Padmalaya Mishra

Inspirational

3  

Padmalaya Mishra

Inspirational

କାନି

କାନି

2 mins
155



   ମୋ ବୋଉ ଗୃହିଣୀ ଥିଲା । ପାଠଶାଠ ବି ସେମିତି କିଛି ଜାଣି ନଥିଲା । ଏଇ ଯାହା ଅକ୍ଷର ଚିହ୍ନି ଥିଲା ବୋଲି ଚିଠି ପଢି ପାରୁଥିଲା, ଖବରକାଗଜ ବି ପଢୁଥିଲା । ଆଉ ଟଙ୍କା ପଇସା ଗଣିବା ଓ ହିସାବ କରିବା ଜାଣିଥିଲା । ସେଥିରେ ବାପାଙ୍କ ସ୍ଵଳ୍ପ ଆୟରେ ସୁରୁଖୁରୁରେ ଆମେ ପାଞ୍ଚ ଭାଈ ଭଉଣୀ , ଜେଜେମା-ଜେଜେବାପା , ବାପା ବୋଉ ମିଶି ନଅ ପ୍ରାଣୀଙ୍କ କୁଟୁମ୍ବକୁ ଚଳଉଥିଲା ।

   ବାପା ସହରକୁ ଅଫିସ୍ ଯାଆନ୍ତି । ସାଇକେଲ ନେଇ ସକାଳୁ ଆମ ଗାଁ ବସ୍ ଷ୍ଟାଣ୍ଡ୍ ଯାଆନ୍ତି । ମୋହନ ଭାଈର ଜଳଖିଆ ଦୋକାନରେ ସାଇକେଲ ଥୋଇ ବସରେ ତିରିଶ କିଲୋମିଟର ଦୂର ସହରକୁ ଯାଆନ୍ତି । ସନ୍ଧ୍ୟା ସାତଟାରେ ପୁଣି ବସରେ ଫେରି ସାଇକେଲ ନେଇ ଘରକୁ ଫେରନ୍ତି । ଜେଜେମା ଶେଯଲାଗି । ଜେଜେବାପା ବି ବହୁତ ବୁଢା । କିଛି କରି ପାରନ୍ତି ନାହିଁ । ତେଣୁ ବୋଉ ଦିନ ରାତି ଖଟୁଥାଏ । ଆମେ ଭାଈ ଭଉଣୀ ସାହାଯ୍ୟ କରିବୁ କହିଲେ ନାହିଁ କରେ । କହେ ତମେ ମାନେ ପାଠ ପଢି ଅଫିସର ହେଲେ ମୋର କଷ୍ଟ ବଳେ ଉଭେଇ ଯିବ । 

   ବୋଉ କାନିରେ ସର୍ବଦା ପଇସା ବନ୍ଧା ହେଇଥାଏ । ଦାଣ୍ଡକୁ କଣ ବିକା ଆସିଲେ କିଣେ । ପ୍ରତି ଶାଢୀର କାନିରେ ପଇସା ଥାଏ ବୋଲି ବେଳେବେଳେ ଆଇସକ୍ରିମ ଖାଇବାକୁ ଆମେ ଅଳୁଗୁଣିରେ ଥୁଆ ହେଇଥିବା ଲୁଗା କାନି ଖୋଲି ନେଇ ଯାଉ । ଯଦି ଥଣ୍ଡା ଧରେ ଗାଳି ଖାଉ ନହେଲେ ବୋଉ ଭୁଲି ଯାଏ । ଆମେ ଖେଳିକୁଦି ଝାଳୁଆ ମୁହଁକୁ ତା କାନିରେ ପୋଛିଦେଉ । ଖାଇ ସାରିଲେ ହାତ ମୁହଁ ଧୋଇ ତା କାନିରେ ନପୋଛି ହେଲେ ଶାନ୍ତି ଲାଗେନି । ବାପା ବି ଅଫିସରୁ ଆସି ହାତ ମୁହଁ ଧୋଇବା କ୍ଷଣି ବୋଉ ପୋଛି ହେବାକୁ କାନି ବଢେଇ ଦିଏ ।

    ବେଳେବେଳେ ସେଇ କାନିରେ ଭାତ ହାଣ୍ଡି ଧରି ଗାଳି ପକାଏ । ରାତିରେ ଶୋଇଲା ବେଳେ ତା କାନି ଆମ ଉପରେ ଘୋଡେଇ ଦିଏ । ଆମକୁ ଶାନ୍ତିରେ ନିଦ ହୋଇଯାଏ । ବୋଉର କାନିକୁ ମୁଁ ଅଭୟ କାନି କୁହେ । ସେଇ କାନି ପଛରେ ଲୁଚି ବାପାଙ୍କ ମାଡ଼ରୁ ଅନେକ ଥର ମୁଁ ବଞ୍ଚିଛି ।

   ଜେଜେମା ଜେଜେବାପା କୋଉ କାଳରୁ ମରି ଗଲେଣି । ବାପା ବି ପାଞ୍ଚ ବର୍ଷ ହେଲାଣି ଗଲେଣି । ଆମେ ଚାରି ଭାଇ ଭଉଣୀ ଉଚ୍ଚ ପଦବୀରେ ନିଯୁକ୍ତ । କିନ୍ତୁ ସାନ ଭାଈ କୋଡପୋଛା ବୋଲି ଗେଲ ବସରରେ ସେମିତି କିଛି ପଢିଲାନି । ଗାଁ ରେ ଜମିବାଡ଼ି ବୁଝି ଚଳିଲା । ତା ସ୍ତ୍ରୀ ବୋଉକୁ ଜମା ଆଦର ସମ୍ମାନ ଦିଏନି । କିନ୍ତୁ ବୋଉ କେବେ ବାପାଙ୍କ ସ୍ମୃତି ଛାଡି କାହା ସାଙ୍ଗେ ଯିବାକୁ ମଙ୍ଗିନି । ଆମକୁ ଅଭୟ ପ୍ରଦାୟିନୀ କାନି ଏବେ ତା ଲୁହ ପୋଛୁଛି । ଯାହା କାନି ରଙ୍ଗୀନରୁ ଧଳା ହୋଇ ଯାଇଛି ।।


Rate this content
Log in

Similar oriya story from Inspirational