Sambit Srikumar

Tragedy Action

4.3  

Sambit Srikumar

Tragedy Action

ଲାଲଗଡ଼

ଲାଲଗଡ଼

13 mins
271



ଲାଲଗଡ଼! ଏହା କେଉଁ ଗଡ଼ଜାତ ଅଞ୍ଚଳ ଅବା ରାଜରାଜୁଡ଼ା ଅମଳର ଗଡ଼ ନୁହେଁ। ନୁହେଁ ବି ଆଈମା କାହାଣୀର କେଉଁ କପୋଳକଳ୍ପିତ ଗଡ଼ଖାଇ ବେଷ୍ଟିତ ଜନପଦ। ଦେଶର ବିଧି ବ୍ୟବସ୍ଥାରେ ଏବଂ ଶାସନତନ୍ତ୍ରରେ ସୁଧାର ଆଣିବା ପାଇଁ ବନ୍ଧୁକ ଉଠାଇଥିବା ମାଓବାଦୀମାନଙ୍କ ଅଭେଦ୍ୟ ଅଜେୟ ଦୁର୍ଗ ଇଏ। ଶତାଦ୍ଦୀ ଶତାଦ୍ଦୀ ଧରି ଶାସନ ତନ୍ତ୍ରର ଚରମ ଅବହେଳାର ଶିକାର ହୋଇଥିବା ଅନ୍ଧାରୀ ଉପତ୍ୟକା। ଆଜି ବି ଯେଉଁଠିକି ସରକାରୀ ଅଧିକାରୀମାନେ ବଦଳି ହୋଇ ଯିବାକୁ ଭୟ କରନ୍ତି। ଯେଉଁଠି ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ବ୍ୟବସ୍ଥା ପରି ସର୍ବନିମ୍ନ ସାଧାରଣ ସୁବିଧା ସୁଯୋଗ ମଧ୍ଯ ଉପଲବ୍ଧ ନାହିଁ। ଯେଉଁଠି ମୌଳିକ ଆବଶ୍ୟକତା ପୂରଣ କରିବା ଲୋକଙ୍କ ପାଇଁ କାଠିକର ପାଠ, ଏଇ ସେଇ ଚିର ଉପେକ୍ଷିତ ଭୂଖଣ୍ଡ, ବାଟମାରଣା ହାତଚିକ୍କଣ ରାଜନୀତିର ପ୍ରୟୋଗଶାଳା!


ମଣିଷର ତାଜା ରକ୍ତରେ ଭିଜା ଏହାର ମାଟି, ସେଇଥି ପାଇଁ ନାମ ରହିଛି ୟା'ର ଲାଲଗଡ଼! ଅଗନା ଅଗନି ଦଣ୍ଡକାରଣ୍ୟର ଦୁର୍ଗମ ଇଲାକା ବ୍ଯାପିଛି ଚାରି ପାଞ୍ଚ ଗୋଟି ପ୍ରଦେଶରେ। ଯେଉଁଠି ସୂର୍ଯ୍ୟର କିରଣ ବି ଅପହଞ୍ଚ ସେଇଠି ମୁଣ୍ଡ ଟେକେ ଅନ୍ଯାୟ ଅନୀତି ଦୁର୍ନୀତି ପ୍ରୀୟାପ୍ରୀତି ଶୋଷଣ କଷଣର ବିରୋଧରେ ଯୁଗାନ୍ତକାରୀ ନିର୍ଣ୍ଣାୟକ ବିଦ୍ରୋହର ଲେଲିହାନ ଅଗ୍ନି ଶିଖା। ସର୍ବ ବ୍ଯାପକ ତାହାର ବ୍ଯାପ୍ତି। ଯାହାର ହୁଙ୍କାରରେ ଥରହର ହୁଏ ଭୂମିରୁ ଭୂମା, ଯାହାର ବିଭିଷିକା ଆଗରେ ନ୍ଯୁନ ମନେ ହୁଏନ୍ତି ସମସ୍ତ ସାମ୍ରାଜ୍ୟବାଦୀ ଶକ୍ତି, ଇଏ ସେଇ ରକ୍ତ ରଞ୍ଜିତ ଲାଲଗଡ଼!

ଏଠି ନା ସରକାରଙ୍କ କର୍ତ୍ତୃତ୍ବ ଥାଏ ନା ସ୍ଥାନୀୟ ପ୍ରଶାସନର ଅବା କୌଣସି ରାଜନୈତିକ ସଂଗଠନର। ଏଠି କେବଳ ରାଜ୍ ଚାଲେ ଲାଲ୍ ବାହିନୀର। ସମାନ୍ତରାଳ ଶାସନ ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ ବିଭାଗ ପରି ଏଠି ମଧ୍ୟ ବିଭିନ୍ନ ବିଭାଗ କାମ କରେ ତ୍ବରିତ ସେବା ମନୋଭାବ ନେଇ। ତ୍ବରିତ ନ୍ୟାୟ ହିଁ ଏଠିକାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବନ୍ଧୁକ ମୁନରେ ନ୍ୟାୟ ଅନ୍ୟାୟର ବିଚାର ହୁଏ ଏଠି ପ୍ରଜା କୋର୍ଟରେ, ଯେଉଁଠି ପ୍ରଜା ହିଁ ବିଚାରପତି ଭାବେ ବିଚାର କରିବେ, ନ୍ୟାୟ ପ୍ରଦାନ କରିବେ। ସଭିଙ୍କୁ ସମାନ ଅଧିକାର ମିଳେ ନିଜ ନିଜର ପକ୍ଷ ଉପସ୍ଥାପନ କରିବା ପାଇଁ। ପରିଶେଷରେ ଦଣ୍ଡ ବିଧାନ କରିବେ ଲାଲ୍ ବାହିନୀ। ତାହା ହୋଇ ପାରେ ମୁକ୍ତି ଅବା ମୃତ୍ୟୁଦଣ୍ଡ!

ଏମାନଙ୍କୁ କିଏ କହେ ମାଓବାଦୀ ତ ଆଉ କିଏ କହେ ନକ୍ସଲପନ୍ଥୀ ତ ଆଉ କିଏ କହେ ଉଗ୍ରବାଦୀ। କିଏ ପୁଣି କହେ ବିପ୍ଳବୀ, ସଂଗ୍ରାମୀ! ବିଚାରଗତ ମତାମତର ବିଭେଦରେ ଭିନ୍ନ ଭିନ୍ନ ନାମ ଏମାନଙ୍କର। ଲୁଣ୍ଠିତ ପୀଡ଼ିତ ଅତ୍ୟାଚାରିତ ଶୋଷିତ ନିଷ୍ପେସିତ ଜନସାଧାରଣଙ୍କର ବିଶ୍ବସ୍ତ ସାଥୀ! ଚିରକାଳ ବାହାର ଲୋକଙ୍କ ଦ୍ୱାରା ପ୍ରତାରିତ ନୀରିହ ସରଳ ବନବାସୀଙ୍କ ଅଧିକାର ପାଇଁ, ନାର୍ଯ୍ଯ ସମ୍ମାନ ପାଇଁ ଏମାନଙ୍କର ଆନ୍ଦୋଳନ। ଆଦର୍ଶର ଭିନ୍ନତାରେ ଭିନ୍ନ ଭିନ୍ନ ନାମ ଏଇମାନଙ୍କର। ଦୁନିଆଁର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏମାନଙ୍କ ଆଦର୍ଶର ଜୟଗାନ। ବନ୍ଧୁକ ମୁନରେ ସମସ୍ତ ସମସ୍ଯାର ସମାଧାନ କରିବା ଏମାନଙ୍କର କାମ।


ହେଲେ ମୁଁ ବୁଝି ପାରେନି ଯଦି ଏମାନେ ଲୋକମାନଙ୍କ ହିତ ପାଇଁ ଲଢେଇ କରୁଛନ୍ତି ତେବେ ଲୋକଙ୍କୁ ମାରୁଛନ୍ତି କାହିଁକି? ଏହି ସଂଗ୍ରାମ ଶାନ୍ତି ପୂର୍ଣ୍ଣ ଭାବେ ଅହିଂସାର ଅସ୍ତ୍ରରେ ତ ଲଢା ଯାଇପାରିବ। ତେବେ ସଶସ୍ତ୍ର ବିପ୍ଳବ କଣ ପାଇଁ? କଣ ପାଇଁ ରକ୍ତମୁଖା ଲାଲ୍ ବାହିନୀ? କଣ ପାଇଁ ବହୁଅଛି ଅବାରିତ ରୁଧିରର ନଦୀ ଏଇ ଲାଲଗଡ଼ରେ? ଏମିତି ଅନେକ ଅସମାହିତ ପ୍ରଶ୍ନ ଦିନେ ଥିଲା ମୋ ମନରେ। କେଜାଣି କାହିଁକି ଟିକେ ଦରଦ ବି ଥିଲା ଏଇ ସ୍ବଘୋଷିତ ବିପ୍ଳବୀମାନଙ୍କ ପାଇଁ ମନର କେଉଁ ନିଭୃତ କୋଣରେ। କିନ୍ତୁ ସମୟ ନଈର ଉଜାଣି ମୋତେ ସତ୍ଯ ସହ ସାମ୍ନା ସାମ୍ନି କରାଇଦେଲା ପରେ ଜାଣିଲି ନିଜେ ନମରିଲେ କେହି ବି କେବେ ସ୍ବର୍ଗ ଦେଖେନି!


ଉପକୂଳିଆ ଲୋକ ମୁହିଁ, ନାମ ମୋର ଗୌରାଙ୍ଗ ପ୍ରଧାନ। ଦେବୀ ନଦୀ ମୁହାଣରେ ମୋର ଘର। ଥିଲା ସୁଖ ଶାନ୍ତିର ଘର ପରିବାର। ବାପାମାଆ ଭାଇଭଉଣୀଙ୍କୁ ନେଇ ହସଖୁସିର ସଂସାର। ସ୍ଵଚ୍ଛଳ ନହେଲେ ମଧ୍ୟ ଅଭାବ ବି ନଥିଲା ଆମର। ଚାଷୀବନ୍ଦୀ ଘର, ଜମି ଦି ଏକର ଆମର ସମ୍ବଳ ମାତ୍ର । ଧାନ ପାନ ମୀନର କାରବାର। ଖଟଣିକୁ ଚାହିଁ ଅମଳ ବି ପ୍ରଚୁର। ଶାଗୁଆ ଧାନପାଟ ତଟକା ପନିପରିବା ମାଛ ପୋଖରୀକୁ ଥରେ ଚାହିଁ ଦେଲେ ପେଟ ପୁରିଯାଏ। ଭୋକ ଲାଗେ ନାହିଁ। ଆଖିରେ ଆଖିଏ ସପନ ଭରିଯାଏ। ବେଶ୍ ସୁନ୍ଦର ସବୁଜିମା ଭରା ସେଇ ସ୍ବପ୍ନ ସବୁ। ମନ ବିଭୋର ହୋଇଯାଏ।


ହେଲେ ଆମର ସୁଖର ସଂସାରକୁ ଲାଗିଗଲା କାହାର ନଜର। ଗାଁର ପ୍ରଭାବଶାଳୀ ଟାଉଟର ସରପଞ୍ଚ ସୁରିଆ ଭୋଳର ଲୋଲୁପ ଦୃଷ୍ଟି ପଡିଲା ଆମର ଉର୍ବର ଚାଷଜମି ଉପରେ। ଗୁଣ୍ଡା ଲଗାଇ ରାତାରାତି କରିନେଲା ଜବରଦଖଲ। ସେବେ ମୁଁ ବି.ଏ. ପଢୁଥିଲି ରେଭେନ୍ସା କଲେଜରେ। ସରଳିଆ ବାପା ମୋର ନେହୁରା ହେଲେ ଜମି ଛାଡ଼ି ଦେବାକୁ ସେ ଜଲ୍ଲାଦ ପାଖରେ। କିନ୍ତୁ ବଦଳରେ ମିଳିଲା ମାଡ଼। ପରିବାରକୁ ବରବାଦ୍ କରି ଦେବାର ଧମକ ଚମକ ବି ଦେଲା ସୁରିଆ ଭୋଳ। ଏହାକୁ ନେଇ ଗାଁରେ ନିଶାପ ବସିଲା। ପୁରୁଷ ପୁରୁଷ ଧରି ଭୋଗ କରୁଥିବା ଜମିଟା ଆମର ନିଲାମ ହୋଇଗଲା ନିଜକୁ ଧର୍ମାବତାର ମଣୁଥିବା ବ୍ୟକ୍ତି ବିଶେଷଙ୍କ ଅନ୍ଯାୟ ବିଚାରରେ। ସୁରିଆର ମଦ ମାଂସରେ ବିକ୍ରି ହୋଇ ଯାଇଥିଲା ନ୍ଯାୟ ନିଶାପ କରୁଥିବା ତଥାକଥିତ ପରାନ୍ନଭକ୍ଷୀ ଭଦ୍ରଲୋକମାନଙ୍କ ବୁଦ୍ଧି ଓ ବିବେକ। ଠିକ୍ ଏଇଠୁ ହିଁ ଆରମ୍ଭ ହୋଇଥିଲା ଆମ ପରିବାର ସହ ଅନ୍ୟାୟ ବିଚାର...


ଗ୍ରାମସଭାରେ ନ୍ଯାୟ ନମିଳିବା ପରେ ବାପା ଦ୍ବାରସ୍ଥ ହୋଇଥିଲେ ଆଇନ୍ ଶୃଙ୍ଖଳାର ଦାୟିତ୍ଵରେ ଥିବା ପୋଲିସ୍ ପାଖରେ। ଏଠି ବି ସେୟା। ଥାନାବାବୁ ସମ୍ପଦ ହାତୀ ଥିଲା ସୁରିଆର ହାତ ମୁଠାରେ। ଅସଲ କାର୍ପଟଦାର ତ ଏଇ ଥାନାବାଲା ହିଁ ଥିଲା। ସୁରିଆକୁ ହସ୍ତମୁଦି ମାହାଲ କରି ମୂଲ୍ୟବାନ ଜମି ଲୁଟୁଥିଲା ସରଳ ନିରୀହ ଲୋକଙ୍କର। ପରେ ଚଢା ଦରରେ ଅନ୍ୟମାନଙ୍କୁ ବିକ୍ରି କରି ବେଶ୍ ମୋଟା ଅଙ୍କର ମୁନାଫା କମାନ୍ତି। ଚିଙ୍ଗୁଡ଼ି ମାଫିଆଙ୍କ ହାତକୁ ବିକି ଦିଅନ୍ତି ଖଟିଖିଆ ଗରିବ ଚାଷୀଙ୍କ ସର୍ବସ୍ବ। ଆଇନ କାନୁନର ଭୟ ଦେଖାଇ ମୁହଁ ବନ୍ଦ କରିଦିଅନ୍ତି ବାପୁଡ଼ା ଚାଷୀର।


ଗ୍ରାମସଭା ଓ ପୋଲିସ୍ ଠାରୁ ନିରାଶ ହେବା ପରେ ବାପା ପହଞ୍ଚିଥିଲେ କଚେରୀରେ। ଏଠି ଜାଲ୍ କାଗଜପତ୍ର ଜରିଆରେ ଜମିର ମାଲିକାନା ଚାଲିଯାଇଥିଲା ତୃତୀୟ ପକ୍ଷକୁ। ଜମିଟି ଆମର ନୁହେଁ ସୁରିଆର ଆଉ ସେ ବିକି ଦେଇଥିଲା ଥାନାବାବୁଙ୍କ ଶାଳକ ମହାଶୟଙ୍କୁ ଆଜକୁ ପ୍ରାୟ ପାଞ୍ଚବର୍ଷ ପୂର୍ବେ। ଟିକିନିଖି ତଥ୍ୟ ପ୍ରମାଣ ଦାଖଲ ହୋଇଥିଲା କୋର୍ଟରେ। ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିବା ଆଇନର ସବୁ ବାଟ ବନ୍ଦ ହୋଇ ଯାଇଥିଲା ଆମ ପାଇଁ। ନ୍ୟାୟ ତ ମିଳିଲା ନାହିଁ ବରଂ ଅଦାଲତର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ କଡ଼ା ତାଗିଦା ମିଳିଲା ବାପାଙ୍କୁ। ଏତିକିରେ ଆମ ଦୁଃଖ ଦୁର୍ଦ୍ଦଶା ଓ ଦୁର୍ଗତି ଶେଷ ହୋଇନଥିଲା ଆହୁରି ଅନେକ ଦୁର୍ଦିନ ଦେଖିବାକୁ ବାକି ଥିଲା। ପ୍ରକୃତ ପକ୍ଷେ ଏହା ତ ଥିଲା ମୋର ବିପ୍ଳବୀ ବନିବାର ପ୍ରଥମ ପାହାଚ।


ମୁଁ କଟକରେ ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିବାରୁ ଏହି ସବୁ ଘଟଣା ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲି। ମୋତେ ଜାଣିଶୁଣି ଜଣା ଯାଇନଥିଲା। ଦିନେ ହଠାତ୍ ଗାଆଁରୁ ଦୁଃଖଦ ଖବର ଆସିଲା। ଛୁଟି ଆସିଲି ମୁଁ କଟକରୁ ବିଜୁଳି ବେଗରେ। ଗାଁରେ ଆସି ଦେଖିବାକୁ କିଛି ନଥିଲା ଆଉ। ବାପାମାଆ ଭାଇଭଉଣୀ ସଭିଏଁ ଶୋଇ ଯାଇଥିଲେ ଚିରନିଦ୍ରାରେ। ଏଥି ସହିତ ସବୁଦିନ ପାଇଁ ପାତାଳ ଗର୍ଭରେ ଲୀନ ହୋଇଯାଇଥିଲା ସେମାନଙ୍କ ଅକାଳ ବିୟୋଗର ରହସ୍ୟ। ପରଦିନର ସମସ୍ତ ଖବରକାଗଜଗୁଡ଼ିକର ଶୀରୋନାମା ଥିଲା "ବିଜୁଳି ଆଘାତରେ ପରିବାରର ଚାରିଜଣଙ୍କ ମୃତ୍ୟୁ!" ଏହା ମୃତ୍ଯୁ ଅବା ଅପମୃତ୍ୟୁ ଅବା ହତ୍ୟାକାଣ୍ଡ ଅବା ଆତ୍ମହତ୍ୟା ଏ ବିଷୟରେ ସଭିଏଁ ଥିଲେ ନିଶ୍ଚୁପ। ଡିଣ୍ଡିମ ପିଟୁଥିବା ମାନବାଧିକାର କର୍ମୀମାନଙ୍କ ଉର୍ବର ମଗଜରେ ଟିକିଏ ବି ଢୁକି ନଥିଲା ଏହି ଘଟଣାର ଖୋଳତାଡ କରିବା ପାଇଁ। କାରଣ ଏହା ଗୋଟେ ସବର୍ଣ୍ଣ ଗରିବ ଚାଷୀ ପରିବାରର ସହିତ ସଂଘଟିତ ହୋଇଥିଲା ଯେହେତୁ। ଲାଭ କ୍ଷତିର ଅଙ୍କକଷାରେ ପ୍ରବୀଣ ସମାଜସେବୀମାନଙ୍କୁ ଏଥିରେ ବେଶୀ ଫାଇଦା ଦେଖା ଯାଇନଥିଲା। ଜାତି, ଧର୍ମକୁ ଆଧାର କରି ରାଜନୀତି କରୁଥିବା ଲୋକଙ୍କ ପାଇଁ ମଧ୍ଯ ଆମ ପରିବାର ପ୍ରତି ସମବେଦନା ନଥିଲା।


ମୁଁ ସେହି ହତଭାଗ୍ୟ ପୁଅ ଯିଏକି, ନିଜ ବାପାମାଆଙ୍କର ଅନ୍ତିମ ସଂସ୍କାର ମଧ୍ୟ କରି ପାରିଲା ନାହିଁ। ପୋଲିସ୍ ନେଇ ଯାଇଥିଲା ସେମାନଙ୍କ ପାର୍ଥିବ ଶରୀର ହତ୍ଯାକାଣ୍ଡ ସଂପର୍କିତ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ। ପାଖ ପଡୋଶୀଙ୍କ ଠାରୁ ସବୁକିଛି ଶୁଣିଲି। ଜାଣିବାକୁ ଆଉ କିଛି ବି ବାକି ନଥିଲା। ଶୁଭେଚ୍ଛୁମାନେ କହିଲେ ଏସବୁରେ ଆଉ ନମାତି ଆପଣାର ଜୀବନ ବଞ୍ଚାଇବା ପାଇଁ ଏହି କଂସେଇମାନଙ୍କ କ୍ରୁର ନଜରରୁ। ନିଜ ଜୀବନ ରକ୍ଷା କରିବା ପାଇଁ ମୁଁ ଧାଇଁଲି କଟକ ଅଭିମୁଖେ ତତକ୍ଷଣାତ୍, ଏତେବଡ଼ ସହରରେ ମୋତେ ଖୋଜି ବାହାର କରିବା ସେମାନଙ୍କ ପାଇଁ ସମ୍ଭବ ନୁହେଁ ଭାବି। କିନ୍ତୁ ପରେ ସହପାଠୀମାନଙ୍କଠାରୁ ଖବର ମିଳିଲା ଯେ, ମୋ ହଷ୍ଟେଲରେ ଆସି କିଛି ଲୋକ ମୋତେ ଖୋଜାଖୋଜି କରୁଥିବାର। ଏଣୁ ମୁଁ ବାଧ୍ୟ ହୋଇ ହଷ୍ଟେଲ ପରିତ୍ଯାଗ କରି ଜଣେ ବନ୍ଧୁଙ୍କ ଘରେ ଲୁଚି ରହିଲି କିଛି ଦିନ।

ମୁଁ ଗୋଟିଏ ଦିନରେ ହିଁ ମୋ ଜୀବନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା, ଏକବାରକେ ନିଃସ୍ବ ନିଃସହାୟ ହୋଇଯାଇଥିଲି। କିଂକର୍ତ୍ତବ୍ଯବିମୁଢ ଉଦ୍ଧାମ ତାରୁଣ୍ୟ ମୋର ବାରମ୍ଵାର ପ୍ରେରିତ କରୁଥିଲା ନେବାକୁ ପ୍ରତିଶୋଧ, ରକ୍ତାକ୍ତ ପ୍ରତିଶୋଧ। ଶତ୍ରୁମାନଙ୍କ ସଂହାର ଅନ୍ତେ ଶୋଣିତରେ ସ୍ନାନ କରି ପିଣ୍ଡ ତର୍ପଣ ପୂର୍ବକ ପିତୃ ପୁରୁଷଙ୍କ ଋଣ ପରିଶୋଧ କରିବାର ଶପଥ ମନରେ ସ୍ବତଃ ଜାଗିଉଠିଲା। ଆଚାନକ ରକ୍ତମୁଖା ହୋଇଉଠିଲି ମୁଁ। ଅନେକ ବାର ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲି କିନ୍ତୁ ଏବେ ରକ୍ତପାନ କରିବାର ପିପାସା ଜାତ ହେଲା। ଗୌରାଙ୍ଗରୁ ପର୍ଶୁରାମ ପାଲୋଟିଗଲି ମୁଁ। ବଦଳିଗଲା ମୋର ପରିଚୟ ମୋର ପରିସ୍ଥିତିର ତାଡ଼ନାରେ।


ସାଥୀ ସତୀର୍ଥମାନଙ୍କର ଆଗ୍ନେୟ ପ୍ରେରଣା ମିଳିଲା ପ୍ରତିଶୋଧ ନେବା ପାଇଁ।କଟକରୁ ଦଣ୍ଡକାରଣ୍ୟର ରାସ୍ତା ଏତେ ସହଜ ନଥିଲା। କିନ୍ତୁ ମୁଁ ଦୃଢ଼ ନିଶ୍ଚିତ ଥିଲି ପ୍ରତିଶୋଧ ନେବା ପାଇଁ ଏଇ ବିଧି ବ୍ଯବସ୍ଥା ଓ ସମାଜ ଉପରେ। ଆମ କଲେଜର କିଛି ବରିଷ୍ଠ ଛାତ୍ର ଯେଉଁମାନେ କି ସରକାରୀ କଳର ଶୋଷଣ ବିରୁଦ୍ଧରେ ଲଢି ଲଢି ପୋଲିସର ଦମନଲୀଳାର ଶୀକାର ହୋଇଥିଲେ ସେମାନଙ୍କ ଦିଗଦର୍ଶନରେ ମୁଁ ଆଗେଇ ଚାଲିଲି ମୋ ପ୍ରତିଶୋଧର ରାସ୍ତାରେ ପର୍ଶୁରାମ ହୋଇ ସମାଜରେ ନ୍ୟାୟ ଧର୍ମ ପ୍ରତିଷ୍ଠା କରିବା ନିମନ୍ତେ। ପାଠପଢା ରହିଗଲା ଅଧାରେ, ସ୍ଵପ୍ନ ସବୁ ବାଜି ଲାଗିଗଲା ପ୍ରତିଶୋଧର ନିଆଁରେ । ଏବେ ଜୀବନର ଏକ ମାତ୍ର ଲକ୍ଷ୍ୟ ପ୍ରତିଶୋଧ ଆଉ ପ୍ରତିଶୋଧ। ମୁଁ ଆଉ ମଣିଷ ହୋଇ ରହିନଥିଲି ବରଂ ଅଗ୍ନି ସ୍ପୁଲିଙ୍ଗଟେ ପାଲୋଟି ଯାଇଥିଲି, ଯାହାର ଜରା ବ୍ଯାଧି ଓ ମୃତ୍ୟୁର ଭୟ ନଥିଲା। କେବଳ ମନ ପ୍ରାଣ ଓ ଶରୀରେ ଜଳୁଥିଲା ପ୍ରତିଶୋଧର ଅନଳ। ସେହି ଅନଳରେ ଜାଳି ପୋଡ଼ି ଧ୍ବଂସ କରିବାକୁ ଅମଣିଷମାନଙ୍କ ପାପର ଲଙ୍କାପୁରୀକୁ।

ବାହାର ଦୁନିଆଁରୁ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଲାଲଗଡ଼ରେ ଦୀର୍ଘ ଦୁଇ ଦିନର ନିରବଛିନ୍ନ କଷ୍ଟସାଧ୍ୟ ଯାତ୍ରା ପରେ ମୁଁ ପହଞ୍ଚିଲି। ଓଃ କି ସୁନ୍ଦର ସବୁଜ ପ୍ରାକୃତିକ ପରିବେଶ! ଚାରିଆଡ଼େ କେବଳ ଜଙ୍ଗଲ ହିଁ ଜଙ୍ଗଲ। ଦୁର୍ଗମ ଅଥଚ ମନୋରମ! ବଣ ପାହାଡ଼ ଝରଣା ନଦନଦୀ ଭରା ଲାଲଗଡ଼ରେ ପ୍ରଚୁର ଅମ୍ଳଜାନ କ୍ଳାନ୍ତି ମେଣ୍ଟାଇବାକୁ ଯଥେଷ୍ଟ ଥିଲା। ମୋତେ ଲାଗୁଥିଲା ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅୟମାରମ୍ଭ ହୋଇଗଲା ବୋଲି। ଲାଲବାହିନୀରେ ସାମିଲ ହେବାର ପ୍ରଥମ ପର୍ଯ୍ୟାୟରେ ମୋର ତନ୍ନ ତନ୍ନ କରି ଯାଞ୍ଚ କରାଗଲା କାଳେ ପୋଲିସର ଗୁପ୍ତଚର ହୋଇଥିବି ଭାବି। ହାତ କାଟି ବଚନ ଦେବାକୁ ହେଲା ଯେ ସଦା ସର୍ବଦା ସଂଗଠନ ପ୍ରତି ବିଶ୍ବସ୍ତ ରହିବି ବୋଲି।


ପହିଲି ଦିନରୁ ହିଁ ଆରମ୍ଭ ହୋଇଗଲା ମୋର ଟ୍ରେନିଂ, ନକ୍ସଲପନ୍ଥୀ ବନିବାର ପ୍ରଶିକ୍ଷଣ! କଲମ ଛାଡ଼ି ମୁଁ ଧରିଥିଲି ବନ୍ଧୁକ। ବଡ଼ ରୋମାଞ୍ଚିତ ଲାଗୁଥିଲା ମୋତେ। ନୁଆଁଣିଆ ବରଡା ପତରର ଘରସବୁ ଆମ ଭଳି ସମର ଶିକ୍ଷାର୍ଥୀଙ୍କ ଶିବିର। ଶୋଷଣମୁକ୍ତ ସମାଜ ଗଠନ କରିବାର ସଂଗ୍ରାମର ଏନ୍ତୁଡିଶାଳ! ଏମିତି ଗଡିଗଲା କିଛି ସପ୍ତାହ। ଧିରେ ଧିରେ ମୁଁ ଆତ୍ମରକ୍ଷା କୌଶଳରୁ ଆରମ୍ଭ କରି ଗରିଲା ଯୁଦ୍ଧରେ ପ୍ରଶିକ୍ଷଣ ନେଉଥିଲି। ମୋର ଆଗ୍ରହ ଏବଂ କଠୋର ଅଧ୍ୟବସାୟରେ ଖୁବ୍ କମ୍ ସମୟ ମଧ୍ୟରେ ନିପୁଣ ହୋଇଗଲି ମାଓ କାର୍ଯ୍ୟ କଳାପରେ। ଲ୍ୟାଣ୍ଡଲାଇନ୍ ବିଛେଇବାରେ ଓ ଗରିଲା ଯୁଦ୍ଧ କୌଶଳରେ ପାରଙ୍ଗମ ହୋଇଗଲି ବିଶେଷ ଆଗ୍ରହ ହେତୁ। ଛୋଟମୋଟ ଅପରେସନରେ ବି ସାମିଲ ହେଲି। କିନ୍ତୁ ଏପର୍ଯ୍ୟନ୍ତ ଆମ କମାଣ୍ଡର ସହିତ ସାକ୍ଷାତ ହୋଇନଥାଏ। ବଡ଼ ରହସ୍ୟମୟ ଏଇ ଲାଲଗଡ଼! ସେଇଥିପାଇଁ ତ ଆଜି ପର୍ଯ୍ୟନ୍ତ ଅଭେଦ୍ୟ ଅଜେୟ।


ଜୀବନରେ ବେଳେ ବେଳେ ଏମିତି ମୋଡ଼ ଆସେ ତାହା ଆମ ପାଇଁ ଅଜଣା ଏବଂ ଅପ୍ରତ୍ୟାଶିତ। ପ୍ରତିଶୋଧ ପରାୟଣ ହୋଇ କଟକ ମହାନଗରର ମୋହ ମାୟା ପରିତ୍ୟାଗ କରି ମୁଁ ଚାଲି ଆସିଥିଲି ଲାଲଗଡ଼। କିନ୍ତୁ ଏଠି ମୋ ପାଇଁ ଆଉ ଗୋଟେ ମୋହ ଅପେକ୍ଷା କରିରହିଥିଲା। ଯାହାକୁ ସଭିଏଁ ପ୍ରେମ କହନ୍ତି। ଆମ ଶିବିରରେ ରନ୍ଧାବଢା କରୁଥିବା ବନବାସୀ କନ୍ୟା କାନ୍ତାର ପ୍ରେମରେ ପଡିଗଲା ମୋ ମନ କେତେବେଳେ କେଉଁ ଦୁର୍ବଳ ମୂହୁର୍ତ୍ତରେ ମୁଁ ଜାଣିନଥିଲି। ଷୋଡ଼ଶୀ ତରୁଣୀ କାନ୍ତା! ତାର ଶ୍ୟାମଳ ରୂପ ମାଧୁରୀରେ ପ୍ରମତ୍ତ ହୋଇଉଠିଲା ମୋର ମନ ପ୍ରାଣ। ଦୁନିଆଁରେ ସବୁଠାରୁ ବଡ଼ ଅସ୍ତ୍ର ଏହି ପ୍ରେମ, ଆଉ ବଡ଼ ଶତ୍ରୁ ମଧ୍ଯ! ଦିନକୁ ଦିନ ମୁଁ କନ୍ତାର ପ୍ରେମରେ ଭୁଲିବାକୁ ଲାଗିଲି ମୋ ଜୀବନର ଲକ୍ଷ୍ଯ। ଲୁଚି ଲୁଚି ମୁଁ ଦେଖେ ସବୁଦିନ କାନ୍ତାକୁ। ହେଲେ କେବେ ବି ମନକଥା କହି ପାରେନି ତାକୁ।

ଏହି ସମୟ ମଧ୍ୟରେ ଆମ ଦଣ୍ଡକାରଣ୍ୟର ଲାଲବାହିନୀ ପାଞ୍ଚ ପାଞ୍ଚଟି ରାଜ୍ୟର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ପ୍ରତିଦିନ କିଛି ନା କିଛି ହାମଲା ହେଉଥିଲା ପୋଲିସ୍ ଓ ସରକାରୀ ସଂସ୍ଥା ଉପରେ। ମୋ ପାଇଁ ତ ସବୁ ସରକାରୀ ଅଧିକାରୀ ଓ ଖାକି ବର୍ଦିଧାରୀ ଥିଲେ ଦୁଶମନ୍ ନଂ. ଓ୍ବାନ୍! ଏମାନଙ୍କୁ ଦେଖିଲେ ମୋ ବନ୍ଧୁକ ଗର୍ଜିଉଠେ ବିନା କୌଣସି ନିର୍ଦ୍ଦେଶ ଅବା ଅନୁମତିରେ। ଆମର ସ୍ଵଂୟଚାଳିତ ରାଇଫଲ୍ ଗୁଳି ବର୍ଷାରେ ପୋଲିସ ଛତ୍ରଭଙ୍ଗ ଦିଏ ପ୍ରାଣବିକଳରେ। ନିଘଞ୍ଚ ଅରଣ୍ୟରେ ଆମେ ହିଁ ରାଜା। ଏଠାରେ ଆଉ କାହାର ଆଧିପତ୍ୟ ସହ୍ୟ କରାଯିବ ନାହିଁ। ବଣ ମୂଲକରେ ବାହାର ଦୁନିଆଁର ଲୋକଙ୍କୁ ଏଠାକାର ଖଣି ଖାଦାନ ବାଗାନ ଲୁଟ୍ ପାଇଁ ସୁଯୋଗ ଦିଆଯିବ ନାହିଁ। ଦୃଢ଼ ହସ୍ତରେ ଜବାବ ଦିଆଯିବ ପୁଞ୍ଜି ଐରାବତମାନଙ୍କୁ।


ରାତିରେ ଶୋଇଥିବା ହଠାତ୍ କାହାର ଚିତ୍କାରରେ ନିଦ ଭାଙ୍ଗିଗଲା ମୋର। ଉଠି ଠିଆ ହେଲି। ହାତରେ ରାଇଫଲ୍ ଧରି ଚାଲିଲି ଚିତ୍କାର ଆସୁଥିବା ଦିଗକୁ। ପହଞ୍ଚି ଦେଖେ ତ କାନ୍ତା ସହ କିଏ ଜଣେ ଜୋର ଜବରଦସ୍ତି କରୁଛି। ତାର ଇଜ୍ଜତ୍ ଲୁଟି ନେବାକୁ ବସିଛି ଶଇତାନଟା। ଗର୍ଜିଉଠିଲା ମୋ ରାଇଫଲ୍। ଲୋଟିପଡିଥିଲା ନିଷ୍ପ୍ରାଣ ଶରୀରଟିଏ। ସେଇ ରାତିର ଅନ୍ଧକାରରେ ହିଁ କାନ୍ତାର ମଥାରେ ମୁଁ ପିନ୍ଧାଇ ଥିଲି ରକ୍ତ ସିନ୍ଦୁର। ସଂସାରୀ ପାଲୋଟି ଯାଇଥିଲି ମୁଁ।


ସକାଳକୁ ବସିଲା ପ୍ରଜା କୋର୍ଟ୍। ବିଚାର ହେଲା ମୋ ଅପରାଧର। ସେଦିନ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଆମ ଲାଲବାହିନୀର କମାଣ୍ଡର ନାଗରାଜନକୁ। ନିର୍ଭିକ ଭାବରେ ମୁଁ ସାମ୍ନା କରିଥିଲି ତାକୁ ଆଉ ନିଜର ପକ୍ଷ ରଖିଥିଲି। କାନ୍ତାକୁ ପତ୍ନୀ ଭାବେ ସର୍ବ ସମ୍ମୁଖରେ ସ୍ବୀକାର କରିଥିଲି। ଜୀବନରେ ପ୍ରଥମ ଥର ପାଇଁ ନ୍ଯାୟ ହୋଇଥିଲା ମୋ ସହ ଏଇ ପ୍ରଜା କୋର୍ଟରେ। କାରଣ ଏଠି ଆଇନ ଆଖିରେ ଅନ୍ଧପୁଟୁଳି ନଥିଲା ବରଂ ଅନ୍ଧାରୀ ମୂଲକରେ ସ୍ପଷ୍ଟ ଦେଖାଯାଉଥିଲା ପ୍ରକୃତରେ ଦୋଷୀ କିଏ? ଆଉ ପୀଡ଼ିତା କିଏ?

ସେଇ ରାତିରେ ଆୟୋଜନ କରାଯାଇଥିଲା ଉତ୍ସବର। ଆମ ବିବାହ ଉତ୍ସବ। ମଦ ମାଂସ ନୃତ୍ୟ ଗୀତର ଆସର। ଲାଲଗଡ଼ର ଏଇ ମାହୋଲ ଥିଲା ବେଶ୍ ମନୋଲୋଭା! ବିଳ୍ପବୀର ଜୀବନରେ ବି ମଧୁରାତ୍ରୀ ଏହା ମୋ ପାଇଁ ଥିଲା କଳ୍ପନାତୀତ! କିନ୍ତୁ ସବୁ କିଛି ଘଟୁଥିଲା ମୋ ସହ ବିଧି ନିର୍ଦ୍ଧିଷ୍ଟ ଭାବେ। ସମ୍ଭବତଃ ଏହା ହିଁ ଥିଲା ବିଧାତାର ନିର୍ଦ୍ଦେଶ। କାନ୍ତା ସହ ସେହି ମିଳନର ମଧୁରାତ୍ରୀ ଥିଲା ବେଶ୍ ସୁମଧୁର, ଯାହା ଆଜିବି ସଯତ୍ନେ ସାଇତା ହୋଇ ରହିଛି ମୋ ମନର ରୁପା ଫରୁଆରେ। ଆକାଶର ଚାନ୍ଦ ସତେ ଯେମିତି ମୋ ହାତରେ ଖସି ପଡିଥିଲା!


ମୁଁ ମୋର ଲଷ୍ୟ ଠାରୁ ଦୂରେଇ ଦୂରେଇ ଯାଉଥିଲି କାନ୍ତାର ସାନିଧ୍ୟରେ। ମନରୁ ପ୍ରତିଶୋଧର ବହ୍ନି ନିର୍ବାପିତ ହେବାରେ ଲାଗିଥିଲା। ବଞ୍ଚିବାକୁ ଚାହୁଁଥିଲି ସାଧାରଣ ଜୀବନଟିଏ ଏଇ ଲାଲଗଡ଼ ପରିତ୍ଯାଗ କରି ଦୂର କେଉଁ ଗୋଟିଏ ଜାଗାରେ। ଯେଉଁଠି ମୋର ଅତୀତ ମୋତେ ଗୋଡାଉନଥିବ। ପୋଲିସ ସହ ଲୁଚକାଳି ଖେଳ ନଥିବ। ଟାଉଟର ଧପ୍ପାବାଜମାନଙ୍କ ରାଜ୍ ନଥିବ। ପ୍ରତିହିଂସାର ପଥ ପରିହାର କରିବା ପାଇଁ ଚାହୁଁଥିଲି ମୁଁ। ଭୁଲିଯାଇଥିଲି ମୋ ଗାଁ କଥା, ପରିବାର କଥା। ବାପାମାଆ ଭାଇଭଉଣୀଙ୍କ ହତ୍ଯାକାଣ୍ଡର କଥା, ସବୁ ପଛ କଥା। କିଛି ବି ସ୍ମରଣ ନଥିଲା ମୋର। ସତରେ ପ୍ରେମ ଅଜବ ଚିଜଟିଏ! ସବୁ କିଛି ଭୁଲାଇ ଦିଏ!


ହେଲେ ମୋର ମୋହ ଭଙ୍ଗ ହେଲା ଖୁବ୍ ଶୀଘ୍ର। କଟକରୁ ଖବର ମିଳିଲା ମୋ ପରିବାରକୁ ବରବାଦ୍ କରିଥିବା ଥାନାବାବୁ ସମ୍ପଦ ହାତୀର ବଦଳି ହୋଇଛି ଲାଲଗଡ଼! ଲିଭିଯାଇଥିବା ପ୍ରତିଶୋଧର ନିଆଁ ପୁଣି ଜଳି ଉଠିଲା। ପ୍ରସ୍ତୁତ ହେଲା ନୀଳନକ୍ସା ପ୍ରତିଶୋଧର। ସେମାନେ ଯେପରି ରାତିର ଅନ୍ଧକାରରେ ମୋ ପରିବାରକୁ ଧ୍ବଂସ କରିଥିଲେ ଠିକ୍ ସେହିପରି ରାତିଅଧିଆ ଥାନାକୁ ଉଡାଇଦେଲୁ। କାହାର ବି ବଞ୍ଚିକି ବାହାରି ଯିବାର ବାଟ ନଥିଲା। ସମସ୍ତେ ନେଇଥିଲେ ଅଗ୍ନି ସମାଧି ସେଇ ଥାନା ଭିତରେ। ମୋର ପ୍ରତିଶୋଧ ପୁରଣ ହୋଇଥିଲା ଆଂଶିକ ଭାବେ। ସେଇ ଟାଉଟର ସୁରିଆ ଭୋଳ ଏବେ ବି ବୁଲୁଥିଲା ବାହାରେ। ପରଦିନ ସକାଳର ହେଡଲାଇନ୍ ଥିଲା, "ଲାଲଗଡ଼ରେ ମାଓ ହିଂସାରେ ପଞ୍ଚତିରିଶି ପୋଲିସ୍ ଶହୀଦ!" କହିବା ବାହୁଲ୍ୟ ଯେ, ଏହା ଥିଲା ଭାରତବର୍ଷରେ ଲାଲବାହିନୀର ସବୁଠାରୁ ଅଧିକ ବର୍ବରୋଚିତ ହିଂସାକାଣ୍ଡ ସେହି ସମୟରେ।


କେନ୍ଦ୍ରୀୟ ସୁରକ୍ଷା ବଳ ଓ ବିଭିନ୍ନ ରାଜ୍ଯର ପୁଲିସର ମିଳିତ କମ୍ବିଂ ଅପରେସନରେ ଲାଲବାହିନୀର ପ୍ରଭୂତ କ୍ଷତି ଘଟିଲା। ଅନେକ ସାଥି ଶହୀଦ ହେଲେ। ଭାଙ୍ଗି ତୁଟି ଖଣ୍ଡ ବିଖଣ୍ଡିତ ହୋଇଗଲା ଲାଲଗଡ଼ର ଦିଗନ୍ତ ବିସ୍ତାରୀ ସାମ୍ରାଜ୍ୟ। ଅନେକ କମ୍ରେଡ ଆତ୍ମସମର୍ପଣ କଲେ ଲୋଭନୀୟ ପ୍ରସ୍ତାବ ଗ୍ରହଣ କରି। କିନ୍ତୁ ଲାଲଗଡ଼ର ଅନ୍ଧାରୀ ସାମ୍ରାଜ୍ଯର ମୂଳୋତ୍ପାଟନ ହୋଇନାହିଁ ଆଜି ପର୍ଯ୍ୟନ୍ତ। ଏଇ ସୁଯୋଗକୁ ସଦୁପୋଯୋଗ କରି ମୁଁ ଖସିଯିବାରେ ସକ୍ଷମ ହୋଇଥିଲି କାନ୍ତା ସହ ମୋ ଗାଁକୁ ମୋର ଅଧୁରା କାର୍ଯ୍ଯକୁ ପୁରା କରିବା ପାଇଁ। ଆମ ଜମିରେ ଏବେ ଆଉ ଫସଲ ହେଉନାହିଁ। ସେଠି ଗଢିଉଠିଛି ଚିଙ୍ଗୁଡି ପ୍ରୋସେସିଂ ଫ୍ଯାକ୍ଟ୍ରି। ଆଗପଛ ବିଚାର ନକରି ନିଆଁ ଲଗାଇ ଦେଲି ସେଥିରେ। ପୋଡିଜଳି ଛାରଖାର ହୋଇଗଲା କେତେଟା ମୂହୁର୍ତ୍ତରେ। ଭିଟାମାଟି ଘରଟା ବି କବ୍ଜାରେ ଥିଲା ସୁରିଆର। ଘରକୁ ମୋର ଖାଲି କରାଇଲି ତାର ଚେଲା ଚାମୁଣ୍ଡାଙ୍କୁ ସେଠାରୁ ତଡ଼ି ଦେଇ।


ଏବେ ଥିଲା ସୁରିଆର ପାଳି। ସିଧା ହାବୁଡ଼ିଲି ତାକୁ ତା' ଘରଠିକୁ ଯାଇ। ସେ କିଛି କହିବା ଆଗରୁ ଧାରୁଆ କଟୁରୀରେ ତାର ଶରୀରକୁ ଦୁଇ ଗଡ଼ କରିଦେଲି ସମସ୍ତଙ୍କ ଆଖି ସାମ୍ନାରେ। କଟାମୁଣ୍ଡଟା ହାତରେ ଧରି ଗାଁଦାଣ୍ଡରେ ଉନ୍ମାଦ ସମ ନୃତ୍ୟ କଲି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ବାଢିଲି ସେଇ ପାଷାଣ୍ଡର ଉଷୁମ୍ ରକ୍ତରେ। ଗାଁରେ କାହାରି ବି ସାହାସ ନଥିଲା ମୋ ବିରୋଧରେ ପୋଲିସରେ ଏତଲା ଦେବା ପାଇଁ। ଲାଲଗଡ଼ର ପ୍ରଶିକ୍ଷଣରେ ମୋ ଦେହରେ ଆସିଯାଇଥିଲା ଶତ ସିଂହର ବଳ। ମୋ ପରିବାର ପ୍ରତି ହୋଇଥିବା ଅନ୍ଯାୟର ମୁଁ ପ୍ରତିଶୋଧ ନେଇଥିଲି ହିଂସାରେ, ଦୋଷୀର ଶୋଣିତରେ।


ମୋ ଜୀବନର ଲକ୍ଷ୍ଯ ପୂରଣ ହୋଇ ସାରିଥାଏ। କାନ୍ତାର ଜଠରରେ ଆମ ବଂଶର ଭବିଷ୍ୟତ ବଢୁଥାଏ। ଗୋଟିଏ ମୂହୁର୍ତ୍ତରେ ସ୍ଥିର କଲି ଯେ କରିବି ଆତ୍ମସମର୍ପଣ ଜୀଇଁବାକୁ ସରଳ ସାଧାରଣ ଜୀବନ। କିନ୍ତୁ ମୋର ଅତି ପ୍ରିୟ ଗାଁରେ କି କଟକ ନଗରରେ ରହି ଏହା ସମ୍ଭବ ନୁହେଁ। ଏଇ ଆଇନକାନୁନ ଉପରେ ମୋର ଟିକେ ବି ଭରସା ନାହିଁ। ଆତ୍ମସମର୍ପଣ ପରେ ଜୀବନ ଧରି ବଞ୍ଚି ରହିବି ତାହାର ମଧ୍ୟ ଗ୍ୟାରେଣ୍ଟି ନାହିଁ। ମିଥ୍ଯା ଏନକାଉଣ୍ଟର କରି ମୋତେ ଜୀବନରୁ ମାରିଦେବା ବି ଏମାନଙ୍କ ପାଇଁ କିଛି ବିଚିତ୍ର ନୁହେଁ।


ନା ଆଉ ପୁଣି ମୁଁ ଫେରିପାରିବି ଲାଲଗଡ଼କୁ? ସେମାନଙ୍କ ପାଇଁ ତ ମୁଁ ଏବେ ବିଶ୍ବାସଘାତୀ ସାଥୀ! କିଂକର୍ତ୍ତବ୍ଯବିମୁଢତା ହିଁ ଜୀବନର ଅନ୍ଯନାମ। ମୁଁ ଅଶ୍ବଥାମା ପରି ଅଭିଶପ୍ତ ଜୀବନ ଜୀଉଁଛି ଦେଶାନ୍ତରୀ ହୋଇ ଯେଉଁଠି କେହି ବି ଜଣେ ଜାଣେନାହିଁ ମୋର ପ୍ରକୃତ ପରିଚୟ ଏବଂ ଇତିହାସ। ନା ମୋ ନାଁରେ କେଉଁଠି ପୋଲିସ କେସ୍ ଅଛି ନା ପୋଲିସ୍ ରେକର୍ଡରେ ମୋର ନାଁ ଅଛି। ତଥାପି ମୁଁ ଫେରିପାରୁନି ସମାଜର ମୁଖ୍ୟ ସ୍ରୋତକୁ। କାରଣ ମୋର ଆଉ ବିଶ୍ବାସ ନାହିଁ କାହାରି ଉପରେ। ଏ ମତଲବୀ ଦୁନିଆରେ ସରଳ ନିଷ୍କପଟ ମଣିଷ ହିଁ ଦୁଃଖ ପାଏ ସବୁବେଳେ ଯେମିତି ମୋ ବାପା ପାଇଥିଲେ।


ଏମିତି ଅଜ୍ଞାତବାସରେ ଅନେକ ବର୍ଷ କଟିଗଲା। ଆଜିକାଲି ମୁଁ ଛୋଟ ମୋଟିଆ ଦୋକାନଟିଏ କରି ନିଜର ଗୁଜୁରାଣ ମେଣ୍ଟାଉଛି ଉପାନ୍ତ ଶ୍ରୀକାକୁଲମ୍ ଅଞ୍ଚଳରେ। ଯେଉଁଠି କୋଶ କୋଶ ଯାଏଁ ମୋ ଅତୀତ ସହ କାହରି ମଧ୍ୟ ସଂପର୍କ ନାହିଁ। କାନ୍ତାର ଗର୍ଭରୁ ପୁଅଟିଏ ପରେ ଝିଅଟିଏର ବାପା ବି ହୋଇସାରିଛି ମୁଁ । ବେଶ୍ ହସଖୁସିରେ ଗଡିଚାଲିଛି ଆମ ସଂସାର ରଥ। ଦିନେ ରାତିରେ ଶୋଇଥିବା ବେଳେ ହଠାତ୍ ଘରର କବାଟରେ ଘନ ଘନ ପ୍ରହାର ଶୁଣି ମୋ ନିଦ ଭାଙ୍ଗିଗଲା। ଯାହା କେବେ ବି ସ୍ବପ୍ନରେ ସୁଦ୍ଧା ଚିନ୍ତା କରି ନଥିଲି ତାହା ହିଁ ଘଟିଲା ମୋ ସହ। ପୋଲିସ୍ ରେକର୍ଡରେ ମୋ ନାଁ ନଥିବାର ଭ୍ରମରେ ଜୀଉଁଥିଲି ମୁଁ। କିନ୍ତୁ ଏହାଥିଲା ମୋର ମାତ୍ରାଧିକ ଆତ୍ମବିଶ୍ୱାସର ଫଳ। ଲାଲଗଡ଼ର କାଳିମା ଯେ ମୋର ଏତେ ଦୂର ପର୍ଯ୍ୟନ୍ତ ପିଛା କରିବ ମୁଁ ତାର ଅନୁମାନ କରି ପାରିନଥିଲି।

ନିଦରୁ ଉଠିବା ଆଗରୁ ମୋତେ ଗ୍ରେହାଉଣ୍ଡ୍ ଯବାନମାନେ ଘେରାଉ କରିନେଇ ଥିଲେ। କିଛି କହିବାକୁ କି ବୁଝିବାକୁ ଆଉ ବାକି ନଥିଲା କିଛି। ଗଳା ଧକ୍କା ଦେଇ ମୋତେ ଘରୁ ବାହାରକୁ ନେଇ ଆସିଲେ ସେମାନେ। ଗାଡିରେ ବସାଇ ନେଇଗଲେ ସେମାନଙ୍କ କ୍ଯାମ୍ପକୁ। କାନ୍ତା ଆଉ ପିଲା ଦୁଇଟାଙ୍କୁ ଛାଡ଼ିଦେଲେ, ସେଇଟା ହିଁ ଥିଲା ମୋ ପାଇଁ ଆଶ୍ବସ୍ତିର ବିଷୟ। ପରଦିନ ସକାଳୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବାର ବ୍ୟବସ୍ଥା। ହେଲେ ତା ପୂର୍ବରୁ ମୋତେ ଫେକ୍ ଏନକାଉଣ୍ଟର କରି ମାରିଦେବେନି ତ? ଏହି ଭୟ ମୋତେ ଘାରୁଥିଲା। କାରଣ ମୁଁ ଏବେ ଦୁଇଟି ପିଲାର ବାପା ହେଇସାରିଥାଏ। ପ୍ରତିଟି କ୍ଷଣ ମୁଁ ଉଦବିଗ୍ନ ରହୁଥାଏ ମୋ ପିଲାମାନଙ୍କ ଭବିଷ୍ୟତକୁ ନେଇ। ମୋର ଅତୀତ ଯେପରିକି ସେମାନଙ୍କ ଭବିଷ୍ୟତର ରାସ୍ତାରେ କଣ୍ଟା ନହେଉ।

ଲାଲଗଡ଼ର ଆଂଶିକ ପତନ ଘଟିବା ପରେ ଜୋରଦାର ହୋଇଥିଲା ଗ୍ରେହାଉଣ୍ଡ୍ ଅପରେସନ। ଦିନରାତି ଏକ କରି ଦେଇଥିଲେ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଯବାନମାନେ। ସମସ୍ତ ରାଜ୍ଯର ଯବାନମାନଙ୍କୁ ନେଇ ଗଠିତ ହୋଇଥିବା ସେଣ୍ଟ୍ରାଲ କମାଣ୍ଡ୍ ର ଦାୟିତ୍ଵ ନିର୍ବାହ କରିଥିଲେ ଅଭିଜ୍ଞ ଆଇପିଏସ ଅଫିସର ବିଜୟ କେତନ ଶ୍ରୀବାସ୍ତବ। ସାପକୁ ଗାତରୁ କେମିତି ଜୀବନ୍ତ ଧରାଯାଏ ସେ କଳାରେ ତାଙ୍କର ନିପୁଣତା ପାଇଁ ସେ ଭାରତ ବିଖ୍ୟାତ। ମୋ ପରି ଅନେକ ପଳାତକ ନକ୍ସଲଙ୍କ ଜାତକ ଖୋଳି ଖୋଳି ସାତ ତାଳ ପାଣି ସାତ ତାଳ ପଙ୍କରୁ ଧରିଆଣି ଆଇନର ହାତରେ ଜିମା ଦେଇଛନ୍ତି ସେ।


ଏବେ ମୁଁ ମୁକ୍ତ ବିହଙ୍ଗରୁ ପାଲଟିଯାଇଛି ବିଚାରାଧୀନ କଏଦୀଟିଏ। ଜେଲର ଚାରିକାନ୍ଥ ମଧ୍ୟରେ ଅପରିମିତ ଅନ୍ଧକାର। ଆଲୁଅର ମୁହଁ ଦେଖିବା ଅସମ୍ଭବ। ପରିବାର ସହ ଭେଟ ହେବାର ଆଶା ବି ନାହିଁ। କେବଳ ଜୀବନ ବଞ୍ଚିଯାଇଛି ଫେକ୍ ଏନକାଉଣ୍ଟରରୁ, ସେଇଟା ହିଁ ବଡ଼ କଥା। କୃତକର୍ମ ପାଇଁ ଅନୁତପ୍ତ ନୁହେଁ ମୁଁ ବରଂ ନିଜ ଜୀବନର ଲକ୍ଷ୍ୟ ପୂରଣ ହୋଇଥିବାରୁ ସଂତୃପ୍ତ! ଲଢ଼େଇ ତ ସବୁ ପକ୍ଷ ଲଢୁଛନ୍ତି, କିଏ ଲଢୁଛି ନିଜ ପାଇଁ ତ ଆଉ କିଏ ଲଢୁଛି ଅନ୍ୟ ପାଇଁ, ଏ ସମାଜ ପାଇଁ, ଏ ଜାତି ପାଇଁ, ଦେଶ ପାଇଁ। ମୁଁ ଲଢିଛି ନ୍ୟାୟ ପାଇଁ, ନିଜ ପରିବାରକୁ ନ୍ୟାୟ ଦେବା ପାଇଁ। ଆଗକୁ ଦେଖିବାକୁ ବାକି କି ନ୍ୟାୟ କରୁଛି ଏ ଦୁନିଆଁ ମୋ ସହ।


ସାରା ଜୀବନ ଏଇ କାରା କୋଠରୀରେ ସଢିବି ନା ମୁକ୍ତିର ସୂର୍ଯ୍ୟକୁ ଦିନେ ନା ଦିନେ ଦେଖିବି? ଯେଉଁ ବିଡ଼ମ୍ବିତ ନ୍ୟାୟ ପାଇଁ ମୁଁ ରକ୍ତମୁଖା ହୋଇଯାଇଥିଲି ସତରେ କଣ ସେହି ନ୍ୟାୟ ବ୍ୟବସ୍ଥା ମୋତେ ନ୍ୟାୟ ଦେଇ ପାରିବ? ଆମ ଦେଶର ଆଇନ୍ କାନୁନ୍ ନ୍ୟାୟ ଦେବା ପାଇଁ ଖୋଜେ ସାକ୍ଷ୍ୟ ପ୍ରମାଣ ସମ୍ବଳିତ ଦସ୍ତାବିଜ, ସତରେ କଣ ମୋ ବିରୋଧରେ ଏମାନେ କିଛି ପ୍ରମାଣିତ କରି ପାରିବେ? ମୋର ତ ଯାହା ହେବ, ସେଥିପାଇଁ ଅନୁଶୋଚନା ନାହିଁ, ହେଲେ ମୋ ଅନୁପସ୍ଥିତିରେ ମୋ ପିଲାମାନଙ୍କର କଣ ହେବ? ଏମିତି ଅସୁମାରି ଚିନ୍ତା ମୋତେ ଘାରି ରହିଥିଲା ସେଇ ସମୟରେ।


ପରଦିନ ସକାଳୁ ସକାଳୁ ମୋତେ ହାଜର କରାଯାଇଥିଲା ସ୍ବତନ୍ତ୍ର ଭାବେ ସ୍ଥାପିତ ହୋଇଥିବା ଅଦାଲତରେ। ଆରମ୍ଭ ହେଲା ଶୁଣାଣି। ସରକାରୀ ଓକିଲ ନାନାଦି ପ୍ରକାର ଅଭିଯୋଗ ଉପସ୍ଥାପନା କରିଥାଆନ୍ତି ମୋ ବିରୋଧରେ ବିଭିନ୍ନ ଆଇନ ଅନୁଯାୟୀ ଭିନ୍ନ ଭିନ୍ନ ଦଫାରେ। ଯଦି ମୁଁ ଦୋଷୀ ସାବ୍ୟସ୍ତ ହୁଏ ତେବେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ। ମାତ୍ର ମୋ ପାଇଁ ମକଦ୍ଦମା ଲଢିବାକୁ କେହି ବି ନାହାଁନ୍ତି। କୌଣସି ଓକିଲ ବା ମାଗଣାରେ କାହିଁକି ବା ଲଢିବ ମୋ ପରି ଜଣେ ଆସାମୀ ପାଇଁ? ପୂର୍ବରୁ ତ ମୋ ଠାରୁ ସ୍ବୀକାରୋକ୍ତି ଦସ୍ତଖତ କରାଇ ନେଇଥିଲେ ଅପରାଧରେ ସଂପୃକ୍ତି ବାବଦରେ। ମାମଲା ଏକପାଖିଆ ହୋଇଯାଇଥିଲା।


ମୋର ଏପରି ସ୍ଥିତିକୁ ଦେଖି ଅଦାଲତରେ ହାକିମ ସରକାରଙ୍କୁ ଆଦେଶ ଦେଲେ ଓକିଲ ଯୋଗାଡ କରିବା ପାଇଁ। ପରିଶେଷରେ ମୋର ପକ୍ଷ ରଖିବା ପାଇଁ ଆଗକୁ ଆସିଲେ ଜନୈକ ଯୁବ ଆଇନଜୀବୀ, ଦିଗବିଜୟ ବାବୁ । ତନ୍ନ ତନ୍ନ କରି ସବୁ କିଛି ମୋର ଅତୀତ ବାବଦରେ ଅବଗତ ହେଲେ, ହିଂସାତ୍ମକ କାର୍ଯ୍ୟକଳାପର ପୁରା ବିବରଣୀ ସଂଗ୍ରହ କଲେ। ବହୁ ସମୟ ଧରି ପ୍ରସ୍ତୁତି କଲେ ସେ ମୋ ପାଇଁ ଲଢିବାକୁ। ଅଦାଲତରେ ତାରିଖ ପରେ ତାରିଖ ଗଡି ଚାଲିଲା ଚିରାଚରିତ ଢଙ୍ଗରେ। ଉଭୟ ପକ୍ଷ ଅଧିକ ତଥ୍ୟ ପ୍ରମାଣ ସାକ୍ଷ୍ୟ ଯୋଗାଡ଼ କରିବା ପାଇଁ ସମୟ ଗଡ଼ାଇ ଚାଲିଥାନ୍ତି, ଏମିତି କିଛି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଫଇସଲା ହୋଇନଥିଲା। ବିଚାରାଧିନ ବନ୍ଦୀ ଭାବରେ ମୋର ଜୀବନ ବ୍ଯତିବ୍ଯସ୍ତ ହୋଇ ପଡୁଥିଲା, ସନ୍ତୁଳି ହୋଇଯାଉଥିଲା ମୋର ମନ ପ୍ରାଣ। ମୋ ଠାରୁ ଦୂରରେ ରହି ପିଲାମାନେ ବଢୁଥିଲେ, ପାଠ ପଢୁଥିଲେ ସରକାରୀ ସ୍କୁଲରେ।

ଦିନେ ଏମିତି ଅଦାଲତରୁ ରାୟ ପ୍ରକାଶ ପାଇଲା ଅପ୍ରତ୍ୟାଶିତ ଭାବେ। ମୁଁ ବିଶ୍ବାସ କରି ପାରୁନଥିଲି ନିଜର ଆଖି ଓ କାନକୁ। ପ୍ରମାଣ ଅଭାବରୁ ମୋତେ ନିର୍ଦୋଷରେ ଖଲାସ କରାଯାଇଥିଲା। ବିଚାରାଧୀନ ସମୟ ନିମନ୍ତେ ପର୍ଯ୍ଯାପ୍ତ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ରହିଥିଲା ଅଦାଲତଙ୍କର। ପୁଣିଥରେ ମୁଁ ଜୀବନ ଜୀଇଁବାକୁ ସୁଯୋଗ ପାଇଥିଲି। ଅଦାଲତଙ୍କ ଏହି ଆଦେଶ ଫଳରେ ମୋର ଅକୁହା ରକ୍ତରଂଜିତ ଅତୀତ ଚିରଦିନ ପାଇଁ ଅଥଳ ଗର୍ଭରେ ସମାଧି ନେଇଥିଲା। ମୋର ପରିବାର, ବାପାମାଆ, ଭାଇ ଭଉଣୀ, ସ୍ତ୍ରୀ, ପିଲାମାନଙ୍କ ସହିତ ବାସ୍ତବରେ ନ୍ୟାୟ ହୋଇଥିଲା ଏବଂ ଦିବଂଗତ ଆତ୍ମା ସଦଗତି ପ୍ରାପ୍ତ ହୋଇଥିବା ଅନୁଭବ ହେଉଥିଲା। ଏବେ ଲାଗୁଥିଲା ନ୍ୟାୟ ସବୁବେଳେ ବିଡ଼ମ୍ବିତ ନୁହେଁ ବିଳମ୍ବିତ ମଧ୍ଯ ହୋଇପାରେ!!!



Rate this content
Log in

Similar oriya story from Tragedy