ମିଛେଇ ଝିଅ ଓ ଡ୍ରିମ ବୟ
ମିଛେଇ ଝିଅ ଓ ଡ୍ରିମ ବୟ
ଯେତେ ତରତର ହେଇ କାମ ସାରିଲେ ମଧ୍ୟ ଆଜି କାମ ସରୁନି ପଲ୍ଲବୀ ର । ୯ ଟା ବାଜିବାକୁ ଆଉ ମାତ୍ର ପନ୍ଦର ମିନିଟ- ବାକି ଅଛି । ଓଃ!!! ଆହୁରି ଅନେକ କାମ ବାକି ଅଛି .......। ଆଜି ସ୍କୁଲ ର ନୂତନ ଗୃହର ଉଦଘାଟନ ଉତ୍ସବ । ସମସ୍ତଂକୁ ଶୀଘ୍ର ପହଞ୍ଚିବାକୁ କୁହାଯାଇଥିଲା । ଖୋଦ କଲେକ୍ଟର ଆସୁଛନ୍ତି ମୁଖ୍ୟ ଅତିଥି ଭାବେ । ଅଥଚ ଭୋର ଚାରିଟା ରୁ ଉଠି ମଧ୍ୟ ତା କାମ ସରୁନି ।
ଶାଶୁ , ଶ୍ୱଶୁରଙ୍କର ଦ୍ଵିତୀୟ ଥର ଚା ସରିଲାଣି । ଶୁଭେନ୍ଦୁଙ୍କର ଲଞ୍ଚ ବକ୍ସ ପ୍ୟାକ କରିସାରିଛି , ତା ଭିତରେ ଖାଇବାକୁ ବି ଦେଇ ସାରିଛି । ତା ବ୍ୟତିତ ସିଏ ନିଜେ ଖାଇବ , ବାସନ ଧୋଇବ , ଯିବା ପାଇଁ ରେଡି ହେବ । କେମିତି ସରିବ ଏସବୁ ୯.୩୦ ଭିତରେ!!! ଵ୍ୟସ୍ତ ହୋଇ ପଡ଼ୁଥିଲା ପଲ୍ଲବୀ । ଏଣେ ହାତ ଧୋଇବା ମାତ୍ରେ ଶୁଭେନ୍ଦୁ ଚିଲ୍ଲେଇବା ଆରମ୍ଭ କରିବେ...... ଅଫିସ ଲେଟ ହେଲାଣି ।
ମନେମନେ ଗରଗର ହେଉଥିଲା ପଲ୍ଲବୀ ....ନିହାତି ସ୍ୱାର୍ଥପର ମଣିଷଟିଏ । ସବୁ କାମ ସମୟରେ ହେବ କିନ୍ତୁ , ସାହାଯ୍ୟ ଟିକେ କରିଦେବାକୁ ବିବେକ କୁହେନା । ଏକା ମଣିଷ ପଲ୍ଲବୀ , ହାତ ତ ଦୁଇଟା ନା । ଅଣନିଶ୍ୱାସୀ ହୋଇପଡେ ସେ ଏ ଜୀବନରେ । ପ୍ରେମ ବିବାହ ପରେ ପ୍ରେମ କେବେଠୁ ଉଡ଼ି ଗଲାଣି । କର୍ତ୍ତବ୍ୟ ର ମୋହର ତଳେ ପେଷି ହେଉଛି ସେ। ବରଂ ବାହା ନ ହେଇଥିଲେ ଭଲ ହେଇଥାନ୍ତା ଭାବୁଥିଲା । ଭଗବାନଙ୍କ ଦୟାରୁ ଏଇ ଚାକିରୀ ଖଣ୍ଡକ ହେଇଯାଇଛି ନଚେତ ପାଗଳ ହେଇ ସାରନ୍ତାଣି । ଛାଡ଼ -----ଯାହା ଭାଗ୍ୟରେ ଅଛି । ତରବରିଆ ଭାବେ କଣ ଦିଟା ପାଟିରେ ଦେଇ ବହାରିପଡ଼ିଲା ଯିବା ପାଇଁ ତିନି ବର୍ଷର ପୁଅକୁ ଶାଶୁଙ୍କ ଜିମା ଦେଇ ।
ସ୍କୁଲରେ ପହଂଚି ସାଇନ କରିସାରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖିଲା ସବୁ ଠିକଠାକ ଅଛି କି ନା : କଲେକ୍ଟରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବାର ଦାୟିତ୍ବ ଥିଲା ପଲ୍ଲବୀ ର । ସବୁ ରେଡି କରି ରଖିଲା । ପିଲାମାନଙ୍କୁ ବୁଝାଇ ଦେଲା ଭଲଭାବରେ କଣ କରିବାକୁ ହେବ । ଠିକ ୧୧ ଟା ବେଳକୁ କଲେକ୍ଟରଙ୍କ ଗାଡି ଆସି ଲାଗିଲା ସ୍କୁଲ ଫାଟକ ପାଖରେ । ପାଛୋଟି ଆଣିବାକୁ ଆଗେଇ ଗଲା ପଲ୍ଲବୀ ପ୍ରଧାନ ଶିକ୍ଷକ ଓ ପିଲାଙ୍କ ସହ । କିନ୍ତୁ ନମସ୍କାର ଜଣାଇବାକୁ ଯାଇ କଲେକ୍ଟରଙ୍କୁ ଚାହିଁବା ମାତ୍ରେ ତାକୁ ଲାଗିଲା ସେ ଯେମିତି ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଦେଖୁଚି । ଆରେ - - - - -ଇଏତ ଶିବାନୀ !!!!! ଇସସ------ ତା ମୁଣ୍ଡ କଣ ହେଇ ଯାଉଥିଲା । ସେଦିନର ଢେଗି ଆଖି , କାଲି ବିଲ୍ଲୀ ଆଜିର କଲେକ୍ଟର - - - - - -।ନିଜକୁ କୌଣସି ମତେ ସମ୍ଭାଳି ନେଇ ଆଗେଇ ଗଲା ସେ , କିନ୍ତୁ ମଥା ଚକକର କାଟୁଥାଏ । ଅନାହୁତ ଭୟ ତା ଭିତରେ- - - - ଶିବାନୀ ପୁରୁଣା ଦିନର ପ୍ରତିଶୋଧ ନେବନି ତ ?????
ଉଦଘାଟନ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଗଲା । କାର୍ଯ୍ୟକ୍ରମ ପରେ ପିଲାମାନଙ୍କ ସହ ଆଳାପ ଆଲୋଚନା କରିଥିଲେ କଲେକ୍ଟର ମହୋଦୟା । ସ୍କୁଲ ବୁଲି ଦେଖିବା ସହ ପାଠପଢ଼ା , ଖାତାପତ୍ର ମଧ୍ୟ ଦେଖିଥିଲେ ଓ ଜରୁରୀ ତଥା ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଭିତରେ କେହି ଘୁଣାକ୍ଷର ରେ ମଧ୍ୟ ଟେର ପାଇନଥିଲେ ଯେ ଶିବାନୀ ଓ ପଲ୍ଲବୀ କଲେଜ ମେଟ । ସମୟ ସାରିଆସିଥିଲା । ସମସ୍ତଙ୍କ ଠାରୁ ବିଦାୟ ନେଇ ଚାଲି ଯାଇଥିଲେ ମିସ ଶିବାନୀ ରାୟ ।
ଭୁରିଭୁରି ପ୍ରଶଂସା ରେ ଫାଟି ପଡୁଥାଏ କମନ ରୁମ । ଏତେ ଶିକ୍ଷିତା ଓ ଏତେ ବଡ଼ ପଦବୀରେ ଥାଇ ମଧ୍ୟ ସାମାନ୍ୟତମ ଅହଂକାର ନାହିଁ ମାମଙ୍କର । ଦେଖିବାକୁ ସୁନ୍ଦରୀ ନଥିଲେ ମଧ୍ୟ ଅତି ଅଳ୍ପ ଦିନରେ ଲୋକଙ୍କର ହୃଦୟ ଜିତି ଯାଇଛନ୍ତି । କ୍ଳାନ୍ତ ଅନୁଭଵ କରୁଥିଲା ପଲ୍ଲବୀ ଶାରୀରିକ ଓ ମାନସିକ ସ୍ତର ରେ । ଏତିକି ବେଳେ ହେଡମିଷ୍ଟ୍ରେସ ଡକେଇ ପଠେଇଲେ ପଲ୍ଲବୀକୁ । ଚମକେଇ ଦେଲା ପରି କହିଲେ , କଲେକ୍ଟର ମାଡାମଙ୍କର ନିର୍ଦ୍ଦେଶ ଅଛି ତା ପାଇଁ -- ଆସନ୍ତା କାଲି ସନ୍ଧ୍ୟା ୬ ତାରେ ତାଙ୍କ କ୍ବାର୍ଟର ରେ ଦେଖା କରିବା ପାଇଁ। ଅଚାନକ ଝଡ଼ ଆସିବା ପରି ଅନୁଭବ ହେଲା ----- କଣ ପାଇଁ ଡକେଇ ପଠେଇଛି ଶିବାନୀ ???? ବିଦ୍ୟାଳୟରେ ତାର କିଛି ଭୁଲ ହେଇଚି କି ?? ନା ପୁରୁଣା ଅପମାନର ପ୍ରତିଶୋଧ ନେବାକୁ !!!!!!
ବାଟରେ ଫେରିଲା ବେଳେ ଶୁଭେନ୍ଦୁଙ୍କର ଆକ୍ଷେପ ........ ..କଣ କରିଚ ବୋଧେ , ନହେଲେ କାହିଁକି ଡାକିଛନ୍ତି ? ତମର ତ ସବୁ କାମ ଭୁଲଭାଲ । କିଛି ଉତ୍ତର ନଥିଲା ତା ପାଖରେ ।
ତା ପରଦିନ ସନ୍ଧ୍ୟା ବେଳର କିଛି କାମ ତୁଟାଇ ସାରି ପୁଅକୁ ନେଇ ବାହାରି ଗଲା ପଲ୍ଲବୀ । କ୍ବାର୍ଟର ରେ ପହଂଚି ଦେଖିଲା ଆଗରୁ ଅପେକ୍ଷା କରିଛି ପରିଚାରିକା ।
ଦେଖିବା ମାତ୍ରେ ମାଡାମଙ୍କୁ ଖବର ଦେବାପାଇଁ ଭିତରକୁ ଗଲା ।
ସେଇ ସମୟ ଭିତରେ ଡ୍ରଇଂରୁମ ର ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲା ସେ । କିନ୍ତୁ କେଇଟି ପେଣ୍ଟିଙ୍ଗ ବ୍ୟତୀତ କିଛି ନଥିଲା କାନ୍ଥ ରେ । ଥାକରେ ସୁଦୃଶ୍ୟ ଢଙ୍ଗରେ ସଜା ହୋଇଥାଏ ବହି । ଅଖଣ୍ଡ ନୀରବତା ସେଠି , ଆଲପିନ ପଡିଲେ ବି ଶବ୍ଦ ଶୁଭିବ । ଖୁଜୁରୁବୁଜୁରୁ ହେଉଥିଲା ପୁଅ ଟିପୟ ଉପର ଫୁଲଦାନୀ କୁ ଦେଖି ଟାଣି ଆଣିବ ବୋଲି । ଏତିକି ବେଳେ ଆସିଲେ ଶିବାନୀ , ନବନିଯୁକ୍ତ କଲେକ୍ଟର :::::: ଅତି ସାଧାସିଧା ପୋଷାକ ରେ । ଵ୍ୟସ୍ତ ହୋଇ ଉଠିପଡ଼ି କହିପକାଇଲା ପଲ୍ଲବୀ , "ନମସ୍କାର ମାଡାମ " ।
" ଆରେ ଇଏ କଣ ? ତୁ ପରା ମୋ ସାଙ୍ଗ !! ଏଠି ନୋ ଫର୍ମାଲିଟି " କହିଲା ଶିବାନୀ । "କିଛି କଥାବାର୍ତ୍ତା ହେବି ,ତୋ କଥା ବୁଝିବି ବୋଲି ତତେ ଡାକିଥିଲି । କହ କେମିତି ଅଛୁ ? ପୁଅ ଟି ତ ବେଶ ସୁନ୍ଦର " ଏତିକି କହି ପୁଅକୁ କୋଳକୁ ନେଲା ।
" ହଁ , ସେମିତି ....... । ଏକପ୍ରକାର ଅଣନିଶ୍ୱାସୀ ହୋଇ ବଂଚିଛି । ପ୍ରତିଦିନର କିଚକିଚ ରେ ଅତିଷ୍ଠ ସେ । । ନିଜ ପସନ୍ଦରେ ବିବାହ କରିଥିଲା ସତ କିନ୍ତୁ ଦିନ କେଇଟାରେ ନିଶା କୁଆଡେ ଖସି ଯାଇଥିଲା । ଘର ଚଳେଇବାର ଅସୁବିଧା ପ୍ରେମର ରଙ୍ଗ କୁ ଫିକା କରିଦେଲା । ଭାଗ୍ୟକୁ ଏଇ ଚାକିରୀ ଖଣ୍ଡକ ହେଇ ଯାଇଛି । ଶୁଭେନ୍ଦୁ ଏକ ଛୋଟିଆ କମ୍ପାନୀ ରେ କାମ କରୁଛନ୍ତି । କୌଣସି ମତେ ଚାଲିଛି ଦୁଃଖେ ସୁଖେ ସଂସାର । --
ଭୟ ଉତୁରି ଗଲା ପରେ ପଚାରିଲା ପଲ୍ଲବୀ , " ଆଚ୍ଛା ,ଛାଡ଼ ସେସବୁ ....... ତୋ କଥା କହ ---- । ତୋ ହଜବ୍ୟାଣ୍ଡ , ପିଲାପିଲି ????? କୁଆଡେ ଯାଇଛନ୍ତି ନା କଣ ? କାହାନ୍ତି ତୋର ଡ୍ରିମ ବୟ ? କାଇଁ କାହାକୁ ତ ଦେଖୁନି !!! ଏକାଥରେ ଏତେ ପ୍ରଶ୍ନ ପଚାରି ଦେଇ ନିରବ ହେଇଗଲା ସେ ।
ପଲ୍ଲବୀ କୁ ଚମକାଇ ଦେଇ ଖୁବ ଜୋରରେ ହସିଉଠିଲା ଶିବାନୀ - - - ହା -ହା-ହା-ହା- ହା " ଡ୍ରିମ ବୟ " ............. । ହଁ , ଅଛିନା ମୁଁ ମୋର ଡ୍ରିମ ବୟ ସହ କିନ୍ତୁ ଏକା ଏକା ।
" ମାନେ ........." କିଛି ବୁଝିପାରୁନଥିଲା ପଲ୍ଲବୀ । ଇଏ କେଉଁ ଗୋଲକଧନ୍ଦା ???
"ମାନେ ଆଉ କଣ ? ମୁଁ ଏକା ଅଛି ।"
- "ହେଲେ .....ହଷ୍ଟେଲ ରେ ଥିଲାବେଳେ ତୋର ସେଇ ଫୋନ , ଆଉଟିଂ ସେସବୁ !!!!! "
" ରହ ରହ । କହିଲା ଶିବାନୀ , ଆରେ ତମେ ମାନେ ମତେ କଣ କହୁଥିଲ ମନେ ଅଛି ? ଜନ୍ମରୁ କାଳୀ , ବଡ଼ ବଡ଼ ଆଖି ବୋଲି ମୋ ବାପା , ବୋଉ ବି ମତେ ଭଲ ପାଉ ନଥିଲେ । କିଏ ୟାକୁ ବାହା ହେବ ? ଏଇ ପ୍ରଶ୍ନ ସେମାନଙ୍କୁ ଖାଇଯାଉଥିଲା । ସେମାନଙ୍କ ସ୍ନେହ ଶ୍ରଦ୍ଧା ପାଇଁ ଡ଼ହଳବିକଳ ହେଉଥିଲି ମୁଁ । ମୋ ଜେଜେମା ସେବେଳେ ମୋର ସାହସ ହେଇ ଠିଆ ହୋଇଥିଲା । ମନର ବଳ ବଢ଼େଇଥିଲା । କହିଥିଲା -- ଜଗନ୍ନାଥ କଳା , ଆଖି ଦିଟା ବଡ଼ ବଡ଼ , ହେଲେ ସିଏ ସମସ୍ତଂକର ପ୍ରିୟ ଠାକୁର --- ବଡ ଠାକୁର । ତୁ ସେମିତି ତୋ ଗୁଣରେ ସମସ୍ତଙ୍କୁ ମୋହି ନେ । ଦିନେ ଏ ଦୁନିଆ ଏଇ ରୂପ ସହ ତତେ ପାଛୋଟି ନେବ । ବାସ ........ ସେଇଦିନୁ ମୁଁ ଆଉ ପଛକୁ ଚାହିଁନି ।
ବୟସ ବଢ଼ିବା ସହ ମୋ ମନ ମଧ୍ୟ ଚଞ୍ଚଳ ହେଲା । ହେଲେ ମୁଁ ସାଥି ଦୂରର କଥା ଖେଳସାଥୀ ଟିଏ ବି କରିପାରି ନଥିଲି । ଢେଗି ଆଖି ର ଡାକ ତଳେ ମୋ ଜେଜେମା ଦିଆ ଶିବାନୀ ନାଁ କୁଆଡେ ଲୁଚି ଯାଇଥିଲା ।
ସେ ଯାହେଉ ବହୁତ ଭଲ ପଢ଼ୁଥିଲି ଆଉ ସବୁଥିରେ ପ୍ରଥମ ହେବାର ନିଶା ମତେ କଲେଜ ଯାଏ ନେଇଗଲା । ତୁ ତ ଜାଣିଚୁ ..... କୌଣସି ପୁଅ ମୋ ସାଙ୍ଗ ହେଉ ନଥିଲେ । ସିନିୟର ମାନେ ମତେ ଡାକୁଥିଲେ "କାଲି ବିଲ୍ଲୀ " , ଢେଗି ଆଖି । ତୁ କହ ପଲ୍ଲବୀ --- - -ସେ ରୂପ ପାଇବାରେ କଣ ମୋର ହାତ ଥିଲା ?? -" - - - ନୀରବରେ ମୁଣ୍ଡ ତଳକୁ କରି ଶୁଣୁଥିଲା ପଲ୍ଲବୀ ପଛଦିନର ଗୋଟିଏ କଅଁଳ ମନର ଆର୍ତ୍ତନାଦ ।
" ତୋର ମନେ ଥିବ ପଲ୍ଲବୀ - - - ଭାଲେଣ୍ଟାଇନ ଡେ ରେ ତୁମେମାନେ ସବୁ ନିଜ ନିଜ ବୟଫ୍ରେଣ୍ଡଙ୍କ ସହ ଘୁରି ବୁଲିଲା ବେଳେ ମୁଁ ଏକା ରୁମ ରେ ବହି ଭିତରେ ଲୁହ ଗଡାଏ । ତଥାପି ତୁମେ ମାନେ ମତେ ଉପହାସ କରିବା ଛାଡିନଥାଅ । ହେଲେ ସେଦିନ ସବୁ କିଛି ମୋ ବରଦାସ୍ତ ର ବାହାରେ ଥିଲା । ସେଦିନ ତୁମେମାନେ ଅତି ଖୋଲାଖୋଲି ଭାବେ ତୁମର ପ୍ରେମକୁ ଗପୁଥିଲ ସେତେବେଳେ ଥାର୍ଡ ଇୟର ର ଶାଳିନୀ ଅପା କଣ କହିଥିଲା ମୁଁ ଭାବୁଛି ତୁ ଭୁଲିନଥିବୁ । - - -ଆଏ - - - ହାଏ ....... ବିଚାରି ଶିବାନୀ ........ ଏଇ ଜନ୍ମରେ ତାକୁ କେହିବି ଆଇ ଲଭ ୟୁ କହିବେନି । କିଏ ହାତ ଧରିବ ୟାର ????? ସମବେତ ହାସ୍ୟରୋଳ ରେ ଫାଟିପଡୁଥିଲା ରୁମ । .... ରୁହ..... ରୁହ .... ତାର ବୟ ଫ୍ରେଣ୍ଡ ହେଲେ ହେଇପାରେ ଏଇ ବହି । ସବୁବେଳେ ମୁହଁ ପୋତିଛି ତା ଭିତରେ ଲଭର ଛାତିରେ ମୁହଁ ଗୁଂଜିଲା ପରି । ଚାଲ ! ଆଜି। ୟାର ବାହାଘର କରେଇଦେବା ବହି ସହ । ତାପରେ ସେଇଠି ବହି ସହ ମୋ ବାହାଘର ର ମିଛ ପ୍ରହସନ ତୁ ହୁଏତ ଭୁଲିଯାଇଥିବୁ ହେଲେ ମୁଁ ଭୁଲିନି । ମୋର କୋମଲ ହୃଦୟରେ ଚୋଟ ପରେ ଚୋଟ ମାରି ଚାଲିଥିଲ ତୁମେମାନେ । ମୋ ଲୁହକୁ ମୁଁ ଦାନ୍ତ କାମୁଡି ପିଇ ଯାଇଥିଲି । ତୁ ପରା ମୋର ଭଲ ବନ୍ଧୁ ଥିଲୁ !!!କିନ୍ତୁ ସେଦିନ ତୁ ମଧ୍ୟ ସେମାନଙ୍କ ସହ ମିଶି ଦର୍ଶକ ର ମଜା ନେଉଥିଲୁ ......... । ସେ ରାତି ରେ ମୁଁ ବହୁତ କାନ୍ଦିଛି । ଗୋଟେ ମୁହୂର୍ତ୍ତରେ ସୁଇସାଇଡ଼ ର କଥା ମଧ୍ୟ ଭାବିଥିଲି ,କରିଡର ଯାଏ ଯାଇଥିଲି ତଳକୁ ଡେଇଁ ହିନିମାନୀ ଜୀବନ ର ଇତି କରିଦେବାକୁ । ହେଲେ ଏତେ ସାହସ ନଥିଲା ମୋ ଭିତରେ ନିଜକୁ ଶେଷ କରିବା ପାଇଁ । ମତେ ଅଟକାଇ ଦେଲା ମୋ ଜେଜେମାର ସେଇ କେଇପଦ କଥା । ମୁଁ ନୀରବରେ ଭାବିଲି କଣ କରିବି । କେମିତି ଅଟକାଇବି ତୁମ ମାନଙ୍କୁ ........... । ତା ପରର କଥା ତ ତୁ ଜାଣୁ । "
-", ହଁ , ତତେ ତୋର ଡ୍ରିମ ବୟ ମିଳିଯାଇଥିଲା ପରା । ହେଲେ ତୁ ତାକୁ ବାହା ହେଲୁନି କାହିଁକି ? " ପଲ୍ଲବୀ ପଚାରିଲା ।
ଠୋ ଠୋ ହସିଲା ଶିବାନୀ । ସତେ ଯେମିତି ପକ୍ଷୀଟିଏ ପଞ୍ଜୁରୀ ଭିତରୁ ମୁକ୍ତ ହୋଇଗଲା ଶବ୍ଦ କରି । ପ୍ରମାଦ ଗଣୁଥିଲା ପଲ୍ଲବୀ ..... "ଇଏ ପାଗଳ ହେଇ ଗଲା ନା କଣ !!!
-- ଆରେ ୟାର - - ମୋର ଡ୍ରିମ ବୟ ହେଲା ମୋର ବହି।
-- ମାନେ !!! ସେଇ ଯୋଉ ବୁଲିବା .... ଗପିବା ..... ଡେରିରେ ଫେରିବା ସେସବୁ କଣ ଥିଲା ???
-- ହା ହା ହା ହା ...... ତମ ମାନଙ୍କୁ ଜଳେଇବା ପାଇଁ ମୁଁ ଏ ନାଟକ କରିଥିଲି । ମୋ ନିଜକୁ ତମ ମାନଙ୍କ ଆକ୍ଷେପ ରୁ ବଞ୍ଚାଇବା ପାଇଁ ।
--- ଅର୍ଥାତ ....... ତୁ ଡେରିରେ ରୁମ କୁ ଫେରୁଥିଲୁ ????
--- ସିଂପଲ --- ମୁଁ ଲାଇବ୍ରେରୀ ରୁ ଫେରୁଥିଲି ।
-- ଆଉ ବୁଲିବା - - - - - ।
--- ପ୍ରଫେସରଙ୍କ ପାଖରେ ଏକ୍ସଟ୍ରା କ୍ଲାସ -- - - -।
-- ତୋର ଏତେ ସମୟ ଫୋନ ଧରିବା - - -......
-- ଅନଲାଇନ କ୍ଲାସ ..... ହା - ହା-ହା- ହା । ମୋ ନିଜକୁ ମୁଁ ବଦଳେଇ ଦେଇଥିଲି , ସ୍ପଷ୍ଟ ଦେଖିପାରୁଥିଲି ମୋର ଖହସି ହେବା , ଗୀତ ବୋଲିବା ,ଡେରି ଯାଏ ଶୋଇବା, ଅନଲାଇନ ରହିବା କେମିତି ତମ ମାନଙ୍କୁ ଈର୍ଷ୍ୟାଳୁ କରିଦେଇଥିଲା । ମୋର ପିଛା ବି କରିଥିଲ ସତ ଜାଣିବା ପାଇଁ । ହେଲେ ମୁଁ ଯଥେଷ୍ଟ ସାବଧାନ ଥିଲି ତୁମ ମାନଙ୍କୁ ବୋକା ବନେଇ ମୁଁ ଯେମିତି ମୋ ଅସ୍ତିତ୍ୱ କୁ ନ୍ୟାୟ ଦେଇ ପାରିଥିଲି। ତମେ ମାନେ ଶୋଇଲା ପରେ ମଧ୍ୟ ପଢେ । ଏମିତି ଜୀବନଯାତ୍ରା ଚାଲିଥିଲା । ୟୁନିଭରସିଟି ଶେଷ ପରେ ଆଇ . ଏ. ଏସ ପାଇଁ ପ୍ରସ୍ତୁତ ହେଲି । ମୋ ଅଧ୍ୟବସାୟ ରଙ୍ଗ ଆଣିଲା ମୋ ଜୀବନରେ । ଆଜି ମୁଁ ମୋ ସ୍ୱପ୍ନ ମୋ ଜେଜେମାର ଆଦର୍ଶ କୁ ଛୁଇଁ ପାରିଛି । ଆକାଶ ମୋ ହାତ ମୁଠାରେ , ପୃଥିବୀର ସବୁଜିମା ମୋ ଆଖିରେ । ଆଉ କଣ ଦରକାର ଏଇ ଜୀବନରେ । ତମ ମାନଙ୍କୁ ଏବେ ମୁଁ ମନେମନେ ଅଜସ୍ର ଧନ୍ୟଵାଦ ଦିଏ ସେଦିନର ଘଟଣା ପାଇଁ , ଯେହେତୁ ମୋ ହିନମନ୍ୟତାର ଅନ୍ତ ଘଟି ଏକ ନୂତନ ପୃଥିବୀ ତୁମ ଦିଆ ଉପହାର ମାଧ୍ୟମରେ ମୋତେ ହାତଠାରି ଡାକୁଥିଲା ।
-- ତୁ କଣ ବିବାହ କରିବୁନି ? ,ପ୍ରଶ୍ନ କଲା ପଲ୍ଲବୀ ଅତି କଷ୍ଟରେ ।
--- ନା ...... ଏମିତି ଏକା ବହୁତ ଭଲ । କାହା ଦୟାର ପାତ୍ରୀ ହେବାକୁ ମୁଁ ଚାହୁଁନି । ମୋ ଡ୍ରିମ୍ ବୟ ତ ମୋ ସାଥିରେ ଅଛି ନା - - - - - .।
- - ତୁ ଟା ଏଡ଼େ ମିଛେଇ........... ଅସ୍ପଷ୍ଟ ଭାବେ ପାଟିରୁ ବାହାରି ଆସିଲା ପଲ୍ଲବୀର ।
-- ସରି ୟାର -- ଜିନେ କେଲିୟେ ଇତନା ଝୁଠ ତୋ ଚଲତାହେ - - - - - - - - . ଶିବାନୀ ଓଠରେ ଆତ୍ମତୃପ୍ତି ର ହସ । ଆଖିରେ ଦୁନିଆକୁ ଜିଣିଯିବାର ଝଲମଲ ଆଲୋକ । ଡ୍ରିମ୍ ବୟ ସହ ଏ ଯାତ୍ରା ତାର , ଏକାନ୍ତ ଭାବେ ତାର , ନିଜର .........।