Mishra Manasi

Children Stories

4  

Mishra Manasi

Children Stories

କୁନି ହୃଦୟର ଅମାପ ଖୁସି

କୁନି ହୃଦୟର ଅମାପ ଖୁସି

4 mins
397



ମୁନା ସଞ୍ଜ ବେଳେ ଖେଳିସାରି ଏକାମୁଁହା ବୋଉ ବୋଉ ଡାକି ଘର ଭିତରେ ପଶି ଧଇଁ ସଇଁ ଦୌଡ଼ି ଅଗଣା ଭିତରେ ପହଞ୍ଚି ଗଲା ।ହାତରେ ଗୋଟେ ଝୁଲନ୍ତା ଚଢ଼େଇ ବସାଟେ ଧରିଥାଏ ।

ଚିଲେଇ ଚିଲେଇ ବୋଉ -ଉ-ବୋଉ-ଉ-- ଡାକୁଥାଏ ।ତାକୁ ଦେଖି ଦୁଆର ପିଣ୍ଡାରେ ବସିଥିବା ଜେଜେ ମାଆ ଏଡେଟେ ପାଟିକରି କହିଲେ," ଆରେ ଟୋକା-ଆ, ସେ ବାଇଆ ବସାକୁ ଫୋଫାଡେ ଫୋଫାଡେ ।କଉଁଠୁ ଆଣିଲୁ ତାକୁ ?ବାୟା ବସାକୁ ଧଇଲେ ଜର ହବ ।"ଏକଥା ଶୁଣି ମୁନା ବସାଟାକୁ ଦୁରକିନା ଫୋଫାଡି ଦେଲା ଦୁଆରକୁ । ବୋଉ ଠାକୁର ଘରୁ ବାପା ଦାଣ୍ଡପଟୁ ଆସୁଥିଲେ । ଦୁହେଁ ଦୁଆରେ ମୁନା ପାଖରେ ଅଟକି ଏକାବେଳକେ କହି ପକେଇଲେ ଆରେ ମୁନା, କଣ ହେଲା ?"କାନ୍ଦ କାନ୍ଦ ହେଇ ମୁନା କହିଲା, "ମାଆ କହୁଛି,ମତେ ଜର ହବ ।"ମୁଁ ଖେଳିବାକୁ ଯାଇଥିଲି,ବଡ଼ ପିଲାମାନେ ତାଳ ଗଛକୁ ଟେକା ପକାଉଥିଲେ ।କେତ ଚଢ଼େଇ-ଇ! ଉଡ଼ିଗଲେ ।ଏମିତିକା ତାଳ ବରଡାରେ ଓହଳିଥିବା ତିନି/ଚାରିଟା ବସା ଖସିପଡିଲା । ମୁ ଗୋଟେ ନେଇ ଆସିଲି ।ମୋତେ କାଇଁ ଜର ହବ ?"ବାପା ବୋଉ ଏକାବେଳକେ ହସିଉଠିଲେ ।ଜେଜିମାଆ ରାଗିକି କହିଲା,"ହଁ ମୋ କଥା ତୁମକୁ ସବୁ

ନାକେରା ଲାଗୁଛି ସେଇଥି ପାଇଁ ହସୁଛ ।ମୁଁ ତ'ମୋ ପିଲାକାଳୁ ଆସି ବୁଢ଼ୀ ହେଲିଣି; ମୋ ଆଈ ଅଜାଙ୍କ ଠୁଁ ଶୁଣିଛି କୁଆଡେ ବାଇଚଢ଼େଇ ବସାରେ ତାଳଗଛ ମୂଳରୁ ନାଗସାପ ଚଢି ତାଙ୍କ ଛୁଆଁକୁ ଖାଇଦେଵ ବୋଲି ସେ ପାଟିରୁ ଵିଷିୟାନି ନାଳ ବାହାରକରି ବସା ଦିହରେ ବୋଳିଦିଅନ୍ତି ।ସେଇଥି ପାଇଁ ତାଙ୍କର କିଛି ହୁଏନି ।ବାପା କହିଲେ, ନାଇଁ ବୋଉ ତାର ବୈଜ୍ଞାନିକ କାରଣ ଅଛି 

ଆମ ଗାଉଁଲି ଚଳଣିରେ ଏଗୁଡିକ ଅନ୍ଧବିଶ୍ୱାସ କଥା ।ବସାକୁଧଇଲେ କିଛି ହେବନି ।ଜେଜେ ମାଆ ଏକଥା ଶୁଣି ମୁହଁ ଫୁଲେଇ ରାଗ ତମତମରେ  ତା ଶୋଇଲା ଘରକୁ ପଳାଇଲା ।

 ବୋଉ ରୋଷେଇ ଘରକୁ । ବାପା ଗୋଡ଼ ହାତ ଧୋଇବାକୁ ଚାଲିଗଲେ । ମୁନା ମୁଣ୍ଡରେ ଝୁଙ୍କ ପଶିଥାଏ । ସେ ବାପା ପଛେପଛେ ଗୋଡେଇ ଗୋଡେଇ କହୁଥାଏ ବାପା, ଏ ବସା ଆଉ ବାଇଚଢ଼େଇ କଥା କୁହନା ।ବାପା କହିଲେ, ହଉ ଠିକ୍ ଅଛି ତୁ ଆଗ ଗୋଡ଼ମୁହଁ ହାତ ଧୋଇ ପ୍ରାର୍ଥନା କରିସାରେ । ପାଠ ପଢିଲା ବେଳେ ମୁଁ ତୋତେ ସବୁ କଥା କହିବି ।ମୁନାଖୁସିରେ ସବୁକାମ ଶୀଘ୍ର ଶୀଘ୍ରସାରିଦେଲା । ପଢ଼ାଘରେ ବସି ବାପାଙ୍କୁ ଡାକ ପକାଇଲା । ବାପା ତା

ପାଖକୁ ଆସିଲେ । ପହଁଚି ତା ପାଖରେ ବାଇଚଢ଼େଇ କଥା କହି ବସିଲେ ।

ମୁନା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଆଠ ବରଷର ଛୋଟିଆ ପିଲାଟେ ।ତାପିଲା ମୁଣ୍ଡକୁ ଧରିଲା ପରି ବାପାତାକୁ ବୁଝାଇ କହିଲେ । ବାଇଚଢ଼େଇକୁ ଆମେ ତନ୍ତୀ ପକ୍ଷୀ ବା କାରିଗରୀ ପକ୍ଷୀ କହୁ ।

ବଡ଼ ବଡ଼ ତାଳ ଗଛ ବରଡାରେ କିମ୍ବା

ପାଣିଉପରକୁ ଝୁଙ୍କି ପଡିଥିବା ଉଚ୍ଚ ଗଛ ଡାଳରେ ଏମାନେ ସରୁସରୁ ତାଳପତ୍ର ଆଉ ଲମ୍ବା ଘାସରେ ଖୁବଶକ୍ତଭାବେ ବୁଣିଥାନ୍ତି ବସାକୁ ।

ତାଙ୍କ ବସା ଭିତର ଭାରି ସଫାସୁତୁରା । ବସା ଭିତରେ ହୁଇଟିକୋଠରୀ ଥାଏ । ଗୋଟିଏ ଅଣ୍ଡା କୋଠରୀରେ ଅଣ୍ଡା ଦିଏ । ଅନ୍ୟ କୋଠରୀଟି ନିର୍ଗତ ଦ୍ୱାର ସହ ସଂଯୁକ୍ତ ଥାଏ ।ଅଣ୍ଡା ଦିଆ କୋଠରୀକୁ ସହଜରେ ଶତ୍ରୁ ଯାଇ ପରେ ନାହିଁ।ଏହି ବସାଗୁଡିକ ଇଲେଟ୍ରିକ ବଲବ୍ ଝୁଲିଲା ପରି ଓହଳିଥାନ୍ତି ।ଏମାନେ ଆକାର ରେ ଛୋଟ ପକ୍ଷୀ ହେଲେ ମଧ୍ୟ ଖୁବ ବୁଦ୍ଧିଆ ।ସେମାନେ ଏକାଠି ଦଳଦଳ ହୋଇ ବାସ କରନ୍ତି।ତାଙ୍କୁ ଯନ୍ତ୍ରୀ ପକ୍ଷୀ କୁହନ୍ତି।ତାଙ୍କ ବସା ଗୁଡ଼ିକ ଏମିତି କୌଶଳ ରେ ତିଆରି ହୋଇଥାଏ ଯେ ,ଏହା କୁ ସହଜରେ ବୁଝି ହୁଏନା।ଖରା,ବର୍ଷା, ଶୀତ ବା'ବତାସରେ ଏହା ଖସି ପଡେନି କି ନଷ୍ଟ ହୋଇଯାଏ ନାହିଁ। ସେମାନଙ୍କୁ ଇଂରାଜି ରେ weaver bird ମଧ୍ୟ କୁହନ୍ତି। ' ତୁ ଏତିକି କଥା ଜାଣିଥା' ବଡ ହେଲେ ଅଧିକ ଜାଣିବୁ। ମୋ ପିଲାଦିନେ ଆମ ବାଡ଼ିପଟ ପୋଖରୀ ହୁଡା ସେପଟେ ଧାଡି ତାଳଗଛ ଥିଲା। ସେ ଗଛରେ ବହୁତ ସଂଖ୍ୟାରେ ବାଇଚଢ଼େଇ ମାନେ ବସା କରିରହୁଥିଲେ।ଲୋକ ମାନେ ଗଛ ସବୁ କାଟିଦେଲେ,ବାଆଵତାସରେ ତାଳ ଗଛ ଗୁଡିକ ନଷ୍ଟ ହୋଇଗଲା । ପରିବେଶ ପ୍ରଦୂଷଣ ରୁ ଏମାନେ ଦୂରକୁ ଉଡ଼ିଗଲେ କିମ୍ବା ସେମାନଙ୍କ ଵଂଶ କମି ଆସିଲା । ଏବେ ପୋଖରୀ ହୁଡାରେ ଦିଟା ଡେଙ୍ଗା ତାଳ ଗଛ ଅଛି ।ସେଥିରେ ଅଳପ ଚଢେଇ ଚାରି ପାଞ୍ଚଟା ହାତ ଗଣତି ବସା କରି ରହୁଛନ୍ତି ।

    ଏକଥା ଶୁଣି କୁନାକୁ ରାତିରେ ନିଦ ନାହିଁ । ସକାଳ ହେବାକ୍ଷଣି ସେ ଦୌଡିଲା ପୋଖରୀକୂଳକୁ । ସତକୁ ସତ ତାଳଗଛରେ ୪/୫ଟା ବସା ଓହଳିଛି । କୁନିକୁନି ଚଢ଼େଇଗୁଡ଼ାକ କିଚିରିମିଚିରି ହେଇ ତା ଚାରିପାଖେ ଉଡ଼ୁଛନ୍ତି ତ କେତେବେଳେବସା ଭିତରକୁ ଯାଇ ପୁଣି ବାହାରକୁ ଆସୁଛନ୍ତି। ଏମିତି ଏମିତିଖୁସିରେ 

ନିଜ ନିଜ ଭିତରେ ଖେଳୁଛନ୍ତି । କୁନାକୁ ଭାରି ଖୁସି ଲାଗିଲା । ସେ ନିଇତି ସକାଳୁ ଉଠିଲା ମାତ୍ରେ ଯାଇ ଚଢ଼େଇ ଗୁଡାଙ୍କୁ ଦେଖି ଆସୁଥିଲା ।

ଚଇତି ମାସ ଗଲା । ବୈଶାଖ ମାସ ଟାଣ ଖରା ।ମାସ ଶେଷ ଆଡକୁ ବାପା ଦିନେ ଆସି ବୋଉକୁ କହିଲେ, "ଗୋଟେ ବଡ଼ ଧରଣର ଲଘୁଚାପ

ଆଣ୍ଡାମାନ ଠାରେ ବଙ୍ଗୋପସାଗରରେ ହେଇଚି ।

ଏହା ଘନୀଭୂତ ହୋଇ ଖୁବ ବର୍ଷା ପବନ ସହ ଆମ ଓଡ଼ିଶା ଉପକୂଳରେ ମାଡ଼ ହେବ । ତାର ନାଆଁ ଫନି ଦିଆଯାଇଛି । ପାଣିପାଗ

ବିଶେଷଜ୍ଞ ମାନେ ଏହାର ଲାଣ୍ଡଫଲ

ସ୍ଥାନ ଆକଳନ କରି ପାରୁନାହାନ୍ତି । ଘରେ ଚୁଡ଼ା, ଚାଉଳ ଖାଦ୍ୟ ଜିନିଷ ସହ କିରାସିନି ମହମବତୀ ଇତ୍ୟାଦି ରଖିବାକୁ ପଡିବ ।

 କୁନା ଲଘୁଚାପ କ'ଣ, ଫନି କ'ଣ ?

ବୁଝି ପାରୁ ନଥାଏ । କେବଳ ବାପାଙ୍କ

କଥାରୁ ବୁଝିଲା ବର୍ଷା ପବନ ଖୁବ ଜୋରେ ହବ । ମେ ମାସ ତିନି ତାରିଖ ସତକୁ ସତ ସେହି ଫନିବାତ୍ୟା ଟି ପୁରୀଜିଲ୍ଲାର କୋଣାର୍କ ଆଉ ପୁରୀ ମଝି ଅଞ୍ଚଳରେ ମାଡ଼ ହେଲା ।

 ଗଛ ପତ୍ର ଘର ଦ୍ୱାର, ପ୍ରାକୃତିକ ଜଙ୍ଗଲ ସବୁ ଧ୍ୱଂସ ହେଇଗଲା । ସବୁରିକି ତଳିତଳାନ୍ତ କରିଦେଲା ।ସେଦିନ କୁନା କେବଳ ଭୟରେ ବୋଉ କୋଡ଼ରେ ଆଉଜେଇ ହେଇଥାଏ । ବର୍ଷା ପବନ ଗର୍ଜ୍ଜନ ରେ ଥରୁଥାଏ ଗୋଟା ପଣେ । ବାତ୍ୟା ପବନ ବର୍ଷା ଛାଡିଗଲା ପରେକୁନା

ପଦାକୁ ବାହାରିଲା। ତାର ମନେ ପଡିଗଲା ସେଇ କୁନି ବାଇଚଢ଼େଇଙ୍କ କଥା । ସେ ଏକା ନିଶ୍ଵାସ କେ ପଡିଉଠି ଦୌଡ଼ିଲା ପୋଖରୀ କୂଳକୁ । ବାପା ମୂଲିଆ ଡକେଇ ଗଛପତ୍ର ଭାଙ୍ଗି ପଡିଥିବା ବାଡ଼ିକୁ ସଫା କରୁଥାନ୍ତି ।କୁନାର ଭେଁ ଭେଁ କାନ୍ଦ ଶୁଣି ବାପା ଦୌଡ଼ିଗଲେ ପୋଖରୀକୂଳକୁ କୁନା 

ପାଖକୁ ।କ'ଣ ହେଲା ବାପା, କାନ୍ଦୁଛୁ କାହିଁକି ?ସେ ଆଙ୍ଗୁଠି ଟି ବଢ଼େଇ ଦେଲା କେବଳ ।ସବୁଦିନ ଦେଖୁଥିବା ତାଳଗଛ ଟା ଭାଙ୍ଗି ପଡ଼ିଛି ପୋଖରୀ ହୁଡ଼ାରେ ।ବାଇଚଢ଼େଇ ବସା ଗୁଡାକ

ଛିଡିଛାଡି କିଛି ପାଣିରେ କିଛି ମାଟିରେ ପଡିଛି ।ଆଉ କୁନି କୁନି ଛୁଆ ଚଢ଼େଇ ସହ ମାଅ ମାନେବି ମରି ପଡିଛନ୍ତି । କେତେ ପାଣିରେ ଭାସୁଛନ୍ତି ତ'ପୁଣି କେତେ ଉପରେ ପଡିଛନ୍ତି ।ତିନି ଚାରି ଦିନ ଯାଏଁ କୁନାର କଇଁ ବନ୍ଦ ହେଲାନି ।ବହୁକଷ୍ଟରେ କୁନାକୁ ଆଜି ବୋଉ ବୁଝାଇ ସୁଝାଇ ଭାତ ଗୁଣ୍ଡେ ଖୁଆଇଛନ୍ତି ।


Rate this content
Log in