Sujata Mohapatra

Romance Tragedy

3  

Sujata Mohapatra

Romance Tragedy

ଏଇତ ଆରମ୍ଭ

ଏଇତ ଆରମ୍ଭ

15 mins
573


କହିଲ କହିଲ ଦେଖି ଜେଜେମା ମୁଁ କେମିତି ଦିଶୁଛି? କୁହ... କୁହ... ଆଖି ଟେକି ଚାହିଁଲେ ସରୋଜିନୀ ତାଙ୍କ ଆଖିରେ ଚମକ ଖେଳିଗଲା ଯେମିତି ।


ସବୁବେଳେ ଜିନ୍ ଟପ୍ ପିନ୍ଧୁଥିବା ଶ୍ରେୟାକୁ ଏମିତି ବେଶରେ ଦେଖି ସତରେ ସେ ବିଭୋର ହୋଇଗଲେ । ତାଙ୍କର କଣ୍ଢେଇ ଯେ ଏତେ ସୁନ୍ଦର ଦିଶିପାରେ ସେକଥା ଥିଲା ତାଙ୍କ କଳ୍ପନାର ବାହାରେ । ଆଜି ନାଲି ପାଟଶାଢ଼ୀ ପିନ୍ଧି ଗହଣାରେ ମଣ୍ଡି ହୋଇ ସେ ଦିଶୁଥିଲା ଅପରୂପା ସୁନ୍ଦରୀ । ନାତୁଣୀକୁ ଚାହିଁ ଆଖିରେ ପଲକ ପଡୁନଥିଲା ତାଙ୍କର ।


ଶ୍ରେୟା କହିଲା କ’ଣ ମ ଏତେ ଦେଖୁଛ? କୁହ ମୁଁ ଆଜି କେମିତି ଦିଶୁଛି? ସରୋଜିନୀ ଖୁସିରେ ହାତ ପ୍ରସାରିତ କରିଦେଲେ । ଶ୍ରେୟା ତାଙ୍କ ପାଖକୁ ଦୌଡ଼ିଆସି ତାଙ୍କୁ କୁଣ୍ଢେଇ ଧରିଲା ଆଉ କହିଲା ଜେଜେମା ଏତେ କ’ଣ ଭାବୁଛ ଯେ କୁହ ମୁଁ ଆଜି ଭଲ ଦିଶୁଛି କି ନାହିଁ? ସରୋଜିନୀ କଣ କହିବେ, କୋଉ ଭାଷାରେ ପ୍ରକାଶ କରିବେ ଶବ୍ଦ ମିଳୁନଥିଲା ତାଙ୍କୁ । ଶ୍ରେୟାକୁ କୁଣ୍ଢେଇ ଧରି ଆଖିରୁ ଅମାନିଆ ଲୁହଗୁଡ଼ା ଝରିଗଲା ସିନା କିଛି ଭାଷା ପାଇଲେନି ତାକୁ କହିବାକୁ । ଶ୍ରେୟାର ସୌନ୍ଦର୍ଯ୍ୟକୁ କଣ ଭାଷାରେ ବର୍ଣ୍ଣନା କରିହେବ । ମନେ ମନେ ଗୁଣୁଗୁଣୁଉଥିଲେ ସିଏ ।

ଶ୍ରେୟା କହିଲା ବାହାହ, ବାହାହ, କହି କହି ତ ମତେ ରଖେଇ ଦେଲନି । ଦେଖ ତୁମକଥାରେ ରାଜିହୋଇ ଆଜି ମୁଁ ବାହା ହେଉଛି । ଆଉ ଟିକକ ପରେ ଅନୁରାଗ ବରବେଶରେ ଆସି ମତେ ତୁମ ପାଖରୁ ଛଡ଼େଇ ନେବ । ଏବେ କାନ୍ଦିଲେ କ’ଣ ହେବ ଯେ? ମୁଁ ସେଥିପାଇଁ କହୁଥିଲି ମୁଁ ବାହା ହେବିନି ସବୁଦିନ ତୁମ ପାଖରେ ରହିବି ।


ଛଡେଇ ନେବ ଛଡେଇ ନେବ, ଏଇ ଗୋଟାଏ ଶବ୍ଦ ପୁଣି ସରୋଜିନୀକୁ ଆହୁରି ଉଦାସ କରିଦେଲା । ଛାତି ଭିତରଟା ମନ୍ଥି ହୋଇଗଲା । ନିଶ୍ୱାସ ଅଟକିଗଲା ପରି ଲାଗିଲା । ବିଚଳିତ ହୋଇଗଲେ ସିଏ । ଏ ସତୁରୀ ବର୍ଷର ଶରୀର ଆଉ ବୋଲ ମାନୁନାହିଁ । ଗୁଡ଼ାଏ ସୁଖ କି ଗୁଡ଼ାଏ ଦୁଃଖ ସହିବାର କ୍ଷମତା ଆଉ ତାଙ୍କର ନାହିଁ । ନାତୁଣୀ ବାହାହେବାର ସୁଖ ଓ ଏ ଘରୁ ସେ ବିଦା ହୋଇଯିବାର ଦୁଃଖକୁ ସେ ସିଏ ସହିପାରିବେ କି ନାହିଁ କେଜାଣି? ତାଙ୍କର ଏ ଅବସ୍ଥା ଦେଖି ଶ୍ରେୟା ଦୌଡ଼ିଗଲା ପାଣି ଆଣିବାକୁ । ତାଙ୍କ ମୁହଁ ପାଖରେ ପାଣିଗ୍ଲାସ୍ ଟା ଧରି ତାଙ୍କୁ ପିଆଇ ଦେଉଦେଉ କହିଲା- କ’ଣ ହେଲା ଜେଜେମା ତୁମେ ଯଦି ଏମିତି ହେବ ତାହେଲେ ମୁଁ ଜମା ବାହା ହେବିନି କହିଦେଉଛି । ଏବେ ଫୋନକରି ସମସ୍ତଙ୍କୁ କହିଦେଉଛି ଯେ ଏ ବାହାଘର ବନ୍ଦ । ଶ୍ରେୟା ତା ଘର କି ତା ଜେଜେମାକୁ ଛାଡ଼ି କୁଆଡ଼େ ବି ଯିବନି ।


ଶ୍ରେୟା କଥା ଶୁଣି ଚମକି ପଡ଼ିଲେ ସରୋଜିନୀ । ଏ ଝିଅଟାର ମୁଣ୍ଡ ଖରାପ ହୋଇଯାଇଛି ନା କଣ? ବାହାଘର ଦିନ କହୁଛି ଫୋନ୍କରି ସମସ୍ତଙ୍କୁ ମନା କରିଦେବ । ଶ୍ରେୟାର ମୁଣ୍ଡକୁ ସ୍ନେହରେ ଆଉଁଷି ଦେଉ ଦେଉ ସରୋଜିନୀ କହିଲେ ମୋ କଣ୍ଢେଇ ପରି ଝିଅ କଣ ଏ ସଂସାରରେ ଅଛନ୍ତି । ମୋ ଝିଅ ସୁନ୍ଦରୀ ଯେମିତି ଗୁଣରେ ମଧ୍ୟ ସେମିତି । ମୋ ଝିଅପରି ବୁଦ୍ଧିଆ ଭଲ ଝିଅ କଣ ଏ ଖଣ୍ଡ ମଣ୍ଡଳରେ ମିଳିବେ? ଥାଉ ଥାଉ ଏବେ ଆଉ ଏତେ ପ୍ରଶଂସା କରନି । ମୁଁ ଜମା ଭଲଝିଅ ନୁହେଁ । ମୁଁ ଭଲଝିଅ ହୋଇଥିଲେ ତୁମକୁ ଆଉ ବାପାଙ୍କୁ ଏ ଅବସ୍ଥାରେ ଛାଡ଼ି କଣ ବାହାହେବାକୁ ରାଜି ହୋଇଥାନ୍ତି । ତୁ କାହିଁକି ଏମିତି କହୁଛୁ? ଆଜିପରି ଏ ଶୁଭ ଦିନରେ । ବାପାର ଆଉ ମୋର କଣ ହୋଇଛି ଯେ ତୁ ଆମପାଇଁ ଏତେ ବ୍ୟସ୍ତ ହେଉଛୁ । ବାପା ପାଇଁ ମୁଁ ଅଛି । ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ବାପାର କିଛି ହେଲେ ଅସୁବିଧା ହେବନି । ଏବେବି ଏ ବୁଢ଼ି ହାଡ଼ରେ ସେତିକି ଶକ୍ତି ଅଛି ମୋ ପୁଅର ସେବା ଶୁଶ୍ରୁଷା କରିବାପାଇଁ ସେଥିପାଇଁ ତୁ ଜମା ବ୍ୟସ୍ତ ହନା । ଏବେ ଗଲୁ ଗଲୁ ସମସ୍ତେ ତତେ ସେଠି ଅପେକ୍ଷା କରିଥିବେ ସିଆଡ଼େ ବର ଆସି ପହଞ୍ଚିଯିବ ପଛେ ତୁ ପହଞ୍ଚି ନଥିବୁ । ତୁ ଗଲାପରେ ବାପା ଆଉ ମୁଁ ଯିବୁ । ଗଲୁ ଗଲୁ ମୋ ସୁନା ଝିଅଟା ପରା । ନହେଲେ ତୋପାଇଁ ପୁଣି ସବୁକାମ ଅଟକି ଯିବ ।

ଆଜି ଶ୍ରେୟାର ବାହାଘର, ଘର ପାଖରେ ଥିବା ଗୋଟେ ହୋଟେଲ୍ ରେ ବ୍ୟବସ୍ଥା ହୋଇଛି । ସମସ୍ତେ ବାହାଘରପାଇଁ ବ୍ୟସ୍ତ ଘରୁ ହୋଟେଲ୍ ହୋଟେଲ୍ ରୁ ଘର ସମସ୍ତେ ଖାଲି ଏପଟ ସେପଟ ଦୌଡ଼ୁଛନ୍ତି । ସଂଧ୍ୟା ସାତଟା ବାଜିବାକୁ ହେଲାଣି । ସିଆଡେ ଅତିଥିମାନଙ୍କର ଆସିବା ମଧ୍ୟ ଆରମ୍ଭ ହୋଇଯିବ । ଶ୍ରେୟାକୁ ନେଇ ବଡ଼ଝିଅ ହୋଟେଲ୍ କୁ ଯିବାକୁ ତରତର ହେଉଛି । ଗଲାବେଳେ ଶ୍ରେୟା ବାରମ୍ବାର କହୁଛି ଜେଜେମା ତୁମେ ଶିଘ୍ର ଆସିବ, ନହେଲେ ମୁଁ ଜମା ବାହା ହେବିନି । ମନଟା ବହୁତ ଚଞ୍ଚଳ ହେଉଛି କ’ଣ କରିବେ କିଛି ଭାବି ପାରୁନାହାନ୍ତି ସରୋଜିନୀ ।


ଠିକ୍ ସେତିକିବେଳେ ପାଖ ରୁମ୍ ରୁ ସୁଧିର ଡାକିଲା ମା’ ମା’ ସରୋଜିନୀ ଆଉ ଭାବିବେ କଣ ପୁଅ ରୁମ୍ କୁ ଦୌଡ଼ିଲେ । ପରିଶ୍ରା କରିବ ବୋଲି କହିଲା ସୁଧିର । ତା ପାଖକୁ ବେଡ୍ ପ୍ୟାନ୍ ଟା ନେଉ ନେଉ ବିଛଣାରେ ପରିଶ୍ରା ହେଇଗଲା । ବ୍ୟସ୍ତ ହୋଇପଡ଼ିଲା ସୁଧିର । ସରୋଜିନୀ କହିଲେ ମୁଁ ସାଙ୍ଗେ ସାଙ୍ଗେ ବେଡସିଟ୍ ବଦଳେଇ ଦେଉଛି ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି? ପରିଶ୍ରା ହୋଇଗଲା ତ ହୋଇଗଲା କଣ ହୋଇଗଲା ସେଇଠୁ । ସତୁରୀ ବର୍ଷର ମା, ତା ପାଇଁ ଏ ବୟସରେ କେତେ ହଇରାଣ ହେଉଛି ସେକଥା ଦେଖି ସୁଧିରକୁ ଖୁବ୍ ଖରାପ ଲାଗୁଥିଲା ।


ଦୀର୍ଘ ଦୁଇବର୍ଷ ହେଲାଣି ସେ ବିଛଣାରେ ପଡ଼ିଛି ବ୍ରେନ୍ ଷ୍ଟ୍ରୋକ୍ ହୋଇ ତା ଡାହାଣ ପଟଟା ପୁରାପୁରି ଅଚଳ । ବିଛଣାରୁ ସେ ଆପେ ଆପେ ଉଠିପାରେ ନାହିଁ । ମା ତାର ସବୁ କାମ କରେ । ପଇଁଚାଳିଷି ବର୍ଷର ପୁଅର ସେବା ସତୁରୀ ବର୍ଷର ମା ଅନବରତ କରୁଥାଏ । କି ଭାଗ୍ୟ ତାର ସତରେ, ମା କଥା ଭାବି ସୁଧିର ଆଜି ସତରେ ଇମୋସନାଲ୍ ହେଇଗଲା । ଆଜି ମା ନଥିଲେ ତା ଅବସ୍ଥା କଣ ହୋଇଥାନ୍ତା । ଖାଲି ତା ପାଇଁ ନୁହେଁ ତା ଝିଅକୁ ମଧ୍ୟ ମଣିଷ କରିଛି ଏଇ ମା । ମା ବିନା ଏ ଘରର କଳ୍ପନା ମଧ୍ୟ କରାଯାଇ ପାରେନା ।


ତା ଝିଅକୁ ମାତ୍ର ତିନିବର୍ଷ ହୋଇଥିଲା ତା ସ୍ତ୍ରୀ ମନିଷା ପଦେ କଥାରେ ଏ ଘରଛାଡ଼ି ଚାଲିଗଲା । ଟିକିଏ ବି କିଛି ଚିନ୍ତା କଲାନି । ଚାଲିଗଲା ଯେ ଚାଲିଗଲା ତିନିବର୍ଷର ବାଳୁତ ପିଲାର କଥା ମଧ୍ୟ ଭାବିଲା ନାହିଁ ଚାକିରୀ ଖଣ୍ଡେ କରିଥିଲା ବୋଲି ସେଇ ଗର୍ବରେ । କି ଉଦ୍ଧତ ସଂସ୍କାରବିହୀନ ଅମଣିଷଟାଏ ସିଏ । କାହା ପ୍ରତି ସ୍ନେହ ନାହିଁ ଶ୍ରଦ୍ଧା ନାହିଁ, ଭକ୍ତିତ ଦୂରର କଥା କେମିତି ଏକ ରୁକ୍ଷ ସ୍ୱଭାବର ମଣିଷଟାଏ । ଏ ଘରର ମଣିଷଗୁଡ଼ା ଯେମିତି ଥିଲେ ତା ପାଦ ତଳର ପାଣ୍ଡୋଇ । ଚାକିରି ଖଣ୍ଡେ କରିଥିଲା ବୋଲି କାହାକୁ ମାନୁ ନଥିଲା ସିଏ । ଯୋଉ କଥାକୁ ସୁଧିର ଆଦୌ ସହିପାରି ନଥିଲା । ମନିଷାର କଥାବାର୍ତ୍ତା ବ୍ୟବହାର ସବୁ ଥିଲା ତାପାଇଁ ତଥା ତା ପରିବାରପାଇଁ ଅସହ୍ୟ । ତଥାପି ତା ବାପା ମା, ଘରର ମାନ ମର୍ଯ୍ୟାଦା ବାହାରେ ପଡ଼ିବ ବୋଲି ମୁହଁ ବନ୍ଦକରି ସବୁକଥା ସହି ଯାଉଥିଲେ । ମାତ୍ର ସୁଧିର ସହିପାରି ନଥିଲା ତା ସ୍ତ୍ରୀର ଔଦ୍ଧତ୍ୟକୁ । ପରିବାରର ଗୋଟିଏ ବୋଲି ପୁଅ ହୋଇ ତା ବାପା ମାକୁ ସେ କଣ ଏମିତି ଜୀବନଟିଏ ଦେବ ବୋଲି ଭାବିଥିଲା । ସେଥିପାଇଁ ସୁଧିର ସହିପାରି ନଥିଲା ତାର ସ୍ତ୍ରୀର ଔଦ୍ଧତ୍ୟକୁ, ଯାହାର ପରିଣାମ ହୋଇଥିଲା ମନିଷା ଘର ଛାଡ଼ି ସମସ୍ତଙ୍କ ନାରେ ମିଥ୍ୟା ଆରୋପ କରି, ଚାଲିଯାଇଥିଲା । ପରେପରେ ସମସ୍ତଙ୍କୁ କୋର୍ଟକୁ ଘୋଷାଡ଼ିଥିଲା । ବାପା ମା ପରିବାର ସମସ୍ତେ ଏ ଘଟଣାରେ ଭାଙ୍ଗି ପଡ଼ିଥିଲେ ଯେମିତି । ବାପା ତ ସେଇ ଚିନ୍ତାରେ ମାତ୍ର ଷାଠିଏ ବର୍ଷରେ ଆଖି ବୁଜି ଦେଇଥିଲେ । ନିଜର ସୁନା ସଂସାରକୁ ଚୁନା ହେଉଥିବା ଦେଖି ଭାଙ୍ଗି ପଡ଼ିଥିଲେ ସିଏ । ନିଜର ମାନସମ୍ମାନ ଏମିତି ଦାଣ୍ଡରେ ନିଲାମ ହେବାକୁ ସେ ସହିପାରି ନଥିଲେ । ରିଟାୟାର୍ଡ କରିବାର ମାତ୍ର ଦୁଇଟା ବର୍ଷ ଭିତରେ ସେ ଚାଲିଗଲେ । ଏମିତି ଅଚାନକ ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲା ସୁଧିର, ଗୋଟେ ଅପରାଧ ବୋଧରେ ସନ୍ତୁଳି ହେଉଥିଲା ସିଏ ।


ବାପା ଯିବାପରେ ଘର ତାଙ୍କର ନୀରବି ଯାଇଥିଲା ଯେମିତି । ମା ତ ପୁରାପୁରି ମୂକ ପାଲଟି ଯାଇଥିଲା । ଏଇ ଶ୍ରେୟା ସେତେବେଳକୁ ମାତ୍ର ତିନିବର୍ଷର ହୋଇଥିଲା । କିଛି ବୁଝି ପାରୁନଥିଲେ ମଧ୍ୟ ଦିନେ ହେଲେ ସିଏ ତା ମାକୁ ଖୋଜି ନଥିଲା । ମା ତ ଅଫିସ ଯାଉଥିଲା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ସହିତ ଝିଅର ସମ୍ପର୍କ କିଛି ବି ନଥିଲା କହିଲେ ଚଳେ । ଏଇ ଜେଜେମା ତାପାଇଁ ଥିଲା ସବୁକିଛି । ଘରୁ ଚାଲିଯିବାର ଦୁଇବର୍ଷ ପରେ ଥରେ ଦୁଇଥର ଝିଅକୁ ନେବାପାଇଁ କୋର୍ଟ ମାଧ୍ୟମରେ ମନିଷା ଚେଷ୍ଟା ମଧ୍ୟ କରିଥିଲା । ମାତ୍ର ପାଞ୍ଚବର୍ଷର ଶ୍ରେୟା କୋର୍ଟରେ ରୋକ୍ଠୋକ୍ ଶୁଣେଇ ଦେଇଥିଲା ଯେ ସିଏ ତା ବାପା ଆଉ ଜେଜେମା ପାଖରେ ରହିବ ବୋଲି । ତାପରେ ସୁଧିର ଶୁଣିଥିଲା ମନିଷା ତାର ଜଣେ ସହକର୍ମୀକୁ ଦ୍ୱିତୀୟ ବିବାହ କରିଛି ବୋଲି ।


ସଂପର୍କର ଡୋରି ଛିଡ଼ି ଯାଇଥିଲା । ତା ସହିତ ମାନସିକ ଭାବରେ ଖୁବ୍ ଆଘାତ ପାଇଥିଲା ସୁଧିର । ତାର ଦ୍ୱିତୀୟ ବିବାହ ପାଇଁ ଯିଏ ଯେତେ କହିଲେ ମଧ୍ୟ ସିଏ ଆଉ ରାଜି ହୋଇ ନଥିଲା । ସ୍ତ୍ରୀଲୋକମାନଙ୍କ ପ୍ରତି ତା ମନରେ କେମିତି ଏକ ଅହେତୁକ ଭୟ ପଶିଯାଇଥିଲା । ସବୁ ସ୍ତ୍ରୀଲୋକ ଯେ ମନିଷା ହେବେ, ଏକଥା ପରିବାରର ସମସ୍ତେ ତାକୁ ବୁଝେଇଥିଲେ ବି ସିଏ ଆଉ ନିଜ ବିବାହ କଥା କେବେ ଚିନ୍ତା କରି ନଥିଲା । ଏକାଏକା ଝିଅକୁ ମଣିଷ କରିବାର ଶପଥ ନେଇଥିଲା ସୁଧିର । ଜୀବନ ଗଡ଼ି ଚାଲିଥିଲା ଚିରାଚରିତ ଢଙ୍ଗରେ । ଶ୍ରେୟା ଆସ୍ତେ ଆସ୍ତେ ବଡ଼ ହେଉଥିଲା । ତାରି ପାଇଁ ଏ ଘର ପୁଣି ମୁଖରିତ ହେବାକୁ ଲାଗିଲା । ଜଡ଼ ପାଲଟି ଯାଇଥିବା ତା ମା ସତେ ଯେମିତି ଦ୍ୱିତୀୟବାର ଜୀବନ୍ନ୍ୟାସ ପାଇଲା । ଶ୍ରେୟା ଶ୍ରେୟା ସବୁ ବେଳେ ତା ପାଟିରେ ଶ୍ରେୟାର ନାଁ । ଶ୍ରେୟା ଗଢ଼ି ହେଉଥିଲା ଠିକ୍ ତାର ଜେଜେମାର ପ୍ରତିଛବି ହୋଇ । ମନେ ମନେ ଖୁସି ହେଉଥିଲା ସୁଧିର । ଝିଅ ତାର ଭଲ ସଂସ୍କାର ପାଇ ବଢୁଥିଲା । ତାର ଚେହେରା ତାର ବ୍ୟକ୍ତିତ୍ୱ ସବୁଥିରେ ତା ମାଙ୍କ ପରି ଏକ ଭାରିପଣ । କଳକଳ ଛଳଛଳ ଝରଣାଟିଏ ପରି ବହି ନଯାଇ ସିଏ ହ୍ରଦ ପରି ଥିଲା ସ୍ଥିର, ନିଶ୍ଚଳ, ଗଭୀର । ମନେ ମନେ ଆସ୍ୱସ୍ତ ହେଉଥିଲା ସୁଧିର । ଝିଅ ତାର ନିଜ ଜୀବନକୁ ନିଜ ଘର ପରିବାର ମୁତାବକ ଛାଞ୍ଚରେ ଗଢୁଥିଲା । ନିଜ ପିୟୁଷୀ ମାନଙ୍କର ପ୍ରଭାବ ମଧ୍ୟ ତା ଉପରେ ଖୁବ୍ ଭଲଭାବରେ ପଡ଼ିଥିଲା । ସୁଧିରର ଦୁଇଭଉଣୀ ପାଠଶାଠ ପଢ଼ି ଖୁବ୍ ଉଚ୍ଚ ପଦପଦବୀରେ ଥିଲେ ମଧ୍ୟ ନିଜ ଘରର ମାନସମ୍ମାନ, ମର୍ଯ୍ୟାଦା ଅଭିଜାତ୍ୟକୁ ସବୁବେଳେ ପ୍ରାଧାନ୍ୟ ଦେଉଥିଲେ । ଦୁଇଜଣ ଯାକଙ୍କର ଥିଲା ଯୌଥ ପରିବାର । ଚାକିରୀ ଓ ପରିବାର ଭିତରେ ସୁନ୍ଦର ସମନ୍ୱୟ ରକ୍ଷାକରି ଦୁଇଜଣଙ୍କ ସଂସାର ଚାଲିଥିଲା । ବାପା ମା ସେମାନଙ୍କୁ ଭଲ ସଂସ୍କାର ଦେଇ ବଢ଼େଇଥିଲେ ବୋଲି ନିଜନିଜ ଜୀବନରେ ସେମାନେ ଖୁବ୍ ସୁଖରେ ଥିଲେ । ଯାହାପାଇଁ ସୁଧିର ନିଜେ ମଧ୍ୟ ଗର୍ବ କରେ । ଶାଶୁଘରେ ନିଜ ଭଉଣୀମାନଙ୍କ ପ୍ରଶଂସା ଶୁଣିଲେ ସୁଧିର କୃତ୍ୟ କୃତ୍ୟ ହୋଇଯାଏ । ସବୁବେଳେ ସିଏ ଚାହେଁ ଶ୍ରେୟା ମଧ୍ୟ ସେଇ ସଂସ୍କାର ନେଇ ବଢୁ । ମନିଷାର ରକ୍ତ ତା ଦେହରେ ବହୁଛି ତଥାପି ଝିଅ ତାଙ୍କର ତାଙ୍କ ମନ ମୁତାବକ ଯେ ଗଢ଼ି ହୋଉଛି ସେ ସବୁର ଶ୍ରେୟ ତା ମା’ଙ୍କର ।


ଶ୍ରେୟା ଇଂଜିନିୟରି ପାସ କରି ଖୁବ୍ ଭଲ ପ୍ୟାକେଜ୍ ରେ ଚାକିରି କରିଛି । ଅନୁରାଗ ମଧ୍ୟ ଡାକ୍ତର ଏବେ ମେଡିସିନ୍ ରେ ପିଜି କରୁଛି । ଦୁହେଁ ଦୁଇଜଣଙ୍କୁ ପସନ୍ଦ କରନ୍ତି । ସେମାନଙ୍କର ପସନ୍ଦ ଓ ପରିବାରର ସହମତିରେ ଏ ବିବାହର ଆୟୋଜନ । ଆଜି ତା ଝିଅର ବାହାଘର । ଖୁବ୍ ମନ ଖୁସି ସୁଧିରର ଏବେ ସେମାନେ ହୋଟେଲ୍ କୁ ଯିବେ ଯେଉଁଠି ଆଜି ଶ୍ରେୟା ଓ ଅନୁରାଗର ବିବାହ ହେବ । ଅନୁରାଗ ଖୁବ୍ ଭଲ ପିଲାଟିଏ । ପ୍ରଥମ ଯେଉଁଦିନ ଅନୁରାଗକୁ ଘରକୁ ଡାକି ମା’ ତାକୁ ଦେଖାଇ ଦେଇଥିଲେ, ସେଇ ପ୍ରଥମ ଦେଖାରୁ ହିଁ ସୁଧିରକୁ ଅନୁରାଗର ବ୍ୟବହାର ଚାଲିଚଳନ ଖୁବ୍ ଭଲ ଲାଗିଥିଲା । ଆଉ ଯେଉଁଦିନ ଅନୁରାଗର ବାପା ମା ଶ୍ରେୟାକୁ ଦେଖିବାପାଇଁ ତାଙ୍କ ଘରକୁ ଆସିଥିଲେ, ସେଦିନ ଶ୍ରେୟାର ଶାଶୁଙ୍କ ଭିତରେ ନିଜର ସାନଭଉଣୀକୁ ଦେଖିଲା ପରି ଲାଗିଥିଲା ସୁଧିରକୁ । କଥାବାର୍ତ୍ତା ଭିତରେ ଶେଷକୁ ଜଣା ମଧ୍ୟ ପଡ଼ିଥିଲା ଯେ ଶ୍ରେୟାର ଶାଶୁ ସତରେ ତା ସାନଭଉଣୀର କ୍ଳାସମେଣ୍ଟ ବୋଲି । ଶ୍ରେୟାକୁ ଦେଖି ଖୁବ୍ ଖୁସିଥିଲେ ଦୁଇଜଣ ଯାକ । ସୁଧିରର ମା’ଙ୍କୁ କୃତଜ୍ଞତା ଜଣାଇଥିଲେ ଯେ ଶ୍ରେୟାପରି ସଂସ୍କାରି ଝିଅଟିକୁ ତାଙ୍କ ପୁଅ ପସନ୍ଦ କରିଛି ବୋଲି ।


ଦୀର୍ଘ ଦୁଇବର୍ଷ ହେଲାଣି ସୁଧିର ବିଛଣାରେ ପଡ଼ିଛି । ଫିଜିଓଥେରାପି ହୋଇ ଏବେ ହାତ ଦୁଇଟା କାମ କଲାଣି ମାତ୍ର ସେ ଚାଲି ପାରୁନାହିଁ । ଆଜି କିନ୍ତୁ ତା ମନରେ ଯେମିତି ଶତସିଂହର ବଳ, ତା ଝିଅକୁ ବେଦୀରେ ବସି ଆଜି ସିଏ ବାହା କରିବ । ସଂଧ୍ୟା ସାତଟା ବାଜି ସାରିଲାଣି । ସୁଧିର ମାଙ୍କୁ ଡାକ ପକେଇଲା । ମା! ମୋ ଚମ୍ପାରଂଗର ସିଲ୍କ ପଞ୍ଜାବୀଟା ଆଣ । ଆଉ ତା ଉପରର ଜାକେଟ୍ ଟା ମଧ୍ୟ । ଆଜି ପରା ମୋ ଝିଅର ବାହାଘର । ମୁଁ ପରା ଆଜି ଜୀବନର ସବୁଠାରୁ ପୁଣ୍ୟକାମ କନ୍ୟାଦାନ କରିବି । ପୁଅର ଖୁସିରେ ଖୁସି ହେଉଥିଲେ ମଧ୍ୟ ସରୋଜିନୀଙ୍କ ମନରେ ଆଶଙ୍କା । ବାହାଘରରେ କେତେ ଝାମେଲୋ । ବେଦୀଉପରେ କେତେ କର୍ମ । ସୁଧିର କଣ ଏତେ ସମୟ ଧରି ବେଦୀ ଉପରେ ବସିପାରିବ । ତା ଦେହରେ ଯେଭଳି ଅବସ୍ଥା । ମା, ମନ ବୁଝୁନଥିଲା, ଏଇ ଦୁଇବର୍ଷ ହେଲାଣି ତାର କଷ୍ଟ ଯନ୍ତ୍ରଣା ସବୁର ମୁକସାକ୍ଷୀ ସିଏ । ତଥାପି ମନଖୁସିରେ ବାହାଘର କରିବ ବୋଲି କହୁଛି ଯଦି କରୁ । ଯଦି ସେ ମାନସିକ ଭାବରେ ପ୍ରସ୍ତୁତ ହୋଇଛି ତାହେଲେ ଶରୀର ନିଶ୍ଚୟ ସାଥ ଦେବ । ମନେ ମନେ ମା କଟକଚଣ୍ଡୀଙ୍କୁ ସୁମରଣା କରି ସରୋଜିନୀ ପୁଅକୁ ପ୍ରସ୍ତୁତ କରି, ନିଜେ ଗଲେ ଶାଢ଼ୀ ପିନ୍ଧିବାପାଇଁ । ଶ୍ରେୟା ତାଙ୍କପାଇଁ କୋଉ ଦିନରୁ ତା ମନ ପସନ୍ଦର ଶାଢ଼ୀ କିଣି ବ୍ଲାଉଜ୍ ବନେଇ ଜେଜେମାପାଇଁ ରଖିଛି । ତା ବାହାଘରରେ ଯେମିତି ଜେଜେମା ସେଇ ଶାଢ଼ୀକୁ ପିନ୍ଧେ ବାରମ୍ବାର ତାଗିଦା କରି ଯାଇଛି ଶ୍ରେୟା- ଜେଜେମା ନୂଆଶାଢ଼ୀ ପିନ୍ଧିକରି ଆସିବ ନ ହେଲେ ମୋ ମନଦୁଃଖ ହେବ ।


ଆଜିକାଲି ଆଉ ନା ଭଲଶାଢ଼ୀ ଖଣ୍ଡେ ପିନ୍ଧିବାକୁ ମନେହେଉଛି ନା କଣ ଟିକେ ଭଲ ଖାଇବାକୁ । ଶାଢ଼ୀର ଓଜନ ଆଉ ଦେହ ବୋହିବାକୁ ରାଜି ନୁହେଁ, କି ମନ ମଧ୍ୟ ଚାହୁଁନାହିଁ କିଛି ଭଲମନ୍ଦ ଟିକେ ଖାଇବାକୁ । କିଛି ଟିକେ ଖାଇଦେଲେ ଦେହରେ ଯାଏନି, ହଜମ ହୁଏନି ଏସିଡ୍ ହୁଏ, ପେଟ ଫୁଲେଇଦିଏ । ସରୋଜିନୀ ଜାଣନ୍ତି ମନ ଭଲଥିଲେ ସବୁ ଭଲ । ଯଦି ମନରେ ସବୁବେଳେ ଦୁଃଶ୍ଚିନ୍ତା ରହେ ତାହେଲେ ଦେହବା କେମିତି ଭଲହେବ । ଏତେବଡ଼ ପୁଅ ଦୁଇବର୍ଷ ହେଲାଣି ବିଛଣାରେ ପଡ଼ିଛି, କୋଉ ମା ମନ ଭଲରହିବ? ତଥାପି ସରୋଜିନୀ ଚେଷ୍ଟା କରନ୍ତି ଏଇ ଭଙ୍ଗାମନ ଭଙ୍ଗାଦେହକୁ ନେଇ ଚାଲିବାକୁ । ତାଙ୍କଦ୍ୱାରା ଯେତିକି ହୋଇପାରେ ସିଏ ପାରୁପର୍ଯ୍ୟନ୍ତ କରନ୍ତି । ଘରେ ବା ଆଉ କିଏ ଅଛି?


ପୁଅକୁ ସାଙ୍ଗରେ ନେଇ ହୋଟେଲ୍ ରେ ପହଞ୍ଚିଚଲା ବେଳକୁ ରାତି ଆଠଟା ବାଜିଥିଲା । ଶ୍ରେୟା ମଣ୍ଡପ ଉପରେ ପରୀଟିଏ ପରି ସଜାସଜ୍ଜି ହୋଇ ବସିଛି । ତାର ଚାରିପାଖରେ ତାର ସାଙ୍ଗସାଥି ସମସ୍ତେ ଭିଡ଼ ଲଗେଇଛନ୍ତି । ଅତିଥିମାନେ ଆସୁଛନ୍ତି । ଶ୍ରେୟା ସମସ୍ତଙ୍କୁ ନମସ୍କାର କରୁଛି । ସମସ୍ତେ ତାକୁ ଆଶୀର୍ବାଦ କରି ଯାଉଛନ୍ତି । ସରୋଜିନୀ ଏ ଦୃଶ୍ୟ ଦେଖି ଖୁସିରେ ଆତ୍ମହରା ହୋଇଗଲେ । ତାଙ୍କ କଣ୍ଢେଇ ଯେ ଆଜି ବାହା ହେଉଛି ସେସବୁକୁ ଆଖି ଦେଖୁଥିଲେ ମଧ୍ୟ ମନ ମାନିବାକୁ ନାରାଜ ହୋଉଥିଲା । ଶ୍ରେୟାର ସେଇ ଛୋଟ ଛୋଟ ପାଦ ପକେଇ ଚାଲିବା, ଖନେଇ ଖନେଇ କଥାହେବା । ସ୍କୁଲ ଯିବା ବେଳର ଅଝଟ । ଜେଜେମା ପାଖରେ ସବୁକଥା ପାଇଁ ଜିଦ କରି ତାକୁ ହାସଲ କରିବା । ବାପା ପାଖରେ ଗେହ୍ଲାହେବା ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଯାଉଥିଲା । ଆଜି ଶ୍ରେୟା ବାହାହୋଇ ପରଘରକୁ ଚାଲିଯିବ ସେ ଦୃଶ୍ୟକୁ ଆଜି ସୁଧିର ସହିପାରିବତ? ତା ଦେହର ଯେଉଁ ଅବସ୍ଥା ପୁଅପାଇଁ ମନରେ ଚିନ୍ତା ହେଉଥିଲା ତାଙ୍କର । ମାତ୍ର ସୁଧିର ଆଜି ଖୁବ୍ ସୁସ୍ଥ ଜଣାପଡ଼ୁଛି । ମନରେ ତାର ଖୁବ୍ ଆନନ୍ଦ । ଝିଅର ବାହାଘର ସିଏ ଆଜି ନିଜ ହାତରେ କରିବ । ସରୋଜିନୀ ପଚାରିଲେ ତୋ ଦେହ ଠିକ ଠାକ୍ ଲାଗୁଛି ତ? ତୁ ବେଦୀରେ ବସି ବାହା କରିପାରିବୁ ତ? ନହେଲେ ଶ୍ରେୟାର ବଡ଼ପିୟୁଷା ଏ ବାହାଘର କରନ୍ତୁ । ସୁଧିର କହିଲା ନାଇଁ ମା ଆଜି ଲାଗୁଛି ସତରେ ମୋ ଦେହ ଯେମିତି କିଛି ହୋଇନାହିଁ । ଫୁଲପରି ହାଲୁକା ଲାଗୁଛି ମତେ । ଇଚ୍ଛା ହେଉଛି ଯେତେ ଅତିଥି ଆସିଛନ୍ତି ସମସ୍ତଙ୍କୁ ଯାଇ ମୁଁ ନିଜେ ସଂଖୋଳି ଆସନ୍ତି । ଦୌଡ଼ିବାକୁ ଇଚ୍ଛା ହେଉଛି ମୋର । ସୁଧିରର ଉଦ୍ବିଘ୍ନତା ଦେଖି ସରୋଜିନୀ ଖୁସି ହେଉଥିଲେ ଯେତିକି ଚିନ୍ତିତ ମଧ୍ୟ ହେଉଥିଲେ ସେତିକି । ବ୍ରେନ୍ ଷ୍ଟ୍ରୋକ୍ ହେଲାପରେ, ତାର ହାର୍ଟ ପ୍ରୋବଲେମ୍ ମଧ୍ୟ ବାହାରିଛି । ଡାକ୍ତର କହିଛନ୍ତି ଅତ୍ୟଧିକ ଦୁଃଖ କିମ୍ବା ଅତ୍ୟଧିକ ଖୁସି ତାପାଇଁ ବିପଦଜ୍ଜନକ ହୋଇପାରେ । ସରୋଜିନୀ ବିଚଳିତ ହୋଇଯାଉଥିଲେ ଏଭଳି ପରିସ୍ଥିତିରେ କଣ କରିବେ ବୋଲି । ସେତିକି ବେଳେ ସାନଝିଅ ଆସି କହିଲା ମା’ ବର ଆସିଗଲାଣି । ଏବେ ଭିଡ଼ ବହୁତ ବଢ଼ିଯିବ । ତୁମେ ଯାଇ କଣ ଟିକେ ଖାଇନିଅ । ଭାଇକୁ ମଧ୍ୟ କଣ ଟିକେ ଖୁଆଇଦିଅ । ବର ବେଦୀକି ଆସିଗଲେ ଆଉ କିଛି ଖାଇପାରିବ ନାହିଁ । ସରୋଜିନୀ କହିଲେ କି କଥା କହୁଛୁ ତୁ ଭାଇପରା ଝିଅ ବାହାଘର କରିବ ବୋଲି ସକାଳୁ ଖାଲି ସରବତ ପିଇକି ରହିଛି ଆଉ ସିଏ ଖାଇବ କଣ । ଝିଅ କହିଲା ନାହିଁ ନାହିଁ ତା ଦେହର ଅବସ୍ଥା ଯାହା ସିଏ ଖାଲି ପେଟରେ ରହିପାରିବନି । ତାକୁ କିଛି ଖାଇବାକୁ ପଡ଼ିବ । ଯେତେ କହିଲେ ମଧ୍ୟ ସୁଧିର କିଛି ଖାଇଲା ନାହିଁ । ସେମିତି ଖାଲି ସରବତ ଟିକେ ପିଇଲା । ଆଉ କହିଲା ଆମର ଯାହା ବିଧିବିଧାନ ଅଛି ନା? ମୁଁ କନ୍ୟାଦାନ କରିବି ମୋତେ ସେଥିରୁ ଜମା ବଞ୍ଚିତ କରନାହିଁ । ପୁଅର ଯିଦି ଆଗରେ ସରୋଜିନୀ କିଛି କହିପାରିଲେ ନାହିଁ, କିନ୍ତୁ ମନଭିତରେ ଆଶଙ୍କା ।


ବର ଆଉ ବରଯାତ୍ରୀମାନେ ପ୍ରୋସେସନ୍ କରି ଆସି ଖୁବ୍ ଧୁମ୍ଧାମରେ ପହଞ୍ଚିଗଲେ । ଖିଆପିଆ ନାଚଗିତରେ ସାରା ପରିବେଶ ମୁଖରିତ । ସରୋଜିନୀ ସାରା ଦିନ ଏପଟ ସେପଟ ହୋଇହୋଇ ନାକେଦମ୍ ହେଲେ ମଧ୍ୟ ନାତୁଣୀ ବାହାଘର ପାଇଁ ମନର ଖୁସି ଆଗରେ ଦେହର କଷ୍ଟ ଜଣାପଡୁ ନଥାଏ । ରାତି ବାରଟା ବାଜିବାକୁ ବସିଲାଣି । ଅତିଥିମାନେ ସମସ୍ତେ ଖାଇପିଇ ବିଦାୟ ନେଲେଣି । ଏଥର ବାହାଘର ଆରମ୍ଭ ହେବ । ସରୋଜିନୀ ଚାତକ ପରି ଚାହିଁଛନ୍ତି । ବେଶୀ ଚିନ୍ତା ତାଙ୍କର ସୁଧିରପାଇଁ । କେମିତି ସବୁ ଭଲରେ ଭଲରେ ହେବ । ସୁଧିର କିନ୍ତୁ ଚେୟାରଟି ଉପରେ ସେମିତି ବସିଛି । ସେଇ ଚେୟାରରେ ବସି ସେ କନ୍ୟାଦାନ କରିବ । ତଳେ ସେ ବସିପାରିବ ନାହିଁ । ସେଥିପାଇଁ ଅଳ୍ପ ଉଚ୍ଚାର ଚେୟାରଟିଏ ବ୍ୟବସ୍ଥା କରାଯାଇଛି । ଏଥର ବାହାଘର ଆରମ୍ଭ ହେଲା । ସୁଧିର ମୁହଁରେ ଖୁସିର ଝଲକ । ଦୀର୍ଘଦିନ ପରେ ସୁଧିରକୁ ଆଜି ହସିବାର ଦେଖୁଛନ୍ତି ସରୋଜିନୀ ।


ହଠାତ୍ କରି ଆଜି ମନିଷା କଥା କାହିଁକି ବାରମ୍ବାର ମନେପଡୁଛି ସରୋଜିନୀଙ୍କର । ତା’ ଝିଅର ବାହାଘର ଏକଥା କଣ ସେ ଶୁଣି ନଥିବ? କିଛି ଉଡ଼ାଖବର ତାଙ୍କ କାନଯାଏଁ ଆସିଥିଲା ଯେ ସିଏ କୁଆଡ଼େ ଆଉଥରେ ବାହା ହେଇଯାଇଛି ମାତ୍ର ସେ ଖବରକୁ ସରୋଜିନୀ ମନେମନେ କାହିଁକି ବିଶ୍ୱାସ କରନ୍ତି ନାହିଁ । କାହା ଆଗରେ ନକହିଲେ ମଧ୍ୟ ସରୋଜିନୀ ଏକଥାର ସତ୍ୟାସତ୍ୟ କେବେ କାହାକୁ ପଚାରିନାହାଁନ୍ତି । ଶ୍ରେୟା ଯଦି ଏକଥା ଜାଣିବ କି, ତା ଶାଶୁଘର ଲୋକେ ଏଇକଥାକୁ ନେଇ ଶ୍ରେୟାକୁ ଯଦି କିଛି ଭଲମନ୍ଦ କହିବେ ସେଇ ସବୁ ଆଶଙ୍କାରେ ତାଙ୍କ ମନ ଗୋଳେଇ ଘାଣ୍ଟି ହେଉଥିଲା । ମନିଷା ତ ଗଲା, ଗଲା ତାଙ୍କ ପୁଅ ଜୀବନରେ କଳାଦାଗଟିଏ ରଖିଦେଇ ଗଲା । ଉପରକୁ ସବୁ ଠିକ ଠାକ୍ ଦିଶୁଥିଲେ ବି କାହିଁକି କେଜାଣି ସରୋଜିନୀଙ୍କ ମନରେ ଗୋଟେ ଭୟ ବସାବାନ୍ଧି ରହିଥିଲା । ଶାଶୁଘରେ ତାଙ୍କ ଶ୍ରେୟା ଖୁସିରେ ରହିବ ତ? ତା ପରିବାରର ଲୋକମାନେ ତାକୁ ନିଜ ଝିଅପରି ଆଦରି ନେବେ ତ? ସିଏ ତ ଜୀବନଯାଙ୍କ ଚେଷ୍ଟା କରିଛନ୍ତି ଝିଅକୁ ଭଲକଥା ଭଲ ସଂସ୍କାର ଦେବାପାଇଁ । ଯେତେ ପାଠ ପଢ଼ ଯେତେବେଡ଼ ଚାକିରି କର ସ୍ତ୍ରୀଲୋକମାନେ ସବୁବେଳେ ଘରପରିବାର ପ୍ରତି ସମର୍ପିତ ହେବା କଥା । ମା’ଟିଏ ଯଦି ପରିବାରର ଦାୟିତ୍ୱ ସୁଚାରୁରୂପେ ନଚଳାଏ ତାହେଲେ ପରିବାର ଭାଙ୍ଗିଯାଏ । ଭଲ ପରିବାର ଉପରେ ଭଲ ସମାଜର ମୂଳଦୁଆ ସ୍ଥାପିତ ହୋଇଥାଏ । ପିଲାମାନଙ୍କର ମୂଳଦୁଆ ଗଢ଼ିବାର ଦାୟିତ୍ୱ ସବୁବେଳେ ମା’ଟିଏ ଉପରେ ନ୍ୟସ୍ତ । ଯିଏ ଯେତେକଥା କହିଲେ ମଧ୍ୟ ସରୋଜିନୀ ଏକଥାକୁ ବିଶ୍ୱାସ କରନ୍ତି ନିଜେ କାମରେ ମଧ୍ୟ ଲଗାନ୍ତି । ଆଧୁନିକତା ନାମରେ ସ୍ତ୍ରୀଲୋକମାନଙ୍କର ଉତ୍ସୃଙ୍ଖଳତାକୁ ବରଦାସ୍ତ କରିପାରନ୍ତି ନାହିଁ ସରୋଜିନୀ । ଶ୍ରେୟାକୁ ସେ ଏକଥା ଭଲଭାବରେ ବୁଝେଇ ଦେଇଛନ୍ତି । ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବା ସହିତ ପାରିବାରିକ ଜୀବନକୁ ଗୁରୁତ୍ୱ ଦେବାକୁ କାନେ କାନେ ଶିଖେଇଛନ୍ତି ଶ୍ରେୟାକୁ । ପରିବାର ଗଠନରେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କର ଅବଦାନ ରହିଛି ବୋଲି ବୁଝେଇଛନ୍ତି । ତାଙ୍କର ଆଶା ଶ୍ରେୟାକୁ ସେ ଯେମିତି ଗଢ଼ିଛନ୍ତି ସିଏ ତାର ମର୍ଯ୍ୟାଦା ରକ୍ଷାକରିବ ବୋଲି ।


ବେଦୀରେ ବାହାଘର ଚାଲିଥିଲା । ସରୋଜିନୀ ହଜିଯାଇଥିଲେ ନିଜ ଭିତରେ । ଭଲପାଇବା, ପସନ୍ଦ କରିବାର ପରିଭାଷା ସେମାନଙ୍କ ସମୟରେ ଥିଲା ସମ୍ପୂର୍ଣ୍ଣ ଅଲଗା । ଆଜିପରି ସେମାନେ ସାଙ୍ଗହୋଇ ବୁଲୁନଥିଲେ, ସିନେମା ଯାଉନଥିଲେ କି ପାର୍ଟି କରୁନଥିଲେ । ଗୋଟେ ସୂକ୍ଷ୍ମ ଅନୁଭବର କଥା ଥିଲା ତା ଭିତରେ । ସୌମ୍ୟ ଥିଲେ ସରୋଜିନୀଙ୍କର ପଢ଼ାସାଥି । ତା ସହିତ ଦୁହେଁ ଦୁହିଁଙ୍କର ଭଲ ବନ୍ଧୁ ମଧ୍ୟ ଥିଲେ । କଲେଜ ସହପାଠୀ ସୌମ୍ୟଙ୍କ ବ୍ୟବାହରରେ ସିଏ ଆକୃଷ୍ଟ ହୋଇଥିଲେ । ପଢ଼ାପଢିରେ ଆଗୁଆ ଥିବା ସୌମ୍ୟ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଥିଲେ ଆଭିଜାତ୍ୟ ସମ୍ପର୍ଣ୍ଣ ଚେହେରା ଥିଲା ତାଙ୍କର । ସରୋଜିନୀ ମନେ ମନେ ସୌମ୍ୟଙ୍କୁ ପସନ୍ଦ କରୁଥିଲେ ଓ ସୌମ୍ୟ ମଧ୍ୟ ତାଙ୍କୁ । ପାଠପଢ଼ା ପରେ ସୌମ୍ୟ ଅଧ୍ୟାପକ ଚାକିରୀରେ ଯୋଗଦେଲେ । ମାତ୍ର ସେମାନଙ୍କର ସଂପର୍କ ଆଉ ଆଗକୁ ବଢ଼ିପାରି ନଥିଲା । କାରଣ ଥିଲା ସୌମ୍ୟଙ୍କ ପରିବାର । ସରୋଜିନୀଙ୍କ ପରିବାର ତୁଳନାରେ ସୌମ୍ୟଙ୍କ ପରିବାର ଥିଲା ଖୁବ୍ ନିମ୍ନ ମଧ୍ୟବିତ୍ତ ସ୍ତରର । ସେଥିପାଇଁ ସରୋଜିନୀଙ୍କର ବାପା ଜମିଦାର ହୃଦାନନ୍ଦ ରାୟ ଏ ପ୍ରସ୍ତାବର ଥିଲେ ଘୋର ବିରୋଧି । ଦୁଇଟି ସମାନ୍ତରାଳ ସରଳରେଖା ପରି ଦୁହେଁ ସାଙ୍ଗହୋଇ ଚାଲିପାରିବେ ସିନା କିନ୍ତୁ ମିଶିବାର ଅବକାଶ ନଥିଲା । ସେମାନଙ୍କର ସେଥିପାଇଁ ମନକୁ ବୁଝେଇ ଦେଇଥିଲେ ସରୋଜିନୀ ଆଉ ବାପାଙ୍କର ପ୍ରସ୍ତାବରେ ରାଜିହୋଇ ବିବାହ କରିଥିଲେ ପ୍ରତାପଙ୍କୁ ।


ପ୍ରତାପ ଥିଲେ ପେଶାରେ ଇଂଜିନିୟର ହୃଦାନନ୍ଦ ରାୟଙ୍କର ପିଲାଦିନର ସାଙ୍ଗ ବିଭୁଦେନ୍ଦ୍ର ପଟ୍ଟନାୟକଙ୍କର ବଡପୁଅ । ଦୁଇସାଙ୍ଗ ପାଠ ପଢ଼ିଲା ଦିନରୁ ଶପଥ କରିଥିଲେ ଯେ ଦୁହେଁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଭଲ ବନ୍ଧୁ ହୋଇ ରହିବେ । ଫଳସ୍ୱରୂପ ହୃଦାନନ୍ଦଙ୍କର ଝିଅ ସରୋଜିନୀଙ୍କ ସହିତ ବିଭୁଦେନ୍ଦ୍ରଙ୍କୁ ପୁଅ ପ୍ରତାପର ବିବାହ ହୋଇଗଲା । ସାରୋଜିନୀ ପ୍ରତାପଙ୍କ ସହିତ ସୁଖରେ ଘରସଂସାର କରିଥିଲେ । ତାଙ୍କ ଶ୍ୱଶୁର ଓ ତାଙ୍କ ବାପା ଦୁଇଜଣଯାକଙ୍କର ଆଶୀର୍ବାଦ ଥିଲା ଏ ବିବାହରେ । ସଂପର୍କକୁ ଆହୁରି ନିବିଡ଼ ହୋଇଥିଲା ଯେତେବେଳେ ସେମାନଙ୍କର ତିନୋଟି ପିଲା ଜନ୍ମ ହୋଇଥିଲେ । ବଡ଼ଝିଅ ଶୁଭ୍ରା, ମଝିରେ ପୁଅ ସୁଧିର ଓ ସାନଝିଅ ସିକତା । ଝିଅ ଦୁଇଜଣ ଭଲ ପାଠଶାଠ ପଢ଼ି, ଭଲ ଯାଗାରେ ଚାକିରୀ କରିଥିଲେ । ସେମାନଙ୍କର ବିବାହ ମଧ୍ୟ ପ୍ରତାପଙ୍କ ପସନ୍ଦର ପିଲାମାନଙ୍କ ସହିତ ହୋଇଥିଲା । ପୁଅ ସୁଧିର ବାପାଙ୍କ ପରି ଇଂଜିନିୟ ହୋଇଥିଲା । ତାର ବିବାହ ମଧ୍ୟ ପ୍ରତାପ ନିଜେ ଠିକ୍ କରି କରିଥିଲେ । ଗୋଟିଏ ବୋଲି ପୁଅ ତାଙ୍କର । ତା ପାଇଁ କେତେ ଯେ ପ୍ରସ୍ତାବ, ଦେଖି ଦେଖି ନିଜ ମନଲାଖି ଝିଅଟି ସହିତ ତାର ବିବାହ ଦେଇଥିଲେ । ମାତ୍ର ତାଙ୍କ ବୋହୂ ମନିଷା ଯେ ଏମିତି ଦୁଷ୍ଟ ପ୍ରକୃତିର ବାହାରିବ, ସେକଥା ସେମାନେ କଳ୍ପନା ମଧ୍ୟ କରି ନଥିଲେ । ଖୁବ୍ ସୁଖ ଶାନ୍ତରେ ଚାଲୁଥିବା ତାଙ୍କ ପରିବାର ଉପରେ ଯେମିତି କଳାମେଘ ଘୋଟି ଆସିଥିଲା । ଘରର ମାନ ମର୍ଯ୍ୟାଦାକୁ ସବୁଠୁ ଗୁରୁତ୍ୱ ଦେଉଥିବା ପ୍ରତାପ ଯେତେବେଳେ ବୋହୂଦ୍ୱାରା କୋର୍ଟ କଚେରୀକୁ ଘୋଷରା ହେଲେ ମାନସିକ ଭାବରେ ଖୁବ୍ ଭାଙ୍ଗି ପଡ଼ିଲେ ସିଏ । ସେଇ ଦୁଶ୍ଚିନ୍ତା ଭିତରେ ଭିତରେ ତାଙ୍କୁ ଦୁର୍ବଳ କରିଦେଲା । ଜୀବନର ମଧ୍ୟାହ୍ନରେ ପ୍ରତାପ ଯେ ହଠାତ୍ ତାଙ୍କୁ ଛାଡ଼ି ଚାଲିଯିବେ, ସେ କଳ୍ପନା ମଧ୍ୟ କରିନଥିଲେ ଏ କଥା । କୋଉ ଦୁଷ୍ଟ ଗ୍ରହର ନଜର ଲାଗିଗଲା ତାଙ୍କର ଘର ଉପରେ ସେ କଥାର କୂଳକିନାରା ପାଉନଥିଲେ ସରୋଜିନୀ । ତାଙ୍କ ତରଫରୁ କିଛି ଭୁଲ୍ ହୋଇଯାଇନି ତ? ମନେ ମନେ ସେକଥା ଭାବି, ନିଜ ଜୀବନକୁ ଖୁବ୍ ସମୀକ୍ଷା କରିଥିଲେ ସରୋଜିନୀ । ସେ ଝଡ଼ର ପ୍ରଭାବ ଆସ୍ତେ ଆସ୍ତେ କମି ଆସିଥିଲା । ପୁଣି ଜୀବନ ସରଳ ରେଖାରେ ଚାଲିଥିଲା ବେଳେ ସୁଧୀରର ଦେହ ଖରାପ ପୁଣିଥରେ ତାଙ୍କୁ ହତୋତ୍ସାହ କରିଦେଇଛି । ଏତେ ସବୁ ବ୍ୟତିକ୍ରମ ଭିତରେ ତାଙ୍କପାଇଁ ଗୋଟିଏ ଆଶ୍ୱସ୍ତି ଯେ ଶ୍ରେୟା ଆଜି ବାହା ହେଉଛି ନିଜେ ପସନ୍ଦ କରିଥିବା ପିଲାଟିକୁ ଆଜି ନିଜ ଜୀବନସାଥି ରୂପରେ ପାଇଛି । ତଥାପି ମନରେ ଡରଟିଏ ବସା ବାନ୍ଧିଥିଲା ଅନୁରାଗର ପରିବାରକୁ ନେଇ? ବିବାହ କଣ ଖାଲି ଦୁଇଟି ଆତ୍ମାର ମିଳନ, ଏହା ଦୁଇ ପିଢ଼ିଙ୍କ ଭିତରେ ସହବସ୍ଥାନର ଏକ ଭଲ ସୁଯୋଗ । ସେଇ ସୁଯୋଗର ସଦ୍ଉପଯୋଗ କରିଜାଣିଲେ ଜୀବନ ମହନୀୟ ହୋଇଯାଏ । ଚାଲି ଜାଣିଲେ ବାଟ ସୁନ୍ଦର ହୁଏ । ତାଙ୍କ ନାତୁଣୀ ଜୀବନରେ ଏହା ଭଲଭାବରେ ପ୍ରତିଫଳିତ ହେଉ ସେତିକି ସେ କାମନା କରୁଥିଲେ ମନେ ମନେ ।


ଆଗକୁ ଯେ ଅପ୍ରତ୍ୟାଶିତ ଘଟଣାଟିଏ ଘଟିବାକୁ ଯାଉଛି ସେକଥା ଅବା ସେ କେମିତି ଜାଣିଥାନ୍ତେ? ବେଦୀପାଖରେ ବସିଛନ୍ତି ସରୋଜିନୀ । ନାତୁଣୀର ଶ୍ୱଶୁର ଆସି କହିଲେ ମାଉସୀ ଆସନ୍ତୁ ଆମ ପରିବାରର ମୁଖ୍ୟଙ୍କ ସହ ଆପଣଙ୍କୁ ପରିଚୟ କରେଇଦେବି । ମୋ ବାପା ଆଜି ଆସିଛନ୍ତି ନାତିର ବାହାଘର ଦେଖିବାକୁ ଏବଂ ଆପଣଙ୍କ ସହିତ ସମସ୍ତଙ୍କ ସହ ଦେଖା ହୋଇଯିବ ସେଇକଥା ଭାବି । ସରୋଜିନୀ ଚାହିଁଲେ ହୁଇଲ୍ ଚେୟାରରେ ବସି ଜଣେ ଭଦ୍ରଲୋକ ତାଙ୍କ ଆଡକୁ ଆସୁଛନ୍ତି । ସରୋଜିନୀ ଦୁଇହାତ ଉଠାଇ ନମସ୍କାର କରୁ କରୁ ଚମକି ପଡ଼ିଲେ । ମୁହଁଟା ଏତେ ଚିହ୍ନା ଚିହ୍ନା କେମିତି ଲାଗୁଛି । ପାଖକୁ ଆଉ ଟିକିଏ ପାଖକୁ ଭଦ୍ରଲୋକଙ୍କୁ ନେଇ ଆସିଲେ ତାଙ୍କ ପୁଅ । ଦୁହେଁ ଦୁହିଁଙ୍କୁ ଚାହିଁଥାନ୍ତି । ପଚାଶ ବର୍ଷ ସମୟର କୁହୁଡ଼ି କଣ ଏତେ ହାଲକା ହୋଇଛି ଯେ ଅନଉ, ଅନଉ ଅପସରି ଯିବ । ନିରେଖି ଚାହିଁଲେ ସରୋଜିନୀ କିଏ? ... କିଏ ଇଏ?  ଭଦ୍ରଲୋକ ପ୍ରତି ନମସ୍କାର ଜଣଉ ଜଣଉ କହିଲେ ମୁଁ ସୌମ୍ୟକାନ୍ତ ଦାସ୍ । ସୌମ୍ୟ ଏ ନାଁଟା ଯେ ତାଙ୍କର ଖୁବ୍ ଆପଣାର । ହଠାତ୍ ସେ ଭୁଲିଗଲେ କେମିତି? ହସିଲେ ସରୋଜିନୀ । ଜୀବନର ଶେଷ ପର୍ଯ୍ୟାୟରେ ତାହେଲେ ଆମେ ପୁଣି ଦୁହେଁ ଦୁହିଁଙ୍କୁ ଭେଟିବାର ଥିଲା! ସୌମ୍ୟକାନ୍ତ ହସୁ ହସୁ କହିଲେ । ସରୋଜିନୀ କଣ କହିବେ ଶବ୍ଦ ଖୋଜୁଥିଲେ ନିଜ ଭିତରେ ନିଜେ ।


ଏବେ ପୁରାପୁରୀ ଆସ୍ୱସ୍ତ ସରୋଜିନୀ । ଝିଅ ତାଙ୍କର ଠିକ ପସନ୍ଦ କରିଛି । ତାର ବୈବାହିକ ଜୀବନ ଓ ପରିବାର ନିଶ୍ଚୟ ଆଗକୁ ସୁଖମୟ ହେବ ଏଥିରେ ସନ୍ଦେହ ନଥିଲା ତାଙ୍କର । ସୌମ୍ୟଙ୍କ ପରିବାର ବିଷୟରେ ବେଶୀ କିଛି ନଜାଣିଥିଲେ ବି ସୌମ୍ୟ ଯେ ସେ ଘରର ମୁଖ୍ୟ ସେତିକି ଥିଲା ତାଙ୍କପାଇଁ ଆଶ୍ୱାସନାର ବିଷୟ ।


Rate this content
Log in

More oriya story from Sujata Mohapatra

Similar oriya story from Romance