କଇଁ
କଇଁ


ସପନି ପୁରର ଦାମିଆ ନନା ବିଷୟରେ ତାଙ୍କ ଘର ଠାରୁ ପାଞ୍ଚ କିଲୋମିଟର ଭିତରେ ଯାହାକୁ ପଚାରିବ ସେ କହିଦେବ, କାହିଁକି ନା ସେ ହେଉଛନ୍ତି ସେ ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତି । ଆଶ୍ଚର୍ଯ୍ୟର କଥା ଯଦି କେବେ ବନ୍ୟା, ବାତ୍ୟା ହୁଏ ତାଙ୍କ ଘର ଆଗରେ ଲୋକଙ୍କ ଲାଇନ୍ ଲାଗେ। ରିଲିଫ ଆସୁ କି ନ ଆସୁ ନିଜ ଟଙ୍କାକୁ ଲୋକଙ୍କୁ ବଣ୍ଟନ କରନ୍ତି । ସବୁଠାରୁ କୈତୁହଳ ବିଷୟ ନିଜେ ବାର୍ଦ୍ଧକ୍ୟ ଭତ୍ତା ନିଜ ସମ୍ବଳରୁ ଦାନ କରନ୍ତି। ଏତେ ଟଙ୍କା ଆଣନ୍ତି କୋଉଠୁ ? ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ । କେହି କେହି କହିବାର ଶୁଣିଛି,ସେକୁଆଡେ ଯୋଡ଼ା, ବଡବିଲ ଅଞ୍ଚଳରେ ଖଣି ଲିଜ ନେଇ ଥିଲେ,ଏତେ ସମ୍ପତ୍ତି ଅଛି ଯେ ସେ ସୁଇସ୍ ବ୍ୟାଙ୍କରେ ଜମା କରିଛନ୍ତି ସିବିଆଇ ଡରରେ । ସେତେବେଳେ ସିନା ଖଣି ଗୁଡ଼ିକ ରାଜ୍ୟ ଅଧିନରେ ଥିଲା, ମନ ଇଛା ଖୋଳି ବିକି ଦେଉଥିଲେ । ଏବେ ପରା କୁଆଡେ କେନ୍ଦ୍ର ଅଧିନରେ ସବୁ । ରାଜ୍ୟ କେବଳ ରୟାଲଟି ପାଉଛି । ସେତେବେଳେ ବୁଢାର ଚାଳିଶି ଟା ଡମ୍ପର । ଯାହା ମାରି ରୋଜଗାର କରିଥିଲା ସବୁ ଏବେ ଦାନ ଧର୍ମରେ । ବୁଢା ମାନେ ତାଙ୍କୁ ପଇଁଚାଳିସି ବର୍ଷ ପାଖାପାଖି ହେବ କିନ୍ତୁ ଲେଟ୍ ମ୍ୟାରେଜ ପାଇଁ ସମସ୍ତେ ତାଙ୍କୁ ବୁଢା ବୋଲି ଡାକନ୍ତି । ଏତେ ଧନସମ୍ପଦର ଅଧିକାରୀ ହୋଇମଧ୍ୟ ଗୋଟିଏ ଚିନ୍ତା, ବଂଶର ଉତ୍ତରାଧିକାରୀ ନାହିଁ। ସେଥିପାଇଁ ବହୁତ ପୂଜା ପାଠ ମଧ୍ୟ ହେଇଛି କିନ୍ତୁ ଫଳ ଶୂନ । ତା'ଛଡା ଆଉ ଗୋଟିଏ ଅସୁବିଧା ହେଉଛି ସ୍ୱାମୀ ସ୍ତ୍ରୀ ଙ୍କର ଚିନ୍ତା ଧାରାକୁ ନେଇ। ତାଙ୍କ ଠାରୁ ସ୍ତ୍ରୀ ବାର ବର୍ଷ ସାନ, ଯେତେବେଳେ ଟିକେ ମନ ହାଲୁକା କରିବା ପାଇଁ ଲତା ମଙ୍ଗେସକର, କିଶୋରକୁମାର, ତାନସେନ ସିଂ ଭଳି କଣ୍ଠଶିଳ୍ପୀ ମାନଙ୍କର ଗୀତ ଲଗାନ୍ତି ସେତେବେଳେ ତାଡନା ଶୁଣିବାକୁ ପଡେ ନିଜ ସହଧର୍ମିଣୀଙ୍କ ଠାରୁ। ଦୁନିଆ ବଦଳୁଛି, ନୂଆ ନୂଆ ଗୀତ ଅଛି ନ ବଜେଇ ସବୁବେଳେ ସେଇ ଗୀତ "ଗୋରୀ ଲୋ ଗୋରୀ ତୁ ସେ ପାରିକୁ ଯିବୁ, ସେପାରିର ମନ୍ଦିରରେ କ'ଣ ମନାସିବୁ" ।
କିଛି ପ୍ରତ୍ୟୁତର ଦେଇ ପାରନ୍ତିନି। ନିଜେ ତ ବାଛି କି ଆଣିଛନ୍ତି,ନିଜ ବେକରେ ଗୁଡେଇ ଦେଇଛନ୍ତି, କାହାକୁ କହିବେ। ବୟସ ଗଡିଯିବା ହେତୁ କୌଣସି ଝିଅ ରାଜି ହେଉ ନଥିଲେ , କୌଣସି ମତେ ଗରିବ ଘରୁ ଝିଅଟି ଆଣିଛନ୍ତି, କ୍ରମିକ ସଂଖ୍ୟାରେ ସେ ହେଉଛି ସାତ ନମ୍ବର। ନ ଭଉଣୀରେ ଗୋଟିଏ ଭାଇ, ଧନ୍ୟ ସେ ବାପ ମା'ଙ୍କୁ । ପୁଅ ଟାର୍ଗେଟ ହାସଲ ନହେବା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଜୀବନ ଏ ଧରାଧାମରେ ପ୍ରକଟ କରିଦେଉଥିଲେ ।
ତାଙ୍କ ବାହାଘରଟା ବି ଗୋଟିଏ ରୋଚକ ଗ୍ରନ୍ଥାବଳୀ ।
ଯେଉଁ ଝିଅଟି ସହ ତାଙ୍କର ବାହାଘର ହେବାର ଥିଲା, ବାହାଘରର ଦୁଇ ଦିନ ପୂର୍ବରୁ ତାଙ୍କ ଜେଜେ ମା' ଇହଲିଳା ସମ୍ବରଣ କଲେ। ଫଳତଃ ବାହାଘର ବ୍ରେକ ହେଇଗଲା । ଦିନେ ତାଙ୍କର ଗୋଟିଏ ଅଜବ ଖିଆଲ ଆସିଲା, ଭଗବାନଙ୍କ କୃପାରୁ ବାହାଘର ଭାଙ୍ଗିଛି ମାନେ ଭଗବାନ ମୋ ପାଇଁ ତାକୁ ଗଢି ନାହାନ୍ତି । ଆଉ ସେଠି ବାହା ହେବିନି । ତା'ପରେ ଚାଲିଲା ଅନ୍ୟ ଝିଅ ଖୋଜା।
ତା' ସହିତ ମନରେ ଥାଏ, ଜୀବନରେ ଥରେ ବାହାହେବି, ଜୀବନ ସାରା ତା ସହିତ କାଟିବି,ଭଲରେ ଗୃହସ୍ଥ ଜୀବନ ବଞ୍ଚିବାକୁ ହେଲେ ଦରକାର ରାଜ ଯୋଟକ ରାଶି । ସେପଟେ ରାଜ ଯୋଟକ ରାଶି ଖୋଜାଖୋଜି ସହିତ ନିଜ ଖଣି ଖାଦାନରେ ସମୟ ବ୍ୟୟ ତାଙ୍କୁ ଦୀର୍ଘ ସାତବର୍ଷ ଅପେକ୍ଷା କରେଇ ଦେଲା।
ଶେଷରେ ଗୃହ ଲକ୍ଷ୍ମୀ ମିଳିଗଲେ ।ପୁରା ବଙ୍ଗାଳୁଣି ବିପାଷା ବାସୁ । ନାଁ ଟି ତା'ର କଇଁ । ଦୁଇ ଘରର କଥା ବାର୍ତ୍ତା ପରେ ସ୍ଥିର ହେଇଗଲା ଲଗ୍ନ । ଏତେ ଦିନ ପରେ ଦାମିଆ ନନା ବାହା ହଉଛି ବୋଲି ଘଟଣାଟି ପ୍ରଚାର ହେଇଗଲା।ଘରେ ଭୋଜି ଭାତର ଆସର ଜମିଲା।ଯିଏ ଆସିଲା ପ୍ରସାଦ ସେବନ କରି ଯାଆନ୍ତି, ଆଉ ମଝିରେ ମଝିରେ ଦାମିଆ ନନା ପଚାରନ୍ତି ରୋଷେଇ କେମିତି ହେଇଛି। କଥାର ଉଚ୍ଚାରଣ ବି ବେଶ୍ରୟାଲ ଫେମିଲି ପରି । ଏତିକି ବେଳେ ଗୋଟେ ଦୁର୍ଘଟଣା ଘଟିଲା । ଦାମିଆ ନନାର ଭାବୀ ସ୍ତ୍ରୀକୁଆଡେ କାହା ସହ ଫେରାର ହୋଇଯାଇଛନ୍ତି।
ଘଟଣା ବୁଝୁ ବୁଝୁ ଜଣାପଡ଼ିଲା ଯେ ଏହି ବାହାଘର କଥା ନେଇ କଇଁ ତା'ର ସାଙ୍ଗ ମାନଙ୍କ ସହିତ ଆଲୋଚନା କରେ। କେତେ ଥଟ୍ଟା ମଜା ହୁଏ। ପରଦା ପଛର କଥା ଆଲୋଚନା କରି ଠୋ ଠୋ ମାରି ସମସ୍ତେ ହସି ଉଠନ୍ତି। କେହି ଜଣେ ସାଙ୍ଗ କହିଲା, 'ହେଇଲୋ କଇଁ , ଧନକୁ ଦେଖି ସେ ବୁଢା ବରକୁ ବାହା ହେଇଯିବୁ ନା'କଣ,ତୋର ପରା ଯଉବନ ଏବେ ପ୍ରଥମ ସୋପାନରେ, ଜୀବନରେ ଟଙ୍କା ସବୁକିଛି ନୁହେଁ , ଯା' ଜୀବନକୁ ଉପୋଭୋଗ କର ' ।
ଏହିକଥା ପଦ କେତୋଟି କଇଁ ମସ୍ତିଷ୍କରେ ଭୁମିକମ୍ଫ କରିଦେଲା। ଆଉ ଏହାର ଉତ୍ତର ଆସିଲା ସୁନାମି ହେଇ । ସେ ଜାଣିଥିଲା ବର୍ତ୍ତମାନ ତା'କଥା କେହି ଶୁଣିବେନି । ବାପ ଟା ତ ମଦୁଆ । ଆଉ ସରକାର ବି କହୁଛନ୍ତି ଯିଏ ମଦ ଅଧିକ ବିକ୍ରି କରିବ ସେ ପୁରସ୍କାର ପାଇବ । ଘରେ ଭାବୁଛନ୍ତି ଯେମିତି ମୋତେ ସେଠି ବାହା କରିଦେଲେ ଏଟିଏମ୍ ଆସିଯିବ ତା'ଙ୍କ ହାତକୁ। ଆଉ ଭାବିବାକୁ ସମୟ ନଥିଲା ।ଦୃତ ଗତିରେ ଚାଲିଲା ବିଲ/ପାଟକୁ । ତାଙ୍କ ଘରେ କାମ କରୁଥିବା ପିଲା ଟିଏ ( ରୋହିତ), ଯିଏ ବୟସରେ ବର୍ଷେ ସାନ ହେବ , ଘର କାମ ସହ ତାଙ୍କର ଗାଈ ଜଗେ,ବିଲ କାମରେ ସେ ତା' ବାପାଙ୍କୁ ସହଯୋଗ କରେ ।ତାକୁ କହିଲା ସଂଧ୍ୟା ବେଳେ ତୁ ହାଇସ୍କୁଲ ପାଖରେ ଥିବା ଭଂଗା କେବିନ୍ ପାଖରେ ଥିବୁ,ତୋର ସବୁ ଲୁଗାପଟା ବ୍ୟାଗ୍ ରେ ନେଇଆସିବୁ ,ଏ କଥା ତୋ ଛଡା ଯେମିତି କେହି ଜାଣିବେନି। ମୁଁ ଆସିଲେ ରାଉରକେଲା ପଳେଇବା, ସଂଧ୍ୟା ସାତଟାରେ ବସ୍। ଏକଥା କହି ନିଜ ଗନ୍ତବ୍ୟ ପଥରେ ଆଗେଇଲା କଇଁ । ରୋହିତ ହତବାକ୍ ହୋଇ ଶୁଣୁଥିଲା କଇଁକୁ, ତା' ସହ ଅତ୍ୟଧିକ ଖୁସି ଥିବା ଜଣାପଡ଼ୁଥିଲା । ଯେମିତିକି ତା'ର ମନୋସ୍କାମନା ପୁରଣ ହେବାକୁ ଯାଉଛି ।
ରୋହିତର କଥା ବି ଗୋଟିଏ ଇତିହାସ । ଯଦିଓ କଇଁ ଘରେ ଏତେ ଧନ ସମ୍ପତ୍ତି ନାହିଁ ତଥାପି ସେ ତାଙ୍କ ଘରେ କାମ କରୁଥିଲା କାହିଁକି ? ତା' ଘର କେଉଁଠି ?
କଇଁ ଏକଥା କହି ଗଲା ବେଳ ଠାରୁ ରୋହିତର ପାଦରୁ ଝାଳ ବୋହି ବାରେ ଲାଗିଛି। ଠିକ୍ ଭାବରେ ପାଦ ପକାଇ ଚାଲିପାରୁନି। କ'ଣ ହୋଇଛି କଇଁର । ଦିନେ ବି ସେ ମୋତେ ଏପରି ଦୃଷ୍ଟିରେ ଦେଖି ନ ଥିଲା । ମୋ ସହ ଭଲରେ ବି କଥା ପଦେ ହୁଏ ନାହିଁ। ଆଜି କିଛି ଗୋଟାଏ ଘଟିଛି ନିଶ୍ଚୟ । ମୋତେ ରାଉରକେଲା ନେଇ ଯିବାକୁ କହୁଛି।ତା'ର କିଛି ଅଲଗା ମତଲବ ଅଛି କି ? ମାନେ ମୋ ସହ........ ମୋତେ ବାହା ହେବକି ? ଛିଃ ଛିଃ........ସେ ମୋ ଠାରୁ ବଡ , ତା'ର ପ୍ରତି ସେଭଳି ଭାବନାରଖିବା ହିଁ ଭୁଲ । ତଥାପି ମନଟା କେଉଁ ଅଜଣା ଆଉ ଭୟ ମିଶ୍ରିତ ଉନ୍ମାଦନାରେ ଶିହରୀ ଗଲା । କାହିଁକି ନା ଜୀବନରେ ପ୍ରଥମ ଥର କେଉଁ ନାରୀ ତାକୁ ଏଭଳି ଅତିରଞ୍ଜିତ କଲା ଭଳି କଥା ସବୁ ତା'ର ସାମ୍ନାରେ ପ୍ରକାଶ କରୁଛି ।ସମୟ କହିବ, ଯାହା ଘଟିବାର ଥିବ ଘଟିବ। ରୋହିତର ମନ ଯୁବକର ମନ, ଭାବୁଥାଏ ମୁଁ ଯାହା ଭାବୁଛି,ସେଇ ଗୁଡ଼ିକ ଘଟିବ ନାହିଁ ତ ?ମନେ ପଡିଯାଉଛି ତା'ର ସେଇ ପୁରୁଣା କଥା ସବୁ,ଯାହା ତିନି ଚାରି ବର୍ଷ ତଳର । ଥରେ ଘର ପାଖ ଝିଅ ସୁମିତ୍ରାର କାନ ଫୁଟେଇ ଦେଉଥିଲା ବେଳେ କଇଁର ନଜରରେ ଆସିଯାଇଥିଲା। ଉଃ......... ତା ପରର ଦୃଶ୍ୟ ବର୍ଣ୍ଣନା କରିବା ଭାରି ଦୁଃସହ । କେତେ ମାଡ, ପୁଣି ସେଇଟା ଫୁଙ୍କନଳୀରେ,ଗାଳି, ଗୋଇଠା,ବିଧା ଉପହାରରେ ପ୍ରଦାନ କରିଥିଲା କଇଁ ।
ସେଇଦିନ ଠାରୁ ତା'ର କଇଁ ପ୍ରତି ଅହେତୁକ ଭୟ । ହଉ ,ଯାହା ହେବାର କଥା ହେବ,କଇଁ କହିଛି ମାନେ ମୋତେ ବାହାରିବାକୁ ପଡିବ,ଯିବି......... ସେ ଯୁଆଡେ କହିବ ମୁଁ ଯିବି। ମନକୁ ମନ ଏକଥା କହି ଗାଈ ମାନଙ୍କୁ ଅଡେଇ ଅଡେଇ ଘରକୁ ଚାଲିଲା । କିନ୍ତୁ ଜଣାପଡୁଥାଏ ରୋହିତର ବୁଦ୍ଧି ଅପେକ୍ଷା ତା' ପୌରୁଷତ୍ୱ ତାକୁ ଆଗକୁ ଆଗକୁ ଠେଲି ନେଇ ଯାଉଛି ।
ରୋହିତ କଥା କହିଲେ ଗୋଟେ ଇତିହାସ। ବାପା,ମା' ଙ୍କର ଠିକଣା ନାହିଁ। ତା' ଘର ଦ୍ୱାର କେହି ଜାଣନ୍ତିନି ।ତା' ଜନ୍ମ ବି ରହସ୍ୟ ଘେରରେ । କେହି କେହି କହନ୍ତି ଅପ୍ରାକ୍ତ ବୟସର ଭୁଲ୍ରୁ ଜନ୍ମ ରୋହିତର । ତାକୁ ଜନ୍ମ କରି କେହି ତାକୁ ରାସ୍ତା କଡ଼ରେ ଛାଡି ଦେଇଥିଲା , କିନ୍ତୁ ଜଣେ ସହୃଦୟ ନିଃସନ୍ତାନ ଦମ୍ପତି ତାକୁ ପାଇ ପୁଅ କରି ନେଇଥିଲେ। ବୟସ ବଢ଼ିବା ସହ ରୋହିତର ଉତ୍ପାତ ବଢ଼ି ଚାଲିଲା। ସାଙ୍ଗ ମାନଙ୍କ ସହ ମାର ଫିଟ୍ କରିବା, ବାହାର କଳିକୁ ଘରକୁ ଆଣିବା ଦଶ ବର୍ଷ ବୟସରେ ତାକୁ ଫେମସ କରି ଦେଇଥିଲା। ଏତେ ଦୁଷ୍ଟ ଥିଲା ଯେ ଘରେ କଥା କଥା କେ ସବୁ ଜିନିଷ ଭାଙ୍ଗୁଥିଲା । ଏମିତି ରାଗରେ ଥରେ ଟିଭିକୁ ଭାଙ୍ଗି ଦେଲା। ପାଳିତ ମା' ରାଗରେ ବାଡେଇବାରୁ ସେ ତାଙ୍କ ଉପରେ ହାତ ମଧ୍ୟ ଉଠାଇଲା । ଏଥର ସେ ଦମ୍ପତି ବାଧ୍ୟ ହେଲେ କିଛି ଗୋଟାଏ କଡା ନିଷ୍ପତ୍ତି ନେବାକୁ । ରୋହିତକୁ କୋଳେଇ ନେବା ପୂର୍ବରୁ ସିନା ତାଙ୍କର କୋଳ ଖାଲି ଥିଲା, କିନ୍ତୁ ରୋହିତ ଆସିବାର ଚାରି ବର୍ଷ ପରେ ତାଙ୍କ କୋଳକୁ ଏକ ସନ୍ତାନ ଆସିଥିଲା ।
ଦମ୍ପତି ଦ୍ୱୟ ବାଙ୍କୁଡା, କଲିକତା ନିବାସୀ । ସେମାନେ ପୁରୀ ବୁଲିବାକୁ ଆସିଲା ବେଳେ ରୋହିତକୁ ଧରି ଆସିଥିଲେ ଆଉ ଗଲା ବେଳେ ରୋହିତକୁ ଜାଣିଶୁଣି ଛାଡି ଦେଇଗଲେ, ଆଉ ଢଳଢଳ ଅଶ୍ରୁ ନିମ୍ମଳିତ ନୟନରେ କାଳିଆକୁ କହିଲେ ଜଗନ୍ନାଥେ ତୁମକୁ ଲାଗିଲା ।
କିନ୍ତୁ ପ୍ରଶ୍ନ ଉଠେ କ'ଣ ପାଇଁ ସଜ୍ଜା ମିଳେ ଏଭଳି ପିଲାମାନଙ୍କୁ । ସେଭଳି ସରଳ ଆଉ ନିଷ୍ପାପ ହୃଦୟର ଦୋଷ କ'ଣ ? ଏଥିପାଇଁ ଦାୟୀ କିଏ ? ସମାଜ ନା ବଦଳୁଥିବା ସମୟ ? ଆଜିକାଲି ସମସ୍ତେ ପାଠ ପଢ଼ୁଛନ୍ତି, ସବୁ ଶିକ୍ଷିତ ହେଲେଣି,ଆଗ ଅପେକ୍ଷା ଏବେ ଲାଜ ଲାଗେ ବୋଲି ଲୋକେ ଶୌଚାଳୟ କଲେଣି । ତଥାପି କ'ଣ ମାନବିକତା ଅଛି ? ଆମେ ପାଶ୍ଚାତ୍ୟ ସଭ୍ୟତାକୁ ନିଜର କରିନେଲେଣି, ପାର୍କରେ ଅସଂଜତ, ରାସ୍ତାରେ ଅସଂଜତ, ଫିଲ୍ମ ହଲରେ ଅସଂଜତ, ସ୍କୁଲରେ ଅସଂଜତ, କଲେଜରେ ଅସଂଜତ ଅବସ୍ଥାରେ ଆମେ ସୁବିଧା ଅନୁଭବ କରୁଛୁ । ପାଶ୍ଚାତ୍ୟ ସଭ୍ୟତା କ'ଣ ଏଇଆ ଶିଖାଇଛି ? ଆଉ ଗୋଟିଏ ପ୍ରଶ୍ନ ଯେ ଅପ୍ରାକ୍ତ ବୟସରେ ପ୍ରେମ କ'ଣ ନିହାତି ଦରକାର ? ନା.......... ମୋତେ ଲାଗେ ଅପ୍ରାକ୍ତ ବୟସ ର ପ୍ରେମ କେବଳ ଶାରୀରିକ ଆକର୍ଷଣ । ଯାହାର ରେଜଲ୍ଟ ଆସେ ରୋହିତ ଭଳି ଅନେକ ନିଷ୍ପାପ ପରି ଚରିତ୍ର । ଆଉ ଏଇ ପିଲା ମାନଙ୍କୁ ମଧ୍ୟ ନଷ୍ଟ କରିବାରେ ସହଯୋଗ କରନ୍ତି କିଛି ଶୁଖିଲା ବାହାବା ନେବାପରି ଗିତିକାର, ଗୋଟିଏ ଗୀତ ଅଛି "ତୁ ମୋର ନିହାତି ଦରକାର,ବାସ ଗୋଟିଏ ଥର" । ଏହାର ମାନେ ତୁ ତୋ ଜୀବନରେ ଯାହା କରୁଛୁ କର, ଯାହାକୁ ବାହା ହଉଚୁ ହୁଅ, ଯୋଉଠି ରହୁଛରୁହ , ମୋର କିଛି ଯାଏ ଆସେ ନାହିଁ କିନ୍ତୁ ତୁ ମୋତେ ଦରକାର ବାସ ଗୋଟିଏ ଥର । ଏ ଭଦ୍ର ଆଉ ସରଳ ଶବ୍ଦ ଗୁଡିକ ଶୁଣିବା ପରେ ଗୋଟିଏ ଟିନ୍ ଏଜ୍ ପିଲା ଟି ନିଶ୍ଚିତ ଭାବରେ ମନକୁ ଦୃଢ କରିବ ବିପରିତ ଚିନ୍ତା ନେଇ ।
ବର୍ତମାନ କାହାଣୀକୁ ଯିବା ।ରୋହିତ ବାପା, ବୋଉ ବୋଲି ଅନେକ ଖୋଜିଲା ପରେ ମଧ୍ୟ କାହାକୁ ପାଇଲାନି,ସେ ଅନୁଭବ କରୁଥିଲା ତାକୁ ଏଠି ଛାଡି ଦେଇ ତା ବାପା ବୋଉ ଚାଲିଯାଇଛନ୍ତି । ବର୍ତମାନ କରିବ କ'ଣ? ଦୌଡ଼ି ଦୌଡ଼ି ଷ୍ଟେସନକୁ ଗଲା। ଗୋଟିଏ ଟ୍ରେନରେ ଲଥ୍ କରିରେ ବସି ପଡ଼ିଲା। ସେ ଜାଣିନି ଟ୍ରେନକୁଆଡେ ଯିବ ଆଉ ଟ୍ରେନ ନାଁ କ'ଣ ? ଟ୍ରେନ ଟି ଥିଲା ତପସ୍ୱିନୀ ଏକ୍ସପ୍ରେସ । ସନ୍ଧ୍ୟା ସାତଟା।
ଟ୍ରେନ ହୁଇସଲ ମାରି ତା'ର ଗନ୍ତବ୍ୟ ସ୍ଥଳ ହାଟିଆକୁ ଚାଲିଲା । ସବୁ ବଙ୍ଗାଳୀ ଥିଲେ । କିନ୍ତୁ ପ୍ରକୃତ କଥା ହେଉଛି ସବୁ ଶୁନ୍ ପାପୁଡି ବାଲା ଥିଲେ । ଲୁଗା ବାନ୍ଧି ଝୁଲା କରି ତା' ଭିତରେ ଶୋଇ ଯାଉଥାନ୍ତି। ସେତେବେଳକୁ ଶୋଷରେ ଅତିଷ୍ଠ ହୋଇ ସାରିଲାଣି ରୋହିତ । ଭୋକ ବି ବହୁତ କଷ୍ଟ ଦେଉଥାଏ ତାକୁ । ବାଧ୍ୟ ହୋଇ ଜଣକୁ ପିଇବା ପାଇଁ ପାଣି ମାଗିଲା, ସେପଟୁ ଉତ୍ତର ଆସିଲା। ପାଣି ନାହିଁ, କଟକ ଆସୁ ପିଇବୁ । କୌତୁହଳ ବଶତଃ ପଚାରିଲା ତୁମେ କ'ଣ କର ? ଉତ୍ତର ବି ଧମା କେଦାର ଥିଲା "ଗାଁରୁ ବଜାର, ବଜାରରୁ ଘର, ଘର ଠୁ ଅନେକ ଦୂର,ବୁଲି ବୁଲି ବୁଲି କରୁଛି ମୁଁ ବାଳ ବେପାର,ବୁଲି ବୁଲି ବୁଲି କରୁଛି ମୁଁ ବାଳ ବେପାର" ।
ଦେଖୁ ଦେଖୁ କଟକ ଆସିଗଲା। ସମୟ ରାତି ଦଶଟା ।ଗୋଟିଏ ବୋତଲ ବଢେଇ ଦେଇ ରୋହିତକୁ କହିଲା 'ଯା ' ପାଣି ଆଣି ପିଇବୁ । ରୋହିତ ପ୍ଲାଟଫର୍ମ ପଟେ ନ ଓଲ୍ହାଇ ବିପରିତ ଦିଗରେ ଓଲ୍ହାଇଲା । ଦଶ ବର୍ଷର ପିଲା ଟା । ତାକୁ କ'ଣ ଜଣା ? ଦେଖିଲା ସେପଟେ କିଛି ଦୁରରେ ଗୋଟିଏ ବଲ ଜଳୁଛି,ଆଉ ପାଟି ବି ଶୁଭୁଚି,ସେଇଠି ପାଣି ମିଳିଯିବ । ଧାଇଁ ଧାଇଁ ସେ ଯାଗାକୁ ଗଲା,ଭିଡ ଭିତରେ ପଶିଗଲା, କହିଲା ଜଲ୍ ଦରକାର । କିଏ ଗୋଟେ କହିଲା ଏ ଛୁଆ ଟାକୁଆଡେ଼ ଆସିଲା କିରେ ? ଜଲ୍ ନେଇ ମଦ ଖାବ କହି ଜୋର ଜୋରରେ ହସିବାକୁ ଲାଗିଲେ, ପ୍ରକୃତରେ ସେଇଟା ଥିଲା ମଦୁଆଙ୍କ ଆଡ୍ଡାସ୍ଥଳୀ । ଭିଡ଼ଟି ଯେମିତି ତା' ଉପରେ ଲଦି ହୋଇ ପଡ଼ୁଥିଲା, ଅଣନିଃଶ୍ବାସୀ ହୋଇ ଗୋଟିଏ ଦଉଡାରେ ଓଭରବ୍ରିଜ ତଳେ ହାଜର । କିଛି ଟ୍ରେନ ଯିବା ଆସିବା ବି କରୁଥାଏ, ମନେ ମନେ ଭାବିଲା ଟ୍ରେନକୁ ଯାଇ ଲାଭ ନାହିଁ, ବାପା ବୋଉ ବି ଛାଡି ଚାଲିଗଲେ, ଏବେ ଗଲେ ବି ବାଟ ପାଇବ ନାହିଁ । ଭୋକର ତାଡନା ସହି ହେଉନି,ତା ସହ ଶୋଷ ଲାଗୁଛି, ଲାଗୁଛି ଯେମିତି ଏଇଠି ପଡ଼ି ମରିଯିବି । ତଥାପି ମନକୁ ଦୃଢ କରି ଚାଲିଲା, କିଛି ସ୍ଟ୍ରୀଟ ଲାଇଟ୍ ଜଳୁଛି ଆଉ କିଛି ହରର୍ ଫିଲ୍ମ ପରି ଧପଧପ ହେଉଥାଏ ଓଏମପି ଛକ ଆଡ଼କୁ ଆସିଥିବା ରାସ୍ତାରେ । ଚର୍ତ୍ତୁଦିଗ ଅନ୍ଧାର । ମୁଣ୍ଡ ବୁଲେଇ ଦଉଛି । ଠିକ୍ ଭାବରେ ଆଉ ଦିଶୁନି । ହଠାତ୍ ଗୋଟିଏ ଲାଇଟ୍ ଫଟଫଟ କରି ତା ଆଡ଼କୁ ମାଡିଆସିଲା। ବୋଧେ ବାଡ଼େଇ ଦେଲା, ଛୋଟ ଛୁଆର ହୃସ୍ପନ୍ଦନ ବଢ଼ିଗଲା, ଏକାବେଳେ ବେହୋସ୍। ଗୋଟିଏ ପଚାଶ ସିସି ଲୁନାରୁ କାନ୍ଦି କାନ୍ଦି ଓଲ୍ହାଇଲେ ବ୍ୟକ୍ତି ଜଣକ । ହେ ମହାପ୍ରଭୁ, ମୁଁ କ'ଣ ଆଜି ଗୋଟିଏ ପିଲାକୁ ଗାଡି ଧକ୍କାରେ ମାରି ଦେଲି,ସେଇ ଗୋଟାଏ କଥାକୁ ବାର ବାର ଉଚ୍ଚାରଣ କରୁଥାନ୍ତି ମହାଶୟ ଜଣକ । ମଦ ନିଶା ସମ୍ପୁର୍ଣ୍ଣ ଛାଡି ନଥାଏ ।ନିଜ ଛାତିରେ ପିଲାକୁ ଜାକି ବିଳାପ କରୁଥାନ୍ତି। ପିଲାଟି ନିସ୍ତେଜ ହେଇ ପଡିଥାଏ ତାଙ୍କ ବାହୁରେ । ବେଳେବେଳେ ନିଜ ମୁହଁକୁ ପିଲାଟି ମୁଁହରେ ଲଗାଇ ଗେଲ କରି ପକାଉ ଥାନ୍ତି। କେତେ ସୁନ୍ଦର ଚେହେରା।ରାଜା ଛୁଆ ଭଳି ଲାଗୁଛି । ଏ ଅଧମ ଆଜି କ'ଣ କଲାରେ । ଲୁହ ସହ ପାଟିରୁ ଲାଳ ମଧ୍ୟ ଜୋରରେ ନିର୍ଗତ ହେଉଥାଏ ।ହାକୁଟି ମଧ୍ୟ କିଛି ସମୟ ଅନ୍ତରାଳେ ଦେଇ ଚାଲିଥାଆନ୍ତି । କିଛି ସମୟ ପରେ ପିଲାଟି ଧକ୍କା ଦେଇ ତାଙ୍କ ବାହୁ ବନ୍ଧନରୁ ବାହାରି ଆସିଲା । ଅଃ ଅଃ ହେଇ ବାନ୍ତି କରିବାର ଗୋଟିଏ ବୃଥା ପ୍ରୟାସ ଥିଲା।
ଆପଣ ମାନେକୁହନ୍ତୁ ତ ? ଦୁନିଆରେ ବେହୋସ୍ ବ୍ୟକ୍ତିକୁ ତାଜା କରିବାର ଉପାୟ । ଚିନ୍ତା କରନ୍ତୁ ,ଗୋଟେ ମଦୁଆ,ହଜମ ହେଇ ନ ଥିବା ଖାଦ୍ୟର ହାକୁଟି ଆଉ ବିଡି ଟଣା ପାଟିର ଦୁର୍ଗନ୍ଧ, ଏ ତିନିଟି ଜିନିଷର ସମିଶ୍ରଣରେ ଯେଉଁ ମହା ଦୁର୍ଗନ୍ଧର ଉତ୍ପତ୍ତି ହୁଏ.......... ମା' ରାଣ, ମୃତ ବ୍ୟକ୍ତି ବି ଜୀବନ୍ତ ହୋଇ ଉଠିବ ।
ରୋହିତ ପାଣି ପାଣି ବୋଲି କହିବାରୁ ଭଦ୍ର ବ୍ୟକ୍ତି ନିଜ ବ୍ୟାଗ୍ ରୁ ପାଣି ବୋତଲ ଟି ଦେଲେ । ଆଖି ବନ୍ଦ କରି ଲିଟେରେ ପାଣି ଢକଢକ କରି ପିଇଗଲା ରୋହିତ।ଏ ସବୁ ଦୃଶ୍ୟ ଦେଖି ଖୁସିରେ ଆତ୍ମହରା ହୋଇ ଗଲେ ବ୍ୟକ୍ତି ଜଣକ। ଯାହା ହେଉ ମୁଁ ମଣିଷ ମାରିନି । ଏତେ ବେଳକୁ ତାଙ୍କର ନିଶା ସମ୍ପୁର୍ଣ୍ଣ ଭାବେ ଛାଡି ଯାଇଥାଏ। ପିଲାଟି ବିଷୟରେ ପଚାରିବାରୁ ଆଉ ତା ନିଜ ମୁହଁରୁ କଥା ସବୁ ଶୁଣି ତାକୁ କୋଳେଇ ନଲେ ସେ ବ୍ୟକ୍ତି ଜଣକ। ତାଙ୍କର ପୁଅ ନ ଥିଲା, ପୁଅ ଟିଏ ପାଇଗଲେ । ଘରକୁ ଆଣିଲା ପରେ, ସେ ଦେଖିଲା ଘରେ ଆଉ ଗୋଟିଏ ଝିଅ ଅଛି, ଯାହାର ନାଁ କଇଁ ।
ସଂଧ୍ୟା ହେଇ ଆସୁଛି । ତରତରରେ ଗାଈ,ବଳଦଙ୍କୁ ବାନ୍ଧି ଧୁଆଧୋଇ ହେବା ପାଇଁ ରୋହିତ ଘର ପଛ ପଟ ପୋଖରୀକୁ ଗଲା। ସେପଟେ କଇଁର ବାପା ମଦ ନିଶାରେ ଚୁର ହୋଇ ବାରଣ୍ଡାରେ ବସି ସରକାରଙ୍କ ତାରିଫ୍ କରୁଥାଏ, ବେ..... ଆଜି ଯାଏଁ ମଦପିଇଲେ କେବଳ ଆମକୁ ଗାଳି ମିଳୁଥିଲା,ହେଲେ ଏବେ ଆମକୁ ପ୍ରୋତ୍ସାହନ ମିଳିଲା। ଶଳା, ଆମେ ମଦ ପିଇଲେ ରାଜ୍ୟ ରାଜକୋଷ ବଢୁଛି ଆଉ ଲୋକ ଆମକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଚିନ୍ତା କରିଦେଖ ଆମେ ରାଜକୋଷକୁ ପରିପୂର୍ଣ୍ଣ କଲେ ତୁମର ସେଭେନ୍ଥ ପେରେ ମାଲ୍ ମିଳୁଛି, ରାଜ୍ୟ ଅଧିନ ସଡକ ହେଉଛି, ଗାଁ ଗାଁକୁ ପାଣି ସପ୍ଲାଏ ସହ ସରକାରୀ ଚିକିତ୍ସା ସୁଲଭମୂଲ୍ୟରେ ହେଉଛି। ଏମିତି କେତେ କ'ଣ ହଉଛି ଆମ ଅଗୋଚରରେ । ବେ...... କ'ଣ କହୁଚ ଆମକୁ , ବ୍ୟାଙ୍କରୁ ଟଙ୍କା ନେଇ ବିଦେଶକୁ ପଳଉଛନ୍ତି ଚୋର ଭଳିଆ କିନ୍ତୁ ଆମେ ଯୋଉଠି ଅଛୁ ସେଇଠି। ଦେଶ ଆଉ ରାଜ୍ୟକୁ ଆଗେଇବା ପାଇଁ ଆମର ଭୂମିକା କେତେ କ'ଣ ? ଚଳିତବର୍ଷ ଅବକାରୀରୁ ସରକାର ଆଜ୍ଞା ଆୟ କରିଛନ୍ତି ୩୯୨୫.୪୧ କୋଟି ଟଙ୍କା ପରା ।ସବୁକଥାକୁ ପ୍ରସାଦ ପରି ପିଇଯାଉଥାଏ ନଟବୁଢା, କଥା କଥାରେ ତାଳ ଦେଇ ଆଉ ଟିକେ ମତୁଆଲା କରୁଥାଏ କଇଁର ବାପାକୁ।
ରୋହିତ ଆସି ତା' ବ୍ୟାଗ ସଜାଡି ବାହାରିଲା କଇଁ ଦେଇଥିବା ଠିକଣା ଜାଗାକୁ । କଇଁ ବି ସମୟ ପୂର୍ବରୁ ଅପେକ୍ଷା କରିଥାଏ ରୋହିତକୁ । ରୋହିତକୁ ଦେଖି ତାକୁକୁଣ୍ଢେଇ ଧରିଲା, ଆଖିରୁ ଲୁହ ଅମାନିଆ ସ୍ରୋତରେ ଅଙ୍କାବଙ୍କା ଧାରାରେ ପ୍ରବାହିତ ହେବାକୁ ଲାଗିଲା କିନ୍ତୁ ରୋହିତ ପାଇଁ ସେଗୁଡିକ ଅବାସ୍ତବ ଥିଲା । ଯାହା ହେଲେ ପୁରୁଷ ପୁଅ । ଆଖିର ଲୁହ ଗୋଟେ ପୁରୁଷକୁ ଶୋଭା ପାଏନା। କ'ଣ କହିବି କଇଁକୁ ? କିଛି ବି ମଗଜରେ ପଶୁ ନ ଥାଏ ରୋହିତର । କେବଳ କଇଁର ମୁହଁକୁ ବୋକାଙ୍କ ଭଳି ଅନେଇ ଥାଏ। ରୋହିତ ଏତେ ପାଖରୁ ଗୋଟିଏ ନାରୀର ସ୍ପର୍ଶ ଆଉ ଏକ ମତୁଆଲା କଲାଭଳି ବାସ୍ନାରେ ବିମୋହିତ ହୋଇ ନିଜକୁ ଏକ କାଳ୍ପନିକ ଦୁନିଆରେ ପ୍ରବିଷ୍ଟ କରିସାରିଥାଏ । ସେକୁଆଡେ ଯିବ କ'ଣ କରିବ, ସବୁ କିଛି ଭୁଲି ଯାଇଥାଏ।
ହେ....... କ'ଣ ହେଲା, ଚୁପଚାପ୍ ହେଇ ଠିଆ ହେଇଛୁ? କଇଁର ପ୍ରଶ୍ନରେ କାଳ୍ପନିକ ଦୁନିଆରୁ ବାହାରି ଆସିଲା ରୋହିତ। ହଁ ହଁ କହୁନ କ'ଣ କରିବି। ଯେମିତି ଗୋଟେ ଯନ୍ତ୍ର ଚାଳିତ ମେସିନ ଭଳି ରୋହିତର ହାବଭାବରୁ ଲକ୍ଷ୍ୟ କରୁଥିଲା କଇଁ । ପ୍ରକୃତରେ କ'ଣ ନାରୀ ପାଖରେ ଗୋଟେ ପୁରୁଷର ସମସ୍ତ ବୁଦ୍ଧି, ବଳ ଆଉ ଗାରିମାର ଶକ୍ତି ନିଃଶେଷ ହୋଇଯାଏ । ନା ଏଇଟା ଭ୍ରମ, ମାନସିକ ବିକୃତି ।
ପ୍ରକୃତରେ ଦେଖିବାକୁ ଗଲେ ରୋହିତ ଚତୁର୍ଥ ଶ୍ରେଣୀ ଯାଏଁ ବହୁତ ମୁସ୍କିଲରେ ଯାଇଛି, କିନ୍ତୁ କଇଁ କଲେଜ ମାଟି ସ୍ପର୍ଶ କରି ପଢାରୁ ଡୋରି ବାନ୍ଧିଛି । ସେ ଦୃଷ୍ଟିକୋଣରୁ କଇଁ ବୁଦ୍ଧିମତୀ ବୋଲି କୁହାଯାଇପାରେ। କଲେଜ ସମୟରେ ଦୈନିକ ଖବରକାଗଜ, ସାପ୍ତାହିକ, ପଢେ,ଦେଶ ଦୁନିଆ ଉପରେ, ବର୍ତମାନ ସମାଜର ଚାଲିଚଳନ ଉପରେ ବେଶ ଅନୁଭବ ସାଉଁଟି ପାରିଛି କଇଁ ।
ଆଛା, ଯିବା....... ନା' ଏଇଠି ବସିରହିବା। କଇଁର ଗୋଟେ ପ୍ରଶ୍ନରେ ସାଙ୍ଗେ ସାଙ୍ଗେ ନିଜ ବ୍ୟାଗ୍ ସହ କଇଁର ବୋଝକୁ ମୁଣ୍ଡରେ ବୋହି ବସ ଷ୍ଟାଣ୍ଡକୁ ଆଗେଇଲେ କଲେ ଦୁଇ ଜଣ ।
ତେବେ ମନରେ ପ୍ରଶ୍ନ ଆସିଥାଏ...... ପ୍ରେମ କ'ଣ ବୟସର ସୀମା ଭିତରେ ଆବଦ୍ଧ ହୋଇ ପାରେନାହିଁ ? ତା' ନ ହୋଇଥିଲେ କ'ଣ କଇଁ ସହ ରୋହିତ ଏଭଳି କାଣ୍ଡ ଭିଆଇ ପାରିଥାନ୍ତେ ?
ଗୋଟିଏ କଥା.......... କଇଁ ଏଭଳି କରିବା ପଛରେ ଉଦ୍ଦେଶ୍ୟ କିଛି ଅଲଗା ଥିଲା, କାହିଁକି ନା....... କଇଁ ଏବଂ ଦାମିଆ ନନାର ବୟସ ଆକାଶ ପାତାଳର ଫରକ ଥିଲା, ସେଥିପାଇଁ ସେ ଏଭଳି ଗୋଟିଏ ନିଷ୍ପତ୍ତି ନେଲା,ତା' ସହିତ ସେ ଥିଲା ତାଙ୍କ ଅଞ୍ଚଳର ଶିକ୍ଷିତା ଝିଅ,ତା ଜୀବନକୁ ଗୋଟିଏ ବୁଢା ସାଙ୍ଗରେ ବ୍ୟତୀତ କରି ଜଲ୍ଦି ବିଧବା ହେବାକୁ ଚାହୁଁ ନଥିଲା , କିନ୍ତୁ ସେତେବେଳେ ଏପରି ବିବାହ ମଧ୍ୟ ହେଉଥିଲା । କହିବା କଥା, ପ୍ରେମ ହେଉଛି ଶାସ୍ୱତ, ଚିରନ୍ତନ ଆଉ ସତ୍ୟ । ପ୍ରେମକୁ ଛାଡି ଜୀବନର କଳ୍ପନା ମଧ୍ୟ କରାଯାଇପାରେନା ।