STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଦେବବ୍ରତ

କଥା କାଦମ୍ବରୀଦେବବ୍ରତ

4 mins
283


ମହାଭାରତରେ ଦେବବ୍ରତଙ୍କ ଚରିତ୍ର କର୍ତ୍ତବ୍ୟନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ।ପିତାଙ୍କ ସୁଖ ସ୍ବାଛନ୍ଦ୍ୟ ପାଇଁ ତାଙ୍କର ସ୍ବାର୍ଥ ତ୍ୟାଗ, ସମର୍ପଣ ଭାବ,ରାଜ୍ୟର ନିରାପତ୍ତା ପାଇଁ ପ୍ରତିବଦ୍ଧତା,ପ୍ରଜାନୁରଞ୍ଜନ,ଏବଂ ଏକ ଶୃଙ୍ଖଳିତ ଦେବୋପମ ଜୀବନଯାତ୍ରା ତାଙ୍କୁ ସେ ସମୟରେ ମହାଭାରତୀୟ ରାଜନୀତିରେ ଏକ ଆଦର୍ଶ ଚର୍ଚ୍ଚିତ ଚେହେରା ଭାବରେ ତୋଳି ଧରିଥିଲା।ଦେବବ୍ରତରୁ ସେ ଯେପରି ଭୀଷ୍ମରେ ପରିଣତ ହେଲେ ତାହା ଏକ ବହୁଚର୍ଚ୍ଚିତ ରୋଚକ ଉପାଖ୍ୟାନ।


ହସ୍ତିନା ନରେଶ ଶାନ୍ତନୁଙ୍କ ଦୁର୍ବଳତା ଥିଲେ ଅପରୂପା ଯୋଜନଗନ୍ଧା ଧୀବରକନ୍ୟା 'ସତ୍ୟବତୀ'। ସେଥିପାଇଁ ବିରହ ବେଦନାରେ ସନ୍ତୁଳିତ ହେଉଥିଲେ ଶାନ୍ତନୁ। ପିତାଙ୍କ ସାରଥୀ ଠାରୁ ଏହି ପ୍ରେମ ଉପାଖ୍ୟାନ ବିଷୟରେ ଟିକିନିଖି ଜାଣିବା ପରେ, ସତ୍ୟବତୀଙ୍କ ସହିତ ପିତାଙ୍କ ବିବାହ ପ୍ରସ୍ତାବ ନେଇ ଦେବବ୍ରତ ଦାସରାଜାଙ୍କ ଗୃହରେ ପହଞ୍ଚିଲେ।ଦାସରାଜ ଦେବବ୍ରତଙ୍କୁ ଆସନ ପ୍ରଦାନ କରି ଯଥୋଚିତ ସମ୍ମାନ ଦେଇ କହିଲେ ....ଅହୋ ଭାଗ୍ୟ ! କେଉଁ କାରଣରୁ ହସ୍ତିନାର ଯୁବରାଜ ଏତେ କଷ୍ଟ ସ୍ବୀକାର କରି ଏହି ଗରିବର କୁଟୀର ଅଳଙ୍କୃତ କଲେ ?ଆଦେଶ କରିଥିଲେ ଏ ଅଧୀନ ନିଜେ ଯାଇ ମହାରାଜା ଏବଂ ଯୁବରାଜଙ୍କ ସମକ୍ଷରେ ଉପସ୍ଥିତ ହୋଇ ଥାଆନ୍ତା।


ବିନମ୍ର ଦେବବ୍ରତ‌ କହିଲେ... ହେ‌ ମହାନୁଭବ ! ମୋତେ ମାତା ସତ୍ୟବତୀଙ୍କର ପୁତ୍ର ହେବାର ସୌଭାଗ୍ୟ ପ୍ରଦାନ କରି ଋଣୀ କରନ୍ତୁ;ପିତାଙ୍କ ସହିତ ମାତା ସତ୍ୟବତୀଙ୍କର ଶୁଭ ପରିଣୟ ପାଇଁ ସମ୍ମତି ଦେଇ ଆପଣ ହସ୍ତିନା ରାଜପରିବାରକୁ ଅନୁଗୃ଼ହିତ କରନ୍ତୁ ମହାନୁଭବ।


ବିନମ୍ରତାସହିତ କୁମାରଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରି ଦାସରାଜ କହିଲେ .. ଯୁବରାଜ ଦେବବ୍ରତ,ଏ ସମ୍ବନ୍ଧରେ ମୋର ମହାରାଜା ଶାନ୍ତନୁଙ୍କ ସହିତ ବିଶେଷ ଆଲୋଚନା ହୋଇ ଯାଇଛି, ଅଧିକ ଆଲୋଚନା ଅନାବଶ୍ୟକ।ମୋ କନ୍ୟା ସତ୍ୟବତୀ ଯେବେ ହସ୍ତିନାର ରାଣୀ ହେବାପାଇଁ ଯୋଗ୍ୟ ତାହେଲେ ତାର ସନ୍ତାନମାନେ କ'ଣ ରାଜସିଂହାସନ ପାଇଁ ଯୋଗ୍ୟ ନୁହନ୍ତି? କିନ୍ତୁ ଯେହେତୁ ଆପଣ ଯୁବରାଜ ପଦରେ ଅଭିଷିକ୍ତ ତଥା ହସ୍ତିନାର ଭାବି ସମ୍ରାଟ, ସତ୍ୟବତୀର ସନ୍ତାନମାନଙ୍କ ଭାଗ୍ୟ କଣ ହେବ? ଏହି ପ୍ରଶ୍ନର ଉତ୍ତର ମୋତେ ମହାରାଜା ଶାନ୍ତନୁ ଦେଇ ପାରିନାହାଁନ୍ତି।


ଦେବବ୍ରତ କହିଲେ...ମହାନୁଭବ, ଏହି ସାମାନ୍ୟ କଥା ପାଇଁ ଆପଣ ଚିନ୍ତିତ? ଏହି ପ୍ରଶ୍ନର ଉତ୍ତର ତ ମୋ ପାଖରେ ଅଛି, ପିତା ମହାରାଜ ତା'ର ଉତ୍ତର ଆପଣଙ୍କୁ ଦେଇଥାନ୍ତେ କିପରି ?ମୁଁ ଶପଥ କରି କହୁଛି ମହାନୁଭବ,ମାତା ସତ୍ୟବତୀଙ୍କ ଗର୍ଭରୁ ଜାତ ସନ୍ତାନମାନେ ହିଁ ହସ୍ତିନାର ସିଂହାସନ ଆରୋହଣ କରିବେ। ମୁଁ ସିଂହାସନ ଉପରେ କୌଣସି ଦାବି କରିବି ନାହିଁ।

ହସିଲେ ଦାସରାଜ।କହିଲେ......ହେ ଭରତଶ୍ରେଷ୍ଠ,ତୁମେ ବାସ୍ତବରେ ମହାନ୍। ପିତାଙ୍କ ପାଇଁ ତୁମେ ଯେଉଁ ସ୍ବାର୍ଥ ତ୍ୟାଗର ପରାକାଷ୍ଠା ଦେଖାଉଛ ଭରତ ବଂଶରେ ଅନ୍ୟ କାହାଠାରେ ଏପରି ଦୃଷ୍ଟାନ୍ତ ଦେଖାଯାଇନାହିଁ। କିନ୍ତୁ ନିଜକୁ ମୋ ଭଳି ଜଣେ ପିତା ଆସନରେ ବସାଇ ଚିନ୍ତାକର ଦେବବ୍ରତ,ବାସ୍ତବରେ କଣ ଏହା ସତ୍ୟବତୀର ଭାଵି ସନ୍ତାନ ମାନଙ୍କର ସ୍ବାର୍ଥ ରକ୍ଷାପାଇଁ ଯଥେଷ୍ଟ?

ତୁମେ ସିନା ରାଜସିଂହାସନ ଗ୍ରହଣ କରିବ ନାହିଁ, କିନ୍ତୁ ତୁମ ପୁତ୍ରମାନେ କାହିଁକି ସେମାନଙ୍କର ଜନ୍ମସିଦ୍ଧ ଅଧିକାର ତ୍ୟାଗ କରିବେ?ଆବଶ୍ୟକ ପଡିଲେ ଯୁଦ୍ଧକରି, ସତ୍ୟବତୀର ସନ୍ତାନକୁ ଗାଦିଚ୍ୟୁତ କରି ସେମାନେ ହସ୍ତିନାର ରାଜସିଂହାସନ ଆରୋହଣ କରିବେ।ରାଜବଂଶଜ ମାନଙ୍କ ସିଂହାସନ-ଅଧିକାର   ଯଜ୍ଞରେ ସତ୍ୟବତୀର ସନ୍ତାନମାନେ ବଳି ପଡିବେ।ସେମାନଙ୍କ ଭାଗ୍ୟର ବିଡମ୍ବନା ସହଜରେ ଅନୁମେୟ କୁମାର।ସତ୍ୟ ବଡ଼ ତିକ୍ତ ଏବଂ କଠୋର ଗଙ୍ଗାପୁତ୍ର; ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପୂର୍ବରୁ ଚିନ୍ତା କରିବା ଆବଶ୍ୟକ, ଯାହା ମୋତେ କରିବାପାଇଁ ପଡୁଛି। ତେଣୁ ହେ ଗାଙ୍ଗେୟ ! ଏ ବିବାହ ଅସମ୍ଭବ। ଦୟା ପୂର୍ବକ ଅଧିକ ଅନୁରୋଧ ନକରି ଫେରି ଯାଆନ୍ତୁ।


ଦେବବ୍ରତ ଫେରିଯିବା ପାଇଁ ଆସି ନଥିଲେ।ପିତା ମହାରାଜାଙ୍କ ମାନସିକ ଶାନ୍ତି ଉପରେ ନିର୍ଭର କରୁଥିଲା ହସ୍ତିନାର ଶାନ୍ତି। ସେଥିପାଇଁ , ରାଜସିଂହାସନ ତ ସାମାନ୍ୟ କଥା,ଯେକୌଣସି ସ୍ବାର୍ଥ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ ଦେବବ୍ରତ।


ଉର୍ଦ୍ଧ୍ବକୁ ବାହୁ ତୋଳି ଶପଥ କଲେ ଦେବବ୍ରତ...ହେ ଦଶଦିଗ ପାଳ ! ହେ ଚନ୍ଦ୍ର ସୂର୍ଯ୍ୟ ବାୟୁ ଅଗ୍ନି ସମେତ ତେତିଶକୋଟୀ ଦେଵତା ଓ ଗନ୍ଧର୍ଵ ! ,ହେ ମର୍ତ୍ତ୍ୟ‌ ମଣ୍ଡଳର ମାନବ, ଦାନବ,ପଶୁ, ପକ୍ଷୀ,ବୃକ୍ଷଲତା, ତଥା ସମସ୍ତ ସ୍ଥାବର ଓ‌ ଜଙ୍ଗମ‌ ,ହେ ପାତାଳ ବାସୀ ! , ମୁଁ ଗଙ୍ଗା ପୁତ୍ର ଦେବବ୍ରତ ସମସ୍ତଙ୍କୁ ସାକ୍ଷୀ ରଖି ଶପଥ କରୁଛି , ମୋର ଜୀବଦ୍ଦଶା ଭିତରେ ହସ୍ତିନା ସିଂହାସନ ଉପରେ ମୋର ଅଧିକାର ରହିବ ନାହିଁ ଏବଂ ମୁଁ କଦାପି ବିବାହ କରିବି ନାହିଁ...ଚୀରକୌମାର୍ଯ୍ୟ ଗ୍ରହଣ କରିବି।"


ଯେଉଁ ସମୟରେ ଦେବବ୍ରତ ଏଭଳି ଭୀଷଣ ପ୍ରତିଜ୍ଞା କରି ଭୀଷ୍ମରେ ପରିଣତ ହୋଇଗଲେ, ସ୍ତବ୍ଧ ହୋଇ ସମୟ କିଛି ମୁହୂର୍ତ୍ତ ପାଇଁ ଅଟକି ଯାଇଥିଲା।ସମୟ ସାକ୍ଷୀ,ଦେବବ୍ରତଙ୍କ ପୂର୍ବରୁ ବା ତାଙ୍କ ପରେ ଏଭଳି ଭୀଷ୍ମ ପ୍ରତିଜ୍ଞା କେହି କରି ନଥିଲେ।


ସେ ଭୟଙ୍କର ପ୍ରତିଜ୍ଞାର ପ୍ରଭାବରେ ସମଗ୍ର ବିଶ୍ବ ଦୋହଲି ଉଠିଲା,ଘୋର ଗର୍ଜନ କରି ସାଗରର ଉତ୍ତାଳ ଲହରୀ ତଟରେ ମୁଣ୍ଡପିଠିଲା,କ୍ଷଣକ ପାଇଁ ଅଟକିଗଲା ଆକାଶରେ ସୂର୍ଯ୍ୟଙ୍କ ସପ୍ତାଶ୍ବ,ସ୍ବର୍ଗରେ ଦେବତା ମାନେ ସ୍ତବ୍ଧ ହୋଇ ଦେବବ୍ରତଙ୍କୁ ଚାହିଁ ରହିଲେ ଏବଂ ତତ୍ପରେ ସାଧୁ ସାଧୁ ଶବ୍ଦରେ ଦେବଲୋକ ମୁଖରିତ ହେଲା। ଦେବତା ମାନେ ଦେବବ୍ରତଙ୍କ ଉପରେ ପୁଷ୍ପବୃଷ୍ଟି କରି ତାଙ୍କୁ "ଭୀଷ୍ମ" ନାମ ପ୍ରଦାନ କଲେ। ଏହି ଭୀଷ୍ମ ନାମର ଅର୍ଥ ହେଉଛି ପ୍ରଚଣ୍ଡ ପ୍ରତିଜ୍ଞା ପାଳକ। ଏହି ପ୍ରତିଜ୍ଞା ପରଠାରୁ ଦେବତା ମାନଙ୍କ ଦ୍ଵାରା ପ୍ରଦତ୍ତ "ଭୀଷ୍ମ"ନାମରେ ବାକି ଜୀବନରେ ସେ ପରିଚିତ ହେଲେ।ଦେବବ୍ରତ ନାମ ଗୌଣ ହୋଇଗଲା।


ସ୍ତବ୍ଧ ଦାସରାଜ,ସ୍ତବ୍ଧ ତାଙ୍କର କନ୍ୟା ସତ୍ୟବତୀ।ଦେବବ୍ରତ ଯେ ଏଭଳି ଭୟଙ୍କର ପ୍ରତିଜ୍ଞା କରିବେ,ସ୍ବପ୍ନରେ ମଧ୍ୟ ଭାବିପାରିନଥିଲେ ପିତାପୁତ୍ରୀ।ସତ୍ୟବତୀଙ୍କ ଆଖିରେ ଅଶ୍ରୁ।ତାଙ୍କର ମନେ ହେଲା ଏକ ମହାପୁରୁଷଙ୍କ ଦର୍ଶନରେ ପବିତ୍ର ହୋଇଯାଇଛି ତାଙ୍କ ଚକ୍ଷୁ।ଦେବବ୍ରତଙ୍କୁ ଯେବେ ସେ ପୁତ୍ର ଭାବରେ ପାଇବେ ପବିତ୍ର ହସ୍ତିନାରେ ଧନ୍ୟ ହୋଇଯିବ ତାଙ୍କ ଜୀବନ।ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ ଏପରି ତ୍ୟାଗ।


ସ୍ତବ୍ଧ ହୋଇ ରହି ଯାଇଥିବା ଦାସରାଜ ଏବଂ ମାତା ସତ୍ୟବତୀଙ୍କର ଧ୍ୟାନ ଭଗ୍ନକରି ପଚାରିଲେ ଦେବବ୍ରତ.... କୁହନ୍ତୁ ଦାସରାଜ,ମାତା ସତ୍ୟବତୀ ହସ୍ତିନାର ମହାରାଣୀ ହେବା ପଥରେ କିଛି ଆଉ ସର୍ତ୍ତ ବା ବାଧା ଅଛି ? ଏହି ମୁହୂର୍ତ୍ତରେ ଦେବବ୍ରତ ସମସ୍ତ ସର୍ତ୍ତାବଳୀ ପୂରଣ କରିବ।ପିତା ମହାରାଜାଙ୍କ ମନର ସନ୍ତାପ ଦୂର କରିବା ପାଇଁ ଆବଶ୍ୟକ ହେଲେ ଦେବବ୍ରତ ତାର ପ୍ରାଣ ବିସର୍ଜନ କରିବାପାଇଁ ମଧ୍ୟ ପ୍ରସ୍ତୁତ।"


ଆନନ୍ଦ ଅଶ୍ରୁ ଝରାଇ ଦାସରାଜ କହିଲେ...ହେ ଗଙ୍ଗା ପୁତ୍ର ! ତୁମେ ଧନ୍ୟ,ଧନ୍ୟ ତୁମର ପିତା ମାତା।ତୁମ୍ଭ ଭଳି ପିତୃଭକ୍ତ ନିଃସ୍ଵାର୍ଥପର ମହାମାନବଙ୍କୁ ଧାରଣ କରି ପୃଥିବୀ ମଧ୍ୟ ଧନ୍ୟ।ହେ ମହାନ ! ତୁମ୍ଭ ଆଗରେ ମୁଁ ସ୍ୱାର୍ଥପର ଧୀବର ଏକ ହୀନ ଏବଂ ନ୍ୟୁନ ପ୍ରାଣୀରେ ପରିଣତ ହୋଇଯାଇଛି।ଅମୂଲ୍ୟ ତୁମର ଜୀବନ ଗଙ୍ଗାପୁତ୍ର। ପିତାଙ୍କ ସୁଖଶାନ୍ତି ପାଇଁ ତୁମର ସତ୍ୟବଦ୍ଧତା ଏ ପୃଥିବୀରେ ଉଦାହରଣ ହୋଇ ରହିଯିବ।ଏହି ମୁହୂର୍ତ୍ତରୁ ସତ୍ୟବତୀ ତୁମର ମାତା ଦେବବ୍ରତ।ତାକୁ ସାଦରେ ରାଜପ୍ରସାଦକୁ ନେଇଯାଅ,ମୋର ଆପତ୍ତି ନାହିଁ।"


ସତ୍ୟବତୀଙ୍କର ପାଦ ବନ୍ଦନା କରି ସାଦରେ ରଥରେ ବସାଇ ଦେବବ୍ରତ ହସ୍ତିନା ରାଜଅବରୋଧ ଅଭିମୁଖେ ଯାତ୍ରା କଲେ। ହସ୍ତିନାର ପ୍ରାସାଦରେ ପ୍ରବେଶ‌ କରିବା ପୂର୍ବରୁ ସତ୍ୟବତୀ କହିଲେ...ସ୍ୟନ୍ଦନ କିଛି ସମୟ ପାଇଁ ଅଟକାଅ ଦେବବ୍ରତ।"

ରଥ ଅଟକାଇ ସତ୍ୟବତୀଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ପଚାରିଲେ ଗଙ୍ଗାପୁତ୍ର...ଆଉ ପୁଣି କ'ଣ ହେଲା ମାତେ ! କି ଅପରାଧ ହେଲା ଦେବବ୍ରତର ?


ଅଶ୍ରୁଳ ନୟନରେ ସତ୍ୟବତୀ କହିଲେ...ହେ ମୋର ମହାମାନବ ପୁତ୍ର ! ରାଜପ୍ରାସାଦରେ ପ୍ରବେଶ କରିବାପରେ ତୁମେ ମୋର ପୁତ୍ରରେ ପରିଣତ ହୋଇଯିବ।ତୁମକୁ ସମ୍ମାନ ଦେଇ ଯେଉଁ ପୂଜା କରିବାକୁ ମୋର ଏ ଆତ୍ମା ଚାହୁଁଛି, ତାହା ମୁଁ ପ୍ରାସାଦରେ ପହଞ୍ଚି କରି ପାରିବି ନାହିଁ। ବର୍ତ୍ତମାନ ମୁଁ ତୁମର ଚରଣ ସ୍ପର୍ଶ କରିବା ପାଇଁ ଚାହୁଁଛି ଗଙ୍ଗାପୁତ୍ର।"


ସତ୍ୟବତୀ ଦେବବ୍ରତଙ୍କ ଚରଣ ସ୍ପର୍ଶ କରିବାପାଇଁ ଯାଉଥିଲେ।ଚମକି ପଡ଼ି ପଛକୁ ଘୁଞ୍ଚିଗଲେ ଦେବବ୍ରତ।କହିଲେ....ଏହା କରି ତୁମେ ମୋତେ ପାପରେ କାହିଁକି ପକାଇବାକୁ ଯାଉଛ ଜନନୀ ? ତୁମେ ହସ୍ତିନାର ରାଜମାତା,ଦେବବ୍ରତର‌ ପ୍ରାତଃ ନମସ୍ୟା।ତୁମର ସମସ୍ତ ଆଦେଶକୁ ପରିଚାର ଭଳି ଏ ପୁତ୍ର ପାଳନ କରିବ ମାତାଶ୍ରୀ, ମୋ ମଥାରେ ତୁମର ପାଦ ରହୁ ଜନନୀ।



Rate this content
Log in

Similar oriya story from Classics