ମନଗହନ
ମନଗହନ


ଟିକେ ଶୁଣିବ? କଥା ଅଛି । ତା କଥା ଶୁଣି ଖୁବ୍ ସଂକୋଚର ସହିତ ତାଙ୍କୁ ଚାହିଁଲା ଝିଅଟି । ପରେ ମୁଣ୍ଡ ହଲେଇ ହଁ ମାରିଲା, ଓ ମୁରୁକି ହସଟିଏ ହସିଲା । ପୁଣି ତା ଆଗରେ ଯାଉଥିବା ସେଇ ଝିଅମାନଙ୍କ ଦଳରେ ସାମିଲ ହୋଇଗଲା । ଅର୍ଣ୍ଣବ ଆଶ୍ଚର୍ଯ୍ୟ ଚକିତ ହୋଇ ତାର ଯିବା ରାସ୍ତାକୁ ଅନେଇଥିଲା । ଆରେ! ଏତେଦିନ ଧରି ତାକୁ ଏଇ କଥାଟି କହିବ କହିବ ହୋଇ ୟା ଭିତରେ ସିଏ କେତେଗୁଡାଏ ଦିନ ଯେ ନଷ୍ଟ କରିଦେଲା, ଆଉ ଆଜି ତା’ର କଥା ଶୁଣି ଝିଅଟି ଯେ ଏତେ ସହଜରେ ରାଜି ହୋଇଯିବ, ନିଜର ସମ୍ମତି ପ୍ରକାଶ କରିବ, ସେକଥା ଥିଲା ତାର କଳ୍ପନାର ବାହାରେ । ଖୁବ୍ ଗୋଟେ ଖୁସି ଖୁସି ଭାବ ତାକୁ ଆବୋରି ବସିଲା । ଘଣ୍ଟାକୁ ଚାହିଁଲା ବାରଟା ବାଜି ଚାଳିଶ ମିନିଟ । ତାର ସେକେଣ୍ଡ ଇୟରର ଇଂରାଜୀ କ୍ଳାସ ଆଉ ପାଞ୍ଚ ମିନିଟ ପରେ । ଏଥର ସିଏ କ୍ଲାସ୍ ନେବାକୁ ଚାଲିଲା ।
ଆଜି ଲାଗଲାଗ ହୋଇ ପାଞ୍ଚଟା କ୍ଲାସ୍ । ଏଇ ବୁଧବାରଟାରେ ସିଏ ଭୀଷଣ ଟାୟାର୍ଡ ହୋଇଯାଏ । ଅଧ୍ୟାପନାର ଜୀବନ ତାକୁ ବଡ଼ ଦୁର୍ବିସହ ଲାଗେ । ଅର୍ଣ୍ଣବ ମିଶ୍ର ଇଂରାଜୀ ବିଭାଗର ଅଧ୍ୟାପକ । ବୟସ ପଇଁତିରିଶ, ଅବିବାହିତ । ପିଲାଟି ଦିନରୁ ପିତୃହରା । ଘରେ ଜେଜେମା, ମା’ ଓ ସାନଭଉଣୀଟିଏ । ପିଲାଟି ଦିନରୁ କେମେିତି ଏକ ଚାପଗ୍ରସ୍ତ ଜୀବନ । ବାପା ନଥିବାରୁ ଖାଲିପଣ ଭିତରେ ମନରେ ସବୁବେଳେ ଭୟ ଓ ଆଶଙ୍କା । ଗୋଟିଏ ବୋଲି ପୁଅ କାଳେ ସିଏ ଉଶୃଙ୍ଖଳ ହୋଇଯିବ କି ମା’ ମନରେ ସବୁବେଳେ ଡର । ମା’ର ଧାରଣା ବାପାର ଡରଟିଏ ଓ ବାପର ଛତ୍ରଛାୟା ତଳେ ଥିଲେ ପିଲାମାନେ ଦାୟିତ୍ୱବାନ ହୁଅନ୍ତି, କର୍ତ୍ତବ୍ୟପରାୟଣ ହୁଅନ୍ତି ଯାହାକି ଅର୍ଣ୍ଣବର ନଥିଲା । ସବୁବେଳେ ମା ଅର୍ଣ୍ଣବ ପ୍ରତି ବେଶୀ ପୋଜେସିଭ୍ । ବେଳେ ବେଳେ ଖୁବ୍ ଅଡୁଆ ଲାଗେ ଅର୍ଣ୍ଣବକୁ, ମାତ୍ର ମା’ର ଯାଗାରେ ସିଏ ଯେତେବେଳେ ନିଜକୁ ରଖି ଭାବେ ସେତେବେଳେ ତାର ମନରେ ଆଉକିଛି ଅବସୋସ ରହେନାହିଁ । ମା’ର ତା’ ପ୍ରତି ଥିବା ସ୍ନେହ ଦାୟିତ୍ୱବୋଧ ତାକୁ ଜଳ ଜଳ ହୋଇ ଦିଶେ । ନିଜ ମନକୁ ନିଜେ ସିଏ ବୁଝେଇଦିଏ ।
ମା ଗୋଟିଏ ପ୍ରାଇମେରି ସ୍କୁଲର ହେଡ ମିଷ୍ଟ୍ରେସ୍ । ଘର, ପରିବାର ପୁଣି ଚାକିରୀ କରିବା ଭିତରେ ଚାପଗ୍ରସ୍ତ ଜୀବନ । ପ୍ରତିଦିନ ଶହଶହ ପିଲାଙ୍କ ଦାୟିତ୍ୱ ନେବା ତାର କର୍ତ୍ତବ୍ୟ । ସେଥିରେ ଘରେ ଅଶୀବର୍ଷର ଜେଜମା ତାର ଯେତେସବୁ କାମ ଏ ସବୁ ଭିତରେ ମା ଚକପରି ଘୂରି ଘୂରି ପେଶି ହେଉଥାଏ । ଅର୍ଣ୍ଣବ ସବୁ ଦେଖେ ମା’ର ନାଚାରପଣକୁ ଅନୁଭବ କରେ । ଏବେ ଚାକିରୀ କରିବା ପରେ ଜେଜେମାପାଇଁ ପରିଚାରିକାଟିଏ ରଖିଦେଇଛି ଅର୍ଣ୍ଣବ । କାମ କରିବା ଲୋକଟିଏ ମିଳିଥିବାରୁ ମା’ର କାମ ମଧ୍ୟ ଟିକିଏ ହାଲ୍କା ହୋଇଯାଇଛି । ସେଥିରେ ଜେଜେମା ଅସନ୍ତୁଷ୍ଟ । ତାର ଇଚ୍ଛା ତା’ ବୋହୂ ସବୁବେଳେ ତା’ କାମ କରିବ, ଶାଶୁର କାମ କରିବା ବୋହୂର କର୍ତ୍ତବ୍ୟ । ଚାକର ବାକର କ’ଣ ନିଜଲୋକ ପରି କରିବେ? ଜେଜେମା ଏବେ ପୁରାପୁରି ଶଯ୍ୟାଶାୟୀ । ନିଜ କାମ ନିଜେ କରିପାରନ୍ତି ନାହିଁ । ସେଥିପାଇ? ପରିଚାରିକାଟିଏ ରହିଛି । ମାତ୍ର ସବୁବେଳେ ଜେଜେମା ମୁହଁରେ ମା’ର ନାଁ । ଦିନରାତି ରୁମ୍ ଟା ଭିତରୁ ସୁଧା ସୁଧା ହୋଇ ଡାକ ଛାଡ଼ଥିବେ । ବେଳେବେଳେ ଅର୍ଣ୍ଣବ ବ୍ୟସ୍ତ ହୋଇଯାଏ । ମାତ୍ର ମା, ବୁଝେଇ ଦିଅନ୍ତି, ସିଏ ପୁରୁଣାକାଳିଆ ଲୋକ, ତାଙ୍କର ଚିନ୍ତାଧାରା ଭିନ୍ନ । ଘରେ କାମ କରିବା ଲୋକଟିଏ କାହିଁକି ରହିଛି ବୋଲି ତାଙ୍କର ଅଭିଯୋଗ । ପରିଚାରିକାଟି କେତେ ଦରମା ନିଏ? କ’ଣ ଖାଏ? କ’ଣ ପିଏ? ସେସବୁ କଥା ଜେଜେମା ଜାଣନ୍ତି ନାହିଁ । ନହେଲେ ତାକୁ ଏ ଘରେ ରଖେଇ ଦଅନ୍ତେ ନାହିଁ । ଏତେଗୁଡାଏ ପଇସା କାହିଁକି ଖର୍ଚ୍ଚ ହେଉଛି ଶୁଣିଲେ ତାଙ୍କର ଛାତି ଫାଟିଯିବ । ମାତ୍ର କିଛି ଉପାୟ ନାହିଁ । ମ’କୁ ଟିକିଏ ରିଲାକ୍ସ ତ ଦରକାର ।
ଜୀବନଯାକ ସିଏ କେତେ ଅବା ଖଟିବ । ଆଉ ତାର ଦୁଇବର୍ଷ ଚାକିରୀ ଅଛି । ଘର ଆଉ ସ୍କୁଲ ଭିତରେ ସିଏ ପେଶି ହୋଇଯାଏ ପ୍ରତିଦିନ । ଅବଶ୍ୟ ଏବେ ସାନଭଉଣୀ ବିନ୍ଦୁ ଘରକାମରେ ମା’କୁ କିଛି କିଛି ସାହାଯ୍ୟ କରେ । ସିଏ ମଧ୍ୟ ଅର୍ଣ୍ଣବ ଯାଉଥିବା କଲେଜରେ ଗ୍ରାଜୁଏସନ କରୁଛି । ଭାଇ ଭଉଶୀ ଦୁଇଜଣଯାକ ପ୍ରାୟ ସବୁଦିନ ସାଙ୍ଗହୋଇ କଲେଜରୁ ଫେରନ୍ତି । କଲେଜ ଯିବାବେଳେ କିନ୍ତୁ ଦୁଇଜଣ ଯାକଙ୍କର ଭିନ୍ନ ଭିନ୍ନ ସମୟ । ଯିଏ ଯେଝା ସୁବିଧାରେ ଯାଆନ୍ତି । ଅଭାବବୋଧ, ବାପ ନଥିବାର ଦୁଃଖ, ଅର୍ଣ୍ଣବ ମନରେ ପିଲାଟି ଦିନରୁ ଏକ ଅବସୋସ । କାହିଁକି କେଜାଣି ସ୍କୁଲରେ ପଢ଼ିଳା ବେଳେ ପ୍ୟାରେଣ୍ଟସ୍ ଟିଚର ମିଟିଂବେଳେ ସମସ୍ତଙ୍କର ବାପା ମା ଆସିଥିଲା ବେଳେ ତା’ର କେବଳ ମା’ ଯାଏ । ମନେ ମନେ ଖୁବ୍ ଝୁରିହୁଏ ସିଏ ବାପାଙ୍କୁ । ବାପା ନଥିବାର ଦୁଃଖକୁ ଛାତି ଭିତରେ ଚାପିଧରି ବଡ଼ ହୋଇଛି ସିଏ । ତାର ସାଙ୍ଗମାନେ ବାପାଙ୍କ ସ୍କୁଟର ପଛରେ କିମ୍ବା ଗାଡ଼ିର ଆଗସିଟ୍ରେ ବସି ସ୍କୁଲ ଆସୁଥିଲା ବେଳେ ସିଏ ଯାଏ ତାଙ୍କ ଘର ପାଖେ ରହୁଥିବା ରଥିଆ ଦାଦାଙ୍କ ରିକ୍ସାରେ ବସି । ରଥିଆଦାଦା ତାଙ୍କର ବାଡ଼ିରେ ଥିବା ଆଉଟ୍ ହାଉସରେ ରହନ୍ତି । କୁଆଡ଼େ ବାପା ଥିଲାଦିନୁ ସିଏ ତାଙ୍କର ଘରେ ରହିଛନ୍ତି ତାଙ୍କ ପରିବାର ସହିତ । ତାଙ୍କ ଘର ସହିତ ରଥିଆଦାଦାଙ୍କ ସମ୍ପର୍କ କିନ୍ତୁ ଭିନ୍ନ ପ୍ରକାରର । ସିଏ ରିକ୍ସା ଟାଣିଲେ କଣ ହେଲା, ତାଙ୍କୁ ନିଜ ଘରର ଜଣେ ସଦସ୍ୟ ପରି ସମସ୍ତେ ଭାବନ୍ତି । ସେଇ ରଥିଆ ଦାଦା ତାକୁ ସ୍କୁଲ ନେବା ଆଣିବା କରନ୍ତି, ମା’କୁ ମଧ୍ୟ ତା ସ୍କୁଲକୁ ନିଅନ୍ତି ଆଣନ୍ତି । ଏବେ ବିନ୍ଦୁ ମଧ୍ୟ ତାଙ୍କରି ରିକ୍ସାରେ କଲେଜ ଯାଏ ।
ଘରେ କେହି ନଥିବା ବେଳେ ଘରର ଦାୟିତ୍ୱ ମଧ୍ୟ ତାଙ୍କର । ଜେଜେମା କହେ ରଥିଆଦାଦା ତାଙ୍କ ଘରେ ରହିବା କୁଆଡ଼େ ତିରିଶି ବର୍ଷରୁ ଊଦ୍ଧ୍ୱର୍ ହୋଇ ଗଲାଣି । ଆଗରୁ ମା’ ତା ବାହାଘର କଥା ଘରେ ଯେତେଥର ଉଠେଇଛି, ଅର୍ଣ୍ଣବ ପ୍ରତିଥର ମା’ଙ୍କ କଥା ଶୁଣି ନଶୁଣିଲା ପରି ରହିଛି । ଏତେବର୍ଷ ଭିତରେ ସେ କେତେ ନିଜ ଜୀବନ ବିଷୟରେ ଭାବିନାହିଁ ବାହାଘର ତ ବହୁ ଦୂରର କଥା କୌଣସି ଝିଅ ତାକୁ ଏ ପର୍ଯ୍ୟନ୍ତ ପସନ୍ତ ମଧ୍ୟ ହୋଇନାହାନ୍ତି ।
ବେଳେବେଳେ ମା’ କହନ୍ତି ତୁ ଯଦି କୋଉଠି ଠିକ୍ କରିଛୁ ତାହେଲେ ମତ କହ ଯେଉଁ ବୟସରେ ଯୋଉ କଥା ନା, ତୁ ଏମିତି ହେଲେ କେମିତି ହେବ? ତୋ ବାହାଘର ପରେ ପୁଣି ବିନ୍ଦୁ ବାହାହେବ ନା ନାହିଁ । ଆମର ବା କିଏ ଅଛି ତୁମମାନଙ୍କ ଦାୟିତ୍ୱ ନେବ । ଯାହା କରିବି ମୁଁ ଏକା । ସବୁ ବେଳେ ମା’ ଏମିତି କଥାକହି ବାପା ନଥିବାର ଦୁଃଖ ଆଉ ଏକୁଟିଆ ପଣର ଦ୍ୱାହିଦେଇ ମତେ ଦୁର୍ବଳ କରିଦିଅନ୍ତି ।ହେଲେ ଅର୍ଣ୍ଣବ ଆଜି ବହୁତ ଖୁସି, କେଜାଣି କାହିଁକି ସେ ବବ୍କରା ଶ୍ୟାମଳୀ ତନୁପାତଳୀ ଝିଅଟିକୁ ଦେଖିଲା ଦିନୁ ତାକୁ ଖୁବ୍ ଭଲ ଲାଗୁଛି । କଲେଜରେ ପହଞ୍ôଚଲା ପରେ ମନ ଆପେ ଆପେ ତାକୁହିଁ ଖୋଜିବୁଲେ । କାହିଁକି କେଜାଣି ତାକୁ ନଦେଖିଲା ପର୍ଯ୍ୟନ୍ତ ମନଟା କୋଉଠି ଲାଗେ ନାହିଁ । ବି.ଏ. ପ୍ରଥମ ବର୍ଷର ଛାତ୍ରୀ ସିଏ । ଇକୋନମିକ୍ସ ଅନର୍ସ ତାର । ଅର୍ଣ୍ଣବ ଅନ୍ୟମାନଙ୍କ ସାହାଯ୍ୟ ନେଇ ଏଇ ମାତ୍ର ଝିଅଟି ବିଷୟରେ ଯାହା ଯୋଗାଡ଼ କରିଛି, ତାହା ହେଲା, ନାଁଟି ତାର ଅନିନ୍ଦିତା (ଆନି) । ତାର ସାଙ୍ଗମାନେ ତାକୁ ଆନି ଡାକୁଥିବାର ଅର୍ଣ୍ଣବ ବହୁତବାର ଶୁଣିଛି ।
ସେଦିନ ମଧ୍ୟ ସିଏ ଡାକିଲା ଆଜି ଟିକିଏ କଥା ଅଛି, କ୍ଲାସ ପରେ ଦେଖା କରିବ । ଖୁବ୍ ସହଜରେ ଆନି ତାର ବବ୍କରା ବାଳକୁ ଟିକିଏ ପଛକୁ କରିଦେଇ ମୁଣ୍ଡ ଟୁଙ୍ଗାରି ନିଜର ସମ୍ମତି ଜଣେଇଲା ଆଉ ସାଙ୍ଗମାନଙ୍କ ସହ ଡେଇଁ ଡେଇଁ ଚାଲିଗଲା । ଖୁବ୍ ବେପରୁଆ ସାଧାସିଧା ଖୁସି ମିଜାଜର ଝିଅଟିଏ । ଶ୍ୟାମଳ ରଙ୍ଗରଯେ ଏତେ ମାଦକତା ଥାଇପାରେ ତାହା ତାକୁ ହିଁ ଦେଖି ଉପଲବ୍ଧି କରିଛି ଅର୍ଣ୍ଣବ । ଆଜିକାଲି ଗୋରା ଚମଡ଼ା ପାଇବାପାଇଁ କିଏ କେତେ ପ୍ରକାର କସରତ ନ କରୁଛନ୍ତି । ଟିଭି ଖୋଲିଲେ ଫେୟାର ଆଣ୍ଡ୍ ଲଭ୍ଲି କ୍ରିମ୍ ଠାରୁ କାହିଁ କେତେ ବିଦେଶୀ ପ୍ରସାଧନର ବିଜ୍ଞାପନ । ଖାଲି ଗୋରା ହୋଇଗଲେ କଣ ଝିଅମାନେ ସୁନ୍ଦର ଦିଶନ୍ତି । ଅବଶ୍ୟ ଏ ଧାରଣା ଏବେ ସମସ୍ତଙ୍କ ମନରେ । ମାତ୍ର ଅର୍ଣ୍ଣବ ସମସ୍ତଙ୍କ ଠାରୁ ଭିନ୍ନ । ତାର ସୌନ୍ଦର୍ଯ୍ୟବୋଧ ମଧ୍ୟ ଅନ୍ୟମାନଙ୍କ ଠାରୁ ନିଆରା ।ତା ମନକୁ ମାନିଛି ଅନିନ୍ଦିତା । ତାର ଶ୍ୟାମଳ ରଙ୍ଗ, କଥାକୁହା ଆଖି, ତା ଭିତରେ ଥିବା ହରିଣୀର ଚଞ୍ଚଳତା ସବୁ ଯେମିତି ଅର୍ଣ୍ଣବର ମନକୁ ଛୁଇଁଲା ଭଳି । ଅର୍ଣ୍ଣବ ଦେଖିବାକୁ ଗୋରା ତକତକ ହେଲେ ତା ଦେହର ରଙ୍ଗକୁ ସେ ଆଦୌ ଭଲପାଏ ନାହିଁ । ତାକୁ ଦେଖିଲେ ସମସ୍ତେ ସୁନ୍ଦର ଓ ସ୍ମାର୍ଟ ବୋଲି କହନ୍ତି । ଅର୍ଣ୍ଣବ ମିଶ୍ର ପାଞ୍ଚଫୁଟ ଏଗାର ଇଞ୍ଚ । ଗୋରା ତକତକ ବରି ଚେହେରା । ଇଂରାଜୀରେ ଗୋଲ୍ଡ ମେଡାଲିଷ୍ଟ । ତା’ପାଇଁ କଲେଜରେ ଝିଅମାନେ ପାଗଳ । ତା’ର ସହକର୍ମୀ ଅବିବାହିତା ମାନେ ମଧ୍ୟ ଅର୍ଣ୍ଣବକୁ ପାଇବାପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା କରନ୍ତି । ମାତ୍ର ଅର୍ଣ୍ଣବର ମନ ମୋହି ନେଇଛି ସେହି ଶ୍ୟାମଳି ଚୁଲ୍ବୁଲି ଝଅଟା ।
ସେଦିନ ଦ୍ୱିତୀୟ ବର୍ଷର ଇଂରାଜୀ କ୍ଲାସ୍ ନେଲାବେଳେ ଅର୍ଣ୍ଣବ ବାରମ୍ବାର ଅନ୍ୟମନସ୍କ ହୋଇ ପଡୁଥିଲା । ଏବେ ଏଇ କ୍ଲାସ ପରେ ଆନି ସହିତ ଦେଖାହେଲେ ତାକୁ ସେ କଣ କହିବ? କେମିତି ବି କହିବ ଗୁରୁଛାତ୍ରର ସମ୍ପର୍କ ଯେତେବେଳେ ତାର ଗାରିମାକୁ ବଜାୟ ରଖି କଣ କେମିତି କୁହାଯାଇ ପାରିବ ସେ କଥା ଭାବି ତା ଦେହରେ ଝାଳ କଣ୍ଟେଇ ଆସିଲା । କେମିତି କହିବ ଆନି ମୁଁ ତୁମକୁ ଲାଇକ୍ କରେ ଭଲ ପାଏ ବୋଲି । ଆନି କଣ ଭାବିବ ତା ବିଷୟରେ! ସିଏ ଯେ ତାର ଗୁରୁ । ଅର୍ଣ୍ଣବ ପୁଣି ଭାବିଲା ତାକୁ ଏସବୁ କଥା ନକହି ତା ଘରଲୋକଙ୍କ ବିଷୟରେ କି ତା ନିଜ ବିଷୟରେ ତାକୁ ପଚାରାଯାଇ ପାରିବ । ସେକଥା ମନକୁ ଆସିଲାକ୍ଷଣି ଅର୍ଣ୍ଣବ ଟିକେ ଆଶ୍ୱସ୍ତ ହେଲା ।
ସତରେ ଝିଅମାନଙ୍କ ବ୍ୟାପାରରେ ସିଏ ଖୁବ୍ ଅନାଡ଼ି । ସେ ଝିଅଟିକୁ ଏତିକି କଥା କହିବାକୁ ତାକୁ ଛଅମାସ ଲାଗିଗଲାଣି । ଏଇ ଛଅମାସ ଭିତରେ ସିଏ କେତେ ଯେ ମାନସିକ ଯନ୍ତ୍ରଣା ଭୋଗି ସାରିଲାଣି ସେ କଥା ନକହିଲେ ଭଲ ।କ୍ଲାସ ସାରି ବାହାରକୁ ବାହାରିଲା ବେଳକୁ ଅର୍ଣ୍ଣବ ଦେଖିଲା ଲେକ୍ଚର୍ସ କମନ୍ ରୁମ୍ ସାଇଟ୍ରେ ଆନି ଠିଆ ହୋଇଛି ବାଧ୍ୟଛାତ୍ରଟିଏ ପରି, ଖୁବ୍ ଚୁପ୍ଚାପ୍ ଗୁରୁଗମ୍ଭୀର ମୁଦ୍ରାରେ । ନା, ଏଇଠି ତା ସହିତ କଥାବାର୍ତ୍ତା କରିହେବ ନାହିଁ ସମସ୍ତଙ୍କ ସାମ୍ନାରେ । ଅର୍ଣ୍ଣବ ତା ପାଖକୁ ଯାଇ ତା ପଛେ ପଛେ ଆସିବାପାଇଁ ତାକୁ କହିଲା । ଆର୍ଟସ୍ବ୍ଲକ୍ ସାଇନ୍ସ ବ୍ଲକ୍ ଡେଇଁ କମର୍ସ ବ୍ଲକ୍ ଆଡକୁ ମୁହାଁଇଲା ବେଳକୁ ଅର୍ଣ୍ଣବ ଦେଖିଲା ଆନି ତା ପଛେ ପଛେ ଆସୁନାହିଁ । ପଛକୁ ଫେରିଲା ଅର୍ଣ୍ଣବ, ଆନି କୁଆଡ଼େ ଗଲା । ଆରେ! ଝିଅଟା କୁଆଡ଼େ ଚାଲିଗଲା ତାକୁ ଭୁଆଁ ବୁଲେଇ ଦେଇକି । ଅର୍ଣ୍ଣବ ଯେଉଁବାଟ ଦେଇ ଯାଇଥିଲା ପୁଣି ସେଇବାଟ ଦେଇ ଫେରିଲା ସିଏ । ମାତ୍ର ଆନିର ଚିହ୍ନବର୍ଣ୍ଣ ନଥିଲା । ଏଥର ଅର୍ଣ୍ଣବ ମନେମନେ ଖୁବ୍ ଅପମାନିତ ବୋଧକଲା । ଆରେ ସିଏ ଏ କଲେଜର ଜଣେ ଶିକ୍ଷକ ତାର ଛାତ୍ରୀଟିଏ ହୋଇ ଆନି ତା ସହିତ ଏପରି ବ୍ୟବହାର କେମିତି କରିପାରିବ? ଯଦି ତା କଥା ସିଏ ନଶୁଣିବ ତାହେଲେ ତା ପଛେ ପଛେ କାହିଁକି ସିଏ ଆସୁଥିଲା । ଏମିତି ଗୁଡ଼ାଏ କଥା ଭାବିଭାବି ଅର୍ଣ୍ଣବକୁ ଖୁବ୍ ଅପମାନିତ ଲାଗିଲା । ହେଲେ ସେ ଆନି ଉପରେ ରାଗି ପାରିଲା ନାହିଁ । ଭାବିଲା ହଉ ତା ସହିତ ଦେଖାହେଲେ ତାକୁ ସେ ଏ ବିଷୟରେ ପଚାରିବ । ଆଜି ନହେଲେ କାଲିତ ନିଶ୍ଚୟ ଦେଖାହେବ ।ଏବେ ଆହୁରି ତିନିଟା କ୍ଲାସ୍ ତାର ବାକି ଅଛି ନେବାକୁ । ଅପମାନର ଜ୍ୱାଳାରେ ମୁଣ୍ଡଟା ଧକ୍ଧକ୍ ହୋଇ ବିନ୍ଧିବାକୁ ଆରମ୍ଭ କଲାଣି । ଭାବିଲା ଆଜି ଆଉ ସେ କ୍ଲାସ୍ ନେଇପାରିବ ନାହିଁ । ଘରକୁ ଫେରିଯିବାପାଇଁ ବାହାରିଲା ସିଏ ହାଫ୍ ଡେ ଛୁଟି ଦରଖାସ୍ତଟିଏ ଦେଇ, କଲେଜ ଗେଟ୍ ପାଖରୁ ଖୁବ୍ ଗୋଟେ ବଡ଼ ପଟୁଆର କଲେଜ ଭିତରକୁ ପଶୁଥିଲା । ଖୁବ୍ ଭିଡ଼ ହୋଇଥିଲା କଲେଜ ସାମ୍ନାଟା । ଅନେକ ପିଲା ଗେଣ୍ଡୁଫୁଲର ମାଳ ଗୋଟେ ଗୋଟେ ଧରି ଛିଡ଼ା ହୋଇଥିଲେ । ଅର୍ଣ୍ଣବ ପଚାରିଲା ଏତେ ଭିଡ଼ କାହିଁକି ହେଇଛି? ପାଖରେ ଠିଆ ହୋଇଥିଲା ପିଲାଟିଏ କହିଲା, ସାର୍ ଆପଣ ଜାଣିନାହାନ୍ତି କି? ଆଜି ଆମର କଲେଜର ଗୋଟେ ଝିଅକୁ ପରା ଟ୍ରକ୍ଟାଏ ମାଡ଼ିଦେଇଛି ଓଏମ୍ପି ଛକ ପାଖରେ । ଝିଅଟା କଲେଜ ଆସୁଥିଲା ରାସ୍ତାପାର ହେଲା ବେଳକୁ କୁଆଡ଼େ ଥିଲା ସେ ଟ୍ରକ୍ଟା ତାକୁ ମାଡ଼ିଦେଲା । ସକାଳ ପହରୁ ଆମେ ସେଠି ତା ଶବ ରଖି ରାସ୍ତାରୋକ କରିଥିଲୁ । କଲେକ୍ଟର ଆସିକି ସମସ୍ତଙ୍କୁ ଅନୁରୋଧ କଲେ ରାସ୍ତାରୋକ ଉଠେଇବାକୁ । ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ ଆଉ ସେ ଝିଅର ପରିବାରକୁ କ୍ଷତିପୂରଣ ମଧ୍ୟ ଦିଆଯିବ ବୋଲି ଆଶ୍ୱାସନା ଦେଲେ । ମାତ୍ର ସାର୍ ଜାଣିଛନ୍ତି ତାର ପରିବାର ବିଷୟରେ ଯୋଗାଯୋଗ କରିବାରୁ ଜଣାପଡ଼ିଲା ଝିଅଟି ନୂଆବଜାରର ଗୋଟେ ଅନାଥ ଆଶ୍ରମରେ ରହୁଥିଲା । ପରିବାର କହିଲେ ତାର ସେହି ଅନାଥ ଆଶ୍ରମର ଅନ୍ତେବାସୀ । ଯଦି କ୍ଷତିପୂରଣ ମିଳେ ସେହି ଅନାଥ ଆଶ୍ରମର ପିଲାମାନଙ୍କୁ ମିଳିବ । ସେଇମାନେ ହିଁ ତାର ପରିବାର ।ଆରେ! ସୋ ସାଡ୍ ନିଉଜ୍ । ଅର୍ଣ୍ଣବ ପାଟିରୁ ବାହାରି ପଡ଼ିଲା । କୋଉ ଇୟରର ସେହି ଝିଅଟି ନା କ’ଣ ତାର? ଭିଡ଼ ଭିତରୁ ପିଲାଟିଏ କହିଲା ବି.ଏ. ପ୍ରଥମବର୍ଷ ସାର୍ । ନା ତା’ର ଅନିନ୍ଦିତା ଦାସ (ଆନି) ।
ଅର୍ଣ୍ଣବ ଚମକି ପଡ଼ିଲା । କହିଲା କେଡ଼େ ଗାଲୁଆ ପିଲାଗୁଡ଼ାକ କିରେ, ମୁଁ ପରା ଏଇ ଟିକିଏ ଆଗରୁ ଆନିକୁ ପ୍ରିନ୍ସପାଲଙ୍କ ରୁମ୍ ପାଖରେ ଚୁପ୍ଚାପ୍ ଛିଡ଼ା ହୋଇଥିବାର ଦେଖିଥିଲି । ତୁମେମାନେ ଆଉ କୋଉ ଆନି କଥା କହୁଛ? ଅର୍ଣ୍ଣବ ଦୌଡ଼ିଗଲା ଶବଥିବା ଆମ୍ବୁଲାନ୍ସ ପାଖକୁ । ମାତ୍ର ଏ କଣ ଦେଖୁଛି । ଫୁଲର ବିଛଣା ଭିତରେ ଆନି ହିଁ ତ ଶୋଇଛି । ତାର ମୁଣ୍ଡଟା କଣ ହୋଇଗଲା । ଆନି ଆନି ଡାକି ମନଟା ହାହାକାର କରି ଉଠିଲା । ସେଇଠି ପଡୁ ପଡୁ ପିଲାମାନେ ତାକୁ ଧରି ପକେଇଲେ, କହିଲେ - ସାର୍ ଆପଣ ଏତେ ନରଭସ୍ । କାହିଁକି ଡେଡ୍ବଡି ଦେଖୁଥିଲେ? ଅର୍ଣ୍ଣବର ମୁଣ୍ଡ ଭିତରଟା ଚକ୍କର କାଟୁଥିଲା । ସିଏ ଭାବୁଥିଲା ଏକଥା କେମିତି ସମ୍ଭବ । ଏଇ ଘଣ୍ଟାଏ ଆଗରୁ ତ ଆନିକୁ ସିଏ ସଶରୀରରେ କଲେଜ ଭିତରେ ଦେଖିଥିଲା?