Shanti Mishra

Inspirational Others

3  

Shanti Mishra

Inspirational Others

ମନ କଣ କେବେ କିଛି ବୁଝେ

ମନ କଣ କେବେ କିଛି ବୁଝେ

7 mins
438



ଜାତୀୟ ରାଜପଥ, ନମ୍ବର ଚୌରାନବେ ଭିତରକୁ ପ୍ରବେଶ କଲା ବେଳକୁ ‘ବିଜନ୍’ର ଆଗରେ ଶହେ ଗାଡି ପଛରେ ବି ତା ଠୁ ବେଶୀ । ସମସ୍ତେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ତତ୍ପର । କେହି ରାଜପଥରେ ପ୍ରବେଶ କରୁଥିଲେ ତ କେହି କେହି ନିର୍ଦ୍ଧାରିତ ଛକ ଦେଇ ବାହାରି ଯାଉଥିଲେ । ଯେତକ ଯାତ୍ରୀ ସେ ରାସ୍ତାରେ ଥିଲେ ସମସ୍ତଙ୍କର କିଛି ନା କିଛି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥଳି ଥିଲା ଯାଇ ପହଞ୍ଚିବାକୁ, ଏକା ତା ବ୍ୟତିତ । ସେ ଖାମ୍ ଖିଆଲି ଭାବେ ଦୀର୍ଘ ଛଅ ଘଣ୍ଟା ହେବ ଗାଡି ଚଳେଇ ଚାଲିଛି । ଦି ଥର ଗାଡିରେ ଗ୍ୟାସ୍ ବି ଭରି ସାରିଲାଣି । କିନ୍ତୁ ଆଉ ନୁହଁ । ଥକି ଗଲାଣି ପ୍ରଥମ ତ । ସନ୍ଧ୍ୟା ବି ଆଗତ ପ୍ରାୟ । ନିକଟସ୍ଥ ସହର ଆସିଗଲେ ସେଇଠାରେ ଏକ ହୋଟେଲ୍ ଦେଖି ରହିଯିବ । ତାର ବିଶ୍ରାମ ଦରକାର । ଶାରୀରିକ ଅପେକ୍ଷା ମାନସିକ ସ୍ତରରେ ସେ ବିଶେଷ କ୍ଲାନ୍ତ ।


ଏହା ଭିତରେ ମମିଙ୍କ ଦଶଥର ମିସ୍କଲ୍ ବି ଆସିଗଲାଣି । ସେ ଫୋନ୍ ଉଠେଇନି କି କିଛି ଉତ୍ତର ଏ ପର୍ଯ୍ୟନ୍ତ ଦେଇ ନାହିଁ । ସେ ନିଶ୍ଚୟ ବ୍ୟସ୍ତ ହେଉଥିବେ । ଆଜି ସେ ମମିଙ୍କ ସଂଗେ ଝଗଡା କରି ଘରୁ ଚାଲି ଆସିଛି । କେବେ ସେ ଆଗରୁ ମମିଙ୍କୁ ଏପରି କଥା କହିଥିବାର ବା ବ୍ୟବହାର କରିଥିବାର ତାର ମନେ ନାହିଁ । ସେ ଭଲ ଭାବରେ ଜାଣେ ଡାଡି ମମି ଏ ଦେଶକୁ ଆସି କେତେ କଷ୍ଟ ଉଠେଇଚନ୍ତି, କେତେ ସଂଘର୍ଷ କରିଛନ୍ତି ବଞ୍ଚିବା ପାଇଁ ଓ ତାକୁ ବଞ୍ଚେଇ ଏକ ସ୍ବଚ୍ଛନ୍ଦ, ସ୍ବଚ୍ଛଳ ଜୀବନ ଦେବା ପାଇଁ ।


ଆଜି ବି ତାର ମନେ ଅଛି । ତାର ବୟସ ସେତେବେଳେ ଦଶ ବର୍ଷ । ଯେତେବେଳେ ସେ ଏ ଦେଶକୁ ଡାଡି ମମିଙ୍କ ସଂଗ ଆସିଥିଲା । ସଂସାର ବିଷୟରେ ବୁଝିବାର ଶକ୍ତି କିଛି କିଛି ସେତେବେଳକୁ ତାର ଆସିଯାଇ ଥାଏ । ବୋଉକୁ ଯେତେବେଳେ କ୍ୟାନସର୍ ବୋଲି ଡକ୍ଟର କହିଲେ ତାର ବଞ୍ଚିବାର ଆଶା ବହୁତ୍ କମ୍ ଥିଲା । ସେତେବେଳେ ବାପା ପୁରା ଭାଙ୍ଗି ପଡିଥିଲେ । ସେତେବେଳେ ସେ ସେମାନଙ୍କୁ “ବାପା, ବୋଉ” ବୋଲି ଡାକୁଥିଲା । ଏ ଦେଶକୁ ଆସିଲା ପରେ ସେ କେତେବେଳେ ଡାଡି, ମମି ଡାକିବା ଆରମ୍ଭ କରିଚି ତାର ଠିକ୍ ରେ ମନେ ନାହିଁ ।


ସେ ଯେତିକି ବୁଝୁଥିଲା ସେତେବେଳର ପରିସ୍ଥିତି ବିଷୟରେ ସେତିକି ତା ପାଇଁ ଯଥେଷ୍ଟ ଥିଲା । କିଛି ଗୋଟେ ବଡ ଧରଣର ଅଘଟଣ ଯେ ଘଟିବାକୁ ଯାଉଛି ତାହା ନିଃସନ୍ଧେହ । ବାପାଙ୍କ ଆଖିରେ ଲୁହ । ବୋଉ ତାକୁ ବାରମ୍ବାର ଧରି ଲୁଚେଇ ଲୁଚେଇ କାନ୍ଦୁଥିବାର ସେ ଦେଖିଛି । ସେତେବେଳେ ଡାକ୍ତର କହିଥିଲେ ବୋଉକୁ ଆମେରିକା ନେଇ ଚିକିତ୍ସା କରିବା ପାଇଁ । ହୁଏତ ଠିକ୍ ହୋଇ ଯାଇପାରେ । ବାପା ପୁଣି ଦୁଃଖୀ ହୋଇଗଲେ । ଏତେ ଟଙ୍କା ସେ ପାଇବେ କୋଉଠୁ । ବାପାଙ୍କର ଯେପରି କେହି ଭାଇ ଭଉଣୀ ନଥିଲେ ବୋଉଙ୍କର ବି ସେମିତି ନଥିଲେ ।


ବହୁତ ସାଙ୍ଗ ସାଥୀ ବନ୍ଧୁ ବାନ୍ଧବଙ୍କର ସାହାର୍ଯ୍ୟ ଭିକ୍ଷା କଲେ । ଏତେ ଟଙ୍କା କେହି ଦେବାକୁ ରାଜି ହେଲେ ନାହିଁ । ବାପା ସବୁ ଟଙ୍କା ସୁଧ ମୂଳ କରି ଶୁଝିଦେବେ ବୋଲି ଯେତେ ଭଗବାନଙ୍କ ନାମରେ ଶପଥ କରି କହୁ ଥାନ୍ତି, ତଥାପି କେହି ତାଙ୍କୁ ବିଶ୍ବାସ କରୁ ନଥାନ୍ତି । ଶେଷରେ ଜଣେ ସାଙ୍ଗ ରାମବାବୁ ବହୁ କଷ୍ଟରେ ରାଜି ହେଲେ ବାପା ଘର ଦ୍ବାର ସବୁ ତାଙ୍କ ପାଖରେ ବନ୍ଧା ପକେଇବାକୁ କହିଲା ପରେ । ଏକଥା ବି କହିଥିଲେ ମଧ୍ୟ, ସେ ଯଦି ଫେରିବେ ତେବେ ରୁଣ ଶୁଝିଲେ ଘର ନେବେ ଯଦି ନଫେରି ପାରିବେ ସବୁ ରାମବାବୁଙ୍କର ।

ଆମେରିକାରେ ବାପାଙ୍କର ଜଣେ ବହୁ ଦୂର ସଂପର୍କୀୟ ମାଉସୀ ପୁଅ ଭାଇ ରହୁ ଥିଲେ । ତାଙ୍କ ପରିବାର ଲୋକଙ୍କ ଠାରୁ ତାଙ୍କ ଠିକଣା ଓ ଫୋନ ନମ୍ବର ଆଣିଥିଲେ । ସେତିକି ମାତ୍ର ସମ୍ବଳ ଓ ସାହାସକୁ ପାଥେୟ କରି ସେ ଆମେରିକା ଆସିଥିଲେ । ବୋଉ ହସ୍ପିଟାଲରେ ଆଡମିଟ୍ ହେଲେ । ସେମାନେ ସେଇ ପାଖରେ ଏକ ସ୍ତୁଡିଓ ରୁମ୍ ଭଡା ନେଇ ରହିଲେ । ଆଣିଥିବା ଟଙ୍କା ସରିଯିବାକୁ ବେଶୀ ସମୟ ଲାଗିବନି । କିଛି କାମ କରିବାକୁ ପଡିବ । ସେ ସବୁ ପ୍ରକାର କାମ କରିବା ପାଇଁ ପ୍ରସ୍ତୁତ ଥିଲେ । ଏପରିକି ବାସନ ମଜା ଠାରୁ ଆରମ୍ଭ କରି ରାସ୍ତା ସଫା ପର୍ଯ୍ୟନ୍ତ । କିନ୍ତୁ ସେଥିପାଇଁ ସେ ଦେଶର ବିଶେଷ ପ୍ରକାର ଭିସା ବା ଅନୁମତି ପତ୍ର ଦରକାର ଯୋଉଟାକି ସେମାନଙ୍କ ପାଖରେ ନଥିଲା ।


ବାପା ତାଙ୍କ ଦୂର ସମ୍ପର୍କୀୟ ମାଉସୀ ପୁଅଙ୍କୁ ଦଶଥର ଫୋନ୍ କରି ଶେଷରେ ଦିନେ ପାଇଲେ । କାନ୍ଦି କାନ୍ଦି ସବୁ ଦୁଃଖ ଅସୁବିଧା ଜଣେଇଲେ । ଭାଗ୍ୟକୁ ସେ ଜଣେ ଦୟାଳୁ ଓ ଉପକାରୀ ଲୋକ ଥିଲେ । ସେ ରହୁଥିବା ତାଙ୍କ ସହର ଚିକାଗୋକୁ ନେଇ ବୋଉକୁ ଚିକିତ୍ସା କରିବାକୁ କହିଲେ ଏବଂ ତାଙ୍କର ଏକ ଛୋଟ କମ୍ପାନୀ ଥିଲା ସେଥିରେ ଏକ ଚାକିରୀ ଯୋଗେଇ ଦେବେ ଓ ଭିସାର ବ୍ୟବସ୍ଥା ମଧ୍ୟ କରିଦେବେ ବୋଲି କହିଲେ ।


ବାପା ସେଇଆ କଲେ । ତାଙ୍କ କମ୍ପାନୀରେ ଜୀବନକୁ ବାଜି ଲଗେଇ ଦେଇ ସବୁ କାମ କଲେ ।ଯେତେ କଷ୍ଟ ହେଉ ପଛଘୁଂଚା ଦେଲେ ନାହିଁ । ବୋଉଙ୍କ ଚିକିତ୍ସା ବି ଚାଲିଥାଏ ଓ ସେ ଭଲ ଆଡକୁ ଗତି କରୁଥାଅନ୍ତି । ବାପା ତାକୁବି ଅଫିସ୍ ଧରି ଯାଆନ୍ତି । ଏବଂ ଛୋଟ ମୋଟ କାମରେ ଲଗେଇ ଦିଅନ୍ତି । ବପାଙ୍କ କାମରେ ମହେଶ ବାବୁ ବହୁତ ଖୁସି । ଧିରେ ଧିରେ ବାପାଙ୍କୁ ସେ ବହୁ ଦାୟୁତ୍ବ ପୂର୍ଣ୍ଣ କାମରେ ଲଗେଇଦେଲେ ।


ଡାଡିଙ୍କ ହାତରେ କିଛି ଟଙ୍କା ହୋଇଗଲେ ସେ ନିଜ ଦେଶକୁ ଯାଇ ସାଙ୍ଗଙ୍କ ଟଙ୍କା ଶୁଝିବେ, ତାଙ୍କ ମନରେ ସବୁବେଳେ ଏ କଥା ଥାଏ । ଡାଡି ତାଙ୍କୁ ରୀତିମତ ଚିଠି ଦଉ ଥାଆନ୍ତି । ଏବଂ ସୁଧ ବାବଦରେ କିଛି କିଛି ଟଙ୍କା ବି ପଠୋଉ ଥାନ୍ତି । ସବୁଯାକ ଟଙ୍କା ଏକ ସଂଗରେ ଶୁଝିବା ଏବେବି ତାଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଦେଖୁ ଦେଖୁ ସାତ ବର୍ଷ ଚାଲିଗଲାଣି । ବିଜନକୁ ସତର ବର୍ଷ ହେଇଗଲାଣି । ବିଜନ ଭଲ ପାଠ ପଢୁ ଥାଏ । ତାର ପଢା ଖର୍ଚ୍ଚ, ଘର ଖର୍ଚ୍ଚ, ମମିଙ୍କ ଔଷଧ ଖର୍ଚ୍ଚ ପରେ ଡାଡି ବିଶେଷ କିଛି ଅଧିକ ସଂଚୟ କରି ପାରୁ ନଥିଲେ ।


ଡାଡିଙ୍କର ଭିସା ବି ସେତେବେଳକୁ ସ୍ଥାୟୀ ବା ପରମାନେଣ୍ଟ ହୋଇଗଲାଣି । ମହେଶ୍ ବାବୁଙ୍କ ଦୟା ସେମାନଙ୍କ ଉପରେ ଅନେକ । ସେ ଡାଡିଙ୍କୁ ଦେଶକୁ ନଫେରି ଏଇଠି ରହି ଯିବାକୁ ସବୁଦିନ ପାଇଁ ପରାମର୍ଶ ଦଉଥାନ୍ତି । ମହେଶବାବୁଙ୍କୁ ବି ଜଣେ ଏତେ ବଡ଼ ବିଶ୍ବସ୍ତ ସଚୋଟ୍ ଲୋକ ମିଳିଗଲା । ଟଙ୍କା ଦେଲେବି ଏପରି ନିର୍ଭରଯୋଗ୍ୟ ମଣିଷ ତାଙ୍କୁ ବି ମିଳିବା ଏତେ ସହଜ ନୁହେଁ । ଡାଡି ବି ତାଙ୍କ ଦୟା ପାଇଁ ଚିର ରୁଣୀ । ସେତେ ବେଳର ଅସମୟରେ ତାଙ୍କର ଅକୁଣ୍ଠ ସାହାଯ୍ୟ ନମିଲିଥିଲେ ଅବସ୍ଥା ଯେ କଣ ହୋଇଥାନ୍ତା ଡାଡି ମମିଙ୍କଠୁ ବାରମ୍ବାର ଏକଥା ସେ ଶୁଣି ଆସିଛି ।


ମହେଶ ବାବୁଙ୍କ ଋଣ କିଞ୍ଚିତ ତ ଶୁଝି ହେଇଯିବ ଯଦି ସେମାନେ ତାଙ୍କ କଥା ମାନି ଏ ଦେଶରେ ରହିଯିବେ । ତେଣୁ ମହେଶ ବାବୁଙ୍କ ସହାୟତାରେ ସେମାନେ ଏ ଦେଶର ନାଗରିକତା ପାଇଁ ନିବେଦନ କଲେ ସରକାରଙ୍କୁ । କିନ୍ତୁ ନିଜ ଦେଶକୁ ଥରେ ଯାଇ ରାମ ବାବୁଙ୍କ ସମସ୍ତ ଟଙ୍କା ଶୁଝିବେ । ବଚନ ଭଙ୍ଗ କେବେବି ହେବେ ନାହିଁ । ବିଜନକୁ ଯେତେବେଳେ ଏକୋଇଶୀ ବର୍ଷ ହେଇଥିଲା ତାକୁ ଏଠି ଏକା ଛାଡିଦେଇ ଡାଡି ମମି ଦେଶକୁ ଥରେ ଯାଇଥିଲେ ।


ଏହା ଭିତରେ ଆହୁରି ସାତ ବର୍ଷ ବିତିଗଲାଣି । ବିଜନ୍ ବେଶ୍ ବଡ ହୋଇଗଲାଣି । ନିଜର ଭଲ ମନ୍ଦର ବିଚାର ସେ ନିଜେ କରିବା କ୍ଷମ ଏବେ । ‘ଲରେନ୍’ ସହିତ ତାର ବନ୍ଧୁତ୍ବକୁ ସେ ଡାଡି ମମିଙ୍କୁ ଏଯାଏ କେବେ କହି ନଥିଲା । ସେମାନଙ୍କ ବନ୍ଧୁତ୍ବ ଦଶ ବର୍ଷର । କିନ୍ତୁ ଏବେ ସେମାନେ ବିବାହ କରିବେ ବୋଲି ମନସ୍ଥ କରିନେଲେ । ଯେତେବେଳେ ସେ ଆସି ଘରେ ଡାଡି ମମିଙ୍କୁ କହିଥିଲା ସେମାନେ ମୋଟେ ଖୁସି ହେଲେ ନାହିଁ । ସେମାନେ କହିଲେ “ସେ ରାମ ବାବୁଙ୍କ ଝିଅ ସହ ତାର ବିବାହ ଠିକ୍ କରି ଦେଇଆସିଛନ୍ତି । ତାର ଆସନ୍ତା ବର୍ଷ କଲେଜ୍ ସରିଗଲେ ବାହାଘର କରିବୁ ବୋଲି ସବୁ ବ୍ୟବସ୍ଥା ଆମେ ଗଲା ଥର ଭାରତ ଯିବା ବେଳେ କରି ସାରିଛୁ । କେବଳ ଉପଯୁକ୍ତ ସମୟ ସୁଯୋଗର ଅପେକ୍ଷାରେ ଥିଲୁ ତତେ କହିବା ପାଇଁ ।”


“ଆମେ ଫୋନରେ ଏ କଥା ନକହି ଛୁଟିରେ ତୁ ଘରକୁ ଆସିବାର ଅପେକ୍ଷାରେ ଥିଲୁ । ଏଇ ଖ୍ରୀଷ୍ଟ ମାସ ରେ କହିବୁ ବୋଲି ଭାବିଥିଲୁ । ଆମେ କହିବା ପୂର୍ବରୁ ତୁ କହିଦେଲୁ । ଆମେ କଥା ଦେଇ ସାରିଛୁ ଏବଂ ଆମେ ତାଙ୍କ ପାଖେ ଚିର ଋଣୀ । ତୁ ତ ଆମ ପରିସ୍ଥତି ସବୁ ଜାଣୁ । ତୁ ଆମର ବାଧ୍ୟ ସଂତାନ ତେଣୁ ତତେ ନପଚାରି ଆମେ ହଁ କରିଦେଲୁ ଭାବିଥିଲୁ ତୋର କିଛି ଆପତ୍ତି ନଥିବ । ତୁ ବି କେବେ ଆମକୁ ତୋ ବାନ୍ଧବୀଙ୍କ ବିଷୟରେ କିଛି କଥା କହି ନଥିଲୁ ଆଗରୁ ।”


“ସମୟ ଆସିଲେ କହିବି ବୋଲି ଭାବିଥିଲି । ଏତେ ବଡ଼ ଫୈସଲା ନବା ପୁର୍ବରୁ ମତେ ଟିକେ ଜଣେଇବାର ତ ଥିଲା ।ମୁଁ ସବୁ କଥାରେ ତୁମର ବାଧ୍ୟ ସନ୍ତାନ ହୋଇ ପାରେ କିନ୍ତୁ ଏ ବିଷୟରେ ନୁହେଁ ।” “ ଆମେ କଥା ଦେଇ ସାରିଛୁ ରାମବାବୁଙ୍କୁ”। “ମୁଁ ବି କଥା ଦେଇସାରିଛି ଲରେନକୁ । ମୋ କଥାରୁ ଓହୋରି ଯାଇ ନପାରେ ।”ବିଜନ ପାଂଚଦିନ ପାଇଁ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲା କିନ୍ତୁ ଯୁକ୍ତି ତର୍କର ଦୁଇ ଦିନ ପରେ ସେ ଘରୁ ବାହାରି ଆସିଥିଲା କାହାକୁ କିଛି ନକହି । ମମିଙ୍କ କାନ୍ଦ ଆଜି ତାର ପଥ ରୋକି ପାରିବ ନାହିଁ ।


ଆସୁ ଆସୁ ବିଜନ ବହୁତ ବାଟ ଆସି ସାରିଲାଣି । ଏବେ ସେ କ୍ଲାନ୍ତ । ପାଖରେ ଏକ ଛୋଟ ସହର ଦେଖି ହୋଟେଲ୍ ଖୋଜି ସେଇଠି ରହିଗଲା । ନା ଆଜି ସେ ମମିଙ୍କ କଲ୍ ର କୌଣସି ଉତ୍ତର ଦେବ ନାହିଁ । ହୋଟେଲ ରେ କିଛି ଖାଇନେଲା ଓ ବାର୍ କୁ ଯାଇ କିଛି ମଦ୍ୟ ପାନୀୟ ନେଇ ଆସି ରାତିରେ ପିଇ ଶୋଇ ଯାଇଥିଲା । ତା ପରଦିନ ସେ ଆଖି ଖୋଲିଲା ବେଳକୁ ସେ ହସ୍ପିଟାଲ୍ ବେଡରେ । ମୁଣ୍ଡ ଗୋଡ଼ ହାତରେ ବ୍ୟଣ୍ଡେଜ୍ ଲାଗିଛି । କଣ ହେଲା ସେ କିଛି ବୁଝି ପାରି ନଥିଲା । ଆଖି ଖୋଲିବାରେ ବି କଷ୍ଟ । ତଥାପି ସେ ଆଖି ଧିରେ ଧିରେ ଖୋଲିବାକୁ ଚେଷ୍ଟା କଲା । ସାମନାରେ ଗୋଡ ତଳେ ମମି ବସିଛନ୍ତି । ଡାଡି ତାଙ୍କ ପାଖରେ ଠିଆ ହୋଇଛନ୍ତି । ଲରା ବିଜନ୍ ର ସେବାରେ ଲାଗି ରହିଛି । ଡାକ୍ଟର ନର୍ସ ମାନଙ୍କ ପରାମର୍ଶ ଅନୁସାରେ ସେ କିଛି କାମରେ ବ୍ୟସ୍ଥ ଅଛି।


କିଛି ବୁଝି ପାରିଲାନି ହଠାତ୍ କରି । ମନେ ପକେଇବାକୁ ଚେଷ୍ଟା କଲା । ସେ କାଲି ରାତିରେ ଅତ୍ୟଧିକ ମାତ୍ରରେ ପି ଦେଇ ଶୋଇ ଯାଇଥିଲା । ସକାଳୁ ଉଠି ମୁଣ୍ଡ ଭାରି ଭାରି ଲାଗୁଥିଲା ଆଖି ଭଲ କରି ଖୋଲି ହଉ ନଥିଲା କିନ୍ତୁ ମମି ଓ ଲରାର ଏତେ ଗୁଡାଏ ମିସ୍କଲ୍ ଦେଖି ସେ ଲରା ପାଖକୁ ଯାଇ ତାର ପରାମର୍ଶ ନେବାକୁ ଇଛା କଲା । ଗାଡି ଡ୍ରାଇଭିଙ୍ଗ କରି ଆସୁଥିଲା । ଆଖିକୁ ସବୁ ଝାପସା ଝାପସା ଦିଶୁଥିଲା । ହଠାତ୍ ଭାରସାମ୍ୟ ହରେଇ ଏକ ଲାଇଟ୍ ଖୁଣ୍ଟ ସହିତ ବହୁ ଜୋରରେ ଧକ୍କା କରିଦେଇଥିଲା । ଏତିକି ତାର ମନେ ଅଛି । ତାପରେ ବୋଧେ ସେ ଏଠାରେ ।


ମମି କହିଥିଲେ “ହଁ ମାନୁଛି ଆମେ ଟିକେ ତୋ ପ୍ରତି ଆବଶ୍ୟକତା ଠାରୁ ଅଧିକ କଠୋର ହୋଇ ପଡିଥିଲୁ । ତା ବୋଲି ତୁ ଏପରି ପଦକ୍ଷେପ ନବୁ । ଆମକୁ ଲରେନ ବହୁତ୍ ପସନ୍ଦ । ଆମେ ଏହା ଠାରୁ ଆଉ ଭଲ ଝିଅ ଖୋଜିଥିଲେ ବି ପାଇ ନଥାନ୍ତୁ । ତୁ ଜିତିଲୁ ଆମେ ବି ଜିତିଛୁ ତୋ ଖୁସିରେ ଖୁସି ହୋଇ । ”

“ଆଉ ତୁମ ପସନ୍ଦର ଝିଅ ବିଷୟରେ କଣ ହେବ ।” “ତୁ ସେ ବିଷୟରେ ଚିନ୍ତା କରନି ତାର ବ୍ୟବସ୍ଥା ଆମେ କରି ସାରିଲୁଣି । ତୋ ମମିଙ୍କ ମାମୁଁ ପୁଅ ଭାଇଙ୍କ ପୁଅ ସଂଗେ ବାହାଘର ଆମେ ଠିକ୍ କରି ଦେଇଛୁ ତାର । ଏବଂ ତାକୁ ସ୍ପନସର କରିକି ଆମେ ଆମେରିକା ନେଇ ଆସିବୁ । ରାମବାବୁ ସେ ପ୍ରସ୍ତାବରେ ବହୁତ୍ ଖୁସି ।” ଡାଡି କହିଲେ ।


ନିର୍ବନ୍ଧ ଦିନ ଲରେନ ଯେତେବେଳେ ମମିଙ୍କ ଶାଢୀ ଗହଣା ପିନ୍ଧି ଆସି ପାର୍ଟିରେ ସାମିଲ୍ ହୋଇଥିଲା ସମସ୍ତଙ୍କ ଆଖି ତା ଉପରେ । ସତରେ ସେ କେତେ ସୁନ୍ଦର ଦିଶୁଥିଲା । ଧଳା ରଂଗର ଚେହେରରେ ଗୋଲାପି ମୁହଁ, ଓଠରେ ନାଲି ଲିପଷ୍ଟିକ୍….. ସତରେ ପ୍ରଚୁର ପରିମାଣରେ ଉପଯୁକ୍ତ ଶବ୍ଦ ଓ ଭାଷା ଦରକାର ବର୍ଣ୍ଣନା ପାଇଁ। ମମି ତ ବାରମ୍ବାର ଭଗବନଙ୍କ ଉଦେଶ୍ୟରେ ପ୍ରଣିପାତ କରି ଚାଲିଥିଲେ । ବୋହୁ ପାଇଁ କି ପୁଅର ସୁସ୍ଥ ହୋଇ ସ୍ବଦେହ ପ୍ରତ୍ୟାବାର୍ତ୍ତନ ପାଇଁ ଜାଣିବା ଟିକେ କଷ୍ଟ ଥିଲା ସେଇ ମୁହୂର୍ତ୍ତରେ ବିଜନ ପାଇଁ । କାରଣ ତାର ମନ ଓ ଆଖି ବର୍ତ୍ତମାନ ଲରେନ୍ ପାଖରେ । ମନ ତାର ଏକ ଯିଦିରେ ଥିଲା । ଲରେନ୍ କୁ ବାହା ହେବାର ଯିଦି । ମନ କଣ କେବେ କିଛି ବୁଝି ଥାଆନ୍ତା ଯେତେ ବୁଝେଇଥିଲେ ତାକୁ ! ସେ ଜିତି ଯାଇଛି । ନାଚିବାକୁ ଇଛା ଯେ ଗୋଡରେ ଦରଜ ଏବେବି ଟିକେ ଟିକେ ଅଛି ।



Rate this content
Log in

Similar oriya story from Inspirational