AMRITA PANI

Abstract Tragedy

4.3  

AMRITA PANI

Abstract Tragedy

ମନର ମାନସାଙ୍କ

ମନର ମାନସାଙ୍କ

5 mins
11.6K


ସକାଳୁ ଝିଅର ମମି ମମି ଡାକରେ ମୋ ନିଦ ଭାଙ୍ଗିଗଲା | ଏମିତିରେ କାଲି ରାତିରେ ଅଫିସ କାମ ସରିଲା ବେଳକୁ ଟିକିଏ ଡେରି ହୋଇ ଗଲା ;ମୁଁ ବିରକ୍ତ ହେଇ ପଚାରିଲି କଣ ପାଇଁ ଚିଲାଉଛୁ ସକାଳୁ ସକାଳୁ | ଝିଅ ଧଇଁ ସଇଁ ହୋଇକି ମତେ କହିଲା ମମି ଜଲ୍ଦି ଉଠ ଦେଖିବୁ ଯା ସାମ୍ନା ଦାସ ଅଙ୍କଲଙ୍କ ଘରକୁ ପୋଲିସ୍ ଆସିଛି | ମୁଁ ତରବରରେ ଝରକାରେ ଉଣ୍ଡି ଦେଖିଲି ସତରେ ତ, ତାଙ୍କ ଘର ବହୁତ ଗହଳି ହୋଇଛି , ପୋଲିସ୍ ଜିପ୍ ବି ଠିଆ ହେଇଛି | ମୁଁ ଶୀଘ୍ର ଶୀଘ୍ର ବ୍ରଶ୍ କରୁଛି ମିସେସ ମହାନ୍ତିଙ୍କ ଫୋନ୍ ଆସିଲା | ତାଙ୍କ ଠାରୁ ଯାହା ଜାଣିଲି ଦାସ ବାବୁଙ୍କ ପୁଅ ରୋହନ୍ କ୍ରିକେଟ୍ ଖେଳୁ ଖେଳୁ କାଲି କୋଉ ସାଙ୍ଗକୁ ରାଗ ରେ ବ୍ୟାଟ୍ ରେ ମୁଣ୍ଡକୁ ପିଟି ଦେଇଛି |  ମିସେସ୍ ମହାନ୍ତି କହୁଥିଲେ ବୁଝିଲେ ନା ଏସବୁ ଅତି ଗେଲ୍ହା କରିବାର ଫଳ ; ଆମେ ସମସ୍ତେ ରୋହନ୍ ଏମିତି କିଛି କରିବ ବୋଲି ଆଗରୁ ଜାଣିଥିଲୁ | ମନେ ନାହିଁ ?କିଛି ବର୍ଷ ତଳର କଥା... , ଆମ ସୋସାଇଟିର ମିଶ୍ର ବାବୁ ପୁଅ ବଣ୍ଟି ଖେଳୁ ଖେଳୁ ଭୁଲ୍ ରେ ରୋହନ୍ ର ସାଇକଲ୍ ର ସିଟ୍ ଟି ଚିରି ଦେଲା ବୋଲି ରୋହନ ପରା ତାକୁ ମାରି ତା ଦାନ୍ତ ଭାଙ୍ଗି ଦେଇଥିଲା | ବଣ୍ଟି ମମି , ରୋହନ ମମିକୁ କହିଲା ପରେ ସେ କିନ୍ତୁ ଓଲଟା ଅଭିଯୋଗ ଆଣିଲେ ଯେ ତାଙ୍କ ପୁଅର ଦାମିକା ଜିନିଷକୁ ସେମାନେ ସହି ପାରୁ ନାହାନ୍ତି ତ ସେଥି ପାଇଁ ତା ନାରେ ଲଗେଇ ଯୁଟେଇ ସବୁ ବେଳେ ମିଛ କଥା କହୁଛନ୍ତି | ଜାଣିଛନ୍ତି ମାଡାମ୍ , ସେଦିନ ରୋହନର ଯୋଉ ରୂପ ଆପଣଙ୍କର ଦେଖିବାର ଥିଲା | ବଡ ବଡ ଆଖି , ମୁହଁ ଲାଲ୍ ,ଭୀଷଣ ଚିତ୍କାର ତା ସହ ଗୋଟିଏ କଥା ବାରମ୍ବାର କହି ଚାଲୁଥାଏ | "ମୋ ସାଇକେଲରେ ତୁ କଣ ପାଇଁ ଲାଗିଲୁ " | ବଣ୍ଟି ଯେତେ ସରି କହୁଥାଏ ସିଏ କିଛି ଶୁଣୁ ନଥାଏ ; ଆମେ ତ ଆଗରୁ କହୁଥିଲୁ ତାକୁ ଆକଟ କରନ୍ତୁ , ଆମ କଥା ଶୁଣିଲେନି ଏବେ ସେମାନେ ଭୋଗିବେନି ତ କିଏ ଭୋଗିବ କୁହନ୍ତୁ ? ଅନର୍ଗଳ ଗପି ଚାଲିଥାନ୍ତି ମିସେସ ମହାନ୍ତି|

      ଦାସ ବାବୁଙ୍କ ଫ୍ଲାଟ ଆଉ ମୋ ଫ୍ଲାଟ ଠିକ ସାମ୍ନା ସାମନି | ଆଉ ମୋ ବେଡ୍ରୁମ ଝରକାଟି ଖୋଲେ ରୋହନର ରୁମ ଆଡ଼େ | ତେଣୁ ପ୍ରାୟ ଦେଖିଛି ସେ ତାଙ୍କ ଛାତ ଉପରେ ବଲ୍ ଧରି ଖେଳୁ ଥିବା କିମ୍ବା ମୋବାଇଲ୍ ଫୋନ୍ ରେ ଗପୁ ଥିବ | ଏମିତି ଦେଖିଲେ କେହି କହିପାରିବେନି ଯେ ତା ଭିତରେ ପୁଣି ଏତେ ନୃସଂଶତା ଲୁଚି ରହିଥିବ , କାରଣ ତା ବ୍ୟବହାର ବହୁତ ଭଦ୍ର ଓ ମାର୍ଜିତ | ସିଏ ପୁଣି ଏହି ବର୍ଷ କୋଉ ପ୍ରତିଷ୍ଠିତ ଇଞ୍ଜିନିଅରିଂ କଲେଜ୍ ରେ ଆଡ଼ମିସନ୍ ନେଇଥିଲା |

      ମୁଁ ଫେରିଗଲି ଦୁଇ ବର୍ଷ ପଛକୁ | ମୋ ମୁଣ୍ଡକୁ ଆସିଲା ମିଲିର କଥା | ହଁ ମିଲି , ମୋ ସାନ ଭଉଣୀ ; ଆମେରିକାରେ ମନସ୍ତତ୍ଵ ବିଷୟ ରେଗବେଷଣା କରେ  । ଦୁଇ ବର୍ଷ ତଳେ ମୋ ସହ ଛୁଟି କାଟିବାକୁ ଆସିଥିଲା ,ପୁରା ମାସେ ପାଇଁ | ଦିନେ ସନ୍ଧ୍ୟାବେଳେ ଅସହ୍ୟ ଗୁଳୁ ଗୁଳି ପରେ ଅସରାଏ ବର୍ଷା ହୋଇ ପାଗ ଟା ବଦଳି ଯାଇ ଥାଏ | ପାଗର ମଜା ଉଠାଇବାକୁ ମୁଁ ଆଉ ମିଲି ଗରମ ଗରମ ମୋ ହାତ ତିଆରି କଫି ଆଉ ନିମିକି ନେଇ ବାଲ୍କୋନିରେ ଯାଇ ବସିଲୁ | ମୁଁ ଦେଖିଲି ରୋହନ ଛାତ ଉପରେ ସବୁ ଥର ପରି ଏକା ଏକା ଖେଳୁଛି | ଆମେ ଗପ ସପ ରେ ଏତେ ଦୂର ମଜ୍ଜି ଯାଇଥିଲୁ ଯେ ଏସବୁ ବିଷୟରେ ଭାବିବା ପାଇଁ ଆମର ସମୟ କିମ୍ବା ତିଳେ ମାତ୍ର ଆଗ୍ରହ ବି ନଥିଲା | ହଟାତ କିଛି ସମୟ ପରେ ମୋ ନଜର ପଡ଼ିଲା , ରୋହନ ବଲଟିକୁ ନେଇକି ଘର ଭିତର ଥାକରେ ରଖିଲା । ସଂଗେ ସଂଗେ ପୁଣି ଆଣି ଛାତରେ ଥୋଇଲା । ସଂଗେ ସଂଗେ ପୁଣି ବଲଟିକୁ ଘର ଭିତରକୁ ନେଲା ,ପୁଣି ଛାତରେ ଥୋଇଲା | ଏହି ପରି ତାର ପ୍ରାୟ ଦଶ ମିନିଟ ଚାଲିଲା | ମିଲି କହିଲା, ନାନୀ ଦେଖୁଛୁ ସେ ପିଲା ବ୍ୟବହାର ଟିକେ ଅସ୍ୱାଭାବିକ ଲାଗୁନି ? ମୁଁ କହିଲି ଛାଡେ ଆଜି କାଲି କା ପିଲା କଣ ଗୋଟେ ନୂଆ ଗେମ କଥା ତା ମୁଣ୍ଡରେ ପଶି ଯାଇଥିବ| ମିଲି କହିଲା ନାହିଁ ନାନୀ ମତେ ଲାଗୁଛି ଏ ପିଲାର ପକ୍କା ମାନସିକ ଅସନ୍ତୁଳନ ଅଚ୍ଛି | ମୁଁ କହିଲି ତୁ ଏଠିକି ମୋ ସହ ଛୁଟି କାଟିବାକୁ ଆସିଛୁ ସେଥିରେ ଧ୍ୟାନ ଦେ | ତତେ ସବୁ ଲୋକଙ୍କ ଭିତରେ ବୋଧେ ନିଜ ପେସେଣ୍ଟ ଦେଖା ଗଲେଣି | ମୁଁ ରାଗିବା ଦେଖି ମିଲି କହିଲା ଆରେ ନାନୀ ମନ ଦେଇ ଶୁଣେ ,ସମସ୍ତ ମାନସିକ ବିକୃତି ପାଗଳାମି ନୁହେଁ | ଯଦି ପ୍ରଥମ ଅବସ୍ଥାରୁ ଚିକିତ୍ସା କରାଯାଏ ତାହା ହେଲେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଜୀବନ ଯାପନ କରିପାରିବ | ଏବଂ ସବୁଠାରେ ଆମେ ଔଷଧ ବି ଦେଉନା ଏପରି ଅନେକ ମାନସିକ ରୋଗ ଅଛି ଯାହା କେବଳ କାଉନ୍ସେଲିଂ ଓ ଅନ୍ୟାନ୍ୟ ବିକଳ୍ପ ଥେରାପି ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ | ଏବଂ ସବୁଠାରୁ ବଡ ଜିନିଷ କଣ ଜାଣିଛୁ ? ପରିବାର ଲୋକଙ୍କ ପୁର୍ଣ୍ଣ ସହଯୋଗ | ହେଲେ ତୁ ଏବେ ଯେମିତି ରିଆକ୍ଟ କଲୁ ସେମିତି ୭୦ ରୁ ୮୦ ଭାଗ ଲୋକଙ୍କର ଧାରଣା କିମ୍ବା  ମାନସିକ ଚିକିତ୍ସକଙ୍କ ପାଖକୁ କେବଳ ପାଗଳ ମାନେ ହିଁ ଯାନ୍ତି | ତେଣୁ ରୋଗ ଲୁଚାଇବା କାରଣରୁ ଅଧିକାଂଶ କେସ୍ ଆମ ପାଖକୁ ଆସିଲା ବେଳକୁ ପରିସ୍ଥିତି ଜଟିଳ ହୋଇ ଯାଇଥାଏ ତେଣୁ ସଠିକ ଚିକିତ୍ସା କରିବାରେ ଅସୁବିଧା ହୁଏ | ପରିସ୍ଥିତି ଜଟିଳ ଥିଲେ କିଛି କ୍ଷେତ୍ରରେ ସକ ଟ୍ରିଟ୍ମେଣ୍ଟ ଦିଆ ହୁଏ କିମ୍ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭର୍ତି ହେବାକୁ ହୁଏ | ତୁ ସାଇକିଆଟ୍ରିଷ୍ଟ ଆଉ ସାଇକୋଲୋଜିଷ୍ଟ ମଧ୍ୟ ରେ ପାର୍ଥକ୍ୟ ଜାଣି ରଖିବା ଉଚିତ | ଆମେ ହେଲୁ ମନସ୍ତତ୍ଵ ବିଶାରଦ । ମଣିଷର ମନକୁ ବୁଝିବା ଆମର କାମ ଅଟେ | ମିଲି ସହ ଗପ କରୁ କରୁ ଆଉ କପେ କଫି ମୁଁ ବନାଇ ସାରିଥିଲି | ଦ୍ଵିତୀୟ କଫି କପ ଟିରେ ଚୂମକ ଦେଇ ଅନ୍ୟ ହାତରେ ନିମିକିଟି ଉଠାଇ ନେଉ ନେଉ କହିଲା ଜାଣିଛୁ ନାନୀ ଯଦି ଆମର ପେଟ ଖରାପ ହେଲା କି ଜର ହେଲା କିମ୍ବା ଆଉ କିଛି ଶାରୀରିକ ବିଚ୍ୟୁତି ଘଟିଲା ଆମେ ସଂଗେ ସଂଗେ ଡାକ୍ତରଙ୍କ ପାଖକୁ ଯାଉ | ଏହାର ଅର୍ଥ ଆମେ କେବଳ ଶାରୀରିକ ଅସୁସ୍ଥତା ଉପରେ ହିଁ ସମସ୍ଥ ଧ୍ୟାନ ଦେଇ ଥାଉ କିନ୍ତୁ ଅସୁସ୍ଥତା ମାନସିକ ବି ହୋଇ ଥାଇ ପରେ ଏ କଥାକୁ ଆମେ ସମ୍ପୂର୍ଣ୍ଣ ଅଣଦେଖା କରିଦେଉ |ସେଥି ପାଇଁ ବର୍ତମାନ ବୈଦେଶିକ ଚିକତ୍ସା ଜଗତରେ ମାନସିକ ସୁସ୍ଥତାର ସଚେତନତା ଉପରେ ମହତ୍ୱ ଦିଆ ଯାଉଛି | କାରଣ ଅଧିକାଂଶ କ୍ଷେତ୍ରରେ ଦେଖା ଯାଇଛି ଅଧିକାଂଶ ଅପରାଧ ପଛରେ ମାନସିକ ବିକୃତି ଓ ବିକଳଙ୍ଗତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ| 

      ଦ୍ଵିତୀୟତଃ ଆଜିର ଜଗତୀକରଣ ବା ଗ୍ଳୋବାଲାଇଜେସନ ଯୁଗରେ ସମସ୍ତେ ଯେମିତି ଏକ ପ୍ରତିଯୋଗିତାରେ ସାମିଲ | ନିଜକୁ ଶ୍ରେଷ୍ଠ ପ୍ରମାଣ କରାଉ କରାଉ ଧୀରେ ଧୀରେ ଆମେ କବଳିତ ହେଇ ଯାଉଛୁ ଚାପ , ଉଦବେଗ , ଅବସାଦ ,ଓସିଡ଼ି ପରି ମାନସିକ ଅସନ୍ତୁଳନତାର | ମୁଁ ତୋ ଠାରୁ ଯାହା ସବୁ ଶୁଣିଲି ଆଉ ନିଜ ଆଖିରେ ବି ଦେଖିଲି ସେ ରୋହନ ବୋଲି ପିଲା ଟିର ବୋଧେ କିଛି ଅସୁବିଧା ଅଛି | ହଟାତ ଭୀଷଣ ଭାବେ ରାଗିବା , କୌଣସି କଥାକୁ ବାରମ୍ବାର କରିବା , ନିଜେ ନିଜ ସହ କଥା ହେବା , ସାଙ୍ଗ ସାଥି ଓ ପରିବାର ଠାରୁ ଛାଡ ଛାଡ ରହିବା ଏସବୁ ପ୍ରାରମ୍ଭିକ ଲକ୍ଷଣ | ଏହି ସ୍ଥରର ପିଲା ମାନେ ବାହାରକୁ ଶାନ୍ତ ଦେଖା ଯାଉ ଥିଲେ ବି ଭିତରେ ଭିତରେ ଅସମାନ୍ୟତା ଏକ ସୁପ୍ତ ଆଗ୍ନେୟଗିରି ପରି ଥାଏ ଟିକିଏ ସନ୍ତୁଳନ ବିଗିଡି ଗଲେ ତାହା ବିସ୍ପୋରକ ରୂପ ନିଏ | ତଥାପି ସଠିକ ପରାମର୍ଶଦାତାଙ୍କ ପାଖକୁ ଯଦି ନିଆ ଯାଏ ଏ ପିଲା ଠିକ ହେଇ ଯିବ ନହେଲେ ଭବିଷ୍ୟତରେ ଯେ କିଛି ଅଘଟଣ ନଘଟିବ କିଏ ବା କହିପାରିବ ? ଏ ମନର ମାନସାଙ୍କ ନା ଭାରି ଜଟିଳ ଲୋ ନାନୀ ; ସୋଫା ଉପରେ ଅଳସ ଭାଙ୍ଗୁ ଭାଙ୍ଗୁ କହିଲା ମିଲି |

      ଏମିତି ମୁଁ ଅନ୍ୟମନସ୍କ ହୋଇ କେତେ ସମୟ ଡ୍ରଇଂ ରୁମରେ ବସିଛି ମୋର ମନ ନାହିଁ | ଚୁଲିରେ କେତେବେଳୁ ବସେଇ ଦେଇଥିବା ଚା ଡେ଼କଚିଟା ପୋଡି ଘର ସାରା ଗନ୍ଧ ହେଲାଣି | କଣ ଯେ କରିବି କିଛି ଦିନ ହେଲା ଭୁଲା ରୋଗଟା କଣ ପାଇଁ ମତେ ମାଡ଼ି ବସିଲାଣି ମୁଁ ବୁଝି ପାରୁନି | କାହିଁକି କେଜାଣି ମନଟା ସବୁ ବେଳେ ଆଶଙ୍କା ଗ୍ରସ୍ଥ ଥିଲା ପରି ଲାଗୁଛି | ଘଡି ଦେଖିଲି , ଦିନ ଆଠ ଟା ମାନେ ଆମେରିକା ରାତି ହୋଇ ଥିବ | ମୋବାଇଲଟା ଆଣି ହ୍ଵାଟ୍ସଆପ ବାହାର କରି ମିଲିକୁ ମେସେଜ କଲି " ଫ୍ରି ହେଲେ କଲ କରିବୁ ତ, ଜରୁରୀ କଥା ଅଛି " |  



Rate this content
Log in

Similar oriya story from Abstract