Nityananda Sahu

Inspirational Others

4  

Nityananda Sahu

Inspirational Others

କ୍ଳାନ୍ତ ପଥିକ

କ୍ଳାନ୍ତ ପଥିକ

9 mins
224



ବୟସ ର ଅପରାହ୍ନରେ ଜୀବନର ଅଭୁଲା ସ୍ମୃତି କୁ କିଛି ସମୟ ପାଇଁ ହୃଦୟରେ ଉଜ୍ଜୀବିତ କରିଛନ୍ତି ଅମୂଲ୍ୟ । ଜୀବନ ଜୀଇଁବା ର ସୁଖଦ ଅନୁଭୂତି କେବଳ ଗ୍ରାମ୍ୟ ପରିବେଶରୁ ହିଁ ମିଳିଥାଏ । ମାଆ , ମାତୃଭୂମି ପ୍ରତି ଥିବା ମମତା ସବୁ ବେଳେ ଭିଜା ମାଟିର ବସ୍ନାରୁ ବାରି ହୋଇ ପଡେ। ଅନେକ ଦିନ ପରେ ଗାଁ କୁ ଫେରିଲା ପରେ , ଅତୀତର ସେଇ ଅଭୁଲା ସ୍ମୃତିର ଭିଜା ମୁହୂର୍ତ୍ତ ସବୁ ଆଖି ସମ୍ନାରେ ଯେମିତି ଲୁଚକାଳି ଖେଳ ଖେଳୁଥାନ୍ତି ।ସେଥିରେ ହସି ଖେଳି ମଜ୍ଜି ଯାଉଥିଲେ ଅମୂଲ୍ୟ ପଟ୍ଟନାୟକ। 


  ସକାଳର ଶୈଶବ ସୂର୍ଯ୍ୟ ଉଦୟ ହେବା ମାତ୍ରେ ଗାଁ ରେ କୃଷକ ଭାଇ ର ହଳ ସଜ ହୁଏ ।ଗୋରୁ ଆଳ ଗାଁ ସାରାର ଗୋରୁ ଗାଈ ଙ୍କୁ ପଡିଆ କୁ ଚରେଇବା ଉଦ୍ଦେଶରେ ଡାକ ଦେଇ ଅଡାଇ ନିଏ । ସ୍କୁଲ୍ ରେ ପଢ଼ୁଥିବା ପିଲାମାନେ କାନ୍ଧରେ ବସ୍ତାନୀ ପକାଇ ଚାଟ ଶାଳୀ ବାହାରିବା ବେଳର ଦୃଶ୍ୟ ଦେଖିଲେ ହୃଦୟରେ ଆଉ ଏକ ଅପୂର୍ବ ଶିହରଣ ଖେଳି ଯାଏ । 

    ଧୀରେ ଧୀରେ ଇଛା ହୁଏ ଫେରି ଆସନ୍ତା ନାହିଁ କି ସେଇ ପିଲା ବେଳ ? ନଦୀ ପହଁରିବା, ଜାମୁ କୋଳି ତୋଳି କି ପର ବାରିରୁ ଖାଇବା, ଟାୟାର ଧରି ଗାଁ ରାସ୍ତାରେ ଗଡେଇବା , ନଟୁ , ଗୁଲି , ବୋହୁ ବୋହୂକା ,ଲୁଚ କାଳି ଖେଳ ଖେଳିବା ର ବୟସ କୁ ମନେ ପକେଇଲେ ଦୁଃଖ ଲାଗେ ଯେତିକି ,ସେତେ ବେଶି ଆନନ୍ଦ ବି ଲାଗେ ।

   ସମୟ ବଦଳି ଯାଇଛି । ବଦଳି ଯାଇଛି ଚାଲି ଚଳଣି। ହେଲେ ଆଜି ବି ଛାତିର କୋହରେ ଭରି ରହିଯାଇଛି ଗାଁ ପ୍ରତି ଥିବା ସେଇ ଭଲ ପାଇବାର ମୋହ କୁ ଛାଡି ରହି ହେଉ ନାହିଁ। 

      ପୁଅ ବିଦେଶରେ ଚାକିରୀ କରିଛି। ଗାଁ ରେ ଚଳିବା ପାଇଁ ଅସୁବିଧା ହେବ ବୋଲି ସୁମିତ୍ରା ର ଦେହାନ୍ତ ପରେ ସାଥିରେ ନେଇ ଯାଇଥିଲା ମତେ । ସୁମିତ୍ରା ଥିଲା ବେଳେ ଗାଁ ଛାଡି ନ ଯିବା ପାଇଁ ହଜାରେ ବାହାନା କରି ହେଉ ଥିଲା। ସୁମିତ୍ରା ବି ମୋ କଥାରେ ସବୁ ବେଳେ ନିଜର ସମର୍ଥନ ଦେଇ କହୁଥିଲେ ,

    ବୁଝିଲୁ ପାର୍ଥ , ଆମେ ବୁଢା ବୁଢ଼ୀ ଦୁହେଁ ସେ ସହରୀ ଜୀବନ ସହ ଖାପ ଖୁଆଇ ଚଳି ପାରିବୁ ନାହିଁ । ପିଞ୍ଜରା ଭିତରେ ବନ୍ଧି ହୋଇ ରହିଥିବା ଶୁଆ ଶାରୀର ଜୀବନ ଆମକୁ ଲୋଡ଼ା ନାହିଁ । ବୟସ ଆସି ମୃତ୍ୟୁର ନିକଟତର । ଆମକୁ ଏ ଗାଁ ରେ ଶେଷ ନିଶ୍ୱାସ ଛାଡିବା ଯାଏଁ ଦୁହିଁଙ୍କୁ ଛାଡି ଦେଇ ତୁ ଯାଆ । ତୋ ବାପା ଆଉ ମୁଁ , ଦୁହେଁ ଖୁସି ରେ ଅଛୁ। ମାନୁଛି ନାତିଆକୁ ଟିକେ ଅଧିକ ଝୁରିବୁ। ହେଲେ ତାର ଭବିଷ୍ୟତ ପାଇଁ ,ଆମେ ବି ମନକୁ ବୁଝେଇ ଦେବୁ । ଖାଲି ଯାହା ମଝିରେ ମଝିରେ ରଜ ,ହୋଲି ପରି ପର୍ବ ପର୍ବାଣୀ ରେ ଆସି ବୁଲିଗଲେ ଆମ ମନ ବି ଖୁସି ହେଇଯିବ।

    ନା କ'ଣ କହୁଚ ତୁମେ ? ହଁ ରେ ପାର୍ଥ , ତୋ ବୋଉ ଠିକ କହିଛି। ଆମ ପାଇଁ ତୁ ବେଶି ଚିନ୍ତା କର ନାହିଁ । ବାରି ରେ ନାନା ପ୍ରକାର ଶାଗ ଠାରୁ ଆରମ୍ଭ କରି ବିଭିନ୍ନ କିସମର ପରିବା ଚାଷ କରିଛୁ।ପୋଖରୀ ରେ ମାଛ ଛାଡି ଦେଇଚୁ। କଦଳୀ ,ନଡ଼ିଆ , ଆମ୍ବ ,ପଣସ ,ଲେମ୍ବୁ କେଉଁ ଥିରେ ଅଭାବ ନାହିଁ । ତା" ଛଡା ଆମେ ଚାଲିଗଲେ ଚାଷ ଜମି ସବୁ ଗୋଚର ହୋଇ ରହିଯିବ।  

    ସୁବିଧା ଅସୁବିଧାରେ ଦେହ ପା ପାଇଁ ପାଖରେ ମେଡ଼ିକାଲ ଅଛି। କିଛି ବି ଅସୁବିଧା ହେବ ନାହିଁ।ତୁ , ରତ୍ନା କୁ ନେଇ ବିଦେଶ ଚାଲି ଯାଆ। ଆମ କଥା ଚିନ୍ତା କର ନାହିଁ। ତୋ ଭବିଷ୍ୟତ ପାଇଁ ଆମେ କେତେ କଣ ତ୍ୟାଗ କରିଛୁ , ଆଜି ଆଉ ଥରେ ତତେ ସ୍ନେହର ମୋହରେ ବାନ୍ଧି ରଖିବାର ସ୍ୱାର୍ଥପର ହେବାର ଭୂମିକା ଆମକୁ ଲୋଡ଼ା ନାହିଁ।

   ସେ ଦିନ ଠାରୁ ପାର୍ଥ ଆଉ ରତ୍ନା ଗାଁ ଛାଡି ବିଦେଶରେ ରହିଲେ। ସମୟ ଗଡି ଚାଲିଥାଏ ଆଗକୁ । ଶିକ୍ଷକତାରୁ ଅବସର ନେବା ପରେ ସୁମିତ୍ରା ସହ ବାକି ମୁହୂର୍ତ୍ତ ସବୁ ଖୁସିରେ କଟି ଯାଉଥିଲା। ଅବସର ପରେ ମନକୁ କେବେ ବି ଉଦାସ ହେବାକୁ ଦେଇ ନାହିଁ ମୋ ସୁମି। ସୁମିତ୍ରା ଙ୍କର ହାତ ପରଶା ପଖାଳ ଭାତ ,ବଡି ଚୁରା , ବାଡିର ତଟକା ଶାଗ ଭଜା , ପୋଖରୀ ମାଛ ଭଜାର ସ୍ୱାଦ ଯେମିତି ଅମୃତ ସମାନ ଲାଗେ। ବାହାଘର ଦିନ ଠାରୁ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ ଆଉ ପରସ୍ପରକୁ ସମ୍ମାନ ବି ଦେଉ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କେହି ବି କାହା ଠାରୁ ଅଲଗା ରହିବୁନି ବୋଲି କଥା ନେଇଥିଲୁ। ହେଲେ "କପାଳ ଲିଖନ କେ କରିବ ଆନ" , ଅଧା ରାସ୍ତା ରୁ ଏକା କରି ଚାଲି ଗଲେ ସୁମିତ୍ରା। ଏତେ ବଡ଼ ଘର ଭିତରେ ଜୀବନ ଟା ଯେମିତି ଖାଁ ଖାଁ ଲାଗୁଥିଲା। ଏମିତି ଲାଗୁଥିଲା ଯେମିତି ସୁମିତ୍ରା ଙ୍କ ବିନା ଶରୀର ରୁ ପ୍ରାଣ ଛାଡି ଚାଲି ଯାଇଛି। ପ୍ରତି ବର୍ଷ ବିବାହ ବାର୍ଷିକ ଦିନ ବାଡ଼ିରେ ଆମେ ବୃକ୍ଷ ରୋପଣ କରି ଥାଉ । ଦୀର୍ଘ ତିରିଶି ବର୍ଷ ଭିତରେ ସୁମିତ୍ରାଙ୍କ ର ଉଦ୍ୟମ ରେ ଆଜି ବି ବାଡ଼ିରେ ବିଭିନ୍ନ ଫଳନ୍ତି ଗଛ ସବୁ ଦେଖିଲେ ତାଙ୍କ କଥା ବହୁତ ମନେ ପଡେ । ପାର୍ଥ ପରି ବାଡ଼ିରେ ଲାଗିଥିବା ପ୍ରତି ଟି ଗଛକୁ ନିଜର ପୁଅ ପରି ଦାୟିତ୍ୱ ର ସହ ଯତ୍ନ ନେଇଥାନ୍ତି ସେ। ଘର କାର୍ଯ୍ୟ ରୁ ଟିକେ ସମୟ ପାଇଲେ ସେଇ ଗଛ ମାନଙ୍କ ସହ ସମୟ ବିତେଇବା କୁ ସୁମି ବହୁତ ଭଲ ପାଆନ୍ତି । ଜୈବିକ ପ୍ରଣାଳୀ ରେ ଅନେକ ଗଛ ସୃଷ୍ଟି କରିବା ସହ ବିଭିନ୍ନ କିସମର ଫସଲ କରିବାରେ ସେ ନିପୁଣ ଥିଲେ। 

  ବିବାହ ପର ଠାରୁ ସୁମିତ୍ରା ସହ ବିତେଇଥିବା ଦୀର୍ଘ ତିରିଶ ବର୍ଷର ସୁଖଦ ମୁହୂର୍ତ୍ତକୁ ଘରେ ଛାଡ଼ି ବିଦେଶ ଯିବାକୁ ଇଛା ହେଉ ନ ଥାଏ। କିନ୍ତୁ ସୁମିତ୍ରା ଦେହ ତ୍ୟାଗ କରିବାର କିଛି ସମୟ ପୂର୍ବରୁ ପାର୍ଥ ପାଖକୁ ମତେ ଫେରି ଯିବାର ରାଣ ନେଇଥିଲେ। ମୋ ପରେ ତୁମେ ଏକା ଚଳି ପାରିବ ନାହିଁ। ତୁମେ ଯେମିତିକା ଭୁଲା ମଣିଷ ତୁମ ଦେହର ବି ଯତ୍ନ ନେବ ନାହିଁ। ତୁମ ମୁହଁକୁ ଚାହିଁ ପୁଅକୁ ଭୂଲି ଯାଇଥିଲି। ମୋ ପରେ ପାର୍ଥ ର ତୁମେ ହିଁ ଏକା ସାହା ଭରଷା। ଦଶ କ୍ରିୟା ଶେଷ ଦିନ ପାର୍ଥ ଆଉ ବୋହୂ ରତ୍ନାର ଅଳି ଆଗରେ ଶେଷରେ ମୁଣ୍ଡ ନୁଆଁଇଲି। ଯିବା ପୂର୍ବରୁ ବାରି ଘର ସବୁ କୁ ହାତରେ ଶେଷଥର ସ୍ପର୍ଶ କରି ଗଲା ବେଳେ ଆଖି ରେ ଲୁହ ଭରି ଆସୁଥିଲା। ସନ୍ତକ ଭାବରେ ସୁମିତ୍ରାଙ୍କ ସହ ଶେଷ ବିବାହ ବାର୍ଷିକ ପାଳନ ଦିନ ଉପହାର ଦେଇଥିବା ପଞ୍ଜାବୀ ଜାମା କୁ ନେଇ କି ସାଥିରେ ଯାଇଥିଲି । 


   ସମୟର ସ୍ରୋତରେ ଦୀର୍ଘ ଦଶ ବର୍ଷ ପରେ ଆଜି ଘରକୁ ଫେରିଲା ପରେ ସେଇ ସ୍ମୃତି ସବୁ ଆଖି ସମ୍ନାରେ ପୁନଃ ଉଜାଗର ହୋଇ ଉଠିଲା।

ବିଦେଶରେ ସୁଟ ବୁଟ ପିନ୍ଧା ଜୀବନ ଭିତରେ ଅଣ ନିଶ୍ୱାସୀ ମଣିଷ ହୋଇଗଲାଣି। ଆଜି ଗାଁ କୁ ଫେରିଲା ପରେ ଶେଷ ସନ୍ତକ ପଞ୍ଜାବୀ ଜାମା କୁ ଦେହରେ ପିନ୍ଧିଲା ପରେ ଯେମିତି ସୁମି ଙ୍କୁ ନିଜ ଭିତରେ ଖୋଜିକି ପାଉଥିଲି। 

    ପିଞ୍ଜରା ଭିତରର ଜୀବନରୁ ମୁକୁଳି ଆସିବାର ଖୁସି ରେ ଆଜି ଖୋଲା ଆକାଶ ଆଉ ନଦୀ କୂଳରେ ବସି ଜୀବନ ଯେମିତି ବୟସର ଶେଷ କୃଷ୍ଣ ଚୂଡ଼ା ରଙ୍ଗରେ ରଙ୍ଗୀନ ହୋଇ ନିଜ ଭିତରେ ଡେଣା ଝାଡ଼ି ଉଡିଯିବାକୁ ସୁମିତ୍ରା ଙ୍କ ପାଖକୁ ମନ କହୁଥିଲା।

   ଘର ର କାନ୍ଥରେ ଶିଉଳି ଲାଗି ଗଛ ଉଠିଲାଣି। ବାଡ଼ି ସାରା ରକ୍ଷଣାବେକ୍ଷଣ ଅଭାବରୁ କ୍ଷୁଦ୍ର ଜଙ୍ଗଲରେ ପରିଣତ ହୋଇ ସାରିଛି। ବାପା ମାଆ ଛେଉଣ୍ଡ ଗଛ ଲତା ମାନେ ଯେମିତି ସେମାନଙ୍କ ଭିତରେ ମତେ ପାଇ ତାଙ୍କ ନିକଟରେ ରହିବାକୁ ଅଳି କରୁଥିଲେ।

   ଆଉ ଇଛା ନାହିଁ ପାର୍ଥ ସହ ଫେରିଯିବା ପାଇଁ । ଇଚ୍ଛା ନାହିଁ ଆଉ ସେ ଚାରି କାନ୍ଥର ବନ୍ଧୀ ଜୀବନ କାଟିବାକୁ। ଘରେ ଏକା ରହି ମାନସିକ ରୋଗୀ ହେବା ଅପେକ୍ଷା ଗାଁ ରେ ରହି ଘର ଆଉ ବଗିଚାର ଗଛ ଲତା ମାନଙ୍କ ସହ କିଛି ମୁହୂର୍ତ୍ତ କାଟିବାରେ ମିଳେ ଅପୂର୍ବ ଆନନ୍ଦ ।

    ବିଦେଶରେ ପୁଅ ,ବୋହୂ ଦୁହେଁ ନିଜ ନିଜ ଚାକିରୀରେ ବ୍ୟସ୍ତ। ନାତିଆ ତାର ପାଠ ପଢା ଆଉ ଆଧୁନିକ ଜୀବନ ବିତେଇବାର ନିଶାରେ ଜେଜେ ର ଭଲ ପାଇବାକୁ ତାର ବେଖାତିର। ପ୍ରତିଦିନ ନାତିଆ କୁ ସ୍କୁଲରେ ନେଇ ଛାଡିବା ଆଉ ଆଣିବାର ଦାୟିତ୍ୱ ମୋ ଉପରେ ନ୍ୟସ୍ତ । ତା" ପରେ ଘରର ଭଲ ମନ୍ଦ ସବୁ ବୁଝା ବୁଝି କରିବାକୁ ହୋଇ ଥାଏ। ଘରର ରାସାନ ସାମଗ୍ରୀ କିଣାକିଣି ସାରିଲା ପରେ ଟଙ୍କା ତକର ହିସାବ ବି ପୁଅ କୁ ଦେବାକୁ ପଡେ। ସବୁ ପରେ ବି ସେମାନଙ୍କ ପାଇଁ ମୁଁ କୁଆଡେ ଏ ବୟସରେ ବୋଝ ବୋଲି ଭାବନ୍ତି। କୁଆଡେ ବୁଲି ଗଲେ ,ଏତେ ବଡ଼ ଘର ଭିତରେ ଏକା ଛାଡି ଦେଇ ସେମାନେ ଚାଲି ଯାଆନ୍ତି ମତେ। ଗୋଟେ କୋଣ ରେ ପଡି ରହି ଦିନ ରାତି ମାନସିକ ଭାରସାମ୍ୟ ବି ହରେଇ ସାରିଲିଣି। 

   ଅନେକ ଥର ଗାଁ କୁ ଆସିବା ପାଇଁ ପାର୍ଥ ନିକଟରେ ଗୁହାରୀ କଲା ପରେ ଶେଷ ରେ ବାଧ୍ୟ ବାଧକତା ରେ ରାଜି ହେଲା।

    ଆଜି ଆମର ବିବାହ ବାର୍ଷିକ। ସେଥିପାଇଁ ପାର୍ଥକୁ ଅନୁରୋଧ କରିବାରୁ ସେ ଯାଇଛି ଗଛ ଟିଏ ମୋ ଲାଗି ଆଣିବା ପାଇଁ । ଆସିଲେ କହିଥିଲା ଫୋନ କରିବ। ହାତ ଘଡି କୁ ଦେଖିଲି , ସମୟ ଦିନ ଦଶ ଟା । ଗାଁ କୁ ଆସିବାର ପାଞ୍ଚ ଦିନ ବିତି ଯାଇଛି। ଘର କାମ କରିବା ପାଇଁ ଟଙ୍କା ମାଗିବାରୁ ପାର୍ଥକୁ , ସେ ଅଯଥା ଖର୍ଚ୍ଚକୁ ପସନ୍ଦ କରେ ନାହିଁ ବୋଲି କହିଲା। ଶେଷରେ ବାଧ୍ୟ ହୋଇ ପେନସନ ଟଙ୍କାରେ ଘରକୁ ରଙ୍ଗ ଦେବା ସହ ବାଡ଼ି ର ଘାସ ସବୁକୁ ଲୋକ ଲଗାଇ ସଫା କରିଲି।

ଆଜି ଗାଁରେ ରହିବାର ଶେଷ ଦିନ। ରାତି ଆଠ ଟାରେ ଫ୍ଲାଇଟ ରେ ଯିବା ପାଇଁ ଟିକେଟ ହୋଇ ସାରିଛି। ନାତି ଟୋକାକୁ ଗାଁ ରେ କୁଆଡେ ବୋର ଲାଗୁଚି। ଏଠି 4G ନେଟୱର୍କ ନାହିଁ। ଇଣ୍ଟରନେଟ ଚାଲୁ ନାହିଁ। କରେଣ୍ଟ ବାରମ୍ବାର କଟୁଛି। ମଶା ମାଛି ଭିତରେ ଜୀବନ କାଟିବାକୁ ତାକୁ ଭଲ ଲାଗୁ ନାହିଁ ବୋଲି ବାରମ୍ବାର ତାର ମମି ଡାଡି ପାଖରେ କଂପ୍ଲେନ କରୁଛି। 

   ପାର୍ଥ ବି ତାର କମ୍ପାନୀ କାମ ପାଇଁ ବ୍ୟସ୍ତ ହୋଇ ପଡ଼ିଲାଣି। ବଡ଼ ପ୍ରୋଜେକ୍ଟ ରେ ସେ କାମ କରୁଛି। ଠିକ ସମୟରେ ଚାକିରୀରେ ଜଏନ ନ କଲେ , ଚାକିରୀ ଚାଲି ଯାଇ ପାରେ । 

   ଆଜି ଯାହା ବି ହେଲେ ସମସ୍ତଙ୍କୁ ଫେରିବାକୁ ପଡିବ । ମନ ଭଲ ଲାଗୁ ନ ଥାଏ ଗାଁ ଛାଡି ଯିବା ପାଇଁ ।

     ନଦୀ କୂଳରେ ହଠାତ ଦେଖା ହୁଅନ୍ତି ମାଳି ସାନ ବୋଉ। ବର୍ଦ୍ଧିତ ବୟସରେ ଅଣ୍ଟା ନଇଁ ପଡ଼ିଲାଣି ।ଗାଁ ସାରା ମାଳତୀ ସାନ ବୋଉ ର ସୁନ୍ଦର ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଦେହର ଚର୍ମ ସିନା ଶୁଷ୍କ ପଡ଼ିଗଲାଣି ହେଲେ ଆଜି ବି ଗୋରା ତକ ତକ ଦେହଟାରେ ଅଶି ଟି ଫଗୁଣ ରଙ୍ଗ ଭରି ରହିଛି। ଆଖିରେ ମୋତିଆ ବିନ୍ଦୁ ପାଇଁ ଠିକ ସେ ଦେଖା ଯାଉ ନାହିଁ। ଠଉରେଇ କି ପଚାରିଲେ , କିଏ ଅମୂଲ୍ୟ କିରେ ?

----ହଁ " ସାନ ବୋଉ । କେମିତି ଅଛ ?

---- ହଁ ରେ ଭଲ ଅଛି । ଦେଖୁଛୁ ତ ବୁଢ଼ୀ ବୟସରେ କେମିତି ମାଟିରେ ଘୁଷୁରିଲେଣି ହେଲେ ଚିତ୍ରକୁଟ ପାଞ୍ଜିରୁ ଏ ଯାଏଁ ଡାକରା ଆସିଲା ନାହିଁ। ବିଧାତା ଆଉ ବା ଏ ବୁଢ଼ୀ ଟା ଠାରୁ କଣ ଆଶା ରଖିଛି କେଜାଣି ?

------ସବୁ ଠିକ ହୋଇଯିବ। ଅଭି , ପରି ସୁ ଯୋଗ୍ୟ ସନ୍ତାନ ପାଇଛ। ଆଉ କ'ଣ ଅଭାବ ଅଛି କୁହ!

-------କଣ କହିବି ଆଉ , ତୁ ବହୁତ ଭାଗ୍ୟବାନ। ନିଜର ପୁଅର ସେବା ପାଇଲୁ ଆଉ ବୋହୂର ହାତ ରନ୍ଧା ଖାଇ ସୁସ୍ଥ ଅଛୁ । ସେମାନେ ତୋର କେତେ ଯତ୍ନ ନେଉଛନ୍ତି। ହେଲେ ମୋର ତ ପୋଡା ଭାଗ୍ୟ । ପୁଅ ବୋହୂ ଦୁହେଁ ପାଖରେ ଥାଇ ବି ଗୋଟେ କାନ୍ଥର ଆର ପାଟରେ ରହୁଛନ୍ତି। ମାଆର ସେବା କରିବା ବଦଳରେ ସେମାନେ ମାଆ କୁ ବୁଢ଼ୀ ବୟସର ବୋଝ ଭାବି ଭିନ୍ନ କରି ଦେଇଛନ୍ତି। ପୁଅ ଜନମ କରିଥିଲି , ମଲାବେଳେ ମୁଖାଗ୍ନି ଦେଲେ ମୋ ଆତ୍ମାକୁ ଶାନ୍ତି ମିଳିବ ବୋଲି। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦେଖ , ଜୀବିତ ଅବସ୍ଥାରେ ଯେଉଁ ମାଆ ନିଜ କାମ ନିଜେ ଘୁଷୁରୀ ଘୁଷୁରୀ କରୁଛି , ସେଠି ପୁଅ ସୁଖ ବା କାହିଁ ଭାଗ୍ୟରେ ଲେଖା ? 

  ଅମୂଲ୍ୟ ରେ କଥା ପଦେ କହିବି , ରଖିବୁ କି ?

------ହଁ , ସାନ ବୋଉ କହୁ ନାହାନ୍ତି !

-------କଥା କଣ କି , ଏଥରର ଭତ୍ତା ପଇସା ମିଳି ନାହିଁ। ହାଣ୍ଡିରେ ଚାଉଳ ଫୁଟି ନାହିଁ ଦୁଇ ଦିନ ହେଲା । ତୁ ତ ବିଦେଶରେ ରହୁଚୁ। ଶୁଣିଛି ତୋ ପୁଅର କୁଆଡେ ଭଲ ରୋଜଗାର। ଟଙ୍କା କିଛି ଚଳିବା ପାଇଁ ଦିଅନ୍ତୁ ନି ବୁଢ଼ୀ ଟା କୁ ? ଭତ୍ତା ମିଳିଲେ ଫେରାଇ ଦେବି।

------- ମନ ଭିତରେ ହସୁ ଥିଲି । ପୁଅ ରୋଜଗାର କରୁଛି ସତ କିନ୍ତୁ ଆଜି ଯାଏ କେବେ ବାପା ର ହାତକୁ ଟଙ୍କା ଟିଏ କେବେ ଦେଇଛି ମନେ ପଡୁ ନାହିଁ । ଥରେ ଡାଇବେଟିସ ଔଷଧ ଆଣିବା ପାଇଁ ଟଙ୍କା ମାଗିଥିଲି ,ପଚାରିବାରୁ କହିଲା କ'ଣ ପେନସନ ଟଙ୍କା ମିଳି ନାହିଁ ? ମୁଣ୍ଡ ହଲାଇ ମନା କଲି । ହାତକୁ ଟଙ୍କା ଦେବା ପରିବର୍ତ୍ତେ କହିଲା ସେ ଔଷଧ ଆଣି ଦେବ । ଦିନେ ଦୁଇ ଦିନ କାର୍ଯ୍ୟ ବ୍ୟସ୍ତ ଭିତରେ ଔଷଧ ଆଣିବା କୁ ଭୁଲିଯିବାର ବାହାନ ତାର ଦେଖିଲା ପରେ ବୁଝି ଯାଇଥିଲି ତାର ନ ଆଣିବାର ଔଷଧ ପଛରେ ଲୁଚି ରହିଥିବା ସ୍ୱାମୀ ସ୍ତ୍ରୀ ଙ୍କର ମତାନ୍ତର ର କଥା ।

     ମୁଁ କୁଆଡେ ସେମାନଙ୍କ ଉପରେ ବୋଝ । ଖାଲି କୁଆଡେ ଲୋକ ଲଜ୍ୟା କୁ ଡରି ମତେ ଆଶ୍ରୟ ଦେଇଛନ୍ତି । କିନ୍ତୁ ତାଙ୍କ ଭିତରେ ମୋ ପାଇଁ ଟିକେ ବି ଆତ୍ମୀୟତା ନାହିଁ। 


  ଦେହକୁ ହଲ୍ଲାଇ ପଚାରିଲେ ମାଳି ସାନ ବୋଉ ......କଣ ହେଲା କିଛି କହିଲୁନି ଯେ ?

--------ଏଥର ବଳକା ପେନସନ ଟଙ୍କାରୁ ଦୁଇ ହଜାଇ କାଢି ତାଙ୍କ ହାତକୁ ବଢ଼ାଇ ଦେଲି । ସେ ଖୁସିରେ କାନ୍ଦି ପକାଇଲେ। ଗଲା ବେଳେ କହୁଥିଲେ ମତେ , ଅମୂଲ୍ୟରେ ,ତୁ ଟା ବହୁତ ଭାଗ୍ୟବାନ। ଲୋକେ କହୁଥିଲେ ତୋ ପୁଅ ତୋର କୌଣସି ବି ଅଭାବ ରଖି ନାହିଁ। ଆଜି ପ୍ରମାଣ ହୋଇଗଲା। ଭଗବାନ ତୋ ପରିବାରକୁ ଘଣ୍ଟ ଘୋଡାଇ ରଖି ଥାନ୍ତୁ। 

  ମାଳି ସାନ ବୋଉର ଆଶୀର୍ବାଦ ପାଇଲା ପରେ ବି ସତ କଣ କେବଳ ମୋ ହୃଦୟ ହିଁ ଜାଣି ଥିଲା । 

  ଜୀବନର ଶେଷ ସୂର୍ଯ୍ୟ ଅସ୍ତ ନ ହେବା ଯାଏଁ , ପ୍ରତି ଟି ମୁହୂର୍ତ୍ତ ସଂଘର୍ଷ ମୟ ଅଟେ । ସମାଜରେ ହାତୀର ଖାଇବା ଦାନ୍ତ ଗୋଟେ ଆଉ ଦେଖେଇଲା ଦାନ୍ତ ଗୋଟେ ପରି , ସୁଖ ଦୁଃଖ ଭିତରେ ସବୁ କିଛି ସାଉଁଟିବା କୁ ହିଁ ଜୀବନ କୁହାଯାଏ। 

   ପାର୍ଥ ର ଫୋନ ଆସିବାର ଦେଖି ଘରକୁ ଫେରିଲି । ସାଥିରେ ଆଣିଥିବା ଗୋଲାପ ଗଛକୁ ଲଗାଇବା ପରେ ବାଡ଼ି ରେ ସୁମିତ୍ରା ର ହସ ହସ ମୁହଁ ଯେମିତି ବଗିଚା ସାରା ଦେଖି ପାରୁ ଥିଲି। 

    ବିମାନ ବନ୍ଦର ଫେରିବା ପାଇଁ ଯେତେବେଳେ ସେମାନେ ବାହାରିଲେ , ଏଥର କିନ୍ତୁ ମୁଁ ଆଉ ପ୍ରସ୍ତୁତ ନ ଥିଲି । ନାତି ଟୋକା ର ମୋହ କି ପୁଅର ଭଲ ପାଇବା ର ଅତୁଟ ସମ୍ପର୍କ ଠାରୁ ଥିଲି ବହୁତ ଦୂରରେ। ମିଛ ସମ୍ପର୍କ ର ମୋହରୁ ମୁକୁଳିବାକୁ ଚାହୁଁଥିଲି। ଶେଷ ନିଶ୍ୱାସ ସୁମିତ୍ରାଙ୍କର ଅନୁପସ୍ଥିତିରେ ତାଙ୍କ ଦ୍ୱରା ଲଗା ଯାଇଥିବା ଗଛ ମାନଙ୍କ ଗହଣରେ କଟିବାର ନିଷ୍ପତ୍ତି ଏଥର କଠୋର ଥିଲା ମୋର। 

  ଶେଷ ରେ ପୁଅ ବୋହୂ ଦୁହେଁ ରାଗିକି , ମରିବା ପାଇଁ ଏକା ଛାଡି ଦେଇ ମତେ ଧମକେଇ ଚାଲି ଗଲେ। ବାଡ଼ିରେ ଲାଗିଥିବା କଲମ୍ବୀ ଆମ୍ବ ଗଛ ଯାହାକୁ ବିବାହର ପ୍ରଥମ ବାର୍ଷିକ ରେ ଲଗାଇଥିଲୁ ଦୁହେଁ ,ତାକୁ ଜାବୁଡି ଧରି କାନ୍ଦୁ ଥିଲି। ପବନ ସହ ତାଳ ଦେଇ ତାର ଡାଳ ପତ୍ର ଆସି ଯେମିତି ମୋ ମୁଣ୍ଡକୁ ଆଉଁସି ଦେଇ କହୁଥିଲା, 

    ଆମେ ଥିବା ଯାଏଁ , ତୁମର କୌଣସି ଅସୁବିଧା ହେବ ନାହିଁ। 





Rate this content
Log in

Similar oriya story from Inspirational