ମାଆର ସ୍ୱପ୍ନ(ମୋ ଚେସ ଖେଳ)
ମାଆର ସ୍ୱପ୍ନ(ମୋ ଚେସ ଖେଳ)
ରୋହନ ଆଜି ଏକ ବହୁତଳ ପ୍ରାସାଦର ଏକ ବାଲକୋନୀରେ ବସି ରାସ୍ତାରେ ଯାଉଥିବା ଗାଡିଗୁଡିକୁ ଦେଖିବାରେ ଲାଗିଛି । କେଉଁ ଗାଡିଟି ଆଗେଇ ଯାଉଛି ତ କେଉଁ ଗାଡିଟି ପଛେଇ ଯାଉଛି । ଏଇ ଆଗ ପଛ ଭିତରେ ଗୋଟେ ମଣିଷ ରାସ୍ତା ପାର ହେବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଛି । ଅନେକ ସମୟ ଧରି ଏପରି ଚାଲିଲା । ଶେଷରେ ସେ ଲୋକଟି ସାଥିରେ ଥିବା ଅନ୍ୟ ଲୋକଟିର ହାତ ଛାଡି ଆଗକୁ ଆସି ରାସ୍ତା ପାର ହେବାରେ ସକ୍ଷମ ହୋଇଗଲା । ମାତ୍ର ଆର ଲୋକଟି ସେପଟେ ରହିଗଲା । ଆସିଲା ପରେ ସେ ଜାଣି ପାରିଲା ଯେ ଏକା ଆସି କିଛି ଲାଭ ନାହିଁ କାରଣ ଆଗକୁ ଯିବାକୁ ହେଲେ ହାତ ଛାଡିଥିବା ଅନ୍ୟ ବନ୍ଧୁଙ୍କର ସାହାଯ୍ୟର ଆବଶ୍ୟକତା ରହିଛିଅନେକ ସମୟ ଅପେକ୍ଷା ପରେ ଅନ୍ୟ ବନ୍ଧୁ ଜଣକ ରାସ୍ତା ପାର ହୋଇ ଆସି ହସିହସି ଆଗ ଲୋକଟି ପାଖରେ ପହଞ୍ଚି ଗଲା ଓ ଶେଷରେ ଉଭୟେ ଏକ ସଙ୍ଗେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପାଦ ଆଗକୁ ବଢେଇଲେ ।
ଏହା ଦେଖି ରୋହନ ଆଖିରେ ଲୁହ ଜକେଇ ଆସିଲା । ମନେ ପଡିଗଲା ତାର ଅତୀତ ଯାହା ପାଇଁ ଆଜି ତାର ଜୀବନ ତିକ୍ତତାରେ ପରିପୂର୍ଣ୍ଣ ।
ପିଲାଟି ଦିନରୁ ଚେସ ଖେଳରେ ତାର ବହୁତ ମନ ଥିଲା । ଯେତେବେଳ ବାପା ତାକୁ ଚେସ ବୋର୍ଡ ଆଣି ଦେଇଥିଲେ ସେବେଠାରୁ ତାର ଆଗ୍ରହ ବହୁତ ବଢି ଯାଇଥିଲା । ଅନେକ ସମୟରେ ବିଶ୍ୱନାଥନ ଆନନ୍ଦଙ୍କ ଖେଳ ବସି ଦେଖୁଥାଏ । ମାଆଙ୍କର ଚେସ ଖେଳରେ ଆଗ୍ରହ ଥିବାରୁ ଦୁହେଁ ବସି ଅନେକ ସମୟ ଚେସ ଖେଳନ୍ତି । ମାଆଙ୍କର ପ୍ରଚେଷ୍ଟାରେ ଅନେକ ସ୍ଥାନରେ ଖେଳିବାକୁ ଯାଇ ଅନେକ ପୁରସ୍କାର ଓ ମାନପତ୍ର ପାଇ ସମସ୍ତଙ୍କୁ ଗୌରବାନିତ୍ୱ କରିଥିଲା । ମାଆଙ୍କ ଆଙ୍ଗୁଳିଧରି ଧିରେ ଧିରେ ଉନ୍ନତିର ପାହାଚ ପରେ ପାହାଚ ଚଢି ଚାଲିଲା । ଶେଷରେ ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରରେ ମଧ୍ୟ ଅନେକ କୃତିତ୍ୱ ହାସଲ କଲା । ସେହି ସମୟରେ ଦେଖାହୁଏ ଆନି ସହ । ଉଚ୍ଚ ବର୍ଗର ଧନୀଙ୍କ ମଧ୍ୟରେ ଅନ୍ୟତମ ଆନି । ତା ରୂପରେ ଆକର୍ଷିତ ହୋଇ ଓ ତାର ନାଆଁରେ ଆହୁରି ଉପରକୁ ଉଠିଲା । ସେତେବେଳେ ଛାଡି ଚାଲିଲା ସେଇ ମାଆର ହାତ, ଯାହାକୁ ଧରି ସେ ଚାଲିବା ଆରମ୍ଭ କରିଥିଲା । ଶେଷରେ ଏପରି ହେଲା ନିଜର ମଧ୍ୟବିତ୍ତ ଚଳଣୀ ରୋହନକୁ ପସନ୍ଦ ହେଲାନାହିଁ । ଧନୀକ ଚଳଣୀ ପାଇଁ ଅନ୍ୟ ଏକ ବହୁତଳ ପ୍ରାସାଦ କିଣି ସେଠାରେ ରହିବାକୁ ଲାଗିଲା । ଅନେକ ଚାକର ଚାକରାଣୀ । ସମୟର ଅଭାବ । କେତେବେଳେ ପାର୍ଟି ତ କେତେବେଳେ ସେଲିବ୍ରେସନ । ସେତେବେଳେ ଆଉ ବିଶ୍ୱନାଥନ ଆନନ୍ଦ ମନେ ପଡନ୍ତି ନାହିଁ, ଯିଏ କି ଦିନେ ତାର ପ୍ରେରଣା ଥିଲେ । ଯାହାକୁ ଦେଖି ତାର ଦିନ ଆରମ୍ଭ ହେଉଥିଲା । ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇ ମାଆର ପଣତ ଭୁଲିଗଲା ରୋହନ । ଆନି ତାକୁ ସମସ୍ତଙ୍କ ଠାରୁ ଦୂରେଇ ଧନ ଅର୍ଜନର ଏ ମାଧ୍ୟମ ଭାବେ ଆପଣେଇ ନେଲା । ଏପରିକି ବିବାହ ସମୟରେ ବାପାମାଆଙ୍କୁ ଭୁଲିଗଲା ।
ଆଜି ଆନି ପାଖରେ ସମୟ ନାହିଁ । ସେ ତାର ବ୍ୟବସାୟ ଓ ସମ୍ପତ୍ତି ପଛରେ ଧାବମାନ । ପାଖରେ ନାହାଁନ୍ତି ବାପାମାଆ ଯାହାର କୋଳରେ ମୁଣ୍ଡ ଦେଇ ଶାନ୍ତି ପାଇବ । ଏତେବଡ ପ୍ରାସାଦରେ ସେ ଏକା । ଖାଇବାକୁ ପାଶ୍ଚାତ୍ୟ ଖାଦ୍ୟ । ମାଆର ହାତରନ୍ଧା ଡାଲି ,ଭାତ ତାକୁ ସ୍ୱପ୍ନ ।
ଅଣନିଃଶ୍ୱାସୀ ହୋଇଯାଇଛି ରୋହନର ଜୀବନ । ପଛକୁ ଫେରିବାକୁ ଇଚ୍ଛା ଥିଲେ ବି ପାଦ ବଢେଇଲା ବେଳେ ପୁଣି ଫେରୁଛି ।
ଏହା ହିଁ କଣ ଧନୀକ ବର୍ଗର ଲୋକଙ୍କ ଚଳଣୀ । ଭଲ ଚେସ ଖେଳାଳୀ ଭାବେ ଦେଖିବାକୁ ମାଆ ଚାହିଥିଲେ,ମାତ୍ର ଭୂଇଁରୁ ପାଦ ଟେକି ନ ଫେରିବାକୁ ମାଆ ଚାହିଁ ନଥିଲେ ।
ଆଜି ଇଚ୍ଛା କଲେ ବି ଫେରିପାରୁନି ରୋହନ । ଏହା ତାର ନିଜସ୍ୱ ନିଷ୍ପତ୍ତି ନା ଆଉକିଛି । ତାର ଉତ୍ତର ଖୋଜୁଛି ଆଜିର ଚେସ ଚାମ୍ପିୟାନ ।