STORYMIRROR

Kali Kumar

Romance Fantasy

4.8  

Kali Kumar

Romance Fantasy

ଲୁହ ନୁହେଁ ସେ ମୋ ପ୍ରେମିକା

ଲୁହ ନୁହେଁ ସେ ମୋ ପ୍ରେମିକା

13 mins
595


(ଏକ)

ସନ୍ଧ୍ୟା ଆସି ଛ’ଟା ତିରିଶି ହେଲାଣି । ରାସ୍ତା ଘାଟ ଏବେ ଅସ୍ପଷ୍ଟ ହୋଇଗଲାଣି । ସନ୍ଧ୍ୟା ମାଉସୀ ତା’ର କଳା ପଣତ କାନିରେ ପୃଥିବୀକୁ ଘୋଡେଇ ସାରିଲାଣି । ସୂର୍ଯ୍ୟ ବି ଏବେ ନିଜ କାର୍ଯ୍ୟ ନିର୍ବାହ କରିସାରି ପାହାଡ଼ର ପାଦଦେଶକୁ ଫେରିଗଲେଣି । ପକ୍ଷୀମାନେ ମଧ୍ୟ ସାରା ଦିନର କ୍ଲାନ୍ତି ମେଣ୍ଟାଇବା ପାଇଁ ବସାକୁ ଫେରିସାରିଲେଣି । ଗଛର ପତ୍ରଗୁଡିକ ମୋଦିତ ହୋଇ ନିଜର ଥକାକୁ ଦର୍ଶାଇ ସାରିଲେଣି । ସମସ୍ତେ ଯିଏ ଯାହାର ନ୍ୟସ୍ତ କାର୍ଯ୍ୟକୁ ସମାପନ କରି ପୂର୍ବ ନିର୍ଦ୍ଧାରିତ ବସାକୁ ଫେରିସାରିଥିଲା ବେଳେ ତୁମେ ହିଁ ଏ ପର୍ଯ୍ୟନ୍ତ ଘରକୁ ଫେରିନ । ଜାଣି ପାରୁନାହିଁ କ’ଣ ପାଇଁ ଆଜି ତୁମର ଏତେ ବିଳମ୍ବ ? ବିଳମ୍ବର କାରଣଟା ଯଦି ମୋତେ ଜଣାଥାନ୍ତା, ହୁଏତ ତାହା ହେଲେ ମୁଁ ନିଜକୁ ବୁଝେଇଦେଇ ପାରନ୍ତି କି ଆଜି ତୁମେ ବିଳମ୍ବରେ ଘରକୁ ଫେରିବ; ଆଉ ଏତେଟା ବିଚଳିତ ମଧ୍ୟ ହୁଅନ୍ତି ନାହିଁ । କିନ୍ତୁ ସେତକ ଖବରର ସୌଭାଗ୍ୟ ବି ମୋତେ ପ୍ରାପ୍ତ ନାହିଁ । ଆଜି ଆଉ ବେଶି କିଛି କ୍ଲାସ୍ ନାହିଁ, ତେଣୁ ଶୀଘ୍ର ଘରକୁ ଫେରିଆସିବ ବୋଲି ଶେଷ ମେସେଜ୍ ଟି କରିଥିଲ ପ୍ରାୟ ଦିନ ଦି’ଟା ବେଳେ । ଲେଖିଥିଲ ଚାରିଟା ପୂର୍ବରୁ ମୁଁ ଘରେ ପହଂଚି ଯାଇଥିବି । ତୁମେ କିନ୍ତୁ ଠିକ୍ ସମୟରେ ଲଂଚ୍ କରିନେବ ଆଉ ଖାଇସାରିଲା ପରେ ମନେକରି ପାଣି ପିଇବ । ବୁଝିଲ ତ ! ନା ଆଉ ଥରେ ସବୁ କଥାକୁ ମନେ ପକେଇବାକୁ ପଡ଼ିବ । ଜାଣିଛି ତୁମେ ସବୁ କିଛି ଠିକ୍ ଠିକ୍ ରେ କରିନେବ । ମୋତେ କଷ୍ଟ ହେଲା ପରି କିଛି କାମ କରିବ ନାହିଁ । ସେତିକି ବିଶ୍ୱାସ ମୋର ତୁମ ଉପରେ ଅଛି |


ଏଇ କିଛି ଘଣ୍ଟା ଭିତରେ ତୁମର ଏ ମେସେଜ୍ ଟିକୁ ମୁଁ କେତେ ଥର ଯେ ପଡ଼ିଲିଣି ତା’ର କିଛି ହିସାବ୍ ନାହିଁ । କହିଥିଲ ଚାରିଟା ସୁଧା ଆସି ଘରେ ପହଂଚିବ ! କିନ୍ତୁ ଏଯାଇଁ ତୁମର କିଛି ଖୋଜଖବର ନାହିଁ କି କିଛି ମେସେଜ୍ ମଧ୍ୟ ନାହିଁ । ତୁମ ଫୋନ୍ ନମ୍ବରକୁ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରି ଅନେକ ଥର ଅସଫଳ ହୋଇସାରିଲିଣି । କମ୍ପୁଟର ଝିଅଟି କେତେବେଳେ ସମ୍ପର୍କ କ୍ଷେତ୍ର ବାହାରେ ଅଛି ତ କେବେବେଳେ ବନ୍ଦ ଅଛି ବୋଲି କହି କହି ହୁଏତ ଥକି ଯିବଣି ।


ଅଥଚ ତୁମକୁ କିଛି ଫରକ ପଡୁନି । ଦି’ଟା ବେଳେ କହିଥିଲ, ଚାରିଟା ବେଳକୁ ଘରେ ପହଂଚିବ ବୋଲି ଅଥଚ ସନ୍ଧ୍ୟା ଆସି ଛ’ଟା ତିରିଶି ହେଲାଣି ତୁମର ସେଥିପ୍ରତି କୌଣସି ଧ୍ୟାନ ନାହିଁ । ସମୟର କଣ୍ଟା ଗୁଡ଼ିକ ଏୟା ଭିତରେ ମତେ କେତେ ଯେ କ୍ଷତାକ୍ତ କରିସାରିଲେଣି ତୁମେ ବା ସେ କଥା କାହିଁକି ଜାଣିବାକୁ ଚାହିଁବ । ମନକୁ ଯେ ମୋର କେତେ ଅସମ୍ଭାବି ପାପ ଛୁଇଁଲାଣି, ତୁମେ ସେ କଥା କେଉଁଠୁ ବୁଝିବ । ତୁମର ସେସବୁ କଥା ପ୍ରତି କ’ଣ କିଛି ବି ଟିକିଏ ଚିନ୍ତା ଅଛି ? ଜାଣିଛି ତୁମେ କେଉଁ ସଖୀମାନଙ୍କ ଗହଣରେ ବସି କଥାବାର୍ତ୍ତାରେ ମଜି ଯାଇଥିବ ଯେ ଆଉ କ’ଣ ସମୟ କଥା ମନେ ପଡୁଥିବ କି ?


ମୁଁ ଠିକ୍ ଜାଣିଛି ସଖୀମାନଙ୍କ ମେଳରେ ତୁମେ ମୋ କଥା ଟିକିଏ ବି ଚିନ୍ତା କରୁ ନ ଥିବ କି ମୋ ବିଷୟରେ ଥରୁଟିଏ ବି ଭାବୁ ନ ଥିବ । ଆଜି ଭଳି ଦିନରେ ତୁମେ କେମିତି ବା ଏମିତି କରିପାରିବ ସେଇ କଥା ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗେ । ଜାଣିନି ତୁମର ସେ କଥା ମନେ ଅଛି କି ନାହିଁ, ଆଜି ହେଉଛି ଆମ ସାକ୍ଷାତକୁ ଗୋଟିଏ ବର୍ଷ ପୁରିଗଲାଣି । ଏହି ସେହି ଦିନ ଯେଉଁ ଦିନ ତୁମ ମୋ ଭିତରେ ଏକ ସମ୍ପର୍କର ସେତୁ ସ୍ଥାପନ ହୋଇଥିଲା । ତୁମ ମୋ ଭିତରେ ଗଡି ଉଠିଥିଲା ପ୍ରେମର ଏକ ମଧୁର ସମ୍ପର୍କ । ତୁମର ବା ସେସବୁ କଥା କ’ଣ ମନେ ଥିବ ? ମୁଁ ଜାଣିଛି ତୁମେ ହୁଏତ ଏହି ଦିନଟିକୁ ଭୁଲି ଯାଇପାର କିନ୍ତୁ ମୁଁ ତାକୁ ସାଇତି ରଖିଛି ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇ ।


ସତରେ ଆଉ ସହି ହେଉ ନାହିଁ ତୁମର ଏମିତି ଏକ ନୀରବତା । ତୁମ ବିଳମ୍ବର ବିଡ଼ମ୍ବନା । ତୁମର ଏମିତି ଏକ ନୀରବତା ଯେ ମୋ ମନରେ କେତେ ଝଡ଼ ସୃଷ୍ଟି କରିସାରିଲାଣି ତୁମକୁ ହୁଏତ ଜ୍ଞାତ ନ ଥିବ । ତୁମେ ଯେତେବେଳେ ସମୟର ପ୍ରତିବନ୍ଧକ ସତ୍ୱେ ପାଗିଳିଟେ ପରି ଗପୁ ଥାଅ ସେତେବେଳେ କଷ୍ଟହୁଏ ନାହିଁ । କିନ୍ତୁ ଆଜିର ଏଇ କିଛି ଘଣ୍ଟାର ନୀରବତା ମୋତେ ଅହେତୁକ ଯନ୍ତ୍ରଣା ଦେଇ ସାରିଲାଣି ।


{ଦୁଇ}


ସମୟ ପ୍ରାୟ ସାତ’ଟା । ଟେବୁଲ ଉପରେ ଥୋଆ ହୋଇଥିବା ଫୋନଟି ଟରିନ୍ ଟରିନ୍ ଶବ୍ଦ କରି ଗର୍ଜି ଉଠିବା ସହ ମୋର କ୍ରୋଧକୁ ଦ୍ୱିଗୁଣିତ କରି ଦେଲା । ପ୍ରେମର ମାନେ କ’ଣ ପ୍ରତୀକ୍ଷା ନା ପ୍ରେମରେ ପ୍ରତୀକ୍ଷା ନ ଥିଲେ ସେ ପ୍ରେମ, ପ୍ରେମ ନୁହେଁ । ଅପେକ୍ଷା କରିବାର ବି କୌଣସି ଏକ ସୀମା ଥାଏ । ଅପେକ୍ଷାର ବି ମଧ୍ୟ କିଛି ନୀତିନିୟମ ଥାଏ । କିନ୍ତୁ ଏମିତି ଅପେକ୍ଷାର ମନେ କ’ଣ ଯାହା ଅନ୍ୟ ଜଣକୁ ଅନେକ କଷ୍ଟ ଦିଏ । ଏମିତି ଭାବି ଭାବି ମୁଁ ରକ୍ତଚାଉଳ ଚୋବଉଥାଏ । ଆଉ କଲ୍ ଟିକୁ ରିସିଭ୍ କରିଲି । କଲ୍ ଟିକୁ ରିସିଭ୍ କରିବା କ୍ଷଣେ ତା’ର କୋମଳ କଣ୍ଠସ୍ୱର ସେପଟରୁ ଭାସି ଆସିଲା ।

ଏଇ, ଶୁଣନା । କ’ଣ କରୁ?

ହଁ, ଶୁଣୁଛି କୁହ, କ’ଣ କହିବାର ଅଛି ଶୀଘ୍ର ଶୀଘ୍ର କୁହ । ଏଣିକି ମୋର ବହୁତ କାମ ।

ସେ ତା’ର କଥା ସାରିବା ପୂର୍ବରୁ ବାଧା ଦେଇ ମୁଁ କହିଦେଲି । ସେତେବେଳେ ବୋଧେ ମୋ ପୁରୁଷପଣିଆର ମିଛ ସ୍ୱାଭିମାନ ମୋତେ ଏମିତି କରିବାକୁ ବାଧ୍ୟ କରୁଥିଲା ।

ସେ ପୁଣି ଧିମା କଣ୍ଠରେ କହିଲା, ଏଇ, ସତରେ କ’ଣ ତୁମେ ମୋ ଉପରେ ଏତେ ରାଗିଛ । ମୋ କଥା କିଛି ବି ଶୁଣିବ ନାହିଁ ।

ସିଏ ଯେତେବେଳେ ଏମିତି ଏଇ କହି ମୋତେ ସମ୍ବୋଧନ କରେ ସେତେବେଳେ କୋଇଲିର ଡାକଠାରୁ ଆହୁରି ଅଧିକ ମଧୁର ଲାଗେ ତା’ର କଣ୍ଠସ୍ୱର । କିନ୍ତୁ ଆଜି ତା’ର ଏହି ଏଇ ଡାକଟି ମୋତେ ଏତେ କର୍କଶ ଲାଗୁଛି କାହିଁକି ? କାହିଁକି ବା ତା’ପାଇଁ ଘୃଣା ଭାବ ମୋ ଭିତରେ ? ଯାହାକି ମୁଁ ଶବ୍ଦରେ ବର୍ଣ୍ଣନା କରି ପାରୁ ନାହିଁ ।

ନାଇଁ ନାଇଁ ମୁଁ ତୁମ ଉପରେ କ’ଣ ପାଇଁ ରାଗିବି । ମୋର ବା କ’ଣ ଅଧିକାର ଅଛି ତୁମ ଉପରେ ରାଗିବାର; କି କିଛି ଅଧିକାର ସାବ୍ୟସ୍ତ କରିବାର । ମୁଁ କ’ଣ କିଛି ଅଧିକାର ରଖିଛି କି ତୁମ ଉପରେ? କିନ୍ତୁ ତୁମର ମୋ ଉପରେ ଅଧିକାର ଅଛି; ମତେ ଏମିତି ହନ୍ତସନ୍ତ କରି ମାରିବାର ଆଉ ଯାବତୀୟ କଷ୍ଟ ଦେବାର ।

ଏଇ ମୋ କଥା ଟିକିଏ ଶୁଣିବନି । ପ୍ଲିଜ୍ ଥରେ ମୋ କଥା ଶୁଣାନା | ଏଇ ବାବା, ଥରେ ଟିକିଏ ଶୁଣନା ।

ହଁ କୁହ, ଯାହା କହିବାର ଅଛି କୁହ, ବାକି ସଂକ୍ଷେପରେ କହିବ । ବହୁତ୍ କାମ ମୋର । ଟିକିଏ ବି ସମୟ ନାହିଁ ମୋ ପାଖରେ ତୁମର କିଛି ମୁଲ୍ୟହୀନ କଥା ଶୁଣିବା ପାଇଁ । ତେଣୁ ଯାହା କହିବାକୁ ଚାହୁଁଛ ସଂକ୍ଷେପରେ କୁହ ।

ଏଇ, ସତରେ ସଂକ୍ଷେପରେ! ତୁମ ଭାବନା, ତୁମ ପ୍ରେମ, ତୁମ ସ୍ମୃତି ଏବଂ ତୁମକୁ କ’ଣ ସଂକ୍ଷେପରେ ବର୍ଣ୍ଣନା କରି ହୁଏ । ସତ କହିଲ, ସଂକ୍ଷେପ କ’ଣ ସଠିକ୍ ଶବ୍ଦ ତୁମ ପରିବ୍ୟାପ୍ତ ପ୍ରେମର ପରିସୀମାକୁ ପରିବ୍ୟକ୍ତ କରିବାକୁ । ପ୍ରେମର ପରିସୀମା ଯେ, ଏତେ ବିଶାଳ ହୋଇପାରେ ତାହା ମୁଁ ଆଗରୁ କେବେ ଜାଣି ନ ଥିଲି । କି ସେମିତି କିଛି ଅନୁଭୂତି ମଧ୍ୟ ମୋର ହସ୍ତଗତ ହୋଇ ନ ଥିଲା । କିନ୍ତୁ ତୁମ ସହ ସାକ୍ଷାତ ହେଲା ପରେ ମୁଁ ସେସବୁକୁ ଠିକ୍ ବୁଝିପାରିଛି । ସାଗରର ଗଭୀରତାକୁ ହୁଏତ ମାପି ହୁଏ । ଆକାଶର ପରିବ୍ୟାପ୍ତିକୁ ଆକଳନ କରାଯାଇ ପାରେ । କିନ୍ତୁ ! କିନ୍ତୁ ତୁମ ପ୍ରେମର ଗଭୀରତାକୁ ନା ମାପି ହେବ, ନା ତା’ର ପରିସୀମାକୁ ଆକଳନ କରିହେବ । ଯଦି ହେବ ତ କେବଳ ତାହାକୁ ଅନୁଭବ ହିଁ କରିହେଵ । ଆଉ ଏହି ବର୍ଷକ ଭିତରେ ମୁଁ ସେସବୁକୁ ଅନୁଭବ କରିସାରିଲିଣି । ତେଣୁ ସଂକ୍ଷେପ ଶବ୍ଦଟା ଯେ କେତେ ମାତ୍ରାରେ ପ୍ରଯୋଜ୍ୟ ତାହା ମୁଁ ଜାଣିପାରୁନାହିଁ ।


ତା’ର ଏମିତି କଥାରେ ମୋର ସମସ୍ତ କ୍ରୋଧ, ମାନ-ଅଭିମାନର କଠିନ ପ୍ରସ୍ତର ଗୁଡ଼ିକ ଭାଂଗି ଚୂର୍ଣ୍ଣୀଭୂତ ହୋଇଗଲା । ମୁଁ ଏବେ ହୃଦବୋଧ କରିସାରିଥିଲି ଯେ ସେ କ’ଣ କହିବାକୁ ଚାହୁଁଛି । ତେଣୁ ଆଉ କିଛି କହି ପାରିଲି ନାହିଁ । ଖାଲି ଏତିକି କହିପାରିଲି କି? କହିଲ ଦେଖି ମୁଁ ଯଦି ଏମିତି କିଛି କରିଥାଆନ୍ତି, ତାହାହେଲେ କ’ଣ ତୁମକୁ କଷ୍ଟ ହୁଅନ୍ତା ନାହିଁ ନା ତୁମେ ବି ମୋ ଉପରେ ଏମିତି ଅଭିମାନ କରି ନ ଥାଅନ୍ତ?

ଓହୋ, ତାହାହେଲେ ମୋ ବାବୁ ମୋ ଉପରେ ଅଭିମାନ କରିଛି | ରାଗ ନୁହେଁ ତ ! ତାହାହେଲେ ଚାଲିବ । କର କର କେତେ ଅଭିମାନ କରୁଛ କର । ମୁଁ ସେସବୁକୁ ଚୁପ୍ ଚାପ୍ ହସି ହସି ସହିଯିବି । କିନ୍ତୁ ରାଗିବନି ପ୍ଲିଜ୍ ।

ମୁଁ କ’ଣ ତୁମ ଉପରେ ରାଗିପାରେ ନା କେବେ ଆଗରୁ ରାଗିଛି ।


ଆଉ ସେ ଟିକିଏ ଅଧିକ ପ୍ରେମାତୁର ହୋଇ କହିବାକୁ ଲାଗିଲା, ସତରେ ତୁମେ ମୋତେ ଏତେ ଭଲ ପାଅ ।


ନାଇଁ ନାଇଁ ସେମିତି କିଛି ନୁହେଁ । ଏମିତି କହୁ କହୁ କହି ଦେଲି ନା ।


ମୁଁ କିନ୍ତୁ ଠିକ ଜାଣିଥିଲି ସେ ମୋ କଥାକୁ ଭଲ ଭାବରେ ବୁଝିପାରିଥିବା । ମୁଁ ମିଛ କି ସତ କହୁଛି ସେ କଥାକୁ ଠିକ ଭାବରେ ଅନୁମାନ କରି ନେଇଥିବ ।


ମୋ ମନରୁ ଯେତେବେଳେ ରାଗର ଶିକୁଳି ଟିକୁ ଖୋଲିଦେଲି ସେ ଯେମିତି ମୁକ୍ତି ପାଇଗଲା । ଆଉ ଅନାୟାସରେ ଭାବନା ରାଜ୍ୟରେ ଭ୍ରମଣ କରିବାକୁ ଲାଗିଲା । ସତେ ଯେମିତି ମୁକ୍ତାକାଶର ପକ୍ଷୀଟି । ଆଉ ମୁଁ ଲଜ୍ଜା ବୋଧରେ ଜର୍ଜରିତ ହୋଇ ଏତିକି ବୁଝିପାରିଲି ଯେ ତୁମେ ଶିକୁଳି ନୁହଁ ବରଂ ସ୍ୱାଧିନତାକୁ ପସନ୍ଦ କର । ତୁମେ ମୋର ସହବାସ ନୁହେଁ ବରଂ ସାନିଧ୍ୟକୁ କାମ୍ୟ କର ।


ଏଥର ସେ ଗପିଚାଲିଲା ଅହେତୁକ କଥା । ସାଗରର ଯେତେ ତରଂଗ ନ ଥିଲା ତାଠୁ ଅଧିକ କଥା ଥିଲା ମୋତେ କହିବାକୁ ତା’ ପାଖରେ ।


ଏଇ ଶୁଣନା, ମୁଁ କ’ଣ କହୁଛି ଯେ । ଏବେ ଟିକିଏ ଅଧିକ ପ୍ରେମାତୁର ହୋଇଆସୁଥିଲା ତା’ର କଣ୍ଠ ସ୍ୱର ।


ତା’ର ସେହି ପ୍ରେମାତୁର କଣ୍ଠ ସ୍ୱରରେ ମୁଁ ଅନେକ ବାର ମଦହୋସ୍ ହୋଇଯାଏ । ସବୁ କିଛି ଭୁଲିଯାଏ ମୁଁ ତା’ର ଏମିତି କଣ୍ଠ ସ୍ୱରରେ । ସେ ଯେତେବେଳେ କଥା କହେ ତା’ର କଣ୍ଠ ସ୍ୱର ବ୍ୟତିତ ଆଉ କିଛି ଶୁଭେନାହିଁ ମୋତେ । ସେ ମୋତେ ଭସେଇ ନିଏ ସ୍ୱପ୍ନର କେଉଁ ଏକ ଅଜଣା ରାଜ୍ୟକୁ । ମୋ ମନର ସମସ୍ତ ଆବେଗ ବିଲୀନ ହୋଇଯାଏ ତା’ର କଣ୍ଠ ସ୍ୱରରେ ।

ଆଉ ଏମିତି ଅବସ୍ଥାରେ ଅନ୍ୟମନସ୍କ ରହି କହିଦେଲି, ହଁ ରେ କୁହ ! ମୁଁ ପା ତୁମ କଥା ହିଁ ଶୁଣୁଛି ।

ଜାଣିଛ ଆଜି ମୋର ସବୁ ଯୋଜନା ଫସର ଫାଟିଗଲା ।

କ’ଣ ହେଲା ? ମୁଁ ପଚାରି ଦେଲି ।

ଉଁ ହୁଁ ..ତୁମେ ଜମାରୁ ଭଲ ନୁହେଁ ।


ଏବେ ପୁଣି ମୁଁ କ’ଣ କରିଲି ଯେ ଟିକିଏ ସ୍ନେହ ପୂର୍ଣ୍ଣ ଭଂଗିରେ ପଚାରିଦେଲି ।

ମୁଁ ଜାଣିଛି ତୁମେ କିଛି କରି ନାହଁ । ତଥାପି ମୁଁ କିଛି କହୁଥିଲା ବେଳେ ତୁମେ କ’ଣ ପାଇଁ ମୁହଁ ଖୋଲୁଛ । ମୋତେ ଖାଲି ଶୁଣ ଆଉ କିଛି ବି କହିବ ନାହିଁ ।

ତୁମେ ଏମିତି ଏକ ପ୍ରତିଶୃତି ମୋ’ଠୁ କରେଇ ନେଲ । ଆଉ ମୁଁ ଚୁପ୍ ଚାପ୍ ସମ୍ମତି ପ୍ରକାଶ କରି କହିଦେଲି, ହଉ ଠିକ ଅଛି ବାବା, ମୁଁ ଆଉ କିଛି କହିବି ନାହିଁ ଖାଲି ତୁମକୁ ଶୁଣିବି । ଯେ ପର୍ଯ୍ୟନ୍ତ ତୁମେ କହୁଥିବ ସେ ପର୍ଯ୍ୟନ୍ତ ମୁଁ ଚୁପ୍ ଚାପ୍ ଶୁଣିବି


ଏବେ ଆଉ ତୁମକୁ ଧରେ କିଏ । ମୁକ୍ତ ଆକାଶର ବିହଂଗ ପରି ପବନ ସହ ପ୍ରତିଯୋଗିତା କରିଲା ଭଳି ତୁମେ ମଧ୍ୟ ସମୟ ସହ ପ୍ରତିଯୋଗିତା କରିଦେଇଥିଲ । ସମୟକୁ ପରାଜୟ କରି ତୁମ ମନର ସମସ୍ତ କଥାକୁ ମୋ ପାଖରେ ପହଂଚାଇବା ପାଇଁ କେତେ ଯେ ପ୍ରୟାସ କରୁଥିଲ ଦୂରରେ ଥାଇ ତୁମ ନିର୍ଗତ ନିଶ୍ୱାସ-ପ୍ରଶ୍ୱାସର ଗତିରୁ ମୁଁ ଠିକ୍ ଭାବରେ ଅନୁମାନ କରି ପାରୁଥିଲି । ବିନା ପ୍ରତିବନ୍ଧକରେ ବିନା ଦ୍ୱଧାରେ ତୁମେ କହିଚାଲିଥିଲା ତୁମ ବିଲମ୍ବିତ ଘଟଣାର ରହସ୍ୟମୟ ହେତୁ ସବୁ । କ’ଣ କ’ଣ ସବୁ ତୁମ ସହ ଆଜି ଘଟିଯାଇଛି ସମସ୍ତ କଥାକୁ ଏକ ଭାବଧାରରେ, ଏକ ନିଶ୍ୱାସରେ ଯେମିତି କହିଦେବ । ବୁଢୀମା ଠାରୁ କାହାଣୀ ଶୁଣୁଥିବା ନିର୍ବୋଧ ବାଳକଟେ ପରି ମୁଁ ତୁମକୁ କିଛି ବାଧା ନ ଦେଇ ଶୁଣିଚାଲିଥିଲି ଅନେକ ସମୟ ପର୍ଯ୍ୟନ୍ତ ।

ତୁମେ ଖୋଲି ଦେଇଥିଲ ତୁମ ବିଲମ୍ବିତ ଘଟଣାର ରହସ୍ୟମୟ ପରସ୍ତ ଗୁଡ଼ିକୁ ।


ତୁମକୁ କହିବା ଅନୁଯାୟୀ ମୁଁ ଠିକ୍ ସମୟରେ କଲେଜରୁ ବାହାରିଥିଲି ଘର ଅଭିମୁଖେ । କିନ୍ତୁ ଭାଗ୍ୟର

ବିଡ଼ମ୍ବନା, ଘରେ ସମୟ ଥାଉ ଥାଉ ପହଂଚି ପାରିଲି ନାହିଁ ଆଉ ଅନେକ ବିଳମ୍ବ ହୋଇଗଲା । ଶାନ୍ତ ପ୍ରକୃତି ଯେ କେତେବେଳେ ଏବଂ କେଉଁ ମୁହୁର୍ତ୍ତରେ ଅଶାନ୍ତ ହୋଇ ଉଠେ ତା’ର କୌଣସି ଠିକ୍ ଠିକଣା ନ ଥାଏ । ଅବସମ୍ଭାବି ଘଟଣା ଗୁଡ଼ିକ ଅସ୍ୱାଭାବିକ ଭାବରେ ଆକସ୍ମିକ ଉପସ୍ଥିତ ହୋଇଗଲେ ସ୍ୱାଭାବିକ ଘଟଣା ଗୁଡ଼ିକ ଅବସମ୍ଭାବି ହୋଇଯାଆନ୍ତି । ଆଜି ସେମିତି ଏକ ଅବସମ୍ଭାବି ଅସ୍ୱାଭାବିକ ଘଟଣାର ଆକସ୍ମିକ ଉପସ୍ଥିତ ଯୋଗୁଁ ଏତେ ବିଳମ୍ବ ଆଉ ଫଳ ସ୍ୱରୁପ ତୁମକୁ ଅନେକ ସମୟ ମୋ ବାଟକୁ ଅନେଇବାକୁ ପଡ଼ିଲା । ମୁଁ ଆଉ କ’ଣ କରିଥାନ୍ତି କହିଲ । ପ୍ରକୃତି ଉପରେ କ’ଣ କାହାରି ନିୟନ୍ତ୍ରଣ ଥିଲା ନା ଅଛି ଯେ ତାକୁ ରୋକି ପାରିବ । ତଥାପି ମୁଁ ଚେଷ୍ଟା କରିଥିଲି ଶୀଘ୍ର ଫେରିବାକୁ କିନ୍ତୁ ପ୍ରକୃତି ନିକଟରୁ ଜିତି ପାରି ନ ଥିଲି ।

ସେ କ’ଣ କହିବାକୁ ଚାହୁଁ ଥିଲା ମୁଁ ଏ ପର୍ଯ୍ୟନ୍ତ ତା’ କଥାକୁ ଠିକ୍ ଭାବରେ ବୁଝିପାରୁ ନ ଥିଲି କି ତାକୁ ବାଧା ଦେବାକୁ ବି ଚାହୁଁ ନ ଥିଲି । ତେଣୁ ଖାଲି ଚୁପ୍ ହୋଇ ତା’ କଥାକୁ ଶୁଣିବା ମୋ ପାଇଁ ଶ୍ରେୟସ୍କର ଥିଲା । ମୁଁ ସେମିତି ହିଁ ତା’ କଥାକୁ ଶୁଣୁଥିଲି ।


ପୁଣି ସେ କହିବା ଆରମ୍ଭ କରିଦେଲା,ପ୍ରକୃତରେ କଲେଜରୁ ଘରକୁ ଫେରୁଥିବା ସମୟରେ କେଉଁଠି ଥିଲା ଏ କଳାହାଣ୍ଡିଆ ମେଘଟା ଆସି ମୋ ରାସ୍ତା ଓଗାଳି ଦେଲା । ଆଉ ମୋ ଚଲାପଥରେ ପ୍ରତିବନ୍ଧକ ସାଜି ଛିଡା ହୋଇଗଲା । ଝଡର ଇଗଲ ପରି ମୁଁ ମଧ୍ୟ ତୁମ ସହ କଥା ହେବା ଇଚ୍ଛାକୁ ସମ୍ବରଣ କରି ନ ପାରି ଧାଇଁ ଚାଲିଲି ଘର ଅଭିମୁଖେ । କିନ୍ତୁ ମୋର ଯାତ୍ରାର ଆଭିମୁଖ୍ୟ ସମୟ ଥାଉ ଥାଉ ପୂରଣ ହୋଇପାରିଲା ନାହିଁ । ପ୍ରକୃତିକୁ କିଛି କ୍ଷଣ ସାମ୍ନା କରି କିଛି ବାଟ ଅତିକ୍ରାନ୍ତ କରିଥିଲି କି ନାହିଁ ପ୍ରକୃତି ମୋ ସହ ବାଦ କରି ଅଧିକ ଭୟଂକର ଏବଂ କ୍ରୁର ସାଜି ଉଠିଲା ।


ଆକାଶର ପଶ୍ଚିମ ପ୍ରାନ୍ତରୁ ଧିରେ ଧିରେ କରି କଳା ମେଘମାଳା ଗୁଡ଼ିକ ସତେ ଯେମିତି ପୃଥିବୀକୁ ଆକ୍ରମଣ କରିବାକୁ ଅଗ୍ରସର ହୋଇଉଠୁଥିଲେ । ଦେଖୁ ଦେଖୁ ବିସ୍ତୀର୍ଣ୍ଣ ଆକାଶଟି ମେଘମାଳାର କାଳିମାରେ ସମ୍ପୂର୍ଣ୍ଣ ଆଛାଦିତ ହୋଇଗଲା । କିଛି କ୍ଷଣ ପୂର୍ବରୁ ସ୍ୱଚ୍ଛ ଏବଂ ନିର୍ମଳ ଦେଖ ଯାଉଥିବା ପରିବେଶଟି ଏବେ ବୁଡିମା କାହାଣୀର ରାକ୍ଷସଟେ ସାଜି ମନରେ ଭୟ ସଂଚାର କରୁଥିଲା ।


ପଶ୍ଚିମାକାଶରେ କ୍ରୀଡ଼ାରତ ମେଘମାଳାର ଭୟାନକ ରୂପ ସହିତ ତାଳ ଦେଉଥିଲା ଉତରା ପବନ । ଏମିତି ଏକ ଅଭାବନୀୟ ପରିସ୍ଥିତିରୁ ମୁକୁଳିବାକୁ ଯାଇ ପାଦ ମୋର ଏକ ଉପବନ ନିକଟରେ ମୁହୂର୍ତ୍ତକ ପାଇଁ ଅଟକିଗଲା । ଚାହୁଁ ଚାହୁଁ କେତେବେଳେ ମୁଁ ସେ ଉପବନ ପରିସର ଭିତରକୁ ପ୍ରବେଶ କରିସାରିଥିଲି ଜଣା ପଡ଼ିଲା ନାହିଁ । ସତେ ଯେମିତି କେଉଁ ଏକ ଜଣା ଆକର୍ଷଣ, କେଉଁ ଏକ ଜଣାଶୁଣା ସ୍ମୃତିର ଲହରି ମୋତେ ସ୍ପର୍ଶ କରି ତା’ ନିକଟକୁ ଭିଡ଼ି ନେଉଥିଲା । ସେ ସ୍ମୃତି ଗୁଡ଼ିକ ଏତେ ଆପଣାର ଲାଗୁଥିଲା ଯେ ମୁଁ ମୋର ବୋଧ ଶକ୍ତିକୁ ହରାଇ ତା’ସହ କେତେବେଳେ ଏତେ ଅନ୍ତରଂଗ ହୋଇଗଲି ଜ୍ଞାତ ନାହିଁ । କେତେବେଳେ ସେ ମୋତେ ସେ ତା’ର ବାହୁବନ୍ଧନରେ କବଳିତ କରିନେଲା ତାହାକୁ ପରିବ୍ୟକ୍ତ କରିବାକୁ ମୋ ପାଖରେ ପରିଭାଷା ହିଁ ନାହିଁ ।


ଇତି ମଧ୍ୟରେ ଆକାଶରେ ମେଘମାଳାମାନଙ୍କର ଆତଯାତ ତୀବ୍ର ଏବଂ କ୍ରିୟାଶୀଳ ହୋଇଉଠିଲା । ଏଣିକି କଳା ଅନ୍ଧାକର ସେ ଉପବନକୁ ଆଛାଦିତ କରିସାରିଥିଲା । ଚପଳାମାନଙ୍କର କ୍ଷଣ ଉପସ୍ଥିତିରେ କେତେବେଳେ କେମିତି କାହାର ମୁହଁ ଦେଖା ଯାଉଥିଲା । କିଛି କ୍ଷଣ ପରେ ସେ ବି ଦୂରେଇ ଯାଉଥିଲା । ଉତ୍ତରା ପବନର ସ୍ପର୍ଶରେ ଦେହ ଟିକିଏ ଟିକିଏ ଶୀତେଇ ଉଠୁଥିଲା । ଟୋପାଏ ଦିଟୋପା ବର୍ଷା ପାଣି ଏବେ ଆକାଶରୁ ଝରିବାକୁ ଆରମ୍ଭ ହୋଇସାରିଥିଲା । ବର୍ଷା ପାଣିର ହୀମ ସ୍ପର୍ଶରେ ଲୋମଗୁଡ଼ିକ ଟାଂକୁରି ଉଠୁଥିଲା । ଉପବନଟି ଧିରେ ଧିରେ ଭୀମକାନ୍ତ ଦେଖାଯାଉଥିଲା । ଚାରିଆଡ଼େ କଳା କିଟିମିଟି ଅନ୍ଧାର ସାଂଗକୁ ବର୍ଷା ଓ ପବନର ଉପସ୍ଥିତି ପରିବେଶକୁ ଅଧିକ ଭୟାତୁର କରିଦେଉଥିଲା । ଏସବୁ କିନ୍ତୁ ମୋ ମନରେ ଟିକିଏ ମଧ୍ୟ ଭୟ ସଂଚାର କରିପାରି ନ ଥିଲେ । ମୋତେ ଟିକିଏ ବି ଭୟ ଲାଗୁ ନ ଥିଲା କିମ୍ବା ତିଳେ ମାତ୍ର ବିଚଳିତ ହେଉନଥିଲି ମୁଁ ।

କିନ୍ତୁ କାହିଁକି ମୋତେ ଭୟ କିମ୍ବା ଡର କବଳିତ କରି ପାରୁ ନ ଥିଲା ଜାଣିଛ ?


କାରଣ ପ୍ରତି ମୁହୁର୍ତ୍ତରେ ମୁଁ ତୁମର ଉପସ୍ଥିତିକୁ ଆନୁଭବ କରୁଥିଲି ମୋ ଚତୁଃପାର୍ଶ୍ବରେ । ସତେ ଯେମିତି ଲାଗୁଥିଲା ତୁମେ ଏଇଠି କେଉଁଠି ଲୁଚି ରହି ମୋର ପ୍ରତ୍ୟେକ କାର୍ଯ୍ୟକୁ ଦୂରରେ ଥାଇ ଅନୁଧ୍ୟାନ କରୁଛ । ଆଉ ମୋର ଟିକିଏ ଅନ୍ୟମନସ୍କତାର ସୁଯୋଗ ନେଇ ମୋତେ ଛୁଇଁ ଦେଇ ଯାଉଛ, କେତେବେଳେ ପବନ ହୋଇ ତ କେତେବେଳେ ବୁନ୍ଦାଏ ବର୍ଷା ପାଣି ହୋଇ ତ ପୁଣି କେତେବେଳେ ଚପଳା ହୋଇ ସାରା ଶରୀରକୁ ମୋର ଶିହରି ଦେଉଛ । ମୁଁ ଯେତେବେଳେ ତୁମ ସ୍ପର୍ଶରେ ତୁମର ଉପସ୍ଥିତିକୁ ଅନୁଭବ କରି ନିଜକୁ ସତର୍କ କରେଇ ନେଉଥିଲି, ସେତେବେଳେ ତୁମେ ଦୂରେଇ ଯାଉଥିଲା ଏହି ଅନ୍ଧକାରର ସାହାଯ୍ୟ ନେଇ । କିନ୍ତୁ ମୁଁ ବିଚଳିତ ହେଉ ନ ଥିଲି କି ବିବ୍ରତ ମଧ୍ୟ ହେଉ ନ ଥିଲି । ଏହିଭଳି ପରିବେଶ ଏବଂ ପରିସ୍ଥିତି ସହ ତ ମୋର ଅନେକ ଆଗରୁ ସମ୍ପର୍କ ଅଛି । ତେଣୁ ଭୟ ବା କାହିଁକି ଲାଗିବ ।


କାହିଁକି ନା ଆଜିର ଏହି ବର୍ତ୍ତମାନ ଠିକ୍ ବର୍ଷକ ପୂର୍ବରୁ ଏକ ସ୍ମୃତି ସମ୍ଭୁତ ଅତୀତ ଥିଲା । ସେହି ଅତୀତ ଭିତରେ ଭରି ରହିଥିବା ସ୍ମୃତି ଗୁଡିକ ଅପରୁପା ପରୀ ଭଳି ଉଡିଆସି ମୋ ମନ ଉପବନକୁ ଆଛନ୍ନ କରୁଥିଲା କେଉଁ ଏକ ଅଦ୍ଭୁତପୁର୍ବ ଆକର୍ଷଣରେ । ସେ ସ୍ମୃତିଗୁଡିକ ଆଜିବି ମୋ’ଠି ଚିରକାଳ ପାଇଁ ବନ୍ଦୀ ସାଜିଛନ୍ତି । ତୁମେ ବା କେଉଁଠୁ ବୁଝିଵ ସେ କଥା | ତୁମେ ସିନା ଶବ୍ଦକୁ ଆସରା କରି ତୁମ ସ୍ମୃତି ସମୂହକୁ ନିଜର ଲେଖନୀରେ ମୁକ୍ତ କରିଦେଇ ମୁକ୍ତି ପାଇଯାଅ । କିନ୍ତୁ ମୁଁ କ’ଣ ସେମିତି କରିପାରିଛି ନା ପାରିବି । ସେମାନେ ସଦାବେଳେ ସ୍ମୃତି ପ୍ରଜାପତିଟି ହୋଇ ଉଡିବୁଲନ୍ତି ମୋ ମନ ଉପବନରେ ଆଉ ଉଡିଉଡି ଜୀବନରେ ଭରିଦିଅନ୍ତି ଅନନୁଭୁତ ମଧୁରିମା ।


ଏଇ! ସତ କହିଲ ତୁମେ କ’ଣ ମନେ ରଖିଛ ଆମର ପ୍ରଥମ ସାକ୍ଷାତକୁ ?

ହଁ ! ସେଦିନ ମଧ୍ୟ ଏହିଭଳି ଏକ ଉପବନ ଥିଲା । ଉପବନର ଗୋଟିଏ ପ୍ରାନ୍ତରୁ ଆର ଏକ ପ୍ରାନ୍ତ ପର୍ଯ୍ୟନ୍ତ ସବୁଜିମାପୂର୍ଣ୍ଣ ଶୋଭାବର୍ଦ୍ଧନକାରୀ ଦାମି ଦାମି ବୃକ୍ଷରାଜି । ସୂକ୍ଷ୍ମ ରଂଗ ବେରଂଗର ଘାସ ଗାଲିଚା ଉପବନଟିକୁ ଆହୁରି ଅଧିକ ଆକର୍ଷଣୀୟ କରିଦେଉଥିଲା । ଆମ ଭଳି ଆଉ କେତେଜଣ ଯୁବକ ଯୁବତୀ ସେହି ଉପବନରେ ଉପସ୍ଥିତ ଥିଲେ । ହୁଏତ ସେମାନେ ମଧ୍ୟ ଆମ ପରି ପ୍ରଥମ ଥର ସେ ଉପବନକୁ ଆସିଥାଇ ପାରନ୍ତି । ସେଦିନ ଅତୀତ ତା ଗର୍ଭରେ ନୂତନ ବୀଜକୁ ବପନ କରି ଏକ ନୂତନ ସମ୍ପର୍କକୁ ଆମନ୍ତ୍ରଣ କରିଥିଲା । ଋତୁଚକ୍ରରେ ନ ହେଲେ ମଧ୍ୟ ସେଦିନ ଆମ ଦୁହିଁଙ୍କ ଜୀବନରେ ପ୍ରଥମ ଥର ପାଇଁ ବସନ୍ତ ପଦାର୍ପଣ କରିଥିଲା ।

ଦୁଇଜଣଙ୍କ ଶୁଷ୍କ ମନ ଉପବନରେ ପୁଣି ପ୍ରେମର ସବୁଜିମା ନବକଳେବରର ରୂପ ନେଇ ଜୀବନକୁ ଆନ୍ଦୋଳିତ କରିଥିଲା ।


ସେଦିନ ପ୍ରକୃତି ଏକ ଅଭାବନୀୟ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିଲା, ଏମିତି ଏକ ବର୍ଷା ଅପରାହ୍ଣକୁ ଆମନ୍ତ୍ରଣ କରି । ଅନେକ ପ୍ରତିବନ୍ଧକ ସୃଷ୍ଟି କରିଥିଲା ଆମ ମିଳନରେ । କିନ୍ତୁ ତା’ର ସେହି ପ୍ରତିକୂଳତା ହିଁ ଆମକୁ ଅଧିକ ନିକଟତର କରିବାରେ ସାହାଯ୍ୟ କରିଥିଲା । ସେହି ବର୍ଷା ପାଣି, ସେହି ପବନ ଆଉ ସେହି ବିଜୁଳି ଆମ ଦୁହିଁଙ୍କ ମିଳନରେ ସାକ୍ଷୀ ସାଜିଥିଲା ।

ଝିପିଝିପି ବାରିପାତର ମୃଦୁ ମୃଦୁ ସ୍ପର୍ଶ ସହ ସାଇଁସାଇଁ ପବନର ଗତି ମନ ପ୍ରାଣରେ ଖୁସିର ଲହରୀକୁ ଅବତରଣ କରାଇବାରେ ଲାଗିଥିଲା । କୋଳାହୋଳପୂର୍ଣ୍ଣ ସେହି ଉପବନର ପରିବେଷ୍ଟିନିରେ ସଂଗୋପନେ ଆମର ପ୍ରଥମ ଦେଖା ସାକ୍ଷାତକୁ ତୁମେ କ’ଣ ଏବେବି ମନେ ରଖିଛ । ସେଦିନ ଦୂର ଦିଗବଳୟରେ କଳାବାଦଲମାନଙ୍କର ଆସ୍ତରଣରେ ସୂର୍ଯ୍ୟ ମଳିନ ଦେଖାଯାଉଥିଲା । ଘମାଘୋଟ ମେଘମୁଖର ଅପରାହ୍ଣରେ ଉପବନ ପରିସରଟି ଧିରେ ଧିରେ ଲୋକଶୁନ୍ୟ ହେବାକୁ ଲାଗିଲା । ଧିରେ ଧିରେ କରି ସମସ୍ତେ ସେଠାରୁ ଯିବାକୁ ଲାଗିଲେ । ଯଦି କିଛି ଥିଲା ତ ଏହି ବର୍ଷା, ପବନ ଆଉ ବିଜୁଳି ଏବଂ ତୁମେ ଆଉ ମୁଁ । ଗୋଟିଏ ବିଶାଳ ଆମ୍ବ ବୃକ୍ଷ ଏବଂ ତା’ତଳେ ଏକ ସ୍ୱତନ୍ତ୍ର ବେଂଚ୍ । ସତେ ଯେମିତି ସେମାନେ ଆମ ଦୁହିଁଙ୍କ ପାଇଁ ଉଦିଷ୍ଟ ଥିଲେ । ଆମ ଦୁହିଁଙ୍କ ପାଇଁ ସତେ ଯେମିତି କେଉଁ କାଳରୁ ଅପେକ୍ଷାରତ । ତୁମେ ବସିଥିଲା ମୋ ପାଖରେ ଆଉ ମୁଁ ତୁମ ହାତରେ ହାତ ଛନ୍ଦିଦେଇ କିଛି ଅର୍ଥ ନ ଥିବା ବିଷୟ ସବୁ ଗପିଚାଲିଥିଲି, ଠିକ୍ ଏକ ପାଗିଳିଟେ ପରି । ଗପିଚାଲିଥିଲି ବେଜାଏଂ ଆଉ ତୁମେ ଚୁପ୍ ଚାପ୍ ସେ ସମସ୍ତ କଥାକୁ ଶୁଣିଚାଲିଥିଲ ଆଉ ମଝିରେ ମଝିରେ ମୋତେ ପରିହାସ କରି ଟିକିଏ ଟିକିଏ ହସି ଦେଉଥିଲ । ମୁଁ ଅଧିକରୁ ଅଧିକ ବେପରୁଆ ହୋଇ ଗପିଚାଲିଥିଲି । ଠିକ୍ ଏମିତି ଏକ ଅସତର୍କ ଅବସ୍ଥାର ସୁଯୋଗ ନେଇ ବିଜୁଳିଟି ଚକ୍ ଚକ୍ ମାରି ଉଠିଲା ଆକାଶର ବକ୍ଷଦେଶରେ । ତା’ସହ ଘଡଘଡି ମଧ୍ୟ ତାଳ ଦେଉଥିଲା । ବିଜୁଳି ଆଲୋକରେ ମୁଁ ତୁମ ମୁହଁକୁ କିଛି କ୍ଷଣ ପାଇଁ ପୁଲକିତ ହେଉଥିବାର ପରିଲକ୍ଷିତ କରିପାରୁଥିଲି । ଘଡ଼ଘଡ଼ି ଶବ୍ଦର ଭୟରେ ମୁଁ ତୁମକୁ କୁନ୍ଧେଇ ପକାଇଥିଲି । ଝିପିଝିପି ବର୍ଷାରେ ଭିଜିଯାଇଥିବା ଶରୀରର ଉତ୍ତେଜନାକୁ ମୁଁ ଠିକ୍ ବାରିପାରୁଥିଲି । ଆଉ ତୁମ ଶରୀରର ଉଷ୍ମତାରେ ମୁଁ ମୋ ନିଜକୁ ଭୁଲିଯାଇ ତୁମ ବାହୁବନ୍ଧନରେ ନିଜର କୁଆଁରୀ ମନର ମୌଳିକତାକୁ ତୁମ ନିକଟରେ ସମର୍ପଣ କରି ଦେଇଥିଲି । ଏବେ ବି ତୁମ ସ୍ପର୍ଶର ଅନୁଭୁତି ମୋ ମନକୁ ଅସ୍ଥିର କରିଦିଏ ଅନେକ ସମୟରେ ।


ସେ ଘଟଣାକୁ ହୁଏତ ଆଜକୁ ବର୍ଷକୁ ପୁରିଗଲାଣି । ତଥାପି ସେ ମୋ ମନରେ ସେମିତି ସତେଜ ଗୋଲାପଟେ ହୋଇରହିଛି ।ନା ତା’ର ସୌନ୍ଦର୍ଯ୍ୟତାରେ ମଳିନତା ଆସିଛି ନା ତା’ର ମୌଳିକତାରେ କୌଣସି କ୍ଷୁର୍ଣ୍ଣତା ।

ଆଜି ମଧ୍ୟ ସବୁକିଛି ସେମିତି ରୁପରେ ଉପସ୍ଥିତ ମୋ ସମ୍ମୁଖରେ । ସେହି ପରିବେଶ ଏବଂ ପରିସ୍ଥିତି । ସେହି ବର୍ଷା, ସେହି ପବନ ସେହି ଚପଲାମାନଙ୍କର ଚଂଚଲତା । କିନ୍ତୁ ଯଦି କେହି ନ ଥିଲା ତ; କେବଳ ତୁମେ ଆଉ ତୁମର ସାନିଧ୍ୟ । ଯାହାକୁ ପୁଣିଥରେ ଅଂଗିକାର କରିବାକୁ ଯାଇ ମୁଁ ଏମିତି ଏକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅଟକିଯାଇ ଥିଲି ସେହି ଉପବନର ପରିସରରେ । ସେହି ଆମ୍ବ ଗଛ ମୂଳରେ ଥିବା ବେଂଚ ନିକଟରେ ବସି ତୁମେ ନ ହେଲେ ନାହିଁ ; ତୁମ ସ୍ମୃତିକୁ ମନେ ପକାଇ ଭିଜିଛି ମନଭରି ଆଉ ତୁମ ବିରହରେ ବର୍ଷା ପାଣିକୁ ବି ଟିକିଏ ଲବଣାକ୍ତ କରିଦେଇଛି ।


ତୁମଠୁ ସବୁ କିଛି ଶୁଣି ସାରିବା ପରେ ଗୁମସୁମ୍ ହୋଇ ବସିପଡିଲି ପାଖ ଚେୟାର୍ ରେ । ଆତ୍ମସନ୍ତୁଷ୍ଟିରେ ଯେତିକି ଆତ୍ମହରା ହେଉ ନ ଥିଲି, ତାହାଠାରୁ ଅଧିକ ଆତ୍ମଗ୍ଲାନିରେ ନିଜକୁ ଧିକ୍କାର କରିବାକୁ ଲାଗିଲି ।

କିଛି ସମୟ ପୂର୍ବର ଭାବନା ମୋର ଭୁଲ୍ ପ୍ରମାଣିତ ହେଲା ପରେ ଯେତିକି ଖୁସି ହେଉ ନ ଥିଲି, ସେତିକି ଅଧିକ ଦୁଃଖି ଯେ, ମୁଁ ତୁମକୁ କେମିତି ବୁଝି ପାରିଲି ନାହିଁ । କେମିତି ମୋ ଭିତରେ ଥିବା ତୁମର ଅସ୍ତିତ୍ୱକୁ ପାସୋରିଗଲି । ତୁମକୁ ବିନା ଦୋଷରେ ଦୋଷୀ ମଣି ନିଜ ମନ ଅଦାଲତରେ ତୁମକୁ ଦଣ୍ଡ ମଧ୍ୟ ଶୁଣାଇ ସାରିଥିଲି । ପ୍ରକୃତରେ କିଏ ଭୁଲିଛି ଆଉ କ’ଣ ଭୁଲିଛି ତାହା ଏବେ ଭଲ ଭାବରେ ଜାଣିପାରୁଛି ।

ଯଦି କେହି କିଛି ଭୁଲିଥାଏ ତ ସେ ଜଣକ ହେଉଛି ମୁଁ । ମୁଁ ଭୁଲିଯାଇଥିଲି ତୁମର ସ୍ବପ୍ନକୁ, ତୁମର ଭାବନାକୁ, ତୁମର ସ୍ମୃତିକୁ ଆଉ ସବୁଠାରୁ ବଡ କଥା; ମୁଁ ଭୁଲିଯାଇଥିଲି ମୋ ଭିତରେ ଥିବା ତୁମର ଅସ୍ତିତ୍ୱକୁ । କଥାଛଳରେ ଅନେକ ଥର ତୁମେ ଉଲ୍ଲେଖ କରିଛ ସେହି ବେଂଚ କଥା, ସେ ବେଂଚରେ ମୋ ହାତରେ ହାତ ଛନ୍ଦି ବେଜାଏଂ ଗପିଥିବା କଥା ଆଉ ମୋ ବକ୍ଷରେ ତୁମ ମୁଣ୍ଡକୁ ରଖି ଅନେକ ସମୟ ଯାଏ ମୋ ସାନିଧ୍ୟ କଥା । ତେବେ ଦୋଷୀ କିଏ ଆଉ କ’ଣ ବା ଦଣ୍ଡବିଧାନ ତା ପାଇଁ ? ତୁମ - ମୋ ଭିତରେ ଯେ କୌଣସି ଭାବଗତ ପାର୍ଥକ୍ୟତା ନାହିଁ ସେ କଥାଟିକୁ ମୁଁ ବା କେମିତି ପାସୋରି ଦେଇ ପାରିଲି । ମୁଁ ନିଜକୁ ଏବେ କ୍ଷମା କରି ପାରୁ ନାହିଁ । ହୃଦୟର ଭାବନାଗୁଡିକ ଏବେ ଅନାୟସରେ ଆଖିର ଲୁହ ହୋଇ ଝରିବାକୁ ଲାଗିଲା । ଆଉ ସେ ଲୁହରେ ମୁଁ ମୋ ଭିତରେ ଥିବା ତୁମକୁ ହିଁ ଅନୁଭବ କରୁଥିଲି ।


Rate this content
Log in

Similar oriya story from Romance