pratap nayak

Inspirational Others

3  

pratap nayak

Inspirational Others

କଂସେଇ ରମଜାନ ମିଆଁ

କଂସେଇ ରମଜାନ ମିଆଁ

3 mins
7.5K


କଂସେଇ ରମଜାନ ମିଆଁ ଛେଳି କାନକୁ ଟାଣିଆଣିଲା ତା ଟାଉଁସିଆ ଓଠ ପାଖକୁ,ଛେଳିର ଜୋର ଜୋର ମେଁ ମେଁ ରଡି ବନ୍ଦ ହେଇଗଲା ।କିଛି ସମୟ ପରେ ଅନ୍ୟ ଖୁଣ୍ଟରେ ବନ୍ଧା ହୋଇଥିବା ଛେଳି ପଚାରିଲା ଏ ଛେଳିକି ,ତତେ କଂସେଇ ରମଜାନ ମିଆଁ କଣ କହିଲା କି? ପ୍ରଥମ ଛେଳିଟି ଠୋ ଠୋ ହୋଇ ହସିଲା,କହିଲା ରମଜାନ କହୁଛି ତତେ ତ ଆଜି ମୁଁ ମୁକ୍ତି ଦେବି,ହେଲେ ମୋ ମୁକ୍ତି କୋଉ ଦିନ?

ଏତେ ବଡ ପ୍ରଶ୍ନର ଉତ୍ତର କିଏ ଦେବ ସତରେ?

ରମଜାନ କଂସେଇର ମାଇପ ରୁକସାନା ଆଜି ବହେ କଟା ସଂପା କରିଛି ରମଜାନକୁ ,ସକାଳୁ ଛେଳି ଫିଟେଇ ଘରୁ ଆଣିଲା ବେଳେ ।କାଲି ତା ଭାଇ ଝିଅର ନିକ୍କା ।ତାର ହଳେ କାନ ଫୁଲ ଦରକାର ନିଜ ପାଇଁ,ଆଉ ହଳେ ଦରକାର ତା ଝିଆରି ପାଇଁ,ନହେଲେ ଆଜି ଘରକୁ ନଆସିବାକୁ ରମଜାନକୁ ସଫା ସଫା ମନାକରି ଦେଇଛି,ଫେଏରେ କହିଛି ତୁ ମତେ ତଲାକ୍ ଦେ,ନହେଲେ ମୁଁ ତତେ ଖୁଲ୍ଲା ଦେବି.......

ତା ବେପାର ସରୁ ସରୁ ଦିନ ଏଗାର ହେଲାଣି,ଦେହ ସାରା ରକ୍ତରେ ଜୁଡୁବୁଡୁ ।ତା ଧଳା ଗେଞ୍ଜୀ ଆଉ ପଟାରିଆ ଲୁଙ୍ଗି ।ମୁଣ୍ଡରେ ବାନ୍ଧିଥିବା ଗାମୁଛା ଖଣ୍ଡଟିର ବି ଅବସ୍ଥା ନାହିଁ ।ପାଖ ନାଳକୁ ଯାଇ ଯେତିକି ପାରିଲା ଧୋଇଧାଇ ହେଲା ।ବେଗରେ ଆଣିଥିବା ଅନ୍ୟ ଏକ ଲୁଙ୍ଗି ଆଉ ଗେଞ୍ଜୀ ପିନ୍ଧିଲା ।ଯାହା ମାଲ ଆଣିଥିଲା ସବୁ ଶେଷ ହୋଇ ଯାଇଛି,ମନଇଚ୍ଛା ପାଣି ପୁରେଇଛି ଆଜି,ଗରାଖଙ୍କୁ ଠକିଛି ବି ମନଇଚ୍ଛା,ଗଣିଲା ଟଂକା ।ମୂଳଧନ ଛାଡି ଲାଭ ହେଇଛି ଛ'ହଜାର ତିନିଶ....।

ଗଲା ବଣିଆ ଦୋକାନକୁ ,ଆଣିଲା ଦିଇଟା ସୁନା ମୁଦି ।ନଅ ହଜାର ତିନିଶ ଟଙ୍କାରୁ ବଣିଆକୁ ଦେଲା ପାଞ୍ଚ ହଜାର ବାକି ଚାରିହଜାର ତିନିଶ ଦି ମାସରେ ଦବ ବୋଲି କହିଲା,ରମଜାନର ନିତି ନିୟତ ବଣିଆ ଆଗରୁ ଯାଣିଥିଲା,ବିଶ୍ୱାସରେ ବାକି ରଖିଲା ସେ ,ତାଗିଦ କଲା ଦି ମାସ ଟପିବନି ନହଲେ ମାଂସ ଦେଇ ସୁଧମୂଳ ସୁଝିବୁ ,ରମଜାନ ମୁଣ୍ଡ ହଲେଇ ସେଠୁ ସିଧା ଆସିଲା ଲୁଗା ଦୋକାନକୁ। ଦି ହଜାର ଟଂକାରେ ଗୋଟି ଏ ଭଲ ଚୁନରିବାଲା ଶାଢୀ ବାଲଜ ସାୟା କିଣିଲା,ସେଠି ବି ହଜାରେ ବାକି ରଖି ଦୋକାନୀର ହାତ ଓଠ ଧରି ମାଂସ ଦେଇ ସୁଝିବ କହି ଆସିଲା ,ଗଲା ତା ଭେଣୋଇର ମନୋହରି ଦୋକାନକୁ ,ପାଞ୍ଚସ ଟଂକାଦେଇ ଆଟାଚ ଫୁଲ ବେଳକୁ ଟଂକା ଶତରସ ରେ ପହଂଚିଲା,ଆଠଦିନରେ ସୁଝିବ କହି ସବୁ ଜିନିଷପତ୍ର ଧରି ଘରକୁ ଫେରିଲା ସେ ।

ଦିନ ଗୋଟାଏ। ପାଖ ମସଜିଦରୁ ନମାଜ ଆଲ୍ଲା ହୋ ଆକବର ତା କାନରେ ପଡିଲା,ସେଇଠି ଥୀର ହେଇଗଲା ସେ,ରାସ୍ତା କଡ ପାଖ କୃଷ୍ଣଚୁଡା ଗଛ ମୁଳେ ସବୁ ଜିନିଷ ରଖି ଗାମୁଛା ପାରି ନମାଜ ପଡିଲା......।

ଜାଣି ଜାଣି ତା’ ନିତି ଦିନିଆଁ ଗରାଖକୁ କିଲେ ଜାଗାରେ ଆଠସ ଦେଇଛି,ଦଣ୍ଡିରେ ଠକିଛି ।ନମାଜର ପାଠ ବଦଳ ତା ମାଇପ ରୁକସାନାର ଗାଳି ଖାଲି ତା ମନକୁ ଆସୁଛି ,ବାରଟା ଛେଳିକି ସେ ଆଜି ଜବେ କରିଛି,ସେମାନଙ୍କର ମେଁ ମେଁ ରଡି ଖାଲି ତାକୁ ଶୁଭି ଯାଉଛି ।ନମାଜରେ ମନ ରହୁନି ।ବ୍ୟସ୍ତ ହେଇଗଲା ସେ....। ସେ......।ଏଇଥି ପାଇଁ କଣ....

ଏ କଣ? ଛୋଟ ବେଳୁ ହେତୁ ନଥିବା ବେଳୁ ନମାଜ ପଡୁଛି ସେ,ସବୁ ପଦ ଗୋଟି ଗୋଟି ହେଇ ମନ ଅଛି ତାର ।ହଉ ପଛେ ମୁରୁଖ ।ଆଜି ଯା ନମାଜ ତା ପାଖ ମସଜିଦରୁ ତା କାନରେ ପଡୁଛି,ତାକୁ କାହିଁ ଭଲକି ଶୁଭୁନି ।ନ ଶୁଭିଲା ନାହିଁ ମନେ ପଡୁନି ପଦ ବି ତାର,କଣ ହେଲା କି ।ଆଲ୍ଲା ତାଲ୍ଲା କଣ ତା ଉପରେ ରାଗିଛନ୍ତି? ସେ ତ ଜାଣି ଜାଣି କିଛି ଭୁଲ କରିନି,ଆବୁ ସଂଗରେ ଆସି ଆସି ଛେଳି ମରା ଶିଖିଛି ସେ! ହାତ କେବେ ଥରିନି ତାର, କେତେ ବଦମାସି ଛେଳି ବେକରେ କାତି ଚଲେଇଛି ସେ ତାର ହିସାବ ରଖିନି ।ଆଜି ତ ସେହି ବେପାର କରି ମାଇପର ସବୁ ଫରମାଇସ ପୁରଣ କରିଛି ।କିଛି ତ ଭୁଲ କରିନି ।କଣ ପାଇଁ ଆଲ୍ଲାତାଲ୍ଲା ନାରାଜ?

ନମାଜ ସାରି ଚାଲିଲା ସିଧା ଘରକୁ.......

ବାଟରେ ତା ହିସାବ ପାଇଯାଇଥିଲା ସେ ।ରୁକସାନାକୁ ସବୁ ଜିନିଷ ବାବଦେ ବାବଦେ ବୁଝାଇଦେଲା ।ଜିନିଷ ଦେଖି ରୁକସାନା ଖୁସି ।ନାସ୍ତା ଆଣିବାକୁ କହି ରୁକସାନା ରୋଷେଇ ଘରକୁ ପଶୁଥିଲା ,ପଛରୁ ରମଜାନ ଡାକିଲା .......

ଦାଣ୍ଡରେ ଦି’ ଜଣ ମୌଲବୀ ଇସ୍ଥମାରେ ଯାଉଥିଲେ ତାଙ୍କୁ ବି ସେ ରହିବା ପାଇଁ କହିଲା ।ରୁକାସାନା ବୁଲି ପଡି ପାଖକୁ ଆସୁଥିଲା ରମଜାନର।

ତଲାକ୍....ତଲାକ୍....ତଲାକ୍....

ବାହାରି ଗଲା ମୌଲବୀ ସାଂଗରେ ଇସ୍ଥମାକୁ....

ଅବାକ୍ ହେଇ ଚାହିଁଥିଲା ରୁକସାନା...

ପଛକୁ ଥରେ ବି ଫେରି ଚାହିଁଲାନି ରମଜାନ।

ବାଟରେ ଯିଏ ଯାହା ପଚାରିଲେ ବି ଉତ୍ତର କଲାନି ।ତା କାନରେ ବାଜି ଯାଉଥିଲା ମେଁ ମାଁ ରଡି ।ଭାରି ବିକଳ ଲାଗୁଥିଲା ତାକୁ ।ପୁଣି ଆଲ୍ଲା ତାଲ୍ଲା ଦରବାରରେ ଦଣ୍ଡିରେ ଠକିଛି ସେ,କେହି ଗରାଖ ଜାଣି ନପାରନ୍ତୁ ପଛେ ଆଲ୍ଲାତ ଜାଣିଲା ।ସବୁ ସେହି ଲୋଭ ,ଆସିଥାଉ ପଛେ ସେହି ଲୋଭ ରୁକସାନାର କାନି ଧରି।

ଇସ୍ଥମାରେ ଭାବୁଥିଲା ଆଗେ ଯାଇ ସବୁ ତାର ବେପାର ପଇସାରୁ ବାକି ରଖିଥିବା ଟଂକା ସୁଝିବ,ବଣିଆକୁ ,କପଡା ଦୋକାନୀକି ଆଉ ତା ଶଳାକୁ ।କରିବନି ସେ ଆଉ ବେପାର ।ମସଜିଦ ପାଇଁ ଆଲ୍ଲାପାଇଁ ବୁଲି ବିଲି ଦିନ କଟେଇ ଦେବ କଫିନକି ଗଲା ପର୍ଯ୍ୟନ୍ତ.........ନିଜକୁ ସମର୍ପି ଦବ ଆଲ୍ଲାତାଲ୍ଲା ପାଖରେ ମୋକ୍ଷ ହୋଇଯିବ।

ପ୍ରତାପ ନାୟକ--୭୦୦୮୦୫୪୨୮୨


Rate this content
Log in

Similar oriya story from Inspirational