STORYMIRROR

Golak Bihari Sahoo

Inspirational

3  

Golak Bihari Sahoo

Inspirational

ଲିଙ୍କ୍ ନାହିଁ

ଲିଙ୍କ୍ ନାହିଁ

2 mins
28.4K


ପରଦିନ ମୋର ପେଟକଟା ଅପରେସନ ହେବ ବୋଲି ଡାକ୍ତର ବାବୁ ଦିନ ଧାର୍ଯ୍ୟ କରିଛନ୍ତି। ହାତରେ କିଛି ନଗଦ ରାଶି ନେଇ ନଗଲେ ଅସୁବିଧା ହୋଇପାରେ ଭାବି ଷ୍ଟେଟ ବ୍ୟାଙ୍କ କାଉଣ୍ଟରରେ ଯାଇ ଠିଆ ହୋଇ ଗଲି। ଷ୍ଟେଟ ବ୍ୟାଙ୍କର ଦୁଇଟି ଯାକ ଏ ଟି ଏମ୍ ତିନିଦିନ ଧରି ଅଚଳ ହୋଇ ପଡିଛି। ଇଣ୍ଡିକା କ୍ୟାଶ ଏ ଟି ଏମ୍ କହୁଛି, ଥରକରେ ଦୁଇ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ଥର ଥର କରି ତିନି ଥରରୁ ଅଧିକ ଥର ଯଦି ଟଙ୍କା ଉଠାଏ ବ୍ୟାଙ୍କ କମିଶନ ମୋ ଆକାଉଣ୍ଟରୁ କାଟି ନେବ। ବ୍ୟାଙ୍କ ଲାଭ ବଢାଇବାର ଏହା ଗୋଟିଏ ଚାଲାକ ନୀତି ନୁହେଁ ତ ଆଉ କଣ? 

ସମୟ ସକାଳ ୧୧ ଟା। ଦେଖିଲି ଲାଇନରେ ମୋ ନମ୍ବର ୫। ମନେ ମନେ ଖୁସି ହେଲି। ଚଞ୍ଚଳ ଟଙ୍କା ନେଇ ଘରକୁ ଫେରି ପାରିବି। କିନ୍ତୁ ଦେଖିଲି, ଲାଇନର ଦୀର୍ଘତା ବଢିବାରେ ଲାଗିଛି। ଆଗରୁ କୌଣସି ବ୍ୟକ୍ତି ଘୁଞ୍ଚିବାର ନାମ ଗନ୍ଧ ନାହିଁ। ବ୍ୟାଙ୍କ କିରାଣୀ ବାବୁ ଦୁଃଖିତ ମନରେ କହିଲେ - "ସକାଳୁ ଲିଙ୍କ୍ ନାହିଁ। କେତେବେଳେ ଆସିବ ଜଣା ନାହିଁ।" 

ତଥାପି ମଣିଷ ବଡ ଆଶାବାଦୀ ଏବଂ ଧୈର୍ଯ୍ୟଶୀଳ । ତା ନହେଲେ, ମୋ ଭଳି ୬୦/୭୦ ବର୍ଷର ବୁଢାବୁଢୀ ୫/୭ କିମି ଦୂରରୁ ଆସି ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତେ ନାହିଁ। କେହି କେହି ବାଙ୍କୁଲି ବାଡିକୁ ତଳେ ରଖି ମାଟିରେ ବସି ପଡିଛନ୍ତି। କହୁଛନ୍ତି ବାବୁରେ, ମୋ ଲାଇନ୍ ଆସିଲେ ମୋତେ ଡାକିବୁ। 

ଦିନ ୧୨ ଟା। ଲିଙ୍କ୍ ଆସିଲା ନାହିଁ। ତଥାପି ମନରୁ ଆଶା ତୁଟିନି। ଲିଙ୍କ୍ ଆସିବା ପାଇଁ ଆଉ ଅଧ ଘଣ୍ଟାଏ ସମୟ ଦେଲି। ତଥାପି ଲିଙ୍କ୍ ନାହିଁ। ଜଣେ ବୃଦ୍ଧ ବ୍ୟକ୍ତି ଆକାଉଣ୍ଟାଣ୍ଟଙ୍କ କାଉଣ୍ଟରରେ ପାଟିକଲେ। ସାର୍, ମୋର ବୟସ ୭୫ ବର୍ଷ। କାଲି ମୁଁ ଏକ ଫିକ୍ସଡ୍ ଡିପୋଜିଟ ଆକାଉଣ୍ଟ୍ ଖୋଲିଛି। ସେଥିରେ ମୋ ବୟସ ୫୭ ବର୍ଷ ଲେଖା ଅଛି। ମୁଁ ବରିଷ୍ଠ ନାଗରିକ। ବୟସ ଠିକ୍ ଲେଖିଲେ ଆଉ କିଛି ଅଧିକ ସୁଧ ପାଇବି। ଦୟାକରି ମୋ କଥା ଟିକିଏ ବୁଝନ୍ତୁ। ୪କିମି ଦୂରରୁ ଗାଁରୁ ଆସିଛି।ସଂଧ୍ୟା ହୋଇଗଲେ ମୋ ଆଖିକୁ ଭଲ ଦେଖା ଯାଏନି।

ଆକାଉଣ୍ଟ୍ ବାବୁ ଫିକ୍ସଡ୍ ଡିପୋଜିଟ ରସିଦକୁ ହାତରେ ଧରି କହିଲେ - "ଆପଣଙ୍କ ବୟସ ୭୫ ବର୍ଷ, ତାର ପ୍ରମାଣ କଣ? କିଛି ପ୍ରମାଣ ଆଣିଛନ୍ତି? ପ୍ୟାନ କାର୍ଡ଼ ଆଣିଛନ୍ତି?"

 ବ୍ୟକ୍ତି ଜଣକ କହିଲେ, ସେଇଟା କଣ? କେଉଁଠି ମିଳେ?

--ଇନକମ୍ ଟାକ୍ସ ଅଫିସରୁ।

--ମୋର ତ ସଞ୍ଚୟ ଖାତା ଅଛି। ଆପଣ କମ୍ପୁଟରରେ ଯାଞ୍ଚ କରନ୍ତୁ।  - - ଲିଙ୍କ୍ ନାହିଁ। କରି ହେବ ନାହିଁ। ବୃଦ୍ଧ ବ୍ୟକ୍ତି ଘରର ଛାତ ଆଡକୁ ଅନାଇ ରହିଲେ।

ଆଉ ଜଣେ ବୃଦ୍ଧା ୬୫ ବର୍ଷ। କହିଲେ - "ପୁଅ, ମୋର ପେନସନ ଟଙ୍କା ଆସିଛି କି ନାହିଁ ଦେଖିଲୁ। ସଞ୍ଚୟ ଖାତା ଆକାଉଣ୍ଟ୍ ବାଲାନ୍ସ ଦେଖିବାକୁ ମେସିନ୍ ପାଖକୁ ଯାଇଥିଲି। ବିରାଟ ଲାଇନ୍। ଲୋକେ କହୁଛନ୍ତି, ଲିଙ୍କ୍ ନାହିଁ। ବାଡିପଡା ଲିଙ୍କ୍ କେବେ ଆସିବ?" 

--ସେ ଅଦୃଶ୍ୟା, ଚଞ୍ଚଳା। କେବେ ଆସିବ କେବେ ଯିବ କେହି କହି ପାରିବେ ନାହିଁ। 

କିନ୍ତୁ ଆଜି ପେନସନ ଟଙ୍କା ନେଇ ଘରକୁ ନଗଲେ କାଲିଠାରୁ ବଡ଼ପୁଅର ବୋହୂ ମୋତେ ଖାଇବାକୁ ଦେବ ନାହିଁ। ସାନ ପୁଅର ପାଳି ଆଜିଠାରୁ ଶେଷ।

ଭାବିଲି - ବ୍ୟାଙ୍କରେ ଲିଙ୍କ୍ କେବେ ବି ଆସିପାରେ। କିନ୍ତୁ ଥରେ ହୃଦୟର ଲିଙ୍କ୍ ଛିନ୍ନ ହେଲେ ଆଉ କବେ କି ଯୋଡି ହେବନି? ଈଶ୍ଵର ହୃଦୟ ଲିଙ୍କ୍ ଯୋଡିବା ପାଇଁ ଯଦି କିଛି ସଫ୍ଟୱେର ସବୁ ମଣିଷକୁ ଦିଅନ୍ତେ, କେତେ ଭଲ ହୁଅନ୍ତା?? କିନ୍ତୁ ସିଏ ତ ମଙ୍ଗଳକାରୀ ଅନ୍ତର୍ଯ୍ୟାମୀ। ସବୁ ତାଙ୍କ ହାତରେ।

ମଣିଷ ମାତ୍ରେ ହିଁ ଅସହାୟ, କିନ୍ତୁ ଆଶାବାଦୀ। 

©ଗୋଲକ ବିହାରୀ ସାହୁ  


Rate this content
Log in

Similar oriya story from Inspirational