କେମିତି ଏ ବନ୍ଧନ (ଭାଗ -୧୨)
କେମିତି ଏ ବନ୍ଧନ (ଭାଗ -୧୨)
କିଛି ଉପାୟ ନ ପାଇ , ପ୍ରାର୍ଥନା କରିବାରେ ଲାଗିଲେ ଗଗନଙ୍କ ମା , ପୁଅ ବୋହୂଙ୍କ ସଂସାର ପୁଣି ହସିଉଠୁ ବୋଲି । ଏପଟେ କିନ୍ତୁ ଉଭୟ ଉଭୟଙ୍କ ଜିଦିକୁ ନେଇ ରହିଛନ୍ତି । ନା ଗୀତା ଗଗନଙ୍କ ସହିତ କଥା ହେବାକୁ ଚେଷ୍ଟା କରୁଛନ୍ତି । ନା ଗଗନ ନିଜର କଥାକୁ ଠିକ୍ ଭାବରେ ଗୀତାଙ୍କ ନିକଟରେ ଥୋଇ ପାରୁଛନ୍ତି । ଫଳସ୍ୱରୁପ ସଂପର୍କ ଟି ଜୀବନ୍ତ ଥାଇ ବି ନିଜର ସତ୍ତା ହରେଇବାରେ ବସିଥିଲା ।
ଏମିତି ଦିନ ପରେ ଦିନ ବିତିବାରେ ଲାଗିଥିଲା , ଉଭୟ ଉଭୟଙ୍କ ଅନୁପସ୍ଥିତିକୁ ଧୀରେ ଧୀରେ ବହୁ ମାତ୍ରାରେ ଅନୁଭବ କରିବାରେ ଲାଗିଲେ , ଦିନ ବିତିବା ଯେମିତି ଉଭୟଙ୍କ ପାଇଁ କଷ୍ଟକର ହେଇ ପଡ଼ୁଥିଲା । ଛୋଟ ଛୋଟ କଥାରେ ନିଜ ସାଥିର କଥା ମନେ ପଡ଼ିବା ଠୁ ନେଇକି କଣ ପସନ୍ଦ କଣ ନା ପସନ୍ଦ ସେ ବିଷୟରେ ଚର୍ଚ୍ଚା ଆଉ କିଛି କିଛି ମୁହୂର୍ତ୍ତ ଯାହାକି ଆଖିର ନିଦ ହଜେଇ ଦେଉଥିଲା । ଏମିତି ପରିସ୍ଥିତି ଥିଲା ଯେ ଉଭୟ ଉଭୟଙ୍କ ସହିତ ହୃଦୟରୁ ରହିବାକୁ ଇଚ୍ଛା କରୁଥିଲେ ମଧ୍ୟ ଯେମିତି ସାମାନ୍ୟ କିଛି କଥା ଉଭୟଙ୍କ ପାଇଁ ବାଧକ ସାଜିଥିଲା ।
ଉଭୟ ଉଭୟଙ୍କ ମନକୁ ସମ୍ଭାଳି ରହି ପାରୁ ନଥିଲେ , ଯାହା ଫଳରେ କି ନିଜର ଖାଇବା ପିଇବାଠୁ ନେଇକି ଶୋଇବାର ମଧ୍ୟ କୌଣସି ଠିକ୍ ଠିକଣା ରହୁ ନଥିଲା । ଏପଟେ ଉଭୟଙ୍କ ପରିବାର ଏସବୁ ଦେଖି ଚିନ୍ତିତ ରହୁଥିଲେ ସତ , ତଥାପି ଯେତେ ବୁଝେଇବା ପରେ ମଧ୍ୟ ଗଗନଙ୍କ କହିବା କଥା ଥିଲା ଗୀତା ମତେ ଚାହୁଁ ନାହାଁନ୍ତି , ସେ ମତେ ଚାହୁଁଥିଲେ ଘରକୁ ଫେରି ଆସନ୍ତେ । ଆଉ ଏପଟେ ଗୀତାଙ୍କ କଥା ଥିଲା ଗଗନ ମତେ ପସନ୍ଦ୍ କରୁ ନାହାଁନ୍ତି । ସେ ମତେ ପସନ୍ଦ କରୁଥିଲେ ମୋ ଘରକୁ ଆସି ମତେ ନେଇଯାଇ ଥାଆନ୍ତେ , ହେଲେ ମୋ କଥାକୁ ନେଇ ମତେ ଛାଡ଼ପତ୍ର ପଠେଇ ନଥାନ୍ତେ
ଏମିତି ଭୁଲ୍ ବୁଝାମଣା ସଂପର୍କର ଦୃଢ଼ତାକୁ ଧୀରେ ଧୀରେ ହଜେଇ ଦେବାରେ ବସିଥିଲା । ସୌଭାଗ୍ୟବଶତଃ, ଭଗବାନ୍ ଙ୍କର ବୋଧେ ଅନ୍ୟକିଛି ଇଚ୍ଛା ଥିଲା । ଯେଉଁଥିପାଇଁ ହଠାତ୍ ଗୀତାଙ୍କ ଫୋନ୍ କୁ ଗୋଟେ କଲ୍ ଆସିଥିଲା , କଲ୍ କୁ ଉଠେଇବା ପରେ ଗୀତା ପ୍ରକୃତ ସତ କଥା କଣ ଥିଲା ଜାଣିପାରିଥିଲେ । ସେ ଏଇଟା ଜାଣିଗଲେ ଯେ ପ୍ରକୃତରେ ଗଗନ ତାଙ୍କ ପଢା ରୋକିବା ପାଇଁ ନୁହେଁ , ବରଂ ତାଙ୍କୁ ଏକ ଭଲ କଲେଜ୍ ରେ ଦାଖଲ କରି ଅଧିକ ଭଲ ପଢେଇବା ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ ବୋଲି । କଲ୍ ରେ ଥିଲେ ନୂଆ କଲେଜ୍ ର ଆଡମିଶନ୍ ବିଭାଗର ଜଣେ ବ୍ୟକ୍ତି , ଯିଏକି କିଛି ସାର୍ଟିଫିକେଟ୍ ତଦାରଖ ସହିତ କଲେଜ୍ ସୋମବାରଠୁ ଆସିବା ପାଇଁ ଗୀତାଙ୍କୁ ଜଣାଇଥିଲେ । ଗୀତା ତାଙ୍କୁ ପଚାରିବାରୁ ସବୁକିଛି ଜାଣି ପାରିଥିଲେ ଯେ ଗଗନ ହିଁ ସେଠି ତାଙ୍କର ଆଡ଼ମିଶନ୍ କରାଇଛନ୍ତି ।
ପରେ ସେ ସବୁକିଛି ବୁଝି ପାରିଥିଲେ । ସେ ଏଇଟା ବୁଝି ପାରିଥିଲେ ଯେ ପ୍ରକୃତରେ ସେ କେତେ ବଡ଼ ଭୁଲ୍ କରିଦେଇଛନ୍ତି । ଯିଏ ତାଙ୍କ ପଢାକୁ ନେଇକି ଏତେ ଚିନ୍ତିତ , ଯେଉଁଥିପାଇଁ କି ଛୋଟ କଲେଜ୍ ରୁ ନେଇ ଏକ ବଡ଼ ନାମୀ କଲେଜ୍ ରେ ଭଲ ପଢା ଦେଖି ଭର୍ତି କରାଇଛନ୍ତି , ହେଲେ ମୁଁ ତାଙ୍କୁ ପ୍ରତିବଦଳରେ ଦେଇଚି କଣ । ଖାଲି ଯନ୍ତ୍ରଣା ତା ଛଡା ଆଉ କିଛି ବି ନୁହେଁ । କୌଣସି କଥା ବି ତାଙ୍କର ସେଦିନ ଶୁଣି ନାହିଁ । ଯାହା ମନକୁ ଆସିଲା ଗପି ଚାଲିଛି , କେତେ କଥା ସେ ମୋର ଶୁଣିଛନ୍ତି ହେଲେ ଗୋଟେ ପଦ ବି ମତେ କହି ନାହାଁନ୍ତି । ସେ ମତେ କେତେ ଭଲ ପାଉଛନ୍ତି ଯେ ମତେ କିଛି ବି ନିଜର ସଫେଇ ପାଇଁ ଜଣେଇ ନାହାଁନ୍ତି । ସବୁ କଷ୍ଟ ସବୁ ଲୁହକୁ ଏକା ଏକା ପିଇ ଚାଲିଛନ୍ତି । ଶେଷରେ ମୋ ଖୁସି ପାଇଁ ମୋ ପାଟିରୁ ବାହାରିଥିବା କଥାକୁ ନେଇ ମତେ ଛାଡପତ୍ର ମଧ୍ୟ ପଠେଇ ଦେଇଛନ୍ତି , କଣ ନ କରିଛନ୍ତି ସେ ମୋ ପାଇଁ। ଆଉ କଣ ବା ବାକି ରହିଗଲା ମୋ ପାଇଁ କରିବା ପାଇଁ ଏତିକି କହି କାନ୍ଦି ପକାଇଛନ୍ତି ଗୀତା ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

