STORYMIRROR

Mishra Manasi

Inspirational

3  

Mishra Manasi

Inspirational

ମାୟା ସଂସାରର ଆତ୍ମିକ ସୁଖ

ମାୟା ସଂସାରର ଆତ୍ମିକ ସୁଖ

7 mins
170


  ମର୍ଣ୍ଣିୱାର୍କରୁ ଫେରି ସୁରେଶ ବାବୁ ଦାଣ୍ଡଘର ଡ୍ରଇଂଙ୍ଗ୍ ରୁମରେ ବସି ଖବରକାଗଜଟା ପଢୁଥାନ୍ତି । ଏତିକି ବେଳେ ନାତି ଲିଟୁନା ଆସି କହିଲା ଜେଜେ,ମାଆ କହୁଛି କାଲି ପରାଗ ଲାଗିଵ । ଆଜି ସଞ୍ଜ ବେଳୁ ହାଣ୍ଡି ଛାଡ଼ ହବ ।ଭାତ ଖିଆ ହବନି ଆଉ ।କାଲି ପରାଗ ଛାଡିଲେ ଦିନ ତିନିଟା ବେଳକୁ ଗାଧୋଇ ପାଧୋଇ ବୋଉ ରୋଷେଇ କରିବ,ତାପରେ ଯାଇ ଖିଆହେବ ।ମୁଁ କେମିତି ରହିବି ? ମୋତେ ତ ଭୋକ କରିବ "। କାଇଁ ,ତୁ ଜଳଖିଆ ଖାଇବୁନି କି ।'

ଜେଜେ ,"କହିଲ ଏ ପରାଗ କ'ଣ ? ହାଣ୍ଡି କାହିଁକି ଛାଡ଼ ହେବ ?'

ଜେଜେ ଖବର କାଗଜରୁ ଆଖିଟା ଉଠେଇ ତାକୁ ଟିକେ ଚାହିଁ ହସିଦେଇ କହିଲେ,"ଆ--ଵଅ-- ।ମୁଁ କହୁଛି ।' ସୁରେଶ ବାବୁ ଏଇ ବରଷକ ତଳେ ଗାଁପାଖ ହାଇସ୍କୁଲରୁ ଶିକ୍ଷକ ବୃତ୍ତିରୁ ଅବସର ନେଇଛନ୍ତି ।ଜଣେ ଉତ୍ତମ ବିଜ୍ଞାନ ଶିକ୍ଷକ ରୂପେ ଖୁବ ଜଣାଶୁଣା, ନାମକରା ।ଶିକ୍ଷକତା ଜୀଵନରେ ଅନେକ ଥର ନୂଆ ନୂଆ ବିଜ୍ଞାନ ପ୍ରକଳ୍ପ ତିଆରି କରି ଶିକ୍ଷା ବିଭାଗରୁ ପୁରସ୍କୃତ ହୋଇଛନ୍ତି । 

 ଲିଟୁନା ଜେଜେଙ୍କ ପାଖେ ବସିଲା । ତାପରେ ସୁରେଶ ବାବୁ କହିଲେ,"ଆସନ୍ତା କାଲି ଯେଉଁ ସୂର୍ଯ୍ୟପରାଗ ହେବ ,ସେ ଏକ ମହାକାଶ ବିଜ୍ଞାନରେ ମହଜାଗତିକ ଦୃଶ୍ୟ। ବିଗବ୍ୟାଙ୍ଗ ମତ ଅନୁସାରେ ବୈଜ୍ଞାନକମାନେ ଗବେଷଣା କରି କୁହନ୍ତି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ଆରମ୍ଭରେ ମହାକାଶରେ ଦୁଇଟି ବଡ଼ ନକ୍ଷତ୍ର ଥିଲେ ।ପରସ୍ପର ପରସ୍ପର ମଧ୍ୟରେ ଆକର୍ଷଣ ବିକର୍ଷଣ ଫଳରେଏକ ବଡ଼ ଧରଣର ବିସ୍ଫୋରଣ ଘଟିଲା ।ଫଳରେ ଗୋଟିଏ ତାରା ଭାଙ୍ଗି ନଅଟି ବଡ଼ ବଡ଼ ଖଣ୍ଡ ଏବଂ କେତେକ ଛୋଟ ଖଣ୍ଡରେ ପରିଣତ ହୋଇ ସେଇ ଶକ୍ତିଶାଳୀ ତାରା ଚାରିପଟେ ଘୁରିବାକୁ ଲାଗିଲେ। କାଳକ୍ରମେ ସେଇ ଖଣ୍ଡ ବିଖଣ୍ଡିତ ତାରା ନିଜର ଔଜ୍ଜ୍ୱଲ୍ୟ ହରାଇ ଶୀତଳ ହୋଇ ନଅଟି ଗ୍ରହରେ ପରିଣତ ହେଲେ ।ଆଉ ଛୋଟ ଖଣ୍ଡ ଗୁଡିକ ମଧ୍ୟ ବଡ଼ଖଣ୍ଡ ଚାରିପଟେ ଘୁରୁଥିଲେ ।ତାଙ୍କୁ ଉପଗ୍ରହ କୁହାଗଲା। ।ଆମ ପୃଥିବୀ ସେ ଗ୍ରହ ଭିତରୁ ଗୋଟିଏ । ବୁଧ, ଶୁକ୍ର,ପୃଥିବୀ ମଙ୍ଗଳ,ବୃହସ୍ପତି, ଶନି,ୟୁରେନ୍ସ, ନେପଚ୍ୟୁନ୍,ପ୍ଲୁଟୋଏମିତି ନଅଟି ଗ୍ରହର ନାମ ଦିଆଯାଇଛି । ମଝି ତାରାଟିର ନାମ ସୂର୍ଯ୍ୟ ।ସୂର୍ଯ୍ୟ, ନଅଟି ଗ୍ରହ ଆଉ ଉପଗ୍ରହ ମାନକୁ ନେଇ ସୂର୍ଯ୍ୟ ପରିବାର ବା ସୌରଜଗତ ଗଠିତ ହେଇଛି ।ଗ୍ରହଗୁଡିକ କ୍ରମାନ୍ୱୟରେ ନିଜ ଅକ୍ଷ ଚାରିପଟେ ଏକ ଅଣ୍ଡାକାର କକ୍ଷ ପଥରେ ଅନବରତ ସୂର୍ଯ୍ୟ ଚାରିପଟେ ଘୁରୁଛନ୍ତି । ତାଛଡା ଉପଗ୍ରହ ମଧ୍ୟ ସେମିତି ତାଙ୍କର ନିର୍ଦ୍ଦିଷ୍ଟ ପଥରେ ଦିନରାତି ଗ୍ରହ ଚାରିପଟେ ପରିକ୍ରମା କରୁଛନ୍ତି ।ବୁଧ ଗ୍ରହ ସୂର୍ଯ୍ୟଙ୍କ ନିକଟରେ ଥିଲା ବେଳେ ସବା ଶେଷଗ୍ରହ ପ୍ଲୁଟୋ ବହୁତ ଦୂରରେ ରହିଛି ।ଆମ ପୃଥିବୀର ସ୍ଥାନ ତୃତୀୟରେ ।

ଗପ ଶୁଣୁଶୁଣୁ ମଝିରେ ଲିଟୁନା ପଚାରିଲା,ଜେଜେ ଆମେ ବୁଧଗ୍ରହ ପାଖୁଯାଇ ପାରିବା,? ନା' ସେ ଭାରି ଉତ୍ତପ୍ତ । ସେ ବହୁ ଗହନ କଥା । ଯୋଉ କଥା ପଚାରିଛୁ ଆଗେ ଶୁଣୁ ପରେ ସେ ସବୁ ମୁଁ କହି ବି । ଏବେ ବୈଜ୍ଞାନିକମାନେ କହୁଛନ୍ତି ପ୍ଲୁଟୋ ଗ୍ରହଟି ଭାଙ୍ଗି ବାମନ ଗ୍ରହ ହେଇଛି । ସୌର ଜଗତ ଭିତରେ ତାକୁ ଆଉ ଗଣା ଯାଉନି । ଆଉ ସିଆଡକୁ ଯିବାନି ।ଆମେ ପରାଗ କଥା ,କଥା ହବା ।ହଁ ଜେଜେ କୁହ, ଲିଟୁନା କହିଲା ।ପୁଣି ଜେଜେ ଆରମ୍ଭ କଲେ। ଗ୍ରହମାନଙ୍କର ଉପଗ୍ରହ ଅଛି 2019 ବିଜ୍ଞାନ ଗବେଷଣା କେନ୍ଦ୍ର ତଥ୍ୟ ଅନୁଯାୟୀ ସବୁଠାରୁ ବଡ଼ଗ୍ରହ ବୃହସ୍ପତିର ଅଣାଅଶୀ, ଶନିର ବୟାଅଶୀଟି ଉପଗ୍ରହ ଅଛି । ଅନ୍ୟ ଗ୍ରହମାନଙ୍କର ବି' ଉପଗ୍ରହ ଅଛି। ହେଲେ ଆମ ପୃଥିବୀର ଗୋଟିଏ ମାତ୍ର ଉପଗ୍ରହ ଚନ୍ଦ୍ର ।ଗ୍ରହମାନଙ୍କର ଦୁଇଟି ଗତି ଅଛି । ଗୋଟିଏ ଦୈନିକ, ଗୋଟିଏ ବାର୍ଷିକ ।ଆମ ପୃଥିବୀ ନିଜ ଅକ୍ଷ ଚାରିପଟେ ଥରେ ଘୁରିବାକୁ ଚବିଶ ଘଣ୍ଟା ବା ଗୋଟିଏ ଦିନ ସମୟ ନିଏ ।ଏଇଥି ଯୋଗୁଁ ଦିନରାତି ହୁଏ।ଏହାକୁଦୈନିକ ଗତି ବା ଆବର୍ତ୍ତନ ଗତି କହନ୍ତି । ସୂର୍ଯ୍ୟ ଚାରିପଟେ ଘୁରିଆସିବାକୁ ତାକୁ 365 ଦିନ ବା ଗୋଟିଏ ବର୍ଷ ଲାଗେ । ଏହାକୁ ପୃଥିବୀର ବାର୍ଷିକ ଗତି ବା ପରିକ୍ରମଣ ଗତି କୁହାଯାଏ । ୟା ଯୋଗୁଁ ଋତୁ ପରିବର୍ତ୍ତନ ହୁଏ । ସେମିତି ଚନ୍ଦ୍ର ମଧ୍ୟ ପ୍ରାୟ 28ଦିନରେ ପୃଥିବୀ ଚାରିପଟେ ବୁଲି ଆସେ । ତାର ନିଜ ଅକ୍ଷ ଚାରିପଟେ ଏବଂ ପୃଥିବୀ ଚାରିପଟେ ବୁଲି ଆସିବାକୁ ତାକୁ ସମାନ ସମୟ ଲାଗେ ।ସୂର୍ଯ୍ୟ ତ ସ୍ଥିର । ପୃଥିବୀ ଆଉ ଚନ୍ଦ୍ର ସଦାବେଳେ ବୁଲୁଛନ୍ତି । ଏମିତି ବୁଲୁବୁଲୁ ଯେଉଁ ଅମାବାସ୍ୟା ତିଥିରେ ଏକ ସରଳ ରେଖାରେ ସୂର୍ଯ୍ୟ ପୃଥିବୀ ମଝିରେ ଚନ୍ଦ୍ର ରହିଯାଏ,ସେତେବେଳେ ସୂର୍ଯ୍ୟର କିଛି ଅଂଶ ଚନ୍ଦ୍ର ଛାଇରେ ଘୋଡେଇ ହେଇଯାଏ ।ସୂର୍ଯ୍ୟାଲୋକ ପୃଥିବୀର କେତେକ ଅଂଶକୁ ଆସିପାରେ ନାହିଁ ।ତୁ ତ ଜାଣିଛୁ ଗ୍ରହ ଉପଗ୍ରହଙ୍କ ନିଜର ଆଲୋକ ନାହିଁ ।ସେ ସୂର୍ଯ୍ୟ ଠାରୁ ଆଲୋକ ପାଆନ୍ତି । ପୃଥିବୀକୁ ସୂର୍ଯ୍ୟ କିଛି ସମୟ ପାଇଁଦେଖା ଯାଏ ନାହିଁ । ଏହିସମୟରେ ଆଂଶିକସୂର୍ଯ୍ୟ ପରାଗ ହୁଏ । ଯେତେବେଳେ ଏକ ସମତଳ ଏକ ସରଳ ରେଖାରେ ରୁହନ୍ତି, ସେତେବେଳେ ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟ ପରାଗ ହେଇଥାଏ । ପୁଣି ଯେଉଁ ପୂର୍ଣ୍ଣିମୀ ତିଥିରେ ସୂର୍ଯ୍ୟ ଚନ୍ଦ୍ର ମଝିରେ ପୃଥିବୀ ଏକ ସରଳରେଖା ଏକ ସମତଳରେ ରୁହେ, ସେଦିନ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ହୁଏ । ଆଚ୍ଛା ଜେଜେ କହିଲ , ଏସବୁ ତ ଆକାଶରେ ହୁଏ ।ହାଣ୍ଡିକାଇଁ ଛାଡ଼ ହବ, ଆମେ କାଇଁ ଭାତ ଖାଇବୁନି । ଆରେ ପାଗଳା କଥା କଣ'କି, ତାର ଗୋଟେ ବିଜ୍ଞାନ କାରଣ ଅଛି ।ଯେତେବେଳେ ପରାଗ କି ଗ୍ରହଣ ଲାଗିଥାଏ, ସେତେବେଳେ ସୂର୍ଯ୍ୟଙ୍କ ଦେହରୁ ଅତିବାଇଗଣି ରଶ୍ମି ପୃଥିବୀକୁ ଆସେ । ସେ ସମୟରେ ଖାଦ୍ୟ ଖାଇଲେ ପରିପାକ ହେବାରେ ଅସୁବିଧା ହୁଏ । ତା ଛଡା ଖାଲି ଆଖି ଏବଂ ଚର୍ମରେ ମଧ୍ୟ ପ୍ରଭାବ ପକାଏ । ସେଥିପାଇଁ ବାର ଘଣ୍ଟା ପୂର୍ବରୁ ଗରିଷ୍ଠ ଖାଦ୍ୟ ନଖାଇବା ପାଇଁ ହାଣ୍ଡିଛାଡ଼ ବ୍ୟବସ୍ଥା ହେଇଚି ।

  ଏତିକି ବେଳେ ଲିଟୁନାର ଜେଜେମା' ଜେଜେ ନାତିଙ୍କ ଗପ ଶୁଣୁଥିଲେ ନା କ'ଣ ଘର ଭିତରକୁ

ପଶିଆସି କହିଲେ,"ପାଠ ପଢେଇ ପଢେଇ ବୁଢ଼ା ହେଇ ଚାକିରୀରୁ ମହଲତି ନେଲଣି ।କାଇଁ ୟାଡୁସ୍ୟାଡୁ ସେ ଡାହା ମିଛ କଥା ଗୁଡାକ ସେ ଛୁଆ ଟାକୁ କହୁଚ ବା' । ଦାନ୍ତ ଚିପି ସୁରେଶ ବାବୁ କହିଲେ, ମୁଁ ଯଦି ମିଛ କହୁଛି ଶୁଣେ,ତୁମେ କଣ ଜାଣିଛ?' ସେଉଠୁ ରତ୍ନାଦେବୀ ଆରମ୍ଭ କଲେ ଯେଉଁକାଳେ ଵ୍ରହ୍ମା ସୃଷ୍ଟି ସର୍ଜନା କଲେ ଦେବତା ଆଉ ଅସୁରଙ୍କୁ ଆଗେ ଗଢିଲେ । ଅସୁର, ଦେବତା ମାଉସୀ ପୁଅ ଭାଇଭାଇ । ତାଙ୍କ ଭିତରେ ଭଲ ପଡୁଥିଲା । ସେମାନେ ଦିନେ ବିଚାରିଲେ ସମୁଦ୍ର ମନ୍ଥିବା । ଭଗବାନ ଏକା ଅଛନ୍ତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ବାପଘରୁ ଆଣିବା ।ସେଇଠୁ ମନ୍ଦର

ପର୍ବତକୁ ଖୁଆ ବାସୁକି ନାଗକୁ ଦଉଡି କରି ସମୁଦ୍ର ମନ୍ଥିଲେ । କେତେ ଧନ ରତ୍ନ,ସୁନାରୁପା,ମଣି ମୁକ୍ତା, ହୀରାଲୀଳା, ଅ

ଷ୍ଟଧାତୁ ଅପ୍ସରୀ, ଉଚ୍ଚୈଶ୍ରଵା ଘୋଡ଼ା, ଐରାବତ ହାତୀ ଏସବୁ ସ୍ୱର୍ଗ ରାଜା ଇନ୍ଦ୍ର ନେଲେ । ଲକ୍ଷ୍ମୀ ଠାକୁରାଣୀ ବାହାରିଲେ ।ତାଙ୍କୁ ନାରାୟଣ ନେଲେ । ହଁ କଥା ଛାଡି ଗଲି । ନାଇଁ ଛାଡିନ କୁହ । ଛି ଗୁଲେଇଁ ସୁରେଶ ବାବୁ କହିଲେ । ଦେବତାମାନେ ଭାରି ବୁଦ୍ଧିଆ । ଅସୁରମାନଙ୍କର ବୁଦ୍ଧି କମ କିନ୍ତୁ ସେମାନେ ଭାରି ବଳୁଆ ଆଉ ସାହସୀ । ସେଇଥିପାଇଁ ମନ୍ଥିଲା ବେଳେ ଦେବତା, ବାସୁକୀ ନାଗର ମୁଣ୍ଡପଟଟା ଅସୁର ଙ୍କୁଧରେଇ ଦେଇ ନିଜେ ଲାଞ୍ଜଟାକୁ ଧରିଥାନ୍ତି । ପର୍ବତ ଦିହରେ ଘଷି ହେଇ ହେଇ ବାସୁକୀ ପାଟିରୁ ଗରଳ ବାହାରିଲା । ସେ ଗରଳ ପାଣିରେ ମିଶିଗଲେ ସମସ୍ତେ ମରିଯିବେ । ଏକାବେଳକେ ସଭିଏଁ ମହାଦେବଙ୍କୁ ଡାକିଲେ । ମହାଦେବେ ସେ ଗରଳକୁ ପିଇ ଦେଲେ,ତାଙ୍କ କଣ୍ଠ ନୀଳ ପଡିଗଲା । ସେଇଦିନଠୁଁ ତାଙ୍କ ନାଁ ନୀଳକଣ୍ଠ ହେଲା । ସବା ଶେଷରେଅମୃତ ବାହାରିଲା । ଅମୃତ ପିଇଲେ ଅମର ହେବେ । ଦେବତା ଆଉ ଅସୁର ଅମୃତ ଭାଣ୍ଡଟା ନବାକୁ ଗୋଡା ଗୋଡି ଛଡ଼ାପଡ଼ା ହେଲେ । ବିଷ୍ଣୁ ଭାରି କପଟିଆ । ସେ ଦେଖିଲେ ଅସୁରମାନେ ବଳୁଆ । ସେମାନେ ଯଦି ଅମୃତ ପିଇ ଦେବେ ତାହେଲେ କଥା ସଇଲା । ତିନି ପୁର ଧ୍ୱଂସ କରିଦେବେ । ରାଜୁତି କରି ଦେବତାଙ୍କୁ ପାଦରେ ଖଟେଇବେ । ତେଣୁ ସେ ମୋହିନୀ ରୂପ ଧରି କହିଲେ ମୋତେ ଦିଅ, ମୁଁ ସମସ୍ତଙ୍କୁ ସମାନ ଭାଗରେ ବାଣ୍ଟିଦେବି । ଅସୁରମାନେ ତାଙ୍କ ରୂପରେ ଏତେ ମୋହି ଯାଇଥିଲେ ଯେ, ବିଶ୍ୱାସ କରି ଭାଣ୍ଡ ଟାକୁ ଦେଇଦେଲେ । ମୋହିନୀ ରୂପୀ ବିଷ୍ଣୁ ଦ୍ୱିଧାଡି କରି ଦେବତାଙ୍କୁ ଗୋଟେ ପଟେ ଅସୁରଙ୍କୁ ଗୋଟେ ପଟେ ବସେଇଲେ । ରାହୁ ବୋଲି ଗୋଟେ ରାକ୍ଷସ ଥିଲା ସେ ଦେଖିଲା ମୋହିନୀ ନାରୀ ସବୁ ଅମୃତ ଦେବତାଙ୍କୁ ଦେଇ ସାରିଲେଣି ।ସେ ବିକଳରେ ଆଗ ଟିକେ ଖାଇବା ପାଇଁ ଲୁଚି କରି ଦେବତା ଭିତରେ ବସିଗଲା ।ଯେମିତି ସେ ଅମୃତ ଟିକେ ପାଇଛି ତାକୁ ପିଇଦେଲା ।ଏକଥା ଚନ୍ଦ୍ର ସୂର୍ଯ୍ୟ ଦେଖିଥିଲେ ।ବିଷ୍ଣୁଙ୍କୁ କହିଦେଲେ । ସେଇକ୍ଷଣି ସୁଦର୍ଶନ ଚକ୍ରରେ ତା ମୁଣ୍ଡ କାଟିଦେଲେ । ସେ ଦି ଗଡ଼ ହେଇଗଲା ।ଅମୃତ ଟିକେ ପିଇ ଥିବାରୁ ମଲାନି । ମୁଣ୍ଡ ଖଣ୍ଡକ ରାହୁ ଆଉ ଗଣ୍ଡି ଖଣ୍ଡକ କେତୁ ରାକ୍ଷସ ହେଇଛନ୍ତି ।ସୂର୍ଯ୍ୟ ଚନ୍ଦ୍ରଙ୍କ ଯୋଗୁଁ ତାଙ୍କର ଏମିତି ଅବସ୍ଥା ହେଇଥିବାରୁ ରାଗି କରି ସେଇ ଦିନଠୁଁ ସୁଯୋଗ ଉଣ୍ଡି ଦିଜଣ ଯାକ ସୂର୍ଯ୍ୟ ଚନ୍ଦ୍ରକୁ ଗିଳି ଦିଅନ୍ତି । ଦିନରେ ସୂର୍ଯ୍ୟ ଥାଏ । ପରାଗ ହୁଏ । ଜହ୍ନ ତଖଣ୍ଡିଆ । ମାଆ ଅଭିଶାପରୁ ପକ୍ଷେ ବଢେ ପକ୍ଷେ ଛିଡେ । ପୂର୍ଣ୍ଣମୀ ଦିନ ପୂରା ରୂପ ପାଏ । ସେଇଥିଲାଗି ପୂର୍ଣ୍ଣିମୀରେ ଗ୍ରହଣ ହୁଏ ।ପାଞ୍ଜିରେ ପରା ଲେଖା ହେଇଚି ରାହୁ ଗ୍ରସ୍ତ, କେତୁ ଗ୍ରସ୍ତ ପରାଗ, ଗ୍ରହଣ । ସୁରେଶ ବାବୁ ସବୁ ଶୁଣି ହୋ ହୋ ହେଇ ହସି କହିଲେ, ସ୍କୁଲ ବାରଣ୍ଡା ତ ମାଡିନ । ଚାହାଳି କି ହଳଦୀ ଗୁଣ୍ଡା ନେଇନ । ଏ ପାଠ ଫାଠ କଥା ଜାଣିବ କୁଆଡୁ ? ଯାଅ,--ଯାଅ---, ତୁମ କାମ କରିବ । ଏଗୁଡ଼ାକ ସବୁ ଅନ୍ଧବିଶ୍ୱାସ । ଏଁ--, ମୁଁ ପାଠ ପଢିନି । ଆମ ଗାଁ ଚାହାଳୀରେ ସାଧୁ ଅବଧାନ ପାଖରେ ଅକ୍ଷର ଶିଖିଛି, ବର୍ଣ୍ଣବୋଧ ପଢ଼ିଛି । ବହି ପଢ଼ା ଶିଖିଛି । ତମ ଚଷମା ଦେଲ ମୁଁ କେମିତି ଭାଗବତ ଅଧ୍ୟାୟେ ପଢ଼ିଦେବିନି ? ଖାଲି ପଣକିଆ ଖନ୍ଦା ଡାକି ପାରିଲିନି ବୋଲି ସାଧୁ ମାଷ୍ଟର ମୋ ଜଙ୍ଘକୁ ବେତରେ ପିଟିଦେଲା । ମୋର ନୋଳା ବସିଗଲା । ମୁଁ କଇଁ କଇଁ କାନ୍ଦୁଥାଏ । କିଏ ଜଣେ ମୋ ମାଆକୁ କହିଦେଲା । ସେ ଗୁହାଳ ପୋଛୁଥିଲା । ସେଇ ଗୋବର ହାତରେ ଉଦ୍ଦଣ୍ଡୀ ରୂପ ଧରି ଆସି ଚାହାଳୀରେ ହାଜର । ଗେଟେ ପାଖରୁ ସାଧୁ ମାଷ୍ଟ୍ରଙ୍କ ଚଉଦ ପୁରୁଷ ଉଝାଳି ଉଝାଳି ଆସି କହିଲା, "ପୋଡାମୁହାଁ ମାଷ୍ଟର ତୁ ଦିଅଁଙ୍କ ଗଛରେ କୁରାଢ଼ୀ ନଗେଇଲୁ । ମୋ ସୁନାନାକୀ ପିତୁଳୀକୁ ମାଇଲୁ । ରଜାପୁଅକୁ ଖଜା ଅପୂରୁବ । ମୋ ନାତୁଣୀ ପାଇଁ ବା ରଜା ପୁଅ ଧାଡି ନଗେଇବ । ମତେ ଦେଖଉଛୁ ପାଠ-ଅ।'ଦେ--ଏ--ଆ-ଆ, ଗୋବର ହାତରେ ବହି ବସ୍ତାନୀ ବାଁ ହାତରେ ମୋ ଡେଣାକୁ ଟାଣିଟାଣି ଘରକୁ ନେଇଆସିଲା । ସେଇଦିନ ଠୁଁ ମୁଁ ଚାହାଳି ଦୁଆର ମୁହଁ ମାଡିନି । ନଇଲେ କଣ ମୁଁ ଇସ୍କୁଲ ଯାଇନଥାନ୍ତି । ମୋ ପାଠ ପଢ଼ା କଥା ନନା ବୋଉ କହିଲେ, ମାଆ ବାଡେଇ ଗୋଡେଇଲା ।କିନ୍ତୁ ମୁଁ ବହୁତ ପୁରାଣ ଶାସ୍ତ୍ର ଜେଜେ ବାପାଠାରୁ ଶୁଣିଛି । ହଉ ତୁମେ ବହୁତ ପଢିଛ, ତୁମେ ବହୁତ ପୁରାଣ ଶାସ୍ତ୍ର ଜାଣିଛ । ଗଲ ଏଠୁ ଗଲ । ମୋତେ ତଡି ଦଉଛ କାହିଁକି, ? ମୁଁ ବା' ଗୋଟେ କଥା କହିବାକୁ ତୁମକୁ ଆଇଚି । ବାଡ଼ିରେ ଯେଉଁ କଖାରୁ ମନ୍ଦାଟା ନଗେଇ ନଥିଲି, ସେ ବାଡ଼ି ସାରା ମାଡି ଗଲାଣି । ବଲ୍ଲା ହେଇ ବଢୁଛି । କେତେ ଯେ ଫୁଲ କଷି ଧରିଲାଣି, ,ସବୁ ହଳଦିଆ ପଡି ଗଳି ପଡୁଚି । ଯେତେ ଯା' କଲେ ଫଳ କଷି ଜମାରୁ ରହୁନି । ଅଫିମ ପାଞ୍ଚ ଟଙ୍କାର ଆଣି ଗଛରେ ବାନ୍ଧିଥିଲି,କାଇଁ କିଛି ହଉନି।କହନ୍ତିକୁଆଡେ ଅଫିମ ନିଶାରେ ଫଳ ରହେ । ଫଳ ବଢୁନି ।ଏଡୁଟେ ଏଡୁଟେ ଗୋଟମା ଭଳିଆ ହେଇ ଖସି ପଡୁଛି । ଏଥର ସୁରେଶ ବାବୁଙ୍କ ସହ ଲିଟୁନା ବି'ହସି ପକାଇଲା । କାଇଁ ହସୁଚ ବା ଆସ ଦେଖିବ । ତାପରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ବାଡିକି ଗଲେ । ସୁରେଶ ବାବୁ ଯାଉ ଯାଉ କହିଲେ ,"ସେଇ ଗଛର ଫୁଲଗୁଡିକରେ ପରାଗ ସଙ୍ଗମ ଠିକ୍ ରୂପେ ହେଉନି । ସେଇଥିପାଇଁ କଷିଗୁଡିକ ଝଡି ଯାଉଛି । ରତ୍ନା ଦେବୀ ପଚାରିଲେ,"ସେ କ'ଣ ବା' ?'

ଆରେ, କଖାରୁ ଗଛରେ ଦୁଇ ପ୍ରକାର ଫୁଲ ଫୁଟେ । ଗୋଟିଏ କଷିଫୁଲ ଆଉ ଗୋଟେ ଖାଲି ଫୁଲ । କଷିଫୁଲ ଭିତରେ ଗୋଟେ ଗର୍ଭଚକ୍ର ଥାଏ । ତମେ ଦେଖିଥିବ, ଖାଲି ଫୁଲ ଭିତରେ ଏକ ନାଡ଼ରେ ହଳଦିଆ ହଳଦିଆ ପରାଗ ରେଣୁ ଲାଗିଥାଏ ।ଯେତେବେଳେ ମହୁମାଛି, ଭଅଁର, କୀଟ, ପ୍ରଜାପତି ଖାଲି ଫୁଲରେ ବସନ୍ତି, ତାଙ୍କ ଗୋଡ଼ ଡେଣାରେ ସେଗୁଡିକ ଲାଗିଯାଏ । ସେମାନେ ପୁଣି ଆସି ଏଇ କଷିଫୁଲରେ ବସି ପଡିଲେ, ସେ ପରାଗ ରେଣୁଗୁଡିକ ଗର୍ଭ କେଶରରେ ପଡ଼ିଯାଏ । ଫଳରେ କଷିଟି ବଢିବାକୁ ଲାଗେ । ଏଇୟାକୁ ପରାଗ ସଙ୍ଗମ କହନ୍ତି । ତମ ମୁଣ୍ଡରେ ଏଗୁଡ଼ାକ ପଶିବନି।ତୁମେ ଖାଲି ଏତିକି ଜାଣିଥାଅ, ଅଫିମ ନିଶାରେ ଗଛରେ ଫଳ ରହେନି ।' ସବୁବେଳେ ମୋତେ ଥଟ୍ଟା । ମୁଁ ଯାହା ଜାଣିଛି ନା ' । ରତ୍ନାଦେବୀ ଅଭିମାନରେ କହିଲେ, ମୁ ତ' ଏମିତି କେତେ ଥର କରିଚି ।' ଭଲ କରିଚ । ଆଉ କରିବନି । ଏହା କହି ସୁରେଶ ବାବୁ କିଛି ଖାଲିଫୁଲ ତୋଳି କଷିଫୁଲ ଭିତରେ ରେଣୁଗୁଡିକ ଝାଡ଼ି ବୁଜିଦେଲେ ।

*************†***********

   ଠିକ୍ ତାର ଆଠଦିନ ପରେ ଥରେ ସକାଳେ ସୁରେଶ ବାବୁ ନାତିକୁ ପଢ଼ଉଥିଲା ବେଳେ ରତ୍ନାଦେବୀ ହଠାତ୍ ପଶିଆସି କହିଲେ,"ହେଇବା' ତୁମେ ସେଦିନ ସତ କହୁଥିଲ । ଯୋଉ କଷି ଫୁଲରେତୁମେ ଫୁଲ ଝାଡ଼ି ବୁଜି ଦେଇ ନଥିଲ, ସତକୁ ସତ ସବୁ ଫଳଗୁଡିକ ବଡ଼ ହେଇଗଲାଣି ।

ଆସୁନ ଦେଖିବ -ଅ । ହଉ ଦେଖିବା--------- ।



Rate this content
Log in

Similar oriya story from Inspirational