ପାଠପଢ଼ାର ଖୁସି
ପାଠପଢ଼ାର ଖୁସି


ସୁଦୂର ମୟୂରଭଞ୍ଜ ଜିଲ୍ଲାର କୋଟବାହାଲ ଗାଆଁରେ ଏକ ସାନ୍ତାଳ ପରିବାରରେ ଫୁଲୁରୀର ଜନ୍ମ । ବଣ ପାହାଡ଼ଘେରା ନୁଆଁଣିଆ ଖପର ଛପର ଝାଟିମାଟି କୁଡ଼ିଆରେ ସେ ତାବାପା,ମାଆ, ବଡ଼ଭାଇ ନୋଚିକା ଓ ସାନଭାଇ ହାଁସଦା ସହ ରୁହେ । ବିଭିନ୍ନ ରଂଗରେ ଚିତ୍ର ଆଙ୍କି ତାର ମାଆ ଘରର କାନ୍ଥକୁ ଚିତ୍ରିତ କରିଥାନ୍ତି । ସେମାନେ ବିଭିନ୍ନ ପର୍ବପର୍ବାଣୀ ଗାଆଁରେ ମିଳିମିଶି ପାଳନ୍ତି ଓ ପର୍ବପର୍ବାଣୀ ସମୟରେ ନାଚଗୀତର ଆୟୋଜନ କରିଥାନ୍ତି । ସେମାନେ ପିନ୍ଧୁଥିବା ପୋଷାକ,ବ୍ୟବହାର କରୁଥିବା ଗହଣା, ବାଦ୍ୟଯନ୍ତ୍ର, ହାଣ୍ଡିକୁଣ୍ଢେଇ, ପାଣିପାତ୍ରରେ ଆଙ୍କୁଥିବା ଚିତ୍ର ଆମ କଳା ସଂସ୍କୃତିର ପରିଚୟ ଦିଏ । ଏସବୁ କାମରେ ଫୁଲୁରୀ ତା ମାଆକୁ ସାହଯ୍ୟ କରେ । ତା ବାପା ଧାନ, ମକା, ବାଜରା ପ୍ରଭୃତି ଚାଷ କରନ୍ତି । ବଡ଼ଭାଇ ନୋଚିକା ବାପାଙ୍କୁ ଚାଷ କାମରେ ସାହାଯ୍ୟ କରେ । ହାଁସଦା ତା ଗାଆଁ ବିଦ୍ୟାଳୟକୁ ପାଠ ପଢିବାକୁ ଯାଏ । ଫୁଲୁରୀର ପାଠ ପଢିବାକୁ ଭାରି ଇଚ୍ଛା । ତା ଭାଇ ଯେମିତି ସଫା ପ୍ୟାଣ୍ଟସାର୍ଟ ପିନ୍ଧି ବହିପତ୍ର ଧରି ସ୍କୁଲକୁ ଯାଉଛି, ସେମିତି ସେ ସ୍କୁଲ ଯିବାପାଇଁ ମନେ ମନେ ଭାବେ । ତା ଭାଇକୁ ସ୍କୁଲରୁ ମାଗଣାରେ ବହିପତ୍ର ମିଳୁଛି । ସେ ଯଦି ପଢ଼ନ୍ତା, ତାକୁ ବି ମିଳନ୍ତା । କିନ୍ତୁ ତା ବାପା ମାଆ ତାକୁ ଝିଅଟେ
ବୋଲି ପଢ଼ିବାକୁ ଦେଉନାହାଁନ୍ତି । ତାକୁ ଯେତେବେଳେ ପାଞ୍ଚ ବର୍ଷ ପୁରିଲା ତାଙ୍କ ଗାଆଁ ବିଦ୍ୟାଳୟର ସାରେ ତା ବାପାଙ୍କୁ ଫୁଲୁରୀର ନାଁ ଲେଖେଇବାକୁ କହିଲେ । ହେଲେ ତା ବାପା ସଫାସଫା ମନା କରିଦେଲେ । ଝିଅ ପିଲାଟେ ପାଠପଢି କେନ୍ ତା କରିମ । ସେତେବେଳେ ଫୁଲୁରୀ କାନ୍ଦିପକାଇଥିଲା । ସେ ମାଆ ସାଙ୍ଗରେ ଜଙ୍ଗଲକୁ ଯାଏ । ମହୁ,ମହୁଲ, ଝୁଣା, ଲାଖ, କେନ୍ଦୁ, ଶାଳପତ୍ର ସଂଗ୍ରହ କରେ । କେନ୍ଦୁପତ୍ର ତୋଳେ, ମାଆକୁ କେନ୍ଦୁପତ୍ର ବିଡା କରିବାରେ ସାହାଯ୍ୟ କରେ । ତା ପରେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲାବେଳକୁ କଣ ଦି'ଟା ଖାଇ ଛେଳିନେଇ ପାହାଡ଼ମୁଣ୍ଡିଆ ସୋଲାନଈ କୂଳରେ ଚରାଏ । ସଂଜହେଲେ ଘରକୁ ଫେରେ । ଏଇଟା ଫୁଲୁରୀର ନିତିଦିନିଆ କାମ । ସେ ଛେଳିଚରାଇବାକୁ ଗଲାବେଳେ ପାହାଡ଼ମୁଣ୍ଡିଆରେ ଛେଳିମ
ାନଙ୍କୁ ଚରିବାକୁ ଛାଡି ସ୍କୁଲ ପାଖ ବରଗଛ ମୂଳରେ ବସି ପାଠପଢା ସବୁ ଶୁଣେ । ସେ ଶୁଣିଶୁଣି ଅନେକ ପାଠ ଆଉ ପଢ଼ାବହି ଗୀତ ମନେରଖି ସାରିଲେଣି । ଅତି ଖୁସିରେ ଛେଳି ଅଡେଇଲା ବେଳେ କି, ଷୋଳନୀରେ ମୁହଁ ହାତ ଧୋଇଲାବେଳେ ସେ ସବୁକୁ ବୋଲି ପକାଏ । ଦିନେ ସେ ସୋଲା ନଈ କୂଳେ ବସି ଛେଳି ଚରାଉଥାଏ । ବିଦ୍ୟାଳୟର କିଛି ପିଲା ଗଣେଶମୂର୍ତ୍ତି ବିସର୍ଜନ କରିବା ପାଇଁ ସୋଲ ନଈ ପାଣିରେ ପଶିଲେ । ଖୁସିରେ ଫୁଲୁରୀ ସେମାନଙ୍କୁ ଦେଖୁଥାଏ । ହଠାତ୍ ପିଲାଟିଏ ପାଣିରେ ବୁଡ଼ିଗଲା । ଅନ୍ୟ ପିଲାମାନେ ଭୟରେ ଚିତ୍କାର କରିବାକୁ ଲାଗିଲେ । ଫୁଲୁରୀକୁ କିଛି ବୁଦ୍ଧିବାଟ ଦିଶିଲାନି । ସେ ଆଗପଛ ବିଚାର ନକରି ପାଣି ଭିତରକୁ ଡେଇଁ ପଡିଲା । ସେ ଆଗରୁ ଏ ସୋଲା ନଈରେ ଏକୂଳ ସେକୂଳ କେତେ ପହଁରିଛି । ଏକା ନିଃଶ୍ଵାସକେ ପାଣିରେ ବୁଡି ଯାଉଥିବା ପିଲାଟିକୁ ଟାଣିଟାଣି କୂଳକୁ ନେଇ ଆସିଲା । ସେତେବେଳେ ବେଳକୁ ପିଲାଟି ଦୁଇ/ଚାରି ଢ଼ୋକ ପାଣି ପିଇ ଯାଇଥିଲା । ପିଲାଙ୍କ ଚିତ୍କାର ଶୁଣି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଆଉ କେତେ ଜଣ ଗାଆଁ ଲୋକ ସେଠାରେ ପହଁଚି ଗଲେ । ସେ ପିଲାଟିକୁ ମୁଁହ ମାଡି ଶୁଆଇ ପେଟକୁ ଚାପିବାରୁ ପାଣି ପାଟିବାଟେ ବାହାରିଗଲା । ପିଲାଟିର ଚେତା ଫେରି ଆସିଲା । ପ୍ରାଥମିକ ଚିକିତ୍ସା ପରେ ତାକୁ ଡାକ୍ତରଖାନା ନିଆଗଲା । ପିଲାଟି ସୁସ୍ଥ ହେଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁଲୁରୀର ସାହାସିକତା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କଲେ । ଆମ ଦେଶର ସାହାସିକତା ପୁରସ୍କାର ପାଉଥିବା ପିଲାମାନଙ୍କ ମଧ୍ୟରେ ଫୁଲୁରୀର ନାମ ମନୋନୀତ ହେଲା । ରାଷ୍ଟ୍ରପତିଙ୍କ ଠାରୁ ସେ ସ୍ୱାଧୀନତା ଦିବସରେ ପୁରସ୍କାର ପାଇଲା । ସରକାରଙ୍କ ତରଫରୁ ସିଏ ଏବେ "କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ'ରେ ରହି ମାଗଣାରେ ପାଠ ପଢୁଛି । ତା ଦେଖାଦେଖି ତା ଗାଆଁର ଅନେକ ଝିଅ ପଢିବାକୁ ଆଗଭର ହେଲେଣି । ଫୁଲୁରୀ ଯୋଗୁଁ ତା ଛୋଟିଆ ଗାଆଁ ସାରା ଦେଶରେ ନାଁ କମେଇଥିବାରୁ ଗାଆଁଲୋକେ ବହୁତ ଖୁସି । ପ୍ରଶଂସାରେ ତାକୁ ପୋତି ପକାଉଛନ୍ତି । ଗର୍ବରେ ତାଙ୍କ ଛାତି କୁଣ୍ଢେ ମୋଟ । ଫୁଲୁରୀ ପାଠ ପଢ଼ୁଥିବାରୁ ସେ ଖୁସ୍ ତା ବାପ ବି ଖୁସ୍ । ।