pratap nayak

Others

3  

pratap nayak

Others

ଅଛୁଆଁ

ଅଛୁଆଁ

5 mins
660


ନଡିଆ ବାଡେଇବା ପାଇଁ ଯିଦି କରୁଥିଲା ନଅ ବର୍ଷର ଝିଅ ସବିତା,ଜୋର କରୁଥିଲା ତା ବୋଉ ରମା ହଁ ମାରୁ ତା'ରି କଥାରେ,ବାପା ଚଇତା ମଧ୍ୟ ଗୁମ୍ ମାରି ଶୋଇଥିଲା ଖଟ ଉପରେ।ସିଏ ବି କିଛି ଉତ୍ତର ରଖୁ ନଥିଲା ସବିତାର ନଡିଆ ବାଡା ନିମିତ୍ତ।

କିଟିକିଟି ଅନ୍ଧାର ଘରସାରା ,ଯେମିତି ସେ ଅନ୍ଧାରରେ ଆହୁରି ନିଜ ଯିଦିରେ ଗୁଡେଇ ହେଇଯାଉଥିଲା ସବିତା।

ଆଉ ଶୋଇଲାନି ବୋଉ କୋଳରେ ,ରୁଷିଲା ସବିତା ,ଖୁଞ୍ଚିଗଲା କାନ୍ଥକଡକୁ।ଯୋଉଠି ତା ଗୋଡ ହାତ ମୁଣ୍ଡ ସବୁ ଧୁଳିରେ ଲୋଟିବ,ବିଛଣା ନଥିବ ତା ଦେହ ତଳେ।କଇଁ କଇଁ ହୋଇ କାନ୍ଦୁଥିଲା ,କାହିଁକି ନଡିଆ ବାଡେଇବାକୁ ବୋଉ ହଁ କହୁନି ତାକୁ ଗଣେଷ ପାଖରେ।

ଗୁରୁମା କହିଛନ୍ତି କାଲି ସବୁପିଲା ଗାଧୋଇ ପାଧୋଇ ସକାଳୁ ନୂଆ ସଫା ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସିବ।ସାଙ୍ଗରେ ନାନାଜାତି ଫୁଲ ସହିତ ନଡିଆ ବି ଆଣିଥିବ ।ପୂଜା ଶେଷରେ ସମସ୍ତେ ନିଜ ନିଜ ନଡିଆ ଶ୍ରୀ ଗଣେଶଙ୍କ ପାଖରେ ବାଡେଇବ।ନଡିଆତ ବାପା ଶୋଇଥିବା ଖଟତଳେ ଥୁଆହୋଇଛିି।ବୋଉ ପେଟ ଉପରେ ଶୋଇ ସେପଟକୁ ହାତ ବଢେଇଲେ ହାତ ପାଇବ ସବିତାର। ହେଲେ ନା ବୋଉ କିଛି କହୁଛି ନା ବାପା ଖଟ ଉପରୁ କିଛି କହୁଛନ୍ତି।

ବାପା ଶେଷରେ କହିଲେ ମା ଲୋ ତୁ କାଲି ବିଦ୍ୟାଳୟକୁ ଯାଇ ଖାଲି ପୂଜାସାରି ଭୋଜିଖାଇ ଆସିବୁ।ଆମ ଗାଁ ଠାକୁରାଣୀ ପାଖ କୋଠଘରେ ସବୁ ଗାଁ ପିଲାମାନେ କାଲି ରାତିରେ ଗଣେଶ ପୂଜା କରିବେ।ତୁ ସେଇଠି ନଡିଆ ବାଡେଇବୁ ।ହେଲା .......ଆଉ କାନ୍ଦେନା ଶୋଇପଡ।କାଲି ତୁ ନିଶ୍ଚେ ନଡିଆ ବାଡେଇବୁ।

ପେଟେରେ ପେଟେ ଖୁସି ସବିତା ।ହଉପଛେ ଗାଁ କୋଠଘର।ସେଠିତ ବିଦ୍ୟାଳୟଠାରୁ ବଡ ଗଣେଷ ହେଉଛି।ଠାକୁରାଣୀ ପାଖ ପଡିଆସାରା ରଂଗବେରଂଗୀ ସାମିଆନା ଟଂଗା ହେଇଛି।ବାହାରକୁ କପଡାରେ ଏକ ବିଶାଳ ଗେଟ୍।ନାଲିନେଳି ଧପଧପି ଆଲୁଅବି ସଜା ଚାଲିଛି ଆଜିଠୁ।ସିଏ ନିଜେ,ଆଖିରେ ଦେଖିଛି।ମାଇକି ବାଜିବ,କୀର୍ତ୍ତନ ହେବ କାଲି ପୂଜାବେଳକୁ ଠାକୁରାଣୀମୂଳ ଆହୁରି ସୁନ୍ଦର ଦେଖାଯିବ।ବାପା କହିଲେ ସେ ସେଇଠି ନଡିଆ ବାଡେଇବ ।

ଦେହସାରା ଧୁଳି ବାଲୁବାଲୁ ହେଇ ଉଠିଗଲା ଶୋଇଥିବା ଯାଗାରୁ ସବିତା,ବୋଉ ଉପର ଦେଇ ଚଢିଗଲା ଖଟ ଉପରକୁ।ସିଧା ଯାଇ ବାପ ଚଇତାର ପେଟ ଉପରେ.....।

ବାପା .....ବୋଉ ଜମା ଭଲନୁହେଁ ,ସିଏ ଗଣେଶ ପାଖରେ ନଡିଆ ବାଡେଇବାକୁ କହିଲାରୁ ଦିନସାରା ମନା କରୁଛି।ଏଇନା ଯେତେ ପଚାରିଲେ କହୁନି।ମୁଁ କାନ୍ଦିଲି ,ଧୁଳିରେ ଗଡିଲି ସିଏ ନଡିଆ ବାଡେଇବାକୁ କହଲାନି କି ମତେ ବିଛଣାକୁ ନେଲାନି।ସିଏ ଜମା ଭଲନୁହେଁ ।ବାପା ତମେ ଭଲ ମୁଁ ତୁମ ପାଖରେ ଶୋଇବି।ଗେହ୍ଲେଇ ହଉଥିଲା ସବିତା ଚଇତା ପାଖରେ....।ଚଇତା ତା ଗାମୁଛାରେ ଧୂଳି ପୋଛି ଦଉଦଉ ସବତାକୁ କହିଲା ମୋ ଉପରେ ତୁ ଗୋଡପକେଇ ଶୋଇପଡ।ହଁ ମ ସତରେ ତୋ,ବୋଉଟା ଜମା ଭଲ ବୋଉନୁହେଁ।

କଣ ଗୁଣୁଗୁଣୁ ହଉଥିଲା ସବିତା ତାରି ଭିତରେ ନିଦ ହେଇଗଲା ତା'କୁ।

ରମା ପଚାରିଲା ଚଇତାକୁ କେତେ ଟଂକା ଚାନ୍ଦାନେଲେ ଗାଁ ପିଲା।

ଦିହଜାର ଆମ ଉପରେ କରିଛନ୍ତି,ମୁଁ ହଜାରେ ଦେଇଛି କହିଛି କାଲି ଆଉ ହଜାରେ ଦେବି।

ଏମିତିତ ଗାଁ ସାରା କେତେ ପଇସା ଆଦାୟ ହେବ.......

ହେବନି ଦିଶହ ଘର ପା ହେଲେଣି।

ଏତେ ଟଂକା ନେଇ କଣ କରିବେ ।ସବୁ କଣ ପୂଜାରେ ଖର୍ଚ ହେଇଯିବ?

ଖର୍ଚ ତ ହେବ।ଠାକୁର ପେଣ୍ଡାଲ ସଜା ଲାଇଟ ମାଇକ ଗେଟ୍ କପଡା ଭୋଗରାଗ ବ୍ରାହ୍ମଣ ବିଦାକି ଭୋଜି ଘୋଡାନାଚ ପାଲା କାହିଁ କେତେ କଣ ତା ଉପରେ ପୁଣି ଭସାଣିରେ ଡିଜେ..... ଲାଇଟ ।ହଁ ଏତେକ ହେଇକି ବି ଆହୁରି ବହୁତ ବଳିବ।

ବଳିବ କଣ ସବୁ ତ ମଦ ପିଆକୁ ଅଘଟ ହେବ।ତମେ କୋଉ ଭଲ ଲୋକକି।ତମେ କଣ ଲୋକ ଚିହ୍ନି ପାରିବ ସେତେବେଳେ....।

କଥା ଭିତରେ ଚଇତା ଆସି ରମା ବିଛଣାରେ।

ଚଇତାର ଉଷୁମ ନିଶ୍ୱାସ ଅସ୍ତବ୍ୟସ୍ତ କରୁଥିଲା ରମାର ଅଥାନ ଥାନକୁ।ଚଦର ଉଣ୍ଡାଳୁଥିଲା ଘୋଡେଇହବ ଚଇତା ମାଇ ଶୀତ ହେଲେ ,କଥା ବନ୍ଦ ହେଇସାରିଥିଲା ,ଆଦିମ ମଣିଷ ଦିଇଟା ଘୁରିବୁଲୁଥିଲେ ତୋଟାରେ ମାଳରେ ।ଚୁପ୍ ଚାପ ସବୁକାମ କରିଚାଲିଥିଲା ଚଇତା ସବୁଥରପରି।ସମ୍ମତିତ ଥିଲା ରମାର ହେଲେ ବେଳେ ବେଳେ ମିଛରେ ଅଭିମାନ କରି ଆହୁରି ଆହ୍ଲାଦିତ ହେଉଥିଲା ଆତ୍ମତୃପ୍ତି ପାଉଥିଲା ନିଜକୁ ନିଜେ। ରୁଖ୍ୟ ହାତ, ଅଣ୍ଟା ଆହୁରି ରୁଖ୍ୟ ହେଇଯାଉଥିଲା ଚଇତାର । ସଂଜ ଯାଇ ରାତିର ଚତୁର୍ଥ ପ୍ରହର ।କୁନିଛୁଆପରି କୁଂକୁରିକାଂକୁରି ବିଛଣାରେ ପଡିଥିଲା ଚଇତା ଖଟ ଗୋଡ ତଳକୁ।ଖଟ ଉପରେ ଅଝଟିଆ ସବିତା ଥିର ଅଂକାବଂକା ।ଗୋଡ ଯାଗାରେ ମୁଣ୍ଡ ଆଉ ମୁଣ୍ଡ ଯାଗାରେ ଗୋଡ।

କେତେକାମ ବାକିଅଛି ରମାର।ଦାଣ୍ଡବାରି ଖରକିବ .....ଗୋବରପାଣି ପକେଇବ ......ବାସି ବାସନ ମାଜିବ ..... ଗୁଆଳୁ ଆଣି ଗୋରୁଗାଇ ବାନ୍ଧିବ ଦାଣ୍ଡରେ....... ଗୁଆଳ ପୋଛିବ..... ଗୋରୁ ପେଇବ...... ଆଣ ବାଟି ଚକୁଳି କରିବ..... ଗାଇ ଦୁହିଁବ......ସବିତାକୁ ସଜକରି ପଠେଇବ ବିଦ୍ୟାଳୟ ,କଣ କଅମ କାମ..... ସକାଳୁ ସକାଳୁ

ଅୟସ କରିବାକୁ ବେଳ ନାହିଁ ତାକୁ ।ତଳ, ଉପରେ ଗଡୁଥାନ୍ତୁ ବାପଝିଅ।ଖୋଲିଲା ଦାଣ୍ଡ ଦରଜା।

ଗାଁରେ ପୂଜାର ମାହଲ।ଦୁଲୁକୁଛି ଗାଁଦାଣ୍ଡ ।ପିଲାଠାରୁ ବୁଢାଯାଏ ସମସ୍ତେ ଯେପରି ମସଗୁଲ ଗଣପତିଙ୍କ ଆବାହନ ପାଇଁ।ରଂଗବେରଂଗୀ ପୋଷାକରେ ଯେମିତି ସଜେଇ ହେଇଛି ଗାଁ ସଦ୍ୟ ବିବାହିତା ବୋହୁପରି।ଦିନମାନ ନାଚକୁଦକରି ବିଦ୍ୟାଳୟରୁ ଭୋଜିଖାଇ ଭାରି ଖୁସି ଅଛି ସବିତା।ରାତିରେ ନଡିଆ ବାଡେଇବ ଗାଁ ଠାକୁରାଣୀପାଖ ଗଣେଶଙ୍କ ପାଖରେ।

ବ୍ରାହ୍ମଣ ଆସି ଯଥାବିଧି ପୂଜା ଆରମ୍ଭ କଲେ,ଚଇତା ସାଂଗରେ ନଡିଆନେଇ ଯାଇଛି ସବିତା ।ବାଡେଇବ ଠାକୁର ପାଖରେ।ଦେଖିଲା ବ୍ରାହ୍ମଣଙ୍କୁ ପୂଜାରେ ସାହାଯ୍ୟ କରୁଛନ୍ତି ନାଆକ ଘର ତିନିପିଅ ଦିପୁ ପପୁ ଲିଟୁ ଆଉ ପୂଜା ପେଣ୍ଡାଲ ଠାକୁର ପାଖରୁ ଦୁରେଇକି ଗାଁର ସମସ୍ତେ ଠିଆ ହୋଇଛନ୍ତି ରାମ ଦାମ ଫଗୁଆ ହରି ମାଧ କମଳ ଚଇତା ଏମିତି ଗାଁସାରା ସବୁ ଲୋକ ସବିତା ପରି ତା ସାଂଗ ରିଂକି ସୋନୁ ମୁନା ଅଇଁଠା ସର ଉର୍ବସି କେତେ ପିଲା ।ମନହଉଥିଲା ସବିତା ନିଜେ ପୂଜା ପେଣ୍ଡାଲକୁ ଚଢିଯିବ ସାହାଯ୍ୟ କରିବ ବ୍ରାହ୍ମଣ ନନାଙ୍କୁ ।ଯେମିତି ଧୂପ ଲଗେଇବ ମାଳ ପିନ୍ଧେଇବ ଚନ୍ଦନ ଘୋରିବ ଝୁଣା ଧୁଆଁ ସରାରେ କରିବ ......।

ଏ କଣ ?ପୁଷ୍ପାଞ୍ଜଳି ହେଲା .....ଗାଁ ସାରା ସମସ୍ତଙ୍କ ପାଇଁ ବ୍ରାହ୍ମଣନନା ନିଜେ ଏକା ପୁଷ୍ପାଞ୍ଜଳି ଦେଲେ ଅବଶ୍ୟ ନାଆକ ପୁଅ ତିନିଜଣ କିନ୍ତୁ ସାମିଲ ହେଲେ ପୁଷ୍ପାଞ୍ଜଳିରେ ହେଲେ କିଏ କହିଲେନିତ ପୁଷ୍ପାଞ୍ଜଳି ଦେବାପାଇଁ ଗାଁ ସାରା ଲୋକେ ?ଯିଏକି ହଜାର ହଜାର ଦେଇ ଏତେବଡ ପୂଜାର ଆୟୋଜନ କରିଛନ୍ତି ।କେହିତ ତାଙ୍କୁ ମନା କରିନାହାଁନ୍ତି ପୂଜାରେ ପୁଷ୍ପାଞ୍ଜଳି ଦେବାପାଇଁ, କଣପାଇଁ ସେମାନେ ବ୍ରାହ୍ମଣ ନନାଙ୍କୁ ଫୁଲ ମାଗିଲେନି.....

ପୁଷ୍ପାଞ୍ଜଳି ଦେବେ?

ଯିଏ ଯେତେ ନଡିଆ ଆଣିଥିଲେ ବ୍ରାହ୍ମଣ ନନାଙ୍କ କଥାରେ ନାଆକ ପୁଅ ତିନିହେଁ ଗୋଟେଇ ନେଇଗଲେ ସମସ୍ତଙ୍କ ଠାରୁ ସବିତାଠୁଁ ବି।ହେଲେ ସବିତା କିଛି ବୁଝିବା ଆଗରୁ ମନ୍ତ୍ର ପଢି ଚାଲିଥିଲେ ବ୍ରାହ୍ମଣନନା ଆଉ ସବୁ ନଡିଆ ବାଡେଇଲା ନୂଆ ଧୋତି ଧଳା ଗାମୁଛା କାନ୍ଧରେ ପକେଇଥିବା ନାଆକ ପୁଅ ପପୁ।ତା ଭିତରେ ସବିତା ନେଇଥିବା ନଡିଆକୁ ବି .....।

ଛାତି ଭିତର କଅଁଣ ହେଇଯାଉଥିଲା ସବିତାର। ସିଏ ତ ନଡିଆ ବାଡେଇଲାନି ଗାଁସାରା କେହିବି ନଡିଆ ବାଡେଇଲେନି କିନ୍ତୁ କେହିବି ଆପତ୍ତି କଲେନି କାହିଁକି ସବୁ ନଡିଆ ନାଆକ ପୁଅ ପପୁ ବଡେଇବ ସେମାନେ କାହିଁକି ନୁହେଁ।

କାନ୍ଦି କାନ୍ଦି କୁନିକୁନି ହାତରେ ବାପା ଚଇତାକୁ ମାରି ମାରି ଚାଲିଥିଲା ସବିତା କାହିଁକି ମୁଁ ନଡିଆ ବାଡେଇଲିନି।

କାଖରେ କାଖେଇ ବାପା ଚଇତା କହୁଥିଲା ଆମେ ପରା ଅଛୁଆଁ........

ଅଛୁଆଁ ମାନେ କଣ ବୁଝିବା ବାହାରେ ଥିଲା ସବିତାର....।

ବୁଝିପାରୁନଥିଲା .....ଗାଁସାରା ସମସ୍ତେ ପୂଜା ପାଇଁ ଆୟୋଜନ କଲେ ଟଂକା ଦେଲେ ଗାଧେଇଲେ ନୂଆ ପିନ୍ଧିଲେ ନଡିଆ ଆଣିଲେ ପୂଜା ପେଣ୍ଡାଲ ଛୁଇଁବାକୁ ନିଜ ନଡିଆ ବାଡେଇବାକୁ ଅଛୁଆଁ ହେଇଗଲେ କେମିତି? କିଏତ ତାଙ୍କୁ ମନାକରି ନାହାଁନ୍ତି ପେଣ୍ଡାଲକୁ ନଯିବା ପାଇଁ କିନ୍ତୁ କେହି ଜଣେ ଛୁଇଁଲେନିତ ପୂଜାପେଣ୍ଡାଲ ସାମିଲ ହେଲେନିତ ନଡିଆ ବାଡାରେ, ପୁଷ୍ପାଞ୍ଜଳିରେ

ନିଜେ ଯୋଗାଡ କରିଥିବା ପୂଜା ପେଣ୍ଡାଲ ତିଆରିକରି ଠାକୁରଙ୍କୁ ଅନ୍ୟଦ୍ୱାରା ଆବାହନ କରି ନିଜେ ନିଜକୁ ଅଛୁଆଁ ସଜେଇ ଦେଲେ ,ଅଛୁଆଁ ସଜେଇ ଦେଲେ ନିଜକୁ ନିଜେ ମନରେ ଆତ୍ମାରେ,ପ୍ରାଣରେ ,ନଡିଆ ବାଡେଇ ଦେଲେନି ସବିତାକୁ .......ବାପ କାନ୍ଧରେ ଢୋଳେଇ ପଡିଥିବା ସବିତାକୁ ବୋଉ ରମା କେଳକୁ ଦେଲା ଚଇତା।

କୁଆଡେଯାଉଛକି?

ନଇ ପଠାଆଡେ,ଆସୁ ଆସୁ ଡେରିହବ ସବୁ ସାଂଗମାନେ ଅଛନ୍ତି ସେଠି।ତୁ ଖାଇକି ଶୋଇପଡିବୁ ।

ହଁ ଯା ଦି ଢୋକ ନାଲି ପାଣିମାରି ନିଜ ଭିତରେ ମରାମରି ଶୋଧାଗାଳି ହେଇ ନିଜକୁ ନିଜେ ଅଛୁଆଁ ସଜେଇ ରଖିଥିବ ବାପା .........

ସତେକି ନିଦରେ ବିଦୃପ କରୁଥିଲା ଅଜାଣିବାର ସବିତା କିନ୍ତୁ ଚଇତା କାନରେ ଆଧୁନିକ ଗୀତ ବାଜି ଫଟୋଉଥିଲା ତା କାନଗୀରକୁ ପୂଜାପେଣ୍ଡାଲରୁ ।ଗୋଡ ତରତର ହେଇ ମନ କଥାରେ ଧାଉଁଥିଲା ନଇପଠା କାଶତଣ୍ଡି ସେପଟକୁ......

ଆଜି ପରା ଶ୍ରୀ ଗଣେଶ ପୂଜା।

ପ୍ରତାପ ନାୟକ

,,,,,,,,, ୭୦୦୮୦୫୪୨୮୨


Rate this content
Log in