Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ପ୍ରଶାନ୍ତ କୁମାର ବେହେରା

Tragedy Romance


4.7  

ପ୍ରଶାନ୍ତ କୁମାର ବେହେରା

Tragedy Romance


କଲେଜ ପ୍ରେମ

କଲେଜ ପ୍ରେମ

14 mins 480 14 mins 480

ଆଜିକାଲି କଲେଜ ମାନଙ୍କରେ ପୂର୍ବର ପରିବେଶ ଓ ପରିସ୍ଥିତିରେ ଢେର୍ ପରିବର୍ତ୍ତନ ଆସିଲାଣି l ଏ ପରିବର୍ତ୍ତନ ସବୁ କ୍ଷେତ୍ରକୁ ବ୍ୟାପି ଗଲାଣି l କଲେଜରେ ପଢିବା ସମୟରେ ପ୍ରେମ କରିବା ବା ପ୍ରେମରେ ପଡିବା ଏକ ସାଧାରଣ କଥା l ଏହି ପ୍ରେମ ହୋଇପାରେ ଏକ ପାଖିଆ ବା ଦୁଇ ପକ୍ଷଙ୍କ ସହମତି ଭିତ୍ତିକ l  କିଛି ଦୁଇ ପାଖିଆ ପ୍ରେମ କେତେବେଳେ ଏକ ପାଖିଆରେ ବା ଆଉ କିଛି ଏକ ପାଖିଆ ପ୍ରେମ ଦୁଇ ପାଖିଆରେ ରୂପାନ୍ତରିତ ହୋଇଯାଏ ସେମିତି କହି ହୁଏନି l କିଛି ପ୍ରେମ କରାଳି କଲେଜ ଜୀବନ ଭିତରେ ଏତେ ବେଗରେ ସେମାନଙ୍କ ପ୍ରେମକୁ ଧାବମାନ କରାନ୍ତି ଯେ, ସେଇ ସମୟରେ ହିଁ ଦୁହେଁ କିଛି ଦିନ ଫେରାର୍ ହୋଇ ସିଧା ବାହା ହୋଇ ଫେରନ୍ତି l ଜୀବନର ପନ୍ଥା ନିରୁପିତ ହୋଇ ନଥିବା କାରଣରୁ ବାପ ମାଆଙ୍କ ଉପରେ ଉଭୟ ପୁଅ ବୋହୁ ବୋଝ ହୋଇଯାଆନ୍ତି l ସେତେବେଳେ ବାପ ମାଆ ମାନଙ୍କ ପାଖରେ ସେ ବୋଝ ମୁଣ୍ତାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥାଏ l  

ଆଉ କିଛି ଦୁଇ ପାଖିଆ ପ୍ରେମ କଲେଜରେ ପଢା ସରିବା ପରେ ମଧ୍ଯ ଚାଲେ l ଏ କାଟେଗୋରୀରେ ଆସୁଥିବା ଯୋଡି ମାନଙ୍କ ମଧ୍ଯରୁ କିଛି ପ୍ରେମ ସଫଳ ହୋଇ ବାହାଘର ହୋଇଯାଏ l ଆଉ କିଛି ସମୟ ସ୍ରୋତରେ ଅସଫଳ ହୋଇ ସେ ପ୍ରେମ ଅମର ହୋଇଯାଏ l ସେଇ କଲେଜ ଜୀବନରେ ଏମିତି କିଛି ଏକ ପାଖିଆ ପ୍ରେମ ଥାଏ, ଯେଉଁଠି ଆର ପକ୍ଷ ଜାଣିପାରେନି ତାକୁ କିଏ ପ୍ରେମ କରୁଛି ବୋଲି l ଏ କିସମର ପ୍ରେମ ସେଇ ଅନ୍ଧାର ଭିତରେ ରହିଯାଏ, ଦିନର ଆଲୁଅ କେବେ ଦେଖି ପାରେନା l

କଲେଜ ଜୀବନରେ ଘଟୁଥିବା ପ୍ରେମ ମଧ୍ଯରୁ ଯେତିକି ସଫଳ ହୁଏ ତା' ଠାରୁ ଢେର୍ ଅଧିକ ଅସଫଳ ହୋଇ ତାଙ୍କ ପ୍ରେମ ଅମର ହୋଇଥାଏ l ପ୍ରେମ କରି ସଫଳ ହୋଇ ବିବାହ ପରେ ତାଙ୍କ ପ୍ରେମ ସମୟରେ ଦେଖିଥିବା ସ୍ୱପ୍ନ ସବୁ ଧୁ ଧୁ ଖରା ମରୁଭୂମିରେ ପୋଡିଯାଇ ଧୁଳିସାତ୍ ହୋଇଯାଏ l ସେମାନେ ବିବାହ ପରେ ପସ୍ତେଇବା ଆରମ୍ଭ କରନ୍ତି ଆଉ କିଛି କେସ୍ ରେ ବିବାହ ବିଚ୍ଛେଦ ଯାଏ କଥା ବି ଯାଏ l ଆଉ କିଛି ପ୍ରେମ କ୍ଷେତ୍ରରେ ଏମିତି ହୁଏ ସେ ପ୍ରେମି ଯୁଗଳଙ୍କ ଭିତରୁ ଗୋଟେ କିଏ ଅତ୍ମହତ୍ୟା କରିବା ଯାଏ କଥା ଯାଏ l 

ଏ ପ୍ରେମ କରିବା କିଛି ନୂଆ କଥା ନୁହେଁ l ଆମେ କଲେଜରେ ପଢୁଥିବା ସମୟରେ ଥିଲା, ଆମ ପୂର୍ବରୁ ଥିଲା, ଏବେ ବି ଅଛି l କିନ୍ତୁ ସମୟର ସ୍ରୋତରେ ତାଳଦେଇ ପ୍ରେମର ସଜ୍ଞାରେ ବହୁତ କୁଛି ପରିବର୍ତ୍ତନ ଘଟିଛି l ଆମ ସମୟରେ ବା ଆମ ପୂର୍ବରୁ ଅାଜିକାଲି ପରି ପ୍ରେମରେ ଏତେ ଗପସପ ବା ଏକାନ୍ତ ହେବା ନଥିଲା l ଏବେ କିନ୍ତୁ ସେସବୁ ଖୁବ୍ ସାମାନ୍ୟ କଥା l କଲେଜରେ ପଢୁଥିବା ଆଉ ପ୍ରେମରେ ପଡିଥିବା ପିଲା ମାନେ କେବଳ ଯେ କଲେଜରେ କଥା ହେଉଛନ୍ତି, ଏକାନ୍ତ ହେଉଛନ୍ତି ତାହା ନୁହେଁ, ବରଂ ବାହାର କିଛି ପିଲା ବି କଲେଜ ପରିସରରେ ଆସି ପହଞ୍ଚିଯାଉଛନ୍ତି l 

ଏମିତି ବି ହେଉଛି, କଲେଜରେ ଝିଅଟି ପଢୁଛି, ଗାଁଆଁ ବା ଅନ୍ୟ କେଉଁ ବନ୍ଧୁଘର ଗାଁଆଁ ର ଗୋଟେ ପୁଅକୁ ପ୍ରେମ କରୁଛି, ସେଠି କଥାବାର୍ତ୍ତା ହୋଇ ହେଉନି ତେଣୁ ପ୍ରେମିକଟି ଝିଅର ପଛେ ପଛେ ଆସି କଲେଜରେ ହାଜର୍ l ତାମାନେ ତାଙ୍କର ପ୍ରେମକୁ ଲାଳନ ପାଳନ କରି ଆଗେଇ ନେବାକୁ କଲେଜ ପରିସରକୁ ଉପଯୁକ୍ତ ସ୍ଥାନ ବୋଲି ଧରି ନେଉଛନ୍ତି l ଏଠି କଲେଜରେ ସେଭଳି ପ୍ରେମକୁ ନେଇ ସମୟ ସମୟ ବଡ ଧରଣର ଗଣ୍ତଗୋଳ ବି ହୁଏ l କଲେଜର କିଛି ପୁଅ ମାନେ କୁହନ୍ତି ବାହାର ଟୋକାଟା ଆମ କଲେଜକୁ କାଇଁ ଆସି ଏମିତି ଗପସପ ହୋଇ ଆମ କଲେଜ ପରିବେଶକୁ ନଷ୍ଟ କରିବ ? କଲେଜରେ ପଢୁଥିଲେ କଥା ଅଲଗା l ତେଣୁ କିଛି କଲେଜ ପିଲା କଲେଜ ପରିବେଶକୁ ରକ୍ଷା କରିବାକୁ ଆଗେଇ ଆସି ପୁରା ତାଲିବାନି ଷ୍ଟାଇଲ୍ ରେ ସେଇ ବାହାରୁ ଆସିଥିବା ପ୍ରେମିକଟିକୁ ମାରିବାକୁ ଗୋଡାନ୍ତି l 

ଅବଶ୍ୟ ସେ ପୁଅଟି ଯଦି ଲୋକାଲ୍ ପିଲା ହୋଇଥିବ ତାହେଲେ ସେଇ ତାଲିବାନି ପିଲାମାନେ ଚୁପ୍ ଚାପ୍ ରହିବାକୁ ଶ୍ରେୟ ମଣନ୍ତି l ଅର୍ଥାତ୍ ବାହରୁ ଆସିଥିବା ପ୍ରେମିକଟି ଯଦି ଦୃବଳ ହୋଇଥିବ ତାହେଲେ ବହେ ମାଡ ଖାଇବା ନିଶ୍ଚିତ ଆଉ ଯଦି ସବଳ ହୋଇଥିବ ତେବେ ତାଲିବାନି କଲେଜ ଛାତ୍ରମାନେ ଲାଙ୍ଗୁଡ ଯାକି ପଳାୟନ କରିବାକୁ ଉଚିତ୍ ମଣନ୍ତି l ଏମିତି ବି ସମୟ ସମୟ ହୁଏ, ଗୋଟେ ଝିଅକୁ ଦୁଇ ବା ତଦୁର୍ଦ୍ଧ ପୁଅ ପ୍ରେମ କରି ବସନ୍ତି ଆଉ ତା ଫଳରେ ଧୁମ୍ ମାଡଗୋଳ, ହଣା କଟା ବି ହୁଅନ୍ତି l ଏମିତି ଘଟଣା ସବୁ କଲେଜରେ ଆଜିକାଲି ଘଟୁଛି l

ଗୋଟେ ଖୁବ୍ ମଜାଦାର୍  ପ୍ରେମ କଥା କହୁଛି l ଏମିତି ଘଟଣା କେବଳ ଆମ କଲେଜ କାହିଁକି ସାରା ଓଡିଶାରେ ବି ଘଟୁଥିବ l

 ୨୦୦୪ କିମ୍ୱା ୨୦୦୫ ମସିହା କଥା l ଦିନେ ଆମ କଲେଜ ପ୍ରିନ୍ସପାଲ୍ ବିମଳ ସାର୍ ମୋତେ ଡକାଇ ପଠାଇଲେ l ଯାଇ ଦେଖିଲି ସାର୍ ଙ୍କ ପାଖରେ କିଛି ଝିଅ ଠିଆ ହୋଇଛନ୍ତି l ମୋତେ ଦେଖୁ ଦେଖୁ ସାର୍ କହିଲେ , " ୟାଙ୍କ କଥା ବୁଝ l ଦୁଇଦିନ ତଳେ ବି କିଛି ଝିଅ ଏଇ ଅଭିଯୋଗ ଆଣି ଆସିଥିଲେ l ଆଜି ସେଇ ସେମ୍ ଅଭିଯୋଗ ଏମାନେ ବି ଆଣି ଆସିଛନ୍ତି l"

ଅଭିଯୋଗ ହେଉଛି - ସେମାନଙ୍କ ସାଇକେଲ୍ ପମ୍ପ୍ କେହି ଖୋଲି ତା ଭଲ୍ଟ୍ୱୁ କାଢି ନେଇ ଯାଉଛନ୍ତି l ଦୁଇଦିନ ପୂର୍ବରୁ ଯେଉଁ ପିଲାମାନେ ଆସିଥିଲେ ସେମାନଙ୍କର ଏଇ ଏକା ଅଭିଯାୋଗ ଥିଲା l ଏ ସବୁ ପିଲା ହେଉଛନ୍ତି ଯୁକ୍ତ ଦୁଇର ବିଜ୍ଞାନ ଛାତ୍ରୀ l ସେମାନେ କଲେଜ ସାଇକଲ୍ ଷ୍ଟାଣ୍ଡ୍ ରେ ସାଇକେଲ ନ ରଖି ତାଙ୍କ ବ୍ଲକ୍ ପାଖରେ ଥିବା ବରଗଛ ମୂଳରେ ରଖିଥିଲେ l ମୁ୍ଁ କିଛି ଯୁକ୍ତ ତିନିର ସ୍ଥାନୀୟ ପିଲାଙ୍କୁ କାଇଁ ଏମିତି ହେଉଛି ବୁଝିବାକୁ କହିଲି l ସେମାନେ ବୁଝିକି ଯାହା କହିଲେ ମୁ ଶୁଣିକି ପୁରା ତାଜୁବ୍ l

କଥାଟା ହେଉଛି ଏମିତି l ସେତେବେଳେ ଦୁଇଟା ହିନ୍ଦି ଫିଲ୍ମ୍ ମେର୍କେଟ୍ ରେ ଚହଳ ପକାଇଥିଲା l ଧୁମ୍ ଆଉ ମର୍ଡର୍ l ସେଇ ଯୁକ୍ତ ଦୁଇ ବିଜ୍ଞାନର କିଛି ଛାତ୍ର ମିଶି ଧୁମ୍ ଗୃପ୍ ଆଉ କିଛି ମର୍ଡର୍ ଗୃପ୍ କରିଥିଲେ l ସେମାନେ ତାଙ୍କ ତାଙ୍କ ଭିତରେ ଫାଇନାଲ୍ କରି ଝିଅ ମାନଙ୍କୁ ଭଲ ପାଉଥିଲେ ଯାହାକି ସେ ଝିଅ ମାନେ ଜାଣି ନଥିଲେ l ପୂର୍ବ ଥର ମର୍ଡର ଗୃପ୍ ବାଲା ମିଶି ଧୁମ୍ ଗୃପର ପୁଅମାନେ ଏକ ପାଖିଆ ଭଲ ପାଉଥିବା ଝିଅ ମାନଙ୍କର ପମ୍ପ୍ ଖୋଲିଥିବା ବେଳେ ଏଥର ଧୁମ୍ ଗୃପ୍ ବାଲା ମର୍ଡର ଗୃପ୍ ର ପୁଅମାନେ ଭଲପାଉଥିବା ଝିଅ ମାନଙ୍କର ସାଇକେଲ୍ ରୁ ପମ୍ପ୍ ଖୋଲି ବଦ୍ଲା ନେଇ ମାମଲା ବରାବର କରି ଦେଇଛନ୍ତି l

ଏଠି ଦେଖନ୍ତୁ ପ୍ରେମ କଣ ? ଝିଅ ମାନେ ଜାଣି ନାହାନ୍ତି ତାଙ୍କୁ କିଏ ଭଲ ପାଉଛି ବା ପ୍ରେମ କରୁଛି l ପ୍ରେମ ନକରି ପ୍ରେମିକା ହୋଇ ବିନାକାରଣରେ ହଇରାଣ ହେଲେ l ସାଇକେଲ୍ କୁ ଗଡେଇ ଗଡେଇ ଘରକୁ ନେଲେ ବା ପଇସା ଖର୍ଚକରି ସଜାଡିଲେ l ଏବେ ଅବଶ୍ୟ ସମୟ ବଦଳିଛି l ସମୟର ସାଥେ ସାଥେ ତାଳ ଦେଇ ପ୍ରେମର ସଜ୍ଞା ବି ବଦଳୁଛି l କିନ୍ତୁ ପ୍ରେମ ସଫଳ ହୋଇ ପ୍ରେମର ମୃତ୍ଯୁ ହେଉଛି ବା ଅସଫଳ ହୋଇ ପ୍ରେମ ଅମର ହୋଇଯାଉଛି - ଏ କଥାର ସଜ୍ଞା ଆଦୌ ବଦଳି ନାହିଁ l ଏବେ ବି ପ୍ରେମ ଅଧିକ ସଂଖ୍ଯାରେ ସେମିତି ଅମର ହେଉଛି l

ମୋର ଗୋଟେ ସାଙ୍ଗ ଯିଏ ମୋ ଘର ପାଖରେ ରହୁଥିବା ଓ ଆମ ତଳ ଶ୍ରେଣୀରେ ପଢୁଥିବା ଆଉ କୁଆଡେ ମାଧୁରୀ ଭଳି ଦେଖାଯାଏ ସେହି ଝିଅକୁ ଲାଇନ୍ ମରୁଥିଲା l ତାର ସେଇ ଅଦ୍ଭୁତ କଥା ଗୋଟେ କହୁଛି l ଏ ଦଶହରା ବେଳେ କଲେଜ ଛୁଟିଥାଏ l ଲମ୍ୱା ଛିଟି ହେତୁ ମୋ ସାଙ୍ଗ ତା ଗାଁ କଟରାରେ ଅବସ୍ଥାନ କରୁଥାଏ l କିନ୍ତୁ ତା ମନ ସବୁବେଳେ ସେଇ ମାଧୁରୀ ଭଳି ଦେଖା ଯାଉଥିବା ପ୍ରେମିକା ପାଖରେ ଥାଏ l ଦିନେ ସକାଳେ ଆସି ମୋ ପାଖରେ ହାଜର୍ l 

ମୁ୍ଁ କହିଲି, " କଣ ଏ ଛୁଟିରେ ଏତେ ସକାଳୁ ଆସି ହାଜର l ମାମି ଦେଖାହେଲା କି ? " ( ମାମି ହେଉଛି ତା ପ୍ରେମିକା ) 

ସାଙ୍ଗ କହିଲା, " ନାଇଁ ଦେଖା ହେଇନି l"

ମାମି କାଇଁ ଜାଣିବ ଯେ ତାକୁ ଲାଇନ୍ ମାରୁଥିବା ଟୋକା କଟରାରୁ ଏମିତି ସାଇକେଲ ପେଲି ପେଲି ଧାଇଁ ଆସୁଥିବ ଦେଖିବାକୁ ? ମୋ ସାଙ୍ଗର କିନ୍ତି ଖୁବ୍ ଆଶା ଥାଏ ଏଥର ଫେରିବା ବେଳେ ମାମି ନିଶ୍ଚେ ତା ଘର ସାମ୍ନାରେ ଦେଖାହେବ l ସେଇ ଆଶା ନେଇ ସେ ଫେରିଗଲା l ସେତେବେଳକୁ ସକାଳ ୯ ଟା ହେବ l ପୁଣି ସେ ସାଙ୍ଗ ଦିନ ୧୨ ରେ ଆସି ମୋ ପାଖରେ ପହଞ୍ଚି କହିଲା, " ସେତବେଳେ ଦେଖା ହେଲା ନାହିଁ, ପୁଣି କଟରା ଯାଇ ଆସିଲି l ଏବେ ବି ସେ ଦେଖା ହୋଇନି, ଦେଖେ ଫେରିବା ବେଳେ କାଳେ ଦେଖା ହୋଇଯିବ l"

ମୁଁ କହିଲି " ହଉ ଏବେ ରହ ଖାଇକି ଯିବୁ l "

ସେ କହିଲା ନାଇଁ ମାମି କାଳେ ଖାଇକି ଖରାବେଳେ ଶୋଇଯିବ l ମୁ୍ଁ ଯାଉଛି ଘରେ ଖାଇବି l"

ସେ ସଙ୍ଗେ ସଙ୍ଗେ ପୁଣି ଯେମିତି ଆସିଥିଲା ସେମିତି ଧୁମକେତୁ ପରି ସାଇକେଲ୍ ମାରି ପଳାଇଲା l କିନ୍ତୁ ତାପରେ ମୁଁ ପୁରା ଅଶ୍ଚର୍ଯ୍ୟ ହୋଇଗଲି ଯେତେବେଳେ ପୁଣି ତାକୁ ସଂଧା ୪ ଟାରେ ଦେଖିଲି l ବହୁତ ମନଦୁଖରେ କହିଲା, " ଆଜି ବେଳା ଖରାପ l ସେତେ ବେଳେ ଦେଖା ହେଲାନି କି ଏବେ ଆସିଲା ବେଳେ ବି ଦେଖା ହେଲାନି l" 

ମୁଁ ଦେଖିଲି ସେ ସାଇକଲ୍ ଚଲାଇ ଚଳାଇ ପୁରା କଳା ପଡିଗଲାଣି l ମୁଁହ ପୁରା ଶୁଖି ଯାଇଥାଏ l ଆମ ଘର ପାଖରୁ କଟରା ଅତି କମ୍ ରେ ୧୬ କିଲୋ ମିଟର ହେବ l ସାଙ୍ଗ ମୋର ତା ପ୍ରେମିକାକୁ ଦେଖିବାକୁ ସେଦିନ ଯିବା ଆସିବାରେ ପାଖା ପାଖି ୮୦ କିଲୋମିଟର ସାଇକେଲ୍ ଚଳାଇ ସାରିଲାଣି l ଏବେ ପୁଣି ୧୬ କିଲୋମିଟର ଯିବ l

ମୁଁ କହିଲି, " କାଇଁ ଏମିତି ହେଉଛୁ ? ଦେଖିଲେ କଣ ଟା ହୋଇଯିବ ?"

ମୋ ସାଙ୍ଗ ବିଗିଡି ଯାଇ କହିଲା, " ତୁ କଉଁଠୁ ଜାଣିବୁ ମୋ ମନ କଥା ? ଭଗବାନ୍ କଣ ଏତେ ଅନ୍ୟାୟ କେବେ କରିବେ ? ଏତେ ପରିଶ୍ରମ କଲେଣି ମାନେ ଦେଖିବୁ ଏବେ ଫେରିଲା ବେଳେ ମାମି ନିଶ୍ଚେ ଦେଖାହେବ l"

ସେଇ ଅଶାକୁ ପାଥେୟ କରି ମୋ ସାଙ୍ଗ ପୁଣି ସାଇକଲ୍ ମାରି ଚାଲିଲା କଟରା - ଭାୟା - ମାମି ପ୍ରେମିକା ଘର ଦେଇ l ମୋର ତା ଉପରେ ବହୁତ ଦୟା ଆସୁଥାଏ l ଶଳା କି ମାଧୁରୀ ଭଳି ସେ ମାମି ନାମଧାରୀ ଝିଅଟା ତା ପ୍ରେମିକା ହେଲା ବିଚରା କେତେ କଷ୍ଟ ପାଉଛି l ଶେଷକୁ ମୁ୍ଁ ଗୋଟେ ପିଲା ମାଧ୍ଯମରେ ଖବର ନେଇ ଜାଣିଲି ମାମି ଦୁଇ ତଳୁ ତା ମାମୁଁ ଘରକୁ ଯାଇଛି l ହେଲେ ମୋ ସାଙ୍ଗ ଏଣେ ସାଇକଲ୍ ମାରି ମାରି କହୁଛି ପରିଶ୍ରମ କରୁଛି ମାନେ ଭଗବାନ୍ ତାକୁ ନିଶ୍ଚେ ଫଳ ଦେବେ l 

ଦେଖନ୍ତୁ ଏଠି ମୋ ସାଙ୍ଗ ନିଶା ନ ଖାଇ ବି ଗୋଟେ ନିଶାଖୋର୍ ଠାରୁ ଅଧିକ ନିଶାରେ ଅଛି l କେତେ କ୍ଷମତା ସତରେ ଏଇ ପ୍ରେମରେ l ଶେଷକୁ ହେଲା କଣ ? ତା' ପ୍ରେମ ଅସଫଳ ହୋଇଗଲା l ତା ପ୍ରେମିକା ଅନ୍ୟ କେଉଁଠି ବାହା ହୋଇଗଲା l

ମୋର ଆଉ ଗୋଟେ ସାଙ୍ଗ କଥା କହୁଛି l ସେ କଲେଜରେ ପଢୁଥିବା ବେଳେ ଗୋଟେ ଝିଅକୁ ଭଲ ପାଉଥିଲା l ଅବଶ୍ଯ ଫାଳିକିଆ ପ୍ରେମ ନଥିଲା l ସେ ଝିଅ ବି ଭଲ ପାଉଥିଲା ମୋ ସାଙ୍ଗକୁ l ଆମ କଲେଜ୍ ସରିବା ପରେ ବି ସେ ଝିଅ ନିୟମିତ ବ୍ୟବଧାନରେ ଆସି ମୋ ସାଙ୍ଗ ସହ କଥା ହୁଏ l ମୁଁ ଧରିନେଲି ଏ ପ୍ରେମଟା ଯେମିତି ଢଙ୍ଗରେ ଗତି କରୁଛି ଖୁବ୍ ଶୀଘ୍ର ସଫଳ ହୋଇଯିବ l 

କିନ୍ତୁ ହେଲା ଆଜ୍ଞା ସମ୍ପୂର୍ଣ୍ଣ ଓଲଟା l ହଠାତ୍ ମୋ ସାଙ୍ଗର ପ୍ରେମିକାର ବାହାଘର ତା ବାପ ମାଆ ଠିକ୍ କରିଦେଲେ l ମୋ ସାଙ୍ଗର ପ୍ରେମିକା ତା ପ୍ରେମ କରିବା କଥା ସବୁ କହିଲା ଖୋଲିକି ତା ବାପ ମାଆଙ୍କୁ l କିନ୍ତୁ ସେମାନେ ତାକୁ ଇମୋସିଓନାଲ୍ ବ୍ଲାକମେଲିଙ୍ଗ୍ କଲେ l କହିଲେ ତୋ ଇଚ୍ଛାରେ ଯଦି ବାହା ହେବୁ ତାହେଲେ ଆମ ମଲା ମୁହଁ ଦେଖିବୁ l ପ୍ରେମିକାଟି ବହୁତ ଚିନ୍ତା କରିବା ସହ କନ୍ଦାକଟା କରି ଫାଇନାଲ୍ କଲା ତା ବାପ ମାଆ ଯେଉଁଠି ଠିକ୍ କରିଛନ୍ତି ସେଇଠି ବାହା ହୋଇଯିବ l

ତାମାନେ ଫାଇନାଲି ମୋ ସାଙ୍ଗର ପ୍ରେମଟା ଅସଫଳ ହୋଇ ଅମର ହୋଇଗଲା l ଯେଉଁଦିନ ସେ ଝିଅର ବାହାଘର ସେଇଦିନ ମୋ ସାଙ୍ଗ ମୁଣ୍ଡରେ ଦୁଇଟି ଅଦ୍ଭୁତ କଥା ପଶିଲା l ଏମିତରେ ପ୍ରେମିକାର ବାହାଘର ଦିନ ପ୍ରେମିକର ମନର ଅବସ୍ଥା କଣ ହେଉଥିବ ଆପଣମାନେ ନିଶ୍ଚେ ଜାଣିପାରୁଥିବେ l ଦୁଃଖରେ ତା ହୃଦୟ ଭିତରଟା ବିଦାରୀ ହେଉଥିବ l ମୁଣ୍ଡ କାମ କରୁ ନଥିବ l କେବଳ ଯେଉଁମାନେ ଭୁକ୍ତଭୋଗୀ ସେଇମାନେ ଜାଣିଥିବେ ସେଦିନର ଦୁଃଖକୁ l

ମୋ ସାଙ୍ଗ ମିୁଣ୍ଡରେ ଯେଉଁ ଦୁଇଟି କଥା ପଶିଥିଲା ତାହା ହେଉଛି - ସେଇ ବାହାଘର ଦିନ ପ୍ରେମିକା ପାଖକୁ କିଛି ଉପହାର ପଠାଇବ ଆଉ ୨ୟ କଥା ହେଉଛି ତା ପ୍ରେମକୁ ଅମର କରିବା ପାଇଁ ସେଇ ବାହାଘର ରାତିରେ ଅତି ଆପଣାର ସାଙ୍ଗ ମାନଙ୍କୁ ଧରି ପ୍ରେମ ଆରମ୍ଭ ହୋଇଥିବା କଲେଜରେ ସାରାରାତି ନିଶାପାଣି ଖାଇ ବିତେଇଦେବା l 

ସେଇଆ ମଧ୍ଯ ହେଲା l ଆମ ସାଙ୍ଗ ମାନଙ୍କ ଭିତରୁ ଜଣେ ଗିଫ୍ଟ୍ ନେଇ ସେଇ ବାହାଘର ଦିନ ପ୍ରେମିକା ଘରକୁ ଗଲା l ଯିଏ ଗଲା ସେ ଆସି ମୋ ସାଙ୍ଗକୁ କହିଲା, " କି କାନ୍ଦ କାନ୍ଦିଲା ଏ ଗିଫ୍ଟ୍ ଦେଖିକି ତୋ ପ୍ରେମିକା l" 

ମୋର କିନ୍ତୁ ଆଜିଯାଏ ବି ଡାଉଟ୍ ଅଛି ସେ ଟୋକା ସତ କହିଲା କି ମିଛ କହିଲା l କିନ୍ତୁ ତାର ସେଇ କଥାରେ ମୋ ସାଙ୍ଗ ଯେମିତି ଭେଁ ଭେଁ ରଡ୍ଡି ଛାଡ଼ି କାନ୍ଦିଲା ସେମିତି କାନ୍ଦ ଆଜିଯାଏ ମୁଁ ଆଉ କେଉଁଠି ଦେଖିନି l

ତାପରେ ମୋ ସାଙ୍ଗର ୨ୟ ମନସ୍କାମନା ପୂରଣ ପାଇଁ ସେଇ ବାହାଘର ଦିନ ସଂଧାରେ ଆମେ କିଛି ଖାସ୍ ସାଙ୍ଗ କଲେଜ ପଡିଆରେ ସାରା ରାତି କଟାଇଦେବାକୁ ସ୍ଥିର କରି ଘରେ କହିକି ଆସିଲୁ l ଆମ ଭିତରୁ କିଛି ସ୍ଥାନୀୟ ପିଲା ଥିବା ବେଳେ ଆଉ କିଛି ଦୂର ସ୍ଥାନରୁ ଆସିଥାନ୍ତି l ସେତେ ବେଳେ କଲେଜର ଦକ୍ଷିଣ ପଟେ ଥିବା ପୂର୍ଣ୍ଣବାବୁ କ୍ୟାଣ୍ଟନ୍ ରେ ଆମର ରାତ୍ରି ଖାଇବା ବରାଦ ଦିଆଯାଇଥାଏ l ନିଶାଖୋର୍ କିଛି ଥିବାରୁ ମଦର ବି ବ୍ୟବସ୍ଥା କରାଯାଇଥାଏ l ମୋ ସାଙ୍ଗ ତା ପ୍ରେମକୁ ଅମର କରିବା ପାଇଁ ସବୁ ପ୍ରକାର ସୁବନ୍ଦୋବସ୍ତ କରିଥାଏ l 

ରାତ୍ରି ଭୋଜନ ପରେ ସମସ୍ତେ କଲେଜ ପଡିଆ ମଝିରେ ଗୋଲ୍ ହୋଇ ବସିଗଲୁ l ରୁବୁ ଆଉ ମୋତେ ଛାଡି ସମସ୍ତେ ମଦ ପିଇବାରେ ମାହିର୍ l କିଛି ମଦୁଆ ଏକାଠି ହେଲେ ଅଣ ମଦୁଆ ସେଠି ଖୁବ୍ ମଜା ନିଏ l ଏଠି ଅବଶ୍ଯ ମାହୋଲ୍ଟା ଖୁବ୍ ଦୁ୍ଃଖକର ଥିଲା l ସମସ୍ତେ ଚୁପ୍ ଚାପ୍ ପିଉଥାନ୍ତି l ସମସ୍ତଙ୍କ ମନ ଭିତରେ ଗୋଟେ କଥା ଥାଏ ତାହା ହେଉଛି ସାଙ୍ଗକୁ କେମିତି କଣ ବୁଝାଇ ତା ମନର ଦୁଃଖକୁ ହାଲକା କରିବା l କିନ୍ତୁ କିଏ ଆଗ ବୁଝାଇବା ଆରମ୍ଭ କରିବ ସେଇଠି କଥା ଅଟକିଥିଲା l କିଏ ଜଣେ ଆଗ ଆରମ୍ଭକରୁ ଏମିତି ସମସ୍ତେ ଛକାଛକି ହୋଇ ରହିଥିଲେ l

କିନ୍ତୁ ମଦ ନିଶା ଆସ୍ତେ ଆସ୍ତେ ବଢୁଥାଏ l ରାତି ଅଧ ପାଖା ପାଖି ସମୟ l ହଠାତ୍ ଗୋଟେ ଟୋକା ମୁଣ୍ଡରେ କଣ ପଶିଲା କେଜାଣି ରଡ୍ଡି ଛାଡ଼ି କାନ୍ଦି ଉଠି ଯେଉଁ ସାଙ୍ଗ ତା ପ୍ରେମକୁ ଅମର କରୁଥିଲା ତା ଗୋଡକୁ ମାଡିବସି କହିଲା, " କଣ ସବୁ ଏମିତି ହୋଇଗଲାରେ ସାଙ୍ଗ ? ଏବେ ସେଠି ବାହାଘରରେ ହାତଗଣ୍ଠି ପଡୁଥିବ l" 

ଏତିକି କହି ସେ ଟୋକା ଯେମିତି ଗୋଟେ ବାରୁଦ ଗଦାରେ ନିଆଁ ଲଗାଇଦେଲା l ତାପରେ ତ ଅବସ୍ଥା ପୁରା ଅସମ୍ଭାଳ l ରଡ୍ଡି ଛାଡ଼ି ସମସ୍ତେ କାନ୍ଦିବା ଆରମ୍ଭ କରିଦେଲେ l ଯିଏ ଯାହାକୁ ପଇଲା ଧରି କାନ୍ଦିଲା l କିଏ ତଳେ ଗଡି ଗଡି କାନ୍ଦିଲାଣି ତ ଆଉ କିଏ ଆକାଶକୁ ଅନେଇ କାନ୍ଦିଲାଣି l କଲେଜ ପଡିଆଟା ଖାଲି କାନ୍ଦରେ ପଡୁଥାଏ ଆଉ ଉଠୁଥାଏ l 

ଦେଖନ୍ତୁ ଏଠି କଥା କେମିତି ? ତେଣେ ପ୍ରେମିକା ବାହା ବେଦୀରେ ବସିଛି ଏଣେ କିନ୍ତୁ ପ୍ରେମିକ ସେଇ ପ୍ରେମକୁ ଝୁରି ହେଉଛି l 

ମୁଁ ଯେତେ ବେଳେ ଯୁକ୍ତ ୩ ପ୍ରଥମ ବର୍ଷରେ ପଢୁଥିଲି ମୋର ଜଣେ ସମ୍ପର୍କୀୟ ବଡ ଭାଇ ଓଡିଆ ଅନର୍ସ ନେଇ ପଢୁଥିଲେ l ସେ ଦିନେ ମୋତେ ଡାକି କହିଲେ , " ଆରେ ତୁ କୁଆଡେ ପ୍ରେମ କରୁଛୁ ? ଆଚ୍ଛା ସେ ଝିଅଟାର ରେସ୍ପନ୍ସ କେମିତି ? " 

ତାଙ୍କ କଥା ଶୁଣି ଟିକେ ଲାଜେଇ ଗଲେ ବି ମନେ ମନେ ବହୁତ ଖୁସି ହେଲି l ଭାବିଲି ଯାହା ହେଉ ମୋ ପ୍ରେମ କରିବାଟା ଏ ଭିତରେ ଖବର ପାଲଟି ଗଲାଣି l ମୋ ଉପର କ୍ଲାସ୍ ପିଲାମାନେ ବି ମୋ ପ୍ରେମ ଉପରେ ଆଲୋଚନା କଲେଣି l ନୂଆ ନୂଆ ପ୍ରେମରେ ପାଦ ଦେଇ ମୁଁ ତାହେଲେ ଫେମସ୍ ହୋଇଗଲେଣି l ତଥାପି ମୋ ହୃଦୟ ଭିତରେ କଲ୍ଲୋଳିତ ହେଉଥିବା ସବୁ ଖୁସିକୁ ଯୋର କରି ଚାପିଦେଇ କହିଲି, " ନାଇଁ ଭାଇ , ସେମିତି କିଛି ବି ନୁହେଁ l"

ସେ କହିଲେ, " ଆରେ ଦୁଷ୍ଟ ଟା କିରେ ! କଲେଜରେ ପଢିଲା ବେଳେ ପ୍ରେମ କରିବୁନି ତ ଆଉ କେତେବେଳେ କରିବୁ ? ମୋତେ କାଇଁ ଲୁଚାଉଛୁ ? ଆରେ ମୋତେ କହିଲେ ଅସୁବିଧା ନାହିଁ l ମୋ ଦ୍ୱାରା ଯେତିକି ହେବ ସାହାଯ୍ୟ କରିବି l "

ମୁଁ ପୁରା ଲାଜେଇ ଯାଇ କହିଲି, " ହଁ ଭାଇ, ଏଇ ଅଳ୍ପ ଦିନ ହେଲା ଆରମ୍ଭ ହୋଇଛି ।"

 " ଆଚ୍ଛା ତା ସହିତ କଥାବାର୍ତ୍ତା ହେଉଛୁ ? " ସେ ପଚାରିଲେ l

ମୁଁ କହିଲି, " ନାଇଁ ଭାଇ କଥା ହୋଇନି l" 

ସେ କହିଲେ, " ତାହେଲେ ସେ ଭଲ ପାଉଛି ବୋଲି କେମିତି ଜାଣିଲୁ ?"

" ଆମେ କ୍ଲାସ୍ ରେ ବସି ଅନାଅନି ହେଉ ।" - ମୁଁ କହିଲି l

ବାସ୍ତବରେ ସେ ସମୟରେ ଆଜିକାଲି ପରି ଏମିତି ଖୁଲମ୍ଖୁଲା ପ୍ରେମ ନଥିଲା l କାଁଭାଁ କେଇ ଜଣ ପ୍ରେମିକ ପ୍ରେମିକା କଲେଜରେ କଥାବାର୍ତ୍ତା ହୁଅନ୍ତି l କେତେ ସମୟ କଥା ହେଉଥିଲେ ସେକଥା କିଛି ବାଳୁଙ୍ଗା ଟୋକା ତାଙ୍କ ଘଣ୍ଟା ଦେଖି ପ୍ରଚାର କରୁଥିଲେ l ମୋ ପ୍ରେମ ଟା କେବଳ ଆଖିରେ ଚାଲୁଥିଲା l ଚାରି ଆଖିର ମିଳନରେ ହିଁ ପ୍ରେମର ସୃଷ୍ଟି - ଏ ତତ୍ୱ ଥିଲା ମୋ ପ୍ରେମର ମୂଳ ମନ୍ତ୍ର l

ଯାହା ହେଉ ଶେଷକୁ ସେ ମୋତେ କହିଲେ, " ଶୁଣ୍ ! ଦୁଇଟା ଉପନ୍ଯାସ ନାଁ କହୁଛି l ପ୍ରେମ କରିବୁତ ସେ ଉପନ୍ଯାସ ବହି ଦୁଇଟିକୁ ନିହାତି ପଢିବୁ l ପ୍ରେମ କଣ ସେଇ ବହି ଦୁଇଟିରୁ ଠିକ୍ ଜାଣି ପାରିବୁ l"

କଲେଜ ସମୟର ପ୍ରେମ - ନୂଆ ନୂଆ ପ୍ରେମ l ସେ ପୁଣି ଜୀବନର ପ୍ରଥମ ପ୍ରେମ l ତେଣୁ ଅସମ୍ଭବକୁ ସମ୍ଭବ କରିହୁଏ ଏଇ ପ୍ରେମ ବଳରେ l ଖାଇବା ପିଇବା , ଘରେ ବାହାରେ , ପାଠ ପଢାରେ କେଉଁଠି ବି ମନ ଲାଗେନା l ଆଖିଆଗରେ ଖାଲି ନାଚି ଉଠେ ସେଇ ପ୍ରେମିକା ମୁହଁ l ସେ ମୁହଁ ଆଗରେ ବିଶ୍ୱ ସୁନ୍ଦରୀର ସୌନ୍ଦର୍ଯ୍ୟ ବି ଫିକା ଫିକା ଲାଗେ l 

ସେ ଭାଇଙ୍କ ଠାରୁ ଶୁଣିଲି ତ କଲେଜ ଲାଇବ୍ରେରୀକୁ ଚାଲିଲି ବହି ଦୁଇଟିକୁ ଆଣିଵାକୁ l ଆଣିଲି ମଧ୍ଯ l ଦେଖିଲି " ଝଡର କବରୀ " ବହିଟା " ଅମାବାସ୍ଯାର ଚନ୍ଦ୍ର " ଠାରୁ ବହୁତ ମୋଟା l ଅର୍ଥାତ୍ ପୃଷ୍ଟାରେ ତିନି ଗୁଣ ଖଣ୍ଡେ ହେବ l ଭାବିଲି ଆଗ ଅଳ୍ପ ପୃଷ୍ଟାର ବହି - ଅମାବାସ୍ଯାର ଚନ୍ଦ୍ରକୁ ପଢିଦେବି l କିନ୍ତୁ ସେ ଭାଇ ଉପଦେଶ ଦେଇ କହିଥିଲେ ଆଗ " ଝଡର କବରୀ " କୁ ପଢିବା ପାଇଁ l ମୋ ମନରେ ପ୍ରଶ୍ନ ଉଠିଲା ଯଦି ଆଗ " ଅମାବାସ୍ଯାର ଚନ୍ଦ୍ର " କୁ ପଢିବି ତାହେଲେ ମୋ ପ୍ରେମରେ କିଛି ଅସୁବିଧା ହୋଇପାରେ l ଏମିତି ହୋଇଥିବ ସେ " ଝଡର କବରୀ " ଉପନ୍ଯାସଟା ଥିଓରୀ ଆଉ " ଅମାବାସ୍ଯାର ଚନ୍ଦ୍ର " ଉପନ୍ଯାସଟା ପ୍ରାକ୍ଟିକାଲ୍ l ତେଣୁ ଆଗ ଥିଓରୀକୁ ମଜବୁତ କରି ତା ପରେ ପ୍ରାକ୍ଟିକାଲ୍ କୁ ଯିବା ଠିକ୍ ହେବ l

ସେଦିନ ସଂଧାରୁ ଆରମ୍ଭ କରି ରାତି ପାହିବା ବେଳକୁ ନରସିଂହ ସାହୁଙ୍କ " ଝଡର କବରୀ " ଉପନ୍ୟାସକୁ ଆମୁଳଚୂଳ ପଢିଦେଲି l ମଝରେ ମଝିରେ ବାପା ଉଠିକି ଦେଖନ୍ତି ପୁଅ ପାଠ ପଢୁଛି l ଖୁସି ହୋଇ କହନ୍ତି , " ରାତି ଏତେ ହେଲାଣି, ଶୋଇପଡ l କାଲି ପଢିବୁ l" 

ମୁଁ କିନ୍ତୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ପାଠ ପଢାରେ ମଗ୍ନ ଥିଲି l ନିଦ୍ରା ମୋ ପାଖ ମାଡିବାର ଚାନ୍ସ୍ ନଥିଲା l ସତରେ କି ପ୍ରେମ l ଉପନ୍ଯାସର ନାୟକ ଗୋଟେ ଛୋଟ କଲେଜ - ଗଞ୍ଜା କଲେଜର ଅଧ୍ଯାପକ l ନାଁ ତାର ପ୍ରଦୀପ l କଣ ସେ ଭଲ ପାଇବା ! ଯାହାକୁ କହନ୍ତି ହୃଦୟ ଦେଇକି ଭଲ ପାଇବା l ସେ ବହିର ସବୁ ଲାଇନ୍ ରେ ପ୍ରେମ ଖାଲି ଡିଆଁ ଡିଁ କରୁଥାନ୍ତି ଯେମିତି l ଉପନ୍ଯାସର ପ୍ରଥମ ଭାଗରେ ବଡ କାକୁତି ବିନତି ହେବାର ପ୍ରେମ ଦେଖିଲି ସେ ପ୍ରଦୀପର l ଯାହାକୁ କୁହନ୍ତି ଲୁଙ୍ଗ୍ଡ଼ା ସେମିତିକା ପ୍ରେମ l ଖାଲି ନସର ପସର l ନାୟିକା ଚିନ୍ମୟୀ ନାରୀ ସୁଲଭ ଗୁଣ ଦେଖାଇ ମାପି ଚୂପି ପ୍ରେମ ଦେଖାଇ ଦେଖାଇ ଶେଷକୁ ଅନ୍ୟକୁ ବାହା ହୋଇଗଲା - ଯିଏ ବିଦେଶରେ ଖୁବ୍ ଉଚ୍ଚ ପଦରେ ଚାକିରି କରିଛି l 

ଚିନ୍ମୟୀର ବାହାଘର ପରେ ପ୍ରଦୀପର ପ୍ରେମ ବୋଧହୁଏ ଅମର ହୋଇଗଲା l ଆଉ ବାହା ହେଲାନି l ଆତ୍ମହତ୍ଯା କରିବାକୁ ନିଷ୍ପତି ନେଇ ଚିନ୍ମୟୀର ବାହା ବେଦୀ ପାଖରୁ ହିଁ ଆସିଥିଲା l କିନ୍ତୁ ମନରେ ପରିବର୍ତ୍ତନ ଆଣି ଭାରତୀୟ ସେନାରେ ଯୋଗ ଦେଇ ସେଥିରେ ଉତ୍କୃଷ୍ଟତା ଦେଖାଇ ପାହାଚ ପରେ ପାହଚ ଚଢି ଚାଲିଲା l 

ଏଣେ ଚିନ୍ମୟୀର ବିବାହ ପରେ ତାକୁ ପ୍ରଦୀପର ପ୍ରେମ ପାଗଳ କରିଛି l ସେ ଉପନ୍ଯାସର ଦ୍ୱିତୀୟ ଭାଗରେ ନାୟୀକା ଚିନ୍ମୟୀର ହୃଦୟ ବିଦାରକ ଭଲପାଇବା ଫେରାର୍ ଥିବା ପ୍ରଦୀପ ପ୍ରତି ପୁରା ଜଳ ଜଳ କରି ଦେଖାଯାଉଛି l

ତା ପରଦିନ ବାରିଷ୍ଟର ଗୋବିନ୍ଦ ଦାସଙ୍କର ଉପନ୍ଯାସ " ଅମାବାସ୍ଯାର ଚନ୍ଦ୍ର " କୁ ପଢି ସାରିଦେଲି l ସେଥିରେ ଏଇ କାଉଲ୍ ଚରିତ୍ରକୁ ପାଇଲି l ବାପ୍ ରେ କଣ ସେ ଚରିତ୍ର !!! ମଣିଷ ମନକୁ କିମିଆଁ କରିଦେଲା ପରି ଚରିତ୍ର ଟିଏ l ସବୁଥିରେ ପାରଙ୍ଗମ l ସବୁ ବିଦ୍ୟାରେ ପାଶ୍ l ପାପ କରି ପ୍ରାୟଶ୍ଚିତ କରିବାର ନାହିଁ l ଭୁଲ୍ କରି ଭୁଲ୍ ମାଗିବାର ନାହିଁ l ପୂଣ୍ଣ୍ୟକରି ବାହାବା ନେବାର ଅଭିପ୍ରାୟ ନାହିଁ l ଭାବନା ନାହିଁ, ଶୋଚନା ନାହିଁ l କାହାକୁ ଖାତିର୍ କରିବାର ନାହିଁ l ଯାହା ଠିକ୍ ଭାବିବ ତାକୁ ସବୁ ତାକତ୍ ଲଗାଇ କାର୍ଯ୍ୟରେ କରି ଦେଖାଇବାର ଅଦମ୍ୟ ସାହସର ଚରିତ୍ର ଏଇ କାଉଲ୍ l ନସର ପସର , ଲୁଙ୍ଗ୍ଡ଼ା ଆଦି ଗୁଣରୁ ଢେର୍ ଦୂରରେ ରହୁଥିବା ନାୟକ ହେଉଛି ଏଇ " ଅମାବାସ୍ଯାର ଚନ୍ଦ୍ର" ର ନାୟକ - କାଉଲ୍ l

ଏ ଦୁଇଟାଯାକ ବହି ପଢି ପ୍ରେମ ଉପରେ ଢେର୍ ଜ୍ଞାନ ଅାହରଣ କରି ସାରିବା ପରେ ମଧ୍ୟ ମୋ ପ୍ରେମ ସଫଳ ହେଇ ପାରିଲାନାହିଁ l ମୋ ପ୍ରେମିକା ଅନ୍ୟତ୍ର ବହା ହୋଇଗଲା l

ଏବେ ଆମେ ଗୋଟେ ଘଟଣା ଉପରେ ଆଲୋଚନା କରିବା l ଚାରୁ ମାଡାମ୍ ଖୁବ୍ ଷ୍ଟ୍ରିକ୍ଟ୍ l ପାଠ ବି ସେମିତି ଭଲ ପଢାନ୍ତି l ଛାତ୍ରଛାତ୍ରୀଙ୍କୁ ନିଜ ପୁଅ ଝିଅଙ୍କ ପରି ଭଲ ପାଆନ୍ତି l ପିଲାମାନେ ତାଙ୍କୁ ସେଥିପାଇଁ ବହୁତ ଲାଇକ୍ କରନ୍ତି l ମାନନ୍ତି ବି l କଲେଜର ସାଇନ୍ସ କ୍ଳାସ୍ ଗୋଟେ ଦୁଇ ମହଲା କୋଠାରେ ହୁଏ l ତୃତୀୟ ମହଲାକୁ ଯିବାକୁ ପାହଚ ସବୁ ହୋଇଥିଲେ ବି ଛାତ ଉପରକୁ ଯିବା କବାଟରେ ସବୁବେଳେ ତାଲା ପଡିଥାଏ l  

ଦିନେ ସବୁ କ୍ଲାସ୍ ସରିବା ପରେ ଚାରୁ ମାଡାମ୍ ସେ ସିଡି ପାଖା ପାଖି ଯିବା ବେଳେ କିଛି ଅଦ୍ଭୁତ ଶବ୍ଦ ଶୁଣିଲେ l ପାଲାମାନେ ସମସ୍ତେ ଯିଏ ଯୁଆଡେ ଘରକୁ ଯାଇ ସାରିଲେଣି l ସମୟ ସେଇ  ୨ଟା ୩୦ ହେବ l ଏ ସମୟରେ ସେ ନିର୍ଜନ ସିଡି ପାହାଚ ଉପରୁ ଏମିତି ଅଦ୍ଭୁତ ଶବ୍ଦ କାହିଁକି ଆସିଲା ? ଚାରୁ ମାଡାମ୍ ସାହସ କରି ସିଡି ପାହଚ ଉପରକୁ ଉଠିଗଲେ l ସେଠି ଯାହା ଦେଖିଲେ ତାଙ୍କ ମୁଣ୍ତ ପୁରା ଝାଇଁଝାଇଁ ହୋଇଗଲା l କଣ କରିବେ କିଛି ବୁଦ୍ଧି ମଧ୍ଯ ମୁଣ୍ତରେ ପଶିଲା ନାହିଁ l ଢେମା ଢେମା ଆଖି କରି ଗୋଟେ ମୂର୍ତ୍ତି ପରି ଠିଆ ହୋଇଥାନ୍ତି l

ଯେହେତୁ ସିଡି ପାହଚର ଉପର କବାଟରେ ତାଲା ପଡିଛି, ତେଣୁ ସେଠୁ ଓଲ୍ହାଇବାର ଗୋଟେ ବାଟ ଆଉ ତାହା ହେଉଛି ଚାରୁ ମାଡାମ୍ ଠିଆ ହୋଇଥିବା ବାଟ l ସେଠି ଏକୁଟିଆ କାରୁ ମାଡାମ୍ କିଂକର୍ତ୍ତବ୍ଯମୁଢ ହୋଇ ଠିଆ ହୋଇ ନଥିଲେ l ତାଙ୍କ ସାମ୍ନାରେ ଆଉ ଦୁଇ ଜଣ ମଧ୍ଯ ସେମିତି ହତବାକ୍ ହୋଇ ମୁହଁ ତଳକୁ କରି ଠିଆ ହୋଇଥିଲେ l ସେମାନଙ୍କ ଭିତରୁ ଜଣେ ତାଙ୍କ ଛାତ୍ରୀ ଆଉ ଆର ଜଣକ ଅର୍ଥାତ୍ ପୁଅ ପିଲାଟି ଆଉଟସାଇଡର୍ ଥିଲା l ଏ ଭିତରେ ପୁଅ ଜଣଙ୍କ ସାହସ କରି ନିଜ ପୋଷାକ ପତ୍ରକୁ ଠିକ୍ ଠାକ୍ କରି ଚାରୁ ମାଡମ୍ ଙ୍କ କଡ ଦେଇ ଡିଆଁ ମାରି ଦୌଡି ପଳାଇଲା l ପୁଲିସ୍ କୁ ଦେଖିଲେ ଚୋର ଯେମିତି ଜୀବନ ବିକଳରେ ଦୌଡେ ଠିକ୍ ସେଇ ଢଙ୍ଗରେ ସେ ଟୋକାଟା କୁଆଡେ ପବନରେ ମିଳେଇ ଗଲା l

ସେ ଟୋକା ଯିବା ପରେ ଗୋଟେ ବାଘୁଣୀ ପରି ଗର୍ଜନ କରିବା ଆରମ୍ଭ କରିଦେଲେ ଚାରୁ ମାଡାମ୍ l ସେ ଝିଅ ଖୁବ୍ ଭଲ ପଢେ ଆଉ ତା ବ୍ୟବହାର ସହିତ ଚାଲିଚଳନ ମାର୍ଜିତ ଥିବାରୁ କାରୁ ମାଡାମ୍ ତାକୁ ବହୁତ ଭଲ ପାଉଥିଲେ l ତାକୁ ଏମିତି ଅବସ୍ଥାରେ ଦେଖିବେ ସେକଥା ସେ କେବେହେଲେ ସ୍ୱପ୍ନରେ ବି ଭାବି ନଥିଲେ l ତେଣୁ ସେ ଏଇ କିଛି ସମୟ ପୂର୍ବରୁ ଦେଖିଥିବା ଦୃଶ୍ୟ ପାଇଁ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସମସ୍ତ ରାଗ ଯେମିତି ଗୋଟେ ମୁହୂର୍ତ୍ତରେ ନିଜ ପାଟି ମଧ୍ଯମରେ ବାହାରି ଆସିଲା l ଚାରୁ ମାଡାମ୍ ଙ୍କ ଗର୍ଜନରେ ସେ ସାଇନ୍ସ୍ ବ୍ଲକ୍ ପୁରା ଯେମିତି ହୁଲ୍ ସ୍ଥୂଲ ହୋଇ ଉଠିଲା l

ଚାରୁ ମାଡାମ୍ ଙ୍କର ଯୋରଦାର ଗର୍ଜନ ଶୁଣି ଦୁଇଟା ରୁମ୍ ସେପଟେ ତାଙ୍କ ଡିପାର୍ଟମେଣ୍ଟ୍ ରେ ବସିଥିବା ଦୁଇ ଜଣ ସାର୍ ସେଠିକି ଦୌଡି ଆସିଲେ l ଚାରୁ ମାଡାମଙ୍କୁ ଦେଖିବା ସମୟଠାରୁ ସେ ଝିଅଟି ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ସେମିତି ମୁର୍ତ୍ତିଟିଏ ପରି ଅସଂଯତ ଅବସ୍ଥାରେ ଠିଆ ହୋଇଥାଏ l ଏ ଦୁଇ ଜଣ ସାର୍ ସେଠି ପହଞ୍ଚି ଝିଅଟିର ସେ ଅବସ୍ଥା ଦେଖି ପୁରା ତାଜୁବ୍ ହୋଇଗଲେ l 

ଚା‍ରୁ ମାଡାମ୍ ହଠାତ୍ ଝିଅଟିର ଅସଂଯତ ଅବସ୍ଥା ସହିତ ଦୁଇ ଜଣ ପୁ୍ରୁଷ ସାର୍ ଙ୍କ ଉପସ୍ଥିତିକୁ ଲକ୍ଷକରି କହିଲେ, " କେଡେ ଅଲାଜୁକିଟାଏ କିଲେ ? ସେ ସାର୍ଟକୁ କାଇଁ ସେମିତି ପେଟ ଉପରକୁ ଟେକିକି ଧରିଛୁ ? ତାକୁ ତଳକୁ ପକା l" 

ଝିଅଟି ଚାରୁ ମାଡାମଙ୍କ କଥାରେ ଚୁପ୍ ଚାପ୍ ନିଜର ଅସଂଯତ ଅବସ୍ଥାକୁ ଗୁଡେ ଲାଜ ଆଉ ଭୟ ଭିତରେ ସଂଯତ କରାଇ ତଳକୁ ମୁହଁ ପୋତି ପଳାଇଲା l

ପରେ ମୁଁ ଖବର ନେଇ ଜାଣିଲି ଯେ ସେ ଝିଅ ଭଲ ନମ୍ବର ସହିତ କଲେଜରୁ ପାଶ୍ କରି ପିଜି କଲା l କିନ୍ତୁ ୩ ବର୍ଷ ପରେ ସେ ଟୋକାଟା ତାକୁ ପ୍ରେମରେ ଧୋକା ଦେଇ ଅନ୍ୟତ୍ର ବିବାହ କରିବାରୁ ଝିଅଟି ଅତ୍ମହତ୍ୟା କରିଦେଲା l 

ତେଣୁ ପ୍ରେମ କର ମନା ନାହିଁ, କିନ୍ତୁ ନିଜ ସୀମା ସରହଦ୍ ବା ଲକ୍ଷ୍ମଣ ରେଖା କେବେହେଲେ ଡେଇଂବ ନାହିଁ , ଏମିତି ଅବସ୍ଥାକୁ କେବେ ଯିବନି, ଯଦି ପ୍ରେମିକ ଧୋକା ଦେଲା, ତାହେଲେ ନିଜ ଓଢୁ଼ଣୀ ନେଇ ଫ୍ୟାନ୍ ପାଖକୁ ଯିବା ଛଡା ଅନ୍ୟ କିଛି ବିକଳ୍ପ ନଥିବ l 


Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Tragedy