାରି ନଥିଲେ , ନିଜର ଗୋଟେ ପରେ ଗୋଟେ ପୁଅ କୁ ଏପରି ଆଖି ଆଗରେ ମୃତୁ ବରଣହେବା ଦେଖିବା ତାଙ୍କ ପ୍ରତି ଅତି କଷ୍ଟ ଥିଲା , ମା ଗଙ୍ଗା ଦେବୀଙ୍କୁ ଅଟକାଇ ପଚାରିଲେ ପିତା ...." ସେ କାହିଁକି ଏପରି କରୁଛନ୍ତି?" |

ମାତା ଗଙ୍ଗା କହିଚାଲିଲେ......... "ମୁଁ ଯେଉଁ ପୁତ୍ର ମାନଙ୍କୁ ନଦୀରେ ଫୋପାଡ଼ି ଦେଲି ସେମାନେ ସାତ ବସୁ ଥିଲେ, ଯେଉଁମାନେ ମହର୍ଷି ଋଷି ବଶିଷ୍ଠ ଙ୍କ ଠାରୁ ଅଭିଶାପ ପାଇଁ ମୋ କୋଳରେ ମାନବ ରୂପରେ ଜନ୍ମ ହୋଇଥିଲେ, ସବୁ ବିଧି ର ଲେଖା ଥିଲା | ମୁଁ ସେମାନଙ୍କୁ ମାନବ ଜନ୍ମରୁ ମୁକ୍ତ କରିବାକୁ ନଦୀରେ ଭସାଇ ଦେଇଥିଲି । ତୁମେ ମୋତେ ବିଶ୍ୱାସ ନକରି ଅଟକାଇଲ | ମୁଁ କହିଥିଲି ଯାହାବି କରେ ମତେ କାରଣ ପଚାରିବନି | ତେଣୁ ମୁଁ ବର୍ତ୍ତମାନ ଯାଉଛି ଏହା କହି ମା ' ଗଙ୍ଗା ମତେ ନେଇ ଚାଲିଗଲେ  | ମୋ ପିତା ଏବେ ବହୁତ ଦୁଃଖ ଓ ଉଦାସ ରେ ସମୟ କାଟିଲେ | ଯେଉଁ ବ୍ୟକ୍ତି ଏକଦା ମହାନ ରାଜା ଶାନ୍ତନୁ ଥିଲେ, ସେ ଜଣେ ନିରାଶ ଓ ହତାଶ ବ୍ୟକ୍ତି ହୋଇଗଲେ | ସେ ନିରାଶାରେ ଏଣେତେଣେ ବୁଲାବୁଲି କରିବାକୁ ଲାଗିଲେ | 

              ଏହା ଭିତରେ ଅନେକ ସମୟ ବିତିବାରେ ଲାଗିଲା | ମୁଁ ମୋ ଗୁରୁ ପର୍ଶୁରାମଙ୍କ ଠାରୁ ତୀରନ୍ଦାଜ ଶିକ୍ଷା ଗ୍ରହଣ କଲି, ଗୁରୁ ବୃହସ୍ପତିଙ୍କଠାରୁ ବେଦ ବିଷୟରେ ଜ୍ଞାନ ଆହରଣ କଲି  | ମୁଁ ଏବେ ସବୁଠାରୁ ଦକ୍ଷ ଗୁରୁମାନଙ୍କଠାରୁ ସବୁକିଛି ଶିଖି ସାରିଥିଲି, ଏବଂ ବର୍ତ୍ତମାନ ରାଜା ହେବାକୁ ପ୍ରସ୍ତୁତ ହୋଇଗଲି | ଏହା ଭିତରେ ଷୋଳ ବର୍ଷ ଅତିକ୍ରାନ୍ତ ହୋଇସାରିଥାଏ | ମୋ ପିତା ମହାରାଜା ଶାନ୍ତନୁ ଦିନେ ଗଙ୍ଗା ନଦୀ କୂଳରେ ବୁଲୁଥିଲେ | ସେଠାରେ ସେ ଦେଖିଲେ ଯେ ଗଙ୍ଗାରେ ବହୁତ କମ୍ ଜଳ ବାକି ଅଛି ଏବଂ ତାହା ମଧ୍ୟ ପ୍ରବାହିତ ହେଉନାହିଁ | ଯେତେବେଳେ ଏହି ରହସ୍ୟ ଜାଣିବା ପାଇଁ ଆହୁରି ଆଗକୁ ବଢିଲେ , ସେ ମତେ ଦେଖିଲେ | ମୋ ପାଖକୁ ଆସି ପ୍ରଶ୍ନ କଲେ " କିଏ ତୁମେ ସୁନ୍ଦର ଏବଂ ଦିବ୍ୟ ଶ୍ୱରୀୟ ଯୁବକ ?, ତୁମର ଅସ୍ତ୍ରଶସ୍ତ୍ର ଅଭ୍ୟାସ ଅତ୍ୟନ୍ତ ଭିନ୍ନ | ନହେଲେ ତୁମ ତୀରର ପ୍ରଭାବରେ ବହୁଥିବା ଗଙ୍ଗା ସ୍ରୋତକୁ ଅଟକାଇ ଦେଇନଥାନ୍ତା " | ଏହି ଦୃଶ୍ୟ ଦେଖି ମୋ ପିତା ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ |

             ଠିକ୍ ସେତିକିବେଳେ ମୋ ମା' ଗଙ୍ଗା ଦେଖା ଦେଇ କହିଲେ ଯେ ଏହି ଯୁବକ ତୁମର ଅଷ୍ଟମ ପୁତ୍ର | ଏହାର ନାମ ଦେବବ୍ରତ | ସେ ଋଷି ବଶିଷ୍ଟାଙ୍କ ଠାରୁ ବେଦ ଏବଂ ପରାସୁରାମ ଙ୍କ ଠାରୁ ଧନୁର୍ବିଦ୍ୟା ଅଧ୍ୟୟନ କରିଛି , ସେ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଚଳାଇବାର କଳା ଶିଖିଛି  |  ଏହା ସର୍ବୋତ୍ତମ ଧନୁର୍ଦ୍ଧର ଏବଂ ଇନ୍ଦ୍ରଙ୍କ ପରି ଏ ତେଜୀୟାନ | ସବୁ ମା ମାନେ ନିଜ ପିଲାଙ୍କ ଗୁଣ ଏପରି ଭାବରେ ଗାନ କରନ୍ତି  | ସେଦିନ ମା ଖୁସିରେ ପିତା ଙ୍କ ଆଗରେ କହି ଚାଲିଥିଲେ |

                        ମୋର ପରିଚୟ ଦେଇ ପିତାଙ୍କ ହାତରେ ଟେକିଦେଇ ମା ଛାଡିକି ଚାଲିଗଲେ | ପିତା ଏତେ ଖୁସିଥିଲେ ମୋ ମୁଣ୍ଡରେ ମୁକୁଟ ପିନ୍ଧାଇ ମତେ ଯୁବରାଜ ଘୋଷଣା କରିଦେଲେ | ମତେ ଏତେ ଭଲପାଇବା ଦେଲେ ଲାଗୁଥିଲା ବିଗତ ଷୋଳବର୍ଷ ର ସ୍ନେହ ଯେପରି ମୁଁ ପାଉଛି | ମୁଁ ସିଂହାସନ ରେ ବସି ରାଜ୍ୟ ଶାସନ ସୁଚାରୁରୂପେ ତୁଲାଇବାରେ ଲାଗିଲି | ପିତା ଏ ସବୁ ଦେଖି ରାଜ୍ୟର ଭାର ମୋ କାନ୍ଧରେ ଦେଇ ପୁଣି ଶିକାର କରିବାକୁ ବାହାରିଗଲେ |

                    ଦିନେ ପିତା ଶାନ୍ତନୁ ଯମୁନା ନଦୀ କୂଳରେ ବୁଲୁଥିଲେ। ସେ ସେଠାରେ ଏକ ସୁନ୍ଦର ଯୁବତୀଙ୍କୁ ଦେଖିଲେ | ଯେତେବେଳେ ତାଙ୍କୁ ପରିଚୟ ମାଗିଲେ, ସେ ନିଜକୁ ନିଶାଦଙ୍କ କନ୍ୟା 'ସତ୍ୟବତୀ' ବୋଲି କହିଲେ | ତାଙ୍କ ଚେହେରାରେ ଆକର୍ଷିତ ହୋଇ ପିତା ଶାନ୍ତନୁ ତାଙ୍କୁ ବିବାହ କରିବା ପାଇଁ ମନସ୍ତ କରି, ସତ୍ୟବତୀଙ୍କ ପିତା ନିଶାଦରାଜଙ୍କୁ ବିବାହ ପ୍ରସ୍ତାବ ଦେଲେ | କିନ୍ତୁ ସତ୍ୟବତୀଙ୍କ ବାପା ଏକ ସର୍ତ୍ତ ରଖିଲେ | କହିଲେ ଯଦି ମୋ ଝିଅର ଜନ୍ମିତ ସନ୍ତାନ ତୁମ ରାଜ୍ୟର ଉତ୍ତରାଧିକାରୀ ହେବ , ତେବେ ମୁଁ ତୁମ ସହିତ ମୋ ଝିଅର ବିବାହ କରିବାକୁ ପ୍ରସ୍ତୁତ |

                                  ଏହା ଶୁଣି ପିତା ଶାନ୍ତନୁ ନିଶାଦରାଜଙ୍କୁ ମନା କରିଦେଲେ, କାରଣ ସେ ମୋତେ ଅତ୍ୟଧିକ ଭଲ ପାଉଥିଲେ ଓ ମତେ ରାଜା ଭାବରେ ଘୋଷଣା ବି କରିସାରିଥିଲେ | ପିତା ସେଦିନ ଚୁପଚାପ ସେଠାରୁ ଚାଲିଆସିଥିଲେ |

             ଏହି ଘଟଣା ପରେ ପିତା ଚୁପଚାପ୍ ଜୀବନଯାପନ ଆରମ୍ଭ କଲେ | ଖାଇବା ପିଇବା ବି ଛାଡିଦେଲେ | ଯେତେବେଳେ ମୁଁ ପିତାଙ୍କର ଏପରି ଅବସ୍ଥା ଦେଖିକି ଏହାର କାରଣ ଜାଣିବାକୁ ଚାହିଁଲି | କିନ୍ତୁ ଯେତେ ପଚାରିଥିଲି ପିତା ତଳକୁ ମୁହଁ କରି ଠିଆ ହୋଇଥିଲେ, କିଛିବି କହିଲେ ନାହିଁ | ତା’ପରେ ମୁଁ ପିତାଙ୍କ ମନ୍ତ୍ରୀଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ପାଇଲି | ମୋ ପିତାଙ୍କୁ ଏପରି ଦୁଃଖୀ ଅବସ୍ଥାରେ ଦେଖି ପାରିଲିନି , ଏବଂ ନିଜେ ନିଶାଦରାଜଙ୍କ ନିକଟକୁ ଯାଇ ପିତା ଶାନ୍ତନୁଙ୍କ ପାଇଁ ତାଙ୍କ ଝିଅର ହାତ ମାଗିଥିଲି | ନିଶାଦରାଜ ସମାନ ସର୍ତ ମୋ ସମ୍ମୁଖରେ ରଖିଲେ । ମୁଁ ଟିକେବି ବିଚଳିତ ନଥିଲି, ନାମୋର ରାଜ୍ୟ ଲୋଭଥିଲା ନା ରାଜଗାଦିର| ମୁଁ ସେଦିନ ପ୍ରତିଜ୍ଞା କରିଥିଲି ଯେ ମାତା ସତ୍ୟବତୀଙ୍କ ସନ୍ତାନ ରାଜ୍ୟର ଉତ୍ତରାଧିକାରୀ ହେବେ।  

                ନିଶାଦରାଜ ସେଦିନ ମୋ କଥାରେ ହସିଥିଲେ, ଓ କହିଥିଲେ....... " 'ତୁମେ ବର୍ତ୍ତମାନ ଜଣେ ଯୁବକ, ଏବଂ ଏପରି କଥା କହିବା ସହଜ | କିନ୍ତୁ ପରେ ଯେତେବେଳେ ତୁମର ନିଜର ସନ୍ତାନ ହେବେ , ତୁମେ ସିନା ସିଂହାସନ ରେ ବସିବାକୁ ମନା କଲ କିନ୍ତୁ ତୁମ ପୁତ୍ର ତ ମନା କରିବେନି ସେ ଯଦି ସିଂହାସନ ପାଇଁ ଲଢ଼ନ୍ତି "?? ।

ମୁଁ କହିଥିଲି.....  ," ମୁଁ ପ୍ରତିଜ୍ଞା କରୁଛି କଦାପି ବିବାହ କରିବି ନାହିଁ ଏବଂ ମୁଁ ସନ୍ତାନ ଜନ୍ମ କରିବି ନାହିଁ, ଯାହା ଫଳରେ କେବଳ ମାତା ସତ୍ୟବତୀଙ୍କ ସନ୍ତାନମାନେ ରାଜା ହେବାର ସୁଯୋଗ ପାଇବେ " । ଏହି ପ୍ରତିଜ୍ଞା ପାଇଁ ସମସ୍ତେ ମତେ ଧନ୍ୟ ଧନ୍ୟ କରିଥିଲେ | କିନ୍ତୁ କାହିଁକି ??? ମୁଁ କେବଳ ଗୋଟେ ପିତାଙ୍କ ପ୍ରତି ଗୋଟେ ପୁତ୍ରର କର୍ତ୍ତବ୍ୟ ଯାହା କରିଥିଲି | ସାଧାରଣ ଜନତାଙ୍କ ପାଇଁ ଏହା ଭୀଷଣ ପ୍ରତିଜ୍ଞା ଥିଲା | ସେଦିନ ପିତା ଅତ୍ୟନ୍ତ ଖୁସି ହୋଇ ମତେ କହିଲେ...... ହେ ପୁତ୍ର, ତୁ ପିତୃଭକ୍ତି ରେ ଏତେ କଠିନ ପ୍ରତିଜ୍ଞା କିପରି ନେଲୁ | ଯାହା ଆଜି ଯାଏ କିଏ କରିଥିଲେ ନା ଭବିଷ୍ୟତରେ ଏପରି କିଏ କରିବେ | ତୋର ଏ ପିତୃଭକ୍ତିରେ ମୁଁ ବହୁତ ଖୁସି ହୋଇ ଏତେ ବରଦାନ କରୁଛି, ଯେ ତୁ କେବଳ ତୋ ଇଚ୍ଛାରେ ହିଁ ମୃତୁ ଲଭିବୁ | ତୋର ଏ ଶପଥ ହେତୁ ତତେ ସମସ୍ତେ 'ଭୀଷ୍ମ' କହିବେ ଏବଂ ତୋର ପ୍ରତିଜ୍ଞା ସର୍ବଦା ଭୀଷ୍ମ ପ୍ରତିଜ୍ଞା ନାମରେ ଜଣାଶୁଣା ହେବ | "

ଏହା ପରଠାରୁ ମତେ ସମସ୍ତେ ଭୀଷ୍ମ ବୋଲି ଡାକିବା ଆରମ୍ଭ କଲେ |

     ....... ଆଜି ସେହିଁ ବରଦାନ ପାଇଁ ମୁଁ ସରଶଯ୍ୟା ରେ ଶୋଇକିବି ଜୀବିତ !!! |

ମାତା ସତ୍ୟବତୀଙ୍କ କୋଳରେ ମୋ ଦୁଇଟି ଭାଇ ଜନ୍ମ ନେଲେ | ଚିତ୍ରଙ୍ଗଦ ଓ ଅନ୍ୟ ଜଣେ ବିଚିତ୍ରବୀର୍ଯ୍ୟ ବୋଲି ନାମ ରଖାଗଲା | କିଛି ଦିନ ପାରେ ପିତା ଆମ୍ଭମାନଙ୍କୁ ଛାଡି ଚାଲିଗଲେ | ମୋ କାଂଧରେ ସବୁ ଦାୟିତ୍ୱ | ମୁଁ ମୋ ଦୁଇ ଭାଇଙ୍କୁ ଅନେକ ସ୍ନେହ ଶ୍ରଦ୍ଧାରେ ବଢ଼ାଉଥିଲି | ସମୟର ଗତି ସହିତ ସେମାନେ ବି ବଡ ହେବାରେ ଲାଗିଲେ | ଚିତ୍ରଙ୍ଗଦ ଯେତବେଳେ ଟିକେ ବଡ ହେଲେ ରାଜ୍ୟର ରାଜା ଭାବରେ ଘୋଷଣା କରିଦେଲି | କେତେଦିନ ଆଉ ସିଂହାସନ ଖାଲି ପଡିଥାନ୍ତା | ଚିତ୍ରାଙ୍ଗଦ ଜଣେ ଅହଂକାରୀ ଯୁବକ ଭାବରେ ନିଜକୁ ଗଢିତୋଳିଥିଲା । ଦିନେ ସେ ଜଙ୍ଗଲକୁ ଭ୍ରମଣ କରିବାକୁ ଯାଇଥିଲା | ସେଠାରେ ଜଣେ ଗନ୍ଧର୍ବ ଙ୍କ ସହ ତାର ଭେଟ ହେଲା, ଗନ୍ଧର୍ବ ଙ୍କ ପାଖରେ ଅସାଧାରଣ ଦକ୍ଷତାମାନ ଥିଲା | ସଂଯୋଗକ୍ରମେ ସେ ଗନ୍ଧର୍ବ ଙ୍କ ନାଆଁ ମଧ୍ୟ ଚିତ୍ରାଙ୍ଗଦ ଥିଲା । ଗନ୍ଧର୍ବ ମୋ ଭାଇକୁ ନାମ କ'ଣ ବୋଲି ପଚାରିଲେ ? | ସେ ଗର୍ବର ସହିତ କହିଲା, ମୋର ନାମ ଚିତ୍ରାଙ୍ଗଦ । ଗନ୍ଧର୍ବ ହସିବାକୁ ଲାଗିଲେ ଓ କହିଲେ ........ "ଏହା ମୋର ନାମ | ତୁମର ସାହସ କିପରିହେଲା କହିବାକୁ ଯେ ଏହି ନାମ ତୁମର | ତୁମର ଏପରି ନାଆଁ ରଖିବାର କୌଣସି ଯୋଗ୍ୟତା ନାହିଁ | ନିଜ ନାମକୁ ବଦଳାଇ ଆଉ କଣ ରଖିଦିଅ | ରାଜକୁମାର ଚିତ୍ରାଙ୍ଗଦ କ୍ରୋଧିତ ହୋଇଗଲା , କହିଲା...................  

“ ତୁମେ ଏପରି କହିବାକୁ କିପରି ସାହସ କଲ ? ଲାଗୁଛି ତୁମେ ବହୁତ ଦିନ ବଞ୍ଚି ସାରିଲଣି , ମୋ ବାପା ମୋତେ ଚିତ୍ରାଙ୍ଗଦ ନାମ ଦେଇଛନ୍ତି, ଏହା ମୋର ନାମ | ଆସନ୍ତୁ ଯୁଦ୍ଧ କରି ଏହାକୁ ସମାଧାନ କରିବା, ଯିଏ ଯୁଦ୍ଧ ରେ ବିଜୟ ହେବ ନାମ ତାହାର ହେବ । ”  ଦୁହେଁ ଯୁଦ୍ଧ କଲେ ଏବଂ ରାଜକୁମାର ଚିତ୍ରାଙ୍ଗଦ କ୍ଷଣକ ଭିତରେ ପ୍ରାଣନାଶ ଦେଲା |

                         ଏବେ ମୋ ପାଖରେ ଖାଲି ଜୀବିତ ଥିଲା ବିଚିତ୍ରଵୀର୍ଯ୍ୟ | ମୋର ଏହା ଦୁର୍ଭାଗ୍ୟ ଥିଲା ବୋଧେ,  ସେ ସବୁବେଳେ ନିଶାରେ ବୁଡି ରହୁଥିଲା | ତାର ରାଜ କାର୍ଯ୍ୟରେ ଟିକେବି ମନ ନଥିଲା | ସେ ବିବାହ କରିବାକୁ ଚାହୁଁନଥିଲା । ବିବାହ ନକରିବାକୁ ଶପଥ ମଧ୍ୟ କରିଥିଲା । କୁରୁ ରାଜବଂଶ କୁ ଆଗକୁ ନେବାକୁ ବିଚିତ୍ରବୀର୍ଯ୍ୟ କେବଳ ଜଣେ ବ୍ୟକ୍ତି ଥିଲା ମୋ ପାଖରେ | ସେ ବିବାହ ନକଲେ କୁରୁବଂଶ ବୁଡିଯିବ| ମୁଁ ସାରା ଜୀବନ ରାଜା ନ ହୋଇ ରାଜ୍ୟର ପ୍ରତିନିଧୀ ରହିଲି,  ଏବଂ ସମସ୍ତଙ୍କର, ସବୁକିଛିର ଯତ୍ନ ନେଇଚାଲିଲି । କିନ୍ତୁ କୁରୁବଂଶ କୁ ଆଗକୁ ନେବାରେ ମୁଁ ଅସମର୍ଥ ଥିଲି | ବିଚିତ୍ରବୀର୍ଯ୍ୟର ଏପରି ଆଚରଣ ଦେଖି କେହି କନ୍ୟାଦାନ କରିବାକୁ କୌଣସି ରାଜାଙ୍କର ଇଛା ନଥିଲା | 

                       କାଶୀ ର ରାଜା ନିଜର ତିନି କନ୍ୟା ମାନଙ୍କର ସ୍ୱୟଂବର ଆୟୋଜନ କରୁଥିଲେ | କୁରୁବଂଶ ସବୁଠାରୁ ବଡ ଓ ସବୁଠାରୁ ଗୌରବ ର ବଂଶ ଭାବରେ ସମସ୍ତେ ଜାଣିଥିଲେ | ମୋ ଭାଇ ଵିଚିତ୍ରବୀର୍ଯ୍ୟ କୁ ସ୍ୱୟଂବର ପାଇଁ ନିମଂତ୍ରଣ କାଶୀ ରାଜା ଦେଲେନାହିଁ | ଏହା ମୋ ବଂଶ ପାଇଁ ଅତ୍ୟନ୍ତ ଲଜ୍ୟାର ବିଷୟ ଥିଲା |

ସେଦିନ ମାତା ସତ୍ୟବତୀ ମତେ ପାଖକୁ ଡାକି କହିଲେ...... " ପୁତ୍ର, ମୋର ଗୋଟେ କଥା ମାନିବୁ, କାଶୀ ରାଜଙ୍କ ତିନି ପୁତ୍ରୀଙ୍କୁ ବନ୍ଦୀ କରି ନେଇଆସି ପାରିବୁ "? |

ମୁଁ ପ୍ରଶ୍ନ କଲି..... " କାହିଁକି ମାତା, ମୁଁ ଏପରି କରିବା କଣ ଠିକୀ ହେବ, ଏହା ଅନ୍ୟାୟ " | 

ମାତା ସତ୍ୟବତୀ...... " ମୁଁ ଠିକ୍ କି ଭୁଲୁ କିଛି ଜାଣିବାକୁ ଚାହୁଁନି, ଏହାକୁ ମୋର ଆଦେଶ ଭାବିପାର | ସେ କନ୍ୟା ମାନକୁ ବନ୍ଦୀ କରି ବିଚିତ୍ରବୀର୍ଯ୍ୟ ସହ ବିବାହ କରାଇଦିଅ " |

ମା ' ଙ୍କ ସହ ଯୁକ୍ତି କରିବାଟା କଣ ଠିକ୍ ହୋଇଥାନ୍ତା, ନା ତାଙ୍କ କଥା କୁ ଅବଜ୍ଞା କରିବାଟା ଠିକୀ ହୋଇଥାନ୍ତା | ମୁଁ ମାତା ଙ୍କ ପାଦଛୁଇଁ ଆଗକୁ ବଢ଼ିଲି |

          କାଶୀ ରାଜାଙ୍କ ତିନି ଝିଅ ଯଥା "ଅମ୍ବା" ," ଅମ୍ବିକା" ଏବଂ "ଅମ୍ବାଲିକା", ତାଙ୍କ ବୟସ ଅଠର, ସତର ଓ ପନ୍ଦର ଥିଲା | ଅମ୍ବା ପୂର୍ବରୁ ଶାଲବା ରାଜ୍ୟର ରାଜା ସାଲବାଙ୍କୁ ଭଲ ପାଉଥିଲେ | ସ୍ୱୟଂବର ରେ ଅମ୍ବା ସାଲବାଙ୍କୁ ବାରଣମାଳା ଦେବାକୁ ମନସ୍ତ କରିସାରିଥିଲେ | ସେ ଜ୍ୟେଷ୍ଠ ରାଜକୁମାରୀ ଥିଲେ ତେଣୁ ତାଙ୍କୁ ଚୟନ କରିବାର ପ୍ରଥମ ସୁଯୋଗ ମିଳିଲା | ତେଣୁ ସେ କାଳ ବିଳମ୍ବ ନକରି ସାଲବାଙ୍କ ବେକରେ ବରଣମାଳା ପକାଇ ଦେଲେ | ଏହି ସମୟରେ ମୁଁ ସ୍ୱୟଂବର ରେ ପହଂଚି ସାରିଥିଲି | କିନ୍ତୁ କନ୍ୟା ମାନକୁ ହରଣ କରିବା କେତେଦୂର ନ୍ୟାୟସଂଗତ ଥିଲା,  ମୁଁ ଏହା ଭାବୁଥାଏ | ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୋଦ୍ଧାମାନେ ମତେ ଭୟ କରୁଥିଲେ | ସେମାନେ ମୋ ଯୁଦ୍ଧବିଦ୍ୟା ସହିତ ଅଜ୍ଞ ନଥିଲେ, ଏଥି ସହିତ ସେମାନେ ଏହା ମଧ୍ୟ ଜାଣିଥିଲେ ଯେ ମୁଁ ନିଜକୁ ପ୍ରସବ ପାଇଁ ଅଯୋଗ୍ୟ କରିଦେଇଛି ଏବଂ କେବେବି ବିବାହ କରିବି ନାହିଁ ବୋଲି ଶପଥ କରିଛି | ତେଣୁ ସେମାନେ ମତେ ପରିହାସ କରିବାରେ ଲାଗିଲେ, କହିଲେ...............

 “ବର୍ତ୍ତମାନ ଏହି ବୃଦ୍ଧ ଏଠାରେ କ’ଣ କରିବାକୁ ଆସିଛନ୍ତି ? ଏହା ବର ଖୋଜିବା ଯାଗା ? କିନ୍ତୁ ଏବେ କୁରୁବଂଶ ରେ କୌଣସି ଯୋଦ୍ଧା ନାହାଁନ୍ତି ଯିଏ କି ବିବାହ କରିପାରିବେ? ତୁମେ ତାହେଲେ କାହିଁକି ଏଠାକୁ ଆସିଛ ? | "

  

           ମତେ ଏପରି ଭାବରେ ପରିହାସ କରିବାରେ ଲାଗିଲେ, ମୋ ଅପମାନକୁ ମୁଁ ସାହିଯାଇ ଥିଲି କିନ୍ତୁ ମୋ ବଂଶର ଅପମାନ ମତେ କ୍ରୋଧିତ କଲା | ସେ ତିନିଜଣ ମହିଳାଙ୍କୁ ଅପହରଣ କରିବାକୁ ନିଷ୍ପତ୍ତି ନେଲି | ବାକି ଯୋଦ୍ଧା ମାନଙ୍କ ସହ ମୋର ଯୁଦ୍ଧ ଆରମ୍ଭ ହେଲା, କିନ୍ତୁ ମୁଁ ସେମାନଙ୍କୁ ସହଜରେ ପରାସ୍ତ କରିଦେଲି | ସାଲବା ତାଙ୍କ ପ୍ରେମ ପାଇଁ ମୋ ସହ ଲଢ଼ି ଚାଲିଥିଲେ | ମୁଁ ଏହି ପ୍ରେମ ବିଷୟରେ ସମ୍ପୂର୍ଣ ଅଜ୍ଞ ଥିଲି | ସେ ମଧ୍ୟ ପରାସ୍ତ ହେଲେ ମୋ ଠାରୁ | ଅପମାନିତ ହୋଇ ସଭା ଛାଡି ଚାଲିଗଲେ । ଏହା ପରେ ମୁଁ ଜବରଦସ୍ତ ତିନିଜଣ ଯୁବତୀଙ୍କୁ ନେଇ ଚାଲି ଆସିଥିଲି କୁରୁ ରାଜ୍ୟର ରାଜଧାନୀ ହସ୍ତୀନାପୁର |

               ଅମ୍ବା କାନ୍ଦିବାକୁ ଲାଗିଲେ ଓ କହିଲେ....... "ତୁମେ ଏ କ’ଣ କରିଛ ? ମୁଁ ସାଲଭବେଙ୍କୁ ଭଲ ପାଉଥିଲି | ତାଙ୍କ ବେକରେ ବାରଣମାଳା ଦେଇଛି | ସେ ମୋର ସ୍ୱାମୀ ହୋଇଛନ୍ତି। ତୁମେ ମୋତେ ଜବରଦସ୍ତ ନେଇ ପାରିବ ନାହିଁ " |

ମୁଁ କହିଥିଲି...... “ ତୁମକୁ ଅପହରଣ କରିଛି, ତୁମେ ମୋ କବ୍ଜାରେ | ମୁଁ  ଯାହା କୁ ଜିତି ସରିଥାଏ ତା ଉପରେ କୁରୁ ରାଜବଂଶର ହକ ହୁଏ | ତେଣୁ ତୁମ ଉପରେ ଏବେ କୁରୁବଂଶ ର ସମ୍ପୂର୍ଣ ଅଧିକାର |

ଅମ୍ବା ପଚାରିଲେ........"ତୁମେ ମୋତେ ବିବାହ କରିବା ପାଇଁ ଅପହରଣ କରିଛ କି?"|

 ମୁଁ କହିଲି...... "ମୁଁ ନୁହେଁ, ତୁମେ ମୋ ଭାଇ ବିଚିତ୍ରବୀର୍ଯ୍ୟ ଙ୍କୁ ବିବାହ କରିବ " | 

              ସେଦିନ ବିଚିତ୍ରବୀର୍ଯ୍ୟ ଅମ୍ବିକା ଓ ଅମ୍ବାଳିକା ଙ୍କୁ ବିବାହ କଲା | କିନ୍ତୁ ଅମ୍ବା ଙ୍କୁ ବିବାହ କରିବାକୁ ମନା କରିଦେଲା,କହିଥିଲା ଅମ୍ବା ଅନ୍ୟ କାହାକୁ ବାରଣମାଳା ଦେଇଛନ୍ତି , ତାଙ୍କ ମନରେ ଆଉ କାହା ପାଇଁ ଯାଗା ଅଛି, ମୁଁ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିପାରିବିନି |

                     ସେଦିନ ଅମ୍ବା ମତେ ପଚାରିଥିଲେ " ମୁଁ ଏବେ କଣ କରିବି ?"|

ମୁଁ କହିଥିଲି....... "ମୋତେ କ୍ଷମା କର ଦେବୀ | ତୁମେ ସାଲବେଙ୍କ ପାଖକୁ ଫେରିଯାଅ " | 

                      ଅମ୍ବା ଖୁସିରେ ଫେରିଗଲେ ସାଲବେଙ୍କ ପାଖକୁ | କିନ୍ତୁ ଫେରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସାଲବେ କହିଥିଲେ ..... " ମୁଁ କାହାଠାରୁ ଦାନ ନେବି ନାହିଁ। ମୁଁ ସେହି ଯୁଦ୍ଧରେ ହାରିଗଲି | ସେହି ବୃଦ୍ଧ ଭୀଷ୍ମ ମୋତେ ପରାସ୍ତ କଲା | ବର୍ତ୍ତମାନ ସେ ମୋତେ ବର ଭାବରେ ଦାନ କରିବାକୁ ଚେଷ୍ଟା କରୁଛି | ମୁଁ ତୁମକୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରି ପାରିବିନାହିଁ | ଫେରିଯାଅ ଏବଂ ବିଚିତ୍ରୀଙ୍କୁ ବିବାହ କର | ନହେଲେ ସେ ଭୀଷ୍ମଙ୍କୁ ବିବାହ କର ମୋର ଆପତ୍ତି ନାହିଁ | ମୁଁ ଆଉ ତୁମକୁ ଗ୍ରହଣ କରିପାରିବି ନାହିଁ କାରଣ ମୁଁ କାହାଠାରୁ ଦାନ ନେଇ ସାରା ଜୀବନ ନିଜ ନଜରରେ ଛୋଟ ହୋଇ ପାରିବି ନାହିଁ " | 

             ସବୁଠାରୁ ପ୍ରତ୍ୟାଖ୍ୟାନ ହେବା ପରେ ଅମ୍ବା ହାସ୍ତିନାପୁରକୁ ଫେରିଆସିଲେ | ମତେ ପ୍ରାର୍ଥନା କରି କହିଲେ..... “ତୁମେ ମୋର ଜୀବନ ନଷ୍ଟ କରିଛ | ତୁମ ହେତୁ ମୁଁ ଭଲ ପାଉଥିବା ବ୍ୟକ୍ତିଙ୍କୁ ହରାଇଲି | ତୁମେ ଜବରଦସ୍ତ ମୋତେ ଏଠାକୁ ଆଣିଛ | ଯାହାକୁ ମୁଁ ଏଠାରେ ବିବାହ କରିବା କଥା ସେ ମୋତେ ବିବାହ କରିବାକୁ ଚାହୁଁନାହାଁନ୍ତି | ଏସବୁ କଣ ହେଉଛି ? ବର୍ତ୍ତମାନ ତୁମେ ମୋତେ ବିବାହ କରିବାକୁ ପଡିବ |

ମୁଁ ସେଦିନ ଅମ୍ବା ଙ୍କ ପାଇଁ ବହୁତ ଦୁଃଖିତ ଥିଲି, କିନ୍ତୁ ମୋ ହାତରେ କିଛି ନଥିଲା | ଜୀବନରେ ପ୍ରଥମଥର ମୁଁ ବିବଶ ଥିଲି | ମୁଁ ବୁଝାଇଥିଲି ଯେ ମୁଁ ଆଜୀବନ ବିବାହ ନ କରିବାକୁ ପ୍ରତିଜ୍ଞା ନେଇଛି | ମୁଁ ମୋ ରାଜ୍ୟ ପ୍ରତି ନିଷ୍ଠାବାନ ଓ ବିଶ୍ୱସ୍ତ ଅଟେ | ମୁଁ ନିରୁପାୟ ମତେ କ୍ଷମା କର " |

                 ମୁଁ ବା କଣ କରିପାରିଥାନ୍ତି ସେଦିନ | ମୁଁ ତ କେବଳ ଗୋଟେ ପୁତ୍ର ଗୋଟେ ଭାଇ ର କର୍ତ୍ତବ୍ୟ ପାଳନ କରିଥିଲି | କିନ୍ତୁ ଏହା ମୋ ପାଇଁ ବିନାଶ ର ବାଟ ଥିଲା ବୋଲି ଜାଣିନଥିଲି | ମୁଁ ତୁମକୁ ଆଜିବି କ୍ଷମା ମାଗୁଛି ଅମ୍ବା ମତେ କ୍ଷମା କର |

        ଅମ୍ବାଙ୍କ ନିରାଶା ହତାଶାରେ ପରିଣତ ହେଲା, ହତାଶ କ୍ରୋଧରେ ପରିଣତ ହେଲା, କ୍ରୋଧ ପ୍ରବଳ କ୍ରୋଧରେ ଏବଂ ତା’ପରେ ତୀବ୍ର କ୍ରୋଧ ପ୍ରତିଶୋଧର ଶୋଷରେ ପରିଣତ ହେଲା | ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ କହିବୁଲିଲେ " ଏହି ଭୀଷ୍ମ ମୋ ଜୀବନକୁ ନଷ୍ଟ କରିଦେଲା | ଜଣେ କିଏ ଯୋଦ୍ଧା ଅଛନ୍ତି ଯିଏ ତାଙ୍କୁ ହତ୍ୟା କରି ମତେ ନ୍ୟାୟ ଦେଇ ପାରିବ ? " |    

          ମତେ ମହାନ ଯୋଦ୍ଧା ଭାବରେ ସମସ୍ତେ ଜାଣିଥିଲେ | ତେଣୁ କେହି ମୋ ବିରୁଦ୍ଧରେ ସ୍ୱର ଉଠାଇନଥିଲେ | କେହି ମୋ ସହ ଲଢ଼ିବାକୁ ସାହସ କରୁନଥିଲେ, କାରଣ ମୋ ପାଖରେ ଇଛା ମୃତ୍ୟୁ ର ବରଦାନ ଥିଲା | ତେଣୁ କେହି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନଥିଲେ।

                               ଅମ୍ବା ହିମାଳୟ ଯାଇ ଘୋର ତପସ୍ୟା କରିବାରେ ଲାଗିଲେ | ଅମ୍ବା ଭାବିଥିଲେ ମହାଦେବ ଙ୍କ ପୁତ୍ର କାର୍ତ୍ତିକେୟ ଯିଏ କି ଜଣେ ମହାନ ଯୋଦ୍ଧା ଥିଲେ ସେହିଁ ମତେ ହତ୍ୟା କରିପାରିବେ | ତୁଷାରପାତ ହେଉଥାଏ, ବରଫ ଚଟାଣ ଉପରେ ବସି ସେ ଗଭୀର ଧ୍ୟାନ କରୁଥାନ୍ତି | ଏବଂ ଅମ୍ବା ଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ କାର୍ତ୍ତିକେୟ ଦର୍ଶନ ଦେଲେ, ଯେତେବେଳେ ଅମ୍ବା ତାଙ୍କୁ ମତେ ହତ୍ୟା କରିବାକୁ ଅନୁରୋଧ କଲେ, ସେତେବେଳେ ସେ ଉତ୍ତର ଦେଲେ.... ସେ ହିଂସା ଛାଡି ଦେଇଛନ୍ତି | ଓ ମତେ ହତ୍ୟା କରିପାରିବେନି | କିନ୍ତୁ ତୁମର ତପସ୍ୟାରେ ମୁଁ ସନ୍ତୁଷ୍ଟ ତେଣୁ ମୁଁ ତୁମକୁ ବରଦାନ ଦେଉଛି..... ଏହା କହି ସେ ଅମ୍ବା କୁ ଗୋଟେ ପଦ୍ମ ଫୁଲର ମାଳ ଦେଲେ ଓ କହିଲେ ଏହାକୁ ବିନ୍ଧିଥିବା ଲୋକ ଭୀଷ୍ମ କୁ ମାରିପାରିବ | ଓ ସେ ଫୁଲର ମାଳ କେବେବି ମଉଳିବନି |

                 ମୁଁ ଜାଣି ସାରିଥିଲି ଜଣେ ନାରୀର ଦୃଦୟ ଭାଙ୍ଗିଲେ ସେ କଣ କରିପାରେ | ନିଜ ଭଙ୍ଗା ହୃଦୟ ସହିତ ମତେ ମରିବାର ଆଶା ନେଇଁ ହାତରେ ସେ ଫୁଲମାଳ ଧରି ଅମ୍ବା ସହର ରୁ ସହର, ଗାଁ ରୁ ଗାଁ ଜଣେ ଏମିତି ଲୋକଙ୍କୁ ଖୋଜୁଥିଲେ ଯିଏ ସେ ମାଳପିନ୍ଧି ମତେ ମାରିପାରିବ | କିନ୍ତୁ କୌଣସି ବ୍ୟକ୍ତି ସେ ଫୁଲମାଳାକୁ ଛୁଇଁବାକୁ ବି ପ୍ରସ୍ତୁତ ନଥିଲେ | ତା’ପରେ ସେ ମୋ ଗୁରୁ ପର୍ଶୁରାମଙ୍କ ସନ୍ଧାନରେ ଯାଇଥିଲେ, ଯେତେବେଳେ ସେ ମୋ ଗୁରୁ ପର୍ଶୁରାମଙ୍କ ଆଗରେ ନତମସ୍ତକ ହୋଇ ମୋ ଶପଥ ବିଷୟରେ କହିଲେ, ସେତେବେଳେ ଗୁରୁ ପର୍ଶୁରାମ ଅମ୍ବା କୁ କହିଥିଲେ, "ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସବୁକିଛି ଠିକ୍ କରିଦେବି "|

                          ମୋ ପୂଜ୍ୟଗୁରୁ ମତେ ଡକାଇ ପଠାଇଲେ | ମୁଁ ଅବିଳମ୍ବେ ଯାଇ ମୋ ଗୁରୁଙ୍କ ପାଖରେ ପହଂଚି ତାଙ୍କୁ ଦଣ୍ଡବତ କରିଲି |

ଗୁରୁ କହିଲେ........ " ତୋର ପ୍ରତିଜ୍ଞା ବହୁତ ହୋଇଗଲା, ସେସବୁ ଛାଡେ | ଏ କନ୍ୟା କୁ ବିବାହ କର |

ମୁଁ ହାତ ଯୋଡି ମୋ ଗୁରୁ ଙ୍କୁ ପ୍ରଥମ ଥର କହିଲି.......... "ଆପଣ ମୋର ଗୁରୁ, ଯଦି ଆପଣ ମୋତେ ନିଜ ମୁଣ୍ଡ କାଟିବାକୁ ଆଦେଶ ଦିଅନ୍ତି ତାହେଲେ ମୁଁ ମୋ ମୁଣ୍ଡ କାଟି ଆପଣଙ୍କୁ ଦେଇଦେବି | କିନ୍ତୁ ମୋର ପ୍ରତିଜ୍ଞା ଭାଙ୍ଗିବାକୁ ମୋତେ କୁହନ୍ତୁ ନାହିଁ |

                       ପ୍ରତିଜ୍ଞା କରିବା କଣ ମୋର ଭୂଲୁ ଥିଲା | କିପରି ଭାଙ୍ଗି ପାରିଥାନ୍ତି ମୋ ଶପଥ କୁ | ଏବେ ସଭ୍ୟତାର ଧୀରେ ଧୀରେ ବିକାଶ ହେବାରେ ଲାଗିଛି | କୌଣସି ଲିଖିତ ନିୟମ ବା ଲିଖିତ ସମ୍ବିଧାନ ନାହିଁ | ଏଠାରେ କେବଳ ଜଣେ ବ୍ୟକ୍ତିର କଥାହିଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ | ଯଦି କୌଣସି ଲିଖିତ ନିୟମ ନାହିଁ ତାହେଲେ ନିଜର ମୂଖ ରୁ ବାହାରିଥିବା କଥାହିଁ ସବୁକିଛି | ଓ ନିଜର ବଚନ ରକ୍ଷା କରିବାକୁ ଯାଇ ସେ କିଛିବି କରିବାକୁ ପ୍ରସ୍ତୁତ ହୋଇଯାଏ | ଯେ ଶପଥ କରି ଶପଥ ରଖେନି ସେ ସମସ୍ତଙ୍କ ନଜରରେ ଛୋଟ ହୋଇଯାଏ | କିନ୍ତୁ ମୋ ଗୁରୁ ସେଦିନ ଏ କଥାକୁ ବୁଝିବାକୁ ପ୍ରସ୍ତୁତ ନଥିଲେ | ସେ ନିଜ କଥାରେ ଅଟଳ ଥିଲେ |

                        ମୋ ଗୁରୁ ପର୍ଶୁରାମ ଭାବିଲେ ମୁଁ ତାଙ୍କୁ ଅବମାନନା କରୁଛି | ଗୁରୁ ବହୁତ ଆଂଜ୍ଞାକରି ଥିଲେ, ଯେତବେଳେ ତାଙ୍କ ପିତା ତାଙ୍କ ମାତା ଓ ଭାଇ ମାନଙ୍କ ମୁଣ୍ଡ କାଟିବାକୁ କହିଥିଲେ ସେ ତିଳେ ମାତ୍ର ହେଲା ନକରି ସମସ୍ତଙ୍କ ମୁଣ୍ଡ ଗାଣ୍ଡିରୁ ଅଲଗା କରିଦେଇଥିଲେ | ତାଙ୍କ ପିତା ଏପରି ଆଜ୍ଞାକାରୀ ପୁତ୍ର ଉପରେ ଖୁସି ହୋଇ ତାଙ୍କୁ ବର ମାଗିବାକୁ କହିଥିଲେ | ଗୁରୁ ପର୍ଶୁରାମ କହିଥିଲେ ମୁଁ ଏହିବର ମାଗୁଛିକି ମୋ ମା' ଓ ଭାଇମାନେ ପୁଣିଥରେ ଜୀବିତ ହୋଇଯାନ୍ତୁ | ଏବଂ ସମସ୍ତେ ପୁନର୍ବାର ଜୀବିତ ହୋଇଗଲେ | ଯେଉଁ ଗୁରୁ ଏତେ ଆଜ୍ଞାକାରୀ ଥିଲେ ସେ ମୋର ଅବଜ୍ଞା ଗୁଣକୁ କିପରି ସହ୍ୟ କରିପାରିଥାନ୍ତେ | ଯେତେବେଳେ ସେ ଦେଖିଲେ ଯେ ମୁଁ ତାଙ୍କ ଆଦେଶ ପାଳନ କରୁନାହିଁ , ସେତେବେଳେ ସେ ରାଗିଗଲେ | ଗୁରୁ ପର୍ଶୁରାମଙ୍କୁ ମହାକ୍ରୋଧୀ ଭାବରେ ଏ ଦୁନିଆ ଜାଣିଛି | ଯେତେବେଳେ କ୍ଷତ୍ରିୟମାନେ ପ୍ରଥମେ ସେମାନଙ୍କର ରାଜବଂଶକୁ ଅପମାନିତ କଲେ, ସେତେବେଳେ ସେ ସମସ୍ତ କ୍ଷତ୍ରିୟଙ୍କୁ ହତ୍ୟା କରିବା ପାଇଁ ଶପଥ ନେଇଥିଲେ। କୁହାଯାଏ ଯେ ସେ ନିହତ କ୍ଷତ୍ରିୟଙ୍କ ରକ୍ତରେ ପାଞ୍ଚଟି ପୋଖରୀ ନିର୍ମାଣ କରିଥିଲେ |

                ତାପରେ ମୋ ଗୁରୁ ମୋସହ ଯୁଦ୍ଧ ଆରମ୍ଭ କଲେ | ଏ ଯୁଦ୍ଧ ସାଧାରଣ ନଥିଲା | ମୁଁ ବା କିପରି ହାରିଥାନ୍ତି, ସେଇ ଗୁରୁ ମତେ ହିଁ ସବୁ ଶିକ୍ଷା ପ୍ରଦାନ କରିଥିଲେ | ଏ ଯୁଦ୍ଧ ଏପରି ଅନେକଦିନ ପର୍ଯନ୍ତ ଲାଗି ରହିଲା | ଶେଷରେ ଆମ୍ଭକୁ ଲାଗିଲା ଆମ ଭିତରେ କେହି କାହାକୁ ହରାଇ ମାରିପାରିବେନି | ମୋ ଗୁରୁ ଅମ୍ବାଙ୍କ ପାଖକୁ ଯାଇ କହିଲେ.... " ମତେ କ୍ଷମା କର, ମୁଁ ଭୀଷ୍ମଙ୍କୁ ମାରିପାରିବି ନାହିଁ | ତୁମେ ଆଉ କାହାକୁ ଖୋଜ, ଯିଏ ୟାକୁ ମାରିପାରିବ " | ଏହା କହି ଗୁରୁ ଚାଲିଗଲେ |

ମୁଁ ସେଦିନ ମୋ ଗୁରୁଙ୍କ ମୁହଁରେ ଦୁଃଖର ରେଖା ଗୁଡିକ ସ୍ପଷ୍ଟ ଦେଖି ପାରୁଥିଲି | ଗୋଡତଳେ ପଡ଼ି ଅନେକ କାନ୍ଦିଛି ତଥାପି ମୋ ଗୁରୁ ବାଟକାଟି ଚାଲିଗଲେ | ଯେଉଁ ଶିଷ୍ୟ ତାଙ୍କର ସବୁଠାରୁ ପ୍ରିୟ ଥିଲା, ସେ ଏବେ ତାଙ୍କୁ ଆଘାତ ଦେଇଛି | ମୁଁ ଏଥର ବି ନିରୁପାୟ ଥିଲି, କେବଳ ଜଣେ ସର୍ବହରା ମନୁଷ୍ୟ ଭଳି ଠିଆ ହୋଇଥିଲି |

ଫୁଲର ମାଳକୁ ହାତରେ ଧରି ଅମ୍ବା ଆଗକୁ ବଢିଲେ | ମୁଁ ତାଙ୍କ ଅବସ୍ଥା ଦେଖି ପାରୁଥିଲି କିନ୍ତୁ ଅସହାୟ ଥିଲି | ସେ ଯାଇ ଦ୍ରୁପଦ ଙ୍କ ଦରବାର ରେ ପହଁଚିଲେ, ଦ୍ରୁପଦ ପାଞ୍ଚାଳ ଦେଶର ରାଜା ଥିଲେ | ପାଞ୍ଚାଳ ରାଜ୍ୟ ଭାରତର ଦ୍ୱିତୀୟ ବଡ ରାଜ୍ୟ ଥିଲା |ଅମ୍ବା ଦ୍ରୁପଦ ଙ୍କୁ କହିଲେ....... " ତୁମେ ଏ ମାଳ ନିଅ ଓ ସେ ଭୀଷ୍ମ କୁ ମାରିଦିଆ " | କିନ୍ତୁ ଦ୍ରୁପଦ ସିଧା ମନାକରିଦେଲେ | ଡରରେ ସେ ଫୁଲ ମାଳାକୁ ବି ଛୁଇଁଲେ ନାହିଁ | ଅମ୍ବା ଅତ୍ୟନ୍ତ ନିରାଶ ହୋଇ, କାର୍ତିକିୟ ଦେଇଥିବା ମାଳାକୁ ଦ୍ରୁପଦଙ୍କ ରାଜ ଭବନରେ ଟାଙ୍ଗି ଦେଇ ଚାଲିଗଲେ | ଦ୍ରୁପଦ ଡରିକି ସେ ମାଳାକୁ ଧୂପ ଦୀପା ଦେଇ ସବୁବେଳେ ପୂଜା କରିବାରେ ଲାଗିଲେ |

             ଅମ୍ବା ହାରିଯାଇ ନଥିଲେ ସେ ଏଥର ହିମାଳୟ ଯାଇ ମହାଦେବଙ୍କ ଉଦେଶ୍ୟରେ ତପସ୍ୟା ଆରମ୍ଭ କଲେ | ଧୀରେ ଧୀରେ ତାଙ୍କ ଶରୀର କ୍ଷୀଣ ହେବାରେ ଲାଗିଲା | ଘୋର ତପସ୍ୟା ପରେ ମହାଦେବ ପ୍ରକଟ ହେଲେ | ଅମ୍ବା ଏଥର ଶିବ ଙ୍କ ଗୋଡ ଧରି ମତେ ମାରିବା ପାଇଁ ବିନତି କଲେ, କିନ୍ତୁ ମହାଦେବ କହିଲେ ସବୁଠାରୁ ଭଲ ହେବ ତୁମେ ନିଜେହିଁ ଭୀଷ୍ମଙ୍କୁ ମାରିବ, ଯାହାଦ୍ୱରା ତୁମର ପ୍ରତିଶୋଧ ନେବାର ଆଶା ପୁରାଣ ହେବ | ଏହା ଶୁଣି ଅମ୍ବାଙ୍କ ମୁହଁ ରେ ଚମକ ଆସିଲା ଓ ସେ ମହାଦେବଙ୍କୁ ପ୍ରଶ୍ନ କଲେ... "କିପରି, ମୁଁ ଜଣେ ସାଧାରଣ ସ୍ତ୍ରୀ, ଏବଂ ଭୀଷ୍ମ ଜଣେ ମହାନ ଯୋଦ୍ଧା | ମୁଁ କଣ ତାଙ୍କୁ ମାରିପାରିବି ? "|

ମହାଦେବ କହିଲେ.... " ମୁଁ ତୁମକୁ ବରଦାନ ଦେଉଛି, ତୁମେ ଆର ଜନ୍ମରେ ତାଙ୍କୁ ମାରିବ "|

ଅମ୍ବା କହିଲେ...... " ଆର ଜନ୍ମରେ?..... ମୁଁ କିନ୍ତୁ ପରବର୍ତ୍ତୀ ଜୀବନରେ ଏସବୁ କିପରି ମନେ ରଖିପାରିବି | ତା’ହେଲେ ମୁଁ କିପରି ପ୍ରତିଶୋଧ କୁ ଉପଭୋଗ କରିପାରିବି ? ” |

ଶିବ କହିଲେ...... "ବ୍ୟସ୍ତ ହୁଅ ନାହିଁ | ମୁଁ ତୁମକୁ ବରଦାନ ଦେଉଛି ତୁମର ସବୁକିଛି ମନେ ରହିବ | ତୁମେ ଯାହା ସହିଛ ସେଥିପାଇଁ ପ୍ରତିଶୋଧ ନେବାବେଳେ ଶାନ୍ତି ପାଇବ | ଅନଂଦ ଉପଭୋଗ କରିବ |

                         ମହାଦେବଙ୍କ ଠାରୁ ମୋ ମୃତୁ ର ବରଦାନ ପାଇଁ ସେଦିନ ଅମ୍ବା ଅତ୍ୟନ୍ତ ଖୁସିରେ ନିଜକୁ ଅଗ୍ନି ଭିତରେ ସମର୍ପି ଦେଇ ଦେହତ୍ୟାଗ କରିଦେଲେ |

ବିଚିତ୍ରବୀର୍ଯ୍ୟ ନିଜର ଜୀବନକୁ ଯେପରି ବିତାଉଥିଲେ ଲାଗୁଥିଲା ସେ ବେଶୀ ଦିନ ବଞ୍ଚି ପାରିବେନି | ଓ ଠିକ ସେପରି ହିଁ ହେଲା, ରୋଗରେ ପଡି ପଡି ମୃତୁ ହୋଇଗଲା | ମାତା ସତ୍ୟବତୀ ବାରମ୍ବାର ମତେ ନିବେଦନ କରିଚାଲିଲେ ଯେ ତୁମେ ବିବାହ କର ଏବଂ ପିତାଙ୍କ ବଂଶ କୁ ଆଗକୁ ନେବା ପାଇଁ ଏକ ପୁତ୍ର ଜନ୍ମ କର, କିନ୍ତୁ ମୁଁ ମୋ ଶପଥ ଭାଙ୍ଗିବାକୁ ପ୍ରସ୍ତୁତ ନଥିଲି | ଏଭଳି ପରିସ୍ଥିତିରେ ମାତା ସତ୍ୟବତୀ 'ନିୟୋଗ ପ୍ରଥା ' ଜରିଆରେ ଦିବାବ୍ୟାସ ( ସତ୍ୟବତୀଙ୍କ ପୁଅ ଥିଲେ ) ଦ୍ୱାରା ଅମ୍ବିକା ଏବଂ ଅମ୍ବଲିକାଙ୍କ ଗର୍ଭରୁ ଯଥାଶୀଘ୍ର ଧୃତରାଷ୍ଟ୍ର ଏବଂ ପାଣ୍ଡୁ ନାମକ ପୁତ୍ର ଉତ୍ପାନ ହେଲେ |

                                      ଯେହେତୁ ମୁଁ ବିବାହବନ୍ଧନରୁ ମୁକ୍ତ ଥିଲି, ଏଥିପାଇଁ ଯୋଗୀ ହୋଇ ବ୍ରହ୍ମ ଉପରେ ଧ୍ୟାନ କରୁଥିଲି | ମୁଁ ଜାଣି ସାରିଥିଲି ମୁକ୍ତିର ପଥ କେଉଁଠି | ସ୍ୱୟଂ ଭଗବାନ ଧରଣୀ ପୃଷ୍ଠରେ ଅବତରଣ କରିସାରିଥିଲେ | କୃଷ୍ଣ ପିଲା ଥିଲେ, କିନ୍ତୁ ମୁଁ କୃଷ୍ଣଙ୍କୁ ଭଗବାନ ବୋଲି ଚିହ୍ନିସାରିଥିଲି | ମୁଁ ନିଜକୁ କୃଷ୍ଣଭକ୍ତରେ ଅବତୀର୍ଣ୍ଣ କରିଦେଲି |

                          ସମୟର ଚକ ଘୁରୁଥିଲା | ମୁଁ ପିତାମହଃ ଭୀଷ୍ମ ରେ ପରିଣତ ହୋଇ ସାରିଥିଲି | ମୋ ଆଖି ଆଗରେ ପାଣ୍ଡଵ ଓ କୌରଵ ଙ୍କ ଭିତରେ ତିକ୍ତତା ମତେ ବ୍ୟଥିତ କରୁଥିଲା | ପାଣ୍ଡଵମାନେ ଶ୍ରୀକୃଷ୍ଣ ଙ୍କ ଛତ୍ର ଛାୟାରେ ବଢ଼ୁଥିଲେ | କିନ୍ତୁ କୌରଵମାନେ ଅନ୍ୟାୟ ଅନୀତିରେ ନିଜକୁ ହଜାଇ ଦେଇ ଥିଲେ | ପାଣ୍ଡଵ ମାନେ ପ୍ରତି ମୁହୂର୍ତ୍ତରେ ଛଳନା ର ଶିକାର ହଉଥିଲେ | ମୁଁ ଅନେକ ବୁଝାଇଥିଲି କିନ୍ତୁ ସବୁ ନିରଥର୍କ ଥିଲା | ମୋ ଆଖିଆଗରେ ମୋ ସ୍ୱପ୍ନର ରାଜ୍ୟ ଧୂଳିସାତ ହେବାରେ ଲାଗିଛି |

                        

ମହାଭାରତ ଯୁଦ୍ଧ ଆରମ୍ଭ ହେଲା କୌରଵ ଓ ପାଣ୍ଡଵ ଙ୍କ ଭିତରେ | ମୁଁ କୌରଵଙ୍କ ତରଫରୁ ସେନାପତି ଥିଲି | କୁରୁକ୍ଷେତ୍ରରେ ଯୁଦ୍ଧ ଧୀରେ ଧୀରେ ଭୀଷଣ ରୂପ ନେଉଥିଲା , ମୁଁ ମୁଖ୍ୟ ସେନାଧ୍ୟକ୍ଷ ଭାବରେ ଦଶ ଦିନ ଧରି ସଂଘର୍ଷ କଲି | ମୋର ପ୍ରିୟ ପାଣ୍ଡଵ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡିଲା | ପିତାଙ୍କୁ ଦେଇଥିବା ବଚନ ଯେ ମତେ ଏତେ ଭାରି ପଡିବ ଜାଣି ନଥିଲି | ନିଜ ରାଜ୍ୟ ବା ସିଂହାସନ କୁ ରକ୍ଷା କରିବା ମୋର ପ୍ରଥମ କର୍ତବ୍ୟ | ସେଦିନ ମତେ ଦୁର୍ଯ୍ୟଧାନ କହିଥିଲା ମୁଁ ଜାଣି ଜାଣି ପାଣ୍ଡଵଙ୍କୁ ମାରିବାକୁ ଚାହୁଁନି | ତଥାପି ଏକଥା ଶୁଣିକି ମୁଁ ଚୁପ ଥିଲି | ଯୁଦ୍ଧ ପୂର୍ବରୁ ପ୍ରିୟ ଯୁଥିଷ୍ଠିର ଯେତବେଳେ ମୋ ପାଦଧୂଳି ନେଲା ମୁଁ "ବିଜୟୀଭବ "ର ଆର୍ଶୀବାଦ ପ୍ରଦାନ କଲି | ନଅ ଦିନ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା, ଦଶମ ଦିନରେ ମୁଁ ପାଣ୍ଡବଙ୍କ ସନ୍ୟବାହିନୀକୁ ହତ୍ୟା କରିବାରେ ଲାଗିଲି | ପାଞ୍ଚାଳ ଓ ମତ୍ସ୍ୟସେନା ଙ୍କୁ ମୁଁ ସଂହାର କରିବାରେ ଲାଗିଲି | ମୁଁ କେବଳ ମୋ ଧର୍ମପାଳନ କରୁଥିଲି | ପାଣ୍ଡବ ପାର୍ଶ୍ୱରେ ଭୟ ବିସ୍ତାର ହୋଇଥିଲା |

               ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଦେଶରେ ପାଣ୍ଡବମାନେ ମୋ ପାଖକୁ ଆସି, ମୋ ମୃତ୍ୟୁର ରହସ୍ୟ କଣ ପଚାରିଥିଲେ | ମୁଁ ସେଦିନ ହସିଥିଲି, ମୋର ଆଉ ବଂଚିବାକୁ ଇଚ୍ଛା ନଥିଲା | ମୁଁ ଏ ସବୁଥିରୁ ନିବୃତି ହେବାକୁ ଚାହୁଁଥିଲି | ନିଜ ପ୍ରିୟଜନ ମାନଙ୍କୁ ଏପରି ଭାବରେ ଲଢ଼ିବା ଦେଖିବା ମୋ ପକ୍ଷରେ ଅସହ୍ୟ ଥିଲା | ମୁଁ ଇଚ୍ଛା ମୁର୍ତ୍ତୃ ର ବରଦାନ ପାଇଥିଲି, କିନ୍ତୁ ମୋ ମୁର୍ତ୍ତୃ ର ରହସ୍ୟ କହିଦେଲି | " ଜଣେ ନପୁଂସଙ୍କ ଙ୍କ ବିରୁଦ୍ଧରେ ମୁଁ କେବେ ଅସ୍ତ୍ର ଉଠାଇବେ ନାହିଁ | ସେଇ ସମୟରେ ମତେ ହତ୍ୟା କରାଯାଇପାରେ " | ପାଣ୍ଡଵପକ୍ଷ ଯୁଦ୍ଧକ୍ଷେତ୍ରରେ ମୋ ସାମ୍ନାରେ ଶ୍ରୀଖଣ୍ଡୀ କୁ ଯୁଦ୍ଧ କରିବାକୁ ଆଣିଲେ | ଏ ଶ୍ରୀଖଣ୍ଡୀ ଆଉ କେହି ନଥିଲେ ମହାଦେବଙ୍କ ବରଦାନ ପାଇଥିବା ଅମ୍ବାଙ୍କ ପୁନର୍ଜନ୍ମ ଥିଲା ଯିଏ ଜଣେ କିନ୍ନର ଥିଲେ, ମୁଁ ଏତେବଡ଼ ଯୋଦ୍ଧା ହୋଇ କିପରି ଜଣେ ନାରୀଙ୍କ ଉପରକୁ ବାଣ ମାରିପାରିଥାନ୍ତି | ମୁଁ ମୋ ଅସ୍ତ୍ର ତ୍ୟାଗ କରିଦେଲି | ମାୟାଧର ମହାମାୟାଙ୍କୁ ଏହି ସମୟର ଅପେକ୍ଷା ଥିଲା, ନିଜ ଆଖିରେ ନିର୍ଦ୍ଦେଶ ଦେଲେ | ଅର୍ଜୁନ କୃଷ୍ଣଙ୍କ ନିର୍ଦ୍ଦେଶରେ ମତେ ତୀରରେ ବିଦ୍ଧ କଲେ | ମୋ ଦେହର କୋଣ ଅନୁକୋଣ ତୀରରେ ଛାଇଗଲା, ମୁଁ ରଥରୁ ଖସିପଡିଲି | ସୂର୍ଯ୍ୟାସ୍ତ ର ସମୟ ତା ସହ ମୋ କପାଳ ପୂର୍ବ ଦିଗକୁ ଥିଲା | ମୁଁ ଦେଖିଲି ସୂର୍ଯ୍ୟଦେବ ଏବେ ଦକ୍ଷିଣାୟନରେ ଅଛନ୍ତି ଏହା ମୁର୍ତ୍ତୃ ପାଇଁ ଉଚ୍ଚିତ ସମୟ ନୁହେଁ, ତେଣୁ ମୁଁ ଅପେକ୍ଷା କରିଛି ଉପଯୁକ୍ତ ସମୟକୁ | 

                    ମୋ ପାଖକୁ ଯୁଧିଷ୍ଠିର ଆସିଥିଲା, ମୁଁ ଜାଣିଛି ସେହିଁ ଉପଯୁକ୍ତ ରାଜା | ଧର୍ମ, ଅର୍ଥ, କାମ ଓ ମୋକ୍ଷ ବିଷୟରେ ମୁଁ ତାକୁ ଜ୍ଞାନ ପ୍ରଦାନ କଲି | ସେହିଁ ନ୍ୟାୟପୂର୍ବକ ଶାସନ କରିପାରିବ |   

                ଏହା ଥିଲା ମୋ ମନା ତଳର କଥା | ମୁଁ ପ୍ରତେକ ସମୟରେ ନିଜର କର୍ତବ୍ୟକୁ ଆଗ କରିଛି | ମୋ ମନ ଶାନ୍ତ ନାହିଁ, ହେ କୃଷ୍ଣ ମତେ ଏଥର ମୁକ୍ତି ଦିଅ ପ୍ରଭୁ |

   

          ସୂର୍ଯ୍ୟଙ୍କ କିରଣ ଧରଣୀ ଉପରେ ପଡୁଥାଏ | ମୋ ପାଖରେ ମୋ ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ ସମସ୍ତେ ମୋ ପାଖରେ ଘେରି ରହିଛନ୍ତି | ମୋ ଆଖିତ ସେଇ ପରଂବ୍ରହ୍ମ ଙ୍କୁ ଖୋଜୁଛି | ତଣ୍ଟି ଶୁଖିଯାଉଛି,………… "ପାଣି ମୁଂଦେ ଦେଇ ପାରିବ ପ୍ରିୟ ଅର୍ଜୁନ", ମୁଁ କହିଲି | ମୁଁ ସ୍ପଷ୍ଟ ଦେଖି ପାରୁଥିଲି ଅର୍ଜୁନର ଲୋତକ କୁ | ନିଜ ତୀର ଦ୍ଵରା ଧରଣୀକୁ ଫୁଟାଇ ମୋ ପାଟି ପାଖକୁ ପାଣିର ଧରା ବୁହାଇ ଦେଲା | ଓ କେତେ ଶୀତଳ କେତେ ଶାନ୍ତି ଏ ଜଳ | ମୁଁ ମୋ ତୃଷା କୁ ମେଣ୍ଟେଇ ଦେଲି | ସୂର୍ଯ୍ୟ ଉତରାୟଣ ହୋଇଗଲେ, ଏହା ମୋର ମୁର୍ତ୍ତୃ ର ଉତ୍ତମ ସମୟ | ମୋ ଅଶାନ୍ତ ମନକୁ ଶାନ୍ତି କରି ସଚ୍ଚିଦାନନ୍ଦ ଭଗବାନଙ୍କ ପାଦତଳେ ସମର୍ପି ଦେଲି | ଭଗବାନ କୃଷ୍ଣ ତାଙ୍କ ଚତୁର୍ଦ୍ଦଶ ରୂପ ମତେ ଦେଖାଉଛନ୍ତି | କି ସୁନ୍ଦର | ଶ୍ରୀକୃଷ୍ଣଙ୍କ ଏ ମନମୋହିତ ପ୍ରତିମୂର୍ତ୍ତି ଦେଖି ମୋ ଆଖି ଲାଖିଯାଉଛି | ମୋ ସବୁ ଇନ୍ଦ୍ରିୟ ମାନେ ଏବେ ସ୍ଥିର | ମୋ ପାଟିରୁ ଖାଲି ଭଗବାଙ୍କ ପାଇଁ ଏହାହିଁ ବାହାରୁଛି..... “ମୁଁ ମୋର ଏ ଶୁଦ୍ଧ ମନକୁ ଦେବକୀ ନନ୍ଦନ ଭଗବାନ ଶ୍ରୀକୃଷ୍ଣଙ୍କ ପାଦତଳେ ନିଜକୁ ଅର୍ପଣ କରୁଛି | ଯାହାଙ୍କ ପାଖରେ କୋଟି କୋଟି ସୂର୍ଯ୍ୟଙ୍କ ତେଜ ବିରାଜମାନ | ଯାହାଙ୍କ ଲୀଳା ବିଶାଳ, ପିତ୍ତବସ୍ତ୍ରଧାରୀ | ଚାରି ଭୂଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଅଛି | ବନମାଳା ଯିଏ ପିନ୍ଧିଛନ୍ତି, ଦେହରେ କୌସ୍ତୁବ ମଣି ଧାରଣ କରିଛନ୍ତି, ମୋ ମନ ସେଇ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ପାଖରେ ସମର୍ପିତ | ମୋ ମନ, ବଚନ ଓ କର୍ମ ରେ ମୁଁ ଭଗବାନଙ୍କୁ ଧ୍ୟାନ କଲି | ଓ ନିଜକୁ ସେଥିରେ ଲୀନ କରିଦେଲି | ଚରମ ଅନଂଦ ଅନୁଭବ ହେଉଛି, ଦେବତା ମାନେ ଆକାଶ ରୁ ପୁଷ୍ପ ବୃଷ୍ଟି ଓ ଡଣ୍ଡୁବିନାଦ କରୁଛନ୍ତି |  ବର୍ତ୍ତମାନ ମୋ ଆତ୍ମା ଶରୀର ଛାଡି ଉର୍ଦ୍ଧଗତି ହେଉଛି |


Rate this content
Log in

Similar oriya story from Tragedy