STORYMIRROR

Lokanath Rath

Inspirational Children

3  

Lokanath Rath

Inspirational Children

ମାନବିକତାର ଶିକ୍ଷା ..

ମାନବିକତାର ଶିକ୍ଷା ..

5 mins
329

ଦୁର୍ଗା ଆଜି ମଧ୍ୟ ନିଜ ପାଠ ପଢା ସହିତ ତାର ବିରାଡ଼ିମାନଙ୍କୁ ଓ କୁକୁର ଟମିର ଠିକ ଯନ୍ତଣା ନେଉଛି |ସେ କାହାର କିଛି କଥା ବା ଗାଳିକୁ ଭୃକ୍ଷେପ ନକରି ନିଜର କର୍ତ୍ତବ୍ୟ କରି ଚାଲିଛି | ତାକୁ ଏବେ ବୟସ ମାତ୍ର ୧୭ ବର୍ଷ | ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ |ଯେତେବେଳେ ସେ ବାର ବର୍ଷ ବୟସର ହୋଇଥିଲା ସେହି ଦିନ ଠାରୁ ସେ ମଣିଷଙ୍କ ସହିତ ଏଇ କଥା କହି ପାରୁନଥିବା ଜୀବମାନଙ୍କୁ ଭଲ ପାଇବାରେ ଲାଗିଛି |ଯେତେବେଳେ ତାକୁ ବାର ବର୍ଷ ହୋଇଥିଲା ଦିନେ ବିଦ୍ୟାଳୟରୁ ଫେରିବା ସମୟରେ ରାସ୍ତା କଡ଼ରୁ ଗୋଟିଏ ଛୋଟ ବିରାଡ଼ି ଛୁଆକୁ ବଡ଼ ମୁମୂର୍ଷୁ ଅବସ୍ଥାରେ ଦେଖି ସହିନପାରି ତାକୁ ଘରକୁ ନେଇଆସିଲା | ନିଜେ ତାକୁ ଡେଟଲ ପାଣିରେ ସଫା କରି କିଛି କ୍ଷୀର ଖାଇବାକୁ ଦେଇ ଘରର ଗୋଟିଏ ସୁରକ୍ଷିତ ସ୍ଥାନରେ ଶୁଆଇ ଦେଲା |ତାପରେ ସେ ନିଜକୁ ପରିଷ୍କାର କରି ଖାଇଲା | ତାକୁ ବିଦ୍ୟାଳୟରୁ ଫେରିବା ବେଳେ ବହୁତ ଭୋକ ଲାଗୁଥିଲା, କିନ୍ତୁ ଏଇ ବିରାଡ଼ି ଛୁଆଟିର କଷ୍ଟ ଦେଖି ନିଜ ଭୋକକୁ ଯେମିତି ସେ ଭୁଲିଯାଇ ସେହି ବିରାଡ଼ିକୁ ବଞ୍ଚିବାର ଚେଷ୍ଟା କଲା | ତାର ଏପରି ବ୍ୟବହାର ଦେଖି ମା ମମତା ବହୁତ ଖୁସି ହେଇଥିଲେ, ହେଲେ ତାଗିଦ କରି କହିଲେ, ''ଆରେ ନିଜେ ସିନା ସୁସ୍ଥ ହୋଇ ଠିକ ରହିଲେ ତୁ ଅନ୍ୟ ମାନଙ୍କର ସେବା କରି ପାରିବୁ |'' ଦୁର୍ଗା ହସି ଦେଇ, କିଛି ନକହି ଖାଇବାରେ ଲାଗିଲା | ସେ ଖାଉଥାଏ ଓ ସେଇ ବିରାଡ଼ି ଛୁଆକୁ ଚାହିଁଥାଏ | ସତେ ଯେମିତି ତା ସହିତ ଦୁର୍ଗର କିଛି ବହୁତ ପୁରୁଣା ସମ୍ପର୍କ | ସନ୍ଧ୍ୟାବେଳେ ବାପା ଅଶୋକ ବାବୁ କାର୍ଯ୍ୟାଳୟରୁ ଘରକୁ ଫେରିଲେ, ବଡ ବାପା ସଞ୍ଜୟ ବାବୁ ବି ଫେରିଲେ | ଦୁର୍ଗାର ଏହି ବିରାଡ଼ି ଛୁଆକୁ ଦେଖି ଟିକେ ନାକ ଟେକିଲେ, କିନ୍ତୁ ବେଶି କିଛି କହିଲେ ନାହିଁ | ବଡ ଭଉଣୀ ସୁଜାତା ଯିଏ ଗୋଟିଏ ଡାକ୍ତରଖାନାରେ ଜଣେ ଯନ୍ତ୍ରୀ ଭାବରେ କାମ କରେ, ସିଏ କାମରୁ ଫେରି ତା ସାନ ଭଉଣୀର ଏହି ଛୋଟ ବିରାଡ଼ି ଛୁଆକୁ ଦେଖି ବହୁତ ଖୁସି ହେଇଗଲା | ସୁଜାତା ବି ସେହି ଛୁଆଟିକୁ ଅତି ଆଦରରେ ଟିକେ ପାଣି ପିଇବାକୁ ଦେଲା | ଘରେ ଭାଇ ଅଜୟ ସେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢୁଥାଏ, ସେ ସେହି ଛୁଆଟିକୁ ଦେଖି କିଛି ନକହି ତା ନିଜ ପଢ଼ାରେ ଲାଗିଗଲା | ବଡ ଭାଇ ଆଲୋକ ସେହି ଛୁଆ ବିରାଡ଼ିକୁ ଦେଖି ହସିଦେଲା, କିନ୍ତୁ ଡରିକରି ତା ଠାରୁ ଦୁରେଇ ହୋଇ ରହିଲା | କିଛି ସମୟ ପରେ ସେହି ବିରାଡ଼ି ଛୁଆଟି ଟିକେ ସୁସ୍ଥ ହେବାକୁ ଲାଗିଲା | ସେଦିନ ରାତିଟା ସେମିତି କଟିଗଲା, ଦୁର୍ଗା ଓ ସୁଜାତା ଶୋଇବାକୁ ଯିବା ପୂର୍ବରୁ ସେଇ ବିରାଡ଼ି ଛୁଆଟିର ସବୁ ସୁରକ୍ଷା ବ୍ୟବସ୍ଥା କରିଦେଇ ଶୋଇବାକୁ ଗଲେ |ମା ମମତା ଶୀତ ଦିନ ବୋଲି କଲେ ସେହି ବିରାଡ଼ି ଛୁଆକୁ ଶୀତ ଲାଗିବ, ସେଥିପାଇଁ ଗୋଟିଏ ଗାମୁଛା ଆଣି ତାକୁ ଘୋଡାଇ ଦେଲେ | ରାତିସାରା ଦୂର୍ଗାକୁ ନିଦ ଠିକ ଭାବରେ ହେଲା ନାହିଁ |ଅବଶ୍ୟ ଆସନ୍ତା କଲି ରବିବାର ଅଛି, ବିଦ୍ୟାଳୟର ଛୁଟି ଦିନ, ସେଥିପାଇଁ ସେ ରାତି ଭିତରେ ଦୁଇଥର ଉଠି ସେହି ବିରାଡ଼ି ଛୁଆକୁ ଦେଖିବାକୁ ଯାଇଥିଲା | ସକାଳ ହେଲା, ଦୁର୍ଗା ଆଜି ଉଠି ସେଇ ଛୁଆଟିକୁ କିଛି କ୍ଷୀର ପିଇବାକୁ ଦେଲା ଓ ଦେଖିଲା ସେହି ଛୁଆ ବିରାଡ଼ିଟି ଟିକେ ଟିକେ ଚାଲିବାକୁ ଲାଗିଲା | ଦେଖିବାକୁ ସେହି ବିରାଡ଼ି ଛୁଆଟି ଧଳା ରଙ୍ଗର ବହୁତ ସୁନ୍ଦର ଛୁଆଟି |ସମସ୍ତେ ଆସି ଦୂର୍ଗାକୁ ସେଇ ବିରାଡ଼ି ଛୁଆ ସାଙ୍ଗରେ ଲାଗି ରହିଥିବାର ଦେଖି ଟିକେ ଟିକେ ବିରକ୍ତ ହେଲେ, କିନ୍ତୁ ମାଆ ମମତା ଓ ଭଉଣୀ ସୁଜାତା ଦୁର୍ଗାକୁ ସାହାଯ୍ୟ କରୁଥିଲେ | ସେତିକିବେଳେ ଦୁର୍ଗାର ବଡବାପା ସଞ୍ଜୟ ବାବୁ ଆସିଲେ, ଦେଖିଲେ ସାନ ଝିଅ ଦୁର୍ଗାର ମନରେ ମାନବିକତାର କେତେ ଦୟା ଓ ଉଦାର ଭାବ | ସେ ମାନେ ମାନେ ଖୁସି ହେଉଥିଲେ ତାଙ୍କର ଏହି ଛୋଟ ଝିଅ ଦୁର୍ଗାର ସମସ୍ତଙ୍କୁ ମାନବିକତାର ଶିକ୍ଷା ଦେବାର ଶୈଳୀକୁ ଦେଖି | ସଞ୍ଜୟ ବାବୁ ଖୁସି ହୋଇ ସେହି ବିରାଡ଼ି ଛୁଆର ନାମ କାରଣ କଲେ ''ଝୁମୁରି '' ନାମ ଦେଇ | ଦୁର୍ଗା ବହୁତ ଖୁସି ହେଇଗଲା, ସମସ୍ତେ ସେହି ବିରାଡ଼ି ଛୁଆକୁ ଝୁମୁରି ନାଆଁରେ ଡାକିବାକୁ ଲାଗିଲେ |ଧୀରେ ଧୀରେ ଝୁମୁରି ବଡ଼ ହେଲା, ଦୁର୍ଗା ବି ବଡ଼ ହେଲା | ଭାଇ ଅଜୟ ଦ୍ୱାଦଶ ପରେ ଡାକ୍ତରୀ ପଢିବାରେ ଲାଗିଲା |ବଡ ଭାଇ ଆଲୋକ ଗୋଟିଏ ଛୋଟ ବ୍ୟବସାୟ କରିବାକୁ ଲାଗିଲା | ଦୁର୍ଗା ଅଷ୍ଟମ ଶ୍ରେଣୀରେ ପଢିଲା |ସେତିକିବେଳେ ଝୁମୁରି ଦୁଇଟି ଛୋଟ ଛୁଆ ଜନ୍ମ କଲା | ସେମାନେ ସବୁ ବଢ଼ିବାରେ ଲାଗିଲେ |ବଡବାପା ସଞ୍ଜୟ ବାବୁ ଝୁମୁରିର ଛୁଆଙ୍କୁ ଟୁଆଁ ଓ ଟୁଇଁ ବୋଲି ଡାକିଲେ, କାରଣ ଗୋଟିଏ ଅଣ୍ଡିରା ଓ ଅନ୍ୟଟି ମାଈ ଛୁଆ ଥିଲେ | ଦୁର୍ଗା ବି ବହୁତ ଖୁସି ହେଇଗଲା | ଧୀରେ ଧୀରେ ସେମାନେ ବଡ଼ ହେଲେ |ଘରର ସବୁ ଆଡେ ସେମାନେ ବୁଲି ଖେଳିଥିଲେ | ଘରକୁ ଯେତେ ବନ୍ଧୁ ବାନ୍ଧବ ଆସୁଥିଲେ, କେହି କେହି ସେହି ବିରାଡ଼ି ମନକୁ ଦେଖି ନାକ ଟେକି କିଛି କହିବାକୁ ପଛାଉ ନଥିଲେ | ସେସବୁ କଥା ପ୍ରତି ଦୁର୍ଗା ଆଦୌ ଧ୍ୟାନ ଦେଉ ନଥିଲା |ବେଳେ ବେଳେ ଦୁର୍ଗାର ବାପା ଅଶୋକ ବାବୁ ଓ ବଡ ବାପା ସଞ୍ଜୟ ବାବୁ ବି ସେହି ବିରାଡ଼ିଙ୍କ ଡିଆଁ ଦେଖି ବିରକ୍ତ ହେଉଥିଲେ | କିନ୍ତୁ ଦୁର୍ଗା କିଛି ନ ଶୁଣି ନିଜ କର୍ତ୍ତବ୍ୟ କରି ଚାଲିଥିଲା |ତାକୁ ତାର ମା ମମତା ଓ ଭଉଣୀ ସୁନିତା ବହୁତ ସାହାଯ୍ୟ କରୁଥିଲେ | ଧୀରେ ଧୀରେ ଦୁର୍ଗା ପାଠ ପଢି ଦଶମ ପାସ କଲା | ଘରେ ବିରାଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା |ଏବେ ବାପା ଅଶୋକ ବି ସେମାଙ୍କ ପାଇଁ ବଜାରରୁ ମାଛ ଆଣନ୍ତି, କିନ୍ତୁ ଉପରେ ଉପରେ ସେମାନଙ୍କ ଡିଆଁ ଡେଇଁ ଦେଖି ବିରକ୍ତ ହୁଅନ୍ତି | ଘରେ ବିରାଡ଼ିଙ୍କ ସଂଖ୍ୟ ଦେଖି ଓ ସେମାନଙ୍କ ପ୍ରତି ଦୁର୍ଗାର ସେବା ଓ ସ୍ନେହ ଦେଖି, କିଛି ବନ୍ଧୁ ବାନ୍ଧବ, ଯେଉଁମାନେ ଆଗରୁ ବିରକ୍ତ ହେଉଥିଲେ, ଦୂର୍ଗାକୁ ଛୋଟ ବିରାଡ଼ି ଛୁଆ ମାଗିଲେ |ଦୁର୍ଗା କିନ୍ତୁ କାହାକୁ ଦେବାକୁ ସିଧା ସିଧା ମନ କରିଦେଲା | ଧୀରେ ଧୀରେ ସେମାନେ ନିଜେ ବିରାଡ଼ି ପାଳିବା ଆରମ୍ଭ କଲେ |ଦୁର୍ଗା ଏକାଦଶ ଶ୍ରେଣୀରେ ପଢୁଥାଏ, ହାତଟା ଦିନେ ଦେଖିଲା ଗୋଟିଏ ଛୋଟ କୁକୁର ଛୁଆଟି ତାଙ୍କ ଘର ଭିତରକୁ ପଶି ଆସିଛି |ସେହି ଛୁଆଟି ବହୁତ ଦୁର୍ବଳ ଜଣା ପଡୁଥିଲା | ଆଗ ଦୁର୍ଗା ତାକୁ କିଛି କ୍ଷୀର ଓ ଭାତ ଖାଇବାକୁ ଦେଲା, ତାପରେ ତାକୁ ସାବୁନ ଓ ଡେଟଲ ଦେଇ ଗାଧୋଇ ଦେଲା | ସବୁଦିନେ ଦୁର୍ଗା ଏବେ ସେହି କୁକୁର ଛୁଆର ସେବା କରୁଥାଏ ତାର ବିରାଡ଼ିମାନଙ୍କ ସହିତ |ସେ ସେହି କୁକୁର ଛୁଆକୁ ବଡ ଆଦରରେ ଟମି ବୋଲି ଡାକିବାକୁ ଲାଗିଲା | ଟମି ଦୁର୍ଗାର ଆଦର ଓ ସ୍ନେହ ପାଇଁ ବହୁତ ହୃଷ୍ଟପୃଷ୍ଟ ହୋଇ ବଡ଼ସିବାକୁ ଲାଗିଲା | ତାକୁ ବାନ୍ଧିକରି ଦୁର୍ଗା ରଖି ନଥିଲା, କିନ୍ତୁ ସେ ସେଇ ଘର ଛାଡି ଯାଉ ନଥିଲା | ପାଖ ପଡୋଶୀ ଟମିକୁ ଦେଖି ଘୃଣା କରୁଥିଲେ ଓ ବହୁତ କଥା କହୁଥିଲେ | ଦୁର୍ଗା ସେସବୁକୁ ମୋତେ ଶୁଣୁ ନଥିଲା | ଟମି ଧୀରେ ଧୀରେ ବଡ଼ ହେଲା, ଯଦି କେହି ଦୁର୍ଗାର ଘରୁ କିଛି ନେବାର ଦେଖେ, ତେବେ ଭୁକି ଭୁକି ନେବାକୁ ଦେଉ ନଥିଲା | ଟମି ସବୁ ବିରାଡ଼ିମାନଙ୍କ ସାଙ୍ଗରେ ମିଶି ଖେଳୁଥିଲା | ଟମି କେବଳ ଦୁର୍ଗାର ବଡବାପା ସଞ୍ଜୟ ଓ ବାପା ଅଶୋକଙ୍କୁ ଡରୁଥିଲା | ସେମାଙ୍କ ପାଟି ଶୁଣି ଚୁପ ଚାପ ଗୋଟିଏ ଜାଗାରେ ବସି ରହୁଥିଲା | ଦୁର୍ଗାର ଏହି କଥା କହି ନପାରୁଥିବା ଯିବା ମାନଙ୍କ ପ୍ରତି ସ୍ନେହ ଓ ଆଦର ଦେଖି ଘରର ସମସ୍ତେ ବହୁତ ଖୁସି ହେଉଥିଲେ | ଆସ୍ତେ ଆସ୍ତେ ପଡୋଶୀମାନେ ବି ଟମିକୁ ଘୃଣା କରିବା ବନ୍ଦ କରି ଦେଲେଣି,କାରଣ ସେହି ଟମି ପାଇଁ ରାତିରେ ସମସ୍ତେ ସୁରକ୍ଷିତ ହୋଇ ଶାନ୍ତିରେ ଶୋଇ ପାରୁଛନ୍ତି|

ଏବେ ଦୁର୍ଗାର ବଡବାପା ବସି ଭାବୁଛନ୍ତି, ଯେତେବେଳେ ଦୁର୍ଗା ଜନ୍ମ ହେଲା, ସେତେବେଳେ ତାଙ୍କ ବୋଉ ଶାନ୍ତି ଦେବୀ ତାର ନାଆଁ ଦୁର୍ଗା ରଖିଥିଲେ | ବୋଧହୁଏ ସେ ଜନ୍ମ ନେଇଛି ମତ ଦୁର୍ଗାଙ୍କ ପରି ସମସ୍ତ ଜୀବଜନ୍ତୁ ଓ ମଣିଷଙ୍କୁ ଆଦର କରିବାକୁ ଓ ଯତ୍ନ ନେବାକୁ, ଯେମିତି ମାଆ ଦୁର୍ଗା ଏହି ଜଗତର ସମସ୍ତଙ୍କ ମତ ରୂପେ ପୂଜା ପାଉଛନ୍ତି |ସେ ଘରର ସବୁଠାରୁ ଛୋଟ ତାଙ୍କ ଆଦରର ଝିଅ ଦୁର୍ଗାର ଚିନ୍ତାଧାରା ଓ କାର୍ଯ୍ୟକୁ ନେଇ ନିଜକୁ ବହୁତ ଧନ୍ୟ ମନେ କରୁଥିଲେ | ଆଜିର ଏହି ଦୁନିଆରେ ଯେତେବେଳେ ମଣିଷ ତାର ମାନବିକତା ହରାଇ ବସିଛି ଓ ସ୍ୱାର୍ଥପର ହୋଇ ବଞ୍ଚିବାରେ ଲାଗିଛି, ସେତେବେଳେ ତାଙ୍କ ଏହି ଛୋଟ ଝିଅ ଦୁର୍ଗାର ଏହି ମାନବିକତାର ଶିକ୍ଷା ଏବେ କିଛି ଲୋକଙ୍କୁ ଆକୃଷ୍ଟ କରିଛି ଓ ସେମାନଙ୍କ ମନକୁ ପ୍ରଭାବିତ କରି ପାରିଛି | ଏହା ନିଶ୍ଚୟ ଭାବେ ଆଜି ଏହି ସମାଜ ପାଇଁ ବହୁତ ଦରକାର ଓ ସେଥିପାଇଁ ସଞ୍ଜୟ ବାବୁ ବହୁତ ଆନନ୍ଦିତ ହେଉଥିଲେ ଦୁର୍ଗାର ଏଇ ଭାବନା ଓ କାର୍ଯ୍ୟ ପାଇଁ .



Rate this content
Log in

Similar oriya story from Inspirational