STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାନ୍ ଗୁରୁଭକ୍ତ କଠ       

ମହାନ୍ ଗୁରୁଭକ୍ତ କଠ       

4 mins
11

          ମହାନ୍ ଗୁରୁଭକ୍ତ କଠ       
           ============
ଅନେକଦିନ ତଳର କଥା l ସେ ସମୟରେ ଶିଷ୍ୟ ମାନେ ଗୁରୁକୁଳରେ ରହି ବିଦ୍ୟାଶିକ୍ଷା କରୁଥିଲେ l ଶିକ୍ଷାଶେଷରେ ବିଦ୍ୟାର୍ଥୀମାନେ ଗୁରୁଙ୍କୁ ଯଥାର୍ଥ ଦକ୍ଷିଣା ଦେଇ ଘରକୁ ବାହୁଡି ଆସୁ ଥିଲେ l ଶିଷ୍ୟ ମାନଙ୍କର ସେହି ଦକ୍ଷିଣା ଥିଲା ତ୍ୟାଗ, ଆତ୍ମୋତ୍ସର୍ଗ, ନିଷ୍ଠା, ଭକ୍ତି, କୃତଜ୍ଞତା ଏବଂ ସମର୍ପଣର ପ୍ରତୀକ l ସେହି ଗୁରୁ ଭକ୍ତିର କଥା l 
ଏକ ଆଶ୍ରମରେ ଋଷି ମହାତପା ଏବଂ ତାଙ୍କ ପତ୍ନୀ ପ୍ରଜାପତି ବାସ କରୁଥିଲେ l ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଥିଲେ l ପୁତ୍ରଙ୍କ ନାମ ଥିଲା କୁଶ l ପୁତ୍ର କୁଶ ଥିଲେ ରୂପବାନ, ମୃଦୁଭାଷୀ ତଥା ଖୁବ୍ ଶାନ୍ତ ସ୍ଵଭାବର l ତାଙ୍କ କନ୍ୟାଙ୍କ ନାମ ଥିଲା ରେବତୀ l ରେବତୀ ଥିଲେ ଖୁବ୍ ଅସୁନ୍ଦରୀ, କର୍କଶ ଭାଷିଣୀ ଏବଂ ଉଗ୍ର ସ୍ୱଭାବର l ଏଣୁ ଋଷି ପତ୍ନୀ ପ୍ରଜାପତି କନ୍ୟା ପାଇଁ ଖୁବ୍ ଚିନ୍ତିତା ଥିଲେ l କ୍ରମେ କନ୍ୟାର ବିବାହ ବୟସ ଉପନୀତ ହେବାରୁ ପ୍ରଜାପତି ଋଷି ମହାତପାଙ୍କୁ କହିଲେ ଚାଲ ଆମେ ଉପଯୁକ୍ତ ପାତ୍ରଟିଏ ଖୋଜି, ଝିଅ ରେବତୀକୁ ବିଭା କରାଇ ଦେବା l ପରେ କୁଶକୁ ମଧ୍ୟ ବିଭା କରେଇ ଘରକୁ ବୋହୂଟିଏ ଘେନି ଆସିବା l ଏହାଶୁଣି ଋଷି ମହାତପା କହିଲେ, ପ୍ରୀୟେ ! ମୁଁ ତୁମର ସବୁ କଥା ବୁଝି ପାରୁଛି l ପୁତ୍ର କୁଶର ବିବାହ ପାଇଁ ମୁଁ ଆଦୌ ଚିନ୍ତା କରୁ ନାହିଁ l ମାତ୍ର କନ୍ୟା ରେବତୀକୁ କିଏ ସ୍ତ୍ରୀ ଭାବେ ଗ୍ରହଣ କରିବ !!
ଏପରି ନାନା ଦୁଶ୍ଚିନ୍ତା ଭିତରେ ଗତିକରୁଥାନ୍ତି ପତି ପତ୍ନୀ ଦୁହେଁ l ଦିନେ ପ୍ରଜାପତି ସ୍ୱାମୀଙ୍କୁ କହିଲେ, ଆପଣ ନିକଟସ୍ଥ ଭରଦ୍ୱାଜ ମୁନିଙ୍କ ଆଶ୍ରମକୁ ଯାଇ ତାଙ୍କୁ ଆମର ଦୁଃଖ କଥା ଜଣାଅ l ୠଷି ଚାହିଁଲେ ତାଙ୍କ ଆଶ୍ରମରେ ରହୁଥିବା କୌଣସି ଶିଷ୍ୟଙ୍କ ସହିତ ଆମ ରେବତୀର ବିବାହ ହୋଇ ପାରନ୍ତା l ପତ୍ନୀଙ୍କ କଥା ଋଷି ମହାତପାଙ୍କ ମନକୁ ପାଇଲା l ଦିନେ ପତିପତ୍ନୀ ଦୁହେଁ ଯାଇ ଭରଦ୍ୱାଜଙ୍କୁ ନିଜ ମନ କଥା କହିଲେ l ତାଙ୍କ ଦୁଃଖ ଶୁଣି ମୁନି ଭରଦ୍ୱାଜ କହିଲେ, ଦେଖ ଏଠାରେ ଯେଉଁ ଶିଷ୍ୟ ମାନେ ଅଧ୍ୟୟନ କରୁଛନ୍ତି, ସେମାନଙ୍କୁ ତୁମ ଝିଅ ରେବତୀର ପାଣି ଗ୍ରହଣ କରିବା କଥା ମୁଁ କେବେ କହିପାରିବି ନାହିଁ l କୌଣସି ଶିଷ୍ୟଙ୍କୁ ଏ ପ୍ରସ୍ତାବ ଦେଲେ ମୁଁ ନିନ୍ଦିତ ହେବି l ଗୁରୁ ହୋଇ ମୁଁ କେବେ ତାଙ୍କ ଉପରେ ପ୍ରଭାବ ପକାଇ ପାରିବି ନାହିଁ l ମୁନି ଭରଦ୍ୱାଜଙ୍କ କଥାରେ ମହାତପା ଓ ପ୍ରଜାପତି ଖୁବ୍ ଭାଙ୍ଗି ପଡ଼ିଲେ l ମୁନି ତାଙ୍କୁ ଆସ୍ଵସ୍ତ କରି କହିଲେ, ଆପଣ ମାନେ ଝିଅ ରେବତୀ ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ l ତା’ର ବିବାହ ସମୟ ଆସିଲେ ନିଶ୍ଚୟ ତା ବିବାହ ହୋଇ ଯିବ l ମୁଁ ଜାଣି ପାରୁଛି ଯେ ରେବତୀ ନିମନ୍ତେ ଖୁବ୍ ଶୀଘ୍ର ଜଣେ ବର ଆସି ପହଁଚିବ l ଭରଦ୍ୱାଜ ମୁନି ଏପରି କହି ଋଷି ଦମ୍ପତ୍ତିଙ୍କୁ ବିଦାୟ ଦେଲେ l
ଦିନେ ପ୍ରଭାତରୁ ମୁନି ଭରଦ୍ୱାଜ ନିଜ ଆସନ ଉପରେ ବସିଥାନ୍ତି l ଏହି ସମୟରେ ଜଣେ ବ୍ରାହ୍ମଣ ଯୁବକ ଆଶ୍ରମକୁ ଆସି ମୁନିଙ୍କୁ ଅତି ନମ୍ରତାରସହ ପ୍ରଣାମ କଲେ l ମୁନି ଯୁବକର ତେଜୀୟାନ ରୂପକାନ୍ତିରେ ମୁଗ୍ଧ ହୋଇ ତାଙ୍କୁ ଆସିବାର କାରଣ ପଚାରିଲେ l ଯୁବକଜଣକ ଅତି ନମ୍ର ଭାବରେ କହିଲେ, ମୋର ନାମ ହେଉଛି ‘କଠ’ l ଆପଣଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବାକୁ ଆସିଛି l ମୋତେ ଅନୁଗ୍ରହ କରି ଆପଣଙ୍କ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ମୋ ଜନ୍ମକୁ ସାର୍ଥକ କରନ୍ତୁ l
ମୁନି ଭରଦ୍ୱାଜ ଯୁବକକୁ ଅନାଇଁ ହସି ଦେଇ କହିଲେ, 'ବତ୍ସ ! ମୁଁ କେବଳ ଚତୁର୍ବେଦ, ପୁରାଣ ତଥା ସ୍ମୃତିଶାସ୍ତ୍ର ଆଦି ବିଷୟ ଜାଣେ l ଏହା କଅଣ ତୁମେ ଅଧ୍ୟୟନ କରିବ'? କଠ ବିନମ୍ର ଭାବେ କହିଲେ, ହେ ମହାଭାଗ ! ମୁଁ ଆପଣଙ୍କ ଠାରୁ ଏହି ସମସ୍ତ ବିଦ୍ୟା ଶିଖିବା ଆଶା ନେଇ ଆସିଛି l ମୋତେ ଆଶୀର୍ବାଦ କରନ୍ତୁ l ବ୍ରାହ୍ମଣ ଯୁବକ କଠଙ୍କ ଆଚରଣ ଓ ଉଚ୍ଚାରଣରେ ମୁନି ଭରଦ୍ୱାଜ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କଲେ l କ୍ରମେ ମୁନି ଶିଷ୍ୟ କଠର ବୁଦ୍ଧି ଜ୍ଞାନ ଏବଂ ଗ୍ରହଣଶୀଳତାରେ ଅତ୍ୟନ୍ତ ମୁଗ୍ଧ ହୋଇ ପଡ଼ିଲେ l ତାଙ୍କ ଶିକ୍ଷାଦାନରେ କ୍ରମେ କଠ ସମସ୍ତ ବିଦ୍ୟାରେ ନିପୁଣ ହୋଇ ଉଠିଲେ l ଦିନେ କଠ ଗୁରୁଙ୍କ ନିକଟରେ ଠିଆ ହୋଇ ଥାନ୍ତି, ତାଙ୍କୁ ଗୁରୁ କହିଲେ, ବତ୍ସ ! ଏବେ ତୁମର ଶିକ୍ଷା ସମାପ୍ତ ହୋଇଛି l ତୁମେ ତୁମ ଗୃହକୁ ବାହୁଡ଼ିପାର l ଗୁରୁଙ୍କ କଥାଶୁଣି କଠ କହିଲେ, ମହାଭାଗ ! ଆପଣଙ୍କ ଆଶୀର୍ବାଦରୁ ମୁଁ, ବହୁ ଶାସ୍ତ୍ର କରାୟତ କରି ପାରିଛି l ଆପଣଙ୍କ ସେବା ଠିକଭାବେ କରି ପାରିଛି କି ନା ଜାଣେନା l ବର୍ତ୍ତମାନ ଆପଣଙ୍କୁ ଦକ୍ଷିଣା ଦେଇ ମୁଁ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିବି l ଦୟାକରି କୁହନ୍ତୁ ମୁଁ ଆପଣଙ୍କୁ କି ଦକ୍ଷିଣା ଦେବି l ଏହା ଶୁଣି ଗୁରୁ ହସି ହସି କହିଲେ, ଗୁରୁ ଦକ୍ଷିଣା ତୁମେ କଣ ଦେବ, ତୁମ ପରି ଶିଷ୍ୟ ପାଇ ମୁଁ ଧନ୍ୟ ହୋଇଛି l ତଥାପି ତୁମେ ଯେହେତୁ ଗୁରୁ ଦକ୍ଷିଣା ଦେବାକୁ ଇଚ୍ଛା ପ୍ରକଟ କରିଛ ଗୋଟିଏ କାମ କର l ଏହି ଅଳ୍ପ ଦୂରରେ ମହାତପା ନାମକ ଜଣେ ଋଷି ରହୁଛନ୍ତି l ତାଙ୍କର ଗୋଟିଏ ମାତ୍ର କନ୍ୟା ରେବତୀ ମୋର ଖୁବ୍ ଆଦରଣୀୟା l ମୁଁ ତାକୁ ମୋର କନ୍ୟା ବୋଲି ମନେ କରେ l ତୁମେ ଯଦି ସେହି କନ୍ୟାର ପାଣିଗ୍ରହଣ କରି ପାରିବ ତାହା ହିଁ ହେବ ତୁମ ଗୁରୁ ଦକ୍ଷିଣା l ମୁଁ ସେଥିରେ ଅଧିକ ଆନନ୍ଦିତ ହେବି l ଆଜ୍ଞାଧୀନ ଶିଷ୍ୟ କଠ କହିଲେ, ମହାତ୍ମନ୍ ! ଯାହା ଆପଣଙ୍କର ଆନନ୍ଦ ବର୍ଦ୍ଧନ କରିବ, ମୁଁ ତାହା ବିନା ଦ୍ୱିଧାରେ ଗ୍ରହଣ କରିବି l ଆପଣଙ୍କ ଆନନ୍ଦ ନିଶ୍ଚୟ ମୋ ଜୀବନ ପଥ ସୁଗମ କରିବ l କଠର ଏପରି କଥାରେ ମୁନି ଭରଦ୍ୱାଜ ଅତ୍ୟନ୍ତ ଆନନ୍ଦିତ ହୋଇ ତାଙ୍କୁ ଆଶୀର୍ବାଦ କଲେ l ଗୁରୁଦକ୍ଷିଣା ସ୍ୱରୂପ କଠ ଋଷି ମହାତପାଙ୍କ କନ୍ୟା ରେବତୀକୁ ପତ୍ନୀ ରୂପେ ଗ୍ରହଣ କରି ଭରଦ୍ୱାଜଙ୍କ ଆଶ୍ରମରୁ ବିଦାୟ ନେଲେ l କଠକୁ ବିଦାୟ ଦେବା ସମୟରେ ଗୁରୁ ଭରଦ୍ୱାଜ କହିଲେ,ବତ୍ସ ! ମୁଁ ତୁମ ଗୁରୁ ଭକ୍ତିରେ ଅତୀବ ପ୍ରୀତ l ତେବେ ତୁମକୁ ମୋର ଅନ୍ତିମ ଉପଦେଶ, ତୁମେ ତୁମର ଗାର୍ହସ୍ଥ୍ୟ ଜୀବନ ମଧ୍ୟରେ ଭଗବାନ ଶଙ୍କରଙ୍କୁ ସର୍ବଦା ଭକ୍ତିରେ ପୂଜା ଆରାଧନା କରି ସନ୍ତୁଷ୍ଟ କରି ରଖିବ l ତାଙ୍କ କରୁଣା ହେଲେ ତୁମେ ଏ ସଂସାରରେ ବଡ଼ ହୋଇ ପାରିବ ଓ ଯୁଗ ଯୁଗ ପାଇଁ ଅକ୍ଷୟଯଶ ରଖି ଯିବ l କଠ ଗୁରୁଙ୍କ ଆଶ୍ରମରୁ ବିଦାୟ ନେଇ ରେବତୀଙ୍କ ସହ ଗାର୍ହସ୍ଥ୍ୟ ଜୀବନ ଯାପନ କଲେ ଓ ଭଗବାନ୍ ଶିବଙ୍କ ପୂଜା ଆରାଧନା ଏବଂ ତପସ୍ୟାରେ ଲାଗି ପଡ଼ିଲେ l ପତ୍ନୀ ରେବତୀ ମଧ୍ୟ ସ୍ଵାମୀଙ୍କ ସେବାରେ ନିଜ ମନ ପ୍ରାଣ ଲଗାଇ ଦେଲେ l କଠଙ୍କ ତପସ୍ୟାରେ ତୁଷ୍ଟ ହୋଇ ଦିନେ ଭଗବାନ ଶିବ ଆବିର୍ଭୁତ ହୋଇ, କହିଲେ, ବତ୍ସ !! ତୁମେ ଜୀବନରେ ସୁଖୀ ହୋଇ ଅସାଧ୍ୟ ସାଧନ କରିବ ଓ ଏକ ବିଦ୍ୱାନ ଭାବେ ଏ ସଂସାରରେ ଅକ୍ଷୟ କୀର୍ତ୍ତି ରଖିଯିବ l ଭଗବାନ ଶଙ୍କରଙ୍କ ଆଶୀର୍ବାଦ ସତ୍ୟ ହେଲା l କାଳାନ୍ତରେ କଠ ନିଜ ସାଧନା ବଳରେ କଠୋପନିଷଦ ରଚନା କରି ଜଣେ ବିଦ୍ୱାନ ଭାବେ ବିଶ୍ୱରେ ବିଦିତ ହେଲେ l
               🙏🙏🙏
                   ଅର୍ଜୁନୀ
                  -----------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational