BISWESWAR MAJHI

Inspirational Tragedy

4.8  

BISWESWAR MAJHI

Inspirational Tragedy

କୁମ୍ଭମେଳାର କୁମ୍ଭକାର

କୁମ୍ଭମେଳାର କୁମ୍ଭକାର

3 mins
669


ପ୍ରୟାଗରାଜ ର ଅର୍ଦ୍ଧକୁମ୍ଭ ସ୍ନାନ କରିବାର ଲୋଭ କିଏ ବା ସମ୍ବରଣ କରିପାରେ ! ସୁଯୋଗ ମିଳିବାରୁ ସପରିବାର ଯାଇଥିଲି । ମନରେ ବହୁତ ଭୟ ଥାଏ, ଭିଡକୁ ନେଇ ତଥା ସ୍ୱଛତାକୁ ନେଇ । ପୁଣି ପାଳି ଅନୁସାରେ ବିଭିନ୍ନ ଆଖଡାର ସାହି ସ୍ନାନ, ସାଧାରଣ ଲୋକର ପାଳି କିପରି ପଡେ, ଇତ୍ୟାଦି । ବହୁଳ ପ୍ରଚାରିତ ସ୍ୱଚ୍ଛତା ଦେଖିବାକୁ ଆଗ୍ରହ ବି ଥାଏ ।

କୁହାଯାଏ ମେଳାରେ ସଂପର୍କୀୟ ମାନେ ବିଛଡି ଯାଆନ୍ତି ଆଉ ଭାଗ୍ୟରେ ଥିଲେ ହଜିଥିବା ସଂପର୍କୀୟ ମିଳିବି ଯାଆନ୍ତି । ଆଜି ମୋବାଇଲ ଗୁଗୁଲ ଯୁଗରେ ଅପ୍ରାସଂଗିକ ହୋଇଛି ସେ କଥା । ଅର୍ଦ୍ଧକୁମ୍ଭକୁ ସରକାର ମାତ୍ରାଧିକ ଭିଡ ବା ରାଜନୈତିକ କାରଣରୁ ପୂର୍ଣ୍ଣକୁମ୍ଭ ଘୋଷଣା କରିଥାନ୍ତି । ନେତା ମନ୍ତ୍ରୀ ମଧ୍ୟ ସ୍ନାନ କରିବାକୁ ଆସୁଥାନ୍ତି ।

ସାଧୁସନ୍ଥ ତଥା ଭିଆଇପି ଭିଭିଆଇପି ମାନଙ୍କ ପାଇଁ ଅସ୍ଥାୟୀ ଶିବିର ମାନ ହୋଇଥାଏ, ଯାହା ବହୁ ବିଳାସପୂର୍ଣ୍ଣ ଲାଗୁଥାଏ । ସମ୍ବାଦ ପ୍ରସାରଣ ହୋଇଥିଲା କୋଡିଏ ହଜାର ସଫେଇ କର୍ମଚାରୀ ନିଯୁକ୍ତ ହେବେ । ତେଣୁ ମନର ଉତ୍କଣ୍ଠା ସମ୍ବରଣ କରି ନପାରି ସଫେଇ ସାରି ଫେରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କଲି । ନାଁ ଥିଲା ତାଙ୍କର ହେମା ।

ହେମା ଜଣେ ମଧ୍ୟ ବୟସ୍କ ମହିଳା, ଘର କାନପୁର ଅଂଚଳରେ । ସ୍ୱାମୀ ଓ ପୁଅ ଝିଅ ଦୁଇଜଣଙ୍କ ସହ ଠିକାଦାର ପ୍ରଲୋଭନରେ ପଡି ସେମାନେ ଆସିଥିଲେ । ସାଂଗରେ ତାଙ୍କ ପଡୋଶୀ କିଛି ବି ସପରିବାର ଆସିଥିଲେ । ସେମାନେ ଘୁରିଆ ସଂପ୍ରଦାୟର । ତାଙ୍କୁ କୁହାଯାଇଥିଲା ମେଳାରୁ ଫୁଲ ଓ ଜରି ଗୋଟାଇ ସଫା କରିବା ପାଇଁ । ବଦଳରେ ପାଂଚଗୁଣା ମଜୁରି, ଖାଇବା ବ୍ୟବସ୍ଥା ତଥା ପିଲାଙ୍କ ଭବିଷ୍ୟତ ଲାଗି ପଢିବା ବ୍ୟବସ୍ଥା ।

ଏଠାରେ ପହଞ୍ଚିବା ପରେ ପରିସ୍ଥିତି କିନ୍ତୁ ଭିନ୍ନ ଥିଲା । କୋଡିଏ ହଜାର ସଫେଇ କର୍ମଚାରୀଙ୍କ ସ୍ଥାନରେ ଅର୍ଦ୍ଧେକ ସଂଖ୍ୟାର ବଳ । କାମପୁଣି କୋଡିଏ ହଜାର ଅସ୍ଥାୟୀ ପାଇଖାନାର ମଇଳା ନିଜ ହାତରେ ସଫା କରିବା ସହିତ ମେଳା ସ୍ଥଳୀର ସଫା କରିବାକୁ ବାଧ୍ୟ କରାଗଲା । ପ୍ରଥମେ ବିରୋଧ କଲେ, କାରଣ ପୂର୍ବ ଅଭିଜ୍ଞତା ନଥିଲା, ମାତ୍ର ବିବଶତାରେ କରିବାକୁ ପଡିଲା ।

ଭାବୁଥିଲି ହାତରେ ମଇଳା କାଢିବା ଓ ମୁଣ୍ଡରେ ବହିବା ଆଇନତଃ ବାରଣ କରା ହେଲାଣି କାହିଁ କେବେଠାରୁ । ଅଥଚ ଏଠାରେ ଅମାନୁଷିକ ବ୍ୟବହାର ! ଭିଭିଆଇପି ଓ ସାଧୁମାନେ ହିଟର, କୋଇଲା ଆଂଚ, କାଠମୁଣ୍ଡିଆ ଜାଳି ଶୀତର ପ୍ରକୋପରୁ ଆରାମ ସାଉଁଟୁଥିବା ବେଳେ ଏମାନଙ୍କ କାମ ଆରମ୍ଭ ହୁଏ ରାତି ଚାରିଟାରୁ । ପିଲାଙ୍କ ପାଠରେ ତ ଡୋରିବଂଧା ହେଲା, ସେମାନେ ମା' ବାପାଙ୍କ ଦୁଖ ସହି ନପାରି କାମରେ ସାହାଯ୍ୟ କରନ୍ତି । ନହେଲେ କାମ କଣ ସରିବ !! ପୁଣି ସମୟ ବାହାର କରି ରାସନ ଦୋକାନରେ ଲମ୍ଲା ଲାଇନରେ ଛିଡା ନହେଲେ ଖାଇବେ କଣ ? ସେ କାମ ପିଲାମାନେ ଅବଶ୍ୟ ଚଳାଇ ନିଅନ୍ତି ।

ପଇସା ବି ମିଳୁ ନଥାଏ । ମେଳା ଜାଗାରେ ପିଲା ସାଂଗରେ ଥାଇ ଖେଳନା ଟିଏ ବା ମିଠାଈ ଟିଏ କିଣି ଦେବାକୁ ନ ଚାହିଁବ, ଏମିତି ନୃଶଂସ କିଏ ଅଛି ? କିନ୍ତୁ ନୃଶଂସ ହେବାକୁ ପଡେ । କାରଣ ଠିକାଦାର ପଇସା ହାତକୁ ଦିଏନା । ଉଦେଶ୍ଯ ପଇସା ହାତରେ ପଡିଲେ ଏମାନେ କାଳେ ଛାଡି ପଳାଇବେ । ମଇଳା ଉଠାଇବା ପାଇଁ ନା ଥାଏ ଗ୍ଲୋଭସ ନାଁ ମାସ୍କ । ପୁତିଗଂଧରୁ ବିରତି ପାଇଁ ସାହାରା ପାନ ଗୁଠକା ବା ନିଶାପାଣି । ଭାବି ପାରୁ ନଥିଲି ମୁଁ ସ୍ୱାଧୀନ ଭାରତରେ ଅଛି ନାଁ ମଧ୍ୟ ଯୁଗୀୟ ଅତ୍ୟାଚାରୀ ରାଜା ରାଜୁଡା ଶାସନରେ ଅଛି !

ଅନେକ ବେଦନା ନେଇ ଯେନତେନ ପ୍ରକାରେଣ ଗଂଗାରେ ବୁଡ ପକାଇ ଦୁଇ ଦିନ ପରେ ଫେରି ଆସିଲି କୁମ୍ଭମେଳା ସ୍ଥଳରୁ । ଟ୍ରେନରେ ନିଦ ଚାଉଁକିନା ଭାଂଗି ଯାଉଥାଏ ହେମାର ମୁହଁ ମନେ ପଡିଗଲେ । ତାଙ୍କ ପଡୋଶୀ ମହିଳା ଜଣେ ଗର୍ଭବତୀ ଥାଇ ସ୍ୱଛତା କର୍ମଚାରୀ ଭାବେ ଆସିଥିଲେ । ସେଇଠାରେ ପ୍ରସବ କରିଥିଲେ ସେ ଏକ କନ୍ୟା ସନ୍ତାନକୁ । ତାଙ୍କ ସ୍ୱାମୀଙ୍କୁ କେହି ଖବର ଦେଇ ନଥିଲେ କି ଡାକ୍ତରଖାନା ନେବାର ବ୍ୟବସ୍ଥା କରି ନଥିଲେ । ସ୍ୱାମୀ ଜାଣିଲେ ଆଠ ଘଣ୍ଟା ପରେ ତାଙ୍କ ଡ୍ୟୁଟି ସରିବାରୁ ।

କଥା ପଦେ କହିଥିଲା ହେମା "ବାବୁଜୀ, ହମ୍ ତୋ ଗଂଗାଜୀ ମେଁ ଡୁବକୀ ନହିଁ ଲଗା ସକତେ । ୱ ଲୋଗ ଗଂଗା ସ୍ନାନ୍ କରକେ ପୁଣ୍ୟ କମାଏଙ୍ଗେ ଔର ହମ୍ ୟେ ପୁଣ୍ୟ କା କାମ କରକେ ।" ଦିନେ ଟିଭି ତଥା ଖବର କାଗଜର ପୃଷ୍ଠା ମଣ୍ଡନ କଲା ଏକ ଘଟଣା । ଦେଶର ସ୍ୱଛତା ପ୍ରିୟ ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀଙ୍କୁ ଗୋଡ ଧୋଇ ଦେଇ ଚୌକିରେ ବସାଇ, ସାଲ୍ ପିନ୍ଧାଇ ସମ୍ବର୍ଦ୍ଧିତ କଲେ । ଯାହାହେଉ ଏଭଳି ମାହାର୍ଗ ସମ୍ମାନର ଅଧିକାରୀ ହୋଇପାରିଲେ ସେମାନେ ।

ମନୈ ପଡୁଥିଲା ରାଜ କପୁର ସାହେବଙ୍କ ପ୍ରଖ୍ଯାତ ଚଳଚିତ୍ର 'ରାମ ତେରୀ ଗଂଗା ମୈଲୀ'ର ପାହାଡି ଝିଅ ଗଂଗା ର କାହାଣୀ । ବାବୁ ସାହେବ ମାନଙ୍କର କାମନା ବାସନାର ପାପ ଧୋଇ ଧୋଇ ଗଂଗା ହୋଇଯାଏ ମଇଳା । ହେମା ମାନେ ସବୁ ଦନେ ମଇଳା ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in

Similar oriya story from Inspirational