AMRITA PANI

Others

2.9  

AMRITA PANI

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

2 mins
523


 ଆଲାର୍ମ ଘଡ଼ି ର କରୁଣ  ଚିତ୍କାର ରେ ନିଦରୁ ଉଠି ଆଖି ମଳୁ ମଳୁ ବିନିତା ଦେଖେ ପାହାନ୍ତିଆ ହେବାକୁ ଆହୁରି କିଛି ସମୟ ବାକି ଅଛି  । ତଥାପି ସିଏ ଡେରି ନକରି ଉଠିପଡ଼ିଲା  । ଆଜି ସାବିତ୍ରୀ ବ୍ରତ  ।  ଇଆଡ଼େ ପୂଜା ପାଇଁ ଆୟୋଜନ ସିଆଡେ ଘରଟାଯାକର ଯେତେ କାମ  ।  କୋଉ କାମ ଆଗ କରିବା ଭାବୁ ଭାବୁ ଗାଧୋଇ ପଡି ଆସିଲାଣି ବିନିତା  ।  ଭୋକରେ ପେଟ ଜଳି ଯାଉଛି କିନ୍ତୁ ପୂଜା ନ ସରିଲା ଯାଏ ସିଏ ପାଟିକୁ କିଛି ନେଇ ପାରିବନି  ।  ସିଏ ଗ୍ୟାସ୍ଟ୍ରକ୍ ପେସେଣ୍ଟ୍ ତେଣୁ ମୁଣ୍ଡ ଟା ବି ଭୀଷଣ ବିନ୍ଧୁଛି ,ଭାବିଲା ଚାହା ଟିକିଏ କରି ବିସ୍କୁଟ୍ ଦି ଟା ହେଲେ ଖାଇ ଦିଅନ୍ତା  ।  

           ଚାହା ପ୍ୟାନ୍ ଟା ବସେଇଚି କି ନାହିଁ ଦେଖିଲା ଶାଶୁ କହୁଛନ୍ତି ଆଲୋ ଆଲୋ ଇୟେ କଣ କରୁଛୁ  ; ଜାଣିନୁ କି ଆଜି ବ୍ରତ ବୋଲି  । ଘରର ବଡ ବୋହୁ ହୋଇକି ବ୍ରତରେ ଚୁଲିର ରନ୍ଧା ଖାଦ୍ୟଟା କେମିତି ଖାଉଚୁ  ।  କି ବୁଦ୍ଧି ଯେ ତୋର ? ଆଉ କେତେ ବର୍ଷ ଏ ଘରର ବୋହୁ ହେଲେ ତୁ ଏସବୁ କଥା ବୁଝିବୁ କହିଲୁ ?ବିନିତା ରାଗି ଯାଇ ଚା ବିସ୍କୁଟ ଉଭୟକୁ ନାଳରେ ଫୋପାଡ଼ି ଦେଲା  । ଚୁପ ଚାପ ସମସ୍ତଙ୍କ ବରାଦ ଅନୁସାରେ ଜଳଖିଆ ବନାଇଲା ; ପୁଣି ଖରାବେଳର ଖାଇବା ବି ହେବ  । ତା'ର ସିନା ବ୍ରତ , ଘର ର ବାକି ସମସ୍ତେ ତ ଖାଇବେ ନା  ।  ଶାଶୁ ଶ୍ୱଶୁର ଉଭୟଙ୍କ ଡାଇବେଟିସ ଅଛି ତେଣୁ ଠିକ ସମୟରେ ସେମାନେ ଜଳଖିଆ ଖାଇବେ  ।  ଶାଶୁଙ୍କୁ ବି ସେଥି ପାଇଁ ବ୍ରତ ଫ୍ରତ ରେ ଓପାସ କରିବାକୁ ଡାକ୍ତର ମନା କରିଛନ୍ତି  । ରାଜେଶ ଅଫିସ ଯିବେ ଜଳଖିଆ ଖାଇ ଏବଂ ଲଞ୍ଚ୍ ବକ୍ସ ନେଇ  ।  ନୂଆ ନୂଆ ଜିମ୍ ଯାଉ ଥିବା ସାନ ଦିଅରଙ୍କର ପୁଣି ସବୁ ଅଲଗା ପ୍ରକାରର ଖାଇବା  ।  ଅବଶ୍ୟ ଗୁଡ଼ୁ ଆଉ ମିନି ର ସ୍କୁଲ୍ ଛୁଟି ତଥାପି ସେମାନଙ୍କର ଖାଇବା ନେଇକି ନାନାଦି ଅଝଟ  ।  ଏହି ପରି ଭାବୁ ଭାବୁ ନନା ଆସିଗଲେ ଆଉ ପୂଜା ସରିଲା ବେଳକୁ ପାଖା ପାଖି ଗୋଟାଏ ବାଜିଲା  । ସମସ୍ତଙ୍କୁ ଖାଇବା ବାଢି ଭୋଗ ଟିକିଏ ପାଟିରେ ଦେଇ ଘଡ଼ିଏ ଶୋଇବ ବୋଲି ଭାବିଲା ବେଳକୁ ପହଁଚିଲେ ତାର ଦୁଇ ନଣନ୍ଦ  । ଶାଶୁ ସେମାନଙ୍କୁ ଦେଖି କୁଂଢ଼େ ମୋଟ ହୋଇ ବିନିତାକୁ ଡାକି କି କହିଲେ ଯା ଆଉ ଡେରି କରେନା ଶୀଘ୍ର ନାନୀ ମାନେ ଖାଇବେ ପୁରି ,ଆଳୁ ଦମ୍ ବନା  ।  ବିନିତା କହିଲା କିନ୍ତୁ ବୋଉ , ଆଜି ନାନୀ ମାନେ ପରା ବ୍ରତ କରିଛନ୍ତି ଚୁଲି ରନ୍ଧା ଖାଦ୍ୟ କେମିତି ଖାଇବେ? ଶାଶୁ ହସି ହସି ଉତ୍ତର ଦେଲେ ଆଲୋ ସେମାନେ କଣ ଏ ଘର ରବୋହୁ ? ବିନିତା ବଲ ବଲ କରିକି ଅନାଇ ରହିଥିଲା ରୋଷେଇ ଘର ଥାକରେ ଥିବା ମଇଦା ଡବାଟି ଆଡ଼େ  ।



Rate this content
Log in