ଅପରିଚିତା
ଅପରିଚିତା
ପୃଥିବୀର ଅନେକ କ୍ରିୟାଶୀଳ ଘଟଣାସମୂହ କାହାକୁ କିଭଳି ଭାବରେ ଅନୁପ୍ରାଣିତ କରିଯାଏ, ସେସବୁକୁ କଲମ ମୁନରେ ଲେଖିବା ସମ୍ଭବ ପର ନୁହଁ । ସମସ୍ତ ଘଟଣାକୁ ଲେଖି ମଧ୍ୟ ହୁଏ ନାହିଁ । ସେ ସମସ୍ତ ଘଟଣା ସମୂହକୁ କଲମ ମୁନରେ ଲେଖିବାକୁ ଗଲେ, ହୁଏତ ଏ ପୃଥିବୀକୁ ସବୁଜହୀନା ହେବାକୁ ପଡ଼ିବ । କିନ୍ତୁ ସେଥି ମଧ୍ୟରୁ ଏମିତି କିଛି ଘଟଣା ରହିଛି ଯାହାକୁ ନ ଲେଖିଲେ ମଧ୍ୟ ତାହା ବହୁତ୍ ଯନ୍ତ୍ରଣା ଦେଇଥାଏ । ତେଣୁ ସେମିତି କିଛି ଅଭୁଲା ସ୍ମୃତିକୁ ଏବଂ କିଛି ଅନୁପ୍ରାଣିତ ଘଟଣାକୁ ଲେଖିବାକୁ ମୁଁ ମନସ୍ତ କରିଲି । ହୁଏତ ମୁଁ ନ ହୋଇପାରେ କିନ୍ତୁ ମୋ ଲେଖା ହଁ ତୁମକୁ ମୋ ବିଷୟରେ ଅବଗତ କରାଇ ଦେଇ ପାରିବ କି ମୋ ଭିତରେ ତୁମେ ପାଇଁ କି ପ୍ରକାର ଭାବନା ସବୁ ଭରିରହିଛି ।
ସ୍ରଷ୍ଟାର ସୃଷ୍ଟି ପ୍ରତି ଆକୃଷ୍ଟ ହେବା କିଛି ନୂଆଁ କଥା ନୁହେଁ । ଏଇ ଯେମିତି ଧରି ନିଅନ୍ତୁ କି ଫୁଲ ପ୍ରତି ଭ୍ରମରର, କଳାମେଘ ପ୍ରତି ମୟୁରର, ନାରୀ ପ୍ରତି ପୁରୁଷର ଆଉ ତୁମ ପ୍ରତି ମୋର; ଭରିରହିଛି ଏକ ଅଦ୍ଭୁତପୂର୍ବ ଆକର୍ଷଣ । ହଁ ମୁଁ ବି ତୁମ ପ୍ରତି ଠିକ୍ ସେମିତି ଆକର୍ଷିତ ହୋଇଯାଇଥିଲି । କେଉଁ ଏକ ଅଦୃଶ୍ୟ ଶକ୍ତି ଯେମିତି ମୋତେ କୁହୁକିନୀ କରିଚାଲିଥିଲା । ଆକର୍ଷଣ ଏବଂ ଆକର୍ଷିତ ଭିତରେ କେତେ ମାତ୍ରାରେ ଆକ୍ଷରିକ ଅର୍ଥଗତ ଦୂରତା ତାହା ମୋତେ ଜଣା ନାହିଁ । କେବେ ଜାଣିବାକୁ ଚେଷ୍ଟା ବି କରିନାହିଁ । କିନ୍ତୁ ସେମାନଂକ ମଧ୍ୟରେ କେତେ ଭାବଗତ ନିବିଡ଼ତା ଭରି ରହିଛି ତାହା ମୁଁ ହୃଦବୋଧ କରିଛି । ମୁଁ ଜାଣେନା କେତେବେଳେ ତୁମ ରୂପଚର୍ଯ୍ୟା, ବେଶବିନ୍ୟାଶ, ପ୍ରଣୟପୂର୍ଣ୍ଣ ବାର୍ତ୍ତାଳାପରେ ଆକର୍ଷିତ ହୋଇଯାଏ; ବା ସେସବୁ ମୋତେ ଆକର୍ଷଣ କରିନିଏ । ଖାଲି ଏତିକି ଜାଣିଛି ତୁମ ନୟନ ଯୁଗୋଳ ବେଶ୍ ପିୟୁଷପୂର୍ଣ୍ଣ, ବେଶ୍ ପ୍ରଭାବଶୀଳ ଏବଂ ଅନ୍ୟ ଉପରେ ବେଶ୍ ପ୍ରତିକ୍ରିୟାଶୀଳ ।
ସତରେ କ’ଣ ପ୍ରଥମ ଦେଖାରୁ ପ୍ରେମ ହୋଇଯାଏ ? ନା ଏହା କେବଳ କିଛି କ୍ଷଣର ଆକର୍ଷଣ । ମୋତେ କିନ୍ତୁ ହୋଇଯାଇଥିଲା ପ୍ରଥମ ଦେଖାରେ ତୁମ ସହ ଅୟୁତ ଅୟୁତ ବର୍ଷର ପ୍ରେମ । ମୋ ଦେହ ମନ ପ୍ରାଣରେ ଭରିଯାଇଥିଲା ତୁମ ପ୍ରେମର ଫଲଗୁ, ହୃଦୟରେ ସୃଷ୍ଟି ହୋଇଥିଲା ଏକ ଅଶାନ୍ତ ଆବେଗର ଝଡ଼ । ଯାହା କୌଣସି ପ୍ରକାରରେ ଥୟ ଧରିବାର ନାମ ନେଉନଥିଲା ।
ସେଦିନ ମୁଁ ହାଇଦ୍ରାବାଦ୍ ରୁ ଫେରିଥାଏ ଗାଁକୁ । ଟ୍ରେନ୍ ଯନିତ ଯାତ୍ରା ଯୋଗୁଁ ଶରୀରଟି ଅତୋଧିକ କ୍ଲାନ୍ତି ଅନୁଭବ କରୁଥିଲା । ତେଣୁ ଶରୀରର କ୍ଲାନ୍ତିକୁ ମେଣ୍ଟ।ଇବାକୁ ଯାଇ ଶୋଇବା ପରିବର୍ତ୍ତେ ଖୋଲା ପରିବେଶକୁ ଏବଂ ପ୍ରକୃତି କୋଳକୁ ହଁ ଶ୍ରେୟସ୍କର ମନେ କରି ଗାଁ ପୋଲ ଅଭିମୁଖେ ତତ୍ପର ହୋଇ ଅଭିଯାନ ଆରମ୍ଭ କରିଦେଲି । ପୋଲର ଗୋଟିଏ ପାର୍ଶ୍ୱରେ ବସିବାକୁ ଉଦ୍ୟତ ହୁଅନ୍ତେ ପୋଲର ଅପର ପାର୍ଶ୍ୱରୁ କେହି ମୋତେ ଡାକୁଥିବାର ମୋର କର୍ଣ୍ଣପାତ ହେଲା,
“ଭାଇ, ଏ ପାଖକୁ ଆସ । ଆମେ ସମସ୍ତେ ଏଠାରେ ବସିଛେ ।”
ମୁଁ କିଛି ପଚାରିବା ପୂର୍ବରୁ ସେ ନିଜର ପରିଚୟଟି ଦେଇ କହିଲା, “ଭାଇ, ମୁଁ ରାଜେନ୍ । ”
ମୁଁ ରାଜେନ୍ କୁ ଭଲ ଭାବରେ ଜାଣିଛି । ସେ ଯେ ମୋର ପରିଚିତ ନୁହେଁ ଘଟଣାଟି ସେମିତି ନୁହେଁ । ସେତେବେଳକୁ ଯଥେଷ୍ଟ ରାତି ଏବଂ ରାତ୍ରିର ଅନ୍ଧକାର ବି ଘନ ହୋଇସାରିଥିଲା । ତେଣୁ ସେହି ଘନ ଅନ୍ଧକାରରେ ମୁଁ ଦୂରରୁ ସେମାନଙ୍କୁ ଚିହ୍ନ ପାରିଲି ନାହିଁ ।
“ଆରେ, ତୁ କେବେ ଗାଁକୁ ଆସିଲୁ କି ରେ ” ମୁଁ ପଚାରିଲି ।
“ଭାଇ, ଆଜି ସଂଧ୍ୟାରେ । କଲେଜରେ ଧର୍ମଘଟ ଯୋଗୁଁ କଲେଜ ବନ୍ଦ ଅଛି । ତେଣୁ ଭାବିଲି ଗାଁରୁ ଟିକିଏ ବୁଲି ଆସିଲେ ଭଲ ହେବ ” ସେ ଉତ୍ତର ଦେଲା ।
ମୁଁ , ରାଜେନ୍ ଏବଂ ଗାଁର ଆଉ ଦୁଇ ତିନି ଜଣ ପିଲାଙ୍କ ସହ ବାସି କଥୋପକଥନ ଆରମ୍ଭ କରିଦେଲୁ । ମୋର ଏମିତି ଅଦିନରେ ଗାଁକୁ ଫେରିବାର କାରଣଟି ଜାଣିବା ପରେ ପୁଣି ଏଣୁ ତେଣୁ ଗପିବାରେ ଲାଗିଲୁ । କିଛି କ୍ଷଣ ଏଣୁ ତେଣୁ ଗପସପ ପରେ ଏକ ଚିରାଚରିତ ବିଷୟର ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗାଲ “ପ୍ରେମ” । ଆଜି କାଲିର ଯୁବପିଢି ପାଇଁ ପ୍ରେମ ହେଉଛି ଏକ ସର୍ବୌକୃଷ୍ଟ ବିଷୟ ଯାହା ଉପରେ ସେମାନେ ବହୁତ୍ କିଛି ଉପସ୍ଥାପନ କରିପାରନ୍ତି । ପ୍ରେମ-ପ୍ରେମିକା- ଭଲ ପାଇବା, ତା’ପରେ ପୁଣି ପ୍ରତାରଣା ଏମିତି ଅନେକ ବିଷୟରେ ସେମାନେ ଗପିଚାଲାନ୍ତି ଆଉ ମୁଁ ଖାଲି ଶ୍ରୋତା ପରି ସେସବୁ କଥାକୁ ଉପଭୋଗ କରିଚାଲିଥାଏ ।
ହଠାତ୍ ଆଲୋଚନାର ବିଷୟ ବସ୍ତୁ ଉପଯୋଗୀ ପ୍ରଶ୍ନଟି ପଚାରିଦେଲା ରାଜେନ୍, “ ଭାଇ, ତମର କେହି ଗାର୍ଲପ୍ରେଣ୍ଡ ଅଛନ୍ତି ନା ? ”
କିଛି ମୁହୂର୍ତ୍ତ ପାଇଁ ମୁଁ ଜାଣି ପାରିଲି ନାହିଁ କି ମୋ ଆଡେ କାହିଁକି ଆଲୋଚନାର ମୋଡଟି ବଦଳି ଗଲା । ମୁଁ କିଛି ଉତ୍ତର ନ ଦେଉଥିବାର ଲକ୍ଷ୍ୟ କରି ପୁଣି ରାଜେନ୍ କହିଲା, “ କୁହନା ଭାଇ, ପ୍ଲିଜ୍ “
ମୁଁ ଟିକିଏ ରସିକିୟା ପଣ ଦେଖାଇ କହିଲି, “କାହିଁକି କିରେ ତୁ କ’ଣ ମୋ ପାଇଁ କେହି ଝିଅକୁ ଦେଖିକି ରଖିଛୁ କି?”
“ହଁ ଭାଇ, ତୁମେ ସତ କଥା କହୁନ କ’ଣ କେହି ସେମିତି ଅଛନ୍ତି କି ?” ଉତ୍ତରରେ ରାଜେନ୍ ପଚାରିଲା ।
ମୁଁ କହିଲି, “ ନାଇଁରେ, ମୁଁ ଏବେ ଏକା । ଆଉ ସେ ଗୋଲକ ଧନ୍ଦାରେ ପଶିବାକୁ ଚାହୁଁ ନାହିଁ ।”
ରାଜେନ୍, “ କ’ଣ ମ ଭାଇ ଏମିତି ଏକା ଏକା ନିସଂଗ ଜୀବନ ଆଉ କେତେ ଦିନ ବଞ୍ଚିବ । ହଉ ଠିକ ଅଛି, ମୁଁ ତୁମ ପାଇଁ ଭାଉଜ ଠିକ କରିଦେବି ।”
ଏକିତି କହି ସେ ମୋତେ ତା’ର ମୋବାଇଲଟି ବଡ଼େଇ ଦେଉ ଦେଉ କହିଲା, “ ଭାଇ ଏଇ ଦୁଇଟି କବିତା ପଡ଼ । ଆଉ କୁହ କେମିତି ଲାଗୁଛି ।”
ସହଜରେ ମୁଁ ସାହିତ୍ୟ ପ୍ରେମୀ । ତେଣୁ କବିତାଟିକୁ ପଡ଼ିବା ପାଇଁ ମୋର ଉତ୍କଣ୍ଠ ବଡ଼ିଗଲା । ତା’ଠୁ ମୋବାଇଲ ଧରି ନେଇ କବିତା ପଡ଼ିବା ଆରମ୍ଭ କରିଦେଲି ।
ସତେ ଯେମିତି ଲାଗୁଥିଲା କିଛି କ୍ଷଣ ଏ ସମୟ ଅଟକି ଯାଇଛି, ପବନ ଥମି ଯାଇଛି । କିନ୍ତୁ ଏମିତି କିଛି ବି ହୋଇ ନ ଥିଲା । ଏ ସବୁଥିଲା ମୋର ପ୍ରକୃତି ପ୍ରେମୀ ମନରେ ଏକ ଭ୍ରାନ୍ତ ଧାରଣା । ସେମାନେ ଠିକ ପୁର୍ବପରି କ୍ରିୟାଶୀଳ ଥିଲେ । କିନ୍ତୁ ଅଟକି ଯାଇଥିଲି ତ ମୁଁ : ସ୍ଥିର ଏବଂ ସ୍ଥାଣୁ ହୋଇଯାଇଥିଲା ମୋର ସବୁ ଚିନ୍ତାଶକ୍ତି । ରାଜେନ୍ ର ସେହି ଭାଇ ଡାକରେ ନିଜକୁ ପ୍ରକୃତିସ୍ଥ କରି କହିଲି ଆହାଃ ... କି ସୁନ୍ଦର ଏକ କବିତା, କେତେ ନମନୀୟ କବିତ୍ରିର ଭାବନା ଏବଂ ପରିବ୍ୟକ୍ତ କରିବାର ପରିଭାଷା ।
ଏଇ ! ଜାଣିଛ ଏମିତି ହିଁ ହୋଇଥିଲା ତୁମ ସହ ମୋର ପ୍ରଥମ ଦେଖା ।
ସେ ଯେ କେବଳ ଏକ କ୍ଷଣ ମୁହୂର୍ତ୍ତ ପାଇଁ ସାକ୍ଷାତ ଥିଲା ତାହା ନୁହଁ । ସେହି କ୍ଷଣ ମୁହୂର୍ତ୍ତର ସାକ୍ଷାତରେ ମୁଁ ମୋର ହୋସ୍-ହାବ୍ଵସ୍ ସବୁ କିଛି ହରେଇ ବସିଥିଲି । ହୁଏତ ମୋର ଏ ପରି ଅବସ୍ଥାକୁ ରାଜେନ୍ ପଡ଼ିସାରିଥିଲା । ତେଣୁ ସେ ନାଟକୀୟ ଶୈଳିରେ କହି ବସିଲା,
“କଣ ଭାଇ, ପୁରା ଚୁପ୍ ଚାପ୍ ହୋଇଗଲ ଯେ । କଣ ଲେଖିକା ଠାରେ ମନ ରହିଗଲା କି ।”
“ନା ନା ସେମିତି କିଛି ନାହିଁ । ଏମିତି କବିତାର ଭାବନା ଟିକିଏ ଭଲ ଲାଗିଲା,ତା ଛାଡା କିଛି ନିହଁ ।" ମୁଁ କହିଲି ।
ସେତେବେଳକୁ ସମୟ ବହୁତ୍ ହୋଇସାରିଥାଏ । ଏଥର ଘରକୁ ଫେରିବାର ସମୟ । ତହିଁ ପର ସକାଳୁ ରାଜେନ୍ ର କଲେଜକୁ ଫେରିଯିବ ବୋଲି ସେ ପ୍ରଥମେ ବିଦାୟ ନେଲା, ପରେ ପରେ ଆମେ ସମସ୍ତେ । ସମସ୍ତେ ହୁଏତ ଖୁସିରେ ଖୁସିରେ ଘରକୁ ଫେରିଥିଲେ । କିନ୍ତୁ ମୁଁ ଫେରିଥିଲି ମୋର ମନ ପ୍ରାଣକୁ ହରେଇ ।
ଗ୍ରୀଷ୍ମରେ ଶୁଷ୍କ ନଦୀ ବର୍ଷାରେ ପ୍ଲାବିତ ହେଲାପରି ତା’ର ସେହି କବିତାର ଭାବପ୍ରବଣତାରେ ଏବଂ କବିତାରେ ସଂଲଘ୍ନ ଫୋଟୋଚିତ୍ରଟିରେ ତା’ର ସ୍ମିତହାସ୍ୟର ପ୍ରଣୟପୂର୍ଣ୍ଣ ସ୍ପର୍ଶ ପାଇ ମୋ ହୃଦୟର ଶୁଷ୍କ ଯମୁନାଟି ପ୍ଲାବିତ ହୋଇଥିଲା ପ୍ରେମର ବନ୍ୟାରେ । ମୋ ଅଜ୍ଞାତ ସାରରେ କେତେବେଳେ ହୃଦୟର କେଉଁ ଏକ ସୁକ୍ଷ୍ମ କୋଣରେ ସେ ଲେଖିକାଙ୍କ ପ୍ରତି ମୋର ଦୁର୍ବଳତା ଜାଗ୍ରତ ହୋଇଉଠିଥିଲା ମୁଁ ଜାଣି ପରି ନ ଥିଲି । ସେ ଦିନ ମୋର ଏକ ଭ୍ରାନ୍ତ ଧାରଣାର ଅବସାନ ହୋଇଥିଲା ଯେ, ପ୍ରେମ ହେଉଛି ଦକ୍ଷତା କିମ୍ବା ଅଭିଜ୍ଞତା ସିକ୍ତ ନୁହେଁ । ପ୍ରେମ କେବଳ ଅନୁଭୁତି ସିକ୍ତ । ପ୍ରେମ ହେଉଛି ଦୁଇଟି ହୃଦୟର ଶବ୍ଦହୀନ ପରିଭାଷା ।
ସମସ୍ତ ଦୈହିକ, ମାନସିକ ଚିନ୍ତା, କଳ୍ପନା, ପରିକଳ୍ପନା ଆଶା ଆକାଂକ୍ଷାର ଉର୍ଦ୍ଧରେ ପ୍ରେମର ସ୍ଥାନ । ପ୍ରେମ ସମସ୍ତ ବନ୍ଧନର ଏକ ସ୍ବର୍ଗୀୟ ପରିଭାଷା । ନିଜ ହୃଦୟର ସମ୍ପୂର୍ଣ୍ଣ ସମର୍ପଣ ଭାବ ହଁ ପ୍ରେମ । ପ୍ରେମ ଚିରନ୍ତନ ସତ୍ୟ, ସେ ହଁ ଶାସ୍ବତ । ପ୍ରେମର ଅର୍ଥ ଯେ ବିଶ୍ବାସ । ପ୍ରେମର ଅନ୍ୟରୂପ ଭରସା । ପ୍ରେମ ଏକ ଐସ୍ବର୍ଗିକ ଆବେଗର ସ୍ୱରୁପ । ଏମିତି ସବୁ ଏଣୁ ତେଣୁ ଚିନ୍ତାରେ ମଗ୍ନ ଥିବା ସମୟରେ ହଠାତ୍ ମୋ ମୋବାଇଲଟି ବାଜି ଉଠିଲା । ମୋବାଇଲର ଗର୍ଜନରେ ମୋର ଭାବନା ସବୁ ମିଳେଇ ଗଲା ଓଳିପାଣିର ଫଟକା ପରି ।
ମୋବାଇଲରେ Rajen calling.........
କଲ୍ ଟିକୁ ରିଶିବ୍ କରନ୍ତେ, ଆର ପଖୁ ଭାସି ଆସିଲା ରାଜେନ୍ ର କଣ୍ଠ ସ୍ୱର,
“ ଭାଇ ମୁଁ ଦୁଇଟି ମେସେଜ୍ କରିଛି whatsappରେ ତୁମେ ଦେଖି ନେବ ।”
ଏତିକି କହି ମୁଁ କିଛି କହିବା ପୂର୍ବରୁ ସେ କଲ୍ ଟିକୁ କାଟି ଦେଲା । ସତେ ଯେମିତି ତାକୁ ନିର୍ଦ୍ଦେଶ ମିଳିଛି ଅଧିକ କିଛି ନ କହିବା ପାଇଁ । ସେ ଯାହା ହେଉ ମୁଁ ଏବେ whatsapp ଖୋଲି ଦେଖିବାକୁ ଲାଗିଲି । ଆଉ ଯାହା ଦେଖିଲି ସେଥିରେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ମେସେଜରେ ଥିଲା ତୁମର କେତୋଟି ଫୋଟ । ସେ କାହିଁକି ମୋତେ ତୁମର ଫୋଟ ପଠେଇଲା ଯେ ? ଆହୁରି ଅନେକ ପ୍ରଶ୍ନ ? ମସ୍ତିସ୍କକୁ ଏମିତି ପ୍ରଶ୍ନମାଳଗୁଡିକ କବଳିତ କରିବାର ବେଶ୍ କିଛି କ୍ଷଣ ପୁର୍ବରୁ ତୁମର ସ୍ମିତହାସ୍ୟଟି ମୋତେ ଆକର୍ଷିତ କରିନେଇଥିଲା । ସବୁ ପ୍ରଶ୍ନର ଜଟିଳତା ମଧ୍ୟରୁ ଦୁରେଇଯାଇ ମୁଁ କେବଳ ଅନୁଧ୍ୟାନ କରୁଥିଲି ତୁମର ସେହି ସ୍ମିତହାସ୍ୟଟିକୁ । ଝରଣାଟିଏ ପର୍ବତବକ୍ଷ ଦେଶରୁ ନିର୍ଗତ ହେଲା ପରି, ତୁମର ଗୋଲାପି ଦୁଇ ଅଧର ଫାଙ୍କରୁ ଫୁଟି ଉଠିଥିବା ସେହି ଲୋଭନୀୟ ଏବଂ ଆକର୍ଷଣିୟ ସ୍ମିତହାସ୍ୟଟି ଖୁବ୍ ମାନୁଥିଲା ତୁମ ଚେହେରାକୁ । ସତରେ ମୁଁ ଲୀନ ହୋଇଯାଇଥିଲି ତୁମର ସେହି ସ୍ମିତହାସ୍ୟରେ । ସେତେବେଳେ ନିଜର ଆସ୍ଥା ଖୋଜିବାକୁ ମୁଁ ଅସମର୍ଥ ହୋଇପଡିଥିଲି । କିନ୍ତୁ କିଛି କ୍ଷଣ ପରେ ନିଜକୁ ପ୍ରକୃତିସ୍ଥ କରି ଭାବିଲି ଏ ହେଉଛି ଶୀତର ଆଗନ୍ତୁକ ପକ୍ଷୀଟିଏ । ଶୀତ ଅନ୍ତ ହୁଅନ୍ତେ ପୁଣି ଉଡିଯିବ ନିଜ ଦେଶକୁ, ଦୂରକୁ ଆଉ ବହୁ ଦୂରକୁ । ମୋ ଆଖି ଆଡୁଆଳରୁ ବହୁ ଦୂରକୁ ଯାହାକୁ ମୁଁ ଆଉ ଖୋଜି ପାଇବି ନାହିଁ । କିନ୍ତୁ ମୋ ହୃଦୟ ଚିଲିକାରେ ସେ କେତେବେଳେ ଯେ ବସା ବାନ୍ଧି ସାରିଥିଲା, ତାହା ମୁଁ ଜାଣି ପାରି ନ ଥିଲି । ଏମିତି ଭାବୁଭାବୁ କେତେବେଳେ ଆଖି ଲାଗିଯାଇଥିଲା ଆଉ ମୁଁ ନିଦର ଗହନ ଗଳିରେ ହଜେଇ ଦେଇଥିଲି ମୋର ଚେତନାକୁ ଠିକରେ ଜ୍ଞାତ ନାହିଁ ।

