STORYMIRROR

Padmalaya Mishra

Inspirational

4  

Padmalaya Mishra

Inspirational

କାମଧେନୁ

କାମଧେନୁ

2 mins
256


 ମଧ୍ୟବିତ୍ତ ପରିବାରରେ ଜନ୍ମ ନେବା କୌଣସି ଏକ ଅଭିଶାପରୁ କମ୍ ନୁହେଁ । ଅଭାବ ଅସୁବିଧା ଏକ ଅଜାଗା ଘାଆ ଏଇ ବର୍ଗର ଲୋକଙ୍କ ପାଇଁ । ନା ନିଜ ଇଚ୍ଛାରେ ବଞ୍ଚି ପାରିବେ, ନା କାହାକୁ ଅସୁବିଧା କହି ଆତ୍ମସମ୍ମାନ ହରେଇ ପାରିବେ । ବୋଧହୁଏ ଏଇ ମଧ୍ୟମ ବର୍ଗୀୟଙ୍କ ଆତ୍ମସମ୍ମାନ ସେମାନଙ୍କ ଜମାପୁଞ୍ଜି, ଯାହାକୁ ପାଥେୟ କରି ସେମାନେ ସାରା ଜୀବନ ଆଶା ନୌକାରେ ବସି ସଂସାର ବୈତରଣୀ ପାର୍ କରନ୍ତି । 

  ମୋର ଜନ୍ମ ଏକ ମଧ୍ୟମ ବର୍ଗୀୟ ପରିବାରରେ । ପିଲା ଥିଲି, ଉଚ୍ଚା ଉଚ୍ଚା କୋଠାଘର, ହତାରେ ଥୁଆ ହୋଇଥିବା ଚମକଦାର୍ କାରକୁ ଦେଖି ଆମର ଏମିତି କାହିଁକି ନାହିଁ ବୋଲି ବୋଉ-ବାପାଙ୍କୁ ପ୍ରଶ୍ନ କରୁଥିଲି । ହୋଟେଲରେ ଖାଇବା, ଭାକେସନ୍ ଟୁରରେ ଯିବା ମାତ୍ର ଏକ ଅପୂରଣୀୟ ଇଚ୍ଛା ଥିଲା । କଲେଜ ପଢୁଆ ହେଲା ବେଳକୁ ଏ ଆଶା ସବୁ ପ୍ରବଳରୁ ପ୍ରବଳତର ହୋଇ ସାରିଥିଲେ । ବାପାଙ୍କ ଆଗରେ ନିଜ ଇଚ୍ଛା କହିବାକୁ ସାହସ ହେଉ ନଥିଲା । କାହିଁକି ନା ସେ ସର୍ବଦା ଗୁରୁ ଗମ୍ଭୀର ରୁହନ୍ତି । ସ୍ଵଳ୍ପ ବେତନଧାରୀ ସରକାରୀ ଚାକିରୀଆ ବାପାମାନେ ପିଲାମାନଙ୍କୁ ତାଙ୍କ ଇଚ୍ଛାର ଖୁସି ଦେବାକୁ ଅସମର୍ଥ ଥିବାରୁ ନିଜ ମୁହଁରେ ଗମ୍ଭୀରତାର ମୁଖା ପିନ୍ଧିଥାନ୍ତି ବୋଲି ସମୟ ଓ ଅନୁଭବ ମତେ ପଛରେ ଜଣାଇଲା ।

  ଏସବୁ ଭିତରେ ମଧ୍ୟ ବୋଉ ସାଜି ଥାଏ ବାପାଙ୍କ ସ୍ଵପ୍ନ ଓ ଆମ ଇଚ୍ଛା ମଧ୍ୟର ଏକ ଦୃଢ଼ ସେତୁ । ସାଙ୍ଗମାନଙ୍କ କୋଲଡ୍ରିଙ୍କ ପିଆ ଦେଖି ଅଳି କଲେ, ଘରେ ସେ ସମୟରେ ଥିବା ଫଳକୁ କେତେ ବଢିଆ କୋଲଡ୍ରିଙ୍କରେ ପରିଣତ କରି ଦିଏ । କୁଆଡେ ବୁଲି ଯିବା କଥା କହିଲେ, ଗଣେଶଙ୍କ ମାତାପିତାଙ୍କ ପରିକ୍ରମା ଉପାଖ୍ୟାନ କହି ବୁଝେଇ ଦିଏ । ମାସର ଶେଷ ଦଶଦିନର ଅଭାବକୁ ବି ବୋଉ ପୂର୍ଣ୍ଣ କରେ । ଘରଖର୍ଚ୍ଚ ଟଙ୍କା, ନିଜ ବାପଘରୁ ପାଇଥିବା ସାବିତ୍ରୀ ବାଲିତୃତୀୟା ଆଦିର କିଛି କିଛି ଟଙ୍କା ସଞ୍ଚୟ କରି ରୋଷେଇ ଘରେ ଡବା ଭିତରେ ରଖିଥାଏ। କାଢିକି ବାପାଙ୍କୁ କିଛି ଦିଏ । ସେତେବେଳେ ବୋଉ ମହାଜନ ଓ ବାପା ୠଣଗ୍ରହୀତା । ଅଫିସରୁ ବୋନସ୍ ମିଳିଲେ ବୋଉକୁ ସୁଧ ସହ ଫେରାନ୍ତି । ସବୁ ମଧ୍ୟମ ବର୍ଗୀୟ ଘର ପାଇଁ ବୋଉ ମାନେ ଆଶୀର୍ବାଦ । ବୋଉ ମାନେ କାମଧେନୁ । ସବୁ ସମସ୍ୟାର ସମାଧାନ ଓ ଅଭାବର ଦୂରୀକରଣ ଉପାୟ ନିଶ୍ଚୟ ଥାଏ । 

  ଆଜି ମୋ ଦୁଆର ମୁହଁରେ ଦାମିକା କାର୍, ମୁଁ ଓ୍ଵିକେଣ୍ଡ୍ ପାର୍ଟି କରୁଛି, ପ୍ରତି ବର୍ଷ ଅନେକ ଥର ଦେଶ ବିଦେଶ ବୁଲିବାକୁ ଯାଉଛି... କିନ୍ତୁ ଯେତେବେଳେ ହଜବ୍ୟାଣ୍ଡ୍ କିଛି ଆର୍ଥିକ ସହଯୋଗ ମାଗୁଛନ୍ତି, ତାଙ୍କ ଦ୍ଵାରା ପ୍ରଦତ୍ତ କ୍ରେଡିଟ୍ କାର୍ଡ ତାଙ୍କୁ ଦେଉଛି । ଯାହାର ପେମେଣ୍ଟ୍ ବ୍ୟାଙ୍କ୍ କରୁଛି, ସୁଧ ବି ବ୍ୟାଙ୍କ୍ ନଉଛି । ହଜବ୍ୟାଣ୍ଡଙ୍କ ପରିଶ୍ରମର ଫଳ ବ୍ୟାଙ୍କ୍ ୠଣ ସୁଝିବାରେ ଯାଉଛି । ପିଲାମାନେ ଏକ ହାଇ ସୋସାଇଟିର ଓ୍ଵେଲ୍ କଲଚର୍ଡ ବାପା ମାଆଙ୍କୁ ହାଏ ହେଲୋ ସମ୍ପର୍କରେ ରଖିଛନ୍ତି । ଅଭାବ ଜାଣିଲେନି କି କିପରି ସବୁ ହେଉଛି ଜାଣି ପାରିଲେନି । ଆଉ ମୁଁ ଉଚ୍ଚ ଅଭିଳାଷର ଡୋରରେ ବନ୍ଧା ଏକ ଉଡ଼ନ୍ତା କାମଧେନୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational