Pramod Kumar Jena

Inspirational Abstract

3  

Pramod Kumar Jena

Inspirational Abstract

ମେଳା

ମେଳା

4 mins
14K


       ଏ ବର୍ଷ ଦଶହରାଟା ଟିକେ ଅନ୍ୟ ବର୍ଷ ଅପେକ୍ଷା ଆଲଗା l ଆଡମିନିଷ୍ଟ୍ରେସନ୍ ନିଷ୍ପତ୍ତି ନେଲା, ଏ ବର୍ଷ ଦଶହରାରେ ଗୋଟିଏ ମେଳାର ଆୟୋଜନ କରାଯିବ ଅଫିସ୍ କ୍ୟାମ୍ପସ୍ ଭିତରେ l ଆଗେ ଅଫିସର ଅଧିକାଂଶ ଲୋକ ଦଶହରାରେ ନିଜ ନିଜ ସହର କିମ୍ବା ଗାଁକୁ ଚାଲି ଯାଉଥିଲେ, ଛୁଟି କଟେଇବା ପାଇଁ l କିନ୍ତୁ ଏ ବର୍ଷ ମେଳା ପାଇଁ ସମସ୍ତଙ୍କର ପ୍ରୋଗ୍ରାମ୍ ବଦଳି ଯାଇଛି l ମେଳା ପାଇଁ ସମସ୍ତଙ୍କ ମନରେ କିଛି ଆକାଂକ୍ଷା ଓ ଉତ୍ସୁକତା ବଢି ଯାଇଛି l ପ୍ରଥମ ଥର ଅଫିସ୍ କ୍ୟାମ୍ପସରେ ମେଳା ହେବ l ମେଳା ପାଇଁ ପ୍ରାୟ ସମସ୍ତଙ୍କର ସହଯୋଗ ଓ ସାହାଯ୍ୟ ମିଳୁଥାଏ l ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସହରର ମଧ୍ୟ କିଛି ବ୍ୟବସାୟିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯାଇଥିଲା l ତା’ ଛଡା କିଛି ନୂଆ କନସେପ୍ଟକୁ ମଧ୍ୟ ସ୍ଥାନ ଦିଆଯାଇଛି l କୃତ୍ରିମ ରେଳ ଟ୍ରାକ୍ ତିଆରି କରାଯାଇ ତା’ ଉପରେ ଟ୍ରକକୁ ଟ୍ରେନର ରୂପ ଦିଆ ଯାଇ ପିଲାମାନଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଛି l

***   ***   ***   ***   ***

ସମୟ ଆସିଗଲା ମେଳାର l ଦୁଇ ଛୁଆଙ୍କୁ ଧରି ଆମେ ଚାଲିଲୁ ମେଳା ଦେଖିବାକୁ l ସବୁ ପରିବାର ମେଳା ପଡିଆରେ l କେହି କେବେ ଭାବି ନ ଥିଲେ ଏତେ ସଂଖ୍ୟାରେ ବ୍ୟବସାୟିକ ଅନୁଷ୍ଠାନ ଭାଗ ନେବେ ବୋଲି l ଷ୍ଟେସନାରୀ, ବୁକ୍ସ୍, କ୍ୟାଟେରିଙ୍ଗ୍, ଗେମ୍ ସବୁ କିଛି ଏପରିକି ଗାଆଁ ଗହଳିର ପ୍ରିୟ ବୁଲା ବିକାଳି ବି ଅନେକ ସଂଖ୍ୟାରେ ଆସିଛନ୍ତି l ପେଁ କାଳି, କାଗଜ ଚକ୍ରୀ ଆଉ ନାଲି ନେଳି ଚଷମା l

***   ***   ***   ***   ***

       ଗହଳି ଭିତରେ ଦୁଇ ଛୁଆଙ୍କ ହାତ ଧରି ଆମେ ଆଗକୁ ଆଗକୁ ମାଡି ଚାଲିଥାଉ l ପିଲାଙ୍କ ହାତକୁ ମୁଁ ଏତେ ଜୋରରେ ଧରିଥାଏ ଯେ ସେମାନେ ତାଙ୍କ ବାପାଙ୍କ ଛଡା ଆଉ କିଛି ବି ଭାବିବାକୁ ସମୟ ପାଉ ନ ଥିଲେ l ସାଙ୍ଗମାନଙ୍କ ପରିବାର ସହ ହାଏ ବାଏ କରିବାର ଅନେକ ମୌକା ମିଳୁଥାଏ l ହଠାତ୍ ସାମ୍ନାରେ ଭେଟ ହୋଇଗଲା କଲେକ୍ଟର୍ ସାହେବଙ୍କ ସହିତ l

ବାପରେ ! ସାର୍ ବି ଆସିଛନ୍ତି l ସାଙ୍ଗରେ ପୁଣି ମେମ୍ ସାବ୍ l ଆଉ ଦୁଇଟି ତାଙ୍କର ଛୋଟ ଛୋଟ ଛୁଆ l ବଡଟି ଝିଅ l ବହୁତ ସୁନ୍ଦର l ଦାମିକା ଡ୍ରେସ୍ ଭିତରେ ଦୁହେଁ ପୁରା ରାଜକୁମାର ଆଉ ରାଜକୁମାରୀ ଭଳିଆ ଦେଖା ଯାଉଥିଲେ l ଆରେ............. ଇଏ କ’ଣ ? ଚନ୍ଦ୍ରମାରେ ବାଦଲର ଛାଇ l ଦୁହିଁଙ୍କ ମୁହଁରେ ଦୁଃଖର ଘମାଘୋଟ ବାଦଲ l ପୁଅ ଆଖିରେ ଆଖିଏ ଲୁହ l କାହାକୁ କିଛି ନ କହି ଲୁହ ପୋଛି ଚାଲିଛନ୍ତି l ସାରଙ୍କୁ ଦେଖି ନମସ୍କାର କଲି l ସାର୍ ଓ ମ୍ୟାଡାମଙ୍କ ସହ ମୋ ଧର୍ମପତ୍ନୀଙ୍କୁ ଚିହ୍ନା କରେଇଦେଲି l ସମସ୍ତେ ତାଙ୍କୁ ନମସ୍କାର କଲେ l ନିଜ ଆଗ କୁହା ପ୍ରକୃତିରୁ ବାଦ୍ ନ ପାଇ ପଚାରି ପକେଇଲି, ‘ସାର୍ ! ବବଲୁ କାନ୍ଦୁଛନ୍ତି କାହିଁକି ?’

       ମାଡାମ୍ କହିଲେ, ‘ଖାଲି କ’ଣ ବବଲୁ ? ବବଲିକି ବି ଦେଖୁନାହାନ୍ତି ? କେମିତି ମୁହଁ ଲଟକେଇ ରଖିଛି l ଯେତେ ମନା କଲେ କ’ଣ ଶୁଣୁଛନ୍ତି ? ସେ ନାଲି ଚଷମା ଆଉ ପେଁ-କାଳି କିଣିବେ l ନନ୍ସେନ୍ସ୍ l ସେମାନେ କ’ଣ ବୁଝୁଛନ୍ତି ସେ ଗୁଡାକ ନିହାତି ଟକ୍ସିକ୍ l ଏକଦମ୍ ବାଜେ l ଶସ୍ତା ଖେଳନା l ଏ ଗୁଡା କ’ଣ କରିବ ? ଘରେ ତ ବାର୍ବି ଡଲର ବଜାର l ନାଃ...... ସେଇ ଚଷମା କିଣିବେ l ସେଇ ପେଁ-କାଳି କିଣିବେ l’ ବବଲୁ ଆମ କଥା ଶୁଣି ଆହୁରି ଜୋର୍ କାନ୍ଦିବା ଆରମ୍ଭ କରି ଦେଲେ l ତାଙ୍କ କାନ୍ଦ ଶୁଣି ମ୍ୟାଡାମଙ୍କ ରାଗ ଆହୁରି ଦୁଇ ଗୁଣ ହୋଇଗଲା l

       : ଚୁପ୍ l ଏକଦମ୍ ଚୁପ୍ l ବେଶି କାନ୍ଦିବୁ ଯଦି ଢୋ କରି ଗୋଟି ଚଟକଣି ଦେବି l କଲେକ୍ଟର୍ ସାହେବ୍ ଟିକେ ଅସ୍ୱସ୍ଥି ଅନୁଭବ କଲେ l

       : ଆଚ୍ଛା l ଆପଣ ତା’ ହେଲେ ଆସନ୍ତୁ l ମୁଁ ଟିକେ ଏମାନଙ୍କୁ ନେଇ ବାକି ଆଇଟମ୍ ଗୁଡା ଦେଖେଇ ନେଇ ଆସୁଛି l ସାର୍ ଚାଲିଗଲେ l ହେଲେ ବବଲୁଙ୍କୁ କାନ୍ଦ ବନ୍ଦ ହେଉ ନ ଥାଏ l ମୁଁ ସେହି ଆଡେ ଚାହିଁ ରହି ଥାଏ l ହଠାତ୍ ସେପଟୁ ଆମ ଅଫିସର ଅଲେଖ ପିଲାଙ୍କୁ ଧରି ଡାକିଲେ, ‘ସାର୍ ନମସ୍କାର l’

       : ଆରେ ଅଲେଖ କ’ଣ ଚାଲିଛି ?

       : ଆଜ୍ଞା ମେଳା.......... ଦେଖୁ ନାହାନ୍ତି ଏମାନଙ୍କ ଖୁସି l ହ୍ୱିସିଲ୍ ବଜେଇ ବଜେଇ କାନଟା ମୋର ତାବ୍ଦା କରି ସାରିଲେଣି l ଦେଖିଲି ଖୁସିରେ ହ୍ୱିସିଲ୍ ନନଷ୍ଟପ୍ ମାରି ଚାଲିଛନ୍ତି ଭାଇ ଭଉଣୀ ଦୁଇ ଜଣ l ଆଖିରେ ନାଲି ଜରି ଦିଆ ଚଷମା, ପେନ୍ଥି ପେନ୍ଥି ବେଲୁନ୍ l

       : ବୁଝିଲେ ସାର୍ ! ଏମାନେ ଖାଇବା ଠାରୁ ବେଶି ଖେଳିବା ପସନ୍ଦ କରନ୍ତି l ଯୋଗକୁ ଗୋଟେ ହ୍ୱିସିଲ୍ ବାଲା ତା’ ପସରା ନେଇ ପହଞ୍ଚିଗଲା ଆମ ସାମ୍ନାରେ l ସେତେବେଳକୁ ମୋ ହାତର ଶକ୍ତ ପାପୁଲି ଭିତରେ ଦୁଇ ଛୁଆଙ୍କ କୋମଳ ହାତ l ମୁଠାଟିକୁ କୋହଳ କରି ପୁଅ ମୁହଁକୁ ଟିକେ ଚାହିଁଲି l ଡରି ଡରି ସେ ଯେମିତି କିଛି କହିବାକୁ ଚାହୁଁଥିଲା l ପଚାରିଲି, ‘କିରେ...... ହ୍ୱିସିଲ୍ କିଣିବ କି?’ ମୋ ପୁଅ ଝିଅ ଦୁହିଁଙ୍କ ଆଖି ଖୁସିରେ ଝଲସି ଉଠିଲା l ହାତ ଛାଡିଦେଲି l କହିଲି, ‘ଯାଅ...... ଯାହା ଦରକାର କିଣ l ମୁଁ ତାକୁ ଦାମ୍ ଦେଇଦେବି l’ ଆଃ....... କି ଖୁସିରେ ପିଲାମାନେ ଦୌଡିଗଲେ l ଜଣେ ନୀଳ ଚଷମା l ଜଣେ ନାଲି ଚଷମା l ଫେରିବାଲାକୁ ତା’ ଗରାଖ

ମିଳିଗଲା l ସେମାନେ ଠିକ୍ ଜାଣିଛନ୍ତି, କୋଉଠି ଠିଆ ହେଲେ ସେମାନଙ୍କ ବେପାର ଜମିବ l ଦୁଇ ଜଣଙ୍କୁ ଧରେଇ ଦେଲା ସବୁଥିରୁ ଗୋଟେ ଗୋଟେ l ଚଷମା, କଟର କଟର, ହ୍ୱିସିଲ୍, ଆଉ ବେଲୁନ୍ l ଲାଗିଲା ଯେମିତି ଦୁଇ ଜଣଙ୍କ ଲଟେରୀ ଖୋଲିଗଲା l

       : କେତେ ହେଲାରେ ବାବୁ ?

       : ଆଜ୍ଞା ! ଷାଠିଏ ଟଙ୍କା ହେଉଛି l ପାଞ୍ଚ ଟଙ୍କା କାଟିଦେବେ l

       ବାସ୍ l ମୋତେ ଲାଗିଲା ଅଲେଖ ଯେମିତି ମୋ ଆଖି ଖୋଲି ଦେଇଛି l ଆମେ ସମସ୍ତେ ଟକ୍ସିକ୍, ନନ୍ ଟକ୍ସିକ୍, ହାଇଜିନିକ୍, ନନ୍ ହାଇଜିନିକ୍ ଯୁକ୍ତି ଭିତରେ ପିଲାଙ୍କ ଖୁସିଟାକୁ ନଷ୍ଟ କରିଦେଉ l ସମସ୍ତଙ୍କର ବୁଝିବା କଥା, ପିଲାମାନେ ମେଳାକୁ ଆସିଛନ୍ତି କାହିଁକି ? କଲେକ୍ଟର୍ ସାହେବଙ୍କ ପିଲାଙ୍କ ଭଳି କାନ୍ଦିବାକୁ ନା ଅଲେଖର ପିଲାଙ୍କ ଭଳି ହସି କୁଦି ଆନନ୍ଦ କରିବାକୁ l

(#Positiveindia)


Rate this content
Log in

Similar oriya story from Inspirational