PRIYANKA PRIYADARSINI

Abstract Inspirational

4.5  

PRIYANKA PRIYADARSINI

Abstract Inspirational

କାଳିଆଙ୍କ ମହିମା

କାଳିଆଙ୍କ ମହିମା

5 mins
423


ପୁରୀ ଜଗନ୍ନାଥ ଧାମ , ଦେଶ ବିଦେଶରେ ନାମ ରହିଛି। ଜଗତ ଠାକୁର ଜଗା ର ହାତ ଖଣ୍ଡିଆ ହେଲେ କଣ ହେବ ...... ସେହି ଅଧା ଗଢ଼ା ହାତକୁ ମେଲି ଦେଇ ସାରା ଜଗତକୁ ଆହ୍ବାନ ଦେଉଛି ତା ସହ ମିଶିଯିବା ପାଇଁ। 

          ଅନେକ ପ୍ରାଚୀନ କଥା। ସଂକୀର୍ତ୍ତନ ର ଜନ୍ମ ଭୂମି ଓ ପ୍ରଭୁ ଚୈତନ୍ୟ ଦେବଙ୍କ ଏହା ଜନ୍ମସ୍ଥାନ; ନଦିଆ ନବଦିପ୍ , ପଶ୍ଚିମବଙ୍ଗ। ନଦିଆରେ ପ୍ରାୟତଃ ସମସ୍ତେ ଜଗନ୍ନାଥ ପ୍ରେମୀ। ସେହି ଭଳି ଜଣେ ଜଗନ୍ନାଥ ପ୍ରେମୀ ହେଉଛନ୍ତି ନବହରି। ଆଖିରେ ଆଖିଏ ସପନ ଜଗାକୁ ଦେଖିବେ। ହେଲେ ଅର୍ଥାଭାବ ବାଧକ ସାଜିଛି। ସେଦିନ କିନ୍ତୁ ଜଗାକୁ ସ୍ବପ୍ନ ରେ ଦେଖିବା ପରେ ଆଉ ରହି ପାରିଲାନି ମନେ ମନେ ଠିକ୍ କଲା ରାସ୍ତାରେ ମାଗି ଯାଚି ଯାହା ଯେମିତି ଖାଇ ନେବି, ବର୍ଷ ପାହୁ ପଛକେ ମୁଁ ନିଶ୍ଚିନ୍ତ ଜଗାକୁ ଦେଖି କରି ନିଃଶ୍ୱାସ ମାରିବି। ଗାମୁଛା ର ଗୋଟିଏ ମୁଣ୍ଡରେ ଗୋଟିଏ ଲୁଗା ବାନ୍ଧିଲା, ହାତରେ ଗୋଟେ ଠେଙ୍ଗା ଧରି ନଦିଆରୁ ବାହାରିଲା ଜଗନ୍ନାଥ ଧାମ ପୁରୀ। 


          କେତେ ମାସ ଯେ ଅତିବାହିତ ହୋଇ ସାରିଲାଣି ହିସାବ ନାହିଁ। ବର୍ଷା ,ଖରା ଖାଇ ଖାଇ ଶରୀର ଟା ପଥର ହୋଇ ଗଲାଣି। ଜଗା ଦୟାରୁ ଉପାସେ ରହିନି ଏହି କେତେ ମାସ। କେହି ନା କେହି ଖାଇବାକୁ ଦେଇ ଦିଅନ୍ତି। ଆଜି ଆସି ପହଞ୍ଚିଛି ଜଗା ଦୁଆରେ। ଗୋଟିଏ ଗାଁ ପାର ହେଲେ ପୁରୀ ଆସିବ , ଖୁସି ରେ ଶୁଖିଲା ଓଠରେ ଏକ ତୃପ୍ତି ର ହସ ଦେଖା ଯାଉଛି। ସନ୍ଧ୍ୟା ହୋଇ ଗଲାଣି , ମନେ ମନେ ବିଚାର କରିଲା ରାତି ଟି ଏଇଠି ବିତାଇବ । ଗୋଟିଏ ବର ଗଛ ତଳେ ନିଜ ନାଲି ଗାମୁଛା ଟି ରଖି ଶୋଇଲା। ରାତି ଅଧା ହେଲାଣି। କେହି ଜଣେ ତା ପାଖ ଦେଇ ଜୋର୍ ରେ ଦୌଡ଼ି ପଳାଇଲା ବେଳକୁ ନବ ଦେହରେ ଝୁଣ୍ଟି ହୋଇ ତଳେ ଖସି ପଡ଼ିଲା। ନବ ଉଠୁ ଉଠୁ ସେ ଲୋକଟି ତା ଗାମୁଛା ଗଣ୍ଠିଲି ଟି ସେଇଠି ଛାଡ଼ି ଦେଇ ଦୌଡ଼ି ପଳାଇଲା। କେଇ ମୁହୂର୍ତ୍ତ ପରେ ଦଳେ ଗାଁ ବାଲା ଆସି ନବକୁ ଘେରି ଗଲେ। -‘ଏଇ.....ଏଇ.....ଏଇ...ସେ ଗଣ୍ଠିଲି... ଚୋର କୋଉଠି କାର....ଆମ ଆଖିରେ ଧୂଳି ଦେଇ ଖାସି ଯିବୁ ଭାବିଛୁ ନାଇଁ.... ଦେଖ ଦେଖ ତା ଗଣ୍ଠିଲି ଖୋଲ।’ ଜଣେ ଗାଁ ବାଲା ଜୋର୍ ରେ କହି ଉଠିଲା।

ସେହି ସମୟରେ ଅନ୍ୟ ଜଣେ ଗାଁ ଲୋକ କହିଲା,

-“ ଏହି ଲୋକ ତ ଆମ ଗାଁ ର ନୁହଁ । କି ଆଖ ପାଖ କୌଣସି ଗାଁ ର ନୁହଁ । ”

          ସେତେ ବେଳକୁ ନବ ପିଠିରେ ଦୁଇଟା ଠେଙ୍ଗା ବର୍ଷି ସାରିଲାଣି। ବିଚରା କିଛି ଜାଣି ପାରୁ ନଥାଏ।


- “ ୟେ ତ ବିଦେଶୀ ଭଳି ଲାଗୁଛି। ଏହାକୁ ଚାଲ ରାଜା ଙ୍କ ପାଖକୁ ନେଇ ଯିବା।” ଦଳର ସବା ପଛରେ ଥିବା ଜଣେ ଲୋକ କହି ଉଠିଲା।

- “ ହଁ.....ହଁ...... କିଏ ଜାଣେ.....ଯଦି ୟେ ଜଣେ ଡାକୁ ହୋଇଥିବ। ଏମାନେ ଯଦି ଦଳବଦ୍ଧ ହୋଇ ଆସିଥିବେ। ” ଅନ୍ୟ ଜଣେ ଗାଁ ଲୋକ କହିଲା। 


           ପ୍ରାଚୀନ ସମୟରେ ଉତ୍କଳ ଅନେକ ଗୋଡ଼ିଏ ଛୋଟ ଛୋଟ ରାଜ୍ୟ ବା ପ୍ରଦେଶ ର ସମଷ୍ଟି ଥିଲା। ତେଣୁ ଏହି ରାଜ୍ୟ ପାର ହେଲେ ଗଜପତି ଶାସିତ ରାଜ୍ୟ ଆସିବ। ଜଣେ ଗାଁ ଲୋକ ଏତେ ବେଳକୁ ରାଜାଙ୍କ ସୈନ୍ୟଙ୍କୁ ଖବର ଦେବା ପାଇଁ ଯାଇ ସାରିଥାଏ। ସେଠାରେ ଉପସ୍ଥିତ ଥିବା ସମସ୍ତ ଗାଁ ଲୋକ ନବ ନାଁ ରେ କେତେ କଣ ଟାହି ଟାପର ଆରମ୍ଭ କରି ଦେଲେଣି। କେବଳ ‘ଜଗା..... ମୋ ଜଗା.... କାଲି ତୋର ଦର୍ଶନ ପାଇଥାନ୍ତି ହେଲେ ଆଜି କଣ ହେଇଗଲା। .....କିଛି ନ ଜାଣି ମୁଁ ଚୋର ହେଇଗଲି ରେ ଜଗା..... ’ କହି କାନ୍ଦି ପକାଉଥାଏ। ଗାଁ ଲୋକ ଙ୍କୁ ସେ ଯେତେ ନିର୍ଦ୍ଦୋଷ କିଛି ଜାଣି ନାହିଁ ବୋଲି କହିଲା ପରେ ମଧ୍ୟ ସେମାନେ ତା କଥାକୁ ତିଳେ ହେଲେ ଭ୍ରୁକ୍ଷେପ କରୁ ନାହାନ୍ତି। 


        କିଛି ସମୟ ପରେ ଦୁଇ ଜଣ ସିପାହୀ ଆସି ପହଁଚିଲେ ଓ ନବକୁ ରାଜ ଦରବାରକୁ ନେଇ ଗଲେ। ରାତ୍ରି ଅଧିକ ହୋଇ ଯାଇଥିବାରୁ ରାଜା ବିଚାର ସମୟ ପରବର୍ତ୍ତୀ ଦିନର ସକାଳକୁ ରଖିଲେ। ନବ ରହିଲା ବନ୍ଦୀ ଘରେ ଓ ତା ପାଖରୁ ଜବତ କରାଯାଇଥିବା ଗଣ୍ଠିଲି ଟି ସୈନ୍ୟଙ୍କ ହେପାଜତରେ। 


        ରାତିରେ ନବକୁ ନିଦ ନ ଥାଏ। ଏ କିଛି ସମୟ ଅନ୍ତରାଳରେ କଣ କଣ ସବୁ ହୋଇଗଲା ସତରେ ସେ ବିଶ୍ୱାସ କରି ପାରୁ ନଥାଏ। ମନେ ମନେ ଜଗନ୍ନାଥ ଙ୍କୁ ଅନେକ ପ୍ରଶ୍ନ କରୁଥାଏ,

          -“ ଜୀବନର ଅପରାହ୍ନରେ ତତେ ଟିକେ ଦେଖିବି ବୋଲି କେତେ ଆଶା ନେଇ ଆସିଥିଲି। ଏ କଣ ହୋଇ ଗଲା ପ୍ରଭୁ??.....ତୁମେ ଛଳିଆ ବୋଲି ଜାଣିଥିଲି,କିନ୍ତୁ ଏତେ ବଡ଼ ଛଳିଆ ବୋଲି ଜାଣି ନଥିଲି ହେ କାଳିଆ। ଦୀନ ହୀନ ହୋଇ ବୁଲୁଛି, ନିଜର ବୋଲି ଭଲ କରି ଖଣ୍ଡେ ବି ଗାମୁଛା ନାହିଁ ଆଉ ଏ କେଉଁ ଗାମୁଛା ଗଣ୍ଠିଲି କଥା ନେଇ ମୋତେ ଚୋର ସଜେଇ ଦେଲେ। ଏ କି ଆଣ୍ଠୁ ଆଡ଼ୁଆ ନିଶାପ ପ୍ରଭୁ। ମୋତେ ରକ୍ଷା କର ପ୍ରଭୁ ମୋତେ ରକ୍ଷା କର।” ନବ ନେହୁରା ହେଉଥାଏ, ଭଗବାନ ଙ୍କ ଆଗରେ। 


           ସେପାଖେ ରାଜା ଙ୍କ ନିଦ ଭାଙ୍ଗି ଯାଇଥାଏ। ଯେତେ ଶୋଇବାକୁ ଚେଷ୍ଟା କରିଲେ ମଧ୍ୟ ଶୋଇ ପାରୁ ନ ଥାଆନ୍ତି। ଶୟନ କକ୍ଷ ରେ କେବଳ ପଦ ଚାରଣା କରୁଥାନ୍ତି। ପାଦ ଶବ୍ଦରେ ରାଣୀ ଙ୍କ ନିଦ ଭାଙ୍ଗି ଯିବାରୁ ରାଣୀ ରାଜାଙ୍କୁ ତାଙ୍କର ବ୍ୟସ୍ତତା ବିଷୟରେ ପ୍ରଶ୍ନ କରିଲେ। ରାଜା ରାଣୀଙ୍କ ପାଖକୁ ଆସି ଶଯ୍ୟା ଉପରେ ବସୁ ବସୁ କହିଲେ,“ ଏହି କିଛି ସମୟ ପୂର୍ବରୁ ଗୋଟିଏ ଚୋରି ଅଭିଯୋଗ ଆସିଛି, ମୁଁ ସେ ଅଭିଯୋଗକୁ ଆସନ୍ତା କାଲିର ପ୍ରଥମ ପ୍ରହରରେ ରଖିଛି। ଏବଂ ସେ ଅଭିଯୁକ୍ତକୁ କାରାଗାର ରେ । କିନ୍ତୁ ମୁଁ ସ୍ବପ୍ନ ରେ ଦେଖିଲି, ଶ୍ରୀ ଜଗନ୍ନାଥ ରତ୍ନ ବେଦୀ ଉପରେ ଥାଇ ସେହି ଅଭିଯୁକ୍ତକୁ ଆଲିଙ୍ଗନ କରିଛନ୍ତି ଓ ତାଙ୍କ ଆଖିରୁ ଲୁହ ଝରି ଆସୁଛି। ଏହାର କଣ ଅର୍ଥ ହୋଇ ପାରେ ମୁଁ ଜାଣି ପାରୁ ନାହିଁ। ଶୟନ ନିମନ୍ତେ ଯେତେ ଚେଷ୍ଟା କରିଲେ ମଧ୍ୟ ସେଇ ଗୋଟିଏ ଛବି ମୋର ନିଦ୍ରା ଭଙ୍ଗ କରୁଛି।” ରାଜାଙ୍କ କଥା ଶୁଣି ରାଣୀ କହିଲେ,“ ସେ ହୁଏତ ଜଗନ୍ନାଥ ଙ୍କ ର ବଡ଼ ଭକ୍ତ ହୋଇଥିବେ ଓ ଚୋରି କରି ନଥିବେ। କୌଣସି ଭୁଲ୍ ବୁଝାମଣା ରୁ ସେ ଦୋଷୀ ସାବ୍ୟସ୍ତ ହୋଇ ଯାଇଥିବେ। ଆପଣ କାଲି ତାଙ୍କୁ ସବୁ ସତ କଥା ପଚାରି ବୁଝନ୍ତୁ ଓ ଉତ୍ତମ ନିର୍ଣ୍ଣୟ ନିଅନ୍ତୁ , ହୋଇ ପାରେ ଏହା କାଳିଆ ଠାକୁର ଆପଣଙ୍କୁ ଇଶାରାରେ ଇଙ୍ଗିତ କରୁଥିବେ। ଏବେ ଆପଣ ପ୍ରାତଃ ହେବାକୁ ଅପେକ୍ଷା କରନ୍ତୁ, ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ସଠିକ୍ ନିଷ୍ପତ୍ତି ନେବେ। ” ରାଜା ଏବେ ଟିକେ ନିଶ୍ଚିନ୍ତ ହେଲେ। 


            ପର ଦିନ ସକାଳ। ସୂର୍ଯ୍ୟ ଏକ ରକ୍ତିମ ଆଭା ନେଇ ପୂର୍ବ ଦିଗକୁ ରଞ୍ଜିତ କରୁଥାନ୍ତି। ସମସ୍ତ ପ୍ରାରମ୍ଭିକ ନିୟମ ସମାପ୍ତ ପରେ ରାଜ କାର୍ଯ୍ୟ ଆରମ୍ଭ ହେଲା। ଏହି ଚୋରି ଅଭିଯୋଗର ନିଷ୍ପତ୍ତି ପ୍ରଥମେ ଆସିଲା। ଦୋଷୀ ନବକୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ଦିଆଗଲା। ସେ ସମ୍ପୂର୍ଣ୍ଣ ଭାବରେ ପୂର୍ବ ରାତିର ଘଟଣା ପୁଙ୍ଖାନୁପୁଙ୍ଖ ଭାବରେ କହିଲା। ତା ପରେ ଗ୍ରାମବାସୀଙ୍କ କଥା ମଧ୍ୟ ଶୁଣା ଗଲା। ସମସ୍ତେ ନିଜ ନିଜ ସ୍ଥାନରେ ଠିକ୍। କିନ୍ତୁ ବିଚାର ହେବ କିପରି??..... ଶେଷରେ ନିଷ୍ପତ୍ତି ନିଆ ଗଲା, ସେହି ଗଣ୍ଠିଲିକୁ ଖୋଲି ଦେଖିଲେ ସମସ୍ତ ଘଟଣା ଜଣା ପଡ଼ିଯିବ। ସେଇୟା ହେଲା।ଶେଷରେ ଜଣେ ସୈନ୍ୟ ନବ ପାଖରେ ପଡ଼ିଥିବା ଗାମୁଛାର ଗଣ୍ଠିଲି ଟି ଖୋଲିଲା। ଯେମିତି ଗାମୁଛାର ଗଣ୍ଠି ଖୋଲି ଦେଇଛି, ଚତୁଃପାର୍ଶ୍ଵ ତୁଳସୀ ବାସ୍ନା ରେ ଚହଟି ଉଠିଲା। ସମସ୍ତେ ଆଶ୍ଚର୍ଯ୍ୟ। ‘ଏଥିରେ ତ ତୁଳସୀ ଓ ତୁଳସୀରେ ତିଆରି ମାଳ ରଖା ହୋଇଛି....!!! ଏସବୁ ତ ସ୍ଵର୍ଣ୍ଣ ନୁହଁ.......ତାହେଲେ ସତରେ ଏ ଚୋର ନୁହଁ.........।” ଅନାୟସରେ କିଛି ରାଜ କର୍ମଚାରୀ ଓ ପ୍ରଜାଙ୍କ ମୁଖରୁ ବାହାରି ଆସିଲା।ରାଜା ମନେ ମନେ ବିଚାର କରିଲେ ସତରେ ଏ କାଳିଆ ଠାକୁର ଙ୍କ ର ଜଣେ ବଡ଼ ଭକ୍ତ ।

- “ଆମ୍ଭର ଭୁଲ୍ ହୋଇ ଗଲା କହି କିଛି ଗ୍ରାମ ବାସୀ ନବର ଗୋଡ଼ ତଳେ ପଡ଼ିଗଲେ।”


          ନବକୁ ତୁଳସୀ ବାସ୍ନା ହେଉଥିଲା କିନ୍ତୁ ତାକୁ ଗାମୁଛାରେ ବହୁ ମୂଲ୍ୟର ସ୍ଵର୍ଣ୍ଣ ଅଳଙ୍କାର ଦେଖା ଯାଉଥିଲା। ମନେ ମନେ କହି ଉଠିଲା ଧନ୍ୟ କୃପାସିନ୍ଧୁ ତୋର କୃପା । ଜଗା ପ୍ରେମରେ ବାନ୍ଧି ହୋଇ ଗଲା ପରେ ସ୍ଵର୍ଣ୍ଣ ଅଳଙ୍କାର ତୁଚ୍ଛ ଓ ତୁଳସୀ ଅମୃତ ଲାଗିବ। ସେ ମଧ୍ୟ ଏ ଆଶ୍ଚର୍ଯ୍ୟ ଦେଖି ସ୍ତମ୍ଭିଭୁତ ହୋଇଗଲା। ରାଜା ନବକୁ ନିର୍ଦ୍ଦୋଷ ଘୋଷିତ କରିଲେ ଓ କିଛି ସ୍ଵର୍ଣ୍ଣ ମୁଦ୍ରା ଦେବା ପାଇଁ ମନସ୍ଥ କରିଲେ କିନ୍ତୁ ନବ ମନା କରିଲା। ଜଗାର କରୁଣା ଦେଖି ସେଇ ଠାରୁ ଉଠି ଚାଲିଲା ଶ୍ରୀକ୍ଷେତ୍ର ଅଭିମୁଖେ। ରାଜାଙ୍କ ଦରବାର ରେ ସେହି ପରି ସେହି ସ୍ଵର୍ଣ୍ଣ ପୂରିତ ଗଣ୍ଠିଲି ଓ ରାଜାଙ୍କ ପୁରସ୍କାର ଚଟାଣରେ ପଡ଼ି ରହିଥିଲା। 



Rate this content
Log in

Similar oriya story from Abstract