କଳି ଯୁଗ ଓ ମହାଭାରତ
କଳି ଯୁଗ ଓ ମହାଭାରତ
ବ୍ୟାସଦେବଙ୍କ ରଚିତ ମହାଭାରତ ପାଣ୍ଡବ ଏବଂ କୌରବଙ୍କ ମଧ୍ୟ ର ଯୁଦ୍ଧ ଉପରେ ଆଧାରିତ ବୋଲି ଅନେକଙ୍କ ଚିନ୍ତାଧାରା। କିନ୍ତୁ ଏତତ୍ ବ୍ୟତୀତ ମହାଭାରତ ରେ ଏପରି ଜନ କଲ୍ୟାଣ ତଥ୍ୟ ରହିଛି, ଯାହା ମନୁଷ୍ୟକୁ ତାର ପ୍ରକୃତ ଲକ୍ଷ୍ୟ ଏବଂ ବାସ୍ତବିକ ଜୀବନ ବିଷୟରେ ଅବଗତ କରାଇ ପାରିବ । ସେହି ବିଷୟ ମଧ୍ୟରୁ ଗୋଟିଏ ହେଉଛି କଳିଯୁଗ। ଏହାର ସବିଶେଷ ବିବରଣୀ ମହାଭାରତରେ ଉଲ୍ଲେଖ ରହିଛି।
ମହାଭାରତ ଅନୁସାରେ ପାଣ୍ଡବମାନେ କୌରବ ମାନଙ୍କ ଠାରୁ ପସା ଖେଳ ରେ ହାରିବା ପରେ, ବନବାସ ନିମନ୍ତେ ପ୍ରସ୍ଥାନ କଲେ। ସେହି ସମୟ ରେ ଯୁଧିଷ୍ଠିର କଳିଯୁଗ ବିଷୟରେ ଜାଣିବାକୁ ଚାହିଁଲେ । ତେଣୁ ପାଞ୍ଚ ଭାଇ ଶ୍ରୀକୃଷ୍ଣଙ୍କ ନିକଟ ରେ ପହଞ୍ଚିଲେ । ଯୁଧିଷ୍ଟିର କୃଷ୍ଣଙ୍କୁ କହିଲେ, ହେ ବାସୁଦେବ! ଆପଣ ତ ଜାଣିଛନ୍ତି ଦ୍ଵାପର ଯୁଗ ତାର ଶେଷ ପର୍ଯ୍ୟାୟରେ ଗତି କରୁଛି, ତେବେ ଏହା ପର ଯୁଗ ଅର୍ଥାତ୍ କଳିଯୁଗ କିପରି ହେବ ଓ ସେଠାରେ ଲୋକ ମାନଙ୍କ ସ୍ଥିତି କିପରି ହେବ, ତାହା ମୁଁ ଜାଣିବାକୁ ଚାହୁଁଛି। ଏହା ଶୁଣି ଶ୍ରୀକୃଷ୍ଣ ଟିକେ ହସି କହିଲେ, ହେ ପାଣ୍ଡବ! ଏହାର ଉତ୍ତର ଶୁଣିବା ପୂର୍ବରୁ ତୁମେ ସମସ୍ତେ ବନକୁ ଯାଅ, ସେଠାରେ ଯାହା ଯାହା ଦେଖିଲ ସନ୍ଧ୍ୟାରେ ମତେ ଆସି ଜଣାଅ । ଏହାପରେ ମୁଁ ତୁମକୁ ତୁମ ପ୍ରଶ୍ନର ଉତ୍ତର ଦେବି।
ଶ୍ରୀକୃଷ୍ଣଙ୍କ ଆଜ୍ଞା ପାଳନ କରି ପାଞ୍ଚ ଭାଇ ବନକୁ ପ୍ରସ୍ଥାନ କଲେ, ଏବଂ ଭିନ୍ନ ଭିନ୍ନ ଦିଗକୁ ଚାଲିଗଲେ । ସେଠାରେ ସେମାନେ ଯାହା ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଏହାପରେ ସମସ୍ତେ ଶ୍ରୀକୃଷ୍ଣଙ୍କ ନିକଟକୁ ଫେରିଲେ। କୃଷ୍ଣ ସର୍ବ ପ୍ରଥମେ ଯୁଧିଷ୍ଠିରଙ୍କୁ ପଚାରିଲେ , ହେ ଯୁଧିଷ୍ଟିର ତୁମେ କଣ ଦେଖିଲ? ଏହାର ଉତ୍ତର ରେ ଯୁଧିଷ୍ଟିର କହିଲେ, ମୁଁ ବନରେ ଏକ ହସ୍ତୀ ଦେଖିଲି ଯାହାର ଦୁଇଟି ଶୁଣ୍ଢ ଥିଲା, ଏହା କିପରି ସମ୍ଭବ? କୃଷ୍ଣ ତାଙ୍କୁ ଅପେକ୍ଷା କରିବାକୁ କହି, ଅର୍ଜୁନଙ୍କୁ ସେ ଦେଖିଥିବା ଦୃଶ୍ୟ ବିଷୟରେ ପଚାରିଲେ । ଅର୍ଜୁନ କହିଲେ , ହେ ସଖା! ମୁଁ ଦେଖିଲି, ଜଙ୍ଗଲରେ ଏକ ପକ୍ଷୀଟିଏ ଯାହା ଶରୀରରେ ବେଦର ଶ୍ଳୋକ ଲିଖିତ, କିନ୍ତୁ ସେ ପକ୍ଷୀଟି ମୃତ ପଶୁ ମାଂସ ଭକ୍ଷଣ କରୁଥିଲା । ଏହା ମତେ ଆଶ୍ଚର୍ଯ୍ୟ କରୁଛି । ଏହା ପରେ ଭୀମଙ୍କୁ କୃଷ୍ଣ ପଚାରିଲେ, ହେ ଭୀମ! ତୁମେ କଣ୍ ଦେଖିଲ? ଭୀମ କହିଲେ ମୁଁ ଦେଖିଲି, ଗୋଟିଏ ନବ ଜନ୍ମିତ ବାଛୁରୀକୁ ତାର ମାଆ ସ୍ନେହରେ ଚାଟୁଥିଲା, କିନ୍ତୁ ସେଥିରେ ବାଛୁରୀଟି ଲହୁ ଲୁହାଣ ହୋଇଗଲା। ଗୋଟିଏ ମାଆ ତାର ସନ୍ତାନ ପ୍ରତି ଏମିତି କିପରି କରିପାରିବ, ତାହା ମତେ ଚିନ୍ତିତ କରୁଛି । ଏହାପରେ ଶ୍ରୀକୃଷ୍ଣ ସହଦେବଙ୍କୁ ପଚାରିଲେ । ସହଦେବ କହିଲେ, ମୁଁ ଦେଖିଲି ଗୋଟିଏ ସ୍ଥାନରେ ଛଅ ସାତଟି କୂପ ଅଛି, ସବୁ କୂପରେ ଜଳ ମଧ୍ୟ ବିଦ୍ୟମାନ, କିନ୍ତୁ ମଝି କୂପଟି ସମ୍ପୂର୍ଣ ଖାଲି। ଏହା କିପରି ହୋଇ ପାରିବ? ଶେଷରେ କୃଷ୍ଣ ନକୁଳଙ୍କୁ ସେ ଦେଖିଥିବା ଦୃଶ୍ୟ ବିଷୟରେ ପଚାରିବାରୁ ନକୁଳ କହିଲେ, ମୁଁ ଦେଖିଲି, ଗୋଟିଏ ବଡ଼ ଶିଳା ଖଣ୍ଡ ପାହାଡ ଉପରୁ ଖସୁଛି। ବଡ଼ ବଡ଼ ଶିଳା, ବିଶାଳ ବୃକ୍ଷ ମାନେ ମଧ୍ୟ ତାକୁ ଅଟକାଇ ପାରୁନାହାନ୍ତି, ସମସ୍ତଙ୍କୁ ଚୂର୍ଣ୍ଣ କରି ସେ ଖସି ଚାଲିଛି। କିନ୍ତୁ ହଟାତ୍ ଏକ କ୍ଷୁଦ୍ର ଗୁଳ୍ମ ବୃକ୍ଷର ସ୍ପର୍ଶରେ ଶିଳାଟି ସ୍ତିର ହୋଇଗଲା। ଏହା କିପରି ହେଲା ତାହା ମୁଁ ଜାଣିବାକୁ ଚାହୁଁଛି?
ସମସ୍ତ ବୃତ୍ତାନ୍ତ ଶୁଣି ଶ୍ରୀକୃଷ୍ଣ କହିଲେ, ହେ ଯୁଧିଷ୍ଠିର ଏ ସବୁ କଥାର ସମ୍ପର୍କ ତୁମେ ପଚାରିଥିବା ପ୍ରଶ୍ନ ସହ ରହିଛି । ଯେପରି ତୁମେ ଦେଖିଲ ବନରେ ଗୋଟେ ହସ୍ତୀ ଯାହାର ଦୁଇଟି ଶୁଣ୍ଢ ରହିଛି, ସେହିପରି କଳିଯୁଗରେ ଏପରି ଲୋକଙ୍କ ରାଜତ୍ୱ ହେବ, ଯେଉଁ ମାନଙ୍କ ଦୁଇଟି ଚରିତ୍ର ଥିବ। ଅର୍ଥାତ୍ ତାଙ୍କ ମନରେ ଗୋଟିଏ ଗୋଟିଏ କଥା, କହିବେ ଗୋଟିଏ କଥା ଏବଂ କରିବେ ଗୋଟିଏ କଥା। ରାଜା ତଥା ଉଚ୍ଚ ପଦସ୍ତ ବ୍ୟକ୍ତି ପ୍ରଜାଙ୍କୁ ଶୋଷଣ କରିବେ, ଏବଂ ପଦ ପାଇଁ ଯୁଦ୍ଧ କରିବେ।
ଏହା ପରେ କୃଷ୍ଣ ଅର୍ଜୁନଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଲେ, ହେ ପାର୍ଥ ତୁମେ ଯେପରି ଦେଖିଲ , ଗୋଟେ ପକ୍ଷୀ ଯାହା ଶରୀରରେ ବେଦ ଶ୍ଳୋକ ଲିଖିତ କିନ୍ତୁ ସେ ମୃତ ପଶୁ ମାଂସ ଭକ୍ଷଣ କରୁଥିଲା, ସେପରି କଳିଯୁଗରେ ଲୋକମାନେ ଧନୀ ଏବଂ ଜ୍ଞାନୀ ହେବେ, କିନ୍ତୁ ପ୍ରକୃତି ଆସୁରିକ ହେବ। ସମ୍ପତିର ଲୋଭରେ ସେମାନେ ଅନ୍ଧ ହୋଇଯିବେ। କଳିଯୁଗରେ ଏପରି ଖଳ ଲୋକ ମାନଙ୍କ ସଂଖ୍ୟା ଅଧିକ ହେବ । ପ୍ରକୃତ ସନ୍ଥ ମାନଙ୍କ ସଂଖ୍ୟା ବହୁତ କମ୍ ରହିବ ।
ଏହାପରେ କୃଷ୍ଣ ଭୀମଙ୍କୁ କହିଲେ, ତୁମେ ଯେପରି ଦେଖିଲ ମାଆର ଚାଟିବା ଦ୍ଵାରା ବାଛୁରୀଟି ରକ୍ତାକ୍ତ ହୋଇ ଯାଇଛି, ସେପରି କଳିଯୁଗରେ ମାଆ ମାନେ ନିଜ ସନ୍ତାନ ମାନଙ୍କୁ ଏତେ ସ୍ନେହ କରିବେ, ସନ୍ତାନ ମାନେ ସେଥିରେ ଅନ୍ଧ ହୋଇ ଅବାଟକୁ ଯିବେ, ଭୂଲ୍ କାମ କରିବେ। ଜୀବନର ପ୍ରକୃତ ଅର୍ଥ ସେମାନେ ଜାଣିପାରିବେ ନାହିଁ , ଶେଷରେ ଅନାଥଙ୍କ ପରି ମୃତ୍ୟୁବରଣ କରିବେ ।
ଏହାପରେ ସହଦେବଙ୍କ ପ୍ରଶ୍ନର ଉତ୍ତର ଦେଇ କୃଷ୍ଣ କହିଲେ, ତୁମେ ଯେପରି ଦେଖିଲ ଗୋଟିଏ ସ୍ଥାନରେ ଅନେକ କୂପ ଥିଲା, ସମସ୍ତ କୂପରେ ଜଳ ଥିଲା, କିନ୍ତୁ ମଝି କୂପଟି ଖାଲି ରହିଥିଲା, ସେପରି କଳିଯୁଗରେ ଲୋକ ମାନେ ନିଜ ପାଇଁ ନିଜ ପରିବାର ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିବେ, କିନ୍ତୁ ଗରିବ ଅସହାୟ ପଡୋଶୀଙ୍କୁ ସାହାଯ୍ୟ ପାଇଁ ସେମାନେ କୁଣ୍ଠା କରିବେ। ମାଦକ ଦ୍ରବ୍ୟ, ମାଂସରେ ବଦଖର୍ଚ୍ଚ କରିବେ କିନ୍ତୁ, ଜନ କଲ୍ୟାଣ ଓ ଧର୍ମ କାମ ପାଇଁ ସେମାନେ କୁଣ୍ଠା ବୋଧ କରିବେ। ଗୋଟିଏ ଜାଗାରେ ଖାଦ୍ୟର ଭଣ୍ଡାର ଥିବ, ଏବଂ ସେହି ସମାନ ସ୍ଥାନରେ ଲୋକେ ଭୋକରେ ମାରୁଥିବେ। ଗୋଟିଏ ସ୍ଥାନରେ ଲୋକେ ମହଲରେ ବିଳାସ ବେସନରେ ଜୀବନ ବିତାଉଥିବେ, ପାଖ ଚାଳିଆ ରେ ଗରିବ ପଡୋଶୀ ଅନାହାରରେ ମରୁଥିବେ । ଗୋଟିଏ ସ୍ଥାନରେ ଅସମାନତା ତାର ଚରମ ରେ ଥିବ।
ଶେଷରେ କୃଷ୍ଣ ନକୁଳଙ୍କୁ କହିଲେ, ତୁମେ ଯେପରି ଦେଖିଲ ବଡ଼ ଶିଳା ଖଣ୍ଡଟି ବିଶାଳ ପଥର ବା ବୃକ୍ଷ ମାନଙ୍କ ଦ୍ଵାରା ଅଟକିଲା ନାହିଁ, କିନ୍ତୁ ଗୁଳ୍ମର ସ୍ପର୍ଶରେ ଅଟକି ଗଲା। ସେହିପରି କଳିଯୁଗରେ ମନୁଷ୍ୟ ମାନଙ୍କ ପତନ ଘଟିବ। ଏହି ପତନକୁ ଧନ ରୂପକ ଶିଳା, ବା ସତ୍ତା ରୂପକ ବୃକ୍ଷ ଅଟକାଇ ପାରିବ ନାହିଁ, କିନ୍ତୁ ହରି ନାମ ରୂପକ ଗୁଳ୍ମ ବୃକ୍ଷ ଦ୍ଵାରା ତାର ପତନ ଅଟକି ପାରିବ। ଅର୍ଥାତ୍ କଳିଯୁଗରେ ମନୁଷ୍ୟ ମାନଙ୍କ ମୁକ୍ତିର ବାଟ ହେଉଛି, ଏକମାତ୍ର ହରି ନାମର ଜପ।ଏହିପରି ଭାବରେ ଶ୍ରୀକୃଷ୍ଣ ଯୁଧିଷ୍ଟିରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।
ବର୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ, ସେ ସମସ୍ତ ଉକ୍ତି ସତ୍ୟ ଅଟେ, ଯାହା କୃଷ୍ଣ ବର୍ଣ୍ଣନା କରିଥିଲେ । ଏହାର ମୁକ୍ତିର ପଥ ମଧ୍ୟ ସେ ଦର୍ଶାଇଥିଲେ । ତେଣୁ ହରି ନାମର ଜପ କରନ୍ତୁ।
ଜୟ ଶ୍ରୀ କୃଷ୍ଣ
