STORYMIRROR

Satyabati Swain

Inspirational Others

3.5  

Satyabati Swain

Inspirational Others

କଅଁଳ ପ୍ରଜାପତି

କଅଁଳ ପ୍ରଜାପତି

2 mins
16.3K


ମା’ ଲୋ ଏବେ ତ ଉଠିପଡ଼ ।ଆଖି ଖୋଲି ଦେଖ ସମସ୍ତେ କେତେ ଖୁସି! ଏମିତି ଗୋଟିଏ ଦିନ ପାଇଁ ତୁ ପରା ଅପେକ୍ଷା କରିଥିଲୁ?

ଡାକ୍ତରଖାନା ବେଡ଼ରେ ଚିତ ହୋଇ ଶୋଇଛି, ପ୍ରଭା । ପ୍ରଭାର ବଡ଼ ଝିଅ ପିୟୁ,ବୟସ ଛ, ବେଡ଼ ଧାରରେ ଠିଆହୋଇ ହଲାଉଛି ତା ମା’କୁ। ଯିଏ ଏଇ ମାତ୍ର ପ୍ରସୂତି ଗୃହରୁ ୱାର୍ଡକୁ ଫେରିଛି । ପିୟୁର ଜେଜେମା’ ,ଜେଜେବାପା,ଦାଦା,ବାପା ତଳୁ ଉପର ଦୌଡାଦୌଡ଼ି କରୁଛନ୍ତି । ପିଉସୀ ଚୁନି ନାନୀ କୋଳରେ ସଦ୍ୟ ଜାତ ଶିଶୁ।

ପିୟୁ ଅଧୀର,ଅସ୍ଥିର,ଅବୁଝା ବି।

ସମସ୍ତେ ଏମିତି ହେଉଛନ୍ତି କାହିଁକି?ଏଇ କେତେ ଦିନ ହେବ ମା ଭାରି କଷ୍ଟରେ ଥିଲା । ଶୁଖିକି ଡାଙ୍ଗ ହୋଇ ଯାଇଥିଲା ।ରାତି ରାତି ଶୋଇପାରୁ ନଥିଲା।

ପିୟୁକୁ କୋଳରେ ପୁରାଇ କେବଳ କାନ୍ଦୁଥିଲା ।ପଚାରିଲେ କହୁଥିଲା “ତୋର ଏଥର ଯଦି ଭାଇ ।ନହୁଏ,ତୋ ବାବା ମୋତେ ରଖିବେ ନାହିଁ “ମାମୁଁ ଘରେ ନେଇ ଛାଡି ଦେଇ ଆସିବେ ।କାହିଁକି ଭଉଣୀ ହେଲେ କ’ଣ ଅସୁବିଧା? ଯିଏ ହେବ ସେ ତ ମୋତେ ଦି ଡାକିବ, ମୋ ସଙ୍ଗେ ଖେଳିବ,ସେ କେବେ ଆସିବ,ମା??

ଆସିବ ନିଶ୍ଚୟ,ଆଉ କିଛିଦିନ ପରେ।

ତିନି ତିନିଟା ଝିଅ ହେଲା ପରେ ବି ପୁଅ ଆଶାରେ ତାକୁ ବାଧ୍ୟ କରା ଯାଉଛି ମା’ ହେବାକୁ ।ଲାଗି ଲାଗି ପାଞ୍ଚ ବର୍ଷରେ ତିନିଟି ପିଲାର ମାଆ ହେବାରୁ ପ୍ରଭା ହଳୁ ଥିଲା ଯେପରି । ପିୟୁର ବାପା ଅଟୋ ଚଳାଏ ।ଯାହା ରୋଜଗାର କରନ୍ତି ମଦ ପାଣିକୁ ନିଅଣ୍ଟ ।ସେଥିରେ ତାଳ ପଡ଼ିଲା ପରି ମାଡ଼ ପ୍ରଭାର ନିତିଦିନିଆ ଖାଦ୍ୟ । ପିୟୁ ବୁଝି ପାରେନି କେବଳ ବାପା ମାନେ କଣ ମା’ଙ୍କୁ ମାରନ୍ତି?କାଇଁ ମା’ ତ କେବେ ଦିନେ ବାପାଙ୍କୁ ମାରିନି??

ପିୟୁର ପିଲା ମନ ତଳେ ଆକାଶର ତାରା ପରି ଅଗଣନୀୟ ପ୍ରଶ୍ନ ।ମା’ କାହିଁକି ସବୁବେଳେ ଏକ୍କା ଜନ୍ମ କରୁଛି?ବାପା କାଇଁ କରୁ ନାହାନ୍ତି?ଏସବୁ ମା’ଙ୍କୁ ପଚାରିଲେ ମା’ କହନ୍ତି"ପୁଅ ମାନେ କ’ଣ ଜନ୍ମ କରନ୍ତି?ପିୟୁର ପିଲା ମଗଜରେ ଏକଥା ପଶି ପାରେନା ।ଯଦି ମାଡ଼ ଖାଇବ ଝିଅ,ପିଲା ଜନ୍ମ କରିବ ଝିଅ,ଘର କାମ ବି କରିବ ଝିଅ;ତେବେ ଜେଜେମା,ଜେଜେବାପା,ବାପା ସମସ୍ତେ କାହିଁକି" ପୁଅ ପୁଅ" ହେଉଛନ୍ତି?ଜେଜେମାଙ୍କୁ ପଚାରିଲେ “କୁହନ୍ତି ନାତି ମୋ କୁଳ ବଢାଇବ,ମୋ ପୁଅ ମୁହଁରେ ନିଆଁ ଦେବ ।ଝିଅ କ’ଣ କରିବ ସେ ତ ପର ପରିବା।

ନିଆଁ... ନିଆଁ ଦେଲେ ତ ମୁହଁ ପୋଡିଯିବ,ତେବେ ବି ପୁଅ !!ଝିଅ ସେ ନିଆଁ ଦେଇ ପାରିବନି କି??ଜେଜେମା ଠୋ ଠୋ ହସି ଯାଉ ଯାଉ କହନ୍ତି "ସବୁ ସେଇ ଜଗନ୍ନାଥ ହାତରେ । ଏଥରକ ତ ଅଣ୍ଡିରା କାଉର ମୁହଁ ଦେଖାଅ, ଠାକୁରେ।

ପିୟୁ ପୁଣି ଦ୍ଵନ୍ଦରେ ପଡେ ।ଚକ ପରି ଗୋଲ ଗୋଲ ଆଖିଥିବା ସେ କାଳିଆ ମୁହାଁର ଫୋଟୋରେ ହାତ ଖୋଜେ । କାଇଁ ତୁମ ହାତ!!!ତୁମର ତ ହାତ ନାହିଁ ! ତୁମ ହାତରେ ସବୁ କେମିତି ରହିଲା??

ଏବେ ତ ମା’ର ପୁଅ ହେଇଛି । ସେ ଉଠୁ ନି କାହିଁକି?

ନର୍ସ ଆସି ଗୋଡ଼ଠାରୁ ମୁଣ୍ଡ ଯାଏ ଧଳା ଚଦରଟିଏ ଘୋଡାଇ ଦେଲେ । ବାପାଙ୍କୁ ଗାଳି ଦେଇ କହୁଥିଲେ" ଅମଣିଷ! ବାର ବାର ପିଲା ଜନ୍ମ କରାଇ କରାଇ ଖାଇବା ପିଇବା ଯତ୍ନ ନ ନେଇ ମାରିଦେଲ ଶେଷରେ ସ୍ତ୍ରୀଟାକୁ....."

ପିୟୁ ଚଦରଟାକୁ ମା’ ଦେହରୁ ଟାଣି ଆଣି "କହିଲା,ନାଇଁ ନାଇଁ ମୋ ମା’ ମୁହଁ ଘୋଡେଇ ଶୁଏ ନାହିଁ । ତାକୁ ଅମୁହାଁ ଲାଗେ । ଉଠ ନା ମା’ ତୋର ପୁଅ ହେଇଛି,ମୋ ଭାଇ । ତୋତେ ଆଉ କେହି ମାରିବେ

ନାହିଁ ମା ମା"...

ନର୍ସ ପିୟୁ ମୁହଁକୁ ଆଉଁଷି କହିଲେ,"ତୋ ମା’ ଆଉ ଉଠିବେନିରେ ମା’ ।ସେ ମରିଯାଇଛନ୍ତି"

ପିୟୁର କଅଁଳ ପ୍ରଜାପତି ମନ ତଳେ କୋମଳ ଜିଜ୍ଞାସା ଢେଉ । ମଲେ ଉଠେନ୍ତି ନି?କୁଆଡେ ଯାଆନ୍ତି?କେଉଁଠି ରୁହନ୍ତି??ପୁଅ ପାଇଁ କ’ଣ ମରିବାକୁ ପଡେ??ମା’ ପରି ପୁଅ ପାଇଁ ମୋତେ କ’ଣ ମରିବାକୁ ପଡିବ ଦିନେ???

ସତ୍ୟବତୀ ,ମୀନୁ


Rate this content
Log in

Similar oriya story from Inspirational