ଖୁସିର ଅସଲି ଠିକଣା
ଖୁସିର ଅସଲି ଠିକଣା


ପିଲାକନିଆ ରେ ବାହାହେଇ ଶାଶୁଘରକୁ ତେର ବରଷ ରେ ଆସିଥିଲା ମୋ ଆଈ ।ଆସିଲା ବେଳେ ପୁଆଣି ସଜରେ ତା ନନା ତାକୁ ହାତ ପେଡିଟେ ଦେଇଥିଲା ।
ସେପେଡିରେ ବୋଉ ତାର ସଜାଡ଼ି ଦେଇଥିଲା ସିନ୍ଦୂର ଫରୁଆ, ପାଣିଚୂଡି, କଜ୍ଜଳପାତି, ହଳଦୀ ଗିନା, ମୁଣ୍ଡ ଖୋଷା ଜୁଡା କାଠି,ବାସେନାତେଲ, ଅତର ,ରଙ୍ଗଗିନା, ଅଳତା,ଶିଙ୍ଘ ପାନିଆଁ ତାସାଙ୍ଗକୁଚିତ୍ରପକା କାଠପଟା ବନ୍ଧେଇ ଆରିସୀ ଟେ ।
ସବୁଗୁଡିକ ସାଇତା ହେଇଥିଲା ବହୁଦିନ ଯାଏ । କିନ୍ତୁ ଅଜା ଆରିସୀ ଟିକୁ ତାଶୋଇଲା ଘର ମାଟି କାନ୍ଥ ଜଳା କବାଟି ପାଖରେ କାଠବନ୍ଧେଇ କୁ ଖୋଲି କାନ୍ଥ ଖୋଳି ଲଗେଇଦେଇଥିଲେ, ଭାରିଖୁସି ହେଇଥିଲା ସେଦିନ ଆଈ । ସେଇଦିନଠୁଁ ଗାଧୋଇ ଆସିଲେ ଲୁଗା ପାଲଟି ହଳଦୀ ଗୁରୁଗୁରୁ ସଜଫୁଟା ମୁଁହ ଟାକୁ ଆରିସୀ ପାଖକୁ ଆଣି
ମଥାରେ ଶ୍ରୀମନ୍ତିନୀ ସନ୍ତକ ସିନ୍ଦୁର ଟୋପାଟେ ପିନ୍ଧୁଥିଲା ନିତି ନିତି ।
ହାତରେ ସାଉଁଳି ଦେଉଥିଲା ତା ଘନ କୁଞ୍ଚକୁଞ୍ଚିଆ ଅଣ୍ଟା ଯାଏଁ ଲମ୍ବିଥିବା ଚୁଟିରେ ବାନ୍ଧିଥିବା ଜୁଡାକୁ । ତାପରେ ଲମ୍ବା ଓଢଣୀଟେ ଟାଣି ଚଉରା ମୂଳେ ପାଣିଢାଳି ବୃନ୍ଦାବତୀଙ୍କୁ ମୁଣ୍ଡିଆ ମାରି ଥୋକେ ମାଟିମିଶା ଜଳକୁ ଉଦର କୁ କ୍ଷେପି ତାପରେ ଶାଶୁ,ଶ୍ୱଶୁର ସ୍ୱାମୀ ଦେବତା ଙ୍କ ପାଦଧୋଇ ପାଣି ଢକ ଢକ ପିଇ ସରିଲା ପରେ ତେଙ୍ଗେଡ଼ା ର ହାଣ୍ଡି, କଡେଇ ,ଡଙ୍କି ,କରଚୁଲି ଆଉ ଚୁଲି ସାଙ୍ଗେ ଆରମ୍ଭ ହେଉଥିଲା ତାର କଥାବାର୍ତ୍ତା। ଇମିତି ଆରମ୍ଭ ହୁଏ ତାର ଦୈନିକି ବୋହୂ ପଣିଆର ସକାଳ ଆଉ ସରେ ଚାରିଘଡି ଅନ୍ଧାରିଆ ଡିବିରି ଜଳା ରାତିରେ ।
ପାଣି ବୋହିଗଲା ପରି ସମୟସାଙ୍ଗେ ବହୁଥିଲା ତା ଦିନ ବୋହୂ ପଣିଆରୁ ଶାଶୁ ପଣିଆ ଯାଏଁ । ପି
ଢ଼ି କଡ଼ଲେଉଟେଇ ନେଇଥିଲା ୟାଭିତରେ । ଗୁଲୁଗୁଲିଆ ନାତି ନାତୁଣୀ ଭରା ସୁନ୍ଦର ସଂସାର ରେ ।
"ମାଆ' ଡାକ ଶୁଣି ଉଛୁଳି ପଡୁଥିଲା ତା ମନ ଉଛୁଳା ନଈ ପରି ।
××××××××××××××××××××
ମାମୁଁ ଯେତେବେଳେ ମାଟିଘର ଭାଙ୍ଗି କୋଠାଘର ତୋଳିବାକୁ ଚାହିଁଲେ,ସେ ମନା କରି ନଥିଲା । କେବଳ ତାର ଛୋଟିଆ ସର୍ତ୍ତ ଟେ ଥିଲା, ତାଶୋଇଲା ଘର କାନ୍ଥରେ ତା ନନା ଦେଇଥିବା ସନ୍ତକ ଆରିସୀ ଟିକୁ ଖୁଣ ନକରି ଯିମିତି ଥିଲା ସିମିତି ତାକୁ ଦବାକୁ । କାହିଁକି ନା' ସେ ବାପଘରୁ ଆଣିଥିବା ପୁରୁଣା ସନ୍ତକ ସବୁ ତାର ଭାଙ୍ଗିଭୁଙ୍ଗି ହଜିହାଜି ଗଲାଣି କେଉଁକାଳୁ । କେବଳ ବାପ
ସନ୍ତକ ରୂପେ ସେଇଟି ଯା' କାନ୍ଥରେ ରହିଛି । ତାର ଭାରି ମନ ସେ ମଲାବେଳେ ତା ସାଥିରେ ଶମଶାନ କୁ ଦବ ।ସେ ସରଗ ରେ ସେଥିରେ ମୁଁହ ଦେଖିବ ।
କାମେକା ଟୋକାଟା ଯେତେବେଳେ ଭୁସ୍ ଭାସ୍ ମାଟି କାନ୍ଥକୁ ଭାଙ୍ଗୁଥିଲା, ସେ ରାଗିଯାଇ ତାକୁ ତାଗିଦ୍ କଲା, "ହେ ଟୋକା ;ତୁ ଧିରି ଧିରି ଭାଙ୍ଗେ। ମୋ ବାପ ଦେଇଥିବା ଆରିସୀ ଯଦି ଖୁଣ ହୁଏ, ଦେଖିବୁ ମୁଁ ତୋର କଣ କରିବି ।"କାମେକା ପିଲାଟା କହିଲା," ନାଇଁ ଆଈ ମୁଁ ଖୁବ ହୁସିଆରି ରେ ଭାଙ୍ଗୁଛି।"ହଉ କହି ସେ ପାନ ଖାଇବାକୁ ଦାଣ୍ଡ ବାରଣ୍ଡାକୁ ଆସିଛି କି ନାହିଁ,ବହୁଦିନର ମୂଷାତଡ଼ା କାନ୍ଥତ'ଯେତେ ହୁସିଆର କଲେବି ରହିଲାନି ଭୁସକିନା ପଡିଗଲା ।
କାନ୍ଥ ସହିତ ସେ ଆରିସୀ ଟା ଭାଙ୍ଗି ଚୁର୍ ମାର ହେଇ ଭାଙ୍ଗିଗଲା । ଢେରେ ବେଳଯାଏଁ ସେଦିନ ଆଈ ବାହୁନି ବାହୁନି କାନ୍ଦିଥିଲା l ତା ପରଠୁଁ ଆଉ କେହିକେବେ ଦେଖି ନାହାନ୍ତି ମଲାଯାଏଁ ସେ ଆରିସୀ ରେ ମୁଁହ ଦେଖିଛି ବୋଲି ।